Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଋତୁ ପରିବର୍ତ୍ତନ*
ଋତୁ ପରିବର୍ତ୍ତନ*
★★★★★

© Soumya Shubhadarshinee

Romance Tragedy

5 Minutes   2.3K    12


Content Ranking

ଜୀବନରେ କାନ ଆଉ ସୁନାର ପ୍ରସଙ୍ଗ ସବୁବେଳେ ଉପଯୋଗୀ। ସେଇ ପରିଚିତ ଆପ୍ତ ବାକ୍ୟ , " କାନ ଥିଲେ ସୁନା ନାହିଁ : ସୁନା ଥିଲେ କାନ ନାହିଁ"......

★★★★★

ବାଳ ଗୋପାଳ ମନ୍ଦିରରେ ସନ୍ଧ୍ୟା ଆରତୀ ଶେଷ କରି ଯେବେ ଘର ମୁହାଁ ହୁଏ ସୁଜାତା ଦେଖେ ସେଇ ନିର୍ଦ୍ଧିଷ୍ଟ ଦୃଶ୍ୟ। ଛୋଟ ପିଲାଟିଏ ମେଞ୍ଚେ ବେଲୁନ୍ ଧରି ବିକ୍ରି କରୁଥିବ। ଆଉ ତା' ଚାରିପଟେ ଥିବେ କିଚିରି ମିଚିରି ପୁଳେ ଛୁଆ। କେତେ ପ୍ରକାର ପ୍ରକାର ଡିମାଣ୍ଡ କରୁଥିବେ : ମୋର ସେଓ ବେଲୁନ୍ , ମୋର ଗୋଟେ ଲମ୍ବା ବେଲୁନ୍ , ମୋତେ ଗୋଟେ ଚଢେଇ ବେଲୁନ୍, ମୋର ସୋରିଷ କାଠି, ମୋତେ ଦିଅ ଡ଼ଲଫିନ୍ ଏମିତି ଅନେକ। ଭାରି ଗହଳି ଥାଏ ସେଇ ପିଲାପଖରେ। ଗୋଟେ ବିଶେଷ କଥା ହେଲା ପିଲାଟି ସବୁବେଳେ ବେଲୁନ୍ ବିକେ ବର୍ଷକ ବାର ମାସ। ଏମିତି ଆଉ କେଉଁଠି ହୁଏନି। ବେଲୁନ୍ ମିଳେ ପୂଜା ପାର୍ବଣ ବା ମେଳଣ ମଉଛବରେ। କିନ୍ତୁ ଏଇଠି ସବୁବେଳେ।

ସୁଜାତା କିନ୍ତୁ ପ୍ରକୃତରେ ନଥାଏ ବେଲୁନ୍ ପାଖରେ ଥାଏ ସେଇ ପିଲାଟି ପାଖରେ। ଗୋଟେ ବିଚିତ୍ର ସାମଞ୍ଜସ୍ୟ ଅଛି ପିଲାଟିର ଅଂଶୁ ସହ। ଯେମିତି ଗୋଟେ ଟାଇମ୍ ମେସିନ୍ ରେ ବସି ଅଂଶୁ ଫେରି ଯାଇଛି ଦଶ ବର୍ଷ ପଛକୁ ଆଉ ଆସିଛି ହେଇ ଏଇ ବେଲୁନ୍ ଵାଲା ।

ଅଂଶୁ , ସତେ ଗୋଟେ ସାଇତା ଅନୁଭବ , ମିଠା ଆଉ ଭାରି ମିଠା। ଚରିତ୍ରହୀନା ସେ ଏଇ ଅଂଶୁ ପ୍ରସଙ୍ଗରେ , ଆଉ ଏମିତି ଚରିତ୍ରହୀନା ହେବାର ଆନନ୍ଦ ଖୁବ୍। ହଜାର ଥର ଏମିତି ଅଂଶୁ ଲାଗି ନିଜକୁ କୃଶ ବିଦ୍ଧ କରିବାରେ ତିଳେ ବି ଅବିଶୋଷ ନାହିଁ ତା'ର। କାରଣ ସେଇତକ ଏ ଜନ୍ମର ପ୍ରାପ୍ୟ। ଗୋଟେ ଅପବାଦ ଅଂଶୁ ନାଁ ସହ ନିଜକୁ ଯୋଡି , ତା ବ୍ୟତୀତ ନାହିଁ ଆଉ କିଛି ଜୀବନରେ।

***********

ସୁଜାତା ଯେବେ ଦୃଢ଼ ଭାବେ କହିଥିଲା ,

" ଆଦିତ୍ୟ ମୁଁ ତୁମ ପତ୍ନୀ କିନ୍ତୁ ପ୍ରେମିକା ହେଇପାରିବିନି ।" ସତରେ ଆଦି ବିଶ୍ୱାସ କରିନଥିଲେ ନିଜ ଶ୍ରବଣ ଶକ୍ତି ଉପରେ। ନବବିବାହିତା ସ୍ତ୍ରୀ ଠୁ ଏପରି କଥା କିଏ ଶୁଣେ!! ବଡ଼ ବିଚିତ୍ର ଝିଅ , ଆଉ ବଦ୍ଧ ପାଗଳ ବି!.....

ଆଦି ବୁଝନ୍ତି ଆଜିର ସମୟରେ ଗୋଟେ ଅତୀତ ସମ୍ପର୍କର ରହିଛି ସବୁ ଝିଅଙ୍କର। ସେଇଟା କିନ୍ତୁ କେଵଳ ଗୋଟେ କ୍ରସ୍ ଆଉ କିଛି ନୁହେଁ। ବାହାଘର କରି ଘର ଗଢିବା ଆଉ ପ୍ରେମ କରିବା ଭିତରେ ଆକାଶ ପାତାଳ ଫରକ।

ଆଦିତ୍ୟଙ୍କ ରକ୍ଷଣଶୀଳ ପରିବାର ବହୁତ ଖୋଜି ଖୋଜି ଯେଉଁ ଝିଅଟିକୁ ବୋହୁ କରିଥିଲେ ସେଇ ଝିଅଟି ଯେ ଏମିତି ଚରିତ୍ରହୀନା ହେବ ବିଶ୍ୱାସ ହେଇନଥିଲା। କିନ୍ତୁ ଯେହେତୁ ପରିବାରର ଏଇଟା ସମ୍ମାନର ବିଷୟ ସଭିଏଁ ବୋହୂର ଅତୀତକୁ ସାଇତି ରଖିଲେ ।ସୁଜାତା ରହିଲା ସେଇଠି ଦେହ ନେଇ କିନ୍ତୁ ମନ ନଥିଲା କେବେ ଆଉ ଆଜିବି ନାହିଁ।

**********

ମା କନକ ଦୁର୍ଗା ସାଉଥ୍ ଇଣ୍ଡିଆନ୍ ହୋଟେଲ୍ , ବସ୍ ଷ୍ଟାଣ୍ଡର ସବୁଠୁ ନିକଟ। ସୁନ୍ଦର ଶୀତତାପ ନିୟନ୍ତ୍ରିତ ପରିବେଶରେ ଭଲ ସ୍ୱାଦିଷ୍ଟ ଦୋସାର ବନ୍ଦୋବସ୍ତ। ସହରର ସବୁଠୁ ଭଲ ଦୋସା ମିଳୁଥିବା ସେଇ ନିର୍ଦ୍ଧିଷ୍ଟ ହୋଟେଲ ଥିଲା ଅଂଶୁ ଆଉ ସୁଜାତାର ମିଟିଂ ପଏଣ୍ଟ୍। ଅଂଶୁ ସମ୍ବଲପୁରରୁ ରାତି ବସରେ ଆସି ସେଇ ବସ୍ ଷ୍ଟାଣ୍ଡ ପାଖ ହୋଟେଲରେ ଅପେକ୍ଷା କରୁଥିଲା ସବୁବେଳେ। ସୁଜାତା ନିଜ ସ୍କୁଟି ନେଇ ପହଞ୍ଚୁଥିଲା ସେଇଠି। ଗୋଟେ ଚମତ୍କାର ଆକର୍ଷଣ ଥିଲା ସେଠି ଦୁହିଁଙ୍କ ପାଇଁ ।

ସାରା ରାତି ବସ୍ ରେ ବସି ଆସିଥିବା ଅଂଶୁ କିନ୍ତୁ ଟିକେ ଥତ ମତ ହୁଏ ସେଇଠି ଲଞ୍ଚ କରିବାକୁ। ଆରେ ଦୋସା ଭଲ ମିଳେ ଏଠି , ଆଉ ସେଇଟା ଗୋଟେ ଟିଫିନ୍ ଆଇଟମ୍ । କିନ୍ତୁ ଲଞ୍ଚରେ କିଏ ଖାଏ ? ଆଉ ପୁଣି ସେଇଟା ନିରାମିଷ ହୋଟେଲ। ମଣିଷ ଗରମା ଗରମ ଭାତ ସହ ମଟନ କି ଚିକେନ୍ ଖାଇବ ସିନା !!....

ଏଇ କଥାକୁ ନେଇ ବେଳେବେଳେ କଥା କଟାକଟି

ହୁଏ ଉଭୟଙ୍କ ଭିତରେ। କିନ୍ତୁ ସୁଜାତା ସବୁବେଳେ ସେଇ ହୋଟେଲ କୁ ହିଁ ଆସେ। ଚୁପ ଚାପ ହେଇ ନିର୍ଦ୍ଧିଷ୍ଟ କଣିକିଆ ଟେବୁଲରେ ବସି ପନୀର୍ ଦୋସା ଖାଏ।ଅଂଶୁ ବୁଝେ ତା'ର ଦୁର୍ବଳତା ସେଇ ନିର୍ଦ୍ଦିଷ୍ଟ ସ୍ଥାନ ପାଇଁ ଆଉ ତା' ସହ ସାଥି ଦିଏ। ସେଇଠି ସୁଜାତା ଅଂଶୁ ସହ ସ୍ୱପ୍ନ ଗଢେ,ସାରା ଜୀବନ ସାଥିରେ ଚାଲିବାକୁ ପ୍ରତିଶ୍ରୁତି ଦିଏ , ରଙ୍ଗ ଧରାଏ ମନର ଆକାଶରେ।

ବେଶି କିଛି ଇଚ୍ଛା ନଥିଲା ସୁଜାତାର ,କେଵଳ ଛୋଟ ଘର ଆଉ ଅଂଶୁର ସହଚାର୍ଯ୍ୟ ବାସ। ତା'ର ନିଜର ପରିଚୟ ଅଂଶୁ ହେଇଯାଉ ଏଇତକ ଥିଲା ପ୍ରଥମ ଓ ଶେଷ ସ୍ୱପ୍ନ। ଅଂଶୁବି ବୁଝୁଥିଲା ସୁଜାତା ଗୋଟେ ଟିପିକାଲ୍ ଝିଅ ଯେ କେବଳ ତା' ପାଇଁ ନିଜକୁ ସମର୍ପି ଦେଇଛି। ସୁଜାତାବି ଥିଲା ଭାରି ସମ୍ବେଦନଶୀଳ ପ୍ରେମ ପ୍ରସଙ୍ଗରେ। ଅଂଶୁ ବ୍ୟତୀତ ସ୍ୱପ୍ନରେବି ଅନ୍ୟ କାହା ସଂକ୍ରାନ୍ତରେ ଚିନ୍ତା କରୁନଥିଲା। ସେଥିପାଇଁ ଅବିଶ୍ଵାସି ପୃଥିବୀରେ କେବଳ ଆଉ କେବଳ ସୁଜାତାକୁ ବିଶ୍ୱାସ କରୁଥିଲା ଅଂଶୁ।

*********

ସୁଜାତା ସେଇ ବେଲୁନ୍ ବିକୁଥିବା ପିଲାକୁ ଦେଖେ ଆଉ ଅଂଶୁର ସ୍ମୃତିରେ ହଜିଯାଏ ସବୁଦିନ। ଗୋଟେ ଆପୂର୍ବ ଆନନ୍ଦ ମିଳେ ସେଇ ଦୃଶ୍ୟରେ।ଲାଗେ ଯେମିତି ଅଂଶୁ ଅଛି ସାଥିରେ। ଅନୁଭବ କରିପାରେ ଅଂଶୁକୁ ନିଜ ପୃଥିବୀରେ ନିବିଡ଼ ଭାବେ।

ଯେତେ ବୁଝେଇଲେ ବି ମନକୁ ମନ ମାନେନି ଯେ ଆଦିତ୍ୟହିଁ ତା'ର ଭୁତ ଭବିଷ୍ୟତ , ଅଂଶୁ ଗୋଟେ ଅପହଞ୍ଚ ଅତୀତ। ଯେଉଁଠି ଆଉ କୌଣସି ସମ୍ଭାବନା ନାହିଁ ।କେବଳ ରାଶି ରାଶି ହତାଶା ଆଉ ଦୁଃଖ ବ୍ୟତୀତ। ତଥାପି ଆଦିତ୍ୟଙ୍କୁ ନେଇ ଜିଇଁବାର ପ୍ରସ୍ତୁତି କରି ପାରେନି ସୁଜାତା ଖାସ ଏଇ ପିଲା ପାଇଁ।

ଭାରି ଇଚ୍ଛା ହୁଏ ଯାଇ ବୁଝନ୍ତା ପିଲାଟି ସଂକ୍ରାନ୍ତରେ ଟିକିନିଖି। ଖୋଜନ୍ତା ଗୋଟେ ନାମହୀନ ସୂତାଖିଆ ଅଂଶୁ ଆଉ ପିଲାଟି ଭିତରେ। ଆଉ ପାଇଯାନ୍ତା କିଛି ବିଶେଷ। ସେଇ ପିଲାକୁ ସାଇତି ଦିଅନ୍ତା ଆଗାମୀ ଜୀବନ ପାଇଁ ଭାରି ଯତ୍ନରେ। ଆଦିତ୍ୟ କ'ଣ କରିବେ ପ୍ରତିରୋଧ? ନା କେବେ ନୁହେଁ ଏଇ ପିଲାଟି କ'ଣ ଅଂଶୁକି ଏଇଟି ତ ଗୋଟେ ଗରିବ ପିଲା ଯାହାକୁ ସେ କେବଳ ସାହାଯ୍ୟ କରିବକୁ ଚେଷ୍ଟା କରୁଚି।

କିନ୍ତୁ ଏମିତି କରି ପାରେନି କେବେ । କାହିଁକି କେଜାଣେ ପିଲାଟି ସହ ଗୋଟେ ସମ୍ପର୍କ ଗଢି ପାରେନି। ଅଜଣା ଆତଙ୍କ ଛାଇ ରୁହେ ହୃଦୟ ରେ , " ଅଂଶୁ ପରି ଏଇ ପିଲା ଯଦି ହଜି ଯାଏ କେଉଁଠି"? ସେ କେବେ ସହି ପାରିବ ନାହିଁ। ଭାଙ୍ଗି ଚୁର୍ ମାର୍ ହେଇଯିବ ପୂରା। ଥାଉ ପଛେ ଅନାତ୍ମିୟ ଭାବେ ଏଇ ପିଲାଟି ସେଇଟାରେ ଆନନ୍ଦ କିନ୍ତୁ ଆତ୍ମୀୟ ହେଇ ନିଋଦ୍ଧିଷ୍ଟ ନହେଇଯାଉ।.....

********

ଅଂଶୁର ଅକ୍ସିଡେଣ୍ଟ୍ ବିଷୟରେ ଜାଣି ପାରିଲା ନାହିଁ ସୁଜାତା। ସେଇ ଖବରର ସତ୍ୟା ସତ୍ୟର ଅନୁସନ୍ଧାନ ବି କରି ପାରିଲା ନାହିଁ। କେମିତି କରିଥାନ୍ତା ଯେ ତା ଫୋନ୍ ନମ୍ବର ତ' ଲାଗି ନଥିଲା। ଘର ଠିକଣା ଦେଇଥିଲା ଯେ କିନ୍ତୁ ସୁଜାତା ସମ୍ବଲପୁର ଯାଇ ବୁଝିବା ସମ୍ଭବ ହେଲାନି। ଅନେକ ଚିଠି ଲେଖିଥିଲା କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ। ସୁଜାତା ଆଜିବି ଜାଣେନା ଅଂଶୁର ସ୍ଥିତି, ସେ ଅଛି କି ନାହିଁ । କିନ୍ତୁ ଭୁଲି ପାରୁନି ତାକୁ ଆଉ ପାରିବ ନାହିଁ।

ଘରେ ବାପାଙ୍କୁ କହି ଥିଲା ସେ ଅଂଶୁକୁ ଖୋଜି ଆଣିବା ପାଇଁ। କେତେ ଅନୁରୋଧ କରି ଥିଲା , "ସେ ବହୁତ ଭଲ ମଣିଷଟେ ବାପା , ମୁଁ ହଜେଇ ବାକୁ ଚାହେଁନି ,ଖୋଜି ଦିଅ।"

ହେଲେ ବାପା , ଭୟ କଲେ ହୁଏତ ବା ଅଂଶୁକୁ ବିଶ୍ୱାସ କଲେନି। "ଯେଉଁ ମଣିଷ ବିନା ଉପକ୍ରମରେ ଅଦୃଶ୍ୟ ହେଇଗଲା ତାକୁ କି ଭରଷା "

ଏତକ ଥିଲା ବାପାଙ୍କ ବକ୍ତବ୍ୟ, ଆଉ ଏତକ ନିରାଟ ସତ ବି ଥିଲା ହଁ ।କୌଣସି ବାପା ଏମିତି ମଣିଷ ସହ ନିଜ ଗୋଟିଏ ବୋଲି ଝିଅକୁ କେମିତି ବାହା ଦେବ??.....

ସୁଜାତା ବାହା ହେବନି ବୋଲି ଜିଦ କରିଥିଲା ବହୁତ। କିନ୍ତୁ ଗୋଟେ ନିମ୍ନ ମଧ୍ୟମିତ୍ତ ପରିବାର ଝିଅକୁ ଏମିତି ସିଦ୍ଧାନ୍ତ ନେବାର ସୁଯୋଗ ଦିଏନି କେବେ। ଝିଅର ବୋଝ ସାରା ଜୀବନ ବୋହିବାର ସାହସ କରି ପାରେନି। ସୁଜାତା କାହା ବଳରେ ରହିବ? ବାପାଙ୍କ ଅନ୍ତେ କିଏ ଦେବ ସହାରା ?ସାନ ଭାଇ କ'ଣ ସମ୍ଭାଳିବ???

ବାପା ଜୋଡ ହସ୍ତ ହେଇ ବାହାଘର ପାଇଁ କହିଥିଲେ। ସୁଜାତା ପାଖରେ ବିକଳ୍ପ ନଥିଲା। ମରିଯିବାର ଭୟଙ୍କର ମାନସିକତା ବି ଘାରି ଥିଲା ଖୁବ୍ , ହେଲେ ଅଂଶୁ ଯଦି ଫେରିବ କେବେ ତେବେ କେତେ ଯନ୍ତ୍ରଣା ପାଇବ । ହୁଏତ ବଞ୍ଚି ଥାଉଁ ଥାଉଁ ମରିଯିବି ସେ। ମରିବା ପାଇଁ ବି ଲୋଡ଼ା ଅଂଶୁର ଅନୁମତି।ଏଇ ଭାବନା ପାଇଁ ମରି ବି ପାରିଲା ନାହିଁ ସ୍ୱଇଚ୍ଛାରେ।

ବାପା କନ୍ୟା ଋଣ ମୁକ୍ତ ହେଇ ଆଦିତ୍ୟ ହାତରେ ସମର୍ପି ଦେଲେ ଝିଅକୁ । ପରିବାର ଓ ସମାଜ ପାଇଁ ସୁଜାତା ବୋହୁ ହେଇଗଲା, କିନ୍ତୁ ମନ କି ମାନେ। ଆଦିତ୍ୟଙ୍କୁ ଦେଇପରେନା ଅଂଶୁ ଲାଗି ସାଇତା ଅସ୍ତିତ୍ବ।

ଖୋଜେ ଅଂଶୁକୁ ଆଉ ହୁଏତ ଖୋଜିବ ଏମିତି । କାଳେ କେଉଁଠି ଅକସ୍ମାତ ମିଳିଯିବ ହଜିଲା ମଣିଷ ଆଉ ମହଣେ ସ୍ୱପ୍ନ । ଏଇ ପ୍ରତ୍ୟାଶା ଦିଏ ବଞ୍ଚିବାର ସାହସ।

ସ୍ତ୍ରୀ ଟିଏ ହେବା ଆଉ ପ୍ରେମିକା ହେବା ଭିତରେ ଯୋଜନ ଯୋଜନ ଦୂରତା। ଅଂଶୁ ପାଖେ ଋତୁ ବସନ୍ତର ଠିକଣା ଆଉ ତା' ବିହୁନେ କେବଳ ତପ୍ତ ବୈଶାଖୀ।

*ସୌମ୍ୟା*

ଟାଇମ୍ ମେସିନ୍ ପ୍ରେମିକା ଚରିତ୍ରହୀନା

Rate the content


Originality
Flow
Language
Cover design

Comments

Post

Some text some message..