Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କୁଣ୍ଡୀ
କୁଣ୍ଡୀ
★★★★★

© Amiya Bej

Inspirational

7 Minutes   6.9K    15


Content Ranking

 - ଭାଉଜ ! ଭାଉଜ ?

ଶାଢୀ କାନିଟାକୁ , ଛାତି ଉପରକୁ ଚଟ୍ କି ଟାଣିନେଲା 'ମୁଗ୍ଧା' । ସାପଙ୍କ ପରି ଦେହ ଦି'ଟାକୁ ଛନ୍ଦି ଦେଇଥିଲା 'ରୂପେଶ୍' ! ଗଣ୍ଠି ଫିଟାଇବାକୁ ନା ଜଣାଥିଲା କୌଶଳ , ନା 'ମୁଗ୍ଧା'ର ଆଗ୍ରହ । ଛୋଟ ପିଲାଙ୍କ ପରି କୁଁ କାଁ ହେଉଥିଲା ଖାଲି 'ରୂପେଶ୍' ! ବୋଧେ ଆଉରି ଟିକିଏ ଶୋଇବାକୁ ଚାହୁଁଥିଲା ସେ ।

ପ୍ରେମ ଯେବେ ବାତ୍ସଲ୍ୟତାର ରୂପ ନେଇଯାଏ , କାମିନୀ ନାରୀଟିଏ ବି ମମତାମୟୀ ହୋଇପଡେ !!

ନିଜ ଦେହ ଉପରୁ 'ରୂପେଶ୍'କୁ ଛଡାଇ , ତା' କପାଳରେ ଛୋଟ ଏକ ଚୁମା ଆଙ୍କିଦେଇ କହିଲା -

- ଶୋଇପଡ ଏବେ । ସକାଳ ହୋଇଆସିଲାଣି । ବାହାରେ ବୋଧେ 'ଲୀମା' ଦୁଆର ବାଡୋଉଛନ୍ତି।

ଥରୁଟିଏ ଅନିଚ୍ଛାର ମଳିନ ଆଖିରେ , 'ମୁଗ୍ଧା' ଆଡେ ମୁଗ୍ଧ ହୋଇ 'ରୂପେଶ୍' ଚାହିଁଲା , ଆଉ କଡ ଲେଉଟାଇ ତକିଆ ଦେହରେ ମୁହଁ ଗୁଞ୍ଜିଦେଲା ।

ପୁରୁଷର ଅଭିମାନରେ ଥାଏ ପ୍ରକୃତ ପ୍ରେମ !!!

- ଭାଉଜ , ଏ ଭାଉଜ ?

- ଉଁଉଁଉଁ ! ଆସିଲି ।

ବହୁକଷ୍ଟରେ ବଡ ଯା'ଙ୍କ ସହାୟତାରେ ଶାଢୀଟା ପିନ୍ଧିଥିଲା । ଏବେ ଏକୁଟିଆ ମନେପକାଇ ପିନ୍ଧିବାକୁ ବାଧ୍ୟ। ମାମା କୁହେ -

- ନିଜ ଅସହାୟତାରୁ ହିଁ ନାରୀଟିଏ ପ୍ରବୀଣା ହୁଏ ।

ଯେନତେନ ଶାଢୀ ଗୁଡାଇ , ଦୁଆର ଖୋଲିଲା 'ମୁଗ୍ଧା' ।

- ଚାଲ ଭାଉଜ , ଗାଧୋଇବାକୁ । ସଅଳ ଫେରିଆସିବାକୁ ମା' କହିଛି ।

- କୁଆଡ଼େ ?

- ବନ୍ଧକୁ ! ଆଉ କୁଆଡେ ?

- ବନ୍ଧ ??

