ମଧୁ ଚନ୍ଦ୍ରିକା
ମଧୁ ଚନ୍ଦ୍ରିକା
ଅଜୟ ମହାପାତ୍ରଙ୍କ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ। କିଛି ଅଛନ୍ତି ଆଉ କିଛି ଚାଲି ଗଲେଣି, ଭୋଜି ଦିନ ଆସିବାକୁ କହି। ସାହି ଭାଇର ଝିଅ ବୋହୂ ବି ଆସୁଛନ୍ତି, ନୂଆ ବୋହୂକୁ ଦେଖିବାକୁ। ବୋହୁ ଟି ଦେଖିବାକୁ ଖୁବ ସୁନ୍ଦର। ଦୁଗ୍ଧ ଫେନ କାନ୍ତି ପରି ରଙ୍ଗ। ମୁକ୍ତା ଝରା ଦାନ୍ତ, ରେଶମ ଭଳି କେଶ ଆଉ ମତ୍ତ୍ୟ ପୁରରେ ସ୍ୱପ୍ନ ରାଜ୍ୟର ସ୍ବପ୍ନ ସୁନ୍ଦରୀ ପରି ରୂପ। କିନ୍ତୁ ନୂଆ ବୋହୂଟି କାହାରିକି କଥା ପଦେ କହୁନି। ମନରେ ଅନେକ ଦୁଃଖ ଆଉ ଯନ୍ତ୍ରଣା। ମୁହଁରେ ହସ ନାହିଁ, ଖୁସି ନାହିଁ, ଶାଶୁ ବିରକ୍ତ ହେଉଛନ୍ତି। ଅଜୟ ବାବୁଙ୍କୁ ବି ଭଲ ଲାଗୁନି ନିଜ ସ୍ତ୍ରୀର ବ୍ୟବହାର।
ଅଜୟ ମହାପାତ୍ର ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ। ବିବାହ ପାଇଁ ଅନେକ ଵଡ଼ ବଡ ଘରୁ ପ୍ରସ୍ତାବ ଆସିଥିଲେ ବି ଏକ ସାଧାରଣ ଗାଉଁଲି ଝିଅକୁ ପସନ୍ଦ କରିଥିଲେ। ଅବଶ୍ୟ ପ୍ରସ୍ତାବଟି ନିଜ ମଉସା ହିଁ ଆଣିଥିଲେ।
ଅନିତା ଥିଲା ପିଲାଦିନୁ ମା' ଛେଉଣ୍ଡ। ମା'ର ମମତା କଣ ପିଲାଦିନୁ ଜାଣିନି । ସାବତ ବୋଉ ଆସିଲା ପରେ ହଜିଯାଇଥିଲା ଅନିତାର ଶୈଶବ। ପିଲା ଦିନୁ ଡୋରୀ ବନ୍ଧା ହୋଇଥିଲା ପାଠ ପଢ଼ାରେ। ପ୍ରାୟ ଘରର ସବୁ କାମ କଲା ପରେ ବି ବହୁତ ମାଡ ଗାଳି ମିଳୁଥିଲା ସାବତ ବୋଉଙ୍କ ନିକଟରୁ। ଭାଗ୍ୟର ବିଡ଼ମ୍ବନା ବାପା ବି ଭୁଲି ଯାଇଥିଲେ ଅନିତା ତାଙ୍କର ଝିଅ ବୋଲି।
ଅନିତା ମନେ ମନେ ବୋଉକୁ ବହୁତ ଖୋଜେ। ଜୀବନର ପ୍ରତିଟି ମୁହୂର୍ତ୍ତରେ ଅନୁଭବ କରେ, ମା ବିନା ଜୀବନ କେତେ ଯନ୍ତ୍ରଣା ଦାୟକ। ନିଜ ଭାଗ୍ୟ କୁ ନିନ୍ଦା କରେ। ସ୍ୱର୍ଗତ ମା'କୁ ଅଭିମାନ କରି କହେ, "ବୋଉ ମତେ ଏ ନର୍କରେ କଣ ପାଇଁ ଛାଡ଼ି ଚାଲିଗଲୁ, ତୋ ସାଙ୍ଗରେ କଣ ପାଇଁ ନେଲୁନି'?
