Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiran Mishra

Inspirational Others

3  

Kiran Mishra

Inspirational Others

ବାର୍ ଡାନ୍ସର୍

ବାର୍ ଡାନ୍ସର୍

5 mins
3.0K


ସାଧନା ଯେଉଁ ଦିନ ମ୍ୟାଟ୍ରିକ୍ ପାଶ୍ କଲା ସେଦିନ ତା'ବାପା ସାଧାସିଧା ଶୁଣାଇ ଦେଇଥିଲେ, "ଦେଖ ଝିଅ! ତତେ ଆଉ ମୁଁ ଅଧିକ ପାଠ ପଢାଇ ପାରିବିନି । ମୁଁ ଚାଷୀ ମୂଲିଆ ଲୋକ ।  ବହୁ କଷ୍ଟରେ ଏତକ ପଢାଇଲି । ଆଉ ଅଧିକ ପଢାଇବା ଶକ୍ତି ମୋର ନାହିଁ ।

ବର୍ତ୍ତମାନ ରାଜୁ ବିଜୁଙ୍କୁ କେମିତି ଦିଅକ୍ଷର ପଢାଇବି ସେ ଚିନ୍ତା ମୋର ।

ତୁ ଘରର ବଡ଼ଝିଅ, ବରଂ ତୁ ଯଦି ସହରକୁ ଯାଇ କିଛି ଚାକିରୀ କରି ଦିପଇସା ରୋଜଗାର କରନ୍ତୁ, ତାହେଲେ ଘର ଚଳାଇବାରେ ଓ ଭାଇମାନେ ପଢିବାରେ ମତେ ସାହାଯ୍ୟ ହୁଆନ୍ତା' । ପାଠ ପଢିଵାର ବହୁତ ଇଚ୍ଛା ଥିଲେ ବି ,ଘରର ଅବସ୍ଥା ଦେଖି ସାଧନା ମନ ଦୁଃଖରେ ରହିଲା । କାରଣ ସେ ଜାଣିଛି ଗରୀବ ଘର ଝିଅର ଅଳିର କୌଣସି ମୂଲ୍ୟ ନଥାଏ ।

କିଛି ଦିନ ପରେ ଗାଁ ଝିଅ ସୁନି ସହିତ ବାପା ତାକୁ ସହରକୁ ପଠାଇ ଦେଲା ଚାକିରୀ କରିବାକୁ । ସୁନି ଗୋଟିଏ କମ୍ପାନୀରେ ଚାକିରୀ କରିଛି ବୋଲି ଗାଁରେ କହିଥାଏ । ସାଧନାର ବାପାର ଅନୁରୋଧରେ ସୁନି ସାଧନାକୁ ଛାକିରୀ କରାଇ ଦେବା ପାଇଁ ସହର ନେଇ ଗଲା । ସହରରେ ସାଧନା ଦେଖେ ସୁନି ଗୋଟିଏ ବାର୍ ରେ ଡ୍ୟାନ୍ସର ଭାବେ କାମ କରୁଛି । ସୁନି ସାଧନାକୁ ମଧ୍ୟ ସେଠାରେ ଡ୍ୟାନ୍ସର ଭାବେ ଯୋଗ ଦେବାକୁ କୁହେ । ପ୍ରଥମେ ସାଧନା ବାର୍ ରେ କାମ କରିବାକୁ ରାଜି ହେଲା ନାହିଁ । ଚାକିରୀ ପାଇଁ ଅନେକ ଅଫିସ୍ ବୁଲି ନିରାଶ ହୋଇ ଭାବିଲା ଘରକୁ ଫେରିଯିବ ବୋଲି,କିନ୍ତୁ ଆଖି ଆଗରେ ଶ୍ୱ । ସ ରୋଗରେ ପୀଡିତା ମା ଓ ସାନ ଭାଇ ଦୁଇଟିଙ୍କର ମୁହଁ ନାଚି ଗଲା । ନାଚିଗଲା ଗୋଟିଏ ଅଭାବି ପରିବାରର ଅଭାବର ଚିତ୍ର । ଶେଷରେ ସୁନି କଥାରେ ରାଜି ହୋଇ ସେଇ ବାର୍ ରେ ଡ୍ୟାନ୍ସର ଭାବେ କାମ କଲା । ଘରେ କିନ୍ତୁ ସମସ୍ତେ ଜାଣିଥାନ୍ତି କମ୍ପାନୀ ଚାକିରୀ କରିଛି ବୋଲି । ପ୍ରତ୍ୟକ ମାସରେ ଘରକୁ ପଇସା ପଠାଏ । ଯେତେ ଥର ଘରକୁ ଯାଇଛି ଭାବେ ସହରକୁ ଆଉ ଫେରିବନି ବୋଲି ,ସେତେଥର ପରିବାରର ଅଭାବ ଅନଟନ ତାକୁ ପେଲି ସହରକୁ ପଠାଇ ଦିଏ । ତା ମନର ଦୁଃଖ ବୁଝିବାକୁ କେହି ନଥାନ୍ତି କି ସେ କାହାକୁ କହି ବି ପାରେନି  ।