- ଆରେ ପୋଖରୀ ମଁ ।

ପାଦତଳଟା ଥରିଗଲା 'ମୁଗ୍ଧା'ର । ପ୍ରେମବିବାହରେ , ପ୍ରେମତକ ଅନେକ କିଛି ବାସ୍ତବତାକୁ ଆଢୁଆଳେଈ ଦେଇଥାଏ । ତାରି ଭିତରୁ , ଏଇ 'ପୋଖରୀ' ବି ଗୋଟାଏ !! ଶାଶୁଘରର ପହିଲି ସକାଳ 'ମୁଗ୍ଧା'ପାଇଁ ଆଣିଦେଲା ପହିଲି ବିରୋଧ !! ମାମା କୁହେ -

- ପ୍ରତ୍ୟେକ ଝିଅ ପାଇଁ ଶାଶୁଘର ଏକ ଚ୍ୟାଲେଞ୍ଜ । ନିଜ ଶିକ୍ଷା, ସଂସ୍କାର, ଆଉ ବୁଦ୍ଧିକୁ ସୁପରିଚାଳନା କରିପାରିଲେ , ପରଝିଅଟେ ବି ସାରାଘରର ମଙ୍ଗୁଆଳ ସାଜିପାରେ ।

ଭାରି ଅଭିମାନ ହେଉଥିଲା 'ରୂପେଶ୍' ଉପରେ ତା'ର । ଏଇଘରେ ସେ ପ୍ରଥମ ନାରୀ ନୁହେଁ। ଶାଶୁ, ଯାଆ,ନଣନ୍ଦ ବି ଅଛନ୍ତି । ସମସ୍ତେ ବୋଧେ , ପୋଖରୀକୁ ନେଇ ସହଜ ସନ୍ତୁଷ୍ଟ ଥାଇପାରନ୍ତି । କିନ୍ତୁ ସେ କେମିତି ପାରିବ ? ନାରୀପାଇଁ , ଖାଇବା ପିନ୍ଧିବା ପୂର୍ବରୁ, ଏକ ଆବଦ୍ଧ ସ୍ନାନାଗାରର ପ୍ରୟୋଜନ କଣ ଏଡେ ତୁଚ୍ଛ ????

- ଏ ଭାଉଜ ? କ'ଣ ଭାବରେ ପଡିଗଲ ? ଚାଲ ଶିଘ୍ର । ମା' ରାଗିବ ।

- ହୁଁଉଁଉଁଉଁ ! ଚାଲ ।

★★★

ସିନ୍ଦୁରା ଫିଟିବା ପୂର୍ବରୁ, ଗାଧୁଆ ତୁଠରେ ଗହଳି କରନ୍ତି ଗ୍ରାମ୍ୟବଧୂ । ପୂର୍ବ ଦିନ ଯାକର ଶ୍ରମକ୍ଳାନ୍ତି , ଅବଶୋଷ ଅପମାନ ଆଦିକୁ ରଗଡିରାଗଡି ଦେହରୁ ଧୋଇପକାନ୍ତି , ପୋଖରୀର ସ୍ଥିର ଜଳରାଶିରେ । ସିମୀତ ଜଳସବୁ ମଣିଷର ଦୁଃଖ ଦୈନ୍ୟ ଆଦିକୁ ନିଜସହ ଫେଣ୍ଟି , ବହଳ କରିଦିଏ । ଗାଁ ପୋଖରୀ ବାସ୍ତବରେ କେବଳ ଦେହ ଶୌଚ ନୁହେଁ , ମନ ଶୌଚ ବି ପରୋକ୍ଷରେ କରାଉଥାଏ । ସେଇଠୁଁ ଆରମ୍ଭ ହୁଏ ଦୁଃଖିନୀର ଶୁଭ ସକାଳ ।

ବର୍ଷବର୍ଷ ଧରି , ପଡିରହିଥିବା ତୁଠପଥରର ମସୃଣତା ହିଁ ପ୍ରମାଣ ଦିଏ , ଗାଁଉଲି ନାରୀଙ୍କ କ୍ଷୋଭ ସବୁଙ୍କୁ ।