ନିଜର ସାନ ଭାଇ, ଭଉଣୀ ( ସାବତ ମାଆଙ୍କର) ମାନେ ଅନିତାକୁ ନାଁ, ଧରି ଡାକନ୍ତି। ବହୁତ କଷ୍ଟ ଲାଗେ ତା ସହିତ ଅପମାନ ବି। ବେଳେବେଳେ ରୋଷେଇ ଖରାପ ହେଲେ ବହୁତ କଥା ଶୁଣିବାକୁ ମିଳେ। ସାବତ ବୋଉ କୁହନ୍ତି, "ଏକା ଖାଇବୁ ବୋଲି ଜାଣି ଶୁଣି ଖରାପ କରୁଛି"। ସବୁ କଥାକୁ ଭାଗ୍ୟକୁ ଆଦରି ସହିବାକୁ ପଡେ।
ଅନିତାର ଜୀବନରେ ଏକ ଅବଶୋଷ, ମା'ର ମମତା ଟିକେ ପାଇଲାନି। ତା ସହିତ ମା'ର କୌଣସି ସନ୍ତକ ନ ଥିଲା ତା ପାଇଁ। ମା'ର ଫୋଟଟିଏ ବି ନ ଥିଲା ଏ ଧରା ଧାମରେ। ବେଳେବେଳେ କଳ୍ପନାରେ ହଜିଯାଏ ଅନିତା, ମାର ଆକୃତି ରୁପ ରଙ୍ଗକୁ ନେଇ। ସାହି ଭାଇ ରୁ ପିଲାଦିନେ ଯାହା ଶୁଣିଥିଲା ମାର ରୂପ ରଙ୍ଗ, କଥା ବାର୍ତ୍ତା, ସେତିକି।
ଆଜି ଅଜୟ ବାବୁଙ୍କ ମଧୁଚନ୍ଦ୍ରିକା। ଅନିତା ଆଜି ବହୁତ ଭୟଭୀତ ଏବଂ ବିଚଳିତ ମଧ୍ୟ। ଏକ ଅଜଣା ଭୟରେ ପ୍ରକମ୍ପିତ ହେଉଛି, ତାର ଦେହ ଆଉ ମନ। ତା ସହିତ ଏକ ଅକୁହା ଯନ୍ତ୍ରଣାରେ ଜର୍ଜରିତ ସାରା ଶରୀର। ଆଜି ଏକ ନୂଆ ଅଧ୍ୟାୟ ଯୋଡି ହେବ ଅନିତା ଜୀବନରେ। ବାସର ଦୀପ ତା ମନରେ ଆଣି ପାରୁନି ମାଦକତା। ଜୀବନର ଏକ ଭୟଙ୍କର ମୁହୂର୍ତ୍ତକୁ ସାମ୍ନା କରିବା ପରି ଲାଗୁଛି ଅନିତାକୁ।
ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତ କରି ଅଜୟ ବାବୁ ଶୟନ କକ୍ଷରେ ପ୍ରବେଶ କଲେ। ବାସର ଦୀପର ଝାପ୍ସା ଆଲୁଅରେ ଅନିତା ଲାଗୁଥାଏ ଏକ ପରିକନ୍ୟା ଭଳି ଅପୂର୍ବ ସୁନ୍ଦରୀ। ଅଜୟ ବାବୁ, ଦୁଇପଦ କଥାରୁ ଆରମ୍ଭ କରିବାକୁ ଯାଉଥିଲେ ନିଜର ସୁଖମୟ ଦାମ୍ପତ୍ୟ ଜୀବନ। ହେଲେ ଅନିତା ଥିଲେ ସମ୍ପୁର୍ଣ୍ଣ ନୀରବ। ଟିକେ ଅଧିକ ନିକଟତର ହୋଇଯାଇଥିଲେ ଅଜୟ ବାବୁ, ପର ମୁହୂର୍ତ୍ତରେ ବାସର ଦୀପର କ୍ଷୀଣ ଆଲୋକରେ ଦେଖିଥିଲେ ଅନିତା ଦେହରେ ଅନେକ କ୍ଷତ ଚିହ୍ନ। ଅତି ନୃଶଂସ ପରି କେହି ଜଣେ ଏକ ଶକ୍ତ ବାଡ଼ିରେ ଅନେକ ମାଡ଼ ଦେଇଛି। ନିଜକୁ ବିଶ୍ୱାସ କରିପାରିଲେନି ଅଜୟ ବାବୁ। ଯେତିକି ଆଶ୍ଚର୍ଯ୍ୟ ହେଲେ ତାଠୁ ଅଧିକ ଦୁଃଖିତ ହୋଇପଡିଲେ। ମନରେ ଅନେକ ପ୍ରଶ୍ନ।ଏସବୁ କିଏ କରିଛି ଓ କାହିଁକି? ଅନେକ ଚେଷ୍ଟା ପରେ ଅନିତା କହିଲା "ଏସବୁ ମୋର ଭାଗ୍ୟ, ମୋ ବାପାଙ୍କ ଉପହାର ହେଲେ ମୁଁ ବି ଜାଣିନି ମୋର ଦୋଷ କଣ? ବୋଧେ ସାବତ ବୋଉ, ତାର ଶେଷ ଅଭିଳାଷ ପୁରଣ କରିନେଇଛି ମଙ୍ଗନ ଦିନ"।
ଅଜୟ ବାବୁ ଆଲମାରୀରୁ କିଛି ଔଷଧ ଆଣି ଆରମ୍ଭ କରିଛନ୍ତି ପ୍ରାଥମିକ ଚିକିତ୍ସା। ଜୀବନରେ ପ୍ରଥମ ଥର ପାଇଁ ସ୍ନେହ ଟିକେ ପାଇଛି ଅନିତା। ଆଖିରେ ଧାର ଧାର ଲୁହ। ସବୁ ଦୁଃଖ କଷ୍ଟକୁ ଭୁଲି ଶାନ୍ତିରେ ଶୋଇଯାଇଛି ଅଜୟ ବାବୁଙ୍କ କୋଳରେ। ଅନୁଭବ କରୁଛି ଏକ କୋମଳ ସ୍ପର୍ଶ ନିଜ ମୁଣ୍ଡ ଉପରେ। ଆଜି ଅନିତାକୁ ଲାଗୁଛି, "ମା କୋଳରେ ଶୋଇଛି ପ୍ରଥମ ଥର ପାଇଁ"
ସୀତାରାମ ଦାଶ