Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Subas Chandra Rout

Inspirational

3  

Dr Subas Chandra Rout

Inspirational

ହଜିଲା ଛଅ ବର୍ଷର ହିସାବ

ହଜିଲା ଛଅ ବର୍ଷର ହିସାବ

16 mins
7.6K


ବେଙ୍ଗାଲୁରୁ ଯିବାକୁ ଥିବା ଇଣ୍ଡିଗୋ ଉଡ଼ାଜାହାଜ ଆସିଯିବାରୁ ଆମକୁ ଭିତରକୁ ଯିବାକୁ ନିର୍ଦ୍ଦେଶ ଦିଆଗଲା । ବହୁତ ସମୟ ଏୟାରପୋର୍ଟରେ ଅପେକ୍ଷା କରିବା ପରେ ଅବଶେଷରେ ଉଡ଼ାଜାହାଜ ଭିତରେ ପଶି ଲଗେଜ ରଖିବା ସ୍ଥାନରେ ଲଗେଜ ରଖିସାରି ମୋ ସିଟ୍‌ରେ ବସିଲି । ମୋ ବସିବା ସ୍ଥାନ ଏକ ତିନି ଟିକିଆ ସିଟ୍‌ ଥିଲା । ମୁଁ ବାଟ ପାଖ ସିଟ୍‌ରେ ବସିଲି । ଅଳ୍ପ ସମୟ ପରେ ଗୋଟିଏ ପାଞ୍ଚ ଛଅ ବର୍ଷର ପିଲା ଓ ଜଣେ ୩୫/୩୬ ବର୍ଷର ଯୁବକ ମୋ ପାଖ ଦୁଇ ସିଟରେ ବସିବାକୁ ଆସିଲେ । ମୋ ଗୋଡ଼ ପଛକୁ କରି ସେମାନଙ୍କୁ ତାଙ୍କ ସିଟ ପାଖକୁ ଯିବାକୁ ବାଟ ଛାଡ଼ିଦେଲି । ପିଲାଟି ମୋ ପାଖରେ ବସିଲା ଓ ଝରକା ପାଖ ସିଟ୍‌ରେ ଯୁବକ ବସିଲେ ।

ପିଲାଟି ବହୁତ ଗୁଲୁଗୁଲିଆ ଦେଖାଯାଉଥିଲା । ଭାବିଲି, କେଡ଼େ ସୁନ୍ଦର ହେଇଛି ଏ ପିଲା ! ତାକୁ ମୁଁ ଅନେଇ ରହିଗଲି । ସେ ପିଲାକୁ ଦେଖି କେଜାଣି କାହିଁକି ମୋର ମନରେ କେମିତି ଗୋଟିଏ ଅହେତୁକ ଅଦ୍ଭୁତ ଆବେଗ ସୃଷ୍ଟି ହୋଇଗଲା । ଲାଗିଲା, ଯେମିତି ପିଲାଟି ମୋର ଏକାନ୍ତ ନିଜର, ଅଥଚ ମୁଁ ତାକୁ ଜୀବନରେ ପ୍ରଥମ ଥର ପାଇଁ ଦେଖିଲି । ମୋ ହାତ ଉପରେ ପିଲାଟି ହାତ ଥୋଇଲେ ବହୁତ ଭଲ ଲାଗୁଥିଲା । ଆଉଥରେ ପିଲାଟିକୁ ଭଲରୂପେ ଅନେଇଲି, ଲାଗିଲା ଯେମିତି କୋଉଠି ଦେଖିଛି । କୋଉଠି ଦେଖିଛି, କୋଉଠି ଦେଖିଛି, ମନେ ପକେଇବାକୁ ଚେଷ୍ଟା କଲି, ଆଦୌ ମନେ ପଡ଼ିଲାନି । ମସ୍ତିଷ୍କ ଉପରେ ଜୋର ଦେଲି, ଆହୁରି ଗଭୀର ଭାବରେ ଭାବିଲି, ତଥାପି ମନେ ପଡ଼ିଲାନି ।

ଯୁବକଙ୍କ ସାଥିରେ କଥା ହେବା ଇଚ୍ଛାରେ ପଚାରିଲି, “ଆପଣ ବେଙ୍ଗାଲୁରୁ ଯାଉଛନ୍ତି ତ ?” ସେ ହଁ କଲେ । ମୁଁ କହିଲି, “ମୁଁ ବି ଯାଉଛି ସେଠିକୁ । ମୋର ଜଣେ ଫେସବୁକ ବନ୍ଧୁ ମୋତେ ନିମନ୍ତ୍ରଣ କରିଛନ୍ତି । ମୁଁ ପ୍ରଥମ ଥର ଯାଉଛି, ବେଙ୍ଗାଲୁରୁ ଓ ଉଡାଜାହାଜରେ ।” ଫିକା ହସ ମୋ ମୁହଁରେ ଖେଳିଗଲା । ପଚାରିଲି, “ଆପଣ ସେଠି କିଛି କାମଧନ୍ଦା କରୁଛନ୍ତି ବୋଧେ ।”

“ଆଜ୍ଞା, ମୁଁ ସେଠାରେ ଇଲେକଟ୍ରନିକ ଇଞ୍ଜିନିଅର ଅଛି, ଆଉ ଆପଣ ?”

“ମୁଁ ଏଇ ଭୁବନେଶ୍ଵରରେ ରହେ, ମୋ ନାଁ ରମେଶ ପଟ୍ଟନାୟକ । ମୋର ଗୋଟିଏ କନସଲ୍ଟେସନ ଅଫିସ ଅଛି । ଏଇ ପିଲାଟି ଭାରି ଗୁଲୁଗୁଲିଆ ଦେଖାଯାଉଛି, ଆପଣଙ୍କ ପୁଅତ ?”

“ହଁ ଆଜ୍ଞା, ସେ ମୋ ପୁଅ । ମୋ ନାଁ କମଳ ଶର୍ମା ।” ଆଉ ଥରେ ସେଇ ଭାବନା ମୋ ମନରେ ପଶିଲା, କେଉଁଠି ଦେଖିଛି ଏଇ ପିଲାକୁ ।

ଯୁବକଙ୍କୁ ଭଲ ରୂପେ ଲକ୍ଷ କଲି । କେମିତି ଗୋଟିଏ ଅସାଧାରଣ ଦେଖାଯାଉଥିଲେ । ଅନେକ ସମୟରେ ସେ ମୋ ମୁହଁକୁ ସନ୍ଦେହପୂର୍ଣ୍ଣ ତୀକ୍ଷ୍ଣ ନଜରରେ ଦେଖୁଥିଲେ । ଲାଗିଲା, ଯେମିତି ମୋ ମୁହଁରୁ ହୃଦୟର ଭାଷା ପଢ଼ିବାକୁ ଚେଷ୍ଟା କରୁଛନ୍ତି । ଇଞ୍ଜିନିଅର ହେଲେ ମଧ୍ୟ ପୋଲିସ ବା ଡାକ୍ତର ଭଳି ତୀବ୍ର ଚାହାଣୀରେ ଅନଉଛନ୍ତି । ତାପରେ ସେ ଯୁବକଙ୍କ ସହ ବହୁତ କଥାବାର୍ତ୍ତା ହେଲା । ପଚାରିଲେ, “କାହା ପାଖକୁ ଯାଉଛନ୍ତି ?

-“ମୋର ଜଣେ ଫେସବୁକ ସାଙ୍ଗ ଗତିକୃଷ୍ଣଙ୍କ ପାଖକୁ ଯାଉଛି । ପ୍ରାୟ ଦୁଇ ମାସ ହେବ ସେ ମୋର ସାଙ୍ଗ ଅଛନ୍ତି । ଦୁଇ ମାସ ତଳେ ସେ ଫେସବୁକରେ ମୋତେ ସାଙ୍ଗ ନିମନ୍ତ୍ରଣ ଦେଇଥିଲେ ଓ ମୁଁ ତାକୁ ଗ୍ରହଣ କରିଥିଲି । ଏହି ସମୟ ଭିତରେ ଆମ ମଧ୍ୟରେ ଅନେକ ବାର୍ତ୍ତା ବିନିମୟ ହୋଇଚାଲିଥିଲା । ସେ ନିହାତି ରାଣ ନିୟମ ପକେଇ ମୋତେ ତାଙ୍କ ଘରକୁ ଯିବାକୁ ନିମନ୍ତ୍ରଣ କଲେ । ଭୁବନେଶ୍ଵରରୁ ବେଙ୍ଗାଲୁରୁ ଯିବା ଆସିବା ନିମନ୍ତେ ଫ୍ଲାଇଟ ଟିକେଟ କରି ପଠେଇଦେଇଛନ୍ତି । ପ୍ରାୟ ସବୁ ସପ୍ତାହରେ ତାଙ୍କର ମୋର ବାର୍ତ୍ତା ବିନିମୟ ହୁଏ । ସେ ଅତି ଭଲ ଲୋକ ।” ଏହା ଶୁଣି ତାଙ୍କ ମୁହଁର ରଙ୍ଗ ସାମାନ୍ୟ ପରିବର୍ତ୍ତନ ହୋଇଗଲା । ଭାବିଲି, ତାଙ୍କ ମୁହଁର ରଙ୍ଗ କାହିଁକି ବଦଳୁଛି ! କମଳ ବାବୁ କହିଲେ, “ହଁ, ସେ ଅତି ଭଲ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ହୋଇଥିବେ ନିଶ୍ଚୟ, ନହେଲେ ଫେସବୁକ ସାଙ୍ଗ ଭଳି ଅଜଣା ଲୋକକୁ କିଏ ଫ୍ଲାଇଟ ଟିକେଟ ଦେଇ ନିମନ୍ତ୍ରଣ କରୁଛି !”

