କନ୍ୟାରତ୍ନ
କନ୍ୟାରତ୍ନ
ସୁଧାକର ରାଉତ
ତଥାଗତ ବୁଦ୍ଧ ଜନପଦ ପରିଭ୍ରମଣ ପୂର୍ବକ ସାତ୍ତ୍ଵିକ ଜୀବନଯାପନ ଓ ଭଗବତ ପ୍ରାପ୍ତି ନିମନ୍ତେ ବିଭିନ୍ନ ମାର୍ଗ ସମ୍ବନ୍ଧରେ ଲୋକମାନଙ୍କୁ ଉପଦେଶ ଦେଉଥିଲେ । ପ୍ରସେନ୍ଜିତ୍ ଥିଲେ ଜଣେ ଶ୍ରେଷ୍ଠୀ । ସେ ପ୍ରତିଦିନ ବୁଦ୍ଧଙ୍କ ଉପଦେଶ ଶୁଣିବା ପାଇଁ ଆସୁଥିଲେ ଓ ଆଗଧାଡିରେ ବସୁଥିଲେ । ତଥାଗତଙ୍କୁ ପ୍ରତ୍ୟହ ପ୍ରଣିପାତ କରୁଥିଲେ । ତାଙ୍କର ଶ୍ରଦ୍ଧା ଓ ଭକ୍ତି ଦେଖି ସମସ୍ତେ ଚକିତ ହୋଇଯାଉଥିଲେ । ତାଙ୍କର କିନ୍ତୁ ଭିନ୍ନ ପ୍ରକାରର ଉଦ୍ଦେଶ୍ୟ ଥିଲା । ସେ ଯେ , ପୁତ୍ର ସନ୍ତାନଟିଏ କାମନା କରି ଏପରି ଆନୁଗତ୍ୟ ଭାବ ପ୍ରଦର୍ଶନ କରୁଛନ୍ତି ଏ କଥା ସମସ୍ତଙ୍କୁ ଅଜ୍ଞାତ ଥିଲା ।
ସମୟାନୁକ୍ରମେ ପ୍ରସେନ୍ଜିତ୍ଙ୍କ ପତ୍ନୀ ଏକ କନ୍ୟା ସନ୍ତାନ ପ୍ରସବ କଲେ । ପ୍ରସେନ୍ଜିତ୍ ଏଥିରେ ଅତ୍ୟଧିକ ମର୍ମାହତ ହୋଇପଡିଲେ ଓ ପ୍ରବଚନ ସଭାକୁ ଆଦୌ ଆସିଲେ ନାହିଁ । ବହୁଦିନ ବିତିଯିବା ପରେ ନିଜର ଦୁଃଖ ଲାଘବ ହେବାରୁ ସେ ପୁନଶ୍ଚ ପ୍ରବଚନ ସଭାକୁ ଆସିଲେ । ବୁଦ୍ଧଙ୍କୁ ଦର୍ଶନ କରିବା ମାତ୍ରେ ସେ ତାଙ୍କର ମନକଥା ଜାଣିପାରିଲେ । ସେ କହିଲେ , ‘ ପୁତ୍ର ତୁଳନାରେ କନ୍ୟା ଅଧିକ ଶ୍ରେଷ୍ଠ । ଯଦି ସମସ୍ତଙ୍କ ଗୃହରେ ସେମାନଙ୍କ ଇଚ୍ଛାନୁସାରେ କେବଳ ପୁତ୍ର ସନ୍ତାନ ଜନ୍ମଲାଭ କରିବେ ତେବେ ଏ ସୃଷ୍ଟିର ଅନ୍ତ ହେଲା ବୋଲି ମନ କରିବାକୁ ହେବ । ବାଳକ ଓ ବାଳିକା ବଡ ହୋଇ ଗାଡିର ଦୁଇ ଚକ ଭଳି ସମାଜକୁ ଚଳାଇଥାନ୍ତି । ସୃଷ୍ଟିକର୍ତ୍ତା ସମସ୍ତଙ୍କ ପାଟିରେ ସମାନ ସମାନ ଦାନ୍ତ ଦେଇଛନ୍ତି । ତୁମେ ତୁମର ବିଶ୍ୱାସକୁ ପରିବର୍ତ୍ତନ କର । ତାହାହେଲେ ଅଜ୍ଞାନଜନିତ ଅନ୍ଧକାରରୁ ମୁକ୍ତ ହୋଇପାରିବ ।’ ପ୍ରସେନ୍ଜିତ୍ଙ୍କ ମନରେ କନ୍ୟା ପ୍ରତି ଥିବା ତାଙ୍କର ଭ୍ରାନ୍ତ ଧାରଣା ସଂପୂର୍ଣ୍ଣ ପରିବର୍ତ୍ତିତ ହେଲା । ଏହା ପରେ ସେ କନ୍ୟାକୁ ପୁତ୍ର ଅପେକ୍ଷା ଅଧିକ ସ୍ନେହ , ଶ୍ରଦ୍ଧା ପ୍ରଦାନ କଲେ । ପ୍ରକୃତରେ ସମାଜର ସର୍ବାଙ୍ଗୀଣ ଉନ୍ନତି ନିମନ୍ତେ ନାରୀମାନଙ୍କର ଯେ ଅସାଧାରଣ ଭୂମିକା ରହିଛି ଏ କଥା ସମସ୍ତେ ହୃଦୟଙ୍ଗମ କରିବା ଉଚିତ । ସେମାନଙ୍କୁ ପ୍ରଗତିଶୀଳ କରିବା ନିମନ୍ତେ ସମୁଚିତ ସୁଯୋଗ ଓ ଯଥାସମ୍ଭବ ପ୍ରୋତ୍ସାହନ ପ୍ରଦାନ କରିବା ଆମ୍ଭମାନଙ୍କର ପ୍ରଥମ ଓ ପରମ କର୍ତ୍ତବ୍ୟ ହେବା ଉଚିତ୍ ।