Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

4  

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

ଫୁସି ସରକାର - ୧

ଫୁସି ସରକାର - ୧

3 mins
14.8K


ସକାଳୁ ସକାଳୁ ଫୋନ୍‌ କଲ ପାଇ ମୁଁ ଚକିତ ହୋଇଯାଇଥିଲି । ନିଦ ମଳ ମଳ ଆଖିରେ ଫୋନ୍‌ଟିକୁ ରିସିଭ୍‌ କରୁ କରୁ, ଆର ପଟୁ ବୋଉ କହିଲା - ଜାଣିଛୁ, ଫୁସି ଚାଲିଗଲା। - ଫୁସି ଚାଲିଗଲା । ଘଟଣାଟିକୁ ମୁଁ ଏତେ ସିରିୟସ୍‌ ଭାବେ ନେଲିନି । ଏମିତି ତ ଆଗରୁ ଅନେକ ଥର ଫୁସି ଚାଲିଯାଇଛି, ପୁଣି ମାସେ ଦି’ ମାସେ ପରେ ଫେରିଆସିଛି । ଏଥର ଆସିବନି କି !

ବୋଉକୁ କହିଲି- ଯାଉ, ପୁଣି ବଳେ ବଳେ ଫେରିଆସିବିନ । - ଆରେ ନାଇଁମ, ଏଥର ସେ ଆଉ ଜମା ଫେରିବନି । ବୋଉ କହିଲା । - ମାନେ?? - କାଲି ରାତିରେ ତାକୁ କିଏ କୁଆଡେ ମାରିଦେଇଛି । ସକାଳୁ ସକାଳୁ ପୁଲିସ୍‌ ଆସି ବାଳମାଧବ ତୋଟାରେ ବୁଲୁଛି । ତା’ ଶବ ମିଳୁନି । - ହେଲେ କାଲି ରାତିର ଘଟଣା ଏତେ ସକାଳୁ ପୁଲିସ୍‌ କେମିତି ଖବର ପାଇଲା । ମୁଁ ମୋ ସାମ୍ବାଦିକତାର ଅନୁସନ୍ଧିଛୁ ନଜରରେ ପ୍ରଶ୍ନ କଲି ବୋଉକୁ । - କେଜାଣି, ଯିଏ ସବୁ ମାରିଛନ୍ତି, ତାଙ୍କରି ଭିତରୁ କେହି କହିଦେଇଥିବ ! - ହେଲେ କିଏ ମାରିଛି?

ସେପଟୁ ଆଉ କିଛି ଶୁଭି ନଥିଲା । ଫୋନ୍‌ କଟିଯାଇଥିଲା । ବୋଧହୁଏ ବୋଉ ଫୋନରେ ଅଧିକ କିଛି କହିବାକୁ ଚାହୁଁନଥିଲା । ସେଥିପାଇଁ ଫୋନ୍‌ କାଟିଦେଇଥିଲା । ଫୁସିକୁ, ପୁଣି ମାରିବ କିଏ? ସିଏ ତ କାହାରି କିଛି ଦୋଷ କରି ନଥିଲା । କେବେ କାହାର ବି ଶତ୍ରୁ ହୋଇନି । ତେବେ ତାକୁ ମାରି ସେମାନେ ପାଇଲେ କ’ଣ ??

ଏମିତି ଅନେକ ଅସମାହିତ ପ୍ରଶ୍ନ ମୋ ମନ ଭିତରେ ତରଙ୍ଗ ଖେଳୁଥାଏ । ପ୍ରଶ୍ନର ଉତ୍ତର କିନ୍ତୁମୋ ପାଇଁ ଥିଲା ଅପହଞ୍ଚ । ସବୁ ଦିନ ସକାଳେ ମଧ୍ୟ ବୋଉଠାରୁ ପାଉଥାଏ ଖବର । କେମିତି ପୁଲିସ୍‌ ଦୈନିକ ଆସି ତୋଟା କିଆବୁଦା, ବନ୍ଧ ତଳ, ଅରମା ଭିତର ଖୋଜା ଖୋଜି କରୁଛି । ରାତି ଅଧରେ କାହା କାହା ଘରେ ଚଢାଉ