-“ଆଜ୍ଞା, ମୁଁ ବି ସେଇକଥା ଭାବୁଛି । ମୋତେ ବି ଅଡ଼ୁଆ ଅଡ଼ୁଆ ଲାଗୁଛି, ମାତ୍ର ଦୁଇ ମାସ ସମ୍ପର୍କରେ ମୋ ପାଇଁ ଏତେ ଗୁଡ଼ିଏ ଟଙ୍କା ଖର୍ଚ୍ଚ କରି ଟିକେଟ ପଠେଇଛନ୍ତି । ତାଙ୍କୁ ମୁଁ ବୁଝିପାରୁନି ।” ଅନେକ ସମୟ ଧରି କଥାବାର୍ତ୍ତା ପରେ ଏଇ ପ୍ରଥମ ଥର ପାଇଁ ତାଙ୍କ ମୁହଁରେ ଟିକେ ମୁରୁକି ହସ ଦେଖିଲି । ମୁହଁଟି କିନ୍ତୁ ବ୍ୟଙ୍ଗ ପୂର୍ଣ୍ଣ ଦେଖାଯାଉଥିଲା ।

ସେ ଟିକି ପୁଅଙ୍କୁ ପଚାରିଲି, “ପୁଅ, ତୁମ ନାଁ କଅଣ ?”

“ମୋ ନା ବାବୁ”।

“ଆରେ ବାଃ, ଭଲ ପୁଅଟିଏ । କେଡ଼େ ସୁନ୍ଦର ନାଁ କହିଦେଲା । ମୋର ପୁଅ ନାହିଁ, ମୋ ପୁଅ ହେବ ?”

ଗେଲ୍ହା ସ୍ଵରରେ କହିଲା, “ହଁ ପୁଅ ହେବି, ମୋତେ ଚକୋଲେଟ ଦେଲେ ପୁଅ ହେବି, ଦେବ ଚକୋଲେଟ ?”

“ଏଇ କଥା, ନିଅ ଚକୋଲେଟ, ମୁଁ ପକେଟରେ ଧରି ବୁଲେ ଓ ଖାଇବାକୁ ଭଲପାଏ ।” ଆଗ୍ରହରେ ସେ ଚକୋଲେଟ ନେଇ ପାଟିରେ ପୁରେଇଦେଲା ।

କମଳ ବାବୁ ତାକୁ କହିଲେ, “ଏଥର ତାଙ୍କୁ ବାପା ଡାକ ।” ମୋତେ ଲାଗିଲା ଯେମିତି ବ୍ୟଙ୍ଗ କରି କହୁଛନ୍ତି, ଥଟ୍ଟାରେ ନୁହେଁ ।

-“ବାପା” ।

କେଜାଣି କାହିଁକି ମୋତେ ଏ ଡାକଟି ପୁରା ଆତ୍ମୀୟ ଲାଗିଲା ।

କମଳ ବାବୁଙ୍କ ମୁହଁ ଆଉଥରେ ରହସ୍ୟମୟ ଦେଖାଗଲା ।

କମଳ ବାବୁ ପ୍ରଶ୍ନ କଲେ, “ଆପଣଙ୍କର ପୁଅ ନାହିଁ କହିଲେ ଯେ, ଝିଅ ଅଛନ୍ତି ନା କଅଣ ?”

- ସ୍ମିତ ହସ ହସି କହିଲି, “ନାହିଁ ଆଜ୍ଞା, ମୁ ଅବିବାହିତ ।”

- “ଓହୋ, ଦୁଃଖିତ ।” ଟିକିଏ ହସି ପଚାରିଲେ, “ଗାର୍ଲ ଫ୍ରେଣ୍ଡ ?”

-“ନାଇଁ ଆଜ୍ଞା, ସେ ସବୁଠାରୁ ମୁଁ ଦୂରରେ ଥାଏ ।”

-“ଆପଣଙ୍କ ଭଳି ସୁନ୍ଦର ପୁରୁଷ, ଏ ପର୍ଯ୍ୟନ୍ତ ଅବିବାହିତ ! ଝିଅମାନଙ୍କର ଲାଇନ ଲାଗିବା କଥା ।”

-ସାମାନ୍ୟ ଓଦା କଣ୍ଠରେ ଅଳ୍ପ ହସି କହିଲି, “ଆଜ୍ଞା, ସେମିତ କିଛି ମୋ ଭାଗ୍ୟରେ ଜୁଟିନି । ଛାଡ଼ନ୍ତୁ ସେ କଥା ।”

ପକେଟରୁ ମୋ ବନ୍ଧୁଙ୍କର ଠିକଣା କାଗଜ କାଢ଼ି ତାଙ୍କୁ ଦେଖାଇଲି । ପଚାରିଲି, “ଦେଖିଲେ, ଏ ସ୍ଥାନଟା କେଉଁଠି ହୋଇଥିବ ।” ସେ ଠିକଣା ଦେଖି କହିଲେ, “ଆରେ, ଆପଣତ ମୋର ପଡ଼ିଶା ଘରକୁ ଯାଉଛନ୍ତି । ଆପଣ ତାଙ୍କ ନାଁ ଗତିକୃଷ୍ଣ କହିଲେ, କିନ୍ତୁ ମୋ ପଡୋଶୀ ଗତିକୃଷ୍ଣ ହୋଇଥିବେ ବୋଲି ମୁଁ କଅଣ ଜାଣିଛି ! ଭଲ ସଂଯୋଗର କଥା ହେଲା । ତାଙ୍କର ଓ ମୋର ଦାଣ୍ଡ କବାଟ ଏକଦମ ଲଗାଲଗି, ଗୋଟିଏ ଘର ଭଳି । ମୋର ଘର ମାଲିକ ଗୋଟିଏ ଘରକୁ ଦୁଇ ଭାଗ କରି ଦୁଇଜଣକୁ ଭଡ଼ା ଦେଇଛନ୍ତି । ଗତିକୃଷ୍ଣ ବାବୁ ବହୁତ ଭଲ ଲୋକ । ସକାଳୁ ଅଫିସ ଯାଇ ସନ୍ଧ୍ୟା ଆଠ ବା ନଅଟା ବେଳକୁ ଫେରନ୍ତି । ମୁଁ ଆପଣଙ୍କୁ ସେହି ଠିକଣାକୁ ନେଇଯିବି, ବ୍ୟସ୍ତ ହୁଅନ୍ତୁ ନାହିଁ ।”

ଯେତେବେଳେ ବେଙ୍ଗାଲୁରୁ ଆସିଗଲା ବୋଲି ଏୟାର ହୋଷ୍ଟେସ କହିଲେ, ଜାଣିଲି ଦୁଇ ଘଣ୍ଟା ବିତିଗଲାଣି । କଥାବାର୍ତ୍ତାରେ କେତେବେଳେ ୨ ଘଣ୍ଟା ବିତିଗଲା, ଜାଣିପାରିଲିନି । ସାଙ୍ଗ ହୋଇ ଉଡାଜାହାଜରୁ ଓହ୍ଲେଇ ଜିନିଷ ଧରି ଟାକ୍‌ସି ଷ୍ଟାଣ୍ଡକୁ ଗଲୁ । ତିନି ଜଣ ଗୋଟିଏ ଟାକ୍‌ସି କରି ପ୍ରାୟ ଏକ ଘଣ୍ଟା ପରେ ତାଙ୍କ ଘର ପାଖରେ ପହଞ୍ଚିଲୁ । କମଳ ବାବୁ ତାଙ୍କ ଘରକୁ ଯିବା ଆଗରୁ ମୋତେ ଗତିକୃଷ୍ଣଙ୍କ ଘର ଚିହ୍ନେଇଦେଲେ ଓ କହିଲେ, “ସେ ତ ଏବେ ଘରେ ନଥିବେ । ତାଙ୍କ ଘର ଚାବି ଆମ ଘରେ ଥାଏ । ମୁଁ ନେଇ ଆସୁଛି । ଏଇ ପାଖ ଘରଟା ଆମ ଘର, କାଲି ମୁଁ ନିଜେ ଆପଣଙ୍କୁ ଆମ ଘରକୁ ଡାକିବି, ଆପଣ ଆସିବେ । ରାତି ହୋଇଗଲାଣି । ଏଇ ସାମନା ରାସ୍ତା କଡ଼ରେ ହୋଟେଲ ଅଛି, ଆଜି ସେଠିକୁ ଯାଇ ଖାଇନେବେ ।”

ଚାବି ଖୋଲି ମୁଁ ଘର ଭିତରକୁ ଗଲି । ଦାଣ୍ଡ କବାଟ ଛାଡ଼ି ଘର ଭିତରେ ଆଉ ଦୁଇଟି କବାଟ ଥିଲା । ଗୋଟିଏ ସ୍ନାନାଗାର କବାଟ ଓ ଅନ୍ୟଟି ବୋଧହୁଏ ପାଖ ଘରକୁ ସଂଯୁକ୍ତ କରୁଥିବା କବାଟ । ବ୍ୟାଗ ଥୋଇ ହୋଟେଲ ଗଲି ଓ ଖାଇସାରି ରୁମକୁ ଫେରିଲି । ଘରେ ଗୋଟିଏ ଖଟ, ଟେବୁଲ ଓ ଚୌକି ଥାଏ । ଲୁଗାପଟା ବଦଳି ବସିଲି । କୁଆଡେ ଗଲେ ଗତିକୃଷ୍ଣ ବାବୁ ! ଫୋନ ଲଗେଇଲି । ସେପଟୁ ଶୁଣାଗଲା, ନମସ୍କାର ଆଜ୍ଞା, ଆସିଗଲେଣି ? ମୁଁ ଗୋଟେ କାମରେ ଫସି ଯାଇଛି । ଆପଣ ରହନ୍ତୁ, ମୁଁ କାଲି ଦ୍ଵିପ୍ରହର ସୁଦ୍ଧା ପହଞ୍ଚିଯିବି । କ୍ଷମା କରିଦିଅନ୍ତୁ, କହି ଫୋନ କାଟିଦେଲେ ।

ଘରେ ଗୋଟିଏ ଟିଭି ଥାଏ, ତାକୁ ଲଗେଇ ଖବର ଚାନେଲ ଦେଖିଲି । ଖବର ଶୁଣିବା ପରେ ଗୋଟିଏ ସିନେମା ଚାନେଲ ଲଗେଇ ସିନେମା ଦେଖିଲି । ଏକୁଟିଆ ବସି ବସି କିଛି ସମୟ ପରେ ବିରକ୍ତି ଆସିଲା । ତାପରେ ମୋ ଫୋନରେ ଥିବା ପୁରୁଣା ଫୋଟୋ ସବୁ ଖୋଲି ଦେଖିଲି । ହଠାତ୍ ମୋର ପିଲାଦିନର ଗୋଟିଏ ଫୋଟୋ ଦେଖିବାକୁ ପାଇଲି । ସେତେବେଳେ ମୋର ବୟସ ପାଞ୍ଚ ବର୍ଷ ଥିଲା ଓ ମୁଁ ମାଆ କୋଳରେ ବସିଥିଲି । ଆରେ, ଏ କଅଣ ! ମୋ ପିଲା ଦିନର ମୁହଁ ସାଥିରେ ବାବୁର ମୁହଁ ପ୍ରାୟ ମିଶିଯାଉଛି । ଲାଗିଲା, ଯେମିତି ବାବୁଟି ମୋର ପିଲାଦିନର ପ୍ରତିବିମ୍ବ ବା ଦର୍ପଣ ଛବି । ଏମିତି କେମିତି ହେଲା ! ଗୋଟିଏ ମାଗାଜିନରେ ପଢ଼ିଥିଲି, ସଂସାରରେ ଏକା ଭଳି ଚେହେରା ଥିବା ଲୋକ ଅଛନ୍ତି । ସେଇଥି ଯୋଗୁ ତା ମୁହଁ ଚିହ୍ନା ଚିହ୍ନା ଲାଗୁଥିଲା ! ମୋ ନିଜ ପିଲାଦିନର ସେହି ଫୋଟୋରେ ଥିବା ଚେହେରା ମୁଁ ଭୁଲିଯାଇଥିଲେ ମଧ୍ୟ ବୋଧହୁଏ ଝାପସା ଚିତ୍ର ମନ ଭିତରେ ଥିଲା ।

ପରଦିନ ସକାଳ ୧୦ଟା ବେଳେ ବୁଲି ବାହାରିଲି । ଦୁଇ ଘଣ୍ଟା କାଳ ଏପାଖ ସେପାଖ ବୁଲିଲି । ବଡ଼ ସହର, ମୁଁ ନୂଆ ଲୋକ । ଦୂରକୁ ଯିବାକୁ ଡରଲାଗୁଥାଏ, କାଳେ ଫେରିବା ବେଳକୁ ଘର ଚିହ୍ନି ପାରିବିନି । ଶେଷରେ ବିରକ୍ତ ହୋଇ ହୋଟେଲ ଗଲି । ସେଠାରେ ଖାଇସାରି ଘରକୁ ଫେରିଲି । ତାପରେ କମଳ ବାବୁଙ୍କୁ ଡାକିବାକୁ ଇଚ୍ଛା ହେଲା । ତାଙ୍କ ଘର ସାମନାରେ ଠିଆ ହୋଇ କଲିଙ୍ଗ ବେଲ ଚିପିଲି । କିଛି ମୂହୁର୍ତ୍ତ ପରେ କବାଟଟି ଅଳ୍ପ ଖୋଲିଗଲା । ସାମନାରେ ଜଣେ ମହିଳା ଠିଆହୋଇଥିଲେ । କହିଲି, “ନମସ୍କାର, ଆଜ୍ଞା ।” ମୋତେ ଦେଖି ସେ ଗୋଟେ ପାଦ ପଛକୁ ଫେରିଯାଇ କହିଲେ, “ଆରେ ! ତୁମେ !” ମୋ ପାଟିରୁ ବାହାରିଗଲା, “ମାନସୀ ! ତୁମେ କମଳ ବାବୁଙ୍କ ପତ୍ନୀ ?” ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା, “ହଁ, ତୁମେ କେମିତି ଜାଣିଲ?” ମୁଁ ଭଲରୂପେ ତାଙ୍କୁ ଅନେଇଲି । ପ୍ରାୟ ଛଅ ବର୍ଷ ତଳର କଥା ମନେପଡିଗଲା । ସାମାନ୍ୟ ସ୍ୱାସ୍ଥ୍ୟ ଲାଭ କରିଛନ୍ତି କିନ୍ତୁ ତାଙ୍କ ନାରୀ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରହିଛି ।

-“ଏ ପାଖ ଘରେ ଗତିକୃଷ୍ଣ ବାବୁ ରହନ୍ତି କି ?” ସେ କହିଲେ, “ନାହିଁ, ସେଇଟା ଆମ ଘରର ଗୋଟିଏ ବଖରା । ସ୍ଵାମୀଙ୍କର ଜଣେ ସାଙ୍ଗ ବାଳକୁଷ୍ଣ ବାବୁ ଆସିବାର ଥିଲା । ସେ ଏଇଠି ରହିବେ ଦୁଇ ଦିନ ପାଇଁ । କିନ୍ତୁ ଆପଣ ଏଠି କେମିତି ?”

ମୋର ମନ ସେତେବେଳେ ଗତ ଦୁଇ ଦିନର ଘଟଣାକୁ ତୀବ୍ର ଗତିରେ ବିଶ୍ଳେଷଣ କରୁଥିଲା । ମୋତେ ନିମନ୍ତ୍ରଣ କରିଥିବା ଗତିକୃଷ୍ଣ ବାବୁ ଏଠାରେ ରହନ୍ତିନି, ମୋ ନାମକୁ ବାଳକୁଷ୍ଣ କହି ମାନସୀର ସ୍ଵାମୀ ଗୋଟିଏ ରୁମ ଖାଲି ରଖିଛନ୍ତି । କମଳ ବାବୁ ମାନସୀର ସ୍ଵାମୀ ଅଟନ୍ତି । ମୁଁ ଯାହାକୁ ମାନସୀ କହୁଛି, ତାର ଫେସବୁକ ନାମ ମାନସୀ, କିନ୍ତୁ ତା’ର ଅନ୍ୟ ନାମ ଅନ୍ୟ କିଛି ହୋଇପାରେ । କିନ୍ତୁ ମୋ ପାଇଁ ସେ ମାନସୀ । ବାବୁର ଚେହେରା ମୋ ପିଲାଦିନର ଚେହେରା ସାଥିରେ ମିଶିଯାଉଛି । ତା’ର ନିଜ ବାପା ମୋତେ ବାପା ଡାକିବାକୁ ପୁଅକୁ କହୁଛନ୍ତି । କି ବିଚିତ୍ର କଥା ! ମୋତେ ଏହି ମାନସୀର ସ୍ଵାମୀ କାହିଁକି ଫ୍ଲାଇଟ ଟିକେଟ ଦେଇ ଡାକିଛନ୍ତି ? ମୋତେ ନିମନ୍ତ୍ରଣ କରି ମୋ ପାଖରେ ଉଡ଼ାଜାହାଜରେ ଅଜଣା ହୋଇ ବସି ନିଜ ଘରକୁ ଡାକିବା ଅର୍ଥ କଅଣ ହୋଇପାରେ ! ତାଙ୍କର ସନ୍ଦେହପୂର୍ଣ୍ଣ ଚାହାଣି ମନେପଡ଼ିଗଲା । ମୋ ମନ ଏହି ଅଦ୍ଭୁତ ସମସ୍ୟା ବା ପଜଲର ସମାଧାନ କରିବାକୁ ଲାଗିଗଲା ।

ହଠାତ ମୋ ମନରେ ଉଠୁଥିବା ତରଙ୍ଗାୟିତ ସଂଶୟ ସଂପୂର୍ଣ୍ଣ ଉଭେଇ ଗଲା ଓ ସବୁକଥା ସ୍ପଷ୍ଟ ହୋଇଗଲା । ହେ ଭଗବାନ, ଓ ମାଇଁ ଗଡ ! ବିଜୁଳି ବେଗରେ ମୋ ଦେହରେ ଗୋଟିଏ ଭୟର ଶିହରଣ ଖେଳିଗଲା । ଧୀର ସ୍ଵରରେ କହିଲି ମାନସୀକୁ, “ଟିକିଏ ପାଖକୁ ଆସ, ଗୋଟେ କଥା କହିବି । ଆମେ ଦୁଇଜଣଙ୍କୁ କେହି ଟ୍ରାପ କରିବାକୁ ଚେଷ୍ଟା କରୁଛି । ତୁମର ଏହି ଡ୍ରଇଂ ରୁମରେ ଭିଡିଓ କ୍ୟାମେରା ରଖାଯାଇଥାଇପାରେ । ମୁଁ ପାଖ ବଖରାକୁ ଯାଉଛି । ଅଳ୍ପ ସମୟ ପରେ ଏଠାରୁ ଓଡ଼ିଶାକୁ ଫେରିଯିବି । ତୁମେ ପ୍ରଥମେ ତୁମ ଘରର ଇଲେକଟ୍ରିକ ମେନ ସୁଇଚ ଅଫ କରିଦେଇ ମଝି କବାଟ ବାଟେ ପାଖ ରୁମକୁ ଆସ । ସେଠି ତୁମକୁ କିଛି କଥା କହି ଚାଲିଯିବି ।” ବଡ଼ ପାଟିରେ କହିଲି, “ମୁଁ ଓଡିଶା ଫେରି ଯାଉଛି, କମଳ ବାବୁଙ୍କୁ କହିଦେବେ । ଗୋଟିଏ ଜରୁରୀ କାମ ନିମନ୍ତେ ଡାକରା ଆସିଲା, ତେଣୁ ଯାଉଛି । ନମସ୍କାର” କହି ପାଖ ରୁମକୁ ଚାଲିଗଲି ।

ସେ କିଛି ସମୟ ପରେ ମୋ ରୁମରେ ଅତି ସନ୍ତର୍ପଣରେ ପ୍ରବେଶ କଲା । ଆମେ ଦୁହେଁ ଖଟରେ ବସିଲୁ । ମାନସୀ ପ୍ରଶ୍ନ କଲା, “ଆପଣ ଏଠି କେମିତି, ବାହା ହେଲେଣି ?” ମୁଁ କିଛି ଉତ୍ତର ଦେବା ପୂର୍ବରୁ ହଠାତ ମାନସୀ ଭୁଇଁ ଉପରେ ବସି ମୋ ଗୋଡ଼ ଧରିପକେଇ କହିଲା, “ମୋତେ କ୍ଷମା କରିଦିଅନ୍ତୁ । ଅତୀତରେ ମୁଁ ଅକ୍ଷମଣୀୟ ଭୁଲ କରିଛି ଆପଣଙ୍କ ପାଖରେ ।” ମୁଁ ଧୀର ସ୍ଵରରେ ପ୍ରଶ୍ନ କଲି, “ବାବୁ ତୁମ ପୁଅକି ?” ଆଶ୍ଚର୍ଯ୍ୟ ହୋଇ ମାନସୀ ମୋତେ ଅନେଇ କହିଲା, “ଆପଣ ମୋ ପୁଅ ନାମ କେମିତି ଜାଣିଲେ ?”

-“କାଲି ତୁମ ପୁଅ ଓ କମଳ ବାବୁ ମୋ ସାଥିରେ ଉଡ଼ାଜାହାଜରେ ବାର୍ତ୍ତାଳାପ କରି କରି ଏଠାକୁ ଆସିଛନ୍ତି । ସେ ମୋତେ ଏହି ଠିକଣାକୁ ଡାକି ଆଣିଛନ୍ତି । ଏଇ ଫୋନ ନମ୍ବର ଦେଖିଲ, ଏହା ତୁମ ସ୍ଵାମୀଙ୍କର କି ?”

-“ହଁ, ଏଇଟା ତାଙ୍କ ନମ୍ବର, ତୁମ ପାଖକୁ କେମିତି ଆସିଲା ? ତୁମକୁ ଡାକିଛନ୍ତି ! କାହିଁକି ?’’ ପୁରା ଆଶ୍ଚର୍ଯ୍ୟାନ୍ଵିତ ହୋଇଗଲା ମାନସୀ ।

-“ଆଉ ଗୋଟିଏ କଥା; ସତ କହିବ । ବାବୁ ମୋର ପୁଅକି ?” ଲଜ୍ଜାରେ ଲାଲ ପଡ଼ି ମାନସୀ ମୁହଁ ତଳକୁ କରିଦେଲା । ଓଦା ଭାବୁକ କଣ୍ଠରେ ମୁଁ କହିଲି, “ଛଅ ବର୍ଷ ତଳେ କାହିଁକି ମୋ ଜୀବନ କଳିକାକୁ ମାଡ଼ି ମକଚି ଖିନ୍‌ଭିନ୍ କରି ନଷ୍ଟ କରିଦେଇ ଚାଲିଆସିଲ ? ମୋ ମନ ଭିତରେ ପ୍ରେମର ଗୋଟିଏ ସ୍ଵଚ୍ଛ ଅନ୍ତଃସଲିଳ ସ୍ରୋତ ବୋହୁଥିଲା । ତୁମେ ମୋ ଜୀବନରୁ ବାହାରି ଆସିଲା ପରେ ସେ ଝରଟି ଶୁଷ୍କ ହୋଇ ମରୁଭୂମି ପାଲଟିଗଲା । ଆଉ ତା’ପରେ ମୁଁ ବିବାହର ନାଆଁ ଧରିଲିନି । ତୁମକୁ ପ୍ରେମ କରିସାରିବା ପରେ ମୋ ହୃଦୟରେ ପ୍ରେମ ବୋଲି କିଛି ବାକି ରହିଲାନି । ଆଉ ଜଣକୁ ବିବାହ କରି କାହିଁକି କଷ୍ଟ ଦେଇଥାଆନ୍ତି ? ତେଣୁ ଚିରଦିନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଲି । କିନ୍ତୁ ତୁମେ ମୋ ଜୀବନ ପରିଧିକୁ ଆସି କାହିଁକି ନଷ୍ଟ କରିଦେଲ, କହିପାରିବକି ?”

