Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅରକିଡ୍
ଅରକିଡ୍
★★★★★

© Pratima Das

Others

7 Minutes   344    15


Content Ranking

ପ୍ରତିମା ଦାସ

ଶାନ୍ତନୁ ସାର ଖୁବ ଆଦର କରନ୍ତି ଅରକିଡ୍ ପ୍ଲାଣ୍ଟ କୁ । ଅନଲାଇନରେ ଚାରା ମଗାଇଛୁଆ ପରି ଲାଗିଛନ୍ତି ଚାରା ପଛରେ । ରିଟାୟାରମେଣ୍ଟ ପରେ ଏକ ବର୍ଷରେ ୨୦/୩୦ ପ୍ରକାର ଅରକିଡ୍ ଚାରା କିଣି ଭାରି ହେପାଜତ କରୁଛନ୍ତି । ଆଜି ଅତ୍ୟନ୍ତ ପ୍ରଗଳ୍ଭ ହୋଇ ସ୍ତ୍ରୀ ଶାନ୍ତାଙ୍କୁ ଡାକ ଛାଡିଲେ ଶାନ୍ତା ଦୌଡିଆସ ଦେଖ ଦେଖ ସବୁ ଅରକିଡ୍ ଚାରାରୁ କଲି ଆଉ କଢ ତ ବାହାରି ଯାଇଥିଲା ଆଜି ଗାଢା ନାରଗୀଂ ଅରକିଡ୍ ଟିଏ ପବନରେ ଖେଳୁଛି । କାଲି ବୋଧେ ଆଉ ଦୁଇଟି ଫୁଟିବ । ଏମିତି ନୁହେଁ କି ଶାନ୍ତନୁ ସାରଙ୍କ ବଗିଚାରେ ଅନ୍ୟ ଫୁଲଫଳ ଗଛ ନାହିଁ କିନ୍ତୁ ଏହି ଅରକିଡ୍ ତାଙ୍କର ଦୂର୍ବଳତା । ଥରେ ଫୁଲଟି ଫୁଟିଗଲେ ସବୁ ପ୍ରତିକୂଳ ପରିସ୍ଥିତିରେ ବି ମାସ ମାସ ସତେଜ ରହିଥାଏ । ଯେବେ ପୁଅ ପାଖକୁ ବିଦେଶ ଯାଇଥିଲେ ଏୟାରପୋର୍ଟରେ ଅରକିଡ୍ ଗୁଡିକୁ ଦେଖି ପ୍ଲାଷ୍ଟିକ ଫୁଲ ବୋଲି ପ୍ରଥମେ ଭାବି ନେଇ ଥିଲେ । ସେ ଦିନୁ ୨/୪ଟି ପ୍ଲାଣ୍ଟ ରଖି ଥିଲେ ଆଉ ଅରକିଡ୍ ମାୟା ବଢି ବଢି ଚାଲିଥିଲା ।

ସ୍ତ୍ରୀ ଶାନ୍ତା କିଛି କାମ କରୁଥିଲେ ଦୌଡିଆସି କହିଲେ ଖୁସିତ ଲାଗୁଛି କିନ୍ତୁ ମନେ ମନେ ଭାବିଥିଲି ରିଟାୟାରମେଣ୍ଟ ପରେ ଗାଁକୁ ଟିକେ ବାରମ୍ବାର ଯାଆନ୍ତେ ଘର ବିଲବାଡି ପୋଖରୀ ତୋଟା ସବୁ ଦେଖନ୍ତେ । ବାପା ଅଜା ଚଉଦପୁରୁଷର ଜମିବାଡି କେଉଁଠି ପର ଖାଉଛନ୍ତି ତ କେଉଁଠି ପଡିଆ ପଡିଛି ଆଉ କେଉଁଠି ଫସଲ ଅମଳ ହେଲେ ବି ଭାଗୁଆଳି ଆମ ଖଳାରେ ନ ପଂହଚାଇ ନିଜ ଖଳାକୁ ବୋହି ନେଉଛି ।