କରୁଛି, ଏମିତି ଏମିତ । ଗାଁଟା ପୂରା ପୁରୁଷଶୂନ୍ୟ ହୋଇପଡିଥିଲା । ବୋଉ ଭୟରେ ମୋତେ କହୁଥାଏ- ତୁ ଏଇନେ ଗାଁକୁ ଆସିବୁନି । କାଳେ ପୁଲିସ୍‌ ତତେ କ’ଣ ପଚରା ଉଚୁରା କରିବ? ଏକ ଭୟର କଳାବାଦଲ ଘାରିଯାଇଥାଏ ପୂରା ଗାଁଟା ଉପରେ । ଘଟଣା ଘଟିବାର ସତର ଦିନ ପରେ ଅଚାନକ ମୋ ଟେବୁଲ

ଉପରେ ପାଇଲି ଆମ ପ୍ରତିନିଧିଙ୍କ ରିପୋର୍ଟ । ମୋ ଖବର ସବୁ ସଂପାଦନା କରୁ କରୁ ସେହି ରିପୋର୍ଟ ଉପରେ ଲାଖି ରହିଯାଇଥିଲା ମୋ ଆଖି । ପରିତ୍ୟକ୍ତ କୂଅ ମଧ୍ୟରୁ ଯୁବକର ଗଳିତ ଶବ ଉଦ୍ଧାର ଆଉ ତନ୍ନ ତନ୍ନ କରି ଖବରଟିକୁ ପଢିଲା ପରେ ମୋ ହୋସ୍‌ ଉଡିଯାଇଥିଲା । ୧୭ ଦିନ ତଳେ ଅମାନୁଷିକ ଭାବେ ହତ୍ୟା କରାଯାଇ

ବାଳମାଧବ ତୋଟାରେ କିଆ ବୁଦା ମଧ୍ୟରେ ଥିବା ପରିତ୍ୟକ୍ତ କୁଅରେପଡିଥିବା ଏହି ଗଳିତ ଶବଟି ଥିଲା ଫୁସିର । ଫୁସିକୁ ହତ୍ୟା?? ତେବେ କଲା କିଏ ???ଏମିତି ଅନେକ ହତ୍ୟା ମାମଲା ସବୁଦିନ ଖବରକାଗଜ ପୃଷ୍ଠାରେ ସଂପାଦନା କରୁଥିଲେ ମଧ୍ୟ, ଏଇ ଖବରଟି କାହିଁକି କେଜାଣି ମୋମନକୁ ଆନ୍ଦୋଳିତ କରି ଦେଉଥିଲା । କାହିଁକି ? କାହିଁକି?? ହେଉଥିବ, ମୁଁ ଫୁସିକୁ ଜାଣିଛି ବୋଲି । ହଁ ଫୁସିକୁ ମୁଁ ଜାଣିଥିଲି ପିଲାଟି ଦିନୁ । ଏକ ବିଚିତ୍ର ବିରଳ ମଣିଷଟିଏ ସେ । ନା ଥିଲା କାହାର ସୁଖର ଅବା ଦୁଃଖରେ । କାହାରି ସହିତ ନଥିଲା ତାର ସଂପର୍କ । ଦୁଇ ଖଣ୍ଡ ଅଢେଇ ହାତି ନାଲି ଗାମୁଛା ଥିଲା ତା’ ଶରୀରର ବସନ । ଖଣ୍ଡେ ପିନ୍ଧୁଥିଲା, ଆଉ ଖଣ୍ଡେ ଦେହରେ । ଚମତ୍କାର ବି ତା’ ଖାଦ୍ୟ । ମୁଠାଏ ଚାଉଳ, ଟଙ୍କାକର ଡାଲି, ଗୋଟେ ଦି’ଟା ଆଳୁ ଆଉ କିଛି ନିମ୍ବପତ୍ର ମିଶା ଖେଚଡି । ସିଏ ପୁଣି ରୋଷେଇ ହୁଏ ନୂଆ କୌଶଳରେ । ଗୋଟିଏ ଭଙ୍ଗା ଚେପଟା ଡେକେଚି, ତାଳ ବାହୁଙ୍ଗା ଚଟୁ, ଆଉ ତିନି ଖଣ୍ଡ ଇଟାର ଅସ୍ଥାୟୀ ଚୁଲି । ଏହି ତାର ରୋଷେଇ ସରଞ୍ଜାମ । ଯେଉଁଠି ମନ ହେଲା ରୋଷେଇ କଲା ।

ଖାଇ ସାରି ତା’ ହାଣ୍ଡି ଡେକଚି ସେଇଠି ପକାଇ ଦେଇଯାଏ । ଆଜିର ମୋହମାୟା ଭରା ଦୁନିଆରେ ଫୁସି ଥିଲା ବିରଳ ଚରିତ୍ର । ତା’ ବାପାମାଆ କିଏ, ସେ କୋଉଠୁ ଆସିଛି, କାହାରି ପାଖରେ କିଛି ଖବର ନଥିଲା । ମୁଁ କେବଳ ଜେଜେମା’ଠାରୁ ପିଲା ଦିନେ ଶୁଣିଥିଲି- କୁଆଡେ କେହି ଦଲାଲ ତା’ ମାଆ ଓ ତାକୁ ନେଇ ଆସି

ଭିନ୍ନ ଲୋକଙ୍କୁ ବିକି ଦେଇଥିଲା । ପଡିଶା ଗାଁର ସ୍ୱାଇଁ ଘରେ ତାକୁ ବିକ୍ରି କରିଥିଲା ଦଲାଲ । ସେହି ନିଃସନ୍ତାନ ପରିବାରରେ ଖୁବ୍‌ ଯନିରେ ବଢୁଥିଲା ଫୁସି । କିନ୍ତୁସେମାନଙ୍କର ପୁଅଟିଏ ହେବା ପରେ ସବୁ ବଦଳି ଯାଇଥିଲା । ଫୁସି ହୋଇଯାଇଥିଲା ଅବହେଳିତ । ପୁଅରୁ ସେ ଚାକର । ତେଣୁ ପିଲାଟି ଦିନରୁ ତା’ ମନରେ ଉଠୁଥିଲା ବିଦ୍ରୋହ ଏ ସମାଜ ବିରୋଧରେ । ସେହି ବିଦ୍ରୋହ ନେଇଥିଲା ଭିନ୍ନ ରୂପ । ପାଳିତ ବାପମାଆଙ୍କୁ ମାରି ସେ ଯାଇଥିଲା ଜେଲ । ଦୀର୍ଘଦିନ ପରେ ଫେରିଲା ପରେ ସେ ପାଲଟି ଯାଇଥିଲା ବିରଳ ମଣିଷଟିଏ । ଆଜିର ସ୍ୱାର୍ଥପର ସମାଜର ମହାବୁଦ୍ଧିଆ ମଣିଷର କୁତ୍ସିତ ଭାବନାରେ ଶିକାର ହୋଇଥିଲା ସେ । ପିଲା ପିଲି ନଥିବାରୁ ବାପା ମାଆ ଅନାଥ ଶିଶୁଟିକୁ ନିଜ ସନ୍ତାନ ଭଳି ପାଖରେ ରଖି ନିଃସନ୍ତାନର ଦୁଃଖ ଭୁଲି ଯାଆନ୍ତି ସତ ।

କିନ୍ତୁଯେଉଁ ଦିନ ସେମାନଙ୍କ ନିଃସନ୍ତାନ ଦୋଷ କଟିଯାଏ, ସେହିଦିନ ସେହି ଅନାଥ ଶିଶୁଟି ହୋଇଯାଏ ପୁଣି ଅବହେଳିତ । ତା’ର ବି ଦୋଷ କ’ଣ ? ଅନାଥ କି ଜାରଜ ହେବା କ’ଣ ତା’ର ଦୋଷ ? ଭଗବାନଙ୍କ ସୃଷ୍ଟିରେ ସେ ତ ଶ୍ରେଷ୍ଠଜୀବ ମାନବ ରୂପ ନେଇଛି । ତାକୁ ଯିଏ ଏଠିକି ଆଣିଛି, ସେ ପାପ କରିଛି ନା ପୁଣ୍ୟ ? ସେ

ପାପପୁଣ୍ୟର ଫଳ ସିଏ କାହିଁକି ଯେ ଭୋଗିବ?? ଏମିତି ଭାବନା ଦିନେ ଫୁସି ମନରେ ବସା ବାନ୍ଧିଥିଲା । ସେଥିପାଇଁ ତାର ପାଳିତ ବାପମାଆଙ୍କ ଉପରକୁ ଆକ୍ରମଣ କରିଥିଲା । ଆଉ ଜେଲ ବି ଯାଇଥିଲା ।

ଜେଲରେ ଥିବା ବେଳେ ସେ ତା’ ପାପପୂଣ୍ୟକୁ ତଉଲିଥିଲା ସମାଜର ନୈତିକତା ନିକିତିରେ । କେଉଁଟା ଭୁଲ, କେଉଁଟା ଠିକ୍‌ ଭାବିବା ଅପେକ୍ଷା, ବରଂ ଏ (ଅ)ସଭ୍ୟ ସମାଜଠାରୁ ସଂପର୍କ ଛିନ୍ନ କରିବା ପାଇଁ ମନସ୍ଥ କରିଦେଇଥିଲା ନିଜକୁ । ତେଣୁ ଜେଲରୁ ଫେରିବା ପରେ ନିଜ ଗାଁକୁ ନ ଯାଇ ସେ ରହିଗଲା ପଡିଶା ଗାଁରେ । ସଭ୍ୟ ସମାଜର ମଣିଷଗୁଡାଙ୍କୁ ସେ ଠିକ୍‌ ଚିହ୍ନିଥିଲା । ସେଥିପାଇଁ ସେ କାହାରି ସହ ଅଧିକ ସଂପର୍କ ନରଖି କେବଳ ବଞ୍ଚିବା ପାଇଁ ଯେତିକି ଆବଶ୍ୟକ ସେତିକି ହିଁ ଥିଲା ତା’ ପରିଚୟ । ରାତି ପାହିଲେ ସେ ପହଞ୍ଚିଯାଏ କାହାରି ନା କାହାରି ଘରେ । ବାବୁ-ମାଆ, ତମର ଆଜି କାମ ହବତ ? କାମ ଥାଉ ବା ନଥାଉ, କେହି କେହି ତାକୁ ଦୟା ପରବଶ ହୋଇ ହଁ ବି କହିଦିଅନ୍ତି । କିନ୍ତୁ ସେ କାହାରି ଦୟାରେ ଚଳିବାକୁ ଚାହୁଁ ନଥିଲା । ମାତ୍ର ୨ ଘଣ୍ଟା ସମୟ ଭିତରେ ସେ ସାରିଦେଉଥିଲା ତା’ର ସବୁ କାମ । ଯାହାକି ଜଣେ ଦିନ ମଜୁରିଆ ବି ଦିନ ତମାମ ଖଟି କରିବା ସମ୍ଭବ ନଥିଲା । ହେଲେ ତା’ ମଜୁରି ବି ସେମିତି କିଛି ନୁହେଁ । ମାତ୍ର ୮ ଟଙ୍କା । ଅବଶ୍ୟ ପରେ ତା’ ୧୦ ଟଙ୍କା ବି ହୋଇଥିଲା । ଏହି ୮/୧୦ ଟଙ୍କା ଥିଲା ତା’ରଦିନକର ଡାଲି, ଚାଉଳ ଆଣିବାର ଆବଶ୍ୟକତା । ମଝିରେ ମଝିରେ ସେ ଅପରାହ୍ନରେ ବି ଓଭରଟାଇମ୍‌ କରୁଥିଲା, ଯାହା ଥିଲା ତା’ର ଗଞ୍ଜେଇଖିଆ ଖର୍ଚ୍ଚ । ପରିଶ୍ରମଠାରୁ ତା’ ମଜୁରୀ କମ୍‌ । ଏ ସଂପର୍କରେ କେବେ କେବେ ପଚାରିଲେ କୁହେ- ଆମେ ଆଜ୍ଞା ସରକାରୀ ଲୋକ, ଆମର ଅଧିକ କ’ଣ ହେବ । ଯେତିକି ଦରକାର ସେତିକି ଖଟିବି, ସେତିକି ମଜୁରି ନେବି । ଏହି ସରକାରୀ ଲୋକରୁ ସେ ସ୍ଥାନୀୟ ଅଞ୍ଚଳରେ ପାଲଟି ଯାଇଥିଲା ଫୁସି ସରକାର ଭାବେ । କିନ୍ତୁ ଫୁସିର କଥା ମନେପଡିଲେ ଆଜି କଥାଟା ଓଲଟା ଲାଗେ । ସରକାରୀ ଲୋକମାନେ କମ ଖଟନ୍ତି, ଆଉ ଅଧିକ ଲୁଟନ୍ତି । ଏ କଥା ଫୁସି ବୋଧେ ସେତେବେଳେ ଜାଣି ନଥିଲା । ମୋହମାୟାରେ ବଶ ଆଜିର ମଣିଷ ସାରା ଜୀବନ ଅର୍ଥ ପଛରେ ଧାଉଁଥିବା ବେଳେ ଫୁସି ଭଳି ସେମାନେ ଚଳି ପାରନ୍ତିନି । ଏମିତି ପ୍ରଶ୍ନ ବେଳେବେଳେ ମୋ ମନକୁ ଆସେ ।

କିନ୍ତୁଫୁସି ଭଳି ଚଳିବା ଆଜିର ବିଳାସବ୍ୟସନ ପ୍ରିୟ ମଣିଷ ପାଇଁ ଅସମ୍ଭବ ନିଶ୍ଚୟ । ମୁଁ ଅନୁଭବ କରିପାରୁଥିଲି । ନା କାହା ଦୁଃଖରେ, ନା କାହା ସୁଖରେ, କେଇଁଠି ବି ନଥାଏ ସେ । ରାଜନୀତି ହେଉ ଅବା କୂଟନୀତି । ଦେଶ ବଦଳୁ ଅବା ଶାସନ, ନେତା ବଦଳ ଅବା ଗାଁ ଲୋକ । କିଛି ଖବର ତା’ ପାଖରେ ନଥିଲା, କି ସେ ରଖିବାକୁ ଚାହୁଁ ନଥିଲା । ତା’ର ବା ସେଥିରୁ କ’ଣ ମିଳିବ! ସ୍ୱାର୍ଥପର ଲୋକ, ମୋହ ମାୟା ଭରା ସମାଜ ସେ ଯେ ପାଗଳ ହୋଇଯିବ । ସେ ବି ଥିଲା ପାଗଳ । ଗାଁ ଲୋକଙ୍କ ଭାଷାରେ ଫୁସି ପାଗଳ । କାରଣ ସେ ମିଶୁ ନଥିଲା କାହା ସହ, କଥା ବି ହଉ ନଥିଲା କାହାର ସଙ୍ଗେ । ତା’ କାମ ବି ଥିଲା ଆଜିର ସଭ୍ୟ ସମାଜଠାରୁ ସଂପୂର୍ଣ୍ଣ ଭିନ୍ନ । ତେଣୁ ନିଜକୁ ବୁଦ୍ଧିଆ ମଣୁଥିବା ଆଜିର ଲୋକଗୁଡା ତାକୁ ପାଗଳ ବା କହିବେନି କେମିତି ? ତା’ର ଏଇ ପାଗଳାମୀ ହିଁ ଶେଷରେ ତା’ ଜୀବନ ନେଲା । କମ୍‌ ମଜୁରିରେ ଭଲ କାମ କରୁଥିଲା ସେ । ସେ ପାଇଁ ଗାଁର ବହୁ ଲୋକ ତା’ ଦ୍ୱାରା ଉଠାଇ ନେଉଥିଲେ ବଡ ବଡ କାମ । ଗାଁର ସବୁଦିନିଆ ଶ୍ରମିକମାନଙ୍କର ସେ ପାଲଟିଗଲା ଶତ୍ରୁ । ସେମିତି ବି ଆଉ କିଛି ସ୍ୱାର୍ଥପର ଲୋକ ତା’ ଦ୍ୱାରା କାମ ଉଠାଇ ମଜୁରି ବି ଦେଉ ନଥିଲେ । ଏ ନେଇ ଫୁସି ମନରେ ଅନେକ ଥର ସେହି ପୁରୁଣା ଭୂତଟା ଚିହିଁକି ଉଠିଥିଲା ବି । ମଜୁରି ଦେଇ ନଥିବା ଲୋକହେଉ କି ତା’ ସହକର୍ମୀ ଶ୍ରମିକଙ୍କ ସହ ତା’ର ବି ଅନେକ ଥର ପାଟିତୁଣ୍ଡ ହୋଇଛି । ଆଉ ଦୁର୍ଭାଗ୍ୟକୁ ଯେଉଁମାନେ ତା’ର ଶତ୍ରୁ ପାଲଟିଥିଲେ, ସେମାନଙ୍କ ଘରେ ଯେମିତି କିଏ କହିଦେଲା ଭଳି ଘଟିଥିଲା ଅଘଟଣ । କାହାର ଘର ପୋଡିଗଲା ତ’ କାହା ଖଳାରୁ ଧାନ ଚୋରି ହେଲା । କାହାର ଗାଈ ବାଛୁରି ମରିଗଲା ତ କାହା ନଡିଆ ଗଛରେ ପୋକ ଲାଗିଲା । ସବୁ ଦୋଷ ପଡିଲା ଫୁସି ଉପରେ । କିଏ କହିଲା ଫୁସି ନିଆଁ ଲଗାଇ ଦେଇଛି ତ, ଆଉ କିଏ ଦେଖିଲା ଭଳିଆ କହିଲା ରାତିରେ ସେ ବନ୍ଧ ତଳେ ଗୁଣିଗାରେଡି କରୁଛି । ଲୋକଙ୍କ ଭଲ ମନ୍ଦରେ ନଥିବା ଲୋକଟି ଅଚାନକ ସମସ୍ତଙ୍କ ଶତ୍ରୁ ପାଲଟିଯାଇଥିଲା । ଗାଁ ଲୋକେ ତାକୁ ଦୂରଦୂର ମାରମାର କଲେ । କମ୍‌ ମଜୁରି ଥିଲେ ବି କେହି ଆଉ ତାକୁ କାମରେ ପୂରେଇ ଦେଲେନି । ଦିନ ଦିନ ଉପାସରେ ରହି ସେ ଗାଁ ଛାଡି ଚାଲିଗଲା । ହେଲେ ଏଇଠି ସରି ନଥିଲା ତା’ ଦୁଃଖ । ଶେଷରେ ସେହି କେତେଜଣଙ୍କ ଆକ୍ରୋଶରେ ବଳି ପଡିଲା ତା’ ପ୍ରାଣ । ଅତି ଅମାନୁଷିକ ଭାବେ ତାକୁ ହତ୍ୟା କରି ପୋତିଦେଲେ ସେହି ପରିତ୍ୟକ୍ତ କୁଅ ଭିତରେ । ପୁଲିସ୍‌ ପାଇଲା ଶବ, ତଦନ୍ତ କଲା । କିନ୍ତୁକେହି ନଥିଲେ ଅଭିଯୁକ୍ତ କି ଅଭିଯୋଗକାରୀ । ତେଣୁ ଫାଇଲଆପେ ଆପେ କ୍ଲୋଜ୍‌ ହୋଇଯାଇଥିଲା । ସ୍ୱାର୍ଥପର ସମାଜର କାଳଫାସରେ ଯେମିତି ଅଣନିଃଶ୍ୱାସୀ ହୋଇଯାଇଛି ଅନେକ ସ୍ୱର, ଠିକ୍‌ ସେମିତି ।

ଏବେବି ନିର୍ଜନ ତୋଟାମାଳରୁ ଶୁଭୁଛି ଫୁସି ସରକାରର ସେହି ବୁକୁ ଫଟା ଚିତ୍କାର । ମୋତେ ନ୍ୟାୟ ଦିଅ । ମୁଁ ନ୍ୟାୟ ଚାହେଁ । କ’ଣ ପାଇଁମୋତେ ଅନ୍ୟାୟରେ ଏମିତି ଏଇ କୂଅ ଭିତରେ ବନ୍ଦୀ କରି ରଖିଛ ?ସତେଯେମିତି ଏ ସଭ୍ୟ ସମାଜର କାନ ମୋଡି ଫୁସି ପଚାରୁଛିକୁହ ଏ ସଭ୍ୟ ଶିକ୍ଷିତ ମାନବ ଜାତି, କି ଭୁଲ କରିଥିଲି ? କାହିଁକି ମୋତେ ଏଭଳି ଅମାନୁଷିକ ଦଣ୍ଡ ଭୋଗିବାକୁ ଦିଆଗଲା ?? ଜବାବ ଦିଏ ???


Rate this content
Log in

Similar oriya story from Tragedy