ଖଟରେ ବସି ମୁଁ ଭୁଇଁ ଉପରେ ପାଦ ରଖିଥାଏ । ହଠାତ୍ କାନ୍ଦିବାକୁ ଲାଗିଲା ମାନସୀ । କାନ୍ଦୁଥାଏ ଓ କହୁଥାଏ, “କହିବି, ସବୁ କହିବି । ଝିଅମାନଙ୍କ ଜୀବନରେ ଅନେକ ଝଡ଼ ବତାସ ଆସେ ବୋଲି ମୁଁ ଶୁଣିଥିଲି, କିନ୍ତୁ ମୋ ଜୀବନରେ ଆସିବ, ଏକଥା ମୁଁ କେବେବି ଭାବିନଥିଲି ।” ତାପରେ ଚଟାଣରେ ବସି ମୋ କୋଳରେ ମୁଣ୍ଡ ରଖି ତା କାହାଣୀ ଆରମ୍ଭ କଲା ।

“ତୁମ ସାଥିରେ ମୋର ଦେଖା ହେବା ପୂର୍ବରୁ ମୋର ବିବାହ ସମ୍ପନ୍ନ ହୋଇସାରିଥିଲା । ସ୍ଵାମୀ ସାଥିରେ ଦୁଇ ବର୍ଷ ଏକା ବିଛଣାରେ ଶୋଇ ମଧ୍ୟ ମୁଁ ସନ୍ତାନ ସମ୍ଭବା ହୋଇପାରିଲିନି । ସ୍ଵାମୀ ସ୍ତ୍ରୀ ଉଭୟ ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ଦେଖେଇ ସମସ୍ତ ପରୀକ୍ଷା ନିରୀକ୍ଷା କରିସାରିବା ପରେ ଡାକ୍ତର ମୋତେ କହିଲେ, “ଆପଣଙ୍କ ସ୍ଵାମୀଙ୍କ ଔରସରୁ ପିଲା ହେବା ସମ୍ଭବ ନୁହେଁ, ଆପଣଙ୍କୁ ମିଛ ଆଶା ମୁଁ ଦେବିନି ।” ଆହୁରି ଅନେକ ଡାକ୍ତରଙ୍କୁ ଦେଖେଇଲି, କିନ୍ତୁ ସମସ୍ତେ ସେହି ଏକା କଥା କହିଲେ । ଦୁଃଖରେ ଭାଙ୍ଗିପଡିଲି ମୁଁ, କିନ୍ତୁ ସ୍ଵାମୀଙ୍କୁ ଏ କଥା କହିଲିନି ଓ ଲୁଚେଇଲି । ତାଙ୍କର ବାପା ହେବାର ଶକ୍ତି ନାହିଁ ଶୁଣିଲେ ଦୁଃଖ ପାଇବେ ଭାବି ମୁଁ କଥା ଲୁଚେଇଲି ଓ ତାଙ୍କୁ ଏ କଥା ନକହିବାକୁ ସମସ୍ତ ଡାକ୍ତରଙ୍କୁ ଅନୁରୋଧ କଲି ।”

“ସମୟକ୍ରମେ ଗାଁରେ ଓ ମୁଁ ରହୁଥିବା ସ୍ଥାନରେ ସମସ୍ତେ ମୋ ପଛରେ ମୋତେ ବାଞ୍ଝ କହିବାକୁ ଲାଗିଲେ । ମୋ ପ୍ରତି ଆକ୍ଷେପ କରାଯାଉଥିବା ନାରୀ ଘୃଣ୍ୟ ‘ବାଞ୍ଝ’ ଶବ୍ଦଟି ମୁଁ ଦିନେ ଶୁଣିପକେଇଲି । ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି କହିଲି, “ହେ ଭଗବାନ, କେଉଁ ଦୋଷ କରିଥିଲି ଯେ ମୋତେ ଏଇ ଦଣ୍ଡ ଦେଲେ !” ସେ ଦିନ ପ୍ରାୟ ସାରା ରାତି ମୁଁ ଶୋଇପାରିଲିନି । ସାରା ରାତି ମୋ କାନରେ ‘ବାଞ୍ଝ’ ଶବ୍ଦ ପ୍ରତିଧ୍ଵନିତ ହେବାକୁ ଲାଗିଲା । ପିଲା ନହେଲେ ମୋ ସ୍ଵାମୀ ମୋତେ ଛାଡ଼ପତ୍ର ଦେଇଦେବା ସମ୍ଭାବନା କଥା ମୋ ମନକୁ ରାତିସାରା ଛୁରିରେ ଆଘାତ କଲା ଭଳି ଲାଗିଲା । ତା ପର ଦିନ ମୋତେ ପାଗଳଙ୍କ ଭଳି ଲାଗିଲା । କେତେବେଳେ ମୁଁ କଅଣ କରୁଥିଲି, ସେ ହୋସ୍ ମୋର ରହୁନଥିଲା । ଦୈବାତ୍ ସ୍ଵାମୀ ସେତେବେଳେ ଅଫିସ କାମରେ ଦିଲ୍ଲୀ ଯାଇଥିଲେ । ବିଛଣାରେ ପଡ଼ି ଛଟପଟ ହେଲି ।”

“ତା ପରଦିନ ବହୁତ ବିଳମ୍ବରେ ମୋ ନିଦ ଭାଙ୍ଗିଲା । ବହୁତ ଅଳସୁଆ ଲାଗୁଥାଏ । ମୁଣ୍ଡ ବିନ୍ଧୁଥାଏ । ଟିଭି ଅନ କରି ଦେଖିବାକୁ ବସିଲି । ଏତିକିବେଳେ ଟିଭିରେ ପାଣ୍ଡବମାନଙ୍କ ଜନ୍ମ ବୃତ୍ତାନ୍ତ ଟେଲିକାଷ୍ଟ ହେଉଥିଲା । ପଣ୍ଡୁଙ୍କର ସନ୍ତାନ ଜନ୍ମ କରେଇବା କ୍ଷମତା ନଥିଲା । ନିଜ ସ୍ଵାମୀଙ୍କର ସମ୍ମତିରେ ତାଙ୍କ ପତ୍ନୀମାନେ ଦେବତାମାନଙ୍କୁ ଡାକି ତାଙ୍କ ଔରସରୁ ପିଲା ଜନ୍ମ କରିଥିଲେ । କେଜାଣି କାହିଁକି, ଏହି ଏପିସୋଡ ମୋ ମନରେ ଗଭୀର ରେଖାପାତ କରିଦେଲା । ହଠାତ ମୁଁ ବାଞ୍ଝ ଦୋଷରୁ ମୁକ୍ତି ପାଇବାକୁ ସେଇ ରାସ୍ତା ଆପଣେଇବାକୁ ନିଷ୍ପତ୍ତି ନେଲି । ଏହା ମଧ୍ୟରେ ଆଉ ଏକ ବର୍ଷ ବିତିଗଲା । ଶେଷରେ ଭାବିଲି, ଅନ୍ୟ ଔରସରୁ ସନ୍ତାନ ପାଇ କୁନ୍ତୀ ଯଦି ମହାସତୀ ହୋଇପାରିଲେ, ମୁଁ ସେଇ ପଥରେ ଗଲେ ବୋଧହୁଏ ଭୁଲ ହେବନି । ମୋ ନିଜ ଦୁଃଖରେ ମୁଁ ଏତେ ମର୍ମାହତ ହୋଇଥିଲି ଯେ ମୋ କାମର ପରବର୍ତ୍ତୀ ଫଳାଫଳ ଅନ୍ୟକୁ ଦୁଃଖ ଦେଇପାରେ, ସେଇ କଥାଟା ସେହି ସମୟରେ ମନକୁ ଆସିଲାନି । ମୁଁ ସ୍ଵାର୍ଥପର ହୋଇଗଲି । ତୁମ ପାଖକୁ ଯିବା ପୂର୍ବରୁ ମୁଁ ମାନସୀ ନାମରେ ଫେସବୁକ ସାଙ୍ଗ ହୋଇସାରିଥିଲି । ପ୍ରକୃତରେ ମୋ ନାଁ ମାନସୀ ନୁହେଁ । ଗୋଟିଏ ଦୁର୍ବଳ ମୁହୂର୍ତ୍ତରେ ତୁମଠାରୁ ମୁଁ ସନ୍ତାନ ଆଶା କରି ପରବର୍ତ୍ତୀ ପଦକ୍ଷେପ ନେଲି ।”

ଏକଥା ଶୁଣି ମୋର ନିଜର ପ୍ରେମ କାହାଣୀ ମୋ ମାନସ ପଟରେ ଚଳଚ୍ଚିତ୍ର ଭଳି ଭାସିଆସିଲା । ଛଅ ବର୍ଷ ତଳେ ପୂର୍ବରୁ ଫେସବୁକରେ ଥିବା ମୋର ଜଣେ ବାନ୍ଧବୀ ମାନସୀ ମୋର ଭୂୟସୀ ପ୍ରଶଂସା କରିବାକୁ ଲାଗିଥିଲା । କିଛି ଦିନ ପରେ ସେଇ ଝିଅ ମାନସୀ ଦିନେ ମୋ ପାଖକୁ ଲେଖିଲା, ‘ମୁଁ ଆପଣଙ୍କୁ ଦେଖିବାକୁ ଚାହୁଁଛି । ଆପଣଙ୍କ ପ୍ରେମରେ ମୁଁ ନିଜକୁ ହଜେଇଦେଇଛି । ଆପଣ ମୋତେ ଖରାପ ଭାବିପାରନ୍ତି, କିନ୍ତୁ ମୁଁ ମୋ ମନ କଥା ନକହିଲେ ମନରେ ଶାନ୍ତି ଆସିବନି ।’ ଗେଲରେ ଗେଲରେ ମୁଁ ‘ଆସନ୍ତୁ’ ଲେଖି ମୋ ଠିକଣା ଦେଇଦେଲି ।

