Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others

4.3  

Lopamudra Mishra

Others

ଆମିଷ ସ୍ନାନ

ଆମିଷ ସ୍ନାନ

3 mins
683


ବିନୟ ନୂଆବର୍ଷ ଟା ଏଥର ଗାଁ ରେ କଟେଇବ ଚିନ୍ତାକରି ହଷ୍ଟେଲର ସମସ୍ତ ସାଙ୍ଗ ସାଥୀ ଓ ପାର୍ଟି, ପିକନିକ୍ ର ମୋହ ମାୟା କୁ ଛାଡି ଘରକୁ ପଳେଇ ଆସିଛି ।

ଛୁଟି ପରେ ଜାନୁଆରୀ ସେକେଣ୍ଡ ଉଇକ୍ ରେ ତୃତୀୟ ସେମିଷ୍ଟାର ପରୀକ୍ଷା । ବିନୟ ସକାଳୁ ଉଠି ବ୍ୟାଗ ରୁ ବହି ଖାତା ବାହାର କଲା । ଶୀତୁଆ ସକାଳ । ପିଣ୍ଡା ରେ ଖରା ପଡିନି । ବାଡ଼ି ଖଳାରେ ନିଶ୍ଚୟ କଅଁଳିଆ ଖରା ବିଛାଡ଼ି ହେଇଯିବଣି । ବହି ଖାତାକୁ କାଖରେ ଯାକି ପ୍ଲାଷ୍ଟିକ ଚେୟାର ଟେ ହାତରେ ଧରି ସେ ଖଳା ଆଡ଼କୁ ଚାଲିଲା ।

ଖଳାରେ ଧାନ ଗଦା ଦିଆଯାଉଛି । ବାପା ଟିକେ ଦୂରରେ ଚୌକି ଟେ ପକେଇ ବସି କଣ ସବୁ ନିର୍ଦେଶ ଦେଉଛନ୍ତି । ବିନୟ ନିର୍ଦ୍ଧିଷ୍ଟ ଗୋଟେ ସ୍ଥାନ ବାଛି ନେଇ ସେଇଠି ନିଜ ଚେୟାର ଟା ପକେଇଦେଲା । ଖରା କୁ ପିଠି କରି ବସିବାକୁ ଯାଉଛି ବାପା ପଛରୁ ପାଟିକରି କହିଲେ,

--ଆରେ ଆରେ ! ଚପଲ ଟା ପିନ୍ଧି କି କଣ ଖଳା ଭିତରକୁ ପଳେଇଆସିଲୁ ? ଚାଲ ଚପଲ ସେପଟେ ରଖିକି ଆସେ ଭିତରକୁ ।

--ବାପା ! ଥାଉ ନା । ଆଉ ଉଠିକି ଯିବାକୁ ମନ ହେଉନି ।

--ଆରେ କେଡ଼େ ଅଳସୁଆ ଟା କିରେ ! ତତେ ପା କହିଲି ଚପଲ ରଖିକି ଆସେ । ଲକ୍ଷୀ ଖଳାଟାରେ ଚପଲ ପିନ୍ଧି କି ପଶିଆସୁଛୁ ? ତୋ ବୋଉ ସେଇଠି ଝୋଟି ପକେଇଛି ଦେଖ, ତୋରି ଆଗରେ ।

--ବାପା ଖଳାଟା ଲକ୍ଷ୍ମୀ ନାଁ ଏ ଧାନ ଗଦା ଟା ଲକ୍ଷ୍ମୀ ?

--ଧାନ ଗଦା ଟା ।

--ବାପା ! ଲକ୍ଷୀ ଛଣ ବିଡ଼ା ଗୁଡ଼ାକ ନାଁ ଧାନ ସବୁଗୁଡ଼ାକ ?

--ଧାନ ସବୁକୁ ତ ଆମେ ଲକ୍ଷ୍ମୀ କହୁ ।

--ବାପା ତାହେଲେ ଧାନରୁ ଚାଉଳ ହେଲା ପରେ ସେ ଯେଉଁ ଚୋପା ଆଉ କୁଣ୍ଡା ରହିବ ତାକୁ ଵି କଣ ଆମେ ଲକ୍ଷ୍ମୀ କହିବା ?

--ହେତ୍.. ତୁ କାହିଁକି ଏତେଗୁଡାଏ କଥା ପଚାରୁଛୁ କହିଲୁ ? ଚପଲ ଟା ଖୋଲିବାକୁ କହିଲି ସେତିକି ତ ମାନୁନୁ, ଆଜେ ବାଜେ ଯେତେ ଖାଲି ବେକାର କଥା ପଚାରୁଛୁ ।

--ମୁଁ ଖୋଲିଦେବି ପରା । ତୁମେ କହୁନ କୁଣ୍ଡା ଵି କଣ ଲକ୍ଷ୍ମୀ?

--ନାଁ କୁଣ୍ଡା ଆଉ କେମିତି ଲକ୍ଷ୍ମୀ ହେଲା ? ଚାଉଳ ଟା କୁ ଲକ୍ଷ୍ମୀ କୁହାଯିବ । ଦେଖ ତୁ ୟା ପରେ ଆଉ କିଛି ପଚାରିବୁନି । ସିଧା ସେ ଚପଲ ଖୋଲିକି ଆସି ପଢ଼ିବୁ ।

ବିନୟ ଵି ଆଉ କିଛି ନକହି ଚପଲ ଖୋଲିକରି ଆସି ଖଳାରେ ପଢ଼ି ବସିଲା ।

ଧାନଗଦା କାମ ସାରି ବିନୟର ବାପା ମାଧବ ଘରକୁ ଉଠିଗଲେ ।

ଭିତରୁ ପତ୍ନୀ ବାହାରିଆସୁଥିଲେ ।

--ଏଇ ଶୁଣିଲ ! ପିଲାଟା ଦୁଇଦିନ ହେଲା ଆସିଲାଣି ଯେ ଖାଲି ସେଇ ଶାଗ ଆଉ କୋବି ଖାଇ ସେ ବିରକ୍ତ ହେଇଗଲାଣି । ତୁମେ ତ ତାକୁ ଟଙ୍କା ଦେଲନି ବୋଲି ସେ ବଣଭୋଜୀ କରିବାକୁ ଵି ଯାଇପାରିଲାନି । ଗଲ ବଜାର ରୁ ଆଜି ମାଛ କି ମାଂସ ଆଣିକି ଆସିବ । ଆଜି ଵି ଆଇଁଷ ବାର ଅଛି ।

ମାଧବ ବ୍ୟାଗ ଟେ ଧରି ବଜାର ବାହାରିଗଲେ । ଅଧଘଣ୍ଟା ଭିତରେ ଖାସୀ ମାଂସ କେ.ଜି.ଟେ ଧରି ଫେରିଲେ ।

ବିନୟ ବାପାଙ୍କ ସାଙ୍ଗରେ ଖାଇ ବସିଛି, ବୋଉ ଭାତ ବାଢି ସାରି ଗିନା ଦୁଇଟା ଆଣି ଥୋଇଲା ତରକାରୀ ବଢିବାପାଇଁ ।

ବିନୟ ବୋଉ କୁ ଉଦେଶ୍ୟ କରି କହିଲା -ବୋଉ ! ମାଂସ ତରକାରୀ ଟା ନେଇଯାଆ ବାପାଙ୍କ ପାଖରୁ । ବାପା ତରକାରୀ ପରେ ଖାଇବେ ।

--କିରେ କାହିଁକି ?

--ତରକାରୀଟା ଏବେ ଦେଲେ ବାପା ଆଜି ଦେବୀ ଙ୍କୁ ଆମିଷ ସ୍ନାନ କରେଇଦେବେ ଯେ !

--କୋଉ ଦେବୀ କିରେ ?

--ଭାତ ଦେବୀ ।

ମାଧବ ପୁଅର କଥା ଶୁଣି ଚିଡ଼ି ଉଠି କହିଲେ, "କଣ ସବୁ ଆଲତୁ ଫାଲତୁ ଗପୁଛୁ ବିନୁ? "

--ବାପା ! ତୁମେ ପା ସକାଳେ କହୁଥିଲ ଚାଉଳ ଲକ୍ଷ୍ମୀ । ସେହି ଚାଉଳରୁ ପ୍ରସ୍ତୁତ ଭାତ ଵି ତାହେଲେ ଲକ୍ଷ୍ମୀ । ଲକ୍ଷ୍ମୀ କି ନୁହେଁ କୁହ ? ଲକ୍ଷ୍ମୀ ସେଠି ଖଳାରେ ଥିଲେ ବୋଲି ମୁଁ ଚପଲ ଖୋଲିକରି ବସିଲି ଆଉ ଏବେ ସେହି ଲକ୍ଷ୍ମୀଙ୍କୁ ତୁମେ ଆମିଷ ଝୋଳରେ ଲଟପଟ କରି ଖାଇବା କଣ ଠିକ ହେବ? ଲକ୍ଷ୍ମୀଙ୍କୁ କେତେ ବାଧିବ କହିଲ ?

ବିନୁ ବୋଉ ରୋଷେଇ ଘର ଦ୍ୱାର ବନ୍ଧ ପାଖରେ ଠିଆ ହୋଇ ମୁହଁରେ ଲୁଗାକାନି ଦେଇ ହସୁଥିଲେ । ରୋଷେଇ ଘରେ ତାଙ୍କର ଆମିଷ ପଶେନି । ଘର ପଛପଟେ ଚୁଲିରେ ଆଜିଯାଏଁ ସେ ଆମିଷ ରାନ୍ଧି ଆସୁଛନ୍ତି । ସେ ଵି ବୁଝିପାରନ୍ତିନି ଭାତ ହାଣ୍ଡି ଟା କେମିତିକା ଲକ୍ଷ୍ମୀ ଯେ ଆମିଷ ବାଜିଲେ ମାରା ହେଇଯିବ??

ବିନୟ ଉପରେ ରାଗ ଗର ଗର ହୋଇ ବିନୁ ବାପା କହିଲେ, "ତୁ ସେ କେତେଟା ଧର୍ମଛଡ଼ା ଲୋକଙ୍କ ସହ ମିଶି ପୁରା ନଷ୍ଟ ହେଇଗଲୁଣି । ସବୁ କଥା ରେ ତୋର ଖାଲି ଯୁକ୍ତି ଆଉ ତର୍କ । କିଛିଟା କଥା ମାନିନେଲେ ତୁମମାନଙ୍କର କ୍ଷତି କଣ ହେଇଯାଉଛି କିରେ ? ନାସ୍ତିକ ଗୁଡ଼ାକ ହ୍ୟାଳ୍ପ.. ତୁମେ ସେଠି ଠିଆ ଟା ହେଇ ଦାନ୍ତ କାହିଁକି ଦେଖାଉଛ? ଖାଇବାକୁ ଗଣ୍ଡେ ଦେଲେ ଦିଅ ନହେଲେ ମୁଁ ଉଠିଲି । "

ବିନୟ ଥରେ ବାପାଙ୍କ ମୁହଁକୁ ଆଉଥରେ ତାଙ୍କ ଆଗରେ ଥୁଆ ହେଇଥିବା ମାଂସ ତରକାରୀ ର କଡେଇ କୁ ଅନେଇଲା । ଉଭୟଙ୍କ ରଙ୍ଗ ନାଲି ଲଙ୍କା ପରି ଲାଲ୍ । ହସି ହସି ସେ ତା ବୋଉ କୁ କହିଲା, "ବୋଉ ! ଡେରି କାହିଁକି କରୁଛୁ ? ବାପାଙ୍କ ଗିନାରେ ତରକାରୀ ଟା ଢାଳେ । ଦେବୀଙ୍କ ଆମିଷ ସ୍ନାନର ବେଳ ଗଡିଯାଉଛି ପା !"

ଲୋପାମୁଦ୍ରା ମିଶ୍ର


Rate this content
Log in