★★★

ଫ୍ରକ୍ ଟାକୁ ଖୁବ୍ ବାଗେଇ , ଛାତି ଉପରେ ଗଣ୍ଠି ପକାଇଦେଇ ପାଣି ଭିତରକୁ ଭୁସକି ପଶିଗଲା 'ଲୀମା' ! 'ମୁଗ୍ଧା' ଏଥର ଜାଣିନେଲା ଯେ' 'ଲୀମା' ଯଥେଷ୍ଟ ବଡ ହେଇସାରିଲାଣି ।

- ଭାଉଜ , ପାଣିକୁ ଆସ !

ନିଜ ଗାଁ ମଶାଣୀ ଆଉ ପର ଗାଁ ପାଣିର ଗଭୀରତାକୁ ମଣିଷର ପ୍ରବଳ ଭୟ । ଜୀବନର ପହିଲି ଗାଧୁଆ ତୁଠରେ ବସି , 'ମୁଗ୍ଧା' ନାରୀର ଭାଗ୍ୟକୁ ଅନୁଶୀଳନ କରିବାକୁ ଲାଗିପଡିଲା । ଦୁଇ କୂଳକୁ ହିତ ହୋଇ , ଦୁହିତାଟେ ଜୀବନସାରା ପାଏ ବି କ'ଣ ? ନାରୀର ନିମ୍ନତମ ଆବଶ୍ୟକତା କୁ ବି ପୁରୁଷ ତୁଚ୍ଛ ଭାବିନିଏ !!

ଏବେ ଅଭିମାନ ନୁହେଁ , ଅଭିଯୋଗ କରିବାର ବେଳ । ନଚେତ୍ ବିଦ୍ରୋହ । ନରମ ମାଂସପେଶୀ ଭିତରେ ବି ଟାଣପଣ ଭରିଥାଏ । ଏକବିଂଶ ଶତାବ୍ଦୀରେ ତାକୁ ଆବିଷ୍କାର କରିନେଲେ ହିତ ।

କଥାକଥାକେ 'ରୂପେଶ୍' କୁହେ -

- ଯେ' ଗାଁ ରେ ବଢିନି , ସେ' ଜୀବନ ଜୀଇଁନି ।

ଗାଁ ପରିବେଶ ପ୍ରାଚୀନ ପବିତ୍ର ହୋଇପାରେ , କିନ୍ତୁ ବର୍ଷ ବର୍ଷ ଧରି ସ୍ଥିର ଜଳାଶୟଟିଏ , ଶହଶହ ପଶୁ , ମଣିଷ ମାନଙ୍କ କ୍ରମାଗତ ବର୍ଜ୍ୟବସ୍ତୁ ଧରି ଶୁଦ୍ଧ କେମିତି ହୋଇପାରେ ?? ରସାୟନ ବିଜ୍ଞାନର ମେଡାଲିଷ୍ଟ୍ 'ମୁଗ୍ଧା'କୁ ଏଇ ଫର୍ମୁଲା ବୁଝା ପଡୁନଥିଲା ।

ପାଣି ଚପଚପ୍ କରୁଥିଲା , ତା'ରି ଆଡକୁ ଚାହିଁ ଚପଳ କିଶୋରୀ 'ଲୀମା' ! ଅନ୍ୟମନସ୍କତାରେ ଛାତିରୁ ଫ୍ରକ୍ ଟି ଖସିସାରିଥିଲା , ସେଆଡକୁ ନିଘା ନଥିଲା ତା'ର ! କଅଁଳି ଆସୁଥିବା କଅଁଳ ଦେହକୁ ଦେଖି ସରମରେ ଆଖିପତା ନଇଁଗଲା ' ମୁଗ୍ଧା'ର । ସେ' 'ଲୀମା'କୁ ସତର୍କ କରାଇଦେବା ପୂର୍ବରୁ, ସେକଡରେ ପାଦ ଘଷୁଥିବା ବୟସ୍କା ସ୍ତ୍ରୀ ଲୋକଟେ ବଡପାଟିରେ ଚିଲ୍ଲେଇ କହିଲା -

- କେଉଁ ଘଈତାକୁ ଯଉବନ କାଢି ଦେଖେଇ ହେଉଚୁଲୋ 'ଲୀମା' ଅଲକ୍ଷଣି ?

