Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଧଳାବୁଢ଼ା
ଧଳାବୁଢ଼ା
★★★★★

© Saswat Routroy

Fantasy Others

6 Minutes   426    15


Content Ranking

ଛୋଟ ଗୋଟିଏ ଗାଁ- ନାଁ ହରକୃଷ୍ଣପୁର! ପଚାଶ ତଳେ ଘର ସଂଖ୍ୟା। ବେଶୀଭାଗ ଲୋକ କୃଷକ। ମନଗୁଡ଼ିକ ଭାରି ସରଳ, ସହରୀୟା ଛଳ-ଚାତୁରୀ ସେମାନଙ୍କ ଭିତରେ ନାହିଁ। ନିଜ କାମ ଆଉ ପରିବାରକୁ ନେଇ ଶାନ୍ତିରେ ରୁହନ୍ତି ସବୁ ଗାଁବାସୀ।

ଗାଁ ମଝିରେ ଗୋଟିଏ ପ୍ରାଚୀନ ବାଳକୃଷ୍ଣ ମନ୍ଦିର- ତାହାର ଅବସ୍ଥା କରୁଣ। ବେଦି ଉପରେ ଛିଡ଼ା ହେଇଥିବା ବାଳକୃଷ୍ଣଙ୍କର ଛୋଟ ପଥର-ମୂର୍ତ୍ତୀଟି ଧୂଳିଧୂଷର ଆଉ ଅବହେଳିତ। ପିତଳର ବଡ଼ ପଞ୍ଚପ୍ରଦୀପଟି ଅନେକ ଦିନ ଧରି ବ୍ୟବହାର ନହୋଇ କଳା ପଡ଼ି ଯାଇଛି। ହତଶ୍ରୀ ଅବସ୍ଥାରେ ଠିଆ ହେଇ ଅସୀମ ଅମ୍ବର ଆଡ଼େ ଅନେଇ ରହିଛି ସେଇ ଅସହାୟ ମନ୍ଦିର। 

ଗାଁ ପଛପଟେ ଗୋଟେ ଧଳା ରଙ୍ଗର ନୂଆ ଦ୍ଵିତାଲା କୋଠା। ଛାତ ଉପରେ ସିଧା ଠିଆ ହେଇଥିବା କାଠର "କ୍ରୁଶ" କୋଠାର ବିଶେଷତ୍ୱ ପ୍ରମାଣ କରୁଥାଏ। ଗାଁର ସରଳ ଲୋକମାନେ ପ୍ରାୟତଃ ସେଇ କୋଠାକୁ ଯାଇ ତାହାକୁ ସରଗରମ ଆଉ ବ୍ୟସ୍ତବହୁଳ ରଖୁ ଥାନ୍ତି।

ଏଇ କୋଠାର ଗୋଟେ ଇତିହାସ ଅଛି। ୨ ବର୍ଷ ପୂର୍ବରୁ ମଧ୍ୟ ଏହି କୋଠାର ଅସ୍ତିତ୍ୱ ନ ଥଲା। ଗୋଟେ ଅକସ୍ମାତ ଘଟଣା ପରେ ଏହି କୋଠା ନିର୍ମାଣ ହେଇଛି। ଆଉ ନିୟତିର ନିଷ୍ଠୁର ଉପହାସ ଦେଖନ୍ତୁ, ଏହି କୋଠା ହେବା ପରଠୁ ମନ୍ଦିରର କରୁଣାବସ୍ଥା ଆରମ୍ଭ।

