Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କନ୍ୟାଦାନ
କନ୍ୟାଦାନ
★★★★★

© ABHIMANYU PANDA

Inspirational Tragedy

7 Minutes   450    18


Content Ranking

ସେଦିନ ଥାଏ ରବିବାର ମୁମ୍ବାଇ ସହର ଉପକଣ୍ଠରେ ବ୍ୟସ୍ତବହୁଳ ମହାତ୍ମାଗାନ୍ଧୀ ମାର୍ଗରେ ଶିଶୁ ଶ୍ରମିକ ଉଚ୍ଛେଦ ଲାଗି ଚାଲିଥାଏ କ୍ୟାଣ୍ଡଲ ମାର୍ଚ୍ଚ । ସବୁଦିନ ପରି ମୁଁ ଓ ମୋର କିଛି ବନ୍ଧୁ ରାସ୍ତା କଡ଼ରେ ଥିବା ଆଖୁରସ ଦୋକାନରେ ବସିଥାଉ । ବାଳ ଶ୍ରମିକ ବିରୋଧରେ ଦିଆଯାଉଥିବା ସ୍ଲୋଗାନରେ ଆଖ ପାଖ ଅଞ୍ଚଳ କମ୍ପିଯାଉଥାଏ । ଇଛା ନଥିଲେ ବି ଆମେ ସମସ୍ତେ ସେ ସ୍ଲୋଗାନ ସବୁ ସୁଣୁଥାଉ । ଏହି ସମୟରେ ସାତ/ଆଠ ବର୍ଷର ଛୋଟ ଝିଅଟି , ଯାହାର ପିନ୍ଧା ବସନ ପୁରା ମଇଳା , ଦେହରେ ବି ମଇଳାର ଗୋଟେ ପରତ ମୁଣ୍ଡରେ ବାଳ ଏମିତି ଦେଖାଯାଉଥାଏ ଯେମିତି ସେମାନେ ଗୋଟେ ଘରେ ଥାଇ ମଧ୍ୟ କେହି କାହାକୁ ନ ଚିହ୍ନିଲା ପରି । ଅପରିଷ୍କାର ଯୋଗୁଁ କଇଁଫୁଲ ପରି କୋମଳ ମୁହଁଟି କୋଇଲା ଖଣ୍ଡ ପରି ଦିଶୁଥାଏ । ହଠାତ ଝିଅଟି ମତେ କହିଲା ଭାଉ ମୁଁ ଆଖୁରସ ପିଇବି ଝିଅଟିର କଥାରେ ମୁଁ ତା ବେଷ ଭୁସାରୁ ଦୃଷ୍ଟି ଫେରେଇ ତା ମୁହଁକୁ ଭଲ ଭାବରେ ଚାହିଁଲି । ଈଶାରାରେ ଆଖୁରସ ଦୋକାନୀକୁ ତାକୁ ଆଖୁରସ ଦବାକୁ କହିଲି । ସେ ଝିଅଟିକୁ ମୁଁ ଜାଣିଛି ରାସ୍ତାରେ ଭିକ ମାଗୁଥିବା ପିଲା ନୁହଁ ସେ ତା'ର ରହିବା ଜାଗାଟିକୁ ବି ମୁଁ ସବୁଦିନେ ଦେଖେ । ଝିଅଟିର ବାପା ମା କୌଣସି ରୋଗରେ ପୀଡ଼ିତ ହୋଇ ଆରପାରିରେ । ମୁମ୍ବାଇ ପରି ସହରରେ ମୁଣ୍ଡ ଗୁଞ୍ଜିବା ଲାଗି ଝିଅଟିର ଘରଟିଏ ଅଛି । କିଛି ସ୍ୱୟଂସେବୀ ସଂସ୍ଥା ସାହାଯ୍ୟରେ କୁନି ଝିଅଟିର ଜୀବନ ଆଗକୁ ବଢିଚାଲିଥାଏ । ପୂର୍ବରୁ ପ୍ରାୟ ସବୁଦିନ ମୁଁ ତାକୁ ଦେଖୁଥିଲେ ମଧ୍ୟ ତା'ର ଭଲ ମନ୍ଦ ବିଷୟରେ କିଛି ଭାବିନଥିଲି ମୁଁ । କଣ ଖାଉଛି ? କେମିତି ରହୁଛି ଇତ୍ୟାଦି ? ଆମ ସାହିରେ ମତେ ଛାଡ଼ିଲେ ପ୍ରାୟ ସମସ୍ତେ ଝିଅଟିକୁ କିଛିନା କିଛି ଦବାର ମୁଁ ବହୁଥର ଦେଖିଛି  କିଏ ଖାଇବା ଦିଏ ତ କିଏ ନିଜ ପିଲାର ପୁରୁଣା ପୋଷାକ ଆଉ କେହି ନୂଆ ଡ୍ରେସ ବି ଦେଇ ଦିଅନ୍ତି ।ପିଲାଟି ନିଜେ ନିଜ ଯତ୍ନ ନେବାକୁ ଅକ୍ଷମ ଥିବାରୁ ସେ ସବୁକୁ ସ୍ଵଛ ରଖିପାରେ ନାହିଁ ।

ଝିଅଟି ମୋ ପାଖରେ ବସି ଗୋଟେ ପରେ ଗୋଟେ ଚାରି ଗ୍ଲାସ ଆଖୁରସ ପିଇଲା । ମୁଁ ଆଶ୍ଚର୍ଯ୍ୟ ମିଶା ଖୁସିରେ ପଚାରିଲି ଆଉ ପିଇବୁ ? ଝିଅଟି ମନାକରି କହିଲା ଭାଉ ଆଉ କାଲି ପିଇବି । ଭାଉ ଆଜି ଏ ରାସ୍ତାରେ ଏତେ ଲୋକ କଣ ପାଇଁ ? କଣ କହୁଛନ୍ତି ଏମାନେ ? ଏମାନେ ଏତେ ବଡ଼ପାଟି କଣ ପାଇଁ କରୁଛନ୍ତି ? କୁନି ଝିଅଟିର ପ୍ରଶ୍ନରେ ମୁଁ ନିଜକୁ ଗୋଟେ ଅପରାଧୀ ମନେ କରୁଥାଏ  ନିଜ ଭିତରେ ମୁଁ ବ୍ୟସ୍ତ ବିବ୍ରତ ହେଇଯାଉଥିଲେ ବି ନିରୁତ୍ତର ରହିଲି । କଣ କହିବି ଏ କୁନି ପିଲାଟିକୁ ନିଜ ଦେଶର ଏ ଭଳି ପ୍ରହସନ ବିଷୟରେ । ବାରମ୍ବାର ମୁଁ ରାସ୍ତାକୁ ଚାହୁଁଥାଏ ଆଉ ସେ କୁନି ଝିଅର ମୁହଁକୁ ମିଛମିଛିକା ହସ ମୋ ମୁହଁରେ ଦେଖେଇ କହିଲି ଏମାନେ କହୁଛନ୍ତି କି ତୁ ପାଠ ପଢ଼ିବୁ । ହେଲେ ଭାଉ ମୋ ମଇଳା କପଡ଼ା ଆଉ ବେଶଭୁଷା ଦେଖି ବିଦ୍ୟାଳୟରେ କେହି ମୋ ସାଙ୍ଗ ହୁଅନ୍ତିନି ,ଆହୁରି ମତେ ମାରନ୍ତି । ବିଦ୍ୟାଳୟର ଶିକ୍ଷକ ମାନେ ମଧ୍ୟ ସେମାନଙ୍କ ସପକ୍ଷ ନେଇ ମତେ ଗାଳି କରନ୍ତି । ଝିଅଟିର କଥା ଶୁଣି ମୁଁ ସେ ଜାଗାରୁ ଉଠି ଚାଲିଗଲି କିଛି ସମୟ ଲାଗି , ମୁଁ ଚାହୁଁନଥିଲି ଝିଅଟି ମୋ ଆଖିରେ ଲୁହ ଦେଖି ଆଉ କିଛି ପ୍ରଶ୍ନ କରୁବୋଲି ।