ସରମି ଯାଇ , 'ଲୀମା' ନିଜକୁ ସଜାଡି ନେଇ , ଉତ୍ତର ଫେରାଇଲା -

- ଆପଣାକୁ ଦେଏଖେ ଲୋ' ବଡବୋହୁ , ତୋ'ପଛପଟକୁ ସାରା ଗାଁ ଚାହିଁଛି !!

- କେଡେ ମୁଖରୀଟେ ହେଲୁଣିଲୋ ?

ଠୋଠୋ ଅଶ୍ଳୀଳ ହସରେ , ଫାଟିପଡିଲା ତୁଠଯାକ ।

ପାଖ ପୁରୁଷ ଘାଟରେ ବି ଲୋକେ ଗଡିଲେଣି । ବେକ ନଵଙ୍କାଇବି , କୋଣ ଆଖିରୁ ବେଶ୍ ପଢିନିଏ ପୁରୁଷ । ନାରୀ ଦେହ ଭୂଗୋଳରୁ କାଣିଚାଏ ସୁଦ୍ଧା ତା' ଆତ୍ମସନ୍ତୋଷକୁ ଯଥେଷ୍ଟ !!

- ଭାଉଜ ଆସୁନ ? କ'ଣ ଭେଲେକା ହେଇ ଚାହିଁଛ ?

- ନାଆଁଆଁଆଁ ! ମୁଁ ଏଠେ ଗାଧୋଇବିନି !!!!

ଏତକରେ , ଖାଲି 'ଲୀମା' ନୁହେଁ , ତୁଠଯାକ ମାଇପେ , କାନଡେରି ଦେଖୁଥିବା ଅଣ୍ଡିରା ପଞ୍ଝାକ , ଢେଉଢେଉକା ଜଳରାଶି , ଥରଥର କଇଁଫୁଲ ମାନେ ଏକବେଗ୍ ତୁନି ପଡିଗଲେ ! ମୁକ୍ତ ଆକାଶ ତଳେ ଗାଧୋଇବାକୁ ମନାକରିଦେଇ , 'ମୁଗ୍ଧା' ଯେପରି ଏ ଗାଁର ନିର୍ମଳତାକୁ , ବର୍ଷବର୍ଷର ପରମ୍ପରାକୁ , ଶକ୍ତ ଜାବୁଡାଟେ ମାରିପକାଇଲା !!! କାନ୍ଦକାନ୍ଦ ହୋଇଗଲା କିଶୋରୀ 'ଲୀମା' ! ପ୍ରେମକରି ଚାଲିଆସିଥିବା ନୂଆ ଭାଉଜଟା , ସର୍ବସମ୍ମୁଖରେ ତାଙ୍କ ଘରର ସମ୍ମାନ ତକ , ନିଜ ଅହଂକାର ଯୋଗୁଁ , ମାଟିରେ ମିଶେଇଦେଲା । ଛିଃ !!!

ଚୁପଚାପ୍ ଓଦା ସରସର ହୋଇ , ପାଣିଭିତରୁ ଉଠି ଆସି 'ଲୀମା' କହିଲା -

- ଘରକୁ ଚାଲ !

ଆଗରେ 'ଲୀମା' ପ୍ରାୟ ଧାଉଁଥିଲା । ତା'ଳଦେଇ 'ମୁଗ୍ଧା' ଲମ୍ବା ପାହୁଣ୍ଡ ପକାଇ ଘରମୁହାଁ ହେଲା ।

★★★

- ଏକେତ ମନରାଜି ହେଇ ଅଜାତିକୁ ଘରେପୁରାଇ ମହତ ସାରିଲ । ଏଥର ତା' ନାଟନୌଟଙ୍କିକୁ ସମ୍ଭାଳ ।ଘରେ ପଶୁଣୁ ମୁଣ୍ଡ ବଜାଇଲାଣି ଚାଳରେ । ପଠାଅ ଦୁହିଁଙ୍କୁ ଶିଘ୍ର ସେମାନଙ୍କ କାମଜାଗାକୁ ।

- ରୁହଟିକେ । ଦିନକେଇଟାକୁ ସମ୍ଭାଳ । ଛୁଟି ସରିଗଲେ ଚାଲିଯିବେ ଆପଣାଏ ।

ନିଆଁ ପାଲଟିଯାଇଥିବା ଶାଶୁଙ୍କୁ , ଶଶ୍ୱର ବୁଝାଉଥିଲେ ।

'ମୁଗ୍ଧା' କାନ୍ଧରେ ହାତଥାପି 'ରୂପେଶ୍' କହିଲା -

- ସାତ ଆଠ ଦିନର କଥା ମାତ୍ର । ଗାଁ ଗହଳିରେ ଏସବୁର ଦର୍କାର ପଡେନି । ଏଠି ସମସ୍ତେ ପିଲାଦିନୁ ସହଜ, ଅଭ୍ୟସ୍ତ । ବରଂ ବାଥରୁମ୍ ଟେ ଥାଇବି , ଅନେକଙ୍କ ନଦୀ ପୋଖରୀକୁ ବେଶି ପସନ୍ଦ । ସେଥିପାଇଁ ଆମ ଏଠି , ତିଆରିକରିବାର ଇନିସିଏଟିଭ୍ କେବେ ନିଆଯାଇନି । ନଚେତ୍ ଆମପାଇଁ ବାଥରୁମ୍ ଟେ' କେଉ ବଡକଥା ଯେ' ? ମ୍ୟାନେଜ୍ କରିନିଅ 'ମୁଗ୍ଧା' ! ୟେ' ବି ଏକ ନୂଆ ଏକ୍ସପିରିଏନ୍ସ୍ ହେବ ।

- ମ୍ୟାନେଜ୍ ??? ଅପରିଷ୍କାର ପାଣି , ଶହଶହ ଅଶ୍ଳୀଳ ଦୃଷ୍ଟି , ନାନା କଟୁ ମନ୍ତବ୍ୟ ଭିତରେ କେମିତିକା ସହଜ ହୁଏ ଗାଁଉଲୀ ନାରୀ ?? ଫିଟିପାରୁନଥିବା ସ୍ୱରକୁ ଆଦର୍ଶ ସଂସ୍କାରର ନାଁ ଦେଇ କେତେଦିନ ଯାଏଁ ଉପଭୋଗ କରୁଥିବ ସମାଜ ? ମୁଁ କରିପାରିବିନି ମ୍ୟାନେଜ୍ ।

- ଓଃ! ଏତେକଣ ଜିଦ୍ ଯେ' ? ଗାଁଗହଳିରେ ମଣିଷ ଏକ ସରଳ ସୁନ୍ଦର ପରିବେଶରେ ବଢନ୍ତି । ସେମାନଙ୍କ ହୀନଦୃଷ୍ଟି ଖୁବ୍ କମ୍ । ତୁମପାଇଁ ନୂଆବୋଲି ଅଡୁଆ ଲାଗୁଛି। ଅଳ୍ପ କେଇଦିନ ତ । ତୁଚ୍ଛା ଝାମେଲା କାହିଁକି ? ଅଯଥା କଥାଟାରେ ପହିଲି ଇମ୍ପ୍ରେସନ୍ କୁ ନଷ୍ଟ କରିଦେଲ । କାହାକୁ ନଜଣାଇ ଆମର ଲଭମ୍ୟାରେଜ୍ । ତାଉପରେ ପୁଣି ତୁମର ଏତେଯାକ ଅସହନୀୟତା ! ସିଟ୍ !

- ପ୍ରେମବିବାହ ଏବେ ତାହେଲେ ତୁମପାଇଁ ଗୋଟେ ଭୁଲ୍ ହୋଇଗଲା 'ରୂପେଶ୍' ??

- କେଉକଥାକୁ କେଉଆଡେ ଆଣି ଯୋଡୁଛ 'ମୁଗ୍ଧା' ? ଚୁପ୍ ରୁହ । ଏଇଟା ଏକ ପରିବାର । ଅଯଥା ସଂଦେହ ରେ ଅଛ ତୁମେ । ଗାଁ ଲୋକମାନେ ମନରେ ଢେର୍ ଧନୀ ଥା'ନ୍ତି । ସେମାନଙ୍କର ଏତେ ଛୋଟପଣ ନଥାଏ । ତୁମ ସୁଇମିଂପୁଲ୍ ସହର ସବୁରେ ଏସବୁ ହୀନମନ୍ୟତା ଚାଲେ ! ସେଇ ଆଖିରେ ଏସବୁକୁ ଦେଖିବା ବନ୍ଦକର 'ମୁଗ୍ଧା' !

★★★

ଉଚିତ୍ ବିରୋଧ ସବୁବେଳେ ସମାଧାନ ଆଣିଦିଏ । 'ମୁଗ୍ଧା' ଅଗାଧୁଆ ରହିଯିବାଟା ଏକ ଅଭାବନୀୟ ଅବସ୍ଥାରେ ସାରା ପରିବାରକୁ ପକାଇ ଦେଲାରୁ ନିଜେ ବଡ ଦେଢଶୁର ଆସି ମୁହଁ ଖୋଲିଲେ । 'ରୁପେଶ୍' ଉଦ୍ଦେଶ୍ୟ ରେ କହୁଥିଲେ -

- କେହି ବ୍ୟସ୍ତ ହୁଅନି। ସେ ସହରୀ ଝିଅ । ଗାଁଗଣ୍ଡାର ସରଳପଣକୁ ନା ବୁଝିପାରିବେ , ନା ବୁଝାଇ କିଛି ଲାଭ ଅଛି ତାଙ୍କୁ । ସଭ୍ୟତା ବଢିଗଲେ ମଣିଷ ସଭ୍ୟ ହୋଇଯାଏନି । ସେଥିପାଇଁ ତ ସବୁଯାକ ଅପ୍ରାଧ ସେଠି । ଗାଁ ରେ କାହିଁ ? ମୁଁ ଲୋକ ଡାକି ଦେଇଛି । ବାଡିପଟେ ଘେରାଟିଏ କରିଦେଇ , ଟିଣ ତାଟିଟାଏ ଖଞ୍ଜିଦେବେ । ଏବେ କାମ ଚଳାଅ । ଆରଥରକୁ ଆସିଲେ , ଭଲ ଗାଧୁଆ ଘରଟେ ତୁମପାଇଁ ଛିଡା ହୋଇଥିବ । ଆମର ଦର୍କାର ନଥିଲା ବୋଲି କରି ନଥିଲୁ । କିନ୍ତୁ ମନଯାକ ଅଳିଆ ଭରିଥିବା ସହରୀ ମଣିଷେ ବୁଝିବେବା କିପରି ? ଆମ ସ୍ତ୍ରୀ ,ଝିଅ ମାନେ କେବେତ ପାଟି ଖୋଲିନାହାନ୍ତି ଏଯାଏଁ ? ଦୁନିଆଁକୁ ଆଗ ବିଶ୍ୱାସ କରିବା ଶିଖ ।

ଭିତରୁ ଥାଇ , ଅଧୈର୍ଯ୍ୟ ହୋଇ ମୁହଁ ଖୋଲିଲା 'ମୁଗ୍ଧା'

- ମୁଁ କାହାକୁ ଅବିଶ୍ୱାସ କରୁନି । ମୁଁ ତ ଅଳ୍ପ ରହିବି ଏଠି । ଅନ୍ତତଃ ବଢୁଥିବା ଏ ଘରର ଝିଅ 'ଲୀମା' ପାଇଁ କେହି ଭାବନ୍ତୁ । କେତେଦିନଯାଏଁ ସେ ପର ଚକ୍ଷୁଶୀଳ ହେଉଥିବ ?? ଅଭ୍ୟାସ ରେ ପଡିଯାଇଛନ୍ତି ବୋଲି କଣ ଏବେଠାରୁ ନିଜକୁ ସୁଧାରି ହେବନି ?

★★★

ଝଡ ପ୍ରଶମିତ ହୋଇସାରିଥିଲା। ପରବର୍ତ୍ତୀ ନୀରବତାରେ ସମସ୍ତେ ଶାନ୍ତ ପଡିଯାଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ତିଆରି ହୋଇଥିବା ଅସ୍ଥାୟୀ ଗାଧୁଆଘରଟି ଭିତରେ ମନଭରି କାନ୍ଦିବାକୁ ଇଛା ହେଉଥିଲା 'ମୁଗ୍ଧା'ର । ସ୍ୱାଭିମାନ ପାଇଁ ନାରୀଟିଏ ଏଯାଏଁ ଲଢେଇ ଲଢିବାକୁ ବାଧ୍ୟ ହୋଇଯାଏ କାହିଁ ??

ଟିଣ କବାଟରେ 'କୁଣ୍ଡି' ଟିଏ ତଥାପି ଲାଗିନପାରିଥିବାରୁ , ଅଧାମେଲା ଘେରା ଭିତରେ ସିଙ୍କୁଡି ହୋଇ ଯେନତେନ ଗାଧୋଇ ଫେରିଲା 'ମୁଗ୍ଧା' ଦିନ ଦ୍ୱିପ୍ରହରରେ ।

ଏବେସୁଦ୍ଧା କେହି ତା ପ୍ରତି ସହଜ ହୋଇପାରୁନଥିଲେ । କଷ୍ଟ ବେଶି ହେଉଥିଲା ଯେବେ 'ରୂପେଶ୍' ମୁହଁ ଫେରାଇ ଆଭଏଡ୍ କରୁଥିଲା ତାକୁ !!

ମାମା କୁହେ " ପ୍ରତ୍ୟେକ କଥା ଦିନେ ପାଶୋରୀ ହୋଇଯାଏ ମନରୁ । ମନର ଗଢଣଟା ସେଇମିତି ।"

ସମୟର ଅପେକ୍ଷା କଲା 'ମୁଗ୍ଧା' ଏବେ । ତଥାପି ବିଜୟୀ ହେବାର ଖୁସିଟିଏ ତା'ମନରେ ଶାନ୍ତି ଆଣିଦେଲା !!

★★★

ପରଦିନ କୁଣ୍ଡୀ ବିହୀନ ଟିଣ ତାଟିଟାକୁ ଜୋର୍ ଜବରକରି ଆଉଜାଇଦେଇ , ଦେହରୁ ବାସ ଶାଢୀ , ବ୍ଲାଉସକୁ ଓହ୍ଲାଇ ଦେଲାପରେ , ନିଜ ସ୍ତ୍ରୀପଣକୁ ନିଜ ସାମ୍ନାରେ ଦେଖିପାରି ବିଭୋର ହୋଇଗଲା 'ମୁଗ୍ଧା' ! ଆଃ! ଦୁଷ୍ଟ 'ରୁପେଶ୍' ! ଏ ସରଂକ୍ଷିତ ଦେହଟା ଉପରେ କେତେ ଯେ ଦାଉ ସାଧିଲେ ମନଭରିବ ଆଉ ? ସଂସାର କଷ୍ଟ ତା'ବାଟରେ , ପ୍ରେମ ବୋହିଯାଏ ନିଜ ରାସ୍ତାରେ । ଛୋଟମୋଟ ବାଧାର ଅବା କେତେଯେ' ବଳ ? ଦେହସାରା 'ରୁପେଶ୍' ପ୍ରେମର ଅସ୍ଥିତ୍ୱ ଦଖି ସରମିଯାଉଥିଲା ରୂପସୀ 'ମୁଗ୍ଧା' !!

ଖୁସି ସବୁ କେଉଁ ଚିରସ୍ଥାୟୀ ଯେ' ?????

ଆଖି ହଳକ ଉପରେ 'ମୁଗ୍ଧା'ର ଆଖି ପଡିଗଲା ପରେ , ପବନ ଯେମିତି ଅଟକିଗଲା ତା' ଫୁଙ୍ଗୁଳା ଛାତିଟାରେ !!! ଜାଣିପାରି ଅପସରି ଗଲା ଲୁଚି ଦେଖୁଥିବା ଆଖିହଳକ ତତକ୍ଷଣାତ୍ !!!

କେତେବେଳୁ ଏସବୁ ଚାଲିଛି ? କୁଣ୍ଡୀଟିଏ ଏଯାଏଁ ଲାଗିପାରିନି ନା ଲଗାଯାଇନାହିଁ ? ତା' ଦେହ ରହସ୍ୟ ନିଜ ପ୍ରିୟତମ ଛଡା କିଏ ଏବେ ପଢିନେଇଛି ???

ନିଜ ଘରଟାରେ ବି ଭରସା ହାରିନିଏ ନାରୀ !!! କାହାକାହା ଦ୍ୱାରା , କେଉଁ କିଭଳି ଉପାୟ କୌଶଳ ମାନଙ୍କରେ , ଯୁଗଯୁଗ ଧରି ମାନ ହାରୁଥିବ ନାରୀ ???? ଧୈର୍ଯ୍ୟବନ୍ଧ ଉଛୁଳିପଡିଲା ଏଥର । ସମାଜ ଯୁଦ୍ଧରେ ବିଜୟୀ ହେଲେବି , ଚତୁର ସମାଜ ଛିଦ୍ର ଟିଏ ଲୁଚାଇ ରଖିନିଏ । ମଣିଷ ସେଇ ସମୟରେ ବାଧ୍ୟ ହୋଇ ପଳାୟନପନ୍ଥୀ ସାଜେ । କରନ୍ତା ବି କ'ଣ ଆଉ ? ନିଜ ପାଇଁ ବଞ୍ଚିବାକୁ ହେବତ ????

- ଶୁଣ ?

- ଏବେପୁଣି କ'ଣ ?

- ପ୍ରେମ ଏକ ଭାବପ୍ରବଣତା କେବଳ । ନିଷ୍ପତ୍ତି ନୁହେଁ !!!

- ହ୍ୱଆର୍ଟ ?

- ବୁଝିବା ଜାଣିବାର ଦର୍କାର ନାହିଁ । ଯଦି ଟିକେଟ୍ କନଫର୍ମ ହେଉନି , ତେବେ ଯିବାପାଇଁ , ତୁରନ୍ତ ତତ୍କାଳୀୟ ବ୍ୟବସ୍ଥାଟେ କର !!!!!!

■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■

ବି.ଦ୍ର :-

( ହିନ୍ଦୀ ଫିଲ୍ମ "ଟଏଲେଟ୍" ର ଦର୍ଶକଙ୍କୁ, ଏ ଗପଟି ଆରମ୍ଭରୁ ଆଂଶିକ ଏକାପରି ଲାଗିପାରେ । )

ଭାଉଜ ପୋଖରୀ ଗାଧୋଇବା

Rate the content


Originality
Flow
Language
Cover design

Comments

Post

Some text some message..