ସେଦିନ ଥିଲା ଜନ୍ମାଷ୍ଟମୀ। ଗାଁ ଲୋକମାନେ ଜନ୍ମାଷ୍ଟମୀ ପାଇଁ ସବୁ ବ୍ୟବସ୍ଥା କରିବାରେ ଲାଗିଥିଲେ। ପୁରୋହିତ କୃଷ୍ଣଙ୍କର ମୂର୍ତ୍ତୀ ସଜେଇ ବେଦି ସଜାଡୁଥିଲେ। ଗାଁର ନବଯୁବକ-ଯୁବତୀମାନେ ଝୋଟି-ଚିତା ଦେଇ ମନ୍ଦିର ସଜଉଥିଲେ ଆଗ ରାତିରୁ। ଫୁଲଫଳ ଦେଇ ପୁରା ମନ୍ଦିର ସଜ ହୋଇଥିଲା। ବଡ଼ ଜୋରସୋର କାମ ଚାଲିଛି, ସେଇ ସମୟେ ଗାଁକୁ ଆସିଲେ ଜଣେ ଅପରିଚିତ ବୃଦ୍ଧ। ଋଷିସୁଲଭ ଚେହେରା, ଗମ୍ଭୀର କଣ୍ଠସ୍ୱର, ଦେହରେ ଧଳା ବସ୍ତ୍ର। ଗାଁ ମୁହଁର ବରଗଛ ତଳେ କିଛି ବୟସ୍କ ଲୋକମାନେ ବସି କଥାବାର୍ତ୍ତା ହଉଥିଲେ।ବୃଦ୍ଧ ତାଙ୍କୁ ପଚାରିଲେ- 'ନମସ୍କାର। ମୁ ଜଣେ ପଥଯାତ୍ରୀ। ଆଜି ଦିନ ପାଇଁ ଟିକେ ଆଶ୍ରୟ ମିଳିବ କି?'

ସେଇ ଦଳ ଭିତେରେ ଗାଁ-ପ୍ରଧାନ ଥିଲେ। ସିଏ ଆସି ବୃଦ୍ଧଙ୍କୁ ଅଭ୍ୟର୍ଥନା କରି ନିଜ ଘରକୁ ନେଇ ଗଲେ। ବୃଦ୍ଧଙ୍କ ଆଦର-ଆପ୍ୟାୟନରେ ତ୍ରୁଟି ରଖିଲେ ନାହିଁ। ଆଜି ଜନ୍ମାଷ୍ଟମୀ ଦିନଟା ଗାଁରେ ରହି କାଲି ଯାତ୍ରା କରିବାକୁ ଅନୁରୋଧ କଲେ।

ଜନ୍ମାଷ୍ଟମୀ ନାଁ ଶୁଣି ବୃଦ୍ଧଙ୍କର ଭୃଯୁଗଳ ଟିକେ ବକ୍ର ହେଲା- କିନ୍ତୁ ମୁହଁରେ କିଛି କହିଲେ ନାହିଁ। ଗାଁ ପ୍ରଧାନ ଗୋଟିଏ ଛୋଟ ଘରେ ତାଙ୍କ ପାଇଁ ବିଛଣା କରି ଦେଲେ ବୃଦ୍ଧ ଟିକେ ଗଡ଼ି ପଡ଼ିଲେ।

ରାତିରେ ମନ୍ଦିରରେ ଗାଁଲୋକଙ୍କର ଭାରି ଭିଡ଼। ମହିଳା ଆଉ ଯୁବତୀ ମାନେ ମନ୍ଦିର ପାହାଚରେ ବସିଥିଲେ। ଛୋଟ ମନ୍ଦିର ଭିତରେ ସମସ୍ତଙ୍କୁ ଜାଗା ହବ ନାହିଁ, ସେଥି ପାଇଁ ପୁରୁଷମାନେ ବସିଥିଲେ ମନ୍ଦିର ପ୍ରାଙ୍ଗଣରେ ଚଟେଇ ବିଛେଇ। ପୁରୋହିତ ଯୋଗାଡ଼ଯନ୍ତ୍ର କରିବାରେ ବ୍ୟସ୍ତ ଥିଲେ।

ପୂଜା ଆରମ୍ଭ ହେବାକୁ ଆଉ କିଛି ସମୟ ବାକି ଅଛି, ହଠାତ ଗମ୍ଭୀର ସ୍ୱରରେ ଲୋକମାନେ ମନ୍ଦିର ବାହାରକୁ ଅନେଇଲେ। 

"ଗାଁବାସୀ ମାନେ, ଆପଣ ଏହି ମିଛ ଦେବତାର ଭକ୍ତି କରୁଛନ୍ତି କାହିଁକି? ଏବେ ମଧ୍ୟ ସମୟ ଅଛି। ତାକୁ ତ୍ୟାଗ କରି ଶ୍ରେଷ୍ଠ ଆଉ ଅସଲ ଦେବତାଙ୍କର ଚରଣତଳକୁ ଆସନ୍ତୁ!"

ଲୋକମାନଙ୍କ ମଧ୍ୟରେ ଗୁଣୁଗୁଣୁ ଆରମ୍ଭ ହେଲା। କିଛି କିଛି ଲୋକଙ୍କ ମୁହଁରେ ରୋଷ ସ୍ପଷ୍ଟ ବାରିହୋଇ ପଡ଼ୁଛି। ପୁରୋହିତ ଗମ୍ଭୀର ଆଉ ଉଚ୍ଚସ୍ୱରରେ ପଚାରିଲେ- "ତୁମେ କିଏ ହେ? ଆଉ ଜନ୍ମାଷ୍ଟମୀ ପୂଜା ଆରମ୍ଭ ପୂର୍ବରୁ ଏମିତି କଣ ନିକୃଷ୍ଟ କଥା କହୁଛ? 

"ମୁଁ ଅସଲ ଭଗବାନଙ୍କର ପ୍ରଚାରକ। ଯାହାକୁ ତୁମେ କୃଷ୍ଣ କହୁଛ, ଯୋଉଟାକୁ ତୁମେ ଧର୍ମ କହୁଛ, ସେଗୁଡ଼ିକ ସବୁ ମିଛ। ମୁ ପ୍ରମାଣ କରି ଦେବି, ମୋର ଭଗବାନ ସତ ଆଉ ତମ ଭଗବାନ ମିଛ।"

"ଆରେ ପାପୀ, ତୁମେ କଣ ସବୁ ଅଧର୍ମର କଥା କହୁଛ? ଆଚ୍ଛା ହଉ, ପ୍ରମାଣ କର ଆମ ଦେବତା ମିଛ"- ଗର୍ଜି କହିଲେ ପୁରୋହିତ।

ଧୂର୍ତ ବୃଦ୍ଧର ମୁହଁରେ ହସ ଫୁଟିଲା- "ଠିକ ଅଛି। ଦିଇଟା ବାଲ୍ଟି ପାଣି ଭର୍ତ୍ତି କରି ଆଣ। ଆଉ କୃଷ୍ଣମୂର୍ତ୍ତୀଟି ମଧ୍ୟ ନେଇ ଆସ!"

ବାଲ୍ଟି ଆଉ ମୂର୍ତ୍ତୀ ଆସିଲା। ବୃଦ୍ଧ କୃଷ୍ଣମୂର୍ତ୍ତୀ ବାଲ୍ଟିରେ ପକେଇଲେ। ପଥର ମୂର୍ତ୍ତୀ ବୁଡ଼ି ଗଲା। ବୃଦ୍ଧ ଗୋଟେ କାଠର କ୍ରୁଶ ପାଣିରେ ପକେଇଲେ କ୍ରୁଶ ବୁଡ଼ିଲାନି।

"ଦେଖୁଛ ଗାଁବାସୀ, ତୁମ ମିଛ ଦେବତା ବୁଡ଼ି ଗଲା। ମୋ ଅସଲ ଭଗବାନ ପାଣିରେ ଭାସୁଛନ୍ତି। ଏବେ ମଧ୍ୟ ସମୟ ଅଛି। ଅସଲ ଦେବତାଙ୍କ ଚରଣତଳକୁ ଆସ। ସିଏ ତୁମମାନଙ୍କୁ କ୍ଷମା କରି ଦେବେ"