୨/୩ ମିନିଟ ପରେ ମୁଁ ନିଜକୁ ସମ୍ଭାଳି ପୁଣି ସେଇ ଝିଅପାଖକୁ ଆସି କହିଲି ତୋ କପଡ଼ା ସଫା ହେଇଗଲେ ତୁ ବିଦ୍ୟାଳୟ ଯିବୁ ? ହଁ ଭାଉ ସବୁଦିନ ଯିବି । ଝିଅଟିର ଆଗ୍ରହ ଦେଖି ମୁଁ ଓ ମୋର ଜଣେ ବନ୍ଧୁ ମିଶି ତା'ର ସ୍କୁଲ ଯିବାର ସବୁ ବ୍ୟବସ୍ଥା କରିଦେଲୁ । ଏଥର ଝିଅଟି ସବୁଦିନ ବିଦ୍ୟାଳୟ ଯାଉଥାଏ ଆଉ ସନ୍ଧ୍ୟା ହେଲେ ମୋ ଘରେ ଏମିତି ମାସେ ଦୁଇମାସେ ବିତିଗଲା । ସାହିର ସବୁଲୋକ ମତେ ସେ ଝିଅର ବାପା କହିବା ଆରମ୍ଭ କରିଦେଲେ । ମୋ ମନ କିନ୍ତୁ ଅଶାନ୍ତ ସବୁବେଳେ । ଯିଏ ଆଜି ଯାଏ ନିଜକୁ ସମ୍ଭାଳିବା ଜାଣିନି (ମୁଁ ନିଜେ ) ସିଏ ଏ କୁନି ଝିଅଟିର କେମିତି ଯତ୍ନ ନବ ? ଏ ଝିଅର ଭବିଷ୍ୟତ କଣ ? ମୁଁ କଣ କରିପାରିବି ଏ ଝିଅଟି ଲାଗି ? ଏମିତି ଚିନ୍ତାସବୁ ମତେ ଖାଇଯାଉଥାଏ ଭିତରେ ଭିତରେ ।

ଦିନେ ମୋର ଜଣେ ସହକର୍ମୀ ଏକ ଘରୋଇ ବିଦ୍ୟାଳୟ ବିଷୟରେ କହିଲେ ଯେଉଁଠି ରୂପାଲି (ଝିଅଟିର ନାଁ) ପରି ପିଲାମାନଙ୍କ ଲାଗି ଆଧୁନିକ ଶିକ୍ଷାର ବ୍ୟବସ୍ଥା ଅଛି ସମ୍ପୁର୍ଣ୍ଣ ମାଗଣାରେ । ଆଉ ପିଲାମାନଙ୍କର ରହିବା ଖାଇବାର ସୁବନ୍ଦୋବସ୍ତ ମଧ୍ୟ ଅଛି ।