ଗାଁ କଥା ନ ବୁଝି ଏ ଶୁଖିଲା ଅରକିଡ୍ ପଛରେ ପଡିଛ । ସତରେ ତୁମ ଅରକିଡ୍ ଫୁଲ ଯେ ଦେଖୁଛି ସେ କ଼ହେ ଏ ଗୁଡା କଣ ସତ ଫୁଲ ନା ଆରଟିଫିସିଆଲ । କେଉଁ ଫୁଲର ଫଟୋ ବାଘୁଆ ମହୁମାଛି ପରିତ କେଉଁ ଫୁଲର ରଙ୍ଗ ଲହୁଣୀ ପରି । କି ସୁନ୍ଦର ସେ ପରପଲ ରଂଗ ଇଛା ହେବ ଛିଡାଇ ଖୋସାରେ ଆଣି ଦେବାକୁ । କେଉଁ ଚାରା ହଜାରେତ କିଏ ଦି ହଜାରେ କେଉଁଟି ତିନିଶହ । କିନ୍ତୁ ଫୁଲଟି ବାସ୍ନା ହୀନ ଶୁଖିଲା ।

ଛୁଆଭଳି ତାଙ୍କ ଯତ୍ନ ନେଉଛ ଆଉ ଭଲ ପାଇବା ଅଜାଡି ପକାଉଛ ଅରକିଡ୍ ଉପରେ । ସେହି ଅରକିଡ୍ ଙ୍କ ଭଲପାଇବାର ଷୋଳ ଅଣାରୁ ଚାରିଅଣା ଭଲ ପାଇବା ମୋତେ ହେଲେ ଦିଅନ୍ତ! ଶାନ୍ତନୁ ସାର କହିଲେ ଦେଖ ଅଣେ ଅଣେ କରି ଚାରିଅଣା ଫିଗିଂଲି କ୍ୟାଚ କର ନହେଲେ ଉଡିଯାଇ ଛାତ ଉପରେ ଥିବା କେଉଁ ମହିଳାଙ୍କ ଓଠରେ ଯଦି ବାଜିଲା ମୋର ଦୋଷ ନାହିଁ । ଏହାକହି ହସି ହସି ଧାଏଁ ଧାଏଁ ଚାରୋଟି ଫ୍ଲାଇନ୍ଗ କିସ୍ ଦେଲେ । ହିନ୍ଦୀ ଫିଲ୍ମ କାଶ୍ମୀର କଲି ର ଏକ ଗୀତ ଖୁବ୍ ସୁରୀଲା କରି ଗାଇଲେ ।

ए देखके दिल..... झूमा

ली प्यार ने अॅगडाइ

दीवान हुआ बादल

सावन की घटा छाइ .....

ଶାନ୍ତା ଦେବୀ କହିଲେ ତୁମେ ଛାତ ଉପରେ ଅଛ ବୋଲି ହୋସ ଅଛିତ?? ଛୋପରା ହେବାକୁ ଏ ଯାଗାଟି ମିଳିଛି! ଯାଏ ଦେଖେ ରୋଷେଇ ବାସ ହରି ମଉସା କେତେ କଣ କଲେଣି । ଖାଇବାରେ ଯେଉଁ ହଇରାଣ କରୁଛ ତୁମ ସୁଆଦିଆ ପାଟିକି ଜଗି ଜଗି ମୋ ସମୟ ଗଲା । ତୁମ ଅରକିଡ୍ ତୁମେ ସମ୍ଭାଳ । ହଉ ହେଲା ଯାଅଯେ ବୁଲିପଡି ଟିକେ ଚାହିଁଲ । ସେଇ ଯେଉଁ ହିନ୍ଦୀ ଫିଲ୍ମ ଧୂନ୍ ସହ ଚାରୋଟି ଫ୍ଲାଇନ୍ଗ କିସ୍ ଫୋପାଡିଲି..... ଯାଇ ସିଧା ତୁମ ଓଠରେ ମାଡ ହୋଇଛି ତା ରଙ୍ଗ ଦେଖେଇଁ ଗୋଲାପି ହେଲା ନା..... ଲାଲି ନ ହୋଇ ଥିବ ଯଦି ପାଖକୁ ଯିବି ।

ହେତ୍ କହି ଶାନ୍ତା ଦେବୀ ମନେ ମନେ ରସାଳିଆ ହୋଇ ଚାଲିଗଲେ ଶାନ୍ତା ଦେବୀ ସ୍ବାମୀଙ୍କ ହିନ୍ଦୀ ଗୀତର ଜଣେ ଜବରଦସ୍ତ ଫ୍ୟାନ ଥିଲେ ।

ଶାନ୍ତନୁ ସାର ରସିକିଆ ବ୍ୟକ୍ତି ସହ ଜଣେ ହିସାବି ଏବଂ ଦାୟିତ୍ବବାନ ଲୋକ ମଧ୍ୟ । ଭାବୁଥିଲେ ଛୁଆମାନେ ତ ସୁଦୂର ସହରରେ ରହିଲେ । ସ୍ବାମୀ ସ୍ତ୍ରୀ ଏଠି ପୁରା ଏକଲା  । ଏଇ ଗଛମାନଙ୍କୁ ଛୁଆ ନ କଲେ କାହା ମାୟାରେ ବଂଚିବେ । ବାସ୍ତବିକ ଭଗବାନ ସଂସାର ସହିତ ମାୟାକୁ ରଚନା ନ କରିଥିଲେ କାହାକୁ ପାଥେୟ କରି ମଣିଷ ଆଗକୁ ବଢନ୍ତା??

ଛୁଆବେଳେ ବାପାମା ଆଉ ଖେଳଣା ମାୟା ।  ଯୌବନରେ ସାଂଗସାଥି ଗାର୍ଲଫ୍ରେଣ୍ଡ ମାୟା ଆଉ ଖାଦ୍ୟ । ବାହାଘର ପରେ ସ୍ତ୍ରୀ ମାୟା । ତା'ପରେ ଛୁଆପିଲା ମାୟା । ବର୍ତ୍ତମାନ ଅପେକ୍ଷା ନାତୀନାତୁଣୀଙ୍କୁ । ପୁଅଝିଅ ଶୁଣୁ ନାହାନ୍ତି କି ଶୀଘ୍ର ଛୁଆପିଲା କରିବାରେ ମନ ଦେଉ ନାହାନ୍ତି । ତାଙ୍କୁ ତ ଆଉ ବାଧ୍ୟ କରି ହେବନି କହି ହେବ ସିନା ।

ଏସବୁ ଛାଡି ଆହୁରି ବହୁତ କିଛି ମାୟା ମଣିଷ ସମାଜରେ ଲଗାଇହେବ ହେଲେ ଏ ଦଗାଦିଆ ସମାଜରେ କେହି ନିଜର ଲାଗନ୍ତିନି । ତେଣୁ ଏ ଗଛପତ୍ର ଫୁଲଫଳ ଅରକିଡ୍ ତାଙ୍କର ପ୍ରିୟ । ଆଉ ଏ ଛାତ ସବୁଠୁ ପ୍ରିୟ ସ୍ଥାନ କାରଣ ନିଜ ବଳବୟସ ଅନୁସାର ଛାତବଗିଚାକୁ ଚଳାଇ ପାରୁଛନ୍ତି ।

ଆଜି ବହୁତ ବଗିଚା କାମ ହୋଇଗଲା ଯିବା ଫ୍ରେଶ ହୋଇ ଖାଇବା bye bye orchids କହି ତଳକୁ ଓହ୍ଲାଇ ଆସିଲେ । ମହମହ ବାସ୍ନାରେ ଘର ମହକି ଉଠୁଛି । ହରି ମଉସା ରୋଷେଇ ସାରି ଡାଇଂନି ଟେବୁଲରେ ଖାଇବା ବାଢିଦେଇ ବଳକା ଖାଦ୍ୟକୁ ଫ୍ରିଜରେ ସଜାଡିଦେବା ପର୍ଯ୍ୟନ୍ତ ରୁହନ୍ତି ତାପରେ ଚାଲିଯାନ୍ତି ।

ଫ୍ରିଜରେ ଅଟା ଚକଟା ଥାଏ ଶାନ୍ତା ଦେବୀ ରୋଟି ଚାରୋଟି କରି ଖାଇବା ଗରମ କରି ଉପର ଓଳିଟି ସେମିତି ଚଳାଇ ନିଅନ୍ତି । ଆଜି ସାଧା ବାରି ନା?? କହି ଶାନ୍ତନୁ ସାର ପଶି ଆସିଲେ ଡାଇଂନିକୁ ଦେଖି ଶାନ୍ତା କଣ କଣ ରାନ୍ଧିଛ ଆଜି?କହି ଗୋଟି ଗୋଟି ଢାଙ୍କଡା ଖୋଲିଲେ ବାଃ ଦମ୍ ଭରା ଗୋଟା କଲରା ପଣସ କଠା କସା ଶାଗବଡି ରାଇ ପନୀର 65ଟମାଟୋଖଜରା ଖଟା ଆଉ ଡାଲି ସାଲାଡ଼ । ରାମ ଭରସା ମିଠା ଦୋକାନର କାଲା ଜାମୁନ ମଧ୍ୟ ଅଛି । ଖୁବ୍ ଜମିଲା ଆଜି କହି ଖାଇବା ଆରମ୍ଭ କଲେ । ଏ ଶାନ୍ତା ସବୁତ କଲ ମୋ ପ୍ରିୟ ଭଜା ମୁଗଡାଲି କାହିଁକି କରୁନ ତିନି ଚାରି ଦିନ ହେବ । ?

ଶାନ୍ତା ଦେବୀ ଟିକେ ଚଢା ଗଳାରେ କହିଲେ କେତେଥର ଆଉ କହିବି ଏ ବର୍ଷର ଭଜାମୁଗ ଡାଲି କୋଟା ଖତମ୍ । ତୁମେ ଭୁଲିଯିବତ ମୁଁ କଣ କରିବି?? ଅମଳବେଳେ କାନ୍ଦୁରାଭାଇ ଯେତିକି ଡାଲି କରି ଆଣିଥିଲେ ସେ ସରିଗଲାଣି । ଖଳା ମୁଣ୍ଡରୁତ ଅଧା ବିକି ଦେଇ ଥିଲ ଆଉ ଯାହା ମୁଗଥିଲା ସେ ଡାଲି କରି ଆଣିଥିଲେ । ମୁଁ ଆଉ କେଉଁଠୁ ବୁଝିବାଝି ଆଣି ପାରିବିନି ତା ପୁଣି ଆମ ବିଲ ଡାଲି ପରି ନୁହେଁ ଗୋଡି ଭର୍ତ୍ତି ଡାଲି ସେ ଗୁଡା । ତୁମେ ତ ପୁଣି ଦୋକାନର କଂଚା ମୁଗଡାଲି ପାଉଡର ଗୋଳା କହି ଖାଇବନି ତେଣୁ ମୁଁ ହରଡଡାଲି କରିଛି । କେତେ ନେହୁରା ହୋଇ କାନ୍ଦୁରା ଭାଇ କହୁଥିଲେ ବାବୁ ଏସନ ସେ ତିନି ମାଣିଆ କହ୍ନିୟା ପାଟରେ ମୁଗ କରନ୍ତୁ ନିଶ୍ଚୟ ଭଲ ହେବ । କିନ୍ତୁ ଏକ ବର୍ଷିକିଆ ଆର୍ଥିକ ବଜେଟ୍ ପଢିଲା ଭଳି ତାକୁ ଶୁଣାଇଲ. .....

ଯେ ଛ'ଟଙ୍କା ଘୋଡ଼ାକୁ ନ'ଟଙ୍କା ଦାନା ପରି ତୋ ମୁଗ ଚାଷରେ କାନ୍ଦୁରା । ପୂର୍ବ ବର୍ଷ ମୁଗ ମଂଜି ସାର ଔଷଧ ମୁଲିଆ ମଜୁରୀ ମିଶି ଟଙ୍କା ଛ'ହଜାର ସରିକି ବିଲ ତିନି ମାଣରେ ସାରିଲୁ ଦେଖିଲା ବେଳକୁ ମୁଗ କୁଇଣ୍ଟାଲ ଟେ ବି ବାହାରିଲାନି । ତୁ ନବା ବାଦେ ଆମ ଭାଗରେ ପଚାଶ କେଜି ଖଣ୍ଡେ ପଡିଲା । ଯାହାର ଦାମ୍ ମାତ୍ର ଅଢ଼େଇ ହଜାର । ଲାଭ କଣ ହେଲା? ଗଲା ସନ ସିନା ମୁଗ ଭଲ ହେଲାନି ବାବୁ ସେଥିପାଇଁ ହାତରୁ ବାଜିଲା । ଫସଲ ଭଲ ହେଲେ ହାତରୁ କାହିଁକି ବାଜିବ ଏସନ ମୁଗ ଚାଷ କରିବା ?? ନା ନା ତୁ ମୋତେ ସେ ଚାଷ ବାସରେ ପଶାନା । ସେ ତିନିମାଣିଆ କହ୍ନିୟା ପାଟ ସେମିତି ଖାଲି ପଡୁ । ଗୋବରି ପଠାରୁ ଯେତିକି ମୁଗ ଅମଳ ହେବ ସେତିକି ଆମର ଢେର । ବିଚାରା ମନଦୁଃଖ କରି ଗଲା । ସେ ଟଙ୍କା ମାରି ଖାଇ ଦେବ ବୋଲି ଭାବି ବିଦା କରି ଦେଲ । ଖାଇ ଖାଇ ୨/୪ ହଜାରେ ଖାଇଥାନ୍ତା ଆମ ଭାଗ୍ୟତ ନେଇ ଯାଉ ନ ଥିଲା । ଅରକିଡ୍ ପିଛା ତ ପୁଣି ହଜାର ହଜାର ସାରୁଛ?? ବାପା (ଶଶୁର) ଥିଲାବେଳେ ହାନି ହେଉ କି ଲାଭ ଆମ ଜମି କେବେବି ପଡିଆ ପଡୁ ନ ଥିଲା । ତୁମେ ହିସାବ କରି ଖାଲି ଲାଭ କ୍ଷତି ଦେଖିଲ ମାଟି'ମା ଅଫଳନ୍ତି ହୋଇ ରହିଲା । ହେଉ ହେଉ ଠିକ୍ ଅଛି ବାବା ମୋର ଭୂଲ ହୋଇଛି ଏବେ ଶାନ୍ତିରେ ଖାଅ କହି ଶାନ୍ତନୁ ସାର ଖାଇବାରେ ମନ ଦେଲେ ।