ସେଇ ଦିନଠୁ ଗାଁର ପରିବର୍ତ୍ତନ ହେଇ ଗଲା। ଗାଁ ପଛପଟେ ଧଳା ରଙ୍ଗର ନୂଆ ଦ୍ଵିତାଲା କୋଠା ବନେଇ ତା ଭିତରେ ବେଦି ବନେଇଲେ ଲୋକମାନେ। କାଠର କ୍ରୁଶ ଆଉ ଯୀଶୁମୂର୍ତ୍ତୀ ପ୍ରତିଷ୍ଠା କଲେ ସେଇ ଆଗନ୍ତୁକ। ମନ୍ଦିର ଛାଡ଼ି, କୃଷ୍ଣଙ୍କୁ ଭୁଲି ଲୋକମାନେ ଆଗନ୍ତୁକ ବୃଦ୍ଧ ପାଖରେ ନୂଆ ଧର୍ମର ଦୀକ୍ଷା ନେଲେ। ତାଙ୍କୁ ଶ୍ରଦ୍ଧାର ନଜରରେ ଦେଖିବାକୁ ଲାଗିଲେ, ତାଙ୍କ ନାଁ ରହିଗଲା "ଧଳାବୁଢ଼ା"! ଗାଁର ସରଳ ଲୋକମାନେ ତାଙ୍କୁ ନିତିଦିନ ରନ୍ଧନ ଖାଦ୍ୟ, କଞ୍ଚା ପରିବା, ଚାଉଳ, ଇତ୍ୟାଦି ଦେବାକୁ ଲାଗିଲେ। ଗାଁର ରୀତିନୀତି, ସଂସ୍କାର, ଇତ୍ୟାଦି ସବୁ ବଦଳି ଗଲା। ଧୀରେ ଧୀରେ ମନ୍ଦିରର ଅବସ୍ଥା ଆଜି ଏମିତି ହେଇ ଯାଇଛି। ଯୋଉ ମନ୍ଦିର ଅତୀତରେ ଭକ୍ତ ସମାଗମରୁ ପ୍ରାଣୋଜ୍ଜ୍ୱଳ ଥିଲା, ଆଜି ତାହା ଭକ୍ତହୀନ ହେଇ ଖାଁ ଖାଁ କରୁଛି।

କିନ୍ତୁ ଦିନେ, ହଠାତ କିଛି ଘଟିଲା!

ଧଳାବୁଢ଼ା ଆସିବାର ପ୍ରାୟ ୩ ବର୍ଷ ପରର ଘଟଣା। ଦିନେ ଜଣେ ବୁଢ଼ା ମଣିଷ ଆସିଲେ ଗାଁକୁ। ବସ୍ତ୍ରରୁ ଲାଗୁଥିଲେ ଜଣେ ସାଧୁ ଅଥବା ବୈରାଗୀ ପରିକା, ସାଙ୍ଗରେ ଥିଲା ଗୋଟିଏ ଶତ-ତାଳି ପଡ଼ିଥିବା ପୁଟୁଳି। ଗାଁ ମୁହଁରେ ଥିବା ଶତାଧିକ ବର୍ଷର ବରଗଛ ତଳେ ନିଜ ଡେରା ବନେଇଲେ। ଗାଁରେ ବୁଲି ସାମାନ୍ୟ ଟିକେ ଯାହା ଭିକ୍ଷା ପାଉଥାନ୍ତି, ସେଥିରେ ଦିନ ବିତେଇ ଦିଅନ୍ତି ନିଶ୍ଚିନ୍ତ ହେଇ। 

ପ୍ରଥମ ପ୍ରଥମ ଗାଁର ସାଧାରଣ ଲୋକମାନେ ଟିକେ କୌତୁହଳ ଦେଖଉଥିଲେ। ଗାଁର ଯୁବକ ଓ ବୟସ୍କ ଲୋକ ପାଖରେ ସିଏ ଥିଲେ ଜଣେ ଆଲୋଚ୍ୟ ବିଷୟବସ୍ତୁ। ନବଯୁବକ ମାନେ ତାଙ୍କୁ ନେଇ କଳ୍ପନାମିଶ୍ରିତ ନୂଆ ନୂଆ ତଥ୍ୟ ଆବିଷ୍କାର କରୁଥିଲେ। ସ୍ତ୍ରୀଲୋକମାନେ ଅଚିହ୍ନା ଲୋକ ପରିକା ତାଙ୍କଠୁ ଦୂରତ୍ୱ ରଖିବା ଠିକ ମନେ କରିଲେ। ବ୍ୟତିକ୍ରମ ଥିଲେ ପିଲାମାନେ। ନୂଆ ଅଜା ପାଇ ସେମାନେ ତାଙ୍କୁ ଘେରି ବସି ନୂଆ ନୂଆ ଗପ କହିବା ପାଇଁ ଦାବି ଜଣାନ୍ତି। ଧୀରେ ଧୀରେ ଗାଁବାସୀ ପାଖରେ ଦେହସୁହା ହେଇ ଗଲେ ବୈରାଗୀ। ତାଙ୍କ ନାଁ ରହିଗଲା "ନୂଆଅଜା"। କିଛିଦିନ ଭିତରେ ବୈରାଗୀ ଗାଁର ଚାଲିଚଳନ କିଛି କିଛି ଜାଣି ପାରିଲେ।

ସେଦିନ ଥିଲା ଗୁରୁବାର! ନିଦରୁ ଜଲଦି ଉଠି ବୈରାଗୀ ପ୍ରାତଃକାର୍ଯ୍ୟ ସାରି ଧ୍ୟାନକର୍ମରେ ବସିଲେ। ଧ୍ୟାନକର୍ମ ସରିଲେ ସାମାନ୍ୟ ଟିକେ ଫଳାହାର କରି ଯାଇ ବସିଲେ ଗାଁ-ମନ୍ଦିରରେ। ଗୋଟିଏ ଚିନ୍ତା ତାଙ୍କ ମୁଣ୍ଡରେ ବାରଂବାର ଆସୁଥାଏ।

ଟିକେ ସମୟ ପରେ ପ୍ରହ୍ଲାଦ ନାଁର ଗୋଟେ ଟୋକାକୁ ବାଟରେ ଦେଖିଲେ- ବୁଲି ବୁଲି ସେ ଦାନ୍ତ ଘଷୁଥାଏ। ବୈରାଗୀ ଭାବିଲେ, ତାକୁ ହିଁ ପ୍ରଶ୍ନଟି ପଚାରିବେ ଯୋଉଟା ତାଙ୍କ ମନରେ ଏତେଦିନ ଧରି ରହିଛି।

"ଆରେ ପିଲା, ନିଦ ଭାଙ୍ଗିଲା?" 

"ହଁ ନୂଆଅଜା, ଏଇ ଟିକେ ଆଗରେ ନିଦରୁ ଉଠିଲି", ଦାନ୍ତ ଘଷି ଘଷି ଜବାବ ଦେଲା ପ୍ରହ୍ଲାଦ।

"ପୁଅ, ଗାଁର ଚାଲି-ଚଳନ କଣ ଟିକେ କହିଲୁ? ଆଜି ଗୁରୁବାରଟା କାହାକୁ ଦେଖୁନି ମନ୍ଦିର ଯିବାର। ସ୍ତ୍ରୀଲୋକମାନେ ଘର-ଦ୍ୱାରରେ ଝୋଟିଚିତା ଦଉ ନାହାନ୍ତି। ଆସିବା ପରଠୁ ଦେଖୁଛି ମନ୍ଦିରଟି ହତଶ୍ରୀ ହେଇ ପଡ଼ି ରହିଛି। ବାଳଗୋପାଳ ଧୂଳିରେ ବୁଡ଼ି ରହିଛନ୍ତି। ତୁମେ ମାନେ କଣ ଦେବତା ଧର୍ମ କିଛି ମାନୁନ କି?"- ବୈରାଗୀ ନିଜ ମନ କଥାଟା କହିଲେ।

"ଅଜା, ଆମେ ମାନେ ଏଇ ମିଛ ଦେବତା ଆଉ ନକଲ ଧର୍ମକୁ ମାନୁନୁ! ଧଳାବୁଢ଼ା ଆମକୁ ସତ୍ୟ ଧର୍ମ ସହିତ ପରିଚୟ କରେଇଛନ୍ତି।"- ଦାନ୍ତ ଦେଖେଇ ପ୍ରହ୍ଲାଦ କହିଲା।

"ଧଳାବୁଢ଼ା! ସିଏ କିଏ?"- ବୈରାଗୀର ଏଇନେ ବିସ୍ମିତ ହବାର ପାଳି।

"ଗାଁ ପଛପଟେ ସେଇ କୋଠାଟି ଦେଖିନ କି? ଧଳାବୁଢ଼ା ସେଠି ରୁହନ୍ତି। ତିନି ବର୍ଷ ପୂର୍ବରୁ ଏଇ ଗାଁକୁ ଆସିଥିଲେ। ସିଏ ହିଁ ଆମକୁ ଏଇ ମିଛ ଧର୍ମରୁ ମୁକ୍ତି ଦେଇଛନ୍ତି!"- ପ୍ରହ୍ଲାଦ ପୁରା ଇତିହାସ ସବିସ୍ତୃତ କହିଲା। ବ୍ୟାଖ୍ୟାନ ଶେଷ ହେବାରୁ ବୈରାଗୀ ମନ ଭିତରେ ଗୋଟେ ସିଦ୍ଧାନ୍ତ ନେଲେ।

ପରଦିନ "ବଡ଼ଦିନ"। ପୁରା ଗାଁ ଧଳା କୋଠାରେ ଭିଡ଼ କରି ତଳେ ବସିଛନ୍ତି। ଧଳାବୁଢ଼ା ମହମବତୀ ଜଳଉଛନ୍ତି, ଟିକେ ପରେ ହିଁ "ବଡ଼ଦିନ"ର ପ୍ରାର୍ଥନା ଆରମ୍ଭ ହବ। ଧଳାବୁଢ଼ା ସବୁ ମହମବତୀ ଜଳେଇ ବେଦି ପାଖରେ ଯାଇ ପ୍ରାର୍ଥନା ଆରମ୍ଭ କରିବେ, ଏମିତି ସମୟରେ-

ଗୋଟେ ଗୁରୁଗମ୍ଭୀର କଣ୍ଠସ୍ୱରରେ କିଏ କହିଲା-"ରହି ଯାଅ!"

ସମସ୍ତେ ମୁହଁ ବୁଲେଇ ଦେଖିଲେ କବାଟ ପାଖରେ ବୈରାଗୀ। ତାଙ୍କ ମୁଖମଣ୍ଡଳ ଗମ୍ଭୀର, ଆଖିରେ କ୍ରୋଧ।

ପୁଣି ବୈରାଗୀର କଣ୍ଠସ୍ୱର ଶୁଣା ଗଲା- "ହେ ପାପୀ, ସରଳ ଗାଁ ବାସୀଙ୍କୁ ମିଛ ଧର୍ମର ଅନୁଗାମୀ ହବାକୁ କହୁଛ? ତୁମକୁ ଲାଜ ଲାଗୁନି?"

"ଖବରଦାର! ମୁହଁ ସମ୍ଭାଳି କଥା କୁହ। ଏମାନେ ନକଲି ଦେବତାକୁ ପୂଜା କରୁଥିଲେ। ମୁଁ ଆସି ଏମାନଙ୍କୁ ଅସଲ ଭଗବାନଙ୍କୁ ପୂଜା କରିବାକୁ କହିଛି। ତୁମେ ପୁଣି ଏମାନଙ୍କୁ ସେଇ ଅଧର୍ମକୁ ମାନିବାକୁ କହୁଛ? ମୋ ଦେବତାର କ୍ରୋଧକୁ ଡର!"-କ୍ରୋଧିତ ସ୍ୱରରେ କହିଲେ ଧଳାବୁଢ଼ା!

"ମୋର ଦେବତା ମିଛ ନୁହେଁ, ତୁମ ଦେବତା ମିଛ। ତୁମ ଦେବତାର ତ ଅସ୍ତିତ୍ୱ ମଧ୍ୟ ନାହିଁ"- ବ୍ୟଙ୍ଗାତ୍ମକ ହସରେ ମୁଖର ହେଲେ ବୈରାଗୀ।

ମନେ ହେଲା ନିଆଁରେ କିଏ ଘିଅ ଢାଳି ଦେଲା। କ୍ରୋଧରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଥରୁ ଥାନ୍ତି ଧଳାବୁଢ଼ା। ତାଙ୍କ ଅହଂକୁ ଜଣେ ଆଘାତ କରିଥିଲା ଆଜି। ସମସ୍ତ ଗାଁଲୋକଙ୍କ ସାମନାରେ ତାଙ୍କ ଭଗବାନଙ୍କର କେହି ଉପହାସ କରୁଥିଲା।

"କ୍ଷମତା ଥିଲେ ପ୍ରମାଣ କର ମୋ ଭଗବାନଙ୍କର ଅସ୍ତିତ୍ୱ ନାହିଁ। ଯଦି ନ ପାରିବ, ମୋ ପାଦରେ ତୁମେ ନାକ ରଗଡ଼ିବ।"

ବୈରାଗୀ ଏହା ହିଁ ଚାହୁଁଥିଲେ। ଗାଁ ପ୍ରଧାନଙ୍କୁ ଦେଖି ହାତ ଯୋଡ଼ି କହିଲେ- "ମାନ୍ୟବର, ଆପଣ କଣ କହୁଛନ୍ତି? ଯଦି ପ୍ରମାଣ କରି ଦେବି ଯେ ୟାଙ୍କ ଭଗବାନ ମିଛ, ଆପଣ ସମସ୍ତେ ପୁରୁଣା ଧର୍ମକୁ ଫେରିବେ ନା ନାହିଁ?"

ପ୍ରଧାନ ଇତିବାଚକ ମୁଣ୍ଡ ହଲେଇଲେ- "ଯୋଉ ଧର୍ମ ସତ୍ୟ ପ୍ରମାଣିତ ହବ, ଆମେ ସମସ୍ତେ ସେଇ ଧର୍ମକୁ ଗ୍ରହଣ କରିବା"

ବୈରାଗୀ ହସିଲେ- "ଚାଲନ୍ତୁ, ସମସ୍ତେ ବରଗଛ ପାଖ ଚାଲନ୍ତୁ। ବାପା ପ୍ରହ୍ଲାଦ, ଟିକେ ଶୁଣ ରେ ବାପା"

ପ୍ରହ୍ଲାଦ ପାଖକୁ ଆସିଲେ ବୈରାଗୀ ତା କାନରେ ଫିସଫିସ କରି କିଛି କହିଲେ। ନିର୍ଦ୍ଦେଶ ଦେବା ଶେଷ ହେବାରୁ ସମସ୍ତଙ୍କୁ ନେଇ  ପହଞ୍ଚିଲେ ବରଗଛ ତଳେ। ଏହା ଭିତରେ ପ୍ରହ୍ଲାଦ ଗୋଟେ କୋଇଲା ଚୁଲି ନେଇ ସେଠି ପହଞ୍ଚି ଯାଇଛି।

ବୈରାଗୀ ଧଳାବୁଢ଼ା ହାତରୁ ତାଙ୍କ କ୍ରୁଶଟି ନେଇ ଚୁଲି ଭିତରେ ପକେଇଲେ। କାଠ କ୍ରୁଶ ନିଆଁରେ ପୋଡ଼ି ଭସ୍ମ ହେଇ ଗଲା। ତାହା ପରେ ସିଏ କୃଷ୍ଣମୂର୍ତ୍ତୀ ନେଇ ନିଆଁରେ ପକେଇଲେ। ପଥରମୂର୍ତ୍ତୀ କଳା ପଡ଼ିବା ଛଡ଼ା ଆଉ କିଛି କ୍ଷତି ହେଲାନି।

"ଦେଖୁଛ ଗାଁବାସୀ। ମିଛ ଭଗବାନ ଅଗ୍ନିପରୀକ୍ଷାରେ ଭସ୍ମୀଭୂତ ହେଇ ଗଲେ, ନିଜ ଅସ୍ତିତ୍ୱ ହଜେଇ ପକେଇଲେ। ତୁମ ଅସଲ ଭଗବାନଙ୍କର ଅଗ୍ନିପରୀକ୍ଷାରେ କିଛି କ୍ଷତି ହେଲାନି। ଏଇନେ ବୁଝିଲ କିଏ ଅସଲ ଆଉ କିଏ ନକଲ?"

ଧଳାବୁଢ଼ାର କିଛି କହିବାର ରହିଲାନି। ସିଏ ତା ନିଜ ଚାତୁରୀରେ ଆଜି ଧରାଶାୟୀ। ସିଏ ମୁଣ୍ଡ ପାତି ଚୁପଚାପ ଗାଁ ତ୍ୟାଗ କଲା। ଗାଁ ଲୋକମାନେ ପୁଣି ତାଙ୍କ ନିଜ ଧର୍ମକୁ ଫେରି ଆସିଲେ। ବାଳକୃଷ୍ଣଙ୍କର ମନ୍ଦିର ପୁଣି ଭକ୍ତ ସମାଗମରେ ପ୍ରାଣବନ୍ତ ହୋଇ ଉଠିଲା।

ନିଜ କର୍ତ୍ତବ୍ୟ ଶେଷ କରି ବୈରାଗୀ ପୁଣି ତାଙ୍କ ଦୀର୍ଘ ଯାତ୍ରାରେ ବାହାରିଲେ। ପୃଥିବୀରେ ଅସଂଖ୍ୟ ସରଳ ମଣିଷ ଅଛନ୍ତି ଯାଙ୍କୁ ମାର୍ଗଦର୍ଶନ ଦରକାର।

ହରକୃଷ୍ଣପୁର କୃଷକ ବାଳକୃଷ୍ଣ

Rate the content


Originality
Flow
Language
Cover design

Comments

Post

Some text some message..