Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lopamudra Mishra

Others

3  

Lopamudra Mishra

Others

ସୀତା ଉପାଖ୍ୟାନ

ସୀତା ଉପାଖ୍ୟାନ

5 mins
7.3K


ସୁନ୍ଦର ମୋ ଗାଁରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚରିତ୍ର ମାନଙ୍କ ଚମତ୍କାରୀ ଆଗମନ ଦେଖିବାକୁ ମିଳେ । ଏହି ଯେମିତି ମୋ ଦଶମ ଶ୍ରେଣୀ ସମୟରେ ଗାଁରେ ସୀତାଙ୍କ ଆବିର୍ଭାବ ହେଇଥିଲା ।

ସେତେବେଳେ ମୋ ଜେଜେ ବଞ୍ଚିଥାନ୍ତି । ସେ ଚାକିରୀରୁ ଅବସର ନେଲା ପରେ ଘରେ ରହି ଗାଁର ଟିକି ନିଖୀ ସମସ୍ତ ସମାଚାର ରଖୁଥିଲେ । କାହା ଘରେ କଣ ହେଲା ସେ ବିଷୟରେ କିଂଚିତ ସୂଚନା ଵି ତାଙ୍କୁ ମିଳିଯାଉଥିଲା । ଗୋଟେ ରବିବାର ସକାଳେ ଜେଜେ ବାହାରୁ ବୁଲାବୁଲି କରି ଆସି ଏକ ଅବିଶ୍ୱାସନୀୟ ସମ୍ବାଦ ଦେଲେ ।

ଆମ ଗାଁକୁ ଲାଗି ଦଧିବାମନପୁର ଗାଁର ଗୁଡ଼ିଆ ସାହିରେ ରତ୍ନାକର ସାହୁର ବଡ଼ଝିଅ ଜିନିଆ ଶରୀରରେ କୁଆଡେ ସୀତା ଦେବୀଙ୍କ ଆବିର୍ଭାବ ହେଇଛି । ଶନିବାର ସନ୍ଧ୍ୟାରେ ଦଧିବାମନ ମନ୍ଦିର ରେ ଆଳତୀ ଦେଖି ଆସିଲା ପରେ ଜିନିଆ ଭିତରେ ଘରଲୋକ ଅନେକ ପରିବର୍ତନ ଲକ୍ଷକଲେ । ମନ୍ଦିରରୁ କୁଆଡେ ଜିନିଆ ଫେରିନଥିଲା ବରଂ ସୀତାଦେବୀ ଜିନିଆ ଶରୀରରେ ପ୍ରବେଶ କରି ରତ୍ନାକର ସାହୁ ଘରକୁ ଆସିଥିଲେ । ଜେଜେ କହିଲେ ସକାଳୁ କୁଆଡେ ସୀତାଙ୍କର (ଜିନିଆ ଶରୀର ଧାରଣ କରିଥିବା ସୀତା ) ପୂଜା ଅର୍ଚନା ଆରମ୍ଭ ହେଇଗଲାଣି । ଏ ସବୁ କଥାର ମୋ ବାବା ଘୋର ବିରୋଧୀ । ସେ ଆମକୁ ପ୍ରଥମରୁ ଚେତାବନୀ ଦେଇଦେଲେ "କେହି ସେ ପାଗଳୀ ଜିନିଆ ପାଖକୁ ଯିବନି । ଗୋଟେ ଭେଳିକି ଚାଲିବ ସେଠି "।

ଆମ ଭାଇ ଭଉଣୀଙ୍କର ଭାଳେଣି ପଡିଲା କେମିତି ଯାଇ ଟିକେ ଜିନିଆ ରୂପୀ ସୀତାଙ୍କୁ ଦେଖିବୁ । ଜିନିଆ ମୋ ଭାଇର ଦୁଇଟା ଉପର କ୍ଲାସରେ ପଢୁଥିଲା । ମାଟ୍ରିକ ଫେଲ ହେଇ ଘରେ ରହି ତ। ମାକୁ ରୋଷେଇରେ ସାହାଯ୍ୟ କରୁଥିଲା । ମୁଁ ଦଧିବାମନପୁର ଟ୍ୟୁସନ ହେବାକୁ ଯାଏ । ଫେରିବା ରାସ୍ତାରେ ପ୍ରାୟ ତାକୁ ଦେଖେ । ସାଧା ସିଧା ଝିଅଟିଏ । କେବେ ତାକୁ ହସୁଥିବାର ମୁଁ ଦେଖିନି । ତ। ଶରୀରକୁ ସୀତା କାହିଁକି ଆସିଲେ ବୁଝିହେଲ।ନି । ମୋ ଭାଇ କହିଲା ସେ ବହୁତ ଠାକୁର ପୂଜା କରେ ସେଥିପାଇଁ ବୋଧେ ସୀତା ତ। ଶରୀରକୁ ଆସିଛନ୍ତି ।

ଏ ଭିତରେ ସୀତାଙ୍କ ଆବିର୍ଭାବ ଆମ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ବହୁତ ଦୂରରୁ ଲୋକ ଆସି ସୀତାଙ୍କୁ ନିଜର ଗୁହାରି ଜଣେଇ ଉପକୃତ ହୋଇ ଫେରୁଥାନ୍ତି । ରତ୍ନାକର ସାହୁ ଘର ଆଗରେ ବହୁତ ଭିଡ । ଗୋଟେ ଉତ୍ସବ ଲାଗିରହିଥିଲା ପରି ଲ।ଗୁଥାଏ ତାଙ୍କ ସାହିରେ । ବାବା ସେହି ଦଧିବାମନ ୟୁଜିଏମଇ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଥାନ୍ତି । ସେ ଦେଖିଲେ ପିଲାମାନେ ସୀତାଙ୍କୁ ଛାଡି ସ୍କୁଲ ଆସିବାକୁ ରାଜି ହେଉନାହାନ୍ତି ଆଉ ଗାଁରେ ଗାଡି ଘୋଡା ଏତେ ଭିଡ ଯେ ଯିବା ଆସିବା ଅସୁବିଧା ହେଉଛି । ବାବା ଯାଇ ଏସବୁ ପ୍ରହସନ ବନ୍ଦ କରି ଝିଅଟାକୁ ଡ଼କ୍ଟର ଦେଖେଇବାକୁ କହିଲାରୁ ବହୁତ କଟୁ କଥା ବାବାଙ୍କୁ ଶୁଣିବାକୁ ପଡିଲା । ସୀତାଙ୍କୁ ପାଗଳୀ କହିଥିବାରୁ ବହୁତ ଲୋକ ବାବାଙ୍କୁ ଭୁଲ ମାଗିବାକୁ ମଧ୍ୟ ଦାବୀ କଲେ ।

ଜିନିଆର ବେଶ ଭୂଷା ଵି କାଳେ ବଦଳିଯାଇଥିଲା । ସେ ଏବେ ପୁରା ଦେବୀଙ୍କ ପରି ଶାଢ଼ୀ ଗହଣା ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଉଥାଏ । ବହୁତ ଭକ୍ତ ମନସ୍କାମନା ପୂର୍ଣ୍ଣ ହେବା ପରେ ସୀତାଙ୍କୁ ଅନେକ ଆଭୂଷଣ, ଟଙ୍କା ଭେଟି ଦେଉଥାନ୍ତି । ଆମ ଘରୁ ଖାଲି ଯାହା କେହି ଜଣେ ମଧ୍ୟ ଯାଇ ଜିନିଆର ସୀତା ରୂପ ଦେଖି ପାରୁନଥିଲୁ । ମୁଁ ଆଉ ମୋ ଭାଇ ଭଉଣୀ ବହୁତ ମନସ୍ତାପ ଭିତରେ ଥାଉ । ମୋ ସାନ ଭଉଣୀ 'ଚୁଙ୍ଗନର ସାଙ୍ଗ ଜିନିଆର ସାନଭଉଣୀ ରୁନିଆ । ସେହି ଯାହା ଚୁଙ୍ଗନ ଠାରୁ ଆମେ ପଚାରି ବୁଝୁଥିଲୁ ସମସ୍ତ ଘଟଣା । ସେ ଵି ବଡ ଵିଜ୍ଞା ପରି ଟିପ୍ପଣୀ ଦେଉଥାଏ । ମୋ ଭାଇ କହିଲା "ସେ ତ ଦଧିବାମନ ମନ୍ଦିର ଯାଇଥିଲା ସେଠି ଜଗନ୍ନାଥ ରହନ୍ତି ସେଠୁ ସୀତା କୋଉଠୁ ଆସିଲେ?ସେ ଲକ୍ଷ୍ମୀ ହେଇଥିବେ । ତାଙ୍କ ଘର ଲୋକ ଜାଣିପାରୁନାହାନ୍ତି ।" ଚୁଙ୍ଗନ କହିଲା "ନାଇଁ ସେ ସୀତା । ସୀତା ପା ନିଜେ କହୁଛନ୍ତି ସେ ସୀତା "। ଆମେ ସବୁଦିନ ଏମିତି ବିଚାର କରୁ କିନ୍ତୁ କେହି ଯାଇପାରୁନା ସେଠିକି । ଦିନେ ଆମ ପଡ଼ିଶା ଘର ବାସ ବୁଢୀମା ଆସି ମୋ ଜେଜେମାକୁ "କହିଲା ସୀତାଙ୍କ ପାଖକୁ ଯାଇଥିଲି କାଁହୁଆ( ତା ନାତି )ର ଜର ପାଇଁ । ସୀତା ଛୁଇଁ ଦେଲେ ଜର ସଙ୍ଗେ ସଙ୍ଗେ ଓଲ୍ହେଇଗଲା । କି ଅପୂର୍ବ ଅଲୌକିକତା !ତୁ ନଦେଖିଲେ ବିଶ୍ୱାସ କରିବୁନି "। ମୋ ଧର୍ମ ବିଶ୍ୱାସୀ ଜେଜେମା ସ୍ଥିର କଲା ସୀତା ଦର୍ଶନ କରିବାକୁ ଯିବ । ଆମେ ବି ଖୁବ ଉତ୍ସ।ହ ର ସହ ଅପେକ୍ଷା କଲୁ ଜେଜେମା ସହ ଯିବ। ପାଇଁ । ମୋ ପିଉସୀ ଝିଅ ସୀମା ନାନୀ ଆସିଥାଏ । ସେ ଆମ ଗାଁରେ ରହିପଢୁଥିଲା ବେଳେ ଏହି ଜିନିଆ ତା ସହପାଠିନୀ ଥିଲା । ଆମେ ତାକୁ କହିଲୁ "ଦେଖ ତୁ କେତେ କଷ୍ଟ କରି ହଷ୍ଟେଲ ଯାଇ ପାଠ ପଢୁଛୁ, ତୋ ସାଙ୍ଗ ମାଟ୍ରିକ ଫେଲ ହେଇକି ବି ସୀତା ହେଇଗଲା "। ସୀମା ନାନୀ ହସିଲା । ଜେଜେମା ତାକୁ ବି ଡାକିଲା "ଚାଲ ସୀମା ସୀତାଙ୍କୁ ତୋ କଲେଜ ପରୀକ୍ଷା ଫଳ କଥା ପଚାରିବୁ । ଏତେ କଷ୍ଟ କରି ବି ଆଗ ଥର ଫାର୍ଷ୍ଟ ହେଇପାରିଲୁନି ବୋଲି କାନ୍ଦୁଥିଲୁ । ଚାଲ ତାଙ୍କୁ ପଚାରିବୁ ସେ କୁଆଡେ ଆଗୁଆ ପ୍ରଶ୍ନ କଣ ପଡିବ ଜଣେଇଦେଉଛନ୍ତି "।

ସୀମା ନାନୀ ହସି ହସି କହିଲା "ଆଲୋ ଆଇ ସୀତା ପା’ science ପାଠ ପଢିନାହାନ୍ତି, ସେ କେମିତି କହିବେ କଣ ପ୍ରଶ୍ନ ଆସିବା ପରୀକ୍ଷା ରେ? ତୁ ଯଦି ଯାଉଛୁ ଯା । ମୋର ସେ ମାଟ୍ରିକ ଫେଲ ଦେବୀଙ୍କ ଆଶୀର୍ବାଦ ଦରକାର ନାହିଁ "। ଆମେ ଦୁଇଭଉଣୀ ଭାବିଲୁ ସୀମା ନାନୀର ସାଙ୍ଗ ସୀତା ହେଇଯାଇଛି ବୋଲି ସେ ତାକୁ ଇର୍ଷା କରୁଛି ।ମୁଁ ଆଉ ଚୁଙ୍ଗନ କଣ କଣ ପ୍ରଶ୍ନ ସୀତାଙ୍କୁ ପଚାରିବୁ ଆଲୋଚନା କଲୁ । ଚୁଙ୍ଗନ କହିଲା "ତାଙ୍କୁ ଆମେ ପଚାରିବା ସେ ଏବେ ଜିନିଆ ଶରୀର ରେ ଅଛନ୍ତି ତ ଜିନିଦେଇ କାହା ଶରୀରରେ ଅଛି" । ମୁଁ ଟିକେ ବଡ ଥିଲି ତ ରାମାୟଣ ବି କିଛି କିଛି ଜାଣିଥିଲି । ମୁଁ ବଡ ଜ୍ଞାନୀ ପରି କହିଲି "ମୁଁ ତାଙ୍କୁ ରାମାୟଣ ସମ୍ବନ୍ଧୀୟ ପ୍ରଶ୍ନ ପଚାରିବି ଯେମିତିକି ଲବ କୁଶ ଏବେ କୋଉଠି ଜନ୍ମ ହେଇଛନ୍ତି?ରାମ ତାଙ୍କୁ ଘରକୁ ନନେଲା ପରେ ବି ସେ କାହିଁକି ମନ୍ଦିର ରେ ରାମଚନ୍ଦ୍ରଙ୍କ ପାଖରେ ଠିଆ ହେଇଛନ୍ତି? ରାବଣର ଅଶୋକ ବନରେ ଥିଲାବେଳେ କଣ ଖାଉଥିଲ??" ଏମିତି ଆମେ ବହୁତ ଆଲୋଚନା କରି ଶୋଇପଡିଲୁ । ତା ପରଦିନ ସକାଳୁ ଗାଧୋଇ ପଡି ଜେଜେମା ସାଙ୍ଗରେ ବାହାରିଲୁ ଗୁଡ଼ିଆ ସାହି । ସେଠି ପହଂଚି ଶୁଣିଲୁ ଦେବୀ ଘଂଟାଏ ପରେ ଦର୍ଶନ ଦେବେ । ଅପେକ୍ଷା କରିବାକୁ ପଡିବ । ମୁଁ ଚୁଙ୍ଗନକୁ କହିଲି "ତୋ ସାଙ୍ଗକୁ ଡ଼ାକୁନୁ ପଚାରିବା ସୀତା କଣ କରୁଛନ୍ତି "। ସେ ଦେଖିଲା ତା ସାଙ୍ଗ ତାଙ୍କ ଓଳି ପଛ ପଟକୁ ଯାଉଛି । ଆମେ ତାକୁ ଡାକିଲୁ ସେ ଆସିଲା । ତା ଦେଇ କଥା ପଚାରିଲାରୁ କହିଲା "ଦେଇ ଝାଡ଼ା ଯାଇଛି । କାଲିଠୁ ତା ପେଟ ଖରାପ । ଘରେ ତାକୁ ଆଇଁସ ଖାଇବାକୁ ଦେଉନଥିଲେ । କାଲି ଘରେ ମାଛ ହେଇଥିଲା ସେ ଲୁଚେଇକି ବହୁତ ଖାଇଦେଇଛି । ରାତିରୁ ଝାଡ଼ା ହେଉଛି ତାକୁ । ସକାଳୁ ଲୋକ ଆସିଲେ ବାଡ଼ିରେ ଝାଡ଼ା କରିପାରିବନି ବୋଲି ଏହି ଓଳି ପଛରେ ଲୁଚିକି ଝାଡ଼ା ବସିଛି । ମୁଁ ଜଗିଥିଲି ତାକୁ । ଯାଉଛି ନହେଲେ ବାପା ରାଗିବ" । ଆମେ ଏବେ ଭାବିଲୁ ସୀତାଙ୍କ ପେଟ ଖରାପ ହେଇ ଝାଡ଼ା ହେଲେ ଯଦି ସେ ନିଜକୁ ଭଲ କରିପାରୁନାହାନ୍ତି ତାହେଲେ କାହ୍ନୁକୁ କେମିତି ଛୁଇଁ କି ଭଲ କରିଦେଲେ? କଣ ସୀତାଙ୍କ ପେଟକୁ ତାଙ୍କ ହାତ ପାଉନି? ଚୁଙ୍ଗନ ପଚାରିଲା 'ନାନୀ ଝାଡ଼ା ସୀତାଙ୍କୁ ହେଉଛି ନ ଜିନିଦେଇ କୁ?" ମୁଁ କହିଲି "ମୁଁ ବି ସନ୍ଦେହ ରେ । ଏ ସୀତା ଠିକ ସୀତା ନୁହେଁ । ଜେଜେମା ଥାଉ ପଳେଇବ। ଚାଲ " । ଘରକୁ ଆସି ସୀତାଙ୍କ ଲୁଜ ମୋସନ କଥା କହିଲୁ । ବାବା ଓ ସୀମା ନାନୀ ବହୁତ ହସିଲେ ।

ଏହାର ଦୁଇ ତିନି ସପ୍ତାହ ପରେ ଜିନିଆ ଦେହରୁ ସୀତା ବାହାରିଗଲେ । ତା ଶରୀର ଆଗ ଅପେକ୍ଷା ବେଶି ଅସୁସ୍ଥ ହେଇଗଲା । ସେ ବହୁତ ଦୁର୍ବଳ ହେଇଗଲା । କେତେ ସୁନ୍ଦର ଝିଅଟା କଣ୍ଟା ପରି ହେଇଗଲା । ତା ପାଗଳାମି ବଢ଼ିଲା । ତାକୁ ବାନ୍ଧି କରି ରଖିଲେ । ତା ବାପା ଦାନ ଟଙ୍କାରେ ବଡ ଲୁଗା ଦୋକାନ କଲା "ସୀତାରାମ ବସ୍ତ୍ରାଳୟ" । କିନ୍ତୁ ଜିନି ଆଉ ଭଲ ହେଲାନି । ଏବେ ବି ସେ ବନ୍ଧା ହେଇ ରହୁଛି ତା ଘରେ । ଦେଖିଲେ ଚିହ୍ନିହେବନି ଏହି ଝିଅ ଦିନେ ସେହି ସୀତା ହେଉଥିଲା ବୋଲି । ଜିନିଆ ଜଣେ ମାନସିକ ରୋଗୀ । ଡାକ୍ତରୀ ଭାଷାରେ schizophrenia patient ଥିଲା ସେ ଯାହାକୁ ଲୋକଙ୍କ ଅନ୍ଧବିଶ୍ୱାସ ସୀତାରେ ପରିଣତ କରିଦେଲା । ତା ଘରଲୋକ ବି ନିରୀହ ଲୋକଙ୍କୁ ଠକି ତା ରୋଗର ଭରପୁର ଫାଇଦା ଉଠେଇଲେ ।

ଏମିତି ହିଁ ଥିଲା ଆମ ଅଞ୍ଚଳର ଦଧିବାମନପୁର ଗାଁର ସୀତାଙ୍କ କାହାଣୀ ।

-ଲୋପାମୁଦ୍ରା ମିଶ୍ର-


Rate this content
Log in