ବହୁଥର ସେ ବିଦ୍ୟାଳୟ ବୁଲି ଦେଖିବାପରେ ,ସେ ବିଦ୍ୟାଳୟ ବିଷୟରେ ଅଧିକ ଜାଣି ଆଶ୍ୱସ୍ତ ହେଲା ପରେ ଦିନେ ଯାଇ ପହଞ୍ଚିଲି ସେଇ ବିଦ୍ୟାଳୟରେ । ବିଦ୍ୟାଳୟର କୂଳପତିଙ୍କୁ ଭେଟି ମୁଁ ରୂପାଲି ବିଷୟରେ ସବୁ କହିଲି । କୁଳପତି ମହୋଦୟ ମୋର ପୂର୍ବ ପରିଚିତ ଥିଲେ ହେଲେ ତାଙ୍କର କାର୍ଯ୍ୟ ବିଷୟରେ ମୁଁ ଅଜ୍ଞ ଥିଲି । କୁଳପତି ମହୋଦୟ ମୋ ପାଖରୁ ରୂପାଲି କଥା ଶୁଣି ତାକୁ ବିଦ୍ୟାଳୟରେ ଦାଖିଲା କରେଇବାକୁ ରାଜି ହେଇଗଲେ । କୂଳପତିଙ୍କୁ ଧନ୍ୟବାଦ ଜଣାଇ ମୁଁ ଘରକୁ ଆସିଲି ,ମନଟା ଭାରି ହାଲକା ଲାଗୁଥାଏ ସେଦିନ ସନ୍ଧ୍ୟାରେ ଘରେ ମୁଁ ରୂପାଲିକୁ ସବୁ ବୁଝେଇ ସୁଝେଇ କହିଲି । ତା'ର ଉଜ୍ଜଳ ଭବିଷ୍ୟତ ବିଷୟରେ ଅନେକ ସ୍ବପ୍ନ ଦେଖେଇଲି ତାକୁ । ରୂପାଲି ମୋ କଥାର କିଛିବି ଜବାବ ନଦେଇ ଏକ ଧ୍ୟାନରେ ମୋ କଥା ସବୁ ଶୁଣୁଥାଏ ଆଜ୍ଞାକାରୀ ଟିଏ ପରି ।

କିଛି ସମୟପରେ ରୂପାଲି କହିଲା, ଆଛା ଭାଉ ମୁଁ ତ ଚାଲିଯିବି ତମକଥା କିଏ ବୁଝିବ ? ପୁଣି ରାତିରେ ମଦ ପିଇ ଘରକୁ ଡେରିରେ ଆସିବ ସବୁଦିନ ସକାଳୁ ତମକୁ ଉଠେଇବ କିଏ ? ତମେ ସକାଳୁ କିଛି ନ'ଖାଇ ଡ୍ୟୁଟି ଯିବ । ଯଦି ତମେ ମତେ କଥା ଦବ  ଆଉ ମଦ ପିଇବନି , ବେସି ରାତି ଯାଏ ବାହାରେ ବୁଲିବନି , ଆଉ ସକାଳେ ଜଲଦି ଉଠିବ ,ତା'ହେଲେ ମୁଁ ତମ କଥା ମାନି ପଢ଼ିବାକୁ ଯିବି ନହେଲେ ନାଇଁ ।

ସେ ସମୟରେ ମୋ ମନର ଭାବନାକୁ ମୁଁ କେବେବି ବ୍ୟକ୍ତ କରିପାରିବିନି । ମୁଁ ନିର୍ବାକ ହୋଇ ଯାଇଥିଲି । ଯାହାର ଚିନ୍ତା ମତେ ଖାଇଯାଉଥିଲା ସେ ମୋ ଲାଗି ଚିନ୍ତିତ । ମନର ଭାବନାକୁ ମନରେ ରଖି ମୁଁ ରୂପାଲିକୁ କହିଲି ଠିକ ଅଛି ତୁ ଯାହା କହିବୁ ସେଇଆ ହବ । ଏବେ ଯା ଶୋଇବୁ ସେମାନେ ଆସନ୍ତା ବୁଧବାରଦିନ ତତେ ନବାକୁ ଆସିବେ । ମୁଁ ସାହିର ସଭାପତି ରବୀନ୍ଦ୍ର ଭାଇଙ୍କୁ କହିଦେଇଛି ସେ ବି ବହୁତ ଖୁସି ଅଛନ୍ତି ତୋ ପାଠପଢ଼ିବା କଥା ଶୁଣି । ମୁଁ ରୂପାଲିକୁ ଏଇଥିପାଇଁ ତା ଘରକୁ ବିଦା କରୁଥିଲି କି ମୋ ଭାବନାର ବନ୍ଧ ପ୍ରାୟ ଭାଙ୍ଗିବା ଅବସ୍ଥାରେ । ଯାହା ମୁଁ ରୂପାଲି ପାଖରୁ ଲୁଚାଇବାକୁ ଚେଷ୍ଟା କରୁଥିଲି । ରୂପାଲି ତା' ଘରକୁ ଚାଲିଗଲା । ପିଲାଟିର କଥା ଭାବିଭାବି ମୋ ଆଖିକୁ ଆଉ ନିଦ ଆସୁନଥାଏ ।

କମ୍ପାନୀ କାମରେ ମତେ କିଛିଦିନ ବାହାରକୁ ଯିବାକୁ ପଡ଼ିଲା । ମୁଁ ରୂପାଲିକୁ କହିଲି ଗୋଟେ ଜରୁରୀ କାମରେ ମତେ ଦୁଇ ସପ୍ତାହ ବାହାରକୁ ଯିବାକୁ ପଡ଼ିବ ମୁଁ କୁଳପତି ମହୋଦୟଂକୁ ଆଉ ରବୀନ୍ଦ୍ର ଭାଇଙ୍କୁ ତୋ ବିଷୟରେ ସବୁ କହିଦେଇଛି ସେମାନେ ତତେ ନବା ଲାଗି ଆସିବେ । ତୁ ଯାଇଥିବୁ ମୁଁ ଫେରିଲେ ତତେ ବିଦ୍ୟାଳୟରେ ଯାଇ ଦେଖାକରିବି । ମୋ କଥା ଶୁଣି ରୂପାଲି କିଛି ଉତ୍ତର ନଦେଇ ମତେ ଜୋରରେ ଜାବୁଡ଼ି ଧରିଥିଲା । ପାଖରେ ଥିବା ରବୀନ୍ଦ୍ର ଭାଇ ଓ ଆଉ କିଛି ଦେଖାଣାହାରିଙ୍କ ଆଖିରୁ ଲୁହ ବାହାରି ପଡିଥିଲା ସେ ଦିନର ସେ ଦୃଶ୍ୟଦେଖି ।

ଦୁଇ ସପ୍ତାହ ପରେ ମୁଁ ମୁମ୍ବାଇ ଫେରିଲି । ରୂପାଲି ଚାଲିଯାଇଥିଲା ତା' ଉଜ୍ଜ୍ୱଳ ଭବିଷ୍ୟତ ସନ୍ଧାନରେ । ମୋ ପଡ଼ିଶା ଘରଲୋକ ମତେ କହିଲେକି ରୂପାଲି କହିଛି ତାକୁ ଦେଖା କରିବାକୁ । ବିଦ୍ୟାଳୟର କୁଳପତିଙ୍କ ସହ ଫୋନ ଦ୍ୱାରା କଥା ହେଇ ରୂପାଲିର ସବୁ ଭଲ ଖବର ଶୁଣି ମନେ ମନେ ବହୁତ ଆସ୍ୱସ୍ତି ହେଲି । ମୁଁ ଆଉ କେବେବି ରୂପାଲିକୁ ଦେଖାକରିବା ପାଇଁ ଯାଇନି । ମୁମ୍ବାଇରେ ଆଉ ବେସିଦିନ ରହିବାର ସୁଯୋଗ ମଧ୍ୟ ମିଳି ନଥିଲା ମତେ । ରୂପାଲିର ଭବିଷ୍ୟତକୁ ଭାଗ୍ୟ ହାତରେ ଟେକିଦେଇ ମୁଁ ଚିନ୍ତାମୁକ୍ତ ହେଇଯାଇଥିଲି ।

ୟା ଭିତରେ ପନ୍ଦର ବର୍ଷ ବିତିଗଲାଣି । ଜୀବନ ବଞ୍ଚିବାର ସଂଘର୍ଷ ଭିତରେ ରୂପାଲି ପୁରା ଲିଭିଯାଇଥିଲା ମୋ ମନରୁ । ଦୁଇମାସ ହେବ ମୋ ମେସେଞ୍ଜର ରେ ଗୋଟେ ଅନୁରୋଧ ଆସିଛି । ମୁଁ ଦେଖି ସବୁଦିନ ଅଣଦେଖା କରିଦିଏ । କଣ ମନକୁ ଆସିଲା କେଜାଣି ସେଦିନ ସେ ଅନୁରୋଧକୁ ଗ୍ରହଣ କଲି  । ଅନ୍ୟ ପକ୍ଷର ଅନୁରୋଧକାରୀ ଯେମିତି ଚାହିଁ ବସିଥିଲେ ମୋ ଗ୍ରହଣ କରିବାକୁ ।

