ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy


2  

ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy


ବୁଢିବୋଉ

ବୁଢିବୋଉ

4 mins 7.3K 4 mins 7.3K

ଗାଁର ଗୋଟାଏ କଣରେ ଥିବା ଏକ ବଡ଼ ଆମ୍ବ ବଗିଚା ମଧ୍ୟରେ ଥିଲା ଗୋଟିକିଆ ଦୁଇବଖୁରିଆ ଟିଣଛପର ଘର । ସେଠି ରୁହେ ବୁଢିବୋଉ । ସେଠୁ ଅଳ୍ପଦୁରରେ ଥାଏ ସାନଜେଜେଙ୍କ ଘର, ସେଠି ଗୋଟିଏ ଘର ଆମର ଚଳପ୍ରଚଳ ପାଇଁ ଥାଏ । ଆମ ଘରର ସମସ୍ତେ ସେଠାରେ ରୁହନ୍ତି । ମୁଁ କିନ୍ତୁ ବୁଢିବୋଉ ପାଖରେ ସବୁବେଳେ ଥାଏ । ମନେପଡ଼େ ଅତି ସାନବେଳେ ରାତି ଅଧରେ ବଡ଼ ଆମ୍ବ ଗଛର ଡ଼ାଳ ଦୋହଲିଗଲେ ବୁଢିବୋଉ ଉଠିପଡ଼ି ଦେଖେ, ମୁଁ ଡ଼ରିଗଲି କି ! ମୁଁ ଯଦି ଶୋଇ ନ ଥାଏ ତାର ଗପର ପସରା ଭିତରେ ନିରୀହ ଆଖି ଦିଓଟକୁ କେତେବେଳେ ନିଦ ଆସିଯାଏ ମୋତେ ଜଣା ନଥାଏ । ସ୍କୁଲରେ ପଢିଲାବେଳେ ପ୍ରାୟ ସମସ୍ତେ ସାଇକେଲ ନେଇ ସ୍କୁଲ ଯାଆନ୍ତି । କିନ୍ତୁ ମୁଁ ଓ ମୋର କିଛି ସାଙ୍ଗ ଗାଁରୁ ଚାଲିଚାଲି ବସ୍ତାନୀ ଧରି ପାଠପଢିବାକୁ ଯାଉ ପାଞ୍ଚ କିଲୋମିଟର । ରାତିରେ ଦିନର ପଥଶ୍ରମ ଲାଘବପାଇଁ ବୁଢିବୋଉ ଗୋଡ଼ରେ ତେଲ ଘଷି ଦେଇ ଗୋଡ଼ହାତ ମୋଡ଼ିଦେଇ କହେ “ମୁଣ୍ଡରେ ପଗଡ଼ି ପାଦରେ ତେଲ, ବଇଦ ସାଙ୍ଗରେ କରିବ ଗେଲ ।” ଆମେ ବଡ଼ ହେଲା ପରେ ବି ବେଳେବେଳ ସେ ଏମିତି ତେଲଘଷି ଗୋଡ଼ମୋଡ଼ି ଦେଉଥାଏ ।

ସେଦିନ କଥା ମୋର ଅବିକଳ ମନେନାହିଁ । ମଧ୍ୟବିତ୍ତ ବାପାଙ୍କର କଷ୍ଟୋପାର୍ଜିତ ଝାଳବୁହା ଧନରେ ଘର ଚଳୁଥାଏ । ସାଇକେଲଟିଏ ପାଇଁ ମୁଁ ସେଦିନ ବୁଢିବୋଉ ପାଖରେ ଅଳି କରୁଥାଏ । ମୁଁ ସେଦିନ ଜାଣିପାରି ନଥିଲି ମୋ ସ୍ୱରରେ ଥିଲା କିଭଳି କର୍କଷତା । ସେଦିନ ସଂନ୍ଧ୍ୟାରେ ମୁଁ ଘରକୁ ଫେରିବାବେଳେ ମୋ ପାଖରେ ଥିଲା ସେ କିଣି ଦେଇଥିବା ସାଇକେଲ, ମୁଁ ଥିଲି ଖୁସିରେ ଆତ୍ମବିଭୋର କିନ୍ତୁ ମୋ ମନରେ ଆଜିବି ପ୍ରଶ୍ନ ଉଠେ ସେଦିନ ମୋତେ ଏତେ ଖୁସିରେ ଦେଖିଲା ପରେବି ସେ କାହିଁକି ଥିଲା ନିଶଃବ୍ଦ, କାହିଁକି ତା ଆଖିରୁ ଜକେଇ ଆସିଥିଲା ଦୁଇଟୋପା ଲୁହ । ମୁଁ କିନ୍ତୁ ଆଜି ବଡ଼ହେଲା ପରେ ଅନୁଭବ କରୁଛି, ବାପା କେତେ କଷ୍ଟ କରିଥିବେ ଆମମାନଙ୍କୁ ଆଜରି ଏ ଦୁନିଆରେ ବର୍ତ୍ତମାନର ଏହି ପରିଚୟରେ ବଞ୍ଚିବାପାଇଁ, ବାପା କାହିଁକି ସବୁବେଳେ କୌଣସି କଥାରେ ଅଧିର ନୁହନ୍ତି, ସୁଖଦୁଃଖ କେଉଁଥିରେ ବି ସେ କେବେ ବିଚଳିତ ନୁହନ୍ତ, କୌଣସିଟି ପ୍ରତି ତାଙ୍କର ଅତ୍ୟଧିକ ମମତା କି ଲୋଭ ନାହିଁ । ବାପାମାନେ ଏମିତି ହେବାକଥା ବୋଧହୁଏ । ଏବେବି ଘରର ଦାଣ୍ଡ କବାଟ ଭଳି ମୁଣ୍ଡାଇ ଥାନ୍ତି ଘରର ସବୁକିଛି ।

ଆଜିବି ମନେ ପଡ଼େ ସେ ଦିନ ସବୁ ବାପା ଭୁବନେଶ୍ୱରରେ ଚାକିରି କରିଥାନ୍ତି । ସେତେବେଳେ ଆମ ଗାଁକୁ ଆସିବା ପାଇଁ ନଇରେ ପୋଲ ହୋଇ ନ ଥିଲା । ପ୍ରତ୍ୟକ ଶନିବାର ବାପା ବସରେ ଆସି ଜଇପୁରରେ ଓହ୍ଲାନ୍ତି । ସେଠୁ ଆମ ଗାଁ ଛଅ କିଲୋମିଟର । ବାପା ଏତେ ବାଟ ଚାଲିଚାଲି ଆସି ଘରେ ପହଞ୍ଚିଲାବେଳକୁ ରାତି ନଅଟା । ସେଦିନ ବୁଢିବୋଉ କାହାକୁ କିଛି ନ କହି ଅପେକ୍ଷା କରିଥାଏ ବାପାଙ୍କ ଆସିବା ବାଟକୁ । ଆମେ ବି ଅପେକ୍ଷା କରିଥାଉ କିନ୍ତୁ ମନରେ ଆଶାଥାଏ ବାପା ଆମ ପାଇଁ କ’ଣ ସବୁ ଆଣିଥିବେ । କିନ୍ତୁ ତାର ପାନ ଆଉ ଗୁଣ୍ଡି ବ୍ୟତିତ ଆଉକିଛି ଆବଶ୍ୟକ ନଥାଏ, ସେ ସବୁ ବି ଆସେ ଆମ ଗାଁ ଦୋକାନରୁ । ବାପାବି ତା ପାଇଁ କିଛି ଆଣନ୍ତିନି, ତଥାପି ବାପାଙ୍କୁ ଦେଖିଲା ପରେ ସେଦିନ ତା ମନରେ ଥାଏ ଗଡ଼ ଜିତିବାର ଆତ୍ମସନ୍ତୋଷ । ରବିବାର ରାତିପାହି ସୋମବାର ସକାଳ ହେଲା ବେଳକୁ ବାପା ବାହାରନ୍ତି ଭୂବନେଶ୍ୱର । ବୁଢିବୋଉ ସେତେବେଳେ ବାପାଙ୍କୁ ବଳେଇଦେଇ ଅପେକ୍ଷା କରେ ପୁଣି ଆସନ୍ତା ଶନିବାର ତାଙ୍କର ଫେରିବା ବାଟକୁ ।

ମନେପଡ଼େ ପ୍ରଥମ ନିଯୁକ୍ତିପତ୍ର ପାଇ ଦଉଡ଼ିଯାଇଥିଲି ଘରକୁ ବାପା, ବୋଉ ଓ ପରିବାରର ସମସ୍ତେ ଥିଲେ ପ୍ରସନ୍ନ କିନ୍ତୁ ସେଦିନ ବୁଢ଼ିବୋଉର ଖୁସି କହିଲେ ନସରେ । ସେ ମନ୍ଦିର ଯାଏନି, କିନ୍ତୁ ଏମିତି କେଉଁ ଦିନ ବୋଧହୁଏ ନଥିବ ସେ ଆମ ପାଇଁ ଠାକୁରଙ୍କୁ ପ୍ରାଥନା କରିନଥିବ । ମୋତେ ଲାଗେ ଏ ସମଗ୍ର ସୃଷ୍ଠିରେ ବୋଧହୁଏ ସେ ଥିଲା ଆମର ଏକ ସର୍ବଶ୍ରେଷ୍ଠ ଶୁଭଚିନ୍ତକ । ଖାଲି ସେତିକି ନୁହେଁ ଏତେ ବଡ଼ ବଗିଚାଟାରେ ଥିବା ଆମ୍ବ, ପଣଷ, ସପୁରି, ଗୁଆ, ନଡ଼ିଆ, ଲେମ୍ବୁ ଏମିତି ନାନାଦି ଫଳନ୍ତିଗଛ ସବୁ ବୁଢ଼ିବୋଉ ଲଗାଇଥିଲା । ଆଜି ଏ ସବୁ ଆମପାଇଁ ବରଦାନ ସ୍ୱରୁପ ।

ଜଣେ ମୁରବୀ ଉପରେ ସବୁ ଦାୟିତ୍ୱ ଛାଡ଼ିଦେଇ ସମସ୍ତେ ନିଶ୍ଚିନ୍ତରେ ଥିଲା ପରି ଘରଟାଯାକର ସବୁ ଦାୟିତ୍ୱ ବୋଉ ଉପରେ ନ୍ୟସ୍ତ, ଛୁଞ୍ଚିଠୁ ଆରମ୍ଭ କରି ଶାବଳ ଯାଏ ସବୁ କିଛି ବୋଉ ହେପାଜତରେ କିନ୍ତୁ ସାଧାରଣତଃ ପର୍ବପର୍ବାଣିରେ ବୁଢିବୋଉ ପାଇଁ ଘରଟା ପୁରିଲା ପୁରିଲା ଲାଗୁଥିଲା । ପିଠାପଣା, ଭୋଗରାଗ ସବୁକିଛିର ପରିଚାଳନା ସେ ସୁନ୍ଦର ଭାବରେ କରୁଥିଲା । ବୁଢ଼ିବୋଉର ଆମ ପ୍ରତି ଥିବା ସେଦିନର ଏହି ସ୍ନେହର ଉପମାଟି ମନକୁ ଆସିଲେ ଦେହ ଶିତେଉ ଉଠେ, ଜୀବନର ଶେଷ ସମୟରେ ଉପନିତ ଥାଇବି ସେ ତା ନାତୁଣୀ ବୋହୁକୁ ପଚାରୁଥାଏ ତା ବୋହୁର ଖାଇବା କଥା ଓ ତା ଅଣନାତୁଣୀକୁ ବାଇଧନ ଡ଼ାକରେ ଥାପୁଡ଼ାଇ ଦଉଥାଏ । ଏପରି ଅନେକ ଘଟଣା । ସେସବୁ ମନେ ପକାଇଲେ ଆଖି ସାମ୍ନାରେ ନାଚିଉଠେ ସେଇ ମୁହଁଟି । ତା ସହିତ ଗଛଛାଇ ତଳେ ଶୁନ୍ୟ ନିର୍ଜନତାରେ ବିତାଇଥିବା ମୁହୁର୍ତ୍ତ ସ୍ମରଣ ମାତ୍ରେ କର୍ଣ୍ଣପଟଳରେ ବାଜିଉଠେ ତାର ସେହି କଣ୍ଠସ୍ୱର ।

ସେଦିନ କଥାଟା ଆବିସ୍କାର କରିବା ମାତ୍ରେ ମନଭିତରେ ଏକ ଅଦ୍ଭୁତ ଶିହରଣ ଖେଳିଯାଏ । ମୋର ଗାଁରେ ପହଞ୍ôଚବାକୁ ଆଉ ଅଳ୍ପବାଟ ବାକିଥାଏ । ହଠାତ୍ ମୋ ମୋବାଇଲ ବାଜିଉଠିଲା, ଫୋନ୍ ରିସିଭ୍ କରିଲାପରେ ଭାବିଲି ସତରେ କ’ଣ ଏତେ ସମ୍ପର୍କ ଓ ସ୍ମୃତିର ସେ ମଣିଷଟି ଆଉ ଆଖିଖୋଲି ଚାହୁଁ ନଥିବ । ବୁଢ଼ିବୋଉ ଶୁଣିବାପରେ ପ୍ରତ୍ୟୁତ୍ତରରେ ‘ଓ’ ବୋଲି କହୁଥିବା ମଣିଷଟି ନୀରବ ହୋଇଯାଇଥିବ । ଆଖି ଦିଓଟି ଲୁହ ଟଳଟଳ ହୋଇଗଲା । ରାସ୍ତାସବୁ ଝାପ୍ସା ଦିଶିଲା । ମୁଁ ପହଞ୍ଚିଲା ବେଳକୁ ସେ ଆକାଶର ତାରା ହୋଇ ଯାଇଥିଲା । ତା’ ବଡ଼ଝିଅ କୋଳରେ ବସିଥିଲା ଆଖି ଦିଓଟି ବନ୍ଦ ହୋଇଯାଇଥିଲା । ମୁହଁଟି ଜୀବନ୍ତ ମଣିଷପରି ଦିଶୁଥିଲା । ସତେ ଯେମିତି ଲାଗୁଥିଲା, ମୋତେ ସେ ପଚାରୁଛି, ତୁ କେତେବେଳେ ଆସିଲୁ । ମୋ ଦେହଟା ଟିକେ ଭଲ ଲାଗୁନିତ ସେଥିପାଇଁ ଏମିତି ବସିଛି । ପାଦ ଦିଓଟିକୁ ଛୁଇଁଲେ ବରଫପରି ଥଣ୍ଡା ଓ ଟାଣ ଲାଗୁଥିଲା । କାହିଁ କେତେ ଆଡ଼େ ବୁଲୁଥିଲା ଏହି ପାଦ ଯୋଡ଼ିକ । ଆଜି ଏ ପାଦରେ ଶକ୍ତି ନାହିଁ । ସେ ଦିନ ସେ ଶୋଇଥିଲା ପ୍ରଶାନ୍ତ ନିଦ୍ରାରେ ।

ଜଣେ ପ୍ରୌଢା ମୋର କୋହ ପ୍ରତିରୋଧ କରି ମୋ ବିବାହର ଗୋଟିଏ ବର୍ଷ ପୂର୍ଣ୍ଣ ହୋଇନଥିବାରୁ ବୁଢିବୋଉକୁ ମୁଁ ଛୁଇଁବାକୁ ବାରଣ କଲେ ଓ କହିଲେ “ସେ ଅପେକ୍ଷା କରିଥିଲା ଏହି ଦିନକୁ, ନୂଆ ନାତୁଣୀ ବୋହୁର କିଛି ଦିନର ସେବା ପରେ ସମ୍ପୁର୍ଣ୍ଣ ପରିବାର ଗହଣରେ ପୁଅ, ବୋହୁ, ନାତି, ନାତୁଣୀ ବୋହୁ ଓ ସବୁଠୁ ସ୍ୱତନ୍ତ୍ର ଅଣନାତୁଣୀ ସହ ରହିଲା ପରେ ଆଉ କିଛି ଅବଶୋଷ ତାର ନଥିଲା ।” ତିରିଶୀ ବର୍ଷଧରି ଯୋଉ ମଣିଷଟି ଆମର ସୁଖଦୁଃଖ ବୁଝୁଥିଲା, ହାତଧରି ଚାଲି ଶିଖେଇଲା, ଯିଏ କେବଳ ନିଃଶ୍ୱାର୍ଥପର ଭାବରେ କେବଳ ଆମକୁ ତିଆରି କଲା, ତା ପାଇଁ ଏ ବାରଣ ? କେଉଁଠି ଥାନ୍ତି ଏମିତି ସ୍ଥିତପ୍ରଜ୍ଞ ପଡ଼ିଶାମାନେ ।

ରାତାରାତି ଶବ ସକ୍ରାର ସରିଗଲା । ପ୍ରେମ ଓ କରୁଣାର ସାଗର ପରି ଲାଗୁଥିବା ମଣିଷଟି ରାତି ପାହିଲା ବେଳକୁ କିଛି ଅଙ୍ଗାର ଓ ଦୁଇମୁଠା ପାଉଁସରେ ପରିଣତ ହୋଇଯାଇଥିଲା । ସେଦିନ ପ୍ରଥମ କରି ଅନୁଭବ ହୋଇଥିଲା ଗୋଟେ ଖାଁ ଖାଁ ଶୂନ୍ୟତା । ଘର କହିଲେ ପ୍ରଥମେ ଯେଉଁ ମଣିଷର ଚେହେରା ଭାବନାକୁ ଆସେ ଓ ଯାହାର ଉପସ୍ଥିତିରେ ସବୁ ପୁରିଲା ପୁରିଲା ଲାଗେ । ସେ ଲୋକଟି ନାହିଁ । ସମୟ ଚକ୍ରରେ ସେ ନିର୍ଜୀବ ଫଟୋଟିଏ ହୋଇ ସଂରକ୍ଷିତ । ତାକୁ କ’ଣ ସତରେ ଆଉ ଖୋଜିଲେ କେଉଁଠି କେବେବି ମିଳିବନି ?


Rate this content
Originality
Flow
Language
Cover Design