ଗୋଟିଏ ବେଡ ରୁମ ଥିବା ଏକ ଘର ଭଡ଼ା ନେଇ ମୁଁ ରହିଥିଲି । ଗୋଟିଏ ରବିବାର ଦିନ ମୁଁ ଦିନ ପ୍ରାୟ ଦୁଇଟା ବେଳେ ଦ୍ଵିପ୍ରହର ଖାଦ୍ୟ ଖାଇସାରି ରୁମରେ ଗଡ଼ୁଥିଲି । ଏହି ସମୟରେ କଲିଙ୍ଗ ବେଲ୍ ବାଜିଲା । ମୁଁ କବାଟ ଖୋଲି ଦେଖିଲି ଗୋଟିଏ ଝିଅ ଠିଆ ହୋଇଛି । ସେ ଝିଅ ନମସ୍କାର କରି କହିଲା, “ମୁଁ ମାନସୀ । ଆପଣ ରମେଶ ବାବୁ ତ ?” ଝିଅଟିର ସାଧାରଣ ଚେହେରା, ଅତି ସୁନ୍ଦରୀ ନଥିଲା, କିନ୍ତୁ ଥରେ ଅନେଇଲେ ଦୃଷ୍ଟି ଫେରେଇହେବନି । ପୂର୍ଣ୍ଣ ଯୌବନ ତା ଦେହରେ ଲହଡ଼ି ଭାଙ୍ଗୁଥିଲା । କବାଟ ଖୋଲି ଭିତରକୁ ଆସିବାକୁ ଅନୁରୋଧ କଲି । କହିଲି, “ହଁ, ମୁଁ ରମେଶ । ଆପଣ ସତରେ ଆସିବେ, ଏ ବିଶ୍ଵାସ ମୋ ମନରେ ନଥିଲା ।” ମାନସୀ ମୋତେ ଅପଲକ ଦୃଷ୍ଟିରେ ଅନେଇ ରହିଥିଲା ।

ମୁଁ ଖଟରେ ବସିଥିଲି । ମାନସୀକୁ ପାଖରେ ବସିବାକୁ କହିଲି । ସେ ମୋ ପାଖରେ ପ୍ରାୟ ଲାଗିହୋଇ ବସିଲା । ସେତେବେଳକୁ ମୋ ଶିରାପ୍ରଶିରାରେ ଉଷ୍ମ ରକ୍ତ ପ୍ରବାହ ଚାଲିଥାଏ । ଗୋଟିଏ ରୁମରେ ଜଣେ ଅବିବାହିତ ପୁଅ ପାଖରେ ଗୋଟିଏ ତରୁଣୀ ଝିଅ ବସିଲେ ମନ ଓ ଶରୀରରେ କି ନିଆଁ ଲାଗେ, ସେ କଥା ଅନୁଭବୀ ହିଁ ହୃଦୟଙ୍ଗମ କରିପାରିବ । ସେ ମୋ ଦୁଇ ହାତକୁ ଧରି ମୋତେ ଚାହିଁରହିଥାଏ । ତାପରେ ତା ମୁହଁ ମୋ ମୁହଁ ପାଖକୁ ଲାଗିଆସିଲା ଓ ଦେଖୁ ଦେଖୁ ତାର ଦୁଇ ଓଠ ମୋ ଦୁଇ ଓଠ ସାଥିରେ ଲଗେଇଦେଲା । “ମୁଁ ତୁମକୁ ଭଲ ପାଏ”, କହି ସେ ମୋର ଦେହ ଚାରିପାଖରେ ତାର ସୁନ୍ଦର ଦୁଇ ବାହୁ ଗୁଡ଼େଇ ମୋତେ ଭିଡ଼ିଧରି ଚୁମ୍ବନ ପରେ ଚୁମ୍ବନ ଦେଇଚାଲିଲା । ମୁଁ କେବଳ ଏକ ଅପୂର୍ବ ଉନ୍ମାଦନାରେ ମଗ୍ନ ହୋଇଯାଇଥିଲି । ମୋର ଭଲ ମନ୍ଦ ଆଦିର ଭାବନା ଶକ୍ତି ଲୋପ ପାଇଯାଇଥିଲା । ସଂପୂର୍ଣ୍ଣ ନିଶାସକ୍ତ ହୋଇଗଲା ଭଳି ଲାଗିଲା । କିଛି ସମୟ ପରେ ସେ ସ୍ଵୟଂ ତାର ଡ୍ରେସ ଖୋଲିଦେଲା ଓ ଦୁହେଁ ବିଛଣାରେ ଧରାଧରି ହୋଇ ଶୋଇ ପଡ଼ିଲୁ । ମୋ ହାତ ପାପୁଲି ତା ଦେହର ବିଭିନ୍ନ ଅଂଶକୁ ଧୀରେ ଧୀରେ ଅନୁଭବ କରିଯାଉଥାଏ ।

ଉତ୍ତେଜନା ପ୍ରଶମିତ ହେବା ପରେ ତଳକୁ ମୁହଁ କରି ମାନସୀ କହିଲା, “ମୋତେ କ୍ଷମା କରିଦିଅନ୍ତୁ, ମୁଁ ଆପଣଙ୍କୁ ଏତେ ଭଲ ପାଏ ଯେ ନିଜକୁ ନିୟନ୍ତ୍ରଣ କରିପାରିଲିନି ।” ସେ ତା’ର ଡ୍ରେସ ପିନ୍ଧିନେଇ କହିଲା, “ମୁଁ ଏଠି କିଛି ଦିନ ନିମନ୍ତେ ଜଣେ ବନ୍ଧୁଙ୍କ ଘରକୁ ଆସିଛି । ଆଜି ଯାଉଛି, କାଲି ଆସିବି ।”

- “ଯାହା ହେଲା ସେଥିପାଇଁ ମୁଁ ବି ଦୁଃଖିତ । ମୋର ବି ନିଜକୁ ନିୟନ୍ତ୍ରଣ କରିବାର ଥିଲା । ଆପଣ ଆଉ ଆସନ୍ତୁନି । ଯେତେ ଭଲ ପାଇଲେ ବି ଆମର ବିବାହ ହୋଇନାହିଁ । ବିବାହ ପୂର୍ବରୁ ଏହି ମିଳନକୁ ପାପ କୁହାଯାଏ ।”

- “ମୁଁ ଆପଣଙ୍କ ବିନା ମୁହୁର୍ତ୍ତେ ବଞ୍ଚିପାରିବିନି । ଆମେ କାଲି ମନ୍ଦିରକୁ ଯାଇ ଫୁଲମାଳା ବଦଳ କରି ଗାନ୍ଧର୍ବ ମତରେ ବିବାହ କରିବା । ତାପରେ ଏହା ପାପ ହୋଇ ରହିବନି ।”

ଏଇଠାରେ ମୋର ଗୋଟିଏ ବିରାଟ ଭୁଲ ହୋଇଥିଲା । ମୋ ମନରେ ଥରେ ହେଲେ ପ୍ରଶ୍ନ ହେଲାନି, ଯେ ଜଣେ ତରୁଣୀ ଝିଅ ଏମିତି ଅକସ୍ମାତ ପ୍ରଥମ ଥର ଦେଖାକରିବାକୁ ଆସି, ଭଲରୂପେ ପରିଚିତ ନହୋଇ, ସିଧା ସଳଖ ଆସି ପ୍ରେମାସକ୍ତ ହେବ କାହିଁକି ? ମୁଁ କହିଲି, “ଘରେ ନ ଜଣେଇ କେମିତି ବାହା ହେବା ?” ସେ ଉତ୍ତର ଦେଲା, “ମୁଁ ତ ଏଠିକୁ ଆସିଛି ମୋ ସାଙ୍ଗର ବିବାହରେ ଯୋଗଦାନ କରିବାକୁ । ମୋ ଘର କଟକ । ମୁଁ ଏଠାରୁ ଯିବା ପରେ ଘରେ କହି ସାମାଜିକ ଭାବରେ ବାହା ହେବା । ଆପଣ କିଛି ବ୍ୟସ୍ତ ହେବେନି । ମୁଁ ତ କହିଛି, ଆପଣଙ୍କ ବିନା ମୁଁ ବଞ୍ଚିପାରିବିନି ।” ପ୍ରତ୍ୟେକ ଦିନ ସେ ଆସେ ଓ ଆମର ମିଳନ ହୁଏ । ଅଳ୍ପ ସମୟ ରହି ସେ ଚାଲିଯାଏ । ଘର କେଉଁଠି, ବାପା ମାଆ କଅଣ କରନ୍ତି, ଆମେ କଅଣ କରୁ – ଏମିତି ଅନେକ ପ୍ରଶ୍ନ ଆମେ ଦୁହେଁ କେହି କାହାକୁ ପଚାରିନଥିଲୁ ବା ଉତ୍ତର ଖୋଜି ନଥିଲୁ । ଜଣେ ଯୁବତୀ ଭଲ ନ ପାଇ ଅଯାଚିତ ଭାବରେ କେମିତି ନିଜକୁ ସମର୍ପଣ କରିବ ? ତେଣୁ ତା ଉପରେ ମୋର ଅହେତୁକ ଭାବରେ ସଂପୂର୍ଣ୍ଣ ବିଶ୍ଵାସ ଆସିଯାଇଥିଲା । ହଠାତ ଦିନେ ତାର ଆସିବା ବନ୍ଦ ହୋଇଗଲା ଓ ଫେସବୁକରେ ପ୍ରଶ୍ନ କଲେବି କିଛି ଉତ୍ତର ମିଳିଲାନି ।

ବର୍ତ୍ତମାନ ମାନସୀ ତଳକୁ ମୁହଁ କରି କହିବାକୁ ଲାଗିଲା, “ତୁମର ମନେ ଥିବ, ମୁଁ ତୁମ ପାଖରେ ୧୯ ଦିନ ରହିଥିଲି । ଏହି ସମୟ ପରିଧିରେ ମୋର ନିୟମିତ ପିରିଅଡ଼ ହେବା କଥା କିନ୍ତୁ ଯେତେବେଳେ ହେଲାନି, ମୁଁ ସନ୍ତାନ ସମ୍ଭବା ହୋଇଯାଇଥିବା କଥା ଜାଣିଗଲି । ସ୍ଵାର୍ଥପର ମୁଁ, ତୁମକୁ ଛାଡ଼ିଦେଇ ଏଠାକୁ ଚାଲି ଆସିଲି । କିନ୍ତୁ ତୁମ ଆଗରେ ଗୋଟିଏ କଥା ତ୍ରିବାର ସତ୍ୟ କରି କହୁଛି, ଠାକୁରଙ୍କ ଆଗରେ ଫୁଲମାଳା ବିନିମୟ ପରେ ଓ ତୁମ ସାଥିରେ ୧୯ ଦିନ ଶୋଇବା ପରେ ମୁଁ ତୁମକୁ ସ୍ଵାମୀର ଆସନରେ ବସେଇ ସାରିଛି । ତୁମେ ମୋ ଭଳି ଗୋଟିଏ ସାଧାରଣ ଝିଅକୁ ମାଆ ହେବାର ଗୌରବ ଦେଇଛ । ବିବାହ କଲେ ଗୋଟିଏ ଝିଅକୁ ସ୍ତ୍ରୀର ଗୌରବ ମିଳେ କିନ୍ତୁ ସ୍ତ୍ରୀ ଜନ୍ମର ସାର୍ଥକତା ଓ ଗୌରବ କେବଳ ମାଆ ହେଲେ ହିଁ ମିଳେ । ଜଣେ ସ୍ଵାମୀ ମୋତେ କେବଳ ସ୍ତ୍ରୀର ଆସନ ଦେଇଛି କିନ୍ତୁ ତୁମେ ମୋତେ ସ୍ତ୍ରୀ ଓ ମାଆ ହେବାର ଗୌରବ ଦେଇଛ । ତୁମ ପୁଅ ମୁହଁକୁ ଅନେଇଲା ମାତ୍ରେ ତୁମେ ମନେ ପଡ଼ୁଛ । ରକ୍ଷଣଶୀଳ ଓଡିଆ ଘର ଝିଅ ହୋଇ ଓ ସାମାଜିକ ବନ୍ଧନ ଭିତରେ ଆବଦ୍ଧ ହୋଇ ମୁଁ ତୁମ ପ୍ରତି କିଛି କର୍ତ୍ତବ୍ୟ କରିପାରିଲିନି, କିନ୍ତୁ ତୁମକୁ ମନ ଆସନରେ ବସେଇ ସବୁଦିନ ପୂଜା କରୁଛି । ସବୁଦିନ ତୁମକୁ ସ୍ଵପ୍ନରେ ଦେଖି ଛଟପଟ ହେଉଛି ଓ ମୋର ଦୋଷ ପାଇଁ ଭଗବାନଙ୍କ ପାଖରେ କ୍ଷମା ମାଗିଚାଲିଛି ସେଇଦିନୁ, ଗୋଟିଏ ଦିନ ବି ଛାଡ଼ ନାହିଁ ।”

“ଗୋଟିଏ କଥା ସେତେବେଳେ ଭାବିଥିଲି ପୁଅଗୁଡାକ ସାଧାରଣତଃ ନୁଙ୍ଗୁଡ଼ା । ତାର କେଡ଼େ ସୁନ୍ଦର ଚେହେରା । ତାକୁ କଅଣ ଝିଅ ମିଳିବେନି ! ମୁଁ ତାକୁ ଛାଡ଼ି ଚାଲିଆସିଲେ ବି ସେ ଆଉ କାହାକୁ ବାହା ହୋଇ ଘର ସଂସାର କରି ମୋତେ ଭୁଲିଯିବ । କିନ୍ତୁ ଭାଗ୍ୟ ଏମିତି କଡ଼ ଲେଉଟେଇବ, ମୁଁ କେବେ କଳ୍ପନା କରିନଥିଲି। ଗୋଟିଏ କଥା ଦେଖିବ ?” କହି ସେ ତା’ର ଗୋଟିଏ ଛୋଟ ବ୍ରିଫକେଶ ଖୋଲି କିଛି ସମୟ ଖୋଜି ମୋର ଗୋଟିଏ ଫୋଟୋ କାଢ଼ି ଦେଖେଇଲା ଯେଉଁଥିରେ ଫୋଟୋ ପଛ ପାଖରେ ଛୋଟ ଛୋଟ ଅକ୍ଷରରେ ଲେଖାଥିଲା ‘ମୋର ଅନ୍ତରଙ୍ଗ’ ।

ମୁଁ କହିଲି, “ହାଏ ! ତୁମେ ଏ କଅଣ କରିଛ ? କି ଭୁଲ କରିଛ !” ମାନସୀ ପ୍ରଶ୍ନ କଲା, “କି ଭୁଲ ?”

-“ଜାଣିପାରୁନ ? ତୁମ ଅନୁପସ୍ଥିତିରେ ତୁମ ସ୍ଵାମୀ ନିଶ୍ଚୟ କୌଣସି ସମୟରେ ଏହି ଫୋଟୋ ଦେଖି ତୁମକୁ ସନ୍ଦେହ କରିଛନ୍ତି । ଏହି ‘ମୋର ଅନ୍ତରଙ୍ଗ’ ଦେଖି ତାଙ୍କର ମୁଣ୍ଡ ଗରମ ହୋଇଯାଇଛି । ଯିଏ ହେଲେବି ଏମିତି ହେବ । ତୁମ ଫେସବୁକ ସାଇଟରେ ମୋ ଫୋଟୋ ଦେଖି ଖୋଜାଖୋଜି କରି ମୋ ନାଁ ଜାଣିଛନ୍ତି । ମୋ ସାଥିରେ ବନ୍ଧୁତା ସ୍ଥାପନ କରି ଏ ଷଡ଼ଯନ୍ତ୍ର କରିଛନ୍ତି ଆମକୁ ଟ୍ରାପ କରିବାକୁ ।” ସେ ମୋ ମୁହଁକୁ ବିକଳ ଆଖିରେ ଦୋଷୀ ଭଳି ଅନେଇରହିଥିଲା ।

-“ହଉ, ଯାହା ବିତିଗଲା ତ ବିତିଗଲା । ଏ ଜନ୍ମରେ ଆମର ଆଉ ବୋଧହୁଏ ଭେଟ ହେବନି । ମୁଁ ଯାଉଛି, ନହେଲେ ତୁମ ସ୍ଵାମୀ ଆସି ମୋତେ ମର୍ଡ଼ର୍ କରିଦେବ । ସନ୍ଦେହ, ଅବିଶ୍ଵାସ ହେଉଛି ସକଳ କ୍ରାଇମର ମୁଖ୍ୟ କାରଣ । ତୁମେ କେତେଯେ ମାନସିକ ଯନ୍ତ୍ରଣା ସହି ଏହି ପଥରେ ଗୋଡ଼ ଦେଇଥିଲ, ସେକଥା ତୁମ ସ୍ଵାମୀ ବୁଝିପାରିବେନି । ସମସ୍ତେ ପଣ୍ଡୁ ନୁହନ୍ତି ଯେ ପର ପୁରୁଷ ପାଖରେ ଶୋଇବାକୁ ଛାଡ଼ିଦେବେ । ତଥାପି ଯଦି ତୁମର କୌଣସି ଅସୁବିଧା ହୁଏ, ମୋ ଦ୍ଵାର ତୁମପାଇଁ ସବୁବେଳେ ଖୋଲା । ତୁମେ ମୋର ପ୍ରଥମ ଓ ଶେଷ ସ୍ତ୍ରୀ । ଏବେ ମୁଁ ହୃଦୟଙ୍ଗମ କରିପାରୁଛି, କାହିଁକି ଆମର ପ୍ରଥମ ଦେଖାରେ ତୁମେ ଏତେ ଶୀଘ୍ର ମୋ ପାଖରେ ନିଜକୁ ସମର୍ପଣ କରି ଦେଇଦେଇଥିଲ । ସମୟ ତୁମ ପାଇଁ ମୂଲ୍ୟବାନ ଥିଲା । ମୁଁ ତୁମର ସବୁ ଦୋଷ କ୍ଷମା କରିଦେଉଛି । ମଣିଷ ମାତ୍ରେ ସ୍ଵାର୍ଥୀ ଓ ଭୁଲ କରିବା ସ୍ଵାଭାବିକ, ଏହା ସୃଷ୍ଟିର ନିୟମ । ହଉ, ବିଦାୟ ।”

ଏତିକିବେଳେ ମାନସୀ କହିଲା, “ମୋର ଗୋଟିଏ ଅନୁରୋଧ, କହିବାକୁ ଗଲେ ଶେଷ ଅନୁରୋଧ, ତୁମେ ବିବାହ କର, ଏମିତି କେତେ ଦିନ ମୋତେ ଝୁରି ଝୁରି ହା-ହୁତାଶରେ ଦିନ କାଟିବ ? ମୋ ରାଣ । ମୋତେ ଦେଇଥିବା ତୁମ ସନ୍ତକର ମୁହଁକୁ ଦେଖି ଦେଖି ମୁଁ ବଞ୍ଚିଯିବି, ତୁମେ କାହାକୁ ନେଇ ବଞ୍ଚିବ ?” କିଛି ଉତ୍ତର ଦେବାକୁ ଭାଷା ନଥିଲା ମୋ ପାଖରେ, ନା ଉପଯୁକ୍ତ ସମୟ ଥିଲା, ନା ଇଚ୍ଛା ଥିଲା । ଚୁପ୍‌ଚାପ୍ ବାହାରକୁ ପଳେଇ ଆସିବାକୁ ସମୀଚୀନ ମନେକଲି ।

“ମୋ ପଛେ ପଛେ କବାଟ ବାହାରକୁ ଆସନି । ବାହାରେବି କ୍ୟାମେରା ଥାଇପାରେ । ଆମେ ଦୁହେଁ ଏକାଠି ଥିବାର କୌଣସି ଚିହ୍ନ ରଖିବାନି । ଇଲେକଟ୍ରିକ କରେଣ୍ଟ ଅଫ କରିଦେଇଥିବାରୁ ଘର ଭିତରେ ଆମ କଥା କିଛି ରେକର୍ଡ ହୋଇନଥିବ, ଭାବୁଛି । ମୁଁ ଯାଉଛି ।” ଦୁଇ ହାତରେ ମାନସୀର ଦେହକୁ ଗୁଡ଼େଇ ଧରି ଗୋଟିଏ ଗଭୀର ବିଦାୟ ଚୁମ୍ବନ ଦେବା ପରେ ଦୀର୍ଘଶ୍ଵାସ ପକେଇ ମୁଁ ଫେରିଆସିବାକୁ ଚେଷ୍ଟା କଲି । ମାନସୀ ମୋର ଦୁଇ ବାହୁକୁ ଭିଡ଼ି ଧରିଥାଏ ଓ ମୋ ବାହୁଦ୍ଵୟକୁ ମୁଁ ଧୀରେ ଧୀରେ ତା ହସ୍ତ ବନ୍ଧନରୁ ଖସେଇ ଆଣି ରୁମ ବାହାରକୁ ପଳେଇ ଆସିଲି । ହତାସ ଆଖିରୁ ତା’ର ଲୁହର ବନ୍ୟା ଛୁଟୁଥାଏ । ଘରୁ ବାହାରିବା ବେଳକୁ ତାର ଧକେଇ ହେଉଥିବା ଚାପା କ୍ରନ୍ଦନ ଶବ୍ଦ ମୋ କାନରେ ବାଜୁଥାଏ । ଜୀବନରେ ଅନେକ କିଛି ପାଇଲି ବି ଓ ପାଇଲିନି ବି । ପତ୍ନୀ ପାଇଲି ଓ ପାଇଲିନି ବି, ପୁଅ ପାଇଲି ଓ ପାଇଲିନି ବି । ଆଗକୁ ଭାଗ୍ୟରେ କଅଣ ଅଛି, ଜଣା ନାହିଁ ।

ଟାକ୍‌ସି ଡାକି କହିଲି, “ଏୟାରପୋର୍ଟ ଚଲାଓ ।” ଡ୍ରାଇଭର କହିଲା, “କ୍ୟା ହୁଆ ସାହେବ ? ଆପ ରୋ ରହେ ହାଏଁ !” (“କଅଣ ହେଲା ସାହେବ? ଆପଣ କାନ୍ଦୁଛନ୍ତି !”) ତା’ର ଉତ୍ତରରେ ମୁଁ ଖଣ୍ଡିଆ ହିନ୍ଦୀ ଭାଷାରେ ବାଷ୍ପାକୁଳ ନୟନରେ ଯାହା କହିଲି ତା’ର ଓଡ଼ିଆ ଅନୁବାଦ ହେବ – “ମୁଁ କିଛି ବର୍ଷ ତଳେ ଏଇ ପ୍ରକୃତ ଦୁନିଆକୁ ଛାଡ଼ି ଉଣେଇଶ ଦିନ ପାଇଁ ଭାର୍ଚୁଆଲ ବା ଅସତ୍ୟ ଦୁନିଆକୁ ଭୁଲ୍‌ରେ ପଳେଇଥିଲି ଭାଇ । ସତ ଦୁନିଆରେ ତ କେହି କାହାର ନୁହେଁ, ଆଉ ଅସତ୍ୟ ଦୁନିଆର ଗୋଟିଏ ଝିଅକୁ ସ୍ତ୍ରୀ କଲେ ବା କେତେଦିନ ରହିବ ? ସେଇ ଉଣେଇଶ ଦିନର ପରବର୍ତ୍ତୀ ହଜିଲା ଛଅ ବର୍ଷର ହିସାବ ପାଇଗଲି ଭାଇ । ସେଇ ସ୍ମୃତି ସବୁ ହୃଦୟ ଭିତରେ ଘାଆ କରିଦେଇଥିଲା । ଏବେ ସେଇ ଦିନମାନଙ୍କର କଥା ମନେପଡ଼ିବାରୁ ବହୁତ କଷ୍ଟ ହେଉଛି । ଜୀବନରେ ବହୁତ ଭୁଲ ହୋଇଗଲା । ସେଇ କଥା ସବୁ ମନେପଡ଼ିବାରୁ ସ୍ଵତଃ ଅଶ୍ରୁ ବିସର୍ଜନ ହେଉଛି ।” ସେ କହିଲା, “ସମୟ ଦିଲକା ହର ଘାଓ ଭର ଦେତା ହାଏ ସାହେବ, ସବୁର କିଜିଏ ।” (“ସମୟ ଦିଲ୍‌କା ହର୍ ଘାଓ ଭର୍ ଦେତା ହାଏ ସାହେବ୍, ସବୁର୍ କିଜିଏ ।”)

ମୋ ପାଟିରୁ ବାହାରିଗଲା, “ହଁ ଭାଇ ଠିକ କହିଛ, ଗତସ୍ୟ ଶୋଚନା ନାସ୍ତି ।”

ଡା ସୁବାସ ଚନ୍ଦ୍ର ରାଉତ

ଫୋନ – ୭୯୭୮୦୫୯୮୫୧


Rate this content
Log in

Similar oriya story from Inspirational