Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଲୀଳାମୟ
ଲୀଳାମୟ
★★★★★

© Arabinda Rath

Inspirational

15 Minutes   14.2K    16


Content Ranking

ଲେଖକ- ଅରବିନ୍ଦ ରଥ

ଆଖି ଆଗରେ ଜନସମୁଦ୍ର। ଏତେ ଲୋକଙ୍କୁ ଦେଖି କାର୍ ଷ୍ଟିୟରିଙ୍ଗ ଧରିବାକୁ ସାହାସ ହେଉ ନ ଥିଲା ମୁନାର। ପଛସିଟ୍ ରେ ବସିଥିବା ସାଙ୍ଗମାନେ ତାକୁ କହୁଥାଆନ୍ତି- ଆରେ ତୁ ଏତେ ଦିନ ହେଲା ଗାଡି ଚଲେଇଲୁଣି, ତଥାପି ତୋ ମନରେ ଦମ୍ଭ ପାଉନି? ମାଡିଚାଲ ଆଗକୁ ଯାହା ହେବ ଦେଖାଯିବ, ଜଗା ପାଖକୁ ଯାଉଛେ ଆମେ, କିଛି ଅସୁବିଧା ହେଲେ ସେଇ କାଳିଆ ବୁଝିବ। ସାଙ୍ଗ ମାନଙ୍କର କଥା ଶୁଣି ଗୁମସୁମ ହୋଇଗଲା ମୁନା। କୋହଭରା କଣ୍ଠରେ କହିଲା – – ଯଦି ସେ ଏମିତି ଦୁଃଖ ବୁଝୁଥାଆନ୍ତେ, ମୋ ପ୍ରତି କାହିଁକି ଏପରି ଅନ୍ଯାୟ କଲେ? ସେ ପରା ଜଗତର ନାଥ ଜଗନ୍ନାଥ, ତେବେ ମୋ ବେଳକୁ କାହିଁକି ତାଙ୍କର ପ୍ରେମସୁଧା ଝରିବା ବନ୍ଦ ହୋଇଗଲା। ସେ ବାଜେ କଥା ମୋତେ କୁହନି। ଆଜିକୁ ଦଶ ବର୍ଷହେଲାଣି ସେ କଳାଠାକୁର ମୁହଁ ଚାହିଁନି ମୁଁ, ଆଗକୁ ମଧ୍ଯ ଚାହିଁବାର କୌଣସି ପ୍ରୟୋଜନ ନାହିଁ। ଠାକୁର, ଭକ୍ତି, ଉପବାସ , ନିଷ୍ଠା ସବୁ ଫାଲତୁ କଥା । “ଭଗବାନ” ନାମକ ସତ୍ତା, କେବଳ ଏକ ପ୍ରହେଳିକା ମାତ୍ର। ତୁମପରି ଧର୍ମଭୀରୁ ମାନେ ସେଇ ଅଜ୍ଞାତ ସତ୍ତା ପଛରେ ଯୁଗ ଯୁଗ ଧରି ଅନ୍ଧ ପରି ଗୋଡେଇ ଚାଲିଛ। କଣ ପାଇଛ, କେବେ ନିଜକୁ ପଚାରିଛ? କେବେ ଯଦି ମନର ନିଭୃତ କୋଣରୁ ଭଗବାନଙ୍କର କୃପାବର୍ଷାର ହିସାବ ନିକାଶ କାଢି ଦେଖିବ, ତେବେ ଜାଣି ପାରିବ ଏତେ ବର୍ଷ ଧରି ତୁମେ ମାନେ କିପରି ଭାବରେ ଶୋଷିତ ହୋଇଚାଲିଛ। ଶଠ,ପାଖଣ୍ଡି ପୂଜକ ମାନଙ୍କ ଇନ୍ଦ୍ରଜାଲରେ ପଡି ହନ୍ତସନ୍ତ ହେଲେ ବି, ତୁମ ମାନଙ୍କର ଚେତା ପଶୁନି ଯେ, ଆହୁରି “ଠାକୁର” “ଠାକୁର” କହି ପାଗଳ ହେଉଛ? ମୁନାର ଏପରି କଥା ଶୁଣି ସାଙ୍ଗମାନେ ଚୁପ ହୋଇ ବସି ରହିଲେ। ସେମାନେ ଜାଣିଥିଲେ ଯେ ମୁନା ଯେତେବେଳେ ତା ଅତୀତ ବିଷୟରେ ଭାବେ ସେ ପାଗଳପ୍ରାୟ ହୋଇଯାଏ। ଜୀବନରେ ଘଟି ଯାଇଥିବା ହୃଦୟବିଦାରକ ଘଟଣାବଳୀର ଭୀଷଣ ଆଘାତରେ ଜର୍ଜରିତ ମୁନା, ଭଲମନ୍ଦର ହିସାବ ରଖିବା ଭୁଲି ସାରିଥିଲା ବହୁତ ଦିନରୁ। ଧର୍ମ, ଦେବତା, ଠାକୁର ଆଦି ନାମ ଶୁଣିଲେ ସେ ଚିହିଁକି ଉଠୁଥିଲା। ତଥାପି ସେମାନେ ସାହସ କରି ମୁନାକୁ ବୁଝାଇବାକୁ ଚେଷ୍ଟା କରି କହିଲେ-- ସେମିତି କହନି ରେ ସାଙ୍ଗ, ଆଜି ପରା କାଳିଆର ସୁନାବେଶ। ତା ଧାମକୁ ଆସି ଯଦି ଆମେ ଏମିତି ନାସ୍ତିକଙ୍କ ପରି କଥା ହେବା କେମିତି ଚଳିବ କହିଲୁ? ଏତିକି ଶୁଣିବା ପରେ ମୁନାର କ୍ରୋଧ କାହିଁ କେତେ ଗୁଣ ବଢିଗଲା, ସେ ପୁଣି ଚିତ୍କାର କରି କହିଲା – – ମଣିଷର ଦୁର୍ବଳ ମାନସିକତାର ପ୍ରତିଫଳନ ହେଲା “ଭଗବାନ” ନାମକ ଶବ୍ଦଟି। ତୁମ ମାନଙ୍କର ସେ ଜଗା କାଳିଆ ରହୁଥିବା ମନ୍ଦିରରେ, କେବଳ ନିରୀହ ମଣିଷ ମାନଙ୍କର ସରଳ ବିଶ୍ବାସର ବଳୀ ପଡେ। କୃପା ଓ ଆଶିଷ ନାମରେ ଲୋକ ମାନଙ୍କ ଠାରୁ ଲୁଟ୍ କରାଯାଏ ଟଙ୍କା। ତଥାପି ଲୋକେ କଳାଠାକୁରଙ୍କ ନାମ ଶୁଣି ପାଗଳ ହୁଅନ୍ତି। ଘର ଦ୍ବାର ଛାଡି, ସେହି ଭଗବାନ ନାମକ ଅଦୃଶ୍ଯ ସତ୍ତା ପଛରେ ଅନ୍ଧ ପରି ଗୋଡାନ୍ତି। କେବେ ସେ ଲୋକଙ୍କୁ ପଚାରି ଦେଖ, ସେମାନେ ଜୀବନ ରେ ପାଇଛନ୍ତି କ’ଣ? ମୋତେ ପଚାର, ମୁଁ କହିବି ସେମାନେ କଣ ପାଇଛନ୍ତି --- କେବଳ ଲୁହ, କ୍ଷୋଭ,ବିଚ୍ଛେଦ, ବିଫଳତା, ଦାରିଦ୍ର୍ଯତା ଓ ନିସଃଙ୍ଗତା ବ୍ଯତୀତ ଅନ୍ଯ କିଛି ନୁହଁ। ପାଗଳ ଙ୍କ ପରି ଗପି ଚାଲିଥିଲା ମୁନା ମନକୁ ଯାହା ଆସିଲା। ଅବଶ୍ଯ କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ସାଙ୍ଗ ମାନଙ୍କୁ କହିଲା-- ମୋତେ କ୍ଷମା କରିଦେବ, ମୁଁ ଭାବବିହ୍ବଳ ହୋଇ କଣ ସବୁ ଏପଟ ସେପଟ କହିଦେଲି। ବେକାରଟାରେ ତୁମ ମାନଙ୍କର ମୁଡ୍ ଖରାପ କରିଦେଲି। ତୁମ ମାନଙ୍କୁ ମନ୍ଦିର ପାଖରେ ଛାଡି ସମୁଦ୍ର କୂଳରେ କିଛି ସମୟ କାଟିବି। ତୁମ କାମ ସରିଲେ ମୋତେ ଫୋନ୍ କରିଦେବ। ରାତିରେ ହୋଟେଲରେ ରହି ସକାଳେ ଫେରିଯିବା। ଯେତେ ଚେଷ୍ଟା କଲେ ମଧ୍ଯ ଗାଡି ଆଗକୁ ଗଡିବାର ଉପାୟ ଦିଶୁନି। ମୋଟରସାଇକେଲ, ସାଇକେଲ,ରିକ୍ସା ଓ ପାଦଚଲା ଲୋକଙ୍କ ଭିଡ ଭିତରେ ଗାଡି ଟି ଅଦୃଶ୍ଯପ୍ରାୟ ଦିଶୁଛି। ଜଗନ୍ନାଥଙ୍କର ସୁନାବେଶ ପାଇଁ ନାହିଁ ନ ଥିବା ଭିଡ। ଯାହା ଜଣା ପଡୁଛି, କାର ପାର୍କିଂ ଯାଗା ପର୍ଯ୍ଯନ୍ତ ଗାଡି ନେଇ ଯିବା ସମ୍ଭବ ନୁହଁ। ସାଙ୍ଗ ମାନଙ୍କୁ କହିଲା ସେହି ଜାଗାରୁ ଓହ୍ଲାଇ ରିକ୍ସାରେ ମନ୍ଦିର ଯାଏ ଯିବାପାଇଁ। ବୁଲୁ କୋମଳ କଣ୍ଠରେ ମୁନା କୁ କହିଲା-- ଆରେ ସାଙ୍ଗ କେତେ ଦିନ ଏମିତି ରାଗ ରଖି ରହିବୁ ଠାକୁରଙ୍କ ଉପରେ। ଆଜି ଚାଲ୍ ଯିବା ତାଙ୍କ ପାଖକୁ। ମନ୍ଦିର ଯିବାକୁ ପଡିବନି, ସେ ତ ରଥ ଉପରେ ବସିଥିବେ। ଭାଗ୍ଯରେ ଥିଲେ ରଥ ଉପରେ ଚଢି ତାଙ୍କୁ କୋଳେଇ ଧରି ନିଜର ସବୁ ଦୁଃଖ ଜଣାଇ ପାରିବୁ। ଆଜି ପରା ସୁନାବେଶ। କାଳିଆକୁ ଆଜି ଦିନରେ ଯାହା ମାଗିବୁ ସେ ଦେବ। ମୁନା ଗୁରୁଗମ୍ଭୀର ସ୍ବରରେ କହିଲା-- ତୋ ଠାକୁର ମୋ ମିତା ଓ ବାପାମାଆଙ୍କୁ ଫେରେଇ ଦେଇ ପାରିବେ? ମୋ ସୁନା ସଂସାରକୁ ପୁଣି ଥରେ ମୋତେ ଦେଇ ପାରିବେ କି? ତୋର ସେ କଳାଠାକୁରର ଦେହ ପରି ମନ ମଧ୍ଯ କଳା। ସେ ଦୁଃଖ ଛଡା କାହାକୁ କେବେ ଖୁସି ଦେଇଛି ଯେ ମୋତେ ଦେବ? ଛାଡ୍ ସେ କଥା। ତୁମେ ଚଞ୍ଚଳ ଯାଅ, ଭିଡ ବହୁତ ବଢିଗଲାଣି। ସେ ଗାଡି ଭିତରେ ବସି ରହିଲା ଓ ସାଙ୍ଗ ମାନେ ତା ପିଠିରେ ହାତ ଥାପୁଡାଇ ସେ ଯାଗାରୁ ଚାଲିଗଲେ। ଆଜି ଆଖି ଆଗରେ ଅତୀତର ସେ ସ୍ବର୍ଣ୍ଣାଭ ଦିନ ସବୁ ନାଚିଯାଉଛି। ମିତା ସହ ବିଭାଘର ପରେ ତା ଜୀବନ, ଖୁସି ଓ ପୂର୍ଣ୍ଣତାରେ ଭରି ଉଠିଥିଲା। ତା ପରି ମିତା ମଧ୍ଯ ଇଶ୍ବର ବିଶ୍ବାସୀ ଥିଲା। ଥରେ ଥରେ ମିତା କୁହେ-- ଭଗବାନଙ୍କୁ କେତେ ଡାକିଥିଲି ମୋ ଜୀବନରେ ଜଣେ ରାଜକୁମାର ଆସୁ ବୋଲି, ସେ ଏତେ ଦୟାଳୁ ଯେ ମୋତେ ତୁମ ପରି ଜଣେ ସମ୍ରାଟ୍ ଙ୍କୁ ଦେଲେ। ବାପାମାଆ ଓ ମିତାଙ୍କୁ ନେଇ ତା ଘରଟି ହସଖୁସି ରେ ପୂରି ଉଠିଥିଲା। ବାପାମାଆଙ୍କର ସେବା କରିବା, ଘରକରଣା କାମ କରିବା ଓ ଧର୍ମକର୍ମ କାମରେ ତାକୁ ସାହାଯ୍ଯ କରିବାରେ କେବେ ଅବହେଳା କରେନି ମିତା। ସେମିତି ବି , ମୁନା ପିଲାବେଳୁ ଇଶ୍ବର ବିଶ୍ବାସୀ। ଏପରିକି ସେ ପିଲାଦିନରୁ ଆମିଷ ତ୍ଯାଗ କରିଥିଲା। ଘରେ ସବୁ ଦେବାଦେବୀଙ୍କର ଫଟୋ ପୂଜା ପାଇବା ସହ, ମଝିରେ ମଝିରେ ହୋମ ଯଜ୍ଞର ଆୟୋଜନ ମଧ୍ଯ ହେଉଥିଲା। ସେ ଜଗନ୍ନାଥଙ୍କର ବହୁତ ବଡ ଭକ୍ତ ଥିଲା। ବର୍ଷରେ ତିନି ଚାରିଥର ପୁରୀ ନ ଗଲେ ତା ମନରେ ଶାନ୍ତି ଆସୁ ନ ଥିଲା। ନିତିଦିନ ସକାଳୁ ଗାଧୁଆ ସାରି ତାଙ୍କ ସହରରେ ଥିବା ଜଗନ୍ନାଥ ମନ୍ଦିର ଯିବା ଅଭ୍ଯାସ, ମୁନା ପିଲା ବେଳୁ ରଖିଥିଲା। ନିଜର ପରିଶ୍ରମ, ଦେବ ଆଶିର୍ବାଦ ଓ ପିତାମାତାଙ୍କ ଆଶିଷ ବଳରେ ମୁନା ଭଲ ଚାକିରି ପାଇବା ସହ ଜୀବନରେ ଢେର ଉନ୍ନତି ମଧ୍ଯ କରିଥିଲା। କୋମଳ ବଚନ ଓ ମଧୁର ବ୍ଯବହାର ପାଇଁ ସବୁ ଲୋକ ତାକୁ ବେଶ୍ ଭଲ ପାଉଥିଲେ। ଥରେ ମିତା ଜିଦ୍ ଧରି ବସିଲା ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ତା ର ମନ ଥିଲା ବାପାମାଆଙ୍କୁ ସାଙ୍ଗରେ ଧରି ପୁରୀ ଯାଇ, ଜଗନ୍ନାଥଙ୍କୁ ଦର୍ଶନ କରି ଅବଢା ପାଇଲା ପରେ ସମୁଦ୍ର କୂଳରେ କିଛି ସମୟ ବିତାଇବା। କୌଣସି ମତେ ବାପାମାଆଙ୍କୁ ରାଜି କରାଇବାରେ ସଫଳ ହେବା ପରେ ମିତା ମନର କଥା ମୁନା କୁ ଜଣାଇଥିଲା। ଅଫିସ୍ ରୁ ଛୁଟି ନେଇ ମୁନା ତା କାରରେ ସେଦିନ ପାହାନ୍ତି ପହରରୁ ବାହାରିଲା ପୁରୀ। ସାଙ୍ଗରେ ବାପାମାଆ ଓ ମିତା। ସମସ୍ତଙ୍କ ମନରେ ଅପାର ଆନନ୍ଦ। ଏତେ ଦିନ ପରେ ସାରା ପରିବାର ପୁରୀ ଯାଇ ଠାକୁର ଦର୍ଶନ କରିବେ ଓ ବୁଲାବୁଲି କରିବେ। ମିତାର ପାଦ ଖୁସି ରେ ତଳେ ପଡୁ ନ ଥାଏ। ମୁନା ଗାଡି ଚଲାଉଥିଲା ବେଳେ ତା ପାଖରେ ବସି ନାନା ଫରମାଇସ୍ କରିବାରେ ସେ ବ୍ଯସ୍ତ ଥାଏ। ପୁରୀରୁ ମୂର୍ତ୍ତି କିଣାହେବ, ବଳିତା ଅଣାଯିବ , ଫେଣୀ ଓ ଗଜା ମଧ୍ଯ ଆସିବ ପାଖ ପଡୋଶୀଙ୍କୁ ବାଣ୍ଟିବା ପାଇଁ। ଯଦି ସୁବିଧା ହବ, ସମୂଦ୍ରକୂଳରୁ ଭଲ ଦକ୍ଷୀଣାବର୍ତ୍ତ ଶଙ୍ଖ ବି ଆସିବ। ଆହୁରି କେତେ କଣ। ପିଲାଙ୍କ ପରି ସେ ଖୁସି ରେ ଲୋଟି ପଡୁଥିଲା। ବାପାମାଆ ପଛ ସିଟରେ ଆଖି ବନ୍ଦ କରି ଶୋଇବାର ପ୍ରାୟାସ କରୁଥିଲେ। କାର୍ ଭିତରେ ଜଗନ୍ନାଥଙ୍କର ସୁମଧୁର ଭଜନ ବାଜି ଚାଲିଥିଲା। ଏକ ପ୍ରକାର ଆଧ୍ଯାତ୍ମିକ ପୂର୍ଣ୍ଣତାରେ ମୁନାର ମନ ରୋମାଞ୍ଚିତ ହୋଇ ଉଠୁଥିଲା। କାରରେ ରଖାଯାଇଥିବା ଜଗନ୍ନାଥଙ୍କ କୁନି ମୂର୍ତ୍ତିକୁ ଚାହିଁ ସେ ନିଜର କୃତଜ୍ଞତା ଜଣାଉଥିଲା। ରାସ୍ତାରେ ସେମିତି ବିଶେଷ ଗହଳି ନ ଥିଲା, ଲାଗୁଥିଲା ସେମାନେ ଜଲଦି ପୁରୀରେ ପହଞ୍ଚିଯିବେ। ସାକ୍ଷୀଗୋପାଳ ପାର ହୋଇଯିବା ପରେ ରାସ୍ତା କଡରେ ଥିବା ନଡିଆ ଗଛଗୁଡିକୁ ଦେଖି ମୁନାର ପିଲା ଦିନ କଥା ମନେ ପଡିଯାଉଥିଲା। ସେ ସାନ ଥିଲା ବେଳେ ବସ୍ ରେ ବସି ପୁରୀ ଆସୁଥିଲା ବପାମାଆଙ୍କ ସାଙ୍ଗରେ। “କେତେବେଳେ ଆମେ ପହଞ୍ଚିବା” ପ୍ରଶ୍ନରେ ବାପାଙ୍କୁ ବ୍ଯତିବ୍ଯସ୍ତ କରି ପକାଉଥିବା ବେଳେ, ବାପା କୁହନ୍ତି – ହେଇ ଦେଖ୍ ନଡିଆ ଗଛ ସବୁ ଦିଶିଲାଣି, ଆଉ ଅଳ୍ପ ସମୟରେ ପହଞ୍ଚିଯିବା। ଏତେ ବର୍ଷ ବିତି ଯାଇଥିଲେ ମଧ୍ଯ ମୁନା ମନରେ ବାପାଙ୍କର ସେ କଥା ଘର ବାନ୍ଧି ରହିଯାଇଥିଲା । ତେଣୁ ନଡିଆ ଗଛ ଦେଖି ସେ ଉତ୍ସାହିତ ହୋଇ ସମସ୍ତଙ୍କୁ କହିଲା-- – ହେଇ ଦେଖ ନଡିଆଗଛ ସବୁ ଦିଶିଲାଣି, ଆଉ କମ୍ ସମୟରେ ପହଞ୍ଚିବା ପୁରୀରେ। ପଛ ସିଟ୍ ରୁ ବାପା ମୁରୁକିହସା ଦେଇ କହିଲେ-- ହେଇ ଦେଖ ବୋହୁ ମା, ତୁମ ସ୍ବାମୀ ପିଲା ଥିଲା ବେଳେ ଏଇ କଥା କହି ମୁଁ ତାକୁ ଭୁଲଉଥିଲି, ଆଉ ଆଜି ଏକା କଥା କହି ଆମ ସମସ୍ତଙ୍କୁ ଭୁଲଉଛି। ବଡ ବୁଦ୍ଧିଆ ସ୍ବାମୀ ପାଇଛ ତୁମେ। ଗାଡି ଭିତରେ ସମସ୍ତେ ହସି ଉଠିଲେ। ଠିକ୍ ସେତିକି ବେଳକୁ ପ୍ରଚଣ୍ଡ ଶବ୍ଦରେ କାନ ତାବଦା ପଡିଯିବା ପରି ଲାଗିଲା। ମୁନାର କେବଳ ଏତିକି ମନେ ଅଛି ଯେ ପାଖ ଲୋକ ମାନେ ଭୀଷଣ ଚିତ୍କାର କରୁଥିଲେ ଓ ତା ସାଙ୍ଗକୁ ମିତା ଓ ବାପାମାଆଙ୍କର ଛାତି କୁ ବିଦୀର୍ଣ୍ଣ କଲାପରି ବିକଳ କ୍ରନ୍ଦନ ଶୁଭୁଥିଲା। ତା ପରେ କଣ ହେଲା ସେ ଜାଣିନି। ଡାକ୍ତରଖାନାର ଶେଯରେ ନିଜକୁ ଆବିଷ୍କାର କରି ପାଗଳପ୍ରାୟ ହୋଇ ସମସ୍ତଙ୍କ କଥା ପଚାରିଲା ବେଳକୁ ଜାଣିଲା-- ଗୋଟିଏ ଦଶ ଚକିଆ ଟ୍ରକ କାରର ପଛ ପଟରୁ ଧକ୍କା ଦେଇ ଗାଡି ଉପରେ ପ୍ରାୟ ଚଢି ଯାଇଥିଲା। ଘଟଣାସ୍ଥଳରେ ତା ବାପାମାଆ ଓ ମିତା ମୃତ୍ଯୁବରଣ କରିଥିଲେ ଓ ବଡ କଷ୍ଟରେ ଗ୍ଯାସ୍ କଟର୍ ରେ କାଟି ତାକୁ ଗାଡି ଭିତରୁ ଉଦ୍ଧାର କରାଯାଇଥିଲା। ଏ ଦାରୁଣ ଖବର ଦେବା ଲୋକଟି ମଧ୍ଯ ଆଖିର ଲୁହ ରୋକି ପାରିଲା ନାହିଁ। ସେ କେବଳ ଏତିକି କହିଲା ଯେ – ବାବୁ, ତୁମକୁ ସେ ଜଗନ୍ନାଥ ବଞ୍ଚେଇଦେଲେ। ନହେଲେ ଏମିତି ଦୁର୍ଘଟଣାରେ କେହି ବଞ୍ଚିବାର ଆଶା ବହୁତ କମ୍ ଥାଏ। ମୁନାର ମୁଣ୍ଡରେ ଏକା ସମୟରେ ଶହ ଶହ ଆଗ୍ନେୟଗିରୀ ବିସ୍ଫୋରିତ ହେଉଥିଲା। ତା ସମ୍ମୁଖରେ ଏପରି ଏକ ବାସ୍ତବତା ଦଣ୍ଡାୟମାନ ବୋଲି ବିଶ୍ବାସ କରିବାକୁ ସେ ପ୍ରସ୍ତୁତ ନ ଥିଲା। ମନ ଭିତରେ ଦୁଃଖ, କ୍ରୋଧ,ଘୃଣା ଓ ବିଦ୍ରୋହଭାବର ସୁନାମୀ ଆସିବା ପରି ଲାଗୁଥିଲା। ଅତି କଷ୍ଟରେ ସେ ଜଗନ୍ନାଥଙ୍କ ଉଦ୍ଦେଶ୍ଯରେ କେବଳ ଏତିକି କହିଥିଲା-- ଛିଃ, ତୁମକୁ ମୁଁ ଆଜିଯାଏ ମୋର ସବୁ କିଛି ବୋଲି ମନେ କରି ପୂଜା କରୁଥିଲି। ଏଡିକି ବିଶ୍ବାସଘାତୀ ତୁମେ! ମୋର ସର୍ବସ୍ବ ଲୁଣ୍ଠନ କରି କାଙ୍ଗାଳ କରିଦେଲ। ତୁମ ଦର୍ଶନ ପାଇଁ ସେମାନେ ଯାଉଥିଲେ, ସେମାନଙ୍କୁ ତୁମେ ମାରି ପାରିଲ କେମିତି? କି ଦୋଷ ବା ପାପ କରିଥିଲେ ସେମାନେ? ଧିକ୍ ତୁମ ଠାକୁର ପଣିଆକୁ, ଧିକ୍ ତୁମର ଅସ୍ତିତ୍ବ। ତୁମ ଦେହ ପରି ମନ ମଧ୍ଯ କଳା, ତୁମେ ଠାକୁର ନୁହଁ, ଅସୁର ଠାରୁ ମଧ୍ଯ ହୀନ। ଦ୍ବାପର ଯୁଗରେ ସମସ୍ତଙ୍କୁ କଳି ଲଗେଇ ମାରିଲ, ଏପରିକି ନିଜ ବଂଶ ଲୋକଙ୍କୁ ବି ଛାଡିଲନାହିଁ ; ମୋ ପରିବାର ପରି ତୁମର ଦୟା ଆସିବ କୁଆଡୁ?? ମୁଁ ନିର୍ବୋଧ ତୁମ ନାମ ଜପ କରି ପାଗଳ ହେଉଥିଲି। ମିତା ତୁମ ପାଖକୁ ଯିବାକୁ ଯିଦ୍ ନ କରିଥିଲେ, ଆଜି ମୋ ସୁନାସଂସାର ହସୁଥାଆନ୍ତା। କଣ କଲ ତୁମେ!!! ଆଜିଠାରୁ ତୁମ ସହ ସମସ୍ତ ସମ୍ପର୍କ ମୁଁ ଛିନ୍ନ କଲି। ଭଗବାନ ନାମକ ଅସ୍ତିତ୍ବ ମୋ ପାଇଁ ଆଜିଠାରୁ ସମାଧି ନେଲା। ବହୁତ ଦିନ ଯାଏ ମୁନା ପାଗଳଙ୍କ ପରି ବୁଲିଲା। ଆତ୍ମହତ୍ଯାର ପ୍ରୟାସ କରି ବିଫଳ ହେଲା ଅନେକ ଥର। ଶେଷରେ ବନ୍ଧୁବାନ୍ଧବ ମାନେ କୌଣସି ମତେ ତାକୁ ପ୍ରକୃତିସ୍ଥ କରାଇବା ପରେ, ସେ ସାଧାରଣ ଜୀବନ ବଞ୍ଚିବାକୁ ଆରମ୍ଭ କଲା। କିନ୍ତୁ ସେ ବଞ୍ଚିବା ମୃତ୍ଯୁଠାରୁ ଭୟଙ୍କର ଥିଲା। ଦିନରାତି ଚବିଶ ଘଣ୍ଟା ମଦ ନିଶାରେ ଚୁର୍ ଥିବା ମୁନା, ନିଜର ଅତୀତ କୁ ଭୁଲିବାକୁ ଚେଷ୍ଟା କରି ସଫଳ ହେଉ ନ ଥିଲା। ସେଦିନର ଦୁର୍ଘଟଣା ତା ଜୀବନ କୁ ଖିନ୍ ଭିନ୍ କରିଦେଇଥିଲା। ସେ ପାଲଟି ଯାଇଥିଲା ଘୋର ନାସ୍ତିକ। ଧର୍ମ ନାମକ ଶବ୍ଦଟି ତା ସମ୍ମୁଖରେ ଉଚ୍ଚାରିତ ହେବା ମାତ୍ରେ ; ସେ ପାଗଳଙ୍କ ପରି ପ୍ରଳାପ କରି ଅଭିସମ୍ପାତ୍ ମାନ ବର୍ଷା କରୁଥିଲା। ସ୍କୁଲ ଦିନର ସାଙ୍ଗ ମାନଙ୍କର ବାରମ୍ବାର ଅନୁରୋଧକୁ ଏଡାଇ ନ ପାରି ସେ ପୁରୀ ଆସିଥିଲା ଗୋଟିଏ ସର୍ତ୍ତରେ “ତାକୁ କେହି ଠାକୁରଙ୍କ ପାଖକୁ ଯିବା ପାଇଁ ବାଧ୍ଯ କରିବେନାହିଁ”। ଭିଡ ଭିତରେ ଗାଡି ଆଗକୁ ଯାଇ ନ ପାରିବାରୁ ସେ ଗୋଟିଏ ଗଛ ମୂଳରେ ଗାଡି ରଖି ସିଗାରେଟ୍ ପିଇବାକୁ ଆରମ୍ଭ କଲା । ସେତିକି ବେଳେ କାହା ଡାକ ଶୁଣି ପ୍ରକୃତିସ୍ଥ ହୋଇ ଦେଖିଲା, ଜଣେ ବୃଦ୍ଧ ଲୋକ ହାତରେ ପୁଟୁଳିଟିଏ ଧରି ତାକୁ ହାତ ଠାରି ଡାକୁଥିଲେ। ପାଖକୁ ଯାଇ ଘଟଣା କଣ ବୁଝିଲା ବେଳକୁ ଜାଣିଲା, ଲୋକଟି ଘରେ ପହଞ୍ଚିବା ନିହାତି ଜରୁରୀ। ଗାଡି ମୋଟର ତାକୁ ନେବାକୁ ରାଜି ହେଲେନି ବୋଲି ସେ ମୁନା ପାଖକୁ ଆସିଛି। ଲୋକଟିକୁ ଗୋଡରୁ ମୁଣ୍ଡ ଯାଏ ଥରେ ଦେଖିନେଲା ମୁନା, ସାଧାରଣ ବେଶଭୂଷା ବିଶିଷ୍ଟ କଳା ମଚମଚ ରଙ୍ଗର ଲୋକଟି । ହସହସ କଳା ମୁହଁ ସାଙ୍ଗକୁ ଆଖିରେ ସମୁଦ୍ରର ଗଭୀରତା । ସେ ପୁଟୁଳିରେ କଣ ଧରିଛି କେଜାଣି, ଓଜନରେ ଭୁଷୁଡି ଗଲା ପରି ଲାଗୁଛି। ସବୁଠାରୁ ରୋଚକ ଥିଲା ଲୋକଟି ମୁଣ୍ଡରେ ପଗଡି ଟୋପିଟି। ସେ ଟୋପିରେ ମୟୁର ପୁଚ୍ଛଟିଏ ଅତି ସୁନ୍ଦର ଭାବରେ ଲଗା ଯାଇଛି। ତା ସାଙ୍ଗକୁ ଅଣ୍ଟା ରେ ଖୋସା ଯାଇଛି ଏକ ବଂଶୀ। ମନେମନେ ମୁନା ଭାବିଲା ଲୋକଟି କେଉଁ ଯାତ୍ରା ପାର୍ଟିରେ କାମ କରୁଛି କି ଆଉ? ନୋହିଲେ ଏପରି ବେଶରେ ନିଜକୁ ସଜାଇଛି କଣ ପାଇଁ। ସେ ଅତି ବେପରୁଆ ଭାବରେ କହିଲା – ଆଛା ମଉସା, ମୁଁ ତୁମକୁ ମୋ ସାଙ୍ଗରେ ନେବି ବୋଲି ତୁମେ କେମିତି ଭାବିଲ? ତୁମେ ପରା ଦେଖୁଛ, ଭିଡରେ ପଶି ହେବନି ବୋଲି ଏ ଗଛ ମୂଳେ ଆରାମରେ ବିଶ୍ରାମ କରୁଛି, ତେବେ ତୁମକୁ ନେବା ପ୍ରଶ୍ନ ଉଠିଲା କୁଆଡୁ? ସେମିତି କୁହନି ବାବୁ, ତେଣେ ମୋର ଭାଇ ଭଉଣୀ ଦୁଇଜଣ ଅପେକ୍ଷା କରିକରି ବିରକ୍ତ ହୋଇଯିବେଣି । ଠିକ୍ ସମୟରେ ନ ପହଞ୍ଚିଲେ ବଡ ଅସୁନ୍ଦର କଥା ହେବ। ମୁନା ଭାବିଲା ଲୋକଟିର ମୁଣ୍ଡ ଦୋଷ ଅଛି ବୋଧେ। ନୋହିଲେ ଏମିତି ଅସଙ୍ଗତ ବାହାନା ଦେଖାଇ ତାକୁ ଯିବାକୁ ବାଧ୍ଯ କରୁଛି କିପରି? ମନର ଭାବକୁ କୌଣସି ମତେ ଚାପି କହିଲା --- – ଯଦି ଏତେ ଡର ଥିଲା ଭିଡ ହେବା ଆଗରୁ ଚାଲି ଯାଇଥାଆନ୍ତ, ଏ ଅବସ୍ଥାରେ କିପରି ତୁମେ ପହଞ୍ଚିବ ମୋତେ ଟିକେ କହିଲ? ଧରାଯାଉ ମୁଁ ତୁମକୁ ମୋ ଗାଡିରେ ନେବାକୁ ରାଜି ହୋଇଯିବି, ତା ପରେ ମଧ୍ଯ ମୋ ଗାଡି କିପରି ଯିବ ଏ ଭିଡ ଭିତରେ। ମୁଁ ଏମିତି କେଉଁ ଦେଶର ରାଷ୍ଟ୍ରପତି ଯେ ମୋତେ ସବୁ ବାଟ ଛାଡିଦେବେ। – – ହଁ ବାବୁ ସତ କହିଲ, ଟିକେ ଆଗରୁ ମୁଁ ଚାଲିଯାଇଥିଲେ ଭଲ ହୋଇଥାଆନ୍ତା, କିନ୍ତୁ ମୋର ଜଣେ ବନ୍ଧୁ ଆଜି ପୁରୀକୁ ଆସୁଛନ୍ତି ଖବର ପାଇ ଦଉଡି ଆସିଲି। ମୋ ଉପରେ ରାଗି ସେ ବହୁତ ଦିନ ହେଲାଣି କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି। ଏପରିକି ମୋ ମୁହଁ ମଧ୍ଯ ଚାହୁଁ ନାହାଁନ୍ତି। ମୋର କିଛି ଦୋଷ ନ ଥାଇ ମଧ୍ଯ ମୁଁ ଦୋଷୀ ହୋଇଯାଇଛି। ତାଙ୍କ ମାନଭଞ୍ଜନ କରିବାକୁ ଆସଥିଲି, ଖୋଜିଖୋଜି ପାଇଲିନି ବୋଲି ମନ ଦୁଃଖରେ ଫେରିବାକୁ ବାଧ୍ଯ ହେଉଛି। ସେ ଲୋକଟିିର କାହାଣୀ ଶୁଣିବାକୁ ତିଳେ ମାତ୍ର ଆଗ୍ରହ ନଥିଲା ମୁନାର। ସେ କୌଣସି ପ୍ରକାରେ ସମୁଦ୍ର କୂଳରେ ପହଞ୍ଚିବାକୁ ଚାହୁଁଥିଲା। ଭାବିଲା ଏ ଲୋକଟି ସ୍ଥାନୀୟ ବାସିନ୍ଦା ପରି ଜଣାପଡୁଛି। କିଛି ଗୋଟେ ସର୍ଟକର୍ଟ ରାସ୍ତା ଜାଣିଥିଲେ ଭିଡ କାଟି ଆରାମରେ ଯାଇ ହେବ। ନରମ ଗଳା ସେ ଲୋକଟିକୁ କହିଲା – ଆଛା ଠିକ୍ ଅଛି ମୁଁ ତୁମକୁ ମୋ ସାଙ୍ଗରେ ନେଇଯିବି। ମୋର ସମୁଦ୍ର କୂଳକୁ ଯିବାର ଅଛି। କିଛି ଏମିତି ବାଟ କୁହ ଯେଉଁବାଟରେ ଆମେ ଭିଡରେ ନ ଫସି ଯାଇପାରିବା। – – ହଁ ବାଟ ତ ନିହାତି ଅଛି। ଏତିକି କହି ଲୋକଟି ଶାନ୍ତିରେ ନିଶ୍ବାସ ମାରି ଗାଡିରେ ବସିଲା। ହାତରେ ସେ ପୁଟିଳିିଟି ଜାକି ଧରିଥାଏ। ମୁନା ଗାଡି ଷ୍ଟାର୍ଟ କରି ବାଟ ପଚାରିବାରେ ଲାଗିଲା। ଲୋକଟିର କଥା ଅନୁସାରେ ଗାଡିଟି କେତେ କିଲୋମିଟର ପଛକୁ ନେଇ, ଅନ୍ଯ ଏକ ରାସ୍ତାରେ ସେମାନେ ଯିବାକୁ ଲାଗିଲେ। ମୁନା ଅନୁଭବ କଲା ଗାଡି ଭିତରଟା ଚନ୍ଦନ, କର୍ପୂର ବାସ୍ନାରେ ମହକି ଯାଉଛି। ସେ ଅନୁମାନ କଲା ଲୋକଟି ନିହାତି ପୁରୋହିତ କାମ କରୁଥିବ। ପୁଟୁଳି ଭିତରେ ଦାନ, ଦକ୍ଷିଣା ମେଞ୍ଚେ ଧରି ଘରକୁ ଫେରୁଥିବ। ଗାଡିଟି କିଛି ବାଟ ଯିବା ପରେ ମୁନା ସେ ଲୋକଟି ସହ ଗପିବାକୁ ଆରମ୍ଭ କଲା, କାରଣ ସେ ଲୋକର ଉପସ୍ଥିତି ତା ପାଇଁ ବେଶ୍ ଶାନ୍ତିପ୍ରଦ ଥିଲା। କଥାଛଳରେ ସେ ଜାଣିବାକୁ ପାଇଲା, ଲୋକଟି ମନ୍ଦିର ପାଖରେ ରହୁଛି ଓ ଏକ ଦୋକାନ ମଧ୍ଯ କରିଛି। ସେ ଦୋକାନ ରେ ପୂଜାସାମଗ୍ରୀ ଓ ଭୋଗ ଆଦି ବିକ୍ରୀ କରି ଚଳୁଛି। ସେ ଲୋକଟିକୁ ଛିଗୁଲାଇ କହିଲା, – ମୁଣ୍ଡରେ ମୟୂର ପୂଚ୍ଛ ଓ ଅଣ୍ଟାରେ ବଈଁଶି ଧରି ନିଜକୁ ସେ ଧପାବାଜ୍ କାଳିଆ ପରି କାଇଁ ସଜେଇଛ? – – କଣ କରିବି କହିଲ ବାବୁ ମୋର ଏ ଅଭ୍ଯାସ ପିଲା ବେଳରୁ ଅଛି। କଥାରେ ପରା ଅଛି “ଯାହା ନ ହେଲା ବାଳୁତ କାଳେ ତାହା କି ହେବ ପାଚିଲା ବାଳେ”। ପିଲା ବେଳେ ତ ଏ ଅଭ୍ଯାସ ଛାଡି ହେଲାନି, ବୁଢା ବୟସରେ ଛାଡିବି କେମିତି। – – ମଉସା ଆଜି ପରା ସୁନାବେଶ, ଲକ୍ଷଲକ୍ଷ ଲୋକ ଜମା ହୋଇଥିବେ। ଏମିତି ଅବସରରେ ଦୋକାନରେ ବିକ୍ରୀବଟା ନ କରି କାହିଁକି ସାଙ୍ଗଖୋଜି ବାକୁ ଦଉଡି ଆସିଲ ଯେ? – – ଲୋକଟି ଧିର ଅଥଚ ଗଭୀର ଅର୍ଥପୁର୍ଣ୍ଣ ହସ ଚେନାଏ ମୁହଁରେ ଖେଳାଇ କହିଲା-- ଲକ୍ଷଲକ୍ଷ ଲୋକ ଥିଲେ କଣ ହେବ ବାବୁ, ମୁଁ ଯାହାକୁ ଏତେ ଦିନ ଧରି ଖୋଜୁଛି ସେ ଯଦି ନ ଆସିବ ତେବେ କି ଲାଭ? – – କାହିଁକି? ସେ କଣ ତୁମ ପାଖରୁ ବେଶୀ ଜିନିଷ କିଣେ ନା କଣ, ଏତେ ବନ୍ଧୁ ପ୍ରେମର କାରଣ ? – – ସେ ମୋ ପାଖରୁ କିଛି କିଣେନି, କେବଳ ଦିଏ ତା ନିଚ୍ଛକ ଭଲ ପାଇବା ଓ ଅଗାଧ ବିଶ୍ବାସ। ସେ ପିଲା ଟି ଦିନରୁ ମୋର ପ୍ରିୟ। ବହୁତ ଭଲ ପାଏ ମୁଁ ତାକୁ। ଯେତେ ଭଲମନ୍ଦ ହେବ ସେ ଆଗ ମୋତେ ଖୋଜିବ। ଖୁସି ହେଲେ ମୋତେ କହିବ, କାନ୍ଦିଲେ ମୋ ପାଖରେ ଲୁହ ଝରାଇବ। ନିଜ ପାଇଁ କେବେ ସେ ସାହାଯ୍ଯ ମାଗିନି ମୋତେ, ବେଳେ ବେଳେ କୁହେ “ତୋତେ କଣ କହିବି ସାଙ୍ଗ ତୁ ତ ସବୁ ଜାଣୁ”। ହଠାତ୍ ଚମକି ଉଠିଲା ମୁନା, କାରଣ ସେ ଠାକୁର ଙ୍କ ଆଗରେ ପ୍ରାର୍ଥନା କଲା ବେଳେ ଏହି କଥାଟି କୁହେ-- “ତୁମେ ତ ସବୁ ଜାଣ, ତୁମକୁ ମାଗିବି କଣ”। ଲୋକଟି ଗପି ଚାଲିଥିବା ବେଳେ ପଚାରିଲା-- ଆଛା ବାବୁ ତୁମେ ସୁନାବେଶ ନ ଦେଖି ସମୂଦ୍ରକୂଳ ଯିବାକୁ ବାହାରିଛ ଯେ? କଣ କାଳିଆ ପାଖକୁ ଯିବାକୁ ମନ ନାହିଁ? ବନ୍ଦ କର ମଉସା ସେ ଦଗାବାଜ୍, କୂଟନୀତିଆ, କପଟି କାଳିଆ କଥା। ତା ବିଷୟରେ ଗପିବାକୁ ଇଚ୍ଛା ହେଲେ ମୋ ଗାଡିରୁ ଓହ୍ଲାଇ ଚାଲିଚାଲି ଯାଅ। ମୁଁ ତୁମକୁ ନେଇ ପାରିବିନି ମୋ ସାଙ୍ଗରେ। ମୁନା ର ରାଗ ଦେଖି ଲୋକଟି ସଙ୍କୁଚିତ ହୋଇଗଲା। ସିଟ୍ ରେ ପୁଟୁଳିଟିକୁ ଜାକି ନିରୀହ ଆଖିରେ ମୁନା ମୁହଁ କୁ ଚାହିଁ କହିଲା-- ରାଗନି ବାବୁ, ତୁମକୁ ଆଘାତ ଦେବାକୁ ମୁଁ ପଚାରି ନଥିଲି। ସବୁ ଲୋକ କାଳିଆ ପାଖକୁ ଯାଆନ୍ତି ବୋଲି ପଚାରିଦେଲି, କ୍ଷମା କରିଦେବ। ମୋତେ ମଝିରାସ୍ତାରେ ଓହ୍ଲାଇ ଦେଲେ କୁଆଡେ ଯିବି କହିଲ? ବୁଢା ଲୋକ ମୁଁ ଏତେ ବାଟ କଣ ଚାଲିପାରିବି? ଲୋକଟିର ଚାହାଁଣୀରେ କି ଭାବ ଥିଲା କେଜାଣି ମୁନା, ହୃଦୟରେ ଅନୁଭବ କଲା ଭାବନାର ଭୀଷଣ ଚକ୍ରବାତ। ଅତୀତରୁ ବର୍ତ୍ତମାନ ର ଦୃଶ୍ଯାବଳୀ ତା ଆଖି ସାମନାରେ ନାଚିଗଲା। ମନର କୋହ ଚାପି ନ ପାରି ଭୋ ଭୋ କରି କାନ୍ଦି ଉଠିଲା ଓ ସମସ୍ତ କାହାଣୀ ଲୋକଟି ଆଗରେ କହିବାକୁ ଲାଗିଲା। ଗାଡିଟି ରାସ୍ତାପାର୍ଶ୍ବରେ ଛିଡା ହୋଇଥାଏ ଓ ମୁନା ଚିତ୍କାର କରି ମନର ପ୍ରତ୍ଯକ ବେଦନା, ସେ ଲୋକଟି ଆଗରେ କହିଚାଲିଥାଏ ଓ ଅନବରତ କାଳିଆ ଠାକୁରଙ୍କ ପ୍ରତି ଅଭିସମ୍ପାତ୍ ମାନ ବର୍ଷଣ କରିିଚାଲିଥାଏ, କିନ୍ତୁ ,କାହିଁକି ତାହାର କାରଣ ମୁନା କୁ ମଧ୍ଯ ଅଜଣା ଥାଏ। ସେ ଅନୁଭବ କଲା ଲୋକଟି ତା ମୁଣ୍ଡରେ ହାତ ବୁଲେଇ କହୁଛି-- ସେମିତି ଅଧର୍ଯ୍ଯ ହୁଅନି ବାବୁ। ବିଧିର ବିଧାନ କୁ କେହି ଆୟତ୍ତ କରିପାରିବେ ନାହିଁ। ନିୟତି ଓ କାଳ ଏ ଜଗତରେ ସର୍ବ ଶକ୍ତିଶାଳୀ। ମଣିଷ କଣ, ଭଗବାନ ଚାହିଁଲେ ମଧ୍ଯ ନିୟତିର ଗତି କୁ ପରିବର୍ତ୍ତନ କରି ପାରିବେ ନାହିଁ।ମଣିଷର ଜନ୍ମ ବେଳୁ ପ୍ରାରବ୍ଧ କର୍ମ ସାଙ୍ଗରେ ନେଇ ଆସିଥାଏ, କର୍ମଫଳ ଭୋଗ କରିବାକୁ ହେବ। ତାହା ହି ବିଧି ର ବିଧାନ। ସ୍ବୟଂ ଭଗବାନ ମଧ୍ଯ ପ୍ରକୃତ୍ତିର ନିୟମରୁ ବର୍ତ୍ତି ପାରିବେ ନାହିଁ। ମୃତ୍ଯୁ ଏକ ରୂପାନ୍ତର ମାତ୍ର, ସେଥିରେ ବିଚଳିତ ହେବାର କାରଣ ନାହିଁ। ଶରୀର ପରି ଭଙ୍ଗୁର ଓ କ୍ଷୟଶୀଳ ପଦାର୍ଥ କୁ ମୋହ କରି ମୋହଗ୍ରସ୍ତ ହେଲେ, କେବଳ ଦୁଃଖ ବ୍ଯତୀତ କିଛି ମିଳିବ ନାହିଁ। କିନ୍ତୁ ଯିଏ ଆତ୍ମାକୁ ଭଲ ପାଇବା ଶିଖିଛି, ତା ଜୀବନରେ କେବେ ଦୁଃଖ ନାମକ ଭାବ ସ୍ଥାନ ପାଇପାରିବ ନାହିଁ। ଯାହା ହେବାର ଥିଲା ହୋଇଗଲା, ଏବେ ଚାହିଁଲେ କଣ ସେସବୁ ଫେରି ଆସିବ? କିଛି କାରଣ ଥିବ ବୋଲି ଆଜି ତୁମେ ଜୀବନ ଧାରଣ କରିଛ, ନୋହିଲେ ତୁମେ ବି ଆଜି ସେମାନଙ୍କ ଗହଣରେ ଥାଆନ୍ତ। ସେମାନେ ଏବେ ବି ତୁମ ପାଖରେ ଅଛନ୍ତି, ତୁମେ ଅନୁଭବ କଲେ ଜାଣି ପାରିବ। ଦେହ ସିନା ଚାଲିଗଲା ଆତ୍ମା ତ ଅମର, ସେ କୁଆଡେ ଯିବ? ଚର୍ମଚକ୍ଷୁ ସିନା ସେ ଆତ୍ମାର ସ୍ବରୂପ ଜାଣିବାକୁ ଅକ୍ଷମ, କିନ୍ତୁ ଅର୍ନ୍ତଚକ୍ଷୁ ତ ସର୍ବ ଶକ୍ତିଶାଳୀ। ଭଲରେ ଥରେ ମନର ଚକ୍ଷୁରେ ଦେଖିବାର ପ୍ରୟାସ କର। ସବୁ କିଛି ଜଳଜଳ ଦିଶିବ। ମୋ କଥାର ଯଥାର୍ଥତା ଅନୁଭବ କରି ପାରିବ। ମୋହ ତ୍ଯଗ କରି ପ୍ରକୃତ୍ତିସ୍ଥ ହୁଅ। ତୁମେ ଜୀବନ ର ଲକ୍ଷ୍ଯ ପଥରୁ ବିଚ୍ଯୁତ ନ ହୋଇ କର୍ମ କରିଚାଲ। ମୁନା ଅନୁଭବ କଲା ତା ଶରୀର ଭିତରେ ତୁଳସୀ ଓ କର୍ପୂରର ବାସ୍ନା, ରକ୍ତ ସହିତ ପ୍ରବାହିତ ହେଉଛି। ଲୁହ ଛଳଛଳ ଆଖିରେ ଚାରିଆଡକୁ ଦେଖିଲା...ଆଶ୍ଚର୍ଯ୍ଯ ତା ପାଖରେ ମିତା ହସହସ ମୁହଁରେ ବସିଛି। ପଛକୁ ବୁଲି ଦେଖିଲା ବେଳକୁ ବାପାମାଆ ଦୁଇଜଣ ତାକୁ ଚାହିଁ ହସୁଛନ୍ତି। ସେ କଣ କହିବ କିଛି ଭାବି ପାରିଲାନି। ତା ସାମନା ଘଟି ଯାଉଥିବା ଘଟଣା ସବୁ ସ୍ବପ୍ନ ନା ବାସ୍ତବିକତା!! ଅଚାନକ ସେ ଲୋକଟିର ଡାକରେ ପ୍ରକୃତିସ୍ଥ ହେଲା। ଲୋକଟି ପଚାରିଲା-- କଣ ଭାବୁଛ ବାବୁ, ମୋତେ କିଛି କହିବ? – ମଉସା ତୁମେ ମୋତେ କିଛି କହିଲ କି? – କାଇଁ ନାଁ ତ, ମୁଁ ତୁମକୁ କଣ କହିବାର ସାହାସ କରିପାରିବି। ତୁମେ କେତେ ରାଗରେ ଗାଳିଗୁଲଜ କଲ ବୋଲି ମୁଁ କାନରେ ହାତ ଦେଇ ବସିଥିଲି। ମୁନା ନୀରବରେ ଗାଡି ଚଲେଇବାରେ ଲାଗିଲା। କେଜାଣି କାହିଁକି, ସେ ଗାଡି ନେଇ ଯିବା ବେଳେ ଲୋକେ ରାସ୍ତା ଛାଡି ଦେଉଥିଲେ ବା କୌଣସି କାରଣରୁ ରାସ୍ତାରେ ଥିବା ଭିଡ ଆଡେଇ ହୋଇ ଯାଉଥିଲା। କେତେ ଅଜଣା ରାସ୍ତା ଓ ଲୋକଙ୍କ ଭିଡର ସମୂଦ୍ର ଲଙ୍ଘନ କରି ସେ ମନ୍ଦିର ପଛ ପାଖରେ ପହଞ୍ଚିଲା। ସେ ଅନୁଭବ କରୁଥିଲା ତା ମନରେ ଅପୂର୍ବ ପ୍ରଶାନ୍ତ ଭାବ । କିନ୍ତୁ କାହିଁକି? କେଉଁଆଡେ ଅଦୃଶ୍ଯ ହୋଇଗଲା ତାର କ୍ରୋଧ,ଅଭିଶାପ ସବୁ। ମନ ଭିତରେ କିଏ ଜଣେ କହୁଥିଲା-- ଜଗା ରଥ ଉପରେ ବସିଛି, ଏତେ ପାଖକୁ ଆସିଲୁ, ଅଥଚ ତାକୁ ନ ଦେଖି ଚାଲିଯିବୁ? ସେ ବିଡିବିଡେଇ କହିଲା – ନାଁ ଯିବିନି, ମୁଁ ଯମା ଯିବିନି ତା ପାଖକୁ, ସେ ମହା କପଟୀ, ତା ମୁହଁ ଦେଖିବିନି ମୁଁ। – ବାବୁ, ମୋ ଘର ପାଖେଇ ଆସିଲା। ଗାଡିଟିକୁ ଏଇଠି ରଖି ମୋ ସାଙ୍ଗରେ ଟିକେ ଆସିବ? ଏ ପୁଟୁଳିଟା ଧରି ହେବନି ବୋଧେ, ଗାଡିରେ ବସି ମୋ ମୁଣ୍ଡ ଟିକେ ବୁଲେଇବା ପରି ଲାଗୁଛି। ମୁନା ଭାବିଲା ଲୋକଟିକୁ ଏତେ ବାଟ ଯାଏ ଆଣିଲି ଯେତେବେଳେ ଆଉ କିଛି ବାଟ ପାଇଁ ମନା କାହିଁକି କରିବି। ସେ ମୁଣ୍ଡ ହଲାଇ ହଁ ଭରିଲା। ଲୋକଟି ଆଗରେ ଚାଲିଚାଲି ଯାଉଛି ଓ ପୁଟିଳିି ଟି ଧରି ମୁନା ତା ପଛରେ ଚାଲିଛି। ଲୋକଟି ରଥ ଆଡକୁ ମୁହାଁଇବା ଦେଖି ମୁନା ପାଟି କରି କହିଲା--ହୋ ମଉସା, କୁଆଡେ ମାଡି ଯାଉଛ? ମୁଁ ସେ ରଥ ଆଡକୁ ଯିବିନି। ତୁମ ପୁଟିଳି ନିଅ, ମୁଁ ଚାଲିଲି ମୋ ବାଟରେ। – ବାବୁ ଟିକେ ଖାଲି ରଥ ଉପରକୁ ଯାଇ ଚାଲି ଆସିବି। ତୁମେ ଟିକେ ମୋ ପୁଟୁଳିଟି ଧରି ତଳେ ଛିଡା ହୋଇଥିବ। ସାଙ୍ଗେସାଙ୍ଗେ ଯିବି ଓ ଚାଲି ଆସିବି। ମୁନାର ଉତ୍ତର କୁ ଅପେକ୍ଷା ନ କରି ଲୋକଟି ଜଗନ୍ନାଥଙ୍କ ରଥ ଉପରକୁ ଚଢିଗଲା। ମୁନା ରାଗରେ ଜଗନ୍ନାଥଙ୍କୁ ଦେଖିଲା। ଆଶ୍ଚର୍ଯ୍ଯ ତାଙ୍କ କଳା କଳା ଚକା ନୟନକୁ ଦେଖି ସେ ବିମୋହିତ ହୋଇଗଲା। ତା ଶରୀରର ପ୍ରତ୍ଯକଟି ରୋମ ଟାଙ୍କୁରି ଉଠିଲା। ନିଜକୁ ଆୟତ୍ତ କରିବା ଅବସ୍ଥାରେ ନ ଥିଲା ସେ। ଏତେ ଦିନ ଧରି ମନ ଭିତରେ ଚାପି ହୋଇ ରହିଥିବା କୋହ ବୁକୁ ଫଟାଇ ଆଖିରୁ ଝରିବାକୁ ଲାଗିଲା। ତା ନଜର ସାମନା ରେ ଲୋକଟି ଜଗନ୍ନାଥଙ୍କ ମୂର୍ତ୍ତ ପଛକୁ ଗଲା, କିନ୍ତୁ ତଳକୁ ଓହ୍ଲାଇଲା ନାହିଁ। ବହୁତ ସମୟ ଅପେକ୍ଷା କରି ସେ ଚାହିଁ ରହିଲା। ତାକୁ ଦିଶିଲା ରଥ ଉପରୁ ତାକୁ ସେ ଲୋକଟି ହାତଠାରି ଡାକୁଛି। ନିଜ ଅଜାଣତରେ କେତେ ବେଳେ ସେ ଜଗନ୍ନାଥଙ୍କ ମୂର୍ତ୍ତି ସମ୍ମୁଖରେ ପହଞ୍ଚି ସାରିଥିଲା। ରଥରେ ଥିବା ସେବକ ତାକୁ କହିଲା – - -- ବାବୁରେ ରଥ ଉପରକୁ ଚଢିବା ମନା, ତୁ କମିତି ଆସିଲୁ ମୁଁ ଦେଖି ମଧ୍ଯ ପାରିଲି ନାହିଁ। ତୋତେ ନିହାତି କାଳିଆ ଉପରକୁ ଆଣିଥିବ। ହଉ ଆସେ, ତୋ କାଳିଆ କୁ ଭଲରେ ଦର୍ଶନ କର। ଏତିକି କହି ସେବକଟି ମୁନା କୁ ଜଗନ୍ନାଥଙ୍କ ମୂର୍ତ୍ତି ଉପରକୁ ଏକ ପ୍ରକାର ଠେଲିଦେଲା। ମୁନା କୋଳେଇ ଧରିଛି ଜଗତର ନାଥଙ୍କୁ। ତା ଆତ୍ମା,ପ୍ରାଣ ସବୁ ଜଗନ୍ନାଥମୟ ହୋଇ ଯାଇଛି, ଚନ୍ଦନ କର୍ପୂର ଓ ତୁଳସୀ ବାସ୍ନାରେ ଆତ୍ମାପ୍ରାଣ ମହମହ ବାସି ଯାଉଛି। ସେ କିଏ? କଣ ତାର ଅସ୍ତିତ୍ବ? ମନେ ପକାଇଲେ ବି ମନେ ପଡୁନି। ପିଲାଙ୍କ ପରି କଇଁକଇଁ କାନ୍ଦି ଚାଲିଛି ସେ। କାଳିଆ ମୂର୍ତ୍ତି ଉପରେ ମୁଣ୍ଡ ବାଡେଇ କେତେ କଣ କହିଚାଲିଛି। ଚାରିପଟରେ ତା’ର କ’ଣ ହେଉଛି ସେ ଜାଣି ପାରୁନି, ଆତ୍ମା କେବଳ ଜଗନ୍ନାଥ ନାମ ହିଁ ଜପ କରୁଛି। ସ୍ବପ୍ନ ନା ବାସ୍ତବରେ ସବୁ ଘଟି ଯାଉଛି ତା ସମ୍ମୂଖରେ ସେ ଜାଣିବାର ଶକ୍ତି ହରେଇ ସାରିଛି। କେତେ ସମୟ ପରେ ସେ ଚେତା ହରାଇବା ପରି ଅନୁଭବ କଲା। ଚେତା ଫେରିିବା ପରେ ସେ ନିଜକୁ ରଥ ତଳେ ଆବିଷ୍କାର କଲା। ମୁହଁରୁ ଜଗନ୍ନାଥଙ୍କ ଉଦଶ୍ଯରେ ଝରି ଚାଲିଛି ମନ୍ତ୍ର-- “ନୀଳାଚଳ ନିବାସାୟ ନିତ୍ଯାୟ ପରମାତ୍ମନେ, ବଳଭଦ୍ରଂ ସୁଭଦ୍ରାଭ୍ୟାଂ ଜଗନ୍ନାଥୟତେ ନମଃ” ହାତରେ ଲୋକଟିର ପୁଟୁଳି ସେମିତି ହିଁ ଥିଲା। ପାଖ ଲୋକଙ୍କୁ ପଚାରିଲା ସେ ଲୋକଟି ବିଷୟରେ। ସମସ୍ତେ କହିଲେ ସେ ଏକୁଟିଆ ରଥ ପାଖକୁ ଆସିଥିଲା, ତା ସାଙ୍ଗରେ କେହି ବି ନ ଥିଲେ। ସେ ମନ କୁ ମନ କାହା ସହ କଥା ହେଉଥିଲା ବୋଲି ପାଖ ଦୋକାନୀ ମାନେ ମଧ୍ଯ କହିଲେ। ମୁଣ୍ଡ ଗୋଳମାଳ ହୋଇଯାଉଥିଲା ତାର, ତରତର ହୋଇ ସେ ପୁଟୁଳି ଟି ଖୋଲିବା ବେଳକୁ ଦେଖିଲା-- ଗୋଟିଏ ଦକ୍ଷିଣାବର୍ତ୍ତୀ ଶଙ୍ଖ, ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି, କିଛି ଫେଣୀ ଓ ଗଜା ସହ କେଇ ବିଡା ବଳିତା। ଭୂଇଁ ଉପରେ ଲଥ୍ କରି ବସି ପଡିଲା ମୁନା। ଏହି ସବୁ ଜିନିଷ ପୁରୀରୁ କିଣିବ ବୋଲି ମିତା ସେଦିନ କହୁଥିଲା, ତେବେ ଏ ଲୋକଟି କେମିତି ଜାଣିଲା? କିଏ ସେ ବ୍ଯକ୍ତି? ଏମିତି ସହସ୍ର କାହିଁକିର ପ୍ରଶ୍ନମାଳା ଭିତରେ ଉବୁଟୁବୁ ହେଲା ବେଳକୁ ପଛରୁ ସାଙ୍ଗ ମାନେ ଏକ ସ୍ବରରେ କହି ଉଠିଲେ-- ଆରେ ମୁନା ତୁ ଏଠି କଣ କରୁଛୁ? ସମୁଦ୍ର ରୁ ଫେରିଲୁଣି ନା କଣ? ମୁନା ଥରଥର କଣ୍ଠରେ ଜଗନ୍ନାଥଙ୍କ ଆଡକୁ ହାତ ବଢେଇ କୋହ ଭରା କଣ୍ଠରେ କହିଲା-- ସେ ମୋତେ ଟାଣି ଆଣିଲା, ତା ପାଖକୁ…….. ଟାଣି ଆଣିଲା ମୋତେ। ମୋ ଜଗା ମୋତେ କୋଳେଇ ନେଲା, ମୋର ଭୁଲ କ୍ଷମା କରିଦେବୁ ଜଗା ,ମୋ ସୁନା ଟା ପରା। ତୁ ମୋତେ ଯାହା ସବୁ ବୁଝେଇଲୁ ମୁଁ ବୁଝିଗଲି। କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଏପରି ବୁଝାଇ ପ୍ରକୃତିସ୍ଥ କରିଥିଲୁ; ମୁଁ ଛାର ମନୁଷ୍ଯ, ତୋ ଲୀଳାରୁ ବାଦ୍ ପଡିବି କିପରି? ସାଙ୍ଗ ମାନେ କିଛି ବୁଝି ନ ପାରି ପରସ୍ପରର ମୁହଁ ଚାହିଁ ରହିଥିଲେ। ମୁନାର ଏପରି ପରିବର୍ତ୍ତନ ର କାରଣ ଜାଣିବା, ସେମାନଙ୍କ ପାଇଁ ଜଟିଳ ପ୍ରହେଳିକା ସଦୃଶ ଥିଲା। ରଥ ଉପରୁ ଜଗନ୍ନାଥଙ୍କ ଜାଜ୍ଜୁଲ୍ଯମାନ ଦୁଇଗୋଟି ଘୁମନ୍ତ କଳା ଆଖିର ତେଜ ଖଣ୍ଡମଣ୍ଡଳରେ ଅପୂର୍ବ ଦୃଶ୍ଯ ର ସଂରଚନା କରି ଚାଲିଥିଲା। ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନରେ, ସ୍ରଷ୍ଟା ଓ ସୃଷ୍ଟି ଉଭୟଙ୍କ ଅନ୍ତରାତ୍ମାରେ ପ୍ରେମସୁଧା ଅବିରତ ପ୍ରବାହିତ ହୋଇ ଚାଲିଥିଲା।

---ସମାପ୍ତ--

ଲୀଳାମୟ କାଳିଆ ଅସୁବିଧା

Rate the content


Originality
Flow
Language
Cover design

Comments

Post

Some text some message..