ଯେଉଁ ଦିନ ସାନ ଭାଇ ବିଜୁ ବି.ଏ ପାଶ୍ କଲା ସାଧନାର ଅନୁରୋଧରେ ଜଣେ ଭଦ୍ରବ୍ୟକ୍ତି ତାକୁ ଗୋଟିଏ କମ୍ପାନୀରେ ରଖାଇ ଦେବାର ପ୍ରତିଶ୍ରୁତି ଦେଲେ । ସାଧନା ଭାଇକୁ ଗାଁରୁ ଡକାଇଲା । ଭୁବନେଶ୍ୱରରେ ରହିବା ଭିତରେ ଭାଇ କିନ୍ତୁ ଜାଣିଦେଲା ଭଉଣୀ କୌଣସି କମ୍ପାନୀରେ ନୁହଁ ,ବରଂ ଗୋଟିଏ ବାର୍ ରେ ଡ୍ୟାନ୍ସର ଅଛି । ସେଦିନ ସାଧନାକୁ ଅଜୁ ଅନେକ ଭର୍ତ୍ସନା କରିଛି ।

ଭୂଲିଗଲା ସାଧନା କାହା ପାଇଁ ଘୃଣ୍ୟ କର୍ମ କଲା । ସାଧନା କିନ୍ତୁ ଭାଇକୁ ନିଜ ସପକ୍ଷରେ ପଦଟିଏ ବି କହି ପାରିଲାନି । ଭାଇ ତା' ମୁହଁ ଜୀବନରେ ଚାହିଁବନି ବୋଲି କହି ଚାଲିଗଲା । ଭାଇ ଗଲା ଦିନଠାରୁ ଗାଁରୁ ବି କେହି ଜଣେ ହେଲେ ତା'ଖବର ବୁଝିବାକୁ ଆସିଲେନି । ସାଧନା ଚିନ୍ତାକଲା ଯଦି ତା' ତ୍ୟାଗର ମୂଲ୍ୟ କେହି ବୁଝିଲେନି ତେବେ ସେମାନଙ୍କ କଥା କାହିଁକି ସେ ଭାବିବ ! ଧରିନେଲା ସେଦିନ ସେ ସଂପର୍କର ବୋଝରୁ ମୁକ୍ତ ହୋଇଗଲା । ଅନେକ କାନ୍ଦିଲା ତାପରେ ନିଜକୁ କଠୋର କରିନେଲା । ସ୍ଥିରକଲା ଏ  ସ୍ଵାର୍ଥପର ଦୁନିଆରେ ସେ ଏକା ।

× × ×

କିଛି ଦିନ ହେବ ଜଣେ ସୌମ୍ୟକାନ୍ତ ଯୁବକ ବାର୍ କୁ ନିୟମିତ ଆସୁଛନ୍ତି । ସାଧନା ଦୀର୍ଘ ଦଶ ବର୍ଷ ଭିତରେ ବାର୍ ରେ ଏମିତି ଭଦ୍ର ଯୁବକ ଦେଖିନଥିଲା ।  ଯୁବକ ଜଣକ ବାର୍ ର କୌଣସି ଯୁବତୀକୁ ଅଶ୍ଲୀଳ ଇଙ୍ଗିତ ଦେବାତ ଦୂର କଥା ଆଖି ଟେକି କାହାକୁ ଚାହାଁନ୍ତିନି ମଧ୍ୟ ।  ସାଧନାକୁ ଲାଗେ ଯୁବକଟି କୌଣସି ଦୁଃଖକୁ ଭୂଲିବା ପାଇଁ ମଦର ଆଶ୍ରୟ ନେଉଛି ।  ଦିନେ ଯୁବକଟି ଅଧିକ ମଦ୍ୟପାନ କରି ଘରକୁ ଯିବା ଅବସ୍ଥାରେ ନଥିଲା ।  ବହୁ କଷ୍ଟରେ ସାଧନା ଜଣେ ହୋଟେଲ୍ ବୟର ସହାୟତାରେ ତାକୁ ନେଇ ଘରେ ପହଞ୍ଚାଇଲା ।

ସାଧନା ଯୁବକଟି ବିଷୟରେ ଅନୁସନ୍ଧାନ କରି ଜାଣିଲା ,ଯୁବକଟିର ନା ଆକାଶ । ସେ ଜଣେ ରିଟାୟାଡ୍ ସରକାରୀ ଅଫିସର୍ ଅନିରୁଦ୍ଧ ପଟ୍ଟନାୟଙ୍କ ପୁଅ । ନିଜେ ଗୋଟିଏ ବ୍ୟାଙ୍କରେ ମଧ୍ୟ ଚାକିରୀ କରେ ।  ଆକାଶ ଛୋଟ ଥିବା ସମୟରେ ମା' ତାର ଅନ୍ୟ ଜଣେ ପୁରୁଷ ସହ ଘରୁ ଚାଲି ଯାଇଛନ୍ତି । ସେଇ କଥାଟି ତାକୁ ଗଭୀର ଭାବେ ଆଘାତ ଦେଇଛି ।  ସେହି କଳଂକିତ କଥାକୁ ଭୂଲିବା ପାଇଁ ସେ ମଦର ଆଶ୍ରୟ ନିଏ । ସେ ଦିନ ଠାରୁ କିନ୍ତୁ ଯୁବକଟି ପ୍ରତି ସାଧନାର ଅନୁରକ୍ତି ଭାବ ଆସିଛି । ଧିରେ ଧିରେ ସେ ଯୁବକଟିର ନିକଟତର ହେବାକୁ ଚେଷ୍ଟା କଲା ।  ସଧନାର କଥାରେ କ'ଣ ଏମିତି ସମ୍ମୋହନ କରିବାର ଶକ୍ତିଥିଲା ଯେ, ଯୁବକଟି ତା'ର ସବୁ କଥା ମାନି ନେଉଥିଲା ।  କ୍ରମଶଃ ଉଭୟ ଉଭୟଙ୍କୁ ଭଲପାଇ ବସିଲେ । ସାଧନାର ବାରଣ ଯୋଗୁଁ ଆକାଶ ମଧ୍ୟ ଆଉ ପିଆ ପିକରେନି  । ଦିନେ ଆକାଶ ସାଧନାକୁ ବିବାହ କରିବାକୁ ପ୍ରସ୍ତାବ ଦିଏ  । କିନ୍ତୁ ସାଧନା ଆକାଶକୁ ତା'ବାପାଙ୍କ ଠାରୁ ଅନୁମତି ଆଣି ସେମାନେ ବିବାହ କରିବା ଉଚିତ୍ ବୋଲି କହିଛି ।

ଆକାଶର ବାପାଙ୍କ ଆଗରେ ସାଧନା ବିଷୟରେ କହିଛି । ସାଧନାର ପରିଚୟ ଗୋଟିଏ ବାର୍ ଡ୍ୟାନ୍ସର ବୋଲି ଜାଣିବା ପରେ ଆକାଶର ବାପା ଚିହିଁକି ଉଠି କହିଲେ,"ନାଚବାଲି ମାନେ କେଉଁଠି ଘର ସଂସାର କରି ବାନ୍ଧି ହୋଇ ରୁହନ୍ତି ନାହିଁ ।  ସେ ଝିଅ ଏ ପରିବାରେ କେବେ ବି ବୋହୂ ହୋଇପାରିବନି ।  ତାକୁ ବୋହୂ କଲେ ଆମର ଇଜତ୍ ରହିବ ଟି! ତତେ ତାକୁ ଛଡିବାକୁ ପଡିବ ନଚେତ୍ ଏ ଘରକୁ ଛାଡିବାକୁ ପଡିଵ  । " ସାଧନା ଗୋଟିଏ ଭଲ ଝିଅ ବୋଲି ଆକାଶ ଯେତେ ବୁଝାଇଲେ ବି ତା ବାପା ମାନି ନଥିଲେ । ଜାଣିବାକୁ ଚାହିଁଲେନି କାହା ଯୋଗୁଁ ତାଙ୍କର ପୁଅ ଆଜି ମଦ ଖାଇବା ଛାଡି ବାଟକୁ ଆସିଛି । ।  ଆକାଶ ବାପାଙ୍କୁ କିଛି ନକହି ଚୁପ୍ ଚାପ୍ ଘରୂ ଚାଲି ଆସିଥିଲା ।

