Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Mishra

Tragedy

5.0  

Paramita Mishra

Tragedy

ପ୍ରତୀକ୍ଷାର ଅନ୍ତ

ପ୍ରତୀକ୍ଷାର ଅନ୍ତ

5 mins
1.6K


ମୋ ଜେଜେ ବାପାଙ୍କର ଗାଁରେ ଭଲ ନାଁ ଥାଏ। ଆଖପାଖ ଲୋକେ ନାଆଁ କହିଲେ ଚିହ୍ନନ୍ତି। ମୋ ପିଲାଦିନ ଗାଁରେ ବିତିଛି। ସହରର ଛଳନାରୁ ଦୁରେ ଗାଁର ବାସ୍ତବ ଦୁନିଆରେ ସରଳ ଲୋକ ମାନଙ୍କ ଭିତରେ ବଢିଛି। ପିଲାବେଳୁ ମୁଁ ତାକୁ ଦେଖି ଆସିଛି। ଯୌଥ ପରିବାର ଯେତେବେଳେ ସବୁ ଭଲମନ୍ଦ, ପୁଜାପର୍ବ, ବିଭାବ୍ରତରେ ତାର ଉପସ୍ଥିତି ଅନିବାର୍ଯ୍ୟ। କୁଅରୁ ପାଣି କଢା ଠୁ ନେଇ ପରିବାକଟା ତଥା ସାହିରେ ନୁଆ ବୋହୂର ଭାର ବଣ୍ଟା ସବୁଥିରେ ନିପୁଣ ସେ। କୋଉ କାମ ବଳି ଯାଏନି ତମ୍ପା ନାନୀକୁ।

ଆରେ ନା ନା ତମ୍ପା ସାପର ନାମ ନୁହେଁ ଏଠି ମୁଁ କହି ରଖେ ତାହା ଏକ ସୁସ୍ଵାଦୁ ଓଡିଆ ମିଷ୍ଟାନ୍ନର ନାମ। ଆମ ଗାଁ ଏକ ଚାଷ ବହୁଳ ଗାଁ ତେଣୁ ଏଠି ଲୋକ ମାନେ ସାରା ଦିନ ଚାଷ ଜମିରେ ଖଟନ୍ତି। ସେମାନଙ୍କ ନିତି ଦିନିଆ ଆହାର ହେଲା ମାଣ୍ଡିଆ ଜାଉ। ମାଣ୍ଡିଆକୁ ଘୋରି ପଖାଳରେ ତୋରାଣି ଦେଇ ତା ସାଥିରେ କଞ୍ଚା ପିଆଜ କି ପୋଡ଼ା ଶୁଖୁଆ ଆଃ, ସାରା ଦିନ ଆଉ ଭୋକ ନାଇଁ। ଏଇ ମାଣ୍ଡିଆରେ ଆଉ ଏକ ମିଠା ବ୍ୟଞ୍ଜନ ବନେ। ମାଣ୍ଡିଆ ଚୁନାକୁ ଫୁଟିଲା କ୍ଷୀରରେ ଚିନି, ଅଲେଇଚ୍ ଆଉ ଶୁଖିଲା ଫଳ ଦେଇ ସେଥିରେ ଘଣ୍ଟା ଯାଏ। ଥାଳିରେ ଗୁଆ ଘିଅ ଲଗେଇ ତାକୁ ସେଥିରେ ସମତଳ କରି ରଖାଯାଏ।ସମ୍ପୂର୍ଣ୍ଣ ଥଣ୍ଡା ହେଲା ପରେ ତାକୁ ଗଡି ଗଡି କରି ଖିଆଯାଏ। ସତରେ ଭାରି ସୁଆଦିଆ ଏ ବ୍ୟଞ୍ଜନଟି। କହିବା ବାହୁଲ୍ୟ ପାଠକ କେହି କେହି ଏହି ତମ୍ପା ନାମ ସହ ପରିଚିତ ନଥିବେ ତେଣୁ। ଯଦିଓ ତମ୍ପା ରୁପରେ ଅତ୍ୟନ୍ତ କୁରୁପ କିନ୍ତୁ ସେ ଗୁଣର ଖଣି। ବଡ ଆଶ୍ଚର୍ଯ୍ୟର କଥା ଯେ ମୋ କାହାଣୀର ନାୟିକା ତମ୍ପା ନାନୀ ଦେଖିବାକୁ ଖୁବ୍ ସୁନ୍ଦର ଗୁଣରେ ବି ଭଲ କିନ୍ତୁ ତା ନାଁଟି ଯେ କାହିଁକି କେଜାଣି ତମ୍ପା!