ଖାଇବା ପରେ ଶାନ୍ତନୁ ସାର ବିଶ୍ରାମ ନେଲାବେଳେ ଭାବୁଥିଲେ ଆରେ ସତରେ ତ ଏହି ଅରକିଡ୍ ମାୟାରେ ମୁଁ ହଜାର ହଜାର ଟଙ୍କା ସାରୁଛି ଅଥଚ ମୋ ବାପା ଅଜା ଅମଳର ଜମି ଲାଭକ୍ଷତିର ହିସାବ ଭିତରେ ...ଅଫଳନ୍ତି ହୋଇ ପଡିରହିଛି । ଜମି ମାୟାରେ ଦିନେ ପଡିଲିନି କ'ଣ ନା ସେ ଭାଗଚାଷୀ ଗୁଡା ଖାଲି ଖାଇ ଯାଉଛନ୍ତି । ଅଧା ଟଙ୍କା ସାହାଯ୍ୟ କରି ଦେଇଥିଲେ ସେ ବିଲଗୁଡା ପଡିଆ ପଡି ନ ଥାନ୍ତା । ଜମି ଫସଲରେ ହସୁଥାନ୍ତା ଭଲ ହେଉ କି ମନ୍ଦ ହେଉ । ମୋ ଅରକିଡ୍ ସଉକି ପାଇଁ ତ କେହି ମନା କରୁ ନାହାନ୍ତି ଯେଉଁଥିରେ ଖର୍ଚ୍ଚ ବଦଳରେ ଆନନ୍ଦ କେବଳ ଲାଭ କିଛି ବି ନାହିଁ । ମୋ ଭଳି ଆର୍ଥିକ ସ୍ବଛଳ ବ୍ୟକ୍ତି ଯଦି ଚାଷ କରିବାକୁ କି ଚାଷୀକୁ ସାହାଯ୍ୟ ଦେବାକୁ ମନା କରିଦିଏ ତାହା ଘୋର ନିନ୍ଦନୀୟ ତତ୍ ସହିତ ପାପ ମଧ୍ୟ । ସେହି ତିନିମାଣିଆ କହ୍ନିୟା ପାଟ ଆଜି ମୋ ପାଇଁ କିଛି ନୁହେଁ ସିନା କିନ୍ତୁ ବାପାଙ୍କ ସହ ଗାଁ କୁ ଆସିଲା ବେଳେ ଜେଜେଙ୍କ କାନ୍ଧରେ ବସି ସେ ବିଲକୁ କେତେଥର ଯାଇଛି । କଣ ମାୟା ସେ ବିଲରେ ଥାଏ

କେଜାଣି ! ଜେଜେମା ଯେତେ ମନା କଲେ ବି ଜେଜେ ଦିନକୁ ଦି ଥର ବିଲ ମୁଣ୍ଡକୁ ଯାନ୍ତି । ଜେଜେଙ୍କ ପାଖରେ ଛିଡ଼ା ହୋଇ ଜେଜେଙ୍କ ହସରେ କିପରି ଖୁସିର ଢେଉ ରଂଗ ବଦଳାଇ ଜେଜେଙ୍କ ମୁହଁ ଦେଇ ସାରା କହ୍ନିୟା ପାଟକୁ ପ୍ରସାରିତ ହେଉଥାଏ ସେ ଲକ୍ଷ କରିଛନ୍ତି ପାଟ ହସୁଥାଏ ଯେପରି । ବାପା ବି ଲାଭକ୍ଷତି ନ ଦେଖି ଭାଗଚାଷ ଜାରି ରଖିଥିଲେ । ଜୀବନର ଭାଗଦୌଡ ଭିତରେ ଯାନ୍ତ୍ରିକ ମାନବ ପରି ମାଟି ମାଆର ମମତାକୁ ମାୟାକୁ ଉପେକ୍ଷା କରି ଚାଲିଥିଲେ । ଆଉ ନୁହେଁ ଏହା ଭାବି କାନ୍ଦୁରାକୁ ଫୋନ୍ ଲଗାଇଲେ । କାନ୍ଦୁରା ହାଲୋ ଶୁଭୁଛି କାଲି ମୁଁ ଗାଁକୁ ଯିବି । ଖାସି ମାଂସ ଭାତ ହିଡ ମଦରଂଗା ଭଲ କରି ରାନ୍ଧି ଥିବୁରେ । । ଆଉ ଏ ବର୍ଷ ଆମର ସବୁ ଜମି ଚାଷ ହେବ । କିଛି ପଡିଆ ପଡିବନି । ଟଙ୍କା କଥା ଆଦୌ ଚିନ୍ତା କରିବୁନି । ଶାନ୍ତା ଦେବୀ ଶୋଇବା ଘରେ ପଶୁ ପଶୁ ସବୁ ଶୁଣି କହିଲେ ସତରେ ନା କଣ? ମୋତେ ନେବନି ଗାଁ କୁ । ହଁ ହଁ ମିଶିକି ଯିବା । ମା ବି ଯିବରେ କାନ୍ଦୁରା । ଭଲକି ଦି ସେର ଚାଉଳ ପକାଇ ଥିବୁ । ମଂଜ କଦଳୀ ପତ୍ର କାଟି ରଖିଥିବୁ । ତୋ ସାରା ପରିବାର ମା ଓ ମୁଁ ବସିକି ଏକାଠି ଖାଇବା । ହାଁ ସେ ଭଁଉରୀ ଜାଲଟା ମାଣ୍ଟୁ ଘରୁ ନେଇ ପୋଖରୀରେ ବି ଦି ଖେପ ଦେବୁ । କାଳେ ଗୋଟେ ଅଧେ ବାହାରିବେ ତାକୁ ମା'ଙ୍କ ପାଇଁ ବେସର କରି ଦେବୁ । ମା ଖାସି ମାଂସ ଖାନ୍ତି ନାହିଁ । ଗାଇ ଦୁହାଁଳ ଦେଖି କ୍ଷୀର ଦି ଲିଟର ରଖିଥିବୁ ସାହୁଘର ଫ୍ରିଜରେମୁଁ ଆସିଲା ବେଳେ ଆଣିବି । ବସା ଦହି ଖଣ୍ଡେ ଉଜ୍ଜ୍ୱଳ ବୁଢୀଠୁ ଆଣିଥିବୁ । ନିମକଢ ପୁଳାଏ ନସିନଗା ଆମ୍ବ ଗଣ୍ଡାଏ ତୋଟାରୁ ତୋଳି ଥିବୁ । ସୁନୁସୁନିଆ ଶାଗ ପୋଖରୀରେ ମାଡିଥିବ ତାକୁ ପାଛିଆଏ ତୋଳି ଥିବୁ ରେ କାନ୍ଦୁରା । ମୁଁ ଏଥର ପ୍ରତି ମାସରେ ଗାଁ କୁ ଯିବି । ମୁଁ ଠିକ ୧୧/୧୨ବେଳକୁ ପଂହଚିବି । ନଡ଼ିଆ ତକ ପାରି ଦେଇ ଥିବୁ । ବାବୁ ଆପଣ ମାଙ୍କୁ ନେଇ ଭଲରେ ଆସି ପଂହଚି ଯାନ୍ତୁ କିଛି ଚିନ୍ତା ନ କରି ବାକି ସବୁ ହୋଇ ଯାଇଥିବ । ହଉ ରହିଲି ହେଲା କହି ଶାନ୍ତନୁ ସାର ଫୋନ ରଖି ଆଖି ପୋଛୁଥିଲେ । ଶାନ୍ତା ଦେବୀ ଲୁହ ଟଳମଳ ଆଖିରେ ମାଟି ମାଆକୁ ଦେଖି ପାରୁଥିଲେ । ଅରକିଡ୍ ଛାତ ଉପରେ ହସିବ ଯେତେ ହସୁ ତା ଯୋଗୁ ମାଟି ମା ଅଫଳନ୍ତି ନ ରହୁ ଜମି ପଡିଆ ନ ପଡୁ । 

***************

ଅରକିଡ୍ ହେପାଜତ ପବନ

Rate the content


Originality
Flow
Language
Cover design

Comments

Post

Some text some message..