ସାଧନାକୁ ଆକାଶ ବାଧ୍ୟ କରିଛି ବିବାହ କରିବାକୁ ।  ଶେଷରେ ସାଧନା ଓ ଆକାଶ ବାହା ହୋଇଛନ୍ତି  ।  ଆଶୀର୍ବାଦ ନେବାକୁ ବାପାଙ୍କ ନିକଟକୁ ଯାଇଥିଲେ ମଧ୍ୟ ବାପା ଦାଣ୍ଡ ଦୁଆରୁ ଫେରାଇ ଦେଇଛନ୍ତି ।  ବାହାଘର ପରେ ସେମାନେ ଗୋଟିଏ ଘରନେଇ ରହିଛନ୍ତି ।  ଭଗବାନଙ୍କ କୃପାରୁ ଦୁଇଟି ଭାସି ଯାଉଥିବା ଜୀବନ ସଂପର୍କର ସୂତ୍ରରେ ଏକାଠି ହୋଇ ନୂତନ ଭାବେ ଜୀଇଁବାକୁ ଚେଷ୍ଟାକଲେ ।

କିଛି ଦିନ ପରେ ଆକାଶ ଘରର ଚାକର ଆସି ଆକାଶକୁ ଖବର ଦେଲା ତା' ବାପାଙ୍କ ଦେହ ବହୁତ ଖରାପ ।  ବାପାଙ୍କ ଦେହ ଖରାପ ଶୁଣି ସେ ।  ଘରକୁ ଗଲା ।  ଦେଖିଲା ଜ୍ଜରରେ ବାପା ବାଉଳି ଚାଉଳି ହେଉଛନ୍ତି ।  ଡାକ୍ତର ଦେଖି ନିମୋନିଆ ବୋଲି କହିଲେ । ବାପାଙ୍କ ସେବା କରିବା ପାଇଁ ଆକାଶ ଗୋଟିଏ ନର୍ସ ଆଣିଲା ।  ଆକାଶ ଓ ନର୍ସଟିର ସେବାରେ ଗୋଟିଏ ମାସରେ ବାପାଙ୍କର ଦେହ ଧୀରେ ଧୀରେ ଭଲହେଲା । ଦେହ ଭଲ ହେବା ପରେ ଦିନେ ନର୍ସଟି ଆକାଶର ବାପା ଓ ଆକାଶକୁ କହିଲା, "ସାର୍ ଙ୍କ ଦେହ ଭଲ ହୋଇଗଲାଣି, ଏବେ ମୋର ଆଉ କିଛି ଆସିବା ଦରକାର ନାହିଁ । ବାକି କାମ ବଳିଆ(ଚାକର) କରି ପାରିବ ।  ଏଥର ମତେ ଯିବା ପାଇଁ ଅନୁମତି ଦିଅନ୍ତୁ । " ଝିଅଟିର ଯିବା ନାଁ ଅନିରୁଦ୍ଧଙ୍କ ଆଖିରୁ ଧାର ଧାର ଲୁହ ବୋହିବାରେ ଲାଗିଲା । କାରଣ ଏଇ ମାସକ ଭିତରେ ଝିଅଟିର ଆତ୍ମିୟତାରେ ସେ କେମିତି ବାନ୍ଧି ହୋଇ ଯାଇଥିଲେ ।

ଚାକର ବଳିଆ ଆସି ବାଵୁଙ୍କ କାନରେ କ'ଣ ଚୁପ ଚୁପ କରି କହିଲା । ତା'ପରେ ଅନିରୁଦ୍ଧ ଭୋ ଭୋ କାନ୍ଦି ଝିଅଟିର ହାତ ଧରି କୋହମିଶା ସ୍ୱରରେ କହିଲେ, "ମୁଁ ସିନା ତତେ ଚିହ୍ନି ପାରିଲିନି ରେ ମା!, ତୁ କ'ଣ ମତେ କ୍ଷମା ଦେବୁନି । ବୟସରେ ମୁଁ ତୋଠୁ ବହୁତ ବଡ ସତ,କିନ୍ତୁ ବିବେକ ଓ ବୁଦ୍ଧିରେ ତୁ ମୋଠୁ ବହୁତ ଉଚ୍ଚରେ ।  ଏକଥା ସତ ପରିସ୍ଥିତି ମଣିଷକୁ ବେଳେ ବେଳେ ତଳକୁ ନେଇଯାଏ  । କିନ୍ତୁ ସୁଯୋଗ ମିଳିଲେ ସେଇମାନେ ପ୍ରମାଣିତ କରି ଦିଅନ୍ତି ସେମାନେ ଗୋଟେ ଗୋଟେ ହିରା । ତୋର ଆତ୍ମିୟତା ଓ ନିସ୍ଵାର୍ଥପର ସେବା ଆଜି ମୋ ଆଖି ଖୋଲିଦେଲା ।  ଏ ପାପୀକୁ କ୍ଷମା କରିଦେବୁ ନି ବୋହୂ!!"

ତାଙ୍କ କଥା ଶୁଣି ଆକାଶ ଓ ସାଧନା ଆଶ୍ଚର୍ଯ୍ୟ ହୋଇଗଲେ । ନର୍ସଟି ଯେ ସାଧନା ଏକଥା ସେ ଜାଣିଲେ କେମିତି!! ପ୍ରକୃତରେ ଯେଉଁଦିନ ସେମାନେ ବାହାହେଇ ଘରକୁ ଆସିଥିଲେ ସେଦିନ ଚାକର ବଳିଆ ହିଁ ସାଧନାକୁ ଦେଖିଥିଲା  । ସେଦିନ ସାଧନା ଯିବାକୁ ବାହାରିବା ସମୟରେ ଅନିରୁଦ୍ଧଙ୍କ କାନରେ ସାଧନା ତାଙ୍କ ବୋହୂ ବୋଲି କହିଥିଲା । ଶ୍ୱଶୁରଙ୍କଦେହ ଖରାପ ଶୁଣି ସାଧନା ହିଁ ନର୍ସ ହୋଇ ଆକାଶ ଘରକୁ ଆସିବାକୁ ଚାହିଁ ଥିଲା ।  ସାଧନାର ଇଚ୍ଛାକୁ ଆକାଶ ସମର୍ଥନ କରିଥିଲା ମାତ୍ର ।

ଶ୍ୱଶୁରଙ୍କ କଥାରେ ସାଧନା ମଧ୍ୟ କାନ୍ଦି ପକେଇ କହିଥିଲା । "କ୍ଷମା ମାଗି ମତେ ଛୋଟ କରି ଦିଅନ୍ତୁନି ବାପା! ।  ଆପଣ ମତେ ବୋହୂ ଭାବରେ ଗ୍ରହଣ କଲେ ସେଇଟା ମୋ ଭାଗ୍ୟ ।  ଆକାଶ ବିଵାହ କରି ମତେ ସାମାଜିକ ମର୍ଯ୍ୟଦା ଦେଇଛନ୍ତି ,ସେଥିପାଇଁ ମୁଁ ତାଙ୍କ ନିକଟରେ ଋଣୀ  । କାରଣ ସମାଜରେ ମୋ ପରି ବାର୍ ଡ୍ୟାନ୍ସରମାନେ କେବେ ସ୍ତ୍ରୀର ମର୍ଯ୍ୟଦା ପା’ନ୍ତି ନାହିଁ । ସୁଯୋଗ ମିଳିଲେ ଗୋଟିଏ ନାଚବାଲି ବି ଭଲ ବୋହୂ ହୋଇ ପାରିବ । କାରଣ ଭଲ ଝିଅଟିଏ ହେବାକୁ ଯାଇ ସେ ବାର୍ ଡ୍ୟାନ୍ସରଟିଏ ହୋଇଥାଏ ।

କିନ୍ତୁ ଖୁବ୍ କମ୍ ଝିଅଙ୍କ ଭାଗ୍ୟରେ ସେ ସୁଯୋଗ ଆସିଥାଏ । ମତେ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିଥିବାରୁ ଆପଣମାନଙ୍କ ନିକଟରେ ମୁଁ କୃତଜ୍ଞ ।  ଏ ଘର ତ ମୋ ପାଇଁ ସ୍ୱର୍ଗ ତାକୁ ଛାଡି ମୁଁ ଯିବି କୁଆଡେ !!"


Rate this content
Log in

Similar oriya story from Inspirational