ତା ସହ ମୋର ସମ୍ପର୍କ ଯେ କଣ ମୁଁ ବିଶେଷ ଜାଣେନା। ମୋ ଜେଜେଙ୍କୁ କକା ଡାକେ, ମୋ ବୋଉ, ଖୁଡୀକୁ ସେ ଭାଉଜ ଡାକେ ଆଉ ଘରେ ସବୁ ତାକୁ ନାନୀ ଡାକନ୍ତି ତ ମୁଁ ବି ତାକୁ ନାନୀ ଡାକେ। ବୋଉ ତାର ପରିଚୟ ଥରେ କହିଥିଲେ କିନ୍ତୁ ସେସବୁ କଥା ମୋ ମୁଣ୍ଡ ଉପର ଦେଇ ଚାଲିଗଲା। ତେଣୁ ମୁଁ ବି ଆଉ ତା ପରିଚୟ ଜାଣିବାକୁ ଚାହିଁଲିନି। ସେ ଥିଲା ଆମ ତମ୍ପା ନାନୀ।

କପାଳରେ ମେଞ୍ଚାଏ ସିନ୍ଦୁର ଯେ ଚୁଟି ଧୋଇଲେ ବି ତାର ସେ ସିନ୍ଦୁର ଯାଏନି। ଗୋଡରେ ଅଳତା ରଙ୍ଗ କେବେ ଫିକା ପଡ଼େନି ତାର, ଗଭାରେ ନିତି କି ନାଇଁ କି ଫୁଲଟେ ମାରି ହିଁ ଥିବ ଆଉ ଦେହ ତ ତାର ଏମିତି ରେ ବି ହଳଦୀ ରଙ୍ଗର। ଆମ ଘରଠୁ ଅଳ୍ପ ଦୁରରେ ତାର ଘର। ନିତି କାଖରେ ଗୋଟେ ଲୁଗାକୁ ଜାକି ଆର ହାତରେ ମେଞ୍ଚେ ଗୁଡାଖୁ ଧରି ଆମରି ଘର ଦେଇ ବନ୍ଧକୁ ଗାଧେଇବାକୁ ଯାଏ। ମତେ ଦେଖିଲେ ପଚାରିବ "ଝିଅ ବଇଚୁ, ଅଇଥା ମୁଁ ଆଉଚି ତୋ ମୁଣ୍ଡ ଆମ୍ପିଦେବି"।

ସାବିତ୍ରୀ କି ଦଶହରା ପୁଜା ଆମ ଘରେ ହୁଏ। ସମସ୍ତଙ୍କ ଆଗରେ ଆସି ସବୁ ଗଲା ପରେ ସେ ଯାଏ।ବଡ ସୁନ୍ଦର ଦିଶୁଥାଏ ସେ ସେଦିନ ସତେ। ସାହି ମାଇକିନା ମାନେ ତାକୁ ଦେଖି ଟୁପୁରୁଟାପର ହୁଅନ୍ତି "ଉହହ୍ ତୁଛାକୁ ଏତେ, ମୁଦି ନାହିଁ ଗୋଡ କଚାଡୁ କେତେ। ଗେରସ୍ତ ମଲାଣି କି ଗଲାଣି ମାଇପର ରଂଗ ସରୁନି। ଦେଖୁନ ବୁଢିଟେ ହେଲାଣି ଆହୁରି କେତେ ସଜେଇ ହେବାକୁ ମନ।" ତମ୍ପା ନାନୀ ସତେକି ଶୁଣି କି ବି ନଶୁଣିଲା ପରି ଅଭିନୟ କରେ। ହଁ ଏଇ ଦାନ୍ତ ନେଫେଡେଇ ହସିହସି କଥାକହି ସବୁଥିରେ ଧୁରନ୍ଧର ନାନୀର ଜୀବନ କିନ୍ତୁ ଭାରି ଦୁଃଖଦାୟକ। ପିଲାଟେ ହେଇଥିଲା ବିଭା ହୋଇ ଗେରସ୍ତ ସାଙ୍ଗେ ଏ ଗାଁକୁ ଆସିଥିଲା। ସାନ ପୁଅ ଜନ୍ମ କରିବାକୁ ମାଆ ଘରେ ଅଛି ଶୁଣିଲା ତା ସ୍ଵାମୀ କୁଆଡେ ଚାଲିଜାଇଛି। ଶାଶୁ ତ ତଣ୍ଟିଆ ଦେଇ ଘରୁ କାଢୁଥିଲା ହେଲେ ହାତରେ ସୁନ୍ଦର ଗୁଲୁଗୁଲିଆ ନାତି ଟୋକାକୁ ଦେଖି ତା ମନ ତରଳିଗଲା। ଅଛି ଯେ ଅଛି ସେ ଏବେ ଆସି ବୁଢିଟେ ହେଲାଣି। ଜୋଡିଏ ପୁଅ ଜନମ କରିଥିଲା। ସାନ ପୁଅ ତ ମାଇପକୁ ଧରି ଆଉ କୋଉଠି ଯାଇ ରହୁଛି ଆଉ ବଡ ପୁଅଟା ଭଲକୁ ନାଇ କି ଭାଲକୁ ନାଇ। ତା ନାଁ ଟା ବି ଭୁଲା। ଗୋଟେ ହାତ ପୁଣି କେମ୍ପା। ହେଲେ ଧକ୍କା ମାରିଲେ ବି ମାଆକୁ ଛାଡିକି ଯାଏନି। ନାନୀ କେତେ ଥର ତାକୁ ଘଉଡାଏ "ତୁ ଯା ତୋ ଜୀବନ ତୁ ଜିଁ" ରାଗିକି ଚାଲିଯାଏ। ଭିକଭୁକ ମାଗି କେତେ ଜିନିଷ ଏକାଠି କରି ପୁଣି ଫେରିଆସେ ଭୁଲା ତା ମାଆ ପାଖକୁ। ପଚାରିଲେ କହେ ମୋ ନନାକୁ ଖୋଜି ଜାଇଥିଲି। ଏ ଜିନିଷ ସବୁ ମୋ ନନା ଦେଇଚି ମୋ ବୋଉ ପାଇଁ। "ନାନୀ କାନିରେ ଭୁଲାର ମୁହଁ ଦେହକୁ ପୋଛିପକାଏ ଆଉ ପାଛୋଟି ଘରକୁ ନିଏ ତାକୁ। ଆଖିର ଲୁହକୁ ଠଙ୍ଗୀରେ ପୋଛି ପକାଏ ନାନୀ।

ପ୍ରତିବର୍ଷ ଆମ ଘରୁ ଚାରି ଛଅ ଖଣ୍ଡ ଲୁଗା ତା ପାଇଁ ହେଉଥିଲା। ସେମିତି ଗାଁର ଆଉ କେତେ ଘରେ ବି ତାର ଆଦର ଥିଲା। ନହେଲେ ବି ସେ ଅଧିକାର ଦେଖେଇ ମୋ ଜେଜିମାକୁ କହେ ଏ ଖୁଡି ଏ ବର୍ଷ ଭଲ ଲୁଗା ଖଣ୍ଡେ କରି ଦେବୁ ଯେ, ତୋ ଜୋଇଁ ଆଇବ କଇଚି "।ଧିରେ ଧିରେ ସମୟ ବଦଳୁ ଥିଲା। ମୁଁ ବି ପାଠ ଶାଠ ପାଇଁ ବାହାରକୁ ଚାଲିଆସିଲି। ମଝିରେ ମଝିରେ ଗାଁକୁ ଗଲେ ବି ବେଶି ସମୟ ନଥାଏ। କିଛି ବର୍ଷ ଉତାରୁ ଥରେ ଗାଁକୁ ଜିବାର ସୁଯୋଗ ମିଲିଲା। ଏକ ଭୋଜିର ମଉକା ଥିଲା। ଘରେ କଥାହେଉଥିବା ମୋ କାନରେ ପଡିଲା" ତମ୍ପା ନାନୀ ଥିଲେ ତାକୁ ଏତକ କାମ ବଳକା ଖାଲି ସୁନ୍ଦର ଲୁଗା ଖଣ୍ଡେ ଦେଇଦେଲେ ଉଛୁଳି ଉଛୁଳି ସବୁ କାମ କରିଦେଇଥାନ୍ତି।" ମୋ ଆଖି ଆଗରେ ନାନୀର ରୁପଟେ ଆଙ୍କି ହୋଇଯାଉଥିଲା। ମନେ ପଡି ଯାଉଥିଲା ତାର ମୋ ପ୍ରତି ସ୍ନେହ। ମୋ ମୁଣ୍ଡରେ ତେଲ ଲଗେଇ ଦେବା ମୁଣ୍ଡ କୁଣ୍ଡାଇ ଦେବା ଆଉ ପିଲା ବେଳର ସେ ସବୁ ସ୍ମୃତି।ଅକସ୍ମାତ ମୁଁ ଦୌଡି ଗଲି ନାନୀର ଘର ଆଡକୁ। କିନ୍ତୁ ସେଠି ଯେ ମାଟି ଉଇର ଏକ ଧ୍ଵଂସ ସ୍ତୁପ ଥିଲା ଜାହା। ମୁଁ ଭାବିଲି ନିଶ୍ଚୟ ଅନ୍ୟ କୋଇଠି ଘରତୋଳି ଚାଲିଗଲା। ନହେଲେ ମୋ ଜେଜେମା ଠୂ କେତେ ସାନ ସେ ଆଉ ମରି ନା ଜିବ। ମନଟା ଭଲ ଲାଗୁ ନଥିଲା। ଘରକୁ ଆସି ଜେଜେମାକୁ ପଚାରିଲି ତ ଜେଜେମା କହିଲେ 

"କହନା ତା କଥା, ତାର କଣ ହେଲା କିଏ ଜାଣିଛି। କେତେ ଦିନ ଯାଏଁ ଖାଲି ସଜଧଜ ହୋଇ ଆସି ଓଳଗି ହୁଏ. କହେ ଖୁଡୀ ଗୋ ତାଁକେ ଆସିବେ କଇଛନ୍ତି। ମୁଁ ଜାଉଛି ରାନ୍ଧବାଢ କରିବି। ଦିନେ ତ କୁଅ ଭିତରେ ଡେଇଥିଲା। କହିଲା କୁଅରେ ଭୁଲା ନନା ଅଛି, ଡାକୁଛି ମତେ। ବନ୍ଧ ମୂଳେ କେତେ ଲୋକ ଥିଲେ ବୋଲି ତାକୁ କାଢିଲେ। ସେଠୁ କେତେ ଦିନ ପରେ ତିନି ସଂଧ୍ୟା ବେଳ ଟାରେ ଧାଇଁ ଆସିଲା।କହିଲା ମୁଁ ଯାଉଛି ଭୁଲାର ନନା ଖବର ପଠେଇଛି ଆସିବାକୁ। ଆଜି ରାତିରେ ଦି ଘଡିକି ମୁଁ ଯିବି। ଓଳିଗି ହେଉଛି ଆଉ ଭାଉଜ ଆଉ ପିଲା ମାନଙ୍କୁ ଭଉତୁ କିରି କଇବ। ଝିଅ ଟାକୁ ଟିକେ ଦେଖିଥାତି ଲୋ ତତେ ଖୋଜୁଥିଲା ଲୋ ଝିଅ। ଏଡେ ଜୋରରେ ତାକୁ ଶ୍ବାସ ଉଠୁଥିଲା। ନିଶ୍ବାସ ନେଇପାରୁନଥିଲା। ଓଳିଗି ହୋଇ ଚାଲିଗଲା. ତା ବାସୀ ଦିନ ଘରେ ମରିକି ପଡିଚି ଲୋ ଝିଅ। କୋ କାଳେ ତା ଗେରସ୍ତ ଶାଢ଼ିଟେ ଆଣିଥିଲା ତାକୁ ଗୁଡେଇ ହେଉଛି, ପାଦ ହାତ ସବୁ ଅଳତା, ମୁହଁ ସାରା ସିନ୍ଦୁର ବୋଲିକି ବଡ ବିକଟାଳ ଦିଶୁଥିଲା। "

ଜେଜେମାର କଥା ଶୁଣି ସ୍ତବ୍ଧ ହୋଇ ବସି ଜାଇଥିଲି। ତଥାପି ଜେଜେମା କହୁଥିଲା। ଯେଉଁ ମାନେ ତଳ ଦିନେ ତମ୍ପା ନାନୀକୁ ଟାହିଟାପରା କରୁଥିଲେ ସେଠି ଠିଆ ହୋଇ କହୁଥିଲେ"କେଡେ ଭଲ ମାଇକିନାଟା ଥିଲା ଲୋ, କେଡେ ଦୁଃଖ ଜନମ ତାର ମରି ଗଲାନି ଯେ ତରି ଗଲା"।

କାନ୍ଦି ବାକୁ ଭାରି ଇଚ୍ଛା ହେଉଥାଏ। ମୁଁ ଧିରସ୍ଥିର ବସି କେବଳ ତାର ରୂପଟିକୁ ମନରେ ଭାବୁଥାଏ. ଜେଜେମା କହୁଥିଲା ତମ୍ପା ନାନୀକୁ ଅହ୍ୟ ସୁଲକ୍ଷଣୀ କରି ଶ୍ମଶାନକୁ ନେଲେ। ତା ପୁଅ ଭୁଲା ଠେଙ୍ଗା ଧରି ସମସ୍ତଙ୍କୁ ମାରି ଗୋଡାଉ ଥିଲା ତା ମାଆ ଶୋଇଛି। ତାକୁ ପୋଡିଦେଲେ ବୋଲି ରାଗିକି ଦରପୋଡା ନାନୀକୁ ଟାଣି ଆଣିଥିଲା ସେ। ନାନୀର ସ୍ଵାମୀର କିଛି ଖୋଜଖବର ନାହିଁ ସେଥିପାଇଁ ନାନୀର ଦାହସଂସ୍କାର ପୁର୍ବରୁ କଦଳୀ ଗଛଟିଏ ତା ସ୍ଵାମୀ ବୋଲି ପୋଡିଦେଲେ। ଭୁଲାର ସେବେଠୁ ଆଉ କିଛି ଅତା ପତା ନାହିଁ।

ବହୁତ ସମୟ ପର୍ଯ୍ୟନ୍ତ ସେ ବିଷୟରେ ଭାବୁ ଭାବୁ ମୋ ମନ ଶେଷରେ ମତେ ଗୋଟିଏ କଥା କହିଲା

ହମ ପ୍ରତୀକ୍ଷାର ଅନ୍ତ ହେଲା......rm

Paramita mishra

 ଆମ୍ବପୁଆ, ବ୍ରହ୍ମପୁର - 10


Rate this content
Log in

Similar oriya story from Tragedy