ପ୍ରେମ ଗପ
ପ୍ରେମ ଗପ
ହୁଏ ! ସଂଯୋଗ ବସତଃ ଅନେକ କିଛି ନହେବା କଥା ହେଉଥାଏ । ଏଇ ହେଇଯିବାକୁ ମିଛପବନ କହି କେହିକେହି ଉଡେଇ ଦିଅନ୍ତି । କିନ୍ତୁ କିଛି ମିଛରେ ବହୁକିଛି ସତ ଛପିଥାଏ ।
ଏଇ ଯେମିତି ମଲ୍ଟିପ୍ଲେକ୍ସ୍ ରେ 'ଶିବାନୀ' ସହ ମୋ'ର ଅଚାନକ୍ ଭେଟ !!
ମୁଁ ଶା'ରୁଖ୍'ର କୌଣସି ଫିଲ୍ମ ମିସ୍ କରେନି । ସେ ପୁଣି ଫାଷ୍ଟ ସୋ' । ସେଇ କେବଳ ଗୋଟାଏ ଲୋକ , ଯେ' ନିଜ ଦୁଇବାହୁ ପ୍ରସାରୀ , ନତମସ୍ତକରେ ପ୍ରେମକୁ ସ୍ୱକାରୀ ପାରେ , ଆଉ ସାରା ପୃଥିବୀକୁ ନିଜ ହୃଦୟାଭିମୁଖୀ କରିପାରେ । ଅନ୍ୟାନ୍ୟ ହିରୋମାନଙ୍କଠୁଁ , ଶା'ରୁଖ୍ ର ପ୍ରେମ କରିବା ଶୈଳୀ ନିଆରା । ସେଥିପାଇଁ ମୁଁ ତା'କୁ ଦେଖେ ।
ରଜ ଭିଡ । ନିଜ ହିସାବରେ ଟିକେଟ୍ ମାଗିବା ବୋକାମି । ଯା' ମିଳିଲା ତାକୁ ଧରି ଭିତରକୁ ଗଲାରୁ , ଗେଟ୍ ମୁହଁରେ ଲମ୍ୱା ଧାଡି । ସିନେମା ଦେଖି ଆସୁଥିବା ମଣିଷ ମାନଙ୍କ ପାଖରେ ହୀନମନ୍ୟତା ପ୍ରାୟ ନଥାଏ । ଏଇ ଭିଡଭାଡ , ଠେଲାଘଷାକୁ ଖାତିର୍ ନଥାଏ କାହାର । ସମସ୍ତଙ୍କ ପାଖରେ ତିନିଘଣ୍ଟା ଧରି ଏକତ୍ର ଅନ୍ଧାର କାଟିନେବାର ମନୋବୃତ୍ତିଟେ ରୁହେ । ମୁଁ ଟିକେ ଫାଙ୍କା ପାଇ କଡକଡହୋଇ ବାଟକାଟି ଶିଢୀ ଚଢିଗଲାରୁ , ମହିଳା ଜଣକ କହିଲେ - ଆଉଚ୍ !
ସରି ଟାଏ କହି ମୁଁ ହଜିଗଲି ଭିଡରେ ।
ଏଥର ଅନ୍ଧାର । ଟର୍ଚ୍ଚବାଲାକୁ କହିଲି -
- କୋଣ ଆଡେ ଦେଉନା ?
- ହେମିତି କ'ଣ ହଏ ??
ଠିକ୍ ମଝାମଝି ଅପରିଚିତଙ୍କ ଗହଣରେ ନେଇ ବସାଇଲା ପିଲାଟି । ଭାବୁଥିଲି , ଥରେ ତୋ' ଟର୍ଚ୍ଚ ମୋ' ହାତରେ ଦେଇ ଦେଖେ , ମାନବିକତା କାହାକୁ କୁହନ୍ତି ଶିଖାଇଦେବି । ଷ୍ଟୁପିଡ୍ । ଅନ୍ଧାରରେ ଦର୍ଶକର ମନ ସିନେମାରେ ଥାଏ ନା ସିଟ୍ ରେ ? ଯେଉଠେ ବସେଇଲେ ସେଇଠି ବସିବେ । କୋଣ ସିଟ୍ ର ଏକ ଭାବଗତ ଅଭ୍ୟାସ ଥିବାରୁ ମୋତେ ଭଲଲାଗେ । ଅତଏବ ବସିଲି । ଖେଳ ସୁରୁ ହେଲା ।
★★★
ମୋ' ସାମ୍ନାରେ ଜଣେ ମହିଳା । ତାଙ୍କ କଡରେ ବୋଧେ ସେ ଜଣକ ପତିଦେବ । ବାଁ ପଟେ କୁରୁକୁରେ ଚୋବାଉଥିବା ଛୁଆଟେ । ହାପି ଫ୍ୟାମିଲି । ମୋ'ର ଧାରଣା ଯେ ' , ଏକତ୍ର ସିନେମା ଦେଖି ଆସିପାରୁଥିବା ପ୍ରତ୍ୟେକ ପରିବାରକୁ ହାପିଫ୍ୟାମିଲିରେ ଗଣାହେବା ଉଚିତ୍ । ବାକିମାନଙ୍କୁ ସନ୍ଦେହ କରିହେବ !!! ମହିଳା ଜଣଙ୍କ କହୁଥାନ୍ତି -
- ଆଉ ଆଗପରି ଶା'ରୁଖ୍ ର ଦମ୍ ନାହିଁ ।
- ଦମ୍ ମାନେ ?
