Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krupasindhu Mishra

Thriller

1.0  

Krupasindhu Mishra

Thriller

ପାଞ୍ଚାଳୀ ପ୍ରସଂଗ

ପାଞ୍ଚାଳୀ ପ୍ରସଂଗ

6 mins
15K


ପାଞ୍ଚାଳୀ ପ୍ରସଂଗ

          ଲାଖ ବିନ୍ଧା ପରେ ପ୍ରତିରୋଧ କରୁଥିବା ରାଜାମାନଙ୍କୁ ହରାଇ ଦ୍ରୗପଦୀଙ୍କୁ ନେଇ ପାଣ୍ଡବ ପାଞ୍ଚଭାଇ କୁମ୍ଭାରଶାଳରେ ପହଞ୍ଚିବାବେଳକୁ ଅର୍ଦ୍ଧରାତ୍ରିର ଅନ୍ଧକାର । କବାଟ ବାଡେଇ ଡାକିବାରୁ କୁନ୍ତୀ ପ୍ରଶ୍ନ କଲେ, "ଆଜି କ'ଣ କ'ଣ ପାଇଲ ?" ଭୀମ ଉତ୍ତର ଦେଲେ, "ଏକ ଅପୂର୍ବ ଫଳ" କୁନ୍ତୀ କହିଲେ, "ଯାହାବି ଆଣିଛ ପାଞ୍ଚଭାଇ ବାଣ୍ଟିକରି ଭୋଗ କର ।" ସେମାନେ “ଲାଖ ବିନ୍ଧି ଦୃପଦ ରାଜନନ୍ଦିନୀ ପାଞ୍ଚାଳୀଙ୍କୁ ଆଣିଛୁଁ, କେମିତି ପାଞ୍ଚଭାଇ ବାଣ୍ଟିବୁଁ ?“ ବୋଲି କହିଲେ । କିନ୍ତୁ କୁନ୍ତୀ ନିଜ ମତରେ ଅଟଳ ରହିଲେ । ସେ କହିଲେ, ପାଞ୍ଚଭାଇ ପାଞ୍ଚାଳୀକୁ ପତ୍ନୀ ରୂପେ ଗ୍ରହଣ କରିବ ।   ଏବେ ରାତ୍ରିର ବାକି ଅଂଶ ଶୋଇବାର ଥିଲା । କେଶିନୀ ନବରକୁ ଯିବାପାଇଁ ଆଜ୍ଞା ନେଇ ଚାଲିଗଲା । ସେଠାରେ ପଡିଥିବା ପାଉଁଶ ଉପରେ କୁନ୍ତୀ, ତାଙ୍କ ପାଦତଳେ ଯୁଧିଷ୍ଠିର, ତାଙ୍କ ପାଦତଳେ ଚାରିଭାଇ ଶୋଇଲେ । ତାଙ୍କ ପାଦତଳେ ଦ୍ରୌପଦୀଙ୍କୁ ଶୋଇବାକୁ କହିବାରୁ ସେ ପ୍ରଥମେ ଟିକିଏ କୁଣ୍ଠିତ ହେଉଥିଲେ କିନ୍ତୁ ଭୀମଙ୍କ କ୍ରୁଦ୍ଧ ଦୃଷ୍ଟିକୁ ଡରି ଶୋଇପଡିଲେ । 

          ବାସ୍ତବରେ ସେ କୁମ୍ଭାର ଶାଳ । ଇନ୍ଦ୍ରଙ୍କ ଆଜ୍ଞା  ଅନୁସାରେ ବିଦ୍ୟାଧର ଓ ରିଷିତା ନାମରେ ଏକ ଗନ୍ଧର୍ବ ଦମ୍ପତି ସ୍ୱର୍ଗପୁରୀର ଅନ୍ତରୀକ୍ଷପୁର ନାମକ ଅଂଶକୁ ଆଣି ସେଠାରେ ସ୍ଥାପନ କରିଥିଲେ । ସେ ଗୃହ ଅନ୍ୟମାନଙ୍କୁ କୁମ୍ଭାର ଶାଳ ଭଳି ଦେଖା ହେଉଥିଲା । ସେଠାରେ ପଡିଥିବା ପାଉଁଶ ପ୍ରକୃତରେ କର୍ପୁର ରତ୍ନ ମୁକୁତାର ଚୁର୍ଣ୍ଣର ଏକ ବହଳ ପରସ୍ତ ଥିଲା । ଲାଖବିନ୍ଧା ଘୋଷଣା ପରେପରେ ହିଁ ଦେବରାଜ ପାଣ୍ଡବମାନଙ୍କର ରହିବାପାଇଁ ଏଭଳି ବ୍ୟବସ୍ଥା କରିଥିଲେ । ଅସୁରମାନଙ୍କୁ ମାରି ଅମରପୁରୀକୁ ନିଷ୍କଣ୍ଟକ କରିବାର ପ୍ରତିଦାନରେ ତାଙ୍କର ସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରିବା ତାଙ୍କର କର୍ତ୍ତବ୍ୟ ବୋଲି ସେ ବୁଝୁଥିଲେ । ଏଣେ ପାଞ୍ଚାଳ ରାଜଭବନରେ ପାଞ୍ଚାଳୀଙ୍କ ଅପହରଣ ହୋଇ ଯାଇଥିବ ଭାବି ସମସ୍ତେ ଦୁଶ୍ଚିନ୍ତାରେ ବୁଡି ଯାଇଥାଆନ୍ତି । ରାଜା ଦ୍ରୁପଦ ଓ ରାଣୀ ପଦ୍ମାବତୀ କନ୍ୟାର ବିପଦ ଚିନ୍ତା କରି ଅଶ୍ରୁପାତ କରୁଥାନ୍ତି । ଯୁଦ୍ଧ ସରିଗଲାଣି ବୋଲି ଶୁଣିବାପରେ ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ କିଛି ଲୋକଙ୍କ ହାତରେ ନିଆଁ ହୁଳା ଧରାଇ ଖୋଜିବାକୁ ବାହାରିଲେ । ଖୋଜିଖୋଜି ଶିଖଣ୍ଡୀ କୁମ୍ଭାରଶାଳ ଯାଏଁ ଯାଇଥିଲେ । ଦେଖିଲେ, ବିଶାଳକାୟ ଏକ ଅସୁର ସାଙ୍ଗରେ କିଛି ଲୋକ ଶୋଇଛନ୍ତି । ସେ ଅସୁରର ନିଃଶ୍ୱାସ ପ୍ରଶ୍ୱାସରେ ଘରର ଚାଳ ଉଠୁଛି ଓ ପଡୁଛି । ସେ ଡରେ ଫେରି ଆସିଲେ ।  ତା'ପରେ କେଶିନୀ ଯାଇ ସବୁକଥା କହିଲାରୁ ଦୁଇଭାଇ ଆଉଥରେ କୁମ୍ଭାର ଶାଳକୁ ଗଲେ । ଶିଖଣ୍ଡୀ ଡରେ ଭିତରକୁ ଯାଉ ନଥାନ୍ତି । କିନ୍ତୁ କେଶିନୀ ତାଙ୍କୁ ଭିତରକୁ ନେଇ ସମସ୍ତଙ୍କୁ ଦେଖାଇବାରୁ ଧୃଷ୍ଟଦ୍ୟୁମ୍ନ କ୍ରୋଧରେ କମ୍ପିଲେ ଯେ, ତାଙ୍କର ସୁକୁମାରୀ ଅଲିଅଳୀ ଭଉଣୀ ପାଉଁଶ ଗଦାରେ ଶୋଇଛି । କିନ୍ତୁ କେଶିନୀ ତାଙ୍କୁ ବୁଝାସୁଝା କରି ଦ୍ରୁପଦଙ୍କୁ ଆଣି ଆସିବା ପାଇଁ ନବରକୁ ଫେରାଇ ଆଣିଲା ।

          ରାଜା ