Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଲକ୍ଷେ ବଳିତା
ଲକ୍ଷେ ବଳିତା
★★★★★

© Rasmi Rekha Tripathy

Drama Tragedy

9 Minutes   14.1K    12


Content Ranking

ମୁଁ ସାଧାରଣ ମଣିଷଟିଏ l ଜାଣିନି ମଣିଷ ମଲା ପରେ କୁଆଡେ ଯାଏ? ଆତ୍ମା କ’ଣ ତାହା ମୋ ବୋଧ ଶକ୍ତିର ବାହାରେ l ସ୍ୱର୍ଗ ଆଉ ନର୍କ ବିଷୟରେ ଶୁଣିଛି l କିନ୍ତୁ ତା ଅସ୍ତିତ୍ୱ ବିଷୟରେ ଏବେ ବି ସନ୍ଦିହାନ l ତେବେ ଏତିକି ଅନୁଭବ କରିଛି, ସ୍ୱର୍ଗ ଏଇଠି, ଆଉ ନର୍କ ବି ଏଇଠି l ଅଧିକାଂଶ ମଣିଷ ଶାନ୍ତିରେ ରହିବାକୁ ଚାହାନ୍ତି l କିନ୍ତୁ ସବୁ ଚାହିଁବା କଣ ସମସ୍ତଙ୍କୁ ମିଳେ ତାହେଲେ ତ ମଣିଷର ଅବଶୋଷ ବୋଲି କିଛି ରୁହନ୍ତା ନାହିଁ l ମୋ ବୋଉକୁ ସନ୍ତୁଷ୍ଟ କରିବାକୁ ଯାଇ ମୁଁ ଆଜି ମୋ ଭାଇନାର ହତ୍ୟାକାରୀ ପାଲଟି ଯାଇଛି l କାହାକୁ କହିବି ଏ ଦୁଃଖ ? କେତେ ଜଲଦି ବଦଳିଯାଏ ସମ୍ପର୍କର ସଂଜ୍ଞା ସବୁ l

ସମସ୍ତେ କୁହନ୍ତି, ଛୋଟ ପରିବାର, ସୁଖୀ ପରିବାର l ନନା, ବୋଉ, ଭାଇନା ଓ ମୋତେ ନେଇ ଆମର ଛୋଟ ପରିବାରଟିଏ ଥିଲା l କିନ୍ତୁ ସୁଖୀ ହୋଇ ପାରିଲା ନାହିଁ l ଚାରି ଜଣ ମଣିଷ l ଚାରିଟି ଭିନ୍ନ ଭିନ୍ନ ଚରିତ୍ର l ନନା ଏକଦମ୍ ଚୁପଚାପ୍ l ସହଜ ସରଳ ଧର୍ମଭୀରୁ ମଣିଷଟିଏ l ନିଜର ସୀମିତ ଆୟ ମଧ୍ୟରେ ଶାନ୍ତି ଖୋଜନ୍ତି l କାହାରିଠୁ ପଇସାଟେ ନେବେନି କି କାହାରିକୁ ଅଯଥାରେ ପଇସାଟେ ଦେବେନି l

       ବୋଉ ଭୟଙ୍କର ଭାବରେ ରକ୍ଷଣଶୀଳ l ଧର୍ମକୁ ନେଇ ଅନେକ କୁସଂସ୍କାର ତା ମନରେ l ବାର ହାତ ବାଜିଥିବ ବୋଲି ନନାଙ୍କ ଦରମା ଟଙ୍କା ସବୁ ଧୋଇ ଚୁଲି ମୁଣ୍ଡେ ଶୁଖେଇବ l ଆମେ ବାହାରୁ ଫେରିଲେ ବାର ଛୁଆଁ ବାଜିଥିବ ବୋଲି ଘର ଭିତରେ ପୁରେଇ ଦିଏନି l ସାଇଡ୍ ରାସ୍ତା ଦେଇ ବାରିପଟକୁ ଯାଉ l ସେଠି ପୋଷାକ ବଦଳେଇ ଗାଧେଇ ସାରି ଘରେ ପଶୁ ଆମେ l ସବୁ ଦିନେ ସେହି ପାଲା l ମୁଁ ଚିଡିଲେ ବି କିଛି କହିପାରେନି l ଆଗ କାଳର ମଣିଷ l ତାକୁ ଆଘାତ ଦେବାକୁ ଇଛା ହୁଏନି l ଅନ୍ୟ ଜାତି ଲୋକଙ୍କ ଛାଇ ପଡିଲେ ଖାଇବନି ମଧ୍ୟ l ଅଇଣ୍ଠା ସଙ୍ଖୁଡି ନେଇ ବହୁତ ବାରଣ ତାର l ପୁଅ ବୋଲି ଭାଇନାକୁ ବହୁତ ଭଲ ପାଏ l କିନ୍ତୁ ଶେଷରେ ସେହି ଭାଇନାର ମୁହଁକୁ ଚାହିଁଲାନି ସିଏ l ସବୁ କିଛି ଓଲଟପାଲଟ ହୋଇଗଲା l

       ଭାଇନା l ଏ ଘରର କୁଳନନ୍ଦନ l ବଂଶ ରକ୍ଷାକାରୀ l ପୁତ୍ ନର୍କରୁ ଉଦ୍ଧାରକାରୀ l ସେଥିପାଇଁ ବହୁତ ଗେଲା l ମୁଁ ବି କେବେ ପ୍ରତିବାଦ କରେନା l କାରଣ ପ୍ରତିବାଦ କରିବା ଶିକ୍ଷା ଆମକୁ ଦିଆ ଯାଇ ନ ଥିଲା l ଆମେ; ମାନେ ଆମ ସମୟର ଝିଅମାନେ ଏଇ ବାସ୍ତବତାକୁ ମାନି ନେଇଥିଲୁ l ଭାଇନା କିନ୍ତୁ ମୋତେ ବହୁତ ଭଲ ପାଏ l ବାୟାଣୀ ବ୍ୟତୀତ ଆଉ କିଛି ଡାକିବା ମୁଁ ଜାଣି ନାହିଁ l ଟକଳା l ଘରେ ଯେତେ ଯାହା ରନ୍ଧା ହେଇଥାଉ, ସେ ବାହାରୁ କିଣି ଖାଇବ ହିଁ ଖାଇବ l ଆଉ ମୋ ପାଇଁ ନେଇ ଆସିବ l ପାଠ ପ୍ରତି ଧ୍ୟାନ ନ ଥାଏ l ପ୍ରଖର ସ୍ମରଣ ଶକ୍ତି ତାର l ପାଠ କିନ୍ତୁ ପଢେନି l ସାତ ଥରରେ ମାଟ୍ରିକ ପାଶ୍ କଲା l କାହାକୁ ମନା କରିବା ତା ଜାତକରେ ନାହିଁ l ଦୁନିଆଁ ଲୋକଙ୍କୁ ଦୁନିଆଁ ସାହାଯ୍ୟ କରିବ l ଆଉ ସମସ୍ତଙ୍କଠୁ ଧୋକା ଖାଇବ l ଆମ ଭିତରେ କେବେ ଝଗଡା ହେଉ ନ ଥିଲା l ଆମେ ସମସ୍ତଙ୍କର ଆଦର୍ଶ ଥିଲୁ l ଭାଗ୍ୟ.......... ସବୁ ଭାଗ୍ୟ l ସେହି ଭାଗ୍ୟର ହିଁ ଦୃଷ୍ଟି ପଡିଗଲା ଆମ ସମ୍ପର୍କ ଉପରେ l କେବେ ଭାବି ନ ଥିଲି ଭାଇନା ଓ ମୋ ମନ ଭିତରେ ବାଡଟିଏ ପଡିଯିବ l ବାଡଟିଏ ପଡିଗଲା କିନ୍ତୁ l ସେ ବାଡ ଡେଇଁ ନା ସିଏ ଆସି ପାରିଲା, ନା ମୁଁ ଯାଇ ପାରିଲି l ଆମ ସମ୍ପର୍କ ଏତେ ତିକ୍ତ ହୋଇ ଯାଇଥିଲା ଯେ ଲୋକମାନେ ଆଙ୍ଗୁଠି ନିର୍ଦ୍ଦେଶ କରୁଥିଲେ l ଲୋକଙ୍କୁ ତ କହିବା ପାଇଁ ବାହାନା ଦରକାର l କିନ୍ତୁ ମୁଁ କଣ କଲି ? ମୁଁ ଅନ୍ତତଃ ସେ ବାଡକୁ ଭାଙ୍ଗି ଦେଇ ପାରିଥାନ୍ତି ? ପାରିଲିନି ମୁଁ l ଭାଇନା ମରିଗଲା l ମୋତେ ଲାଗୁଛି ମୁଁ ହିଁ ତା ମୃତ୍ୟୁର କାରଣ ହୋଇଗଲି l ବୋଉ ଉପରେ ଅଭିମାନ ଆସୁଛି ? କାହିଁକି ଏମତି କଲା ସିଏ ? କାହିଁକି ମୋତେ ଏମିତି ତ୍ରିଶଙ୍କୁ ଅବସ୍ଥାରେ ଛାଡି ଦେଇଗଲା ? କାହିଁକି ସିଏ କ୍ଷମା ଦେଇ ପାରିଲାନି ଭାଇନାକୁ ? ଭାଇନା ଉପରେ ଏତେ ରାଗୁଥିଲେ ବି ଶେଷ ସମୟରେ ଭାଇନାକୁ ଖୋଜିଲା କାହିଁକି ? କାହିଁକି ଅପେକ୍ଷା କରିଥିଲା ତା ହାତରୁ ନିର୍ମାଲ୍ୟ ଟିକେ ପାଇ ଶେଷ ନିଃଶ୍ୱାସ ତ୍ୟାଗ କରିବା ପାଇଁ ? ମୋର ଏତେ କାହିଁକିର ଉତ୍ତର ଦେବ କିଏ ?

 ଭାଇନାର ଜାତକରେ ଥିଲା, ସେ କୁଆଡେ ଅଲଗା ଜାତିରେ ବାହା ହେବ l ଏତେ ଧର୍ମଭୀରୁ, ଏତେ ଜାତକ ବିଶ୍ୱାସୀ ବୋଉ, ଏ ସତଟାକୁ ଗ୍ରହଣ କରି ପାରିଲାନି କଣ ପାଇଁ ? ମୋର ନିର୍ବନ୍ଧ ସରିଯାଇଥିଲା l ବାହାଘର ପାଇଁ ଡେରୀ ଥିଲା l ଏ ଭିତରେ ଭାଇନା ଏମିତି ବଡ କାଣ୍ଡଟେ କରିଦେଲା l ସେ ଠିକ୍ ଭାବରେ ଜାଣିଥିଲା ରକ୍ଷଣଶୀଳ ନନା ବୋଉ ଅଲଗା ଜାତିର ଝିଅକୁ କେବେ ବି ବୋହୁ କରି ଆଣିବା ପାଇଁ ରାଜି ହେବେନି l ତେଣୁ ସେ କୋର୍ଟରେ ବାହା ହୋଇଗଲା l ଖବର ପାଇ ନନା ମୁଣ୍ଡ ବାଡେଇଦେଲେ l ବୋଉର ବାହୁନା ତ ସରୁ ନ ଥିଲା l ସେମାନଙ୍କର ଭୟ ଥିଲା ଯେ ମୋର ଭାବୀ ଶାଶୁଘର ବାହାଘର ଭାଙ୍ଗିଦେବେ l କିନ୍ତୁ ସେମିତି କିଛି ଘଟିଲା ନାହିଁ l ମୋ ବାହାଘର ହୋଇଗଲା l ଭାଇନା ଆସି ନ ଥିଲା ବାହାଘରକୁ l ତାକୁ ଆସିବାକୁ ହିଁ ଦିଆ ଯାଇ ନ ଥିଲା l ନନା ଯେମିତି ମୋ ବାହାଘରକୁ ହିଁ ଅପେକ୍ଷା କରି ରହିଥିଲେ l ମୋ ବାହାଘରର ମାସେ ପରେ ହଠାତ୍ ଦିନେ ନନା ରାତିରେ ଶୋଇଥିଲେ, ଛାତିରେ ଯନ୍ତ୍ରଣା ହେଲା l ସେତେବେଳକୁ ତ ଏମିତି ଆଉ ଫୋନ୍ ଫାନ୍ କିଛି ନ ଥିଲା l ଦାଦାଙ୍କ ପୁଅ ନନାଙ୍କୁ ନେଇ ଡାକ୍ତରଖାନା ବାହାରିଲେ l କିନ୍ତୁ ସେତେବେଳକୁ ନନା ଆଉ ନ ଥିଲେ l ଖବର ପାଇ ଭାଇନା ଆସିଥିଲା l ବୋଉ ନିର୍ବାକ୍ ହୋଇ ଯାଇଥିଲା l ଭାଇନା ମୁଖାଗ୍ନି ଦେଲା l ବୋଉ ପ୍ରତିବାଦ କରି ନ ଥିଲା l ଭାଉଜ ବି ଆସିଥିଲେ l ମୁଁ ସେ ଦୁହିଁଙ୍କ ସହ କଥାବାର୍ତ୍ତା କରୁ ନ ଥିଲି l ଭାଇନା ବି ତା ତରଫରୁ ମୋ ସହ କଥା ହେବାକୁ ସାହସ କରି ପାରି ନ ଥିଲା l ଭାଇନା କ୍ରିୟା ଧରିଲା l ବୋଉ କିନ୍ତୁ ଭାଉଜଙ୍କୁ ଠାକୁର ଘରେ କି ହାଣ୍ଡିଶାଳେ ପୁରେଇ ଦେଲାନି l ଭାଉଜ ବି କଣ କରିବେ ? ଅପରାଧୀ ଭଳି ସମସ୍ତଙ୍କୁ ଆଡେଇ ଚଳପ୍ରଚଳ ହେଉଥାନ୍ତି l

ଶୁଦ୍ଧ ଘର ପରେ ଭାଇନା ବୋଉକୁ ସାଙ୍ଗରେ ନେଇଯିବାକୁ ବସିଲା l କିନ୍ତୁ ବୋଉ ରାଜି ହେଲାନି ଏବଂ ତାହା ହିଁ ସ୍ୱାଭାବିକ ଥିଲା l କଣ କରିବି ? ବୋଉକୁ କେମିତି ଏକା ଛାଡି ଯିବି ? ମୋ ସ୍ୱାମୀଙ୍କ ସହ ପରାମର୍ଶ କରି ବୋଉକୁ ଏକରକମ ବାଧ୍ୟ କଲି ମୋ ସାଙ୍ଗରେ ଯିବା ପାଇଁ l ଏଇଠି ହିଁ ମୁଁ ମୋ ଜୀବନର ସବୁଠାରୁ ବଡ ଭୁଲ କରିଦେଲି l ଭାଇନା ମୋତେ ଭୁଲ ବୁଝିଲା l ସିଏ ଭାବିଲା, ମୁଁ ବୋଉକୁ ତା ବିରୁଦ୍ଧରେ ମତାଉଛି l ଏପଟେ ଘର ଲୋକ ବି ଅସନ୍ତୁଷ୍ଟ l ଗୋଟିଏ ଏକାନ୍ନବର୍ତ୍ତୀ ପରିବାରରେ ମୁଁ ମୋର ଅବୁଝା ବୋଉକୁ ନେଇ କେମିତି ଚଳୁଥିଲି, ତାହା ମୁଁ ହିଁ ଜାଣୁଥିଲି l ଶାଶୁ କଥା କଥାକେ ଖୁଣ୍ଟା ଦିଅନ୍ତି l ଆସ୍ତେ ଆସ୍ତେ ବୋଉର କାନକୁ କିଛି ଶୁଣା ଯାଉ ନ ଥିଲା l ତେଣୁ କିଏ କଣ କହିଲେ, ବୋଉ ଜାଣିପାରେନି l ମୁଁ କିନ୍ତୁ ସହି ପାରେନି l ବୋଉକୁ ଛାଡି ମଧ୍ୟ ପାରେନି l ମୁଁ ଛାଡି ଦେଇଥିଲେ, ଭାଇନା ଯାହା ହେଲେ ବି ବୋଉକୁ ରଖିଥାନ୍ତା l ମୋ ଭାଇନା ଅମଣିଷ ନ ଥିଲା l ବୋଉ ଭାଉଜ ହାତରୁ ନ ଖାଇଲେ ବି ଭାଇନା କିଛି ବିକଳ୍ପ ବ୍ୟବସ୍ଥା କରିଥାନ୍ତା l ସେ ଯାହା ହେଉ, ସମୟ ଗଡି ଚାଲୁଥିଲା l ବୋଉ କିଛି ଦିନ ଗାଆଁରେ, କିଛି ଦିନ ପୁରୀରେ, କିଛି ଦିନ ମୋ ପାଖରେ ହୋଇ ସମୟ କାଟୁଥିଲା l

କିଛି ଖଳ ଲୋକଙ୍କ କାନ କୁହା ଶୁଣି ଭାଇନା ବି ଭଳି ଯାଇଥିଲା l ମୋ ବାପଘର ଲୋକ ଭାବୁଥିଲେ ବୋଉର ସମ୍ପତ୍ତି ଉପରେ ମୋ ନଜର ଅଛି l ଶାଶୁଘର ଲୋକ କହୁଥିଲେ, ବୋଉ ମୋର ଝିଅ ଅନ୍ନ ଖାଉଛି l କିନ୍ତୁ ଏ ଦୁଇଟି ମଧ୍ୟରୁ କେଉଁଟି ବି ସତ ନ ଥିଲା l ନନା ମରିଯିବେ ବୋଲି ଜାଣିଥିଲେ କି କଣ, ଯାହା କିଛି ବି ଆମର ସୀମିତ ସମ୍ପତ୍ତି ଥିଲା ତାକୁ ଭାଇନା ଓ ବୋଉ ମଧ୍ୟରେ ଦୁଇ ଭାଗ କରି ଦେଇଥିଲେ l ବୋଉକୁ ବି ନନାଙ୍କର ପେନସନ୍ ମିଳୁଥିଲା l ଏଣୁ ନା ଭାଇନା ପୈତୃକ ସମ୍ପତ୍ତିରୁ ବଞ୍ଚିତ ହୋଇଥିଲା ନା ବୋଉ ଝିଅ ଅନ୍ନରେ ପ୍ରତିପାଳିତ ହେଉଥିଲା l

କେଉଁ ଅଦୃଷ୍ଟ ଅଭିଶାପରେ କେଜାଣି ଆମ ପରିବାରରେ କିଛି ଭଲ ଚାଲି ନ ଥିଲା l ଭାଇନାର ଦୁଇଟା ପୁଅ ହୋଇ ସାରିଥିଲେ ଓ ମୋର ପୁଅଟେ ଝିଅଟେ l ମୋ ପୁଅର ବ୍ରତଘରକୁ ଭାଇନାକୁ ଡାକି ପାରିଲି ନାହିଁ l ବୋଉ ଜିଦ୍ ଧରି ବସିଲା l ଭାଇନା ଆସିଲେ ସିଏ ରହିବନି l ମୁଁ ମୋ ବୋଉର ଜିଦକୁ ଭଲ ଭାବରେ ଜାଣେ l ଦାଦାଙ୍କ ପୁଅ ଥାଳି ଧରିଲା l ନଣନ୍ଦେଇ ମୋର କହିଲେ, “ଭଡା ମାମୁଁ କଣ ବେଦୀକୁ ସାଜେ ?” ସେ ଅପମାନକୁ ବି ହଜମ କରିନେଲି ନୀରବରେ l ମୋ ପିଲାମାନେ ମାମୁଁଘର ବୋଲି ଜାଣିଲେନି କି ଭାଇନାର ପିଲାମାନେ ପିଉସୀର ସ୍ନେହ କଣ ଜାଣିଲେନି l ପ୍ରଥମାଷ୍ଟମୀ କି ସାବିତ୍ରୀ ଆସିଲେ ମୁଁ ଲୁଚେଇ ଲୁଚେଇ କାନ୍ଦେ l ବୋଉ କେଉଁଥିରେ ଉଣା କରେନି ସତ, ତେବେ ଭାଇନାର ଅଭାବକୁ ଅନୁଭବ କରେ ମୁଁ l

ଠାକୁର ଘରେ ପୂଜା କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଭାଉଜ ପୋଡି ହୋଇ ଯାଇଥିଲେ l ଖବର ପାଇ ଆମେ ଗଲୁ l କିନ୍ତୁ ତା ପୂର୍ବରୁ ସବୁ ସରି ଯାଇଥିଲା l ସବୁ ମାନ ଅଭିମାନକୁ ପଛରେ ପକେଇ ଭାଉଜ ମୁଠାଏ ପାଉଁଶ ହୋଇଯାଇଥିଲେ l ଭାଇନା କଥା କହିଲା ନାହିଁ l ମୁଁ ବି ପିଉସୀର ଅଧିକାର ନେଇ ମାଆ ଛେଉଣ୍ଡ ପିଲା ଦୁଇଟାଙ୍କୁ କୋଳେଇ ନେଇ ପାରିଲିନି l ସେମାନେ ବି ମୋତେ ଅଭିଯୋଗ ଭରା ଆଖିରେ ଚାହିଁଥିଲେ l ଆଖିର ଲୁହକୁ ଆଖିରେ ଚାପି ଫେରିଆସିଥିଲି ମୁଁ l

ନିଜକୁ ନିଜେ ଦୋଷୀ ମନେ କଲି ମୁଁ l ମୁଁ ତ କେବେ ବୋଉକୁ ବୁଝେଇବାକୁ ଚେଷ୍ଟା କରିନି l ଭାଉଜ ଅଲଗା ଜାତିର ହେଲେ ବି ଭାଇନାକୁ ବାହା ହେଇଛନ୍ତି ମାନେ ତ ସିଏ ବି ବ୍ରାହ୍ମଣ ହୋଇଗଲେ l ଭାଇନାର ଜାତି ତ ତାଙ୍କର ଜାତି l ତେବେ ତାଙ୍କ ପ୍ରତି ବୋଉ ଏମିତି ନିଷ୍ଠୁର ହୋଇଗଲା କାହିଁକି ? ବୟସ ବଢିବା ସାଙ୍ଗେ ସାଙ୍ଗେ ବୋଉ ବି ଅବୁଝା ହେଇ ଯାଉଥିଲା l ହଠାତ୍ ଜିଦ୍ ଧରି ବସିଲା, ଭାଇନାକୁ ପୁଣି ଥରେ ବାହା କରେଇବ ବୋଲି l ଭାଇନା ରାଗି ପଞ୍ଚମ l ମୋତେ ଭୁଲ ବୁଝିଲା ସିଏ l ଭାବିଲା ବୋଉର ଏ ପ୍ରସ୍ତାବ ପଛରେ ମୋର ହାତ ଅଛି l ବୋଉ ବି ରାଗିଗଲା l ବଞ୍ଚିଥିବା ଯାଏ, ତା ମୁହଁ ଚାହିଁବନି କହିଲା l ଆଉ ବୋଉ ତାହା କରିଥିଲା ମଧ୍ୟ l

ସବୁବେଳେ ବୋଉ କାମନା କରୁଥିଲା, ହାତ ଗୋଡ ଚାଲୁଥିବା ଅବସ୍ଥାରେ ହିଁ ତାର ମୃତ୍ୟୁ ହୋଇଯାଉ l ଆଉ ତାହା ହୋଇଥିଲା ମଧ୍ୟ l କାର୍ତ୍ତିକ ମାସରେ ହବିଷ ପାଇଁ ପୁରୀ ଯାଇଥିଲା l ପୁରୀରୁ ଫେରି ଗାଆଁକୁ ଗଲା l କିଛି ଦିନ ଗାଆଁରେ ରହି ମୋ ପାଖକୁ ଆସିଥାନ୍ତା l କିନ୍ତୁ ଗାଆଁରେ ହିଁ ପ୍ରଥାମାଷ୍ଟମୀ ପୂର୍ବ ଦିନ ବୋଉର ହାର୍ଟ୍ ଆଟାକ୍ ହେଇଛି ବୋଲି ଖବର ଆସିଲା l ୟାଙ୍କୁ ନେଇ ମୁଁ ଗାଆଁରେ ପହଞ୍ଚିବା ବେଳକୁ ଭାଇନା ବୋଉକୁ ନେଇ ଡାକ୍ତରଖାନାକୁ ବାହାରିଥିଲା l ବୋଉ ଅଚେତନ ଅବସ୍ଥାରେ ଥିଲା l ଆମ୍ବୁଲାନ୍ସ୍ ଆସିବା ପୂର୍ବରୁ ହିଁ ବୋଉର ମୃତ୍ୟୁ ହୋଇଗଲା l ସରିଗଲା ଗୋଟିଏ ଯୁଗ l ଭାଇନା ଓ ମୋ ଭିତରେ ବ୍ୟବଧାନ ସେମିତି ହିଁ ରହିଗଲା l ଅଭିମାନରେ କେହି କାହାକୁ କଥା କହିଲୁ ନାହିଁ l ସେ ବୋଉର ଶୁଦ୍ଧଘରକୁ ମୋତେ ଡାକିଲା ନାହିଁ l ମୁଁ ବି ଗଲି ନାହିଁ l ପୁରୀ ଯାଇ ଶୁଦ୍ଧ ହେଲି l କିନ୍ତୁ ସେଇଠି ବି ସବୁ ଅଡୁଆ ତୁଟି ନ ଥିଲା l

ବୋଉ କେବେ ବସି ରହୁ ନ ଥିଲା l ସବୁବେଳେ କିଛି ନା କିଛି କାମ କରୁଥିଲା l କିଛି କାମ ନ ଥିଲେ ବୋଉ ତୁଳା ମେଞ୍ଚେ ଓ ପାଉଁଶ ଟିକେ ଧରି ଗୋଡ ଲମ୍ବେଇ ବଳିତା ବଳି ବସେ l ମୁଁ ଚାହିଁ ରହେ ବୋଉକୁ l ହାଡୁଆ ମଣିଷଟି ଦେହରେ କେତେ ଶକ୍ତି ? ବଳିତା ବଳି ବନ୍ଧୁବାନ୍ଧବରେ ସମସ୍ତଙ୍କୁ ଦିଏ l ସେତେବେଳେ ଭାଉଜ ବଞ୍ଚିଥିଲେ l ବୋଉ ଦିନେ କହିଲା, ଜଗନ୍ନାଥ ମନ୍ଦିରରେ ଲକ୍ଷେ ବଳିତା ଚଢେଇବ l ତା ମାନେ ଗୋଟିଏ ବିରାଟ ଆୟୋଜନ l ବନ୍ଧୁବାନ୍ଧବ ସମସ୍ତଙ୍କୁ ଡକା ହେବ, ନୂଆ ଲୁଗା ଦିଆଯିବ l ମୁଁ ବି ବାଧା ଦେଇ ନ ଥିଲି l ନନାଙ୍କର ଏରିଅର୍ ପେନସନ୍ ମିଳିଥିଲା ବହୁତ ବର୍ଷ ପରେ l ମୁଁ ଭାବିଲି ସେ ଟଙ୍କା ଏମିତି କାମରେ ଖର୍ଚ୍ଚ ହୋଇଯାଉ l କିନ୍ତୁ, ବୋଉ ଗୋଟିଏ ଅଦ୍ଭୁତ ସର୍ତ୍ତ ରଖିଥିଲା l କହିଲା, ଭାଇନାକୁ ଡକାଯିବନି l ବୋଉର ଜିଦ୍ ଆଗରେ ମୁଁ ସବୁବେଳେ ଅସହାୟ l ବୋଉ ମରିଗଲା l କିନ୍ତୁ ଲକ୍ଷେ ବଳିତା ସେମିତି ରହିଗଲା l ଯେତେଥର ସେହି କାମ କରିବା ପାଇଁ ବୋଉ ବାହାରିଛି, କୌଣସି ନା କୌଣସି କାରଣରୁ ତାହା ଅଟକି ଯାଇଛି l ବୋଉ ମରିଯିବା ପରେ ବି ବହୁତ ବର୍ଷ ପର୍ଯ୍ୟନ୍ତ ମୁଁ କରିବାକୁ ଚାହିଁ ବି ବୋଉର କାମ ସମ୍ପାଦନ କରି ପାରି ନ ଥିଲି l ମୋର ବି ବୟସ ବଢୁଥିଲା l ଝିଅ ବାହାଘର କରି ସାରିଥିଲି l ଡାକି ନ ଥିଲି ଭାଇନାକୁ l

ଦିନେ ସ୍ୱପ୍ନରେ ଦେଖିଲି ବୋଉକୁ l ଆଉ ନୁହେଁ l ଏଥର ସ୍ଥିର କଲି ଯେମିତି ହେଲେ ବି ପୁରୀ ଯାଇ ସେହି କାମ କରି ଆସିବି l କିନ୍ତୁ ଅସୁବିଧା ରହିଲା ଭାଇନା ଠାରେ l ବୋଉ ମନା କରିଥିଲା ତାକୁ ଡାକିବା ପାଇଁ l ମୁଁ କଣ କରିବି ଜାଣି ପାରୁ ନ ଥିଲି l ଶେଷରେ ସ୍ଥିର କଲି ଭାଇନାକୁ ଡାକିବି ନାହିଁ l ବନ୍ଧୁବାନ୍ଧବ ସମସ୍ତଙ୍କୁ ଡାକି ସାରିଥିଲି l କେତେଜଣ ସୁଆଦଖିଆ ବନ୍ଧୁ ଭାଇନା ବିଷୟରେ ପଚାରିଥିଲେ l ମୁଁ ଯାହା ସତ, ତାହା ହିଁ କହିଥିଲି l ନିଶ୍ଚୟ ଭାଇନା କାନକୁ ଯାଇଥିବ ଏହି କଥା l ଏହି କଥା ଆଉ ଭାଇନା ମନରେ ଆଘାତ ଦେଲା କି ? ସକାଳୁ ସକାଳୁ ଖବର ପାଇଲି ହୃଦଘାତରେ ଭାଇନା ମରିଯାଇଛି l

କେଡେ କାମ କଲି ମୁଁ l କଣ ଅସୁବିଧା ହୋଇଯାଇଥାନ୍ତା, ଭାଇନାକୁ ଡାକିଦେଇଥିଲେ ? ବୋଉର ପାଟିରୁ ବାହାରିଥିବା କଥାକୁ କାହିଁକି ମୁଁ ଗଣ୍ଠି କରି ଧରି ବସିଲି ? କେବେ ଜାଣିବାକୁ ବି ଚେଷ୍ଟା କଲିନି, ତାହା ବୋଉର ଅନ୍ତରର କଥା କି ନୁହେଁ ? ମଲା ପରେ ମଣିଷ କେଉଁଠିକୁ ଯାଏ ମୁଁ ଜାଣିନି l ଆତ୍ମା ଓ ପରମାତ୍ମାର ଅସ୍ତିତ୍ତ୍ୱ ବିଷୟରେ ମୁଁ ଅଜ୍ଞ l ତେବେ ଯେଉଁ ମଣିଷଟି ଏହି ପୃଥିବୀରେ ଥିଲା, ତାକୁ ଆଘାତ କରିବାର ଅଧିକାର ମୋର ଥିଲା କି ? ବହୁତ ଅଭିମାନ ଆସୁଛି ବୋଉ ଉପରେ l କାହିଁକି ଏମିତି କଲା ସିଏ ? କାହିଁକି ଛାଡି ଦେଇଗଲା ମୋତେ ସାରା ଜୀବନ ଅନୁତାପର ଅଗ୍ନିରେ ଦଗ୍ଧ ହେବା ପାଇଁ ? ଭାଇନା କିନ୍ତୁ ଜିତି ଯାଇଥିଲା l ଏହିଭଳି ଅପମାନିତ ହେବା ଆଗରୁ ବିଜୟର ଧ୍ୱଜା ଉଡେଇ ଫେରି ଯାଇଥିଲା ସିଏ ଅଫେରା ରାଇଜକୁ l

ବୋଉ ଭାଇନା ମୁଁ ବଳିତା

Rate the content


Originality
Flow
Language
Cover design

Comments

Post

Some text some message..