- ମାନେ ପ୍ରେମ କରିବାକୁ ।
- ଓଃ! ବୟସ ବି ତ ହେଲାଣି ।
- ହୁଁଉଁଉଁଉଁ ବୟସ !!!!!
ଠିକ୍ ଏଇପରି ଶିବାନୀ କୁହେ । ଶିବାନୀ ହିଁ ଏକା , ଏ ସହରରେ ରୋକଠୋକ୍ ସ୍ୱରରେ କହିପାରେ ।
★★★
ଶିବାନୀ ସହ ଯେତେଥର ମୁଁ ଶା'ରୁଖ୍ କୁ ଦେଖିବାକୁ ଆସେ , ତା'ର ଏକ ନିର୍ଦ୍ଦିଷ୍ଟ ସର୍ତ୍ତ ଥାଏ । କୋଣ ସିଟ୍ ।
ଅକ୍ତିଆର କରିବାକୁ ମୁଁ ଢେର୍ କସରତ କରେ । ମୋ' ପରିଶ୍ରମର ଅବଶ୍ୟ ସୁଫଳଟେ ସବୁବେଳେ ମିଳେବି ।
ଫିଲ୍ମ ସରିବାପରେ ସେ ଅନେକ୍ ଥର ମୋତେ ପ୍ରବର୍ତ୍ତାଏ -
- ଶା'ରୁଖ୍ ପରି ହେଇଯାଉନ କାହିଁକି ଯେ' ?
ହଲ୍ ବାହାର ଗାଡିଷ୍ଟାଣ୍ଡ ଆଗରେ ଦୁଇହାତ ପ୍ରସାରି ମୁଁ ତା'ରି ଆଡକୁ ମୁଣ୍ଡ ଝୁକାଇ ଦିଏ ।
- ତୁମ ଦେଇ ହେବନି ! ପାରିବନି !!
ଶିବାନୀ ଆଗକୁ ଚାଲିଯାଏ ।
★★★
ମୁଁ , ଶିବାନୀର ମନ ମୁତାବକ , ଅନେକ କିଛି ପାରିନଥିଲି । ସେଇକଥା ସେ ଦିନେ ଆସି କହିଲା ବି ।
- ତୁମ ଭାଗର ପ୍ରେମତକ ତୁମକୁ ଦେଇସାରିଛି । ତୁମେ ନେଇସାରିଛ । ଆଉ ଦେବାନେବାର କିଛି ବଳକାଟେ ନାହିଁ ବି । ଚାଲ ମୁକୁଳିଯିବା ।
- ମୁକୁଳିଯିବା ??? ଭଲପାଇବାଟା ଗୋଟେ ଫାଶ ଯେ' ମୁକୁଳିଯିବା ??
- ଭଲକି ଭାବ । ପ୍ରେମ ଏକ ଫାଶ ମାତ୍ର ।
- ଭାବିପାରୁନି ଭଲକି ।
- ହେଇ ଆକାଶକୁ ଚାହିଁ କହିଲ , କ'ଣ ଦିଶୁଛି ?
- ନୀଳ ଆକାଶ , ଭସା ବାଦଲ , ମୁକ୍ତ ବିହଙ୍ଗ ଏମିତି କିଛି ।
- ଆଉ ସେ ଉଡାଜାହାଜ ?
- ସେଇଟା କୁତ୍ରିମ ।
- ହଁ ! ପ୍ରେମ ପ୍ରାକୃତିକ । ଜୀବନ କିନ୍ତୁ ଚାହେଁ କୁତ୍ରିମତା ! ପାରିବ ମୋତେ ଡେଣାହୀନା ସ୍ୱତ୍ତେ ଆକାଶରେ ଉଡାଇ ?
- ମନଆକାଶରେ ତ ପାରିବି ।
- ହା ହା । ସେଥିରେ ମନ ଭରେ , ଈଛା ପୁରେନି ।
ଶିବାନୀ ଏଯାଏଁ କଠୋର ହୋଇପାରେ , ଏ ମୋ' ହିସାବରେ ନଥିଲା । ମୁଁ ପଞ୍ଜୁରୀ ଖୋଲିଦେଲି । ସେ ଆକାଶମୁହାଁ ହୋଇ ଫୁରର୍ ହୋଇଗଲା ।
★★★
ପରିଣତ ବୟସରେ ପର୍ଦାରେ ଶା'ରୁଖ୍ ଖୁବ୍ ପ୍ରେମଚେଷ୍ଟା କରୁଥିଲା । ନାୟିକା ଥିଲା ଦୀପିକା । ତାଠୁଁ ସାତସାନ । ଝିଅଟା ଯଦିଓ କାଜଲ୍ ମାଧୁରୀ ପରି ମାଗ୍ନିଫାଇଂଗ୍ ନଥିଲା , ତଥାପି ଉତ୍ତେଜକ ଥିଲା । ମୁଁ ଅନ୍ଧାରରେ ଦେଖିଲି , ସାମ୍ନାର ପତିଦେବ ଜଣକ ଧିରେଧିରେ ବାହୁ ପ୍ରସାରୁଥିଲେ । ବାଁ ହାତଟା ତାଙ୍କର କ୍ରମେକ୍ରମେ ପତ୍ନୀଙ୍କ କାନ୍ଧ ଛୁଇଁବାରୁ , ମହିଳା ଜଣକ ଚିହିଁକି ଉଠି କହିଲେ -
- ଚୁପଚାପ୍ ବସ କହୁଛି ।
ଏସବୁ ହରକତ ଦେଖି ମୋତେ କିଛି ଭଲ ଲାଗୁନଥିଲା । ନା ଶା'ରୁଖ୍ ର ବୟସ୍କ ପ୍ରେମ ନା' ସାମ୍ନା ମହିଳା ଜଣକଙ୍କ ସ୍ୱାମୀଙ୍କ ପ୍ରତି ଏପରି ଛିଞ୍ଚଡା ଭାବ । ମୁଁ ଦୀର୍ଘଶ୍ୱାସଟାଏ ଛାଡିଲି । ବୋଧେ ମୋ' ଉଷୁମ ନିଶ୍ୱାସ ପ୍ରସାରୀ ହୋଇଗଲା , ସାମ୍ନା ସିଟ୍ ର ମହିଳାଙ୍କ ମୁକୁଳା ପିଠି ଆଡକୁ । ଚମକିପଡି ସେଇ ଅନ୍ଧାରଟାରେ ସେ' ମୋ' ଆଡକୁ ଚାହିଁଲାରୁ ଶିବାନୀ !!!!
ଏବେଯାଇ ଜାଣିଲିଯେ' ଏଇ ନିଃଶ୍ୱାସ ପ୍ରଶ୍ୱାସ ପରି ସୂକ୍ଷ୍ମ ଅଦୃଶ୍ୟ ପଦାର୍ଥ ମାନଙ୍କର ବି ଗୋଟେ ଚିହ୍ନାପଣ ଥାଏ ।
ମୁଁ ବିଚଳିତ ହେଲି । ସେ' ମୋତେ ସଠିକ୍ ଠଉରାଇ ନେବା ପୂର୍ବରୁ , ସୁଖୀ ସଂସାର ଉପରେ ବାହାର ନିଃଶ୍ବାସ ନପଡିବା ଉଚିତ୍ ଭାବି , ସନ୍ତର୍ପଣରେ ବାହାରିଗଲି ପଦାକୁ । ସିଗ୍ରେଟ୍ ଟେ ଟାଣିବାର ପ୍ରବଳ ଇଛା ହେଲା । ଟୟଲେଟ୍ ଭିତରେ ଲୁଚିଛପି ସିଗ୍ରେଟ୍ ରେ ନିଆଁ ଧରେଇଛିକି ନାହିଁ ସାମ୍ନା ମିରର୍ ରେ ପୁଣି ଶିବାନୀ !!!
- ଏଯାଏଁ ସିଗ୍ରେଟ୍ ଛାଡିନ ?
- ଆରେ ? ତୁମେ ? ଏଇଟା ଜେଣ୍ଟସ୍ ଟୟଲେଟ୍ ।
- ହଁ ! ମୋ' ପୁଅବି ଜେଣ୍ଟସ୍ ।
- ଓଃ! ତା'କୁ ତା' ପାପା ଆଣିଥାନ୍ତେ ନା ଆଉ ?
- ନାଃ ! ସେ ଶା'ରୁଖ୍ ନୁହଁ !!
- ଆଉ ?????
- ତୁମେ ଅନ୍ତତଃ ଶା'ରୁଖ୍ ପରି ହେବାକୁ ଚେଷ୍ଟା ତ କରୁଥିଲ !!!
ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର