Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Fantasy Inspirational Others

5.0  

ପ୍ରଶାନ୍ତ କୁମାର ବେହେରା

Fantasy Inspirational Others

ଆଉ ଜଣେ କାଉଲ୍ ( ସପ୍ତମ ଭାଗ )

ଆଉ ଜଣେ କାଉଲ୍ ( ସପ୍ତମ ଭାଗ )

3 mins
14K


ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସରେ କାଉଲ୍ ଚରିତ୍ରକୁ ସୃଷ୍ଟି କରି ବାରିଷ୍ଟର ଗୋବିନ୍ଦ ଦାସ ଯଥାର୍ଥରେ ଲେଖିଥିଲେ - " ଯିଏ ପାପ ପୁଣ୍ୟକୁ ସମାଜର ତତ୍କାଳୀନ ମୂଲ୍ୟବୋଧରେ ବିଚାର ନକରି, ମନୁଷ୍ୟତାର ନିକିତିରେ ତଉଲି ପାରିଛି, ସେହିପରି ମହାନ୍ ବ୍ୟକ୍ତିଙ୍କ ହାତରେ ମୋର ଏ କାଉଲଙ୍କୁ ସମର୍ପି ଦେଉଛି ।"

ଆଉ ଉପନ୍ୟାସର ଆରମ୍ଭରେ ଥିବା ଲେଖା ନିମ୍ନରେ ରଖୁଛି -

ତୁମେ କାଉଲ୍,

ତୁମର ଯନ୍ତ୍ରଣା ନାହିଁ, ନାହିଁ ଅନୁଶୋଚନା । ଭାଗ୍ୟ ବିରୁଦ୍ଧରେ ନାହିଁ ବିଦ୍ରୋହ ଅଥବା ଆତ୍ମସମର୍ପଣ । ବିଜୟ ପାଇଁ ନାହିଁ ଆଗ୍ରହ, ନାହିଁ ପରାଜୟର ଭୟ । ତୁମେ ନିର୍ବିକାର, ନିରବଚ୍ଛିନ୍ନ ପୁରୁଷ.......

ତୁମ ଜୀବନରେ କିଛି ବିଡମ୍ୱନା ନାହିଁ, କିଛି ପ୍ରତାରଣା ନାହିଁ, କିଛି ହିପୋକ୍ରାସି ନାହିଁ । ତୁମେ ସତ୍ୟ - ମୃତ୍ୟୁ ପରି, ତୁମେ ଚିରଞ୍ଜୀବୀ - ଅନ୍ଧକାର ପରି ।

ଏଠି ଏସବୁ ଅବତାରଣା କରିବାର ଅଭିପ୍ରାୟ ବି ମୋର ଅଛି । ଆଉ ଜଣେ କାଉଲ୍ ଯେଉଁ ଭାଇଙ୍କୁ ମୁଁ ସମ୍ୱୋଧନ କରୁଛି ସେ ହୋଇ ପାରନ୍ତି ମଦ୍ୟପ କିନ୍ତୁ ଲମ୍ପଟ ନୁହନ୍ତି , ସେ ହୋଇପାରନ୍ତି ପଥଭ୍ରଷ୍ଟ କିନ୍ତୁ ଚରିତ୍ରହୀନ ନୁହନ୍ତି ।

ପୁନଶ୍ଚ ଉପନ୍ୟାସ ବହିର ଆରମ୍ଭରେ ଲେଖକ ମାର୍କ ଟ୍ୱାଇନ୍ ( Mark Twain ) ଙ୍କର ଏକ ଯୁଗାନ୍ତକାରୀ କୋଟେସନ୍ ରଖିଛନ୍ତ - " Everyone is a moon and has a dark side which he never shows to anybody. " ଅର୍ଥାତ୍ ଚନ୍ଦ୍ରରେ ଯେପରି କଳଙ୍କ ରହିଛି ସବୁ ମଣିଷଙ୍କର ଜୀବନରେ ସେମିତି କିଛି କଳଙ୍କିତ ଅଧ୍ୟାୟ ରହିଥାଏ ଯାହାକୁ ସେ କେବେହେଲେ ଅନ୍ୟ କାହାକୁ ଦେଖାଏ ନାହିଁ ।

