ଅନ୍ଧାର
ଅନ୍ଧାର
ସଭିଏଁ କହନ୍ତି ମୁଁ ନିର୍ମମ, ନିଷ୍ଠୁର , କଦାକାର ମୋତେ ଖୋଜିବାକୁ କେତେ କିଏ ବିଦାରିଛନ୍ତି ଇତିହାସ , ଦରାଣ୍ଡିଛନ୍ତି ଦଶଦିଗ
ରକ୍ତ ସାଲୁବାଲୁଁ ହାତରେ ତିଆରିଛନ୍ତି ନକ୍ସା, ରଚିଛନ୍ତି ଅଭିନବ ସୋପାନ ମୁଁ ତ ଅପରାଜେୟ, ସବୁଠି ବିଦ୍ୟମାନ
ତୁମ ଜୀବନ ଯୁଦ୍ଧରୁ ଅପହୃତ ବଳକା ନିଃଶ୍ୱାସରେ ଗଢ଼ା ମୋ ବାୟୁମଣ୍ଡଳ ଅସମୟ, କର୍ମ, ଅପକର୍ମର ପରିତ୍ୟକ୍ତ ବୁଜୁଳାକୁ ପୁଞ୍ଜି କରି ମୁଁ କରେ ନିତ୍ୟ ରାସ ଛାଏଁ ଛାଏଁ ପ୍ରଶସ୍ତ ହୁଏ ମୋ ଅସ୍ତିତ୍ବ
ମୋତେ ଛୁଇଁବାକୁ ଆଜ଼ି ବି ଯୋଗୀ ଭୋଗୀ ତପସ୍ୟାରତ, ନିଶାତୁର
ସବୁ ଅଘଟଣର ସୂତ୍ରଧର ମୁଁ, ଗୋଟାପଣ କନ୍ଦର୍ପ "ଅନ୍ଧାର"...
ମୋତେ ନିଃଶେଷ କରିବାକୁ କୋଉ ଅନାଦି କାଳରୁ
ତନ୍ତ୍ର ମନ୍ତ୍ରର ଅବ୍ୟର୍ଥ ଅସ୍ତ୍ର, ବଳୀୟାନ ଧର୍ମଦଣ୍ଡ ବି ହୋଇଛି ମୂଲ୍ୟହୀନ
ହେଲେ ମୋ ପ୍ରଶସ୍ଥି ଏଯାବତ ଅପହଞ୍ଚ ଦିନ ଢ଼ଲିଲେ ଛାଇ ବଢେ , ମତେ ପାଇବାକୁ ଅଦମ୍ୟ ଇଛା ସିଆଣିଆ କୀଟ ପତଂଗ ବି ଆକୃଷ୍ଟ ହୁଅନ୍ତି ପବିତ୍ର ଅଗ୍ନିକୁ, କଣ୍ଟକିତ ପଥ ମୋହକୁ ଭୋକ ସବୁ ଠଉରେଇ ଦିଅନ୍ତି ମୋ ଠିକଣା ଆଡେ ନିମିଷକେ ବିଶ୍ୱାସର ଆସ୍ତରଣ କାଟି ଲମ୍ପ ମାରନ୍ତି ଅଲୋଡା ସିଂହାସନର ନରମ ଆସ୍ତରଣକୁ ଅସୁମାରୀ ବୟସ ସରିଯାଏ , ହେଲେ କେହି ନଥାନ୍ତି ମୋତେ ପାଇବାର ଇତିବୃତ୍ତି ବଖାଣିବାକୁ ମୁଁ ଗୋଟେ ଆସୁରିକ ଉନ୍ମାଦ, କାମନା'ର କଦର୍ଥ "ଅନ୍ଧାର"....
ୟା' ଭିତରେ ସହସ୍ରବାର ବଦଳିଲାଣି ତୁମ ସୃଷ୍ଟିର ମାନଚିତ୍ର
କେତେ ଯେ ପୁରାଣ ମହାଭାରତ ମର୍ତ୍ତ୍ୟ ଛୁଇଁଲେଣି
ବେଦ ମନ୍ତ୍ର ସବୁ ଫରିଗଲେଣି ନିଜ ନିଜ ପୋଥିକୁ
ଶିଳାକୁ ଶାଳଗ୍ରାମ କରିବାର କେତେ ଯେ ପ୍ରୟାସ ହେଲାଣି
ପଦ୍ମ ପାଖୁଡା ପରି ସ୍ୱର୍ଗ କୁ ଦ୍ୱାର ବି ମେଳିଲାଣି,
ଜାଣେ, ତୁମେ ବି ସେଇକାଳୁ ମୋତେ ଖୋଜି ଚାଲିଛ ଅମୋଘ ଅସ୍ତ୍ର ଧରି ମୁଁ ବି ଅପେକ୍ଷାରତ, ଆମେ ତ ଏକାବେଳେ ଜନ୍ମିତ--ବିବର୍ତ୍ତନ ଯୁଗ ସୃଷ୍ଟିର ତେବେ ଆସ ! ପକାଇବା ଜବନୀକା ଛାଇ ଆଲୁଅ ଲୁଚକାଳି ଖେଳର ନଚେତ ଏମିତି ବିତିଯିବ ଯୁଗ ପରେ ଯୁଗ, ଭେଦି ପାରିବେନି କେହି ମୋତେ ମୁଁ ତ ଚିରନ୍ତନ ସତ୍ୟ ଏନ୍ତୁଡ଼ି ଶାଳର ଦେଖ ! କେମିତି ବାଟ କଢ଼େଇ ନଉଛି ତୁମ ଆତ୍ମ ପ୍ରତ୍ୟୟ'ର ମିଞ୍ଜି ମିଞ୍ଜି ଦୀପଶୀଖା
ମତେ ଫେରିବାକୁ ହେବ ମୋ ଶୂନ୍ୟ ସହରକୁ ଶଙ୍ଖୁଳେଇବାକୁ ହେବ ତୁମ ପୁଣ୍ୟ ପ୍ରତ୍ୟୁଷକୁ ଅରୁଣିମାର ଗାଢ଼ ଆଲିଙ୍ଗନରେ
ଭାରି ଇଛା ଆଇନାରେ ନିଜ ପ୍ରତିଛବି ଦେଖିବାକୁ, କିନ୍ତୁ ତୁମେ ତ ଏଯାଏଁ ଅସ୍ପଷ୍ଟ ଓଃ ! ମୁଁ ପରା ଉଆଁସୀ ଅମାଵାସ୍ୟାର ଘନଘୋର "ଅନ୍ଧାର"....