Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Fransis Satapathy

Others

3  

Fransis Satapathy

Others

ମୁଖା

ମୁଖା

3 mins
664


ସକାଳୁ ସକାଳୁ କଲୋନୀ ଭିତରେ ହୋ ହଲ୍ଲା ଶୁଭୁଛି । ଲୋକ ସବୁ ଗଦା ହୋଇଛନ୍ତି । କଲୋନୀର ପ୍ରେସିଡେଣ୍ଟ ସିଂ ବାବୁ ଖୁବ୍ ଜୋରରେ ଚିଲ୍ଲାଉଛନ୍ତି ତାଙ୍କ ଘରକୁ କାମ କରିଆସୁଥିବା ସ୍ତ୍ରୀ ଲୋକଟି ଉପରେ । ଭାଷାରେ ଥଳକୂଳ ନାହିଁ । ମାରନମାର ହଉଛନ୍ତି । ଵିଚାରୀ ସ୍ତ୍ରୀ ଲୋକଟି କାନ୍ଦୁଣୁ ବାନ୍ଦୁଣୁ ହୋଇ ଯାଉଛି ।

" ଏତିକି ଟଙ୍କାରେ କେମିତି ଚଳିବି ବାବୁ ? ଅଇଲା ଦିନ କହିଲ ମାସକୁ ୨୦୦୦ ଟଙ୍କା ଦବ, ବାହାପୁଆଣି ରେ ଲୁଗାପଟା ଅଲଗା । ତମ କଥା ବି ରଖୁନ । ୧୦୦୦ ଟଙ୍କା ଦେଉଛ ; କେମିତି ହବ ? ଘରେ ମୋ ମରଦ ଜରରେ କୁହୁକୁଛି । ପାଞ୍ଚ ଦିନ ହେଲା କାମକୁ ଯାଇନି । ଓଷଦ ଟିକେ ଆଣିବାକୁ ବି ପଇସା ନାହିଁ । ପୁଅର ଟୁଉସୁନ ପଇସା ବି ଦେଇନି । ମୋ ହକ ପାଉଣା ଦିଅ । ଧରମ ହବ । ତେମେ କେତେ ବଡ଼ ନୁକ । ଏମିତି ପାଟିତୁଣ୍ଡ କରନି । "

" ହଇଲୋ ହେଇ ମିଛେଇ !! ତତେ ଲାଜ ଲାଗୁନି ? ମିଛ କହୁଛୁ ? ମୁଁ କେତେବେଳେ ୨୦୦୦ ଟଙ୍କା ଦେବି ବୋଲି କହିଥିଲି ? ଚୋରଣୀ । ମାସେ କାମ କଲୁ ଯେ, ମୋ ଘରୁ କେତେକଣ ମିଳୁନି । ତାମସା ଚଲେଇଛୁ ? ତୋ ମରଦର ଜର ହେଲେ ମୁଁ କଣ କରିବି ? ତୋ ପୁଅକୁ ପାଠ ନ ପଢ଼େଇ ପାରିଲେ ତାକୁ କାମରେ ଲଗେଇ ଦେଉନୁ ? କହିଲା କଣ ନା ହକ ପାଉଣା । କି ହକ ବେ ? ଛୋଟଲୋକ ।"

" ବାବୁ ମୁହଁ ସମ୍ଭାଳି କଥାବାର୍ତ୍ତା କର । ବହୁତ କଥା କହିଲଣି । ତମ ଭଳି ଆମେ ଗରିବ ନୁକ ମିଛ କହି ଜାଣିନୁ । ତେମେ ଭାଷଣ ମାର । ତାମସା କର । ଆମେ ଦି'ଓଳି ଦି'ଗୁଣ୍ଡା ଯୋଗାଡ଼ ପାଇଁ ସାରା ଦିନ ଗଧ ଭଳି ଖଟୁ । ମୋ ପଇସା ମେତେ ଦିଅ ନହେଲେ ଭଲ ହବନି କହୁଚି ।"

"ଚୁପ୍ ବେ । ନାଲି ଆଖି ଦେଖଉଛୁ ? ମତେ ଚିହ୍ନିନୁ । ସିଧା ଭିତରକୁ ପଠେଇ ଦେବି । ଇଜ୍ଜତ ମହତର ଠିକ୍ ଠିକଣା ନାହିଁ; କୋଉଠି ନା କୋଉଠି ମୁହଁ କଳା କରି ରୋଜଗାର କରୁଥିବୁ, ମତେ ଧମକ ଦଉଚୁ ?? ଯା ବାହାର ଏଠୁ । ତୋ ସହ କଥା ହେଲେ ମୋ ସମ୍ମାନ ହାନୀ ହେବ ।"

ସେ ସ୍ତ୍ରୀ ଲୋକ ଟିକୁ ହାତରେ ପେଲି ଦେଲେ ସିଂ ବାବୁ । ସେ ପଛକୁ ଦୁଇପାଦ ଘୁଞ୍ଚି ଗଲା ।

"(ଜୋରରେ କାନ୍ଦି କାନ୍ଦି) ତୋ ହାତରେ ପୋକ ପଡ଼ିବରେ ବାଡ଼ିପୋଡ଼ା । ଅଧା ବୟସରୁ ଯିବୁ । ତୋ ବଉଁଶ ବୁଡ଼ିବ ।" କାନ୍ଦି କାନ୍ଦି ପଳେଇଲା ।

×××××

ଘର ଭିତରକୁ ଗରଗର ହୋଇ ଆସି ଆରାମ୍ ଚେୟାର୍ ଟାରେ ବସି ପଡ଼ିଲେ ସିଂ ବାବୁ । (ପତ୍ନୀ ମାଳତୀ ଦେବୀଙ୍କ ଉଦ୍ଦେଶ୍ୟରେ) "ଆରେ ଚା' ଟିକେ କଡ଼ା କରି ଆଣିଲ । ସେ ମାଇକିନା ଟା ସାଙ୍ଗରେ ବକର ବକର ହୋଇ ମୋ ମୁଣ୍ଡ ବିନ୍ଧିଲାଣି ।"

ଟି.ଭି. ଅନ୍ କରି ନିଉଜ୍ ଚ୍ୟାନେଲ ଟିକୁ ଖୋଲି ଦେଲା ବେଳକୁ ଗତ କାଲି କଲୋନୀରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଆୟୋଜିତ ସଭାରେ ନାରୀଙ୍କୁ ଶୋଷଣ ଓ ସଶକ୍ତିକରଣ ଉପରେ ତାଙ୍କ ଭାଷଣ ଦଉଛି । ପାଖରୁ ରିମୋଟ୍ ଟା ଉଠେଇ ଟି.ଭି. ର ଭଲ୍ୟୁମ୍ ଟିକେ ବଢ଼େଇ ଦେଲେ ସିଂ ବାବୁ ।

"ଆରେ ମାଳ ! ଦୌଡ଼ି ଆସ । କାଲି ଆମ କଲୋନୀରେ ମହିଳା ଦିବସ ସଭା ରେ ମୋ ଭାଷଣ ନିଉଜ୍ ରେ ଦେଖଉଛି । ଜଳଦି ଦେଖିବ ଆସ ।"

"ରୁହ ଚା' ଟା ନେଇକି ଯାଉଛି । ସବୁବେଳେ ଏମିତି ହାଉଳି ହେଲେ ମୁଁ କଣ କରିବି ?"

"ଆଗ ଆସ । ଯାହା କହୁଛି ସେୟା କର।"

ମାଳତୀ ଦେବୀ ଆସି ପାଖରେ । ହଠାତ୍ ଟି.ଭି.ରେ କମର୍ସିଆଲ୍ ବ୍ରେକ୍ । ସିଂ ବାବୁ ତର ତର ହୋଇ ମୋବାଇଲ୍ ରୁ ବାଙ୍ଗାଲୋର ରେ ଚାକିରୀ କରୁଥିବା ତାଙ୍କ ଝିଅକୁ ଫୋନ କଲେ ।

"ମା'ରେ ! କଣ କରୁଛୁ ? ଜଳଦି ଟି.ଭି. ଅନ୍ କରି ଓଡ଼ିଆ ନିଉଜ୍ ଦେଖେ । କଲୋନୀ ମହିଳା ଦିବସ ସଭାରେ ମୋ ସ୍ପୀଚ୍ ଦଉଛି । ଆଉ ଶୁଣ ! ତୋ ମୋବାଇଲ ରେ ସେଇଟା ରେକର୍ଡ଼ କରି ଫେସବୁକ୍ ରେ ଛାଡ଼ି ଦବୁ । ଆଉ ମୋତେ ହ୍ଵାଟ୍ସଆପ୍ ରେ ବି ପଠେଇଦେବୁ । ମୁଁ ସମସ୍ତଙ୍କୁ ଶେୟାର୍ କରିବି । ହଉ ରଖୁଛି । ଆରମ୍ଭ ହେଲା ।"

"ଓକେ ପାପା ।"

ସିଂ ବାବୁ ଓ ମାଳତୀ ଦେବୀ ଅପଲକ ନୟନରେ ଟି.ଭି. କୁ ଚାହିଁଥାଆନ୍ତି । ସେପଟେ ରୋଷେଇ ଘରୁ ଚା' ପୋଡ଼ି ଯିବାର ଗନ୍ଧ ସାରା ଘରେ ଖେଳେଇ ହୋଇ ଯାଇଥାଏ ।

■■■

ଫ୍ରାନସିସ୍ ଶତପଥୀ


Rate this content
Log in