ପ୍ରଶ୍ନ ଆସିଲା କେମିତି ଅଛ ଭାଉ ? ଏ ଭାଉ ଶବ୍ଦଟା ଶୁଣିବା ମାତ୍ରେ ମୋ ଶରୀରରେ ଶିହରଣ ଖେଳିଗଲା । କିଏ ? ମୁଁ ପଚାରିଲି ? ଆଜି ମୁଁ କହିବିନି ମୁ କିଏ ବୋଲି ? ଆଜି ତମେ ମତେ ଚିହ୍ନି ମୋ ପରିଚୟ ମତେ କହିବ ? ରୂପାଲୀ ନାଁ ଟା ମୁଁ ପୁରା ଭୁଲି ଯାଇଥିଲି ,କିନ୍ତୁ ସ୍ମୃତିସବୁ ପାଖୁଡ଼ା ପାଖୁଡ଼ା ହେଇ ମୋ ମନ ଭିତରକୁ ପଶି ଆସୁଥିଲା । କେମିତି ଅଛୁ ? ମୁଁ ପଚାରିଲି । ସବୁ ତମରି ଆଶୀର୍ବାଦ ଭାଉ ,ଆରପଟୁ ଉତ୍ତର ଆସିଲା । ମନେ ମନେ ଭାବୁଥିଲି ,ପିଲାଟିକୁ ବିଦ୍ୟାଳୟରେ ଛାଡି ମୁଁ ମୋର ସବୁ ଦାୟିତ୍ଵର ଇତି କରିଦେଇଥିଲି । ମୋର କି ଆଶୀର୍ବାଦ ?

ଭାଉ ତମେ ଆଉ ମଦ ପିଉନ ତ ? ମୁଁ ଫେସବୁକରେ ତମ ଝିଅକୁ ଦେଖିଛି ,ଅବିକଳ ତମରି ଭଳି ଦେଖା ଯାଉଛି । ତା'ର ଏପରି କଥାରେ ମୋ ଆଖିରୁ ଦୁଇବୁନ୍ଦା ଲୁହ ଫୋନ ଉପରେ ପଡିଯାଇଥିଲା ।ମତେ ଚାରିଆଡ଼େ ଝାପ୍ସା ଦିଶୁଥିଲା ଆଉ ନିଜ ଦାୟୀତ୍ୱ ହୀନତା ପ୍ରତି ଘୃଣା ବି ଆସୁଥିଲା । ଭାଉ କଲ କରିବି ? ହଁ କର । ଝିଅଟିର ପ୍ରଶ୍ନରେ ମୁଁ ଉତ୍ତର ଦେଲି । କଲ ଆସିଲା ଭାବନାର ତାଣ୍ଡବଲୀଳା ଖାଲି ଏ ପଟେ ନୁହଁ ସେପଟେ ମଧ୍ୟ ସମାନ ଭାବରେ ଚାଲିଥିଲା । ଭାଉ ମୁମ୍ବାଇ କେବେ ଆସିବ ? ଆସିବି ତୋ ବାହାଘର କରିବା ପାଇଁ । ଭାଉ ମୁଁ ସରକାରୀ ଚାକିରୀ କରୁଛି ଆଉ ପାଠ ବି ପଢ଼ୁଛି । ତମ ଅପରିଷ୍କାର ରୂପାଲି ପାଇଁ କେତେ ବିବାହ ପ୍ରସ୍ତାବ ଆସୁଛି । ଏମିତି କହିଚାଲିଛି ରୂପାଲୀ । ରୂପାଲି...... ରୂପାଲି ମନେ ପଡିଗଲା ସେଇ ନାଁ ଟି । ମୁଁ ବାହା ହେବିନି ଭାଉ । ଏ ସମାଜର ସବୁ ରୂପାଲିଙ୍କୁ ମୋ ଭଳି ସ୍ୱାବଲମ୍ବୀ ନ କଲା ଯାଏ ମୁଁ ଅବିଶ୍ରାମ କାମ କରିବି ଭାଉ ।

ଝିଅରେ ଟିକେ ଭିଡିଓ କଲ କର ତତେ ଦେଖିବାକୁ ଭାରି ଇଛା ହଉଛି । ଭିଡିଓ କଲରେ ମୋର ଆଉ କିଛିବି ଶବ୍ଦ ନଥିଲା କହିବାକୁ । ଭାଉ ମୋ ରାଣ ଖାଇ ସତକୁହ ତମେ ଆଉ ମଦ ପିଉନତ ? ରୂପାଲି ବାରମ୍ବାର ସେଇ ଗୋଟିଏ ପ୍ରଶ୍ନକୁ ଦୋହରେଇ ଚାଲିଥାଏ । ଏବେ ପରା ମୋର ଦୁଇଜଣ ରୂପାଲି ଅଛନ୍ତି ,ଗୋଡେ଼ ଗୋଡେ଼ ଜଗିଛନ୍ତି ମତେ ମଦ ପିଇବାକୁ ସୁଯୋଗ ଆଉ କାଇଁ । ମୁଁ ଉତ୍ତର ଦେଲି ରୂପାଲିକୁ । କହିଲି ଶୁଣୁ ରୂପାଲି ତୁ ଯାହା ବି ସବୁ କରିବାକୁ ଭାବିରଖିଛୁ ସେ ସବୁ ବାହା ହେଇ ସାରିଲା ପରେ ବି ତ କରିପାରିବୁ ତୁ ବାହା ହେଇଯା ଗୋଟେ ଭଲ ପ୍ରସ୍ତାବ ଦେଖି । ଭାଉ ମତେ ପୁଣି ଦୁରେଇ ଦବାକୁ ଭାବିଛନା ? ରୂପାଲି କାନ୍ଦ କାନ୍ଦ ହେଇ ଅଭିମାନ କରି କହିଲା ମତେ । ନାରେ ମା' ମୁ ଭୁଲ କରିଛି ମତେ କ୍ଷମା କରିଦିଏ । କ୍ଷମା ନାହିଁ ଭାଉ,ଯଦି ତମେ ମୋର କନ୍ୟାଦାନ କରିବ ତା'ହେଲେ ମୁଁ ନିଶ୍ଚୟ ବାହା ହେବି । ରୂପାଲିର ଏଇ କଥାଟା ମତେ ଭାବବିହ୍ଵଳ କରିଦେଲା । ନାରେ ତୋ ମାମୁଁ ମାନେ ,ମୋ କଥା ଅଧାରୁ କାଟି ରୂପାଲି କହିଲା ଯେଉଁମାନଙ୍କର ବାପା ନଥାନ୍ତି ଅନ୍ୟମାନେ ସେମାନଙ୍କର କନ୍ୟାଦାନ କରନ୍ତି ,ତମେ କଣ ମୋର ବାପା ହେଇପାରିବନି ? ମୁଁ ନିରୁତ୍ତର ! ନିଜକୁ ପୂର୍ଣ୍ଣ ସମର୍ପିତ ଦେଖୁଥିଲି ରୂପାଲିର ମହାନତା ନିକଟରେ । ମୁଁ ନିଜକୁ ଅତି ନ୍ୟୁନ ମନେ କରୁଥିଲି । ଆଉ ସେ ଅପରିଷ୍କାର କୁନି ଝିଅ ରୂପାଲି ଆଜି ଦିବ୍ୟତାରେ ପରିପୂର୍ଣ୍ଣ ।

।। ଶରଣ ମାତେ ।।

ରବିବାର ସହର ରୂପାଲି

Rate the content


Originality
Flow
Language
Cover design

Comments

Post

Some text some message..