କିନ୍ତୁ ଏଇ କାଉଲ୍ ମାନେ ହେଉଛନ୍ତି ବ୍ୟତିକ୍ରମ । ସେମାନଙ୍କର ଜୀବନରେ ଯାହା ବି ଅନ୍ଧାର ଦିଗ ଥାଏ ତାହା ସେମାନେ ସମାଜ ସାମ୍ନାରେ ଖୋଲି କରି କହିବାର ଅଦମ୍ୟ ସାହସ ନିଜ ଭିତରେ ସବୁବେଳେ ରଖିଥାନ୍ତି । ଆଉ ସେଇଥି ପାଇଁ ସେମାନେ ଏ ଦୁନିଆରେ ସବୁବେଳେ ମହାନ୍ ।

ଏ ଭାଇ ହେଉଛନ୍ତି ସେମିତିକା ଚରିତ୍ରର ଲୋକ । ଜୀବନରେ ଯେଉଁଠି ଯାହା ବି ଘଟିଛି ସ୍ପଷ୍ଟ ଭାବରେ କହିପକାଇବାର ସବୁ ତାକତ୍ ତାଙ୍କ ପାଖରେ ହିଁ ଦେଖେ । ଗୋଟେ ମବ୍ ଯେଉଁଠି ଗଣ୍ଡଗୋଳ କରୁଥିବେ ସେଠି ପଶି ମିମାଂସା କରିବାର ସାହସ ତାଙ୍କ ପାଖରେ ଥାଏ । ଯେତେ ବଡ ଲୋକ ହୋଇଥାଉ ନା କାହିଁକି ସାମ୍ନା ସାମ୍ନୀ ତା ମୁହଁ ଉପରେ ଯାହା ସତ୍ୟ ଆଉ ବାସ୍ତବ ତାହା କହିବାକୁ କେବେ ବି ପଛଘୁଞ୍ଚା ଦେବା ଲୋକ ସେ ନୁହନ୍ତି । ସତରେ ଗୋଟେ ସ୍ପଷ୍ଟ , ସବୁବେଳେ ନିର୍ବିକାର, ଖୁବ୍ ନିର୍ଭିକ ଏଇ ଭାଇ ଆମର ।

ଷଣ୍ଢକୁ ତଳି କିଆରିରେ ପୁରାଇ ବାଉଁଶ ଗେଟ୍ ବନ୍ଦକରି ଭାଇ ଶୋଇଯାଇଥିଲେ । ସକାଳୁ ନିଦ ଭାଙ୍ଗିବା ପରେ ଦେଖିଲେ ସେ ଜଇପୁର ଷଣ୍ଢ ପୁରା ତଳି କିଆରିକୁ ରାତି ସାରା ଯାହା ଖାଇବା କଥା ଖାଇ ତା ଭିତରେ ଚକଡା ଚକଡି କରି ପୁରା ନଷ୍ଟ କରି ଦେଇଛି । ଭାବିଲେ ବାବୁନା ଆସିଲେ ବଚରା ଷଣ୍ଢକୁ ବହେ ପିଟିବ । ତା ପୂର୍ବରୁ ଷଣ୍ଢକୁ ସେଠୁ ବାହାର କରିଦେବା ନିହାତି ଦରକାର । ଗେଟ୍ ଖୋଲି ଷଣ୍ଢକୁ ବାହାର କରି ପୁଣି ଗେଟ୍ ଦେଲେ ବାବୁନା ନିଶ୍ଚେ ଜାଣିଯିବ ଯେ କିଏ ଷଣ୍ଢକୁ ତା ଭିତରେ ଜାଣିଶୁଣି ତଳି ଖାଇବାକୁ ପୁରାଇଥିଲା ।

ଏମିତି ସବୁ ଚିନ୍ତା କରି ଭାଇ ଆମର ଗୋଟେ ମଜବୁତ ବାଡି ଧରି ସେ ତଳି କିଆରି ଭିତରକୁ ଯାଇ ପୁଣି ଗେଟ୍ ବନ୍ଦ କଲେ । ଷଣ୍ଢ ଦୂରରୁ ଥାଇ ଦେଖିଲା କିଏ ଗୋଟେ ବାଡି ଧରି ଆସିଲାଣି । ଯଦି ଭାଇଙ୍କୁ ଦେଖୁ ଦେଖୁ ଚିହ୍ନିଦେଇଥିବ ତାହେଲେ ଭାବିଥିବ ଏ ଲୋକଟା ବଡ ବିଚିତ୍ର । କାଲି ରାତିରେ କଦଳୀ ଖୁଆଇବାକୁ ଦେଇ ଏଠିକି ଆଣିଥିଲା । ଆଜି କଣ ବାଡି ଧରି ଆସିଲାଣି । ବିଚରା ଷଣ୍ଢ କେମିତି ଜାଣିବ ଯେ ତା ଭଲ ପାଇଁ ହିଁ ଭାଇ ଏବେ ବାଡି ଧରି ବିଲକୁ ପ୍ରବେଶ କରିଛନ୍ତି ।

ଭାଇଙ୍କ ଉଦ୍ଦେଶ୍ୟ ହେଉଛି ଷଣ୍ଢ ବାଡ ଭାଙ୍ଗି ସେ ତଳି କିଆରିରୁ ବାହାରି ଗଲେ ବାବୁନା ଆଉ ଜାଣି ପାରିବନି କି ଷଣ୍ଢକୁ କିଏ ଜାଣିଶୁଣି ତଳି ଖାଇବାକୁ ତା କିଆରି ଭିତରେ ପୁରାଇଥିଲା । ସେଇ ହିସାବରେ ଭାଇ ଏବେ ବାଡିକୁ ଉପରକୁ ଉଠାଇ ଷଣ୍ଢ ଆଡକୁ ଦୌଡିଲେ । ଷଣ୍ଢବି ସମାନ ଗତିରେ ବାଡ କଡେ କଡେ ଦୌଡୁଥାଏ । କିଛି ସମୟ ଦୌଡିବା ପରେ ଷଣ୍ଢ ବାଡ ଭାଙ୍ଗି ଦୌଡି ପଳାଇଲା । ଭାଇ ଟିକେ ଦମ୍ ନେଲେ ତାପରେ ଗେଟ୍ ଖୋଲି ବାହାରି ଆସି ପୁଣି ଗେଟ୍ ଦେଇସାରି ବାବୁନା ଆସିବାକୁ ଅପେକ୍ଷା କଲେ ।

ମୋ ଏ ଲେଖାର ପୂର୍ବ ଭାଗ ପଢି ମୋତେ ଜଣେ ପଚାରିଲା , " ଏ କଣ ସତ କଥା ? "

ମୁଁ କହିଲି , " ହଁ ସତ କଥା ।"

ସେଉଠୁ ସେ ଯାହା ପଚାରିଲା ମୁଁ ହସି ହସି ବେଦମ୍ ।

ସେ ପୁରା ସିରିୟସ୍ ହୋଇ ପଚାରିଲା, " ସେ ଷଣ୍ଢ ଅଉ ଜଇପୁର ଫେରିଥିବ ଟି ? "

ମୁଁ କହିଲି, " ଗୋଟେ ଲୋକର ସବୁ ତଳି ଖାଇଗଲା, ସେଥିପାଇଁ ମନ ଦୁଃଖ ହେଉନି କିନ୍ତୁ ସେ ଷଣ୍ଢ ଜଇପୁର ଫେରିବ କି ନାହିଁ ଭାବିକି ମନ ଦୁଖ ହେଉଛି । ଆରେ ଷଣ୍ଢର କଣ ଗୋଟେ ଘର ଥାଏ । ସେ ଯୁଆଡେ ଯିବ ତା ଘର ସିଆଡେ ।" ( କ୍ରମଶଃ ...)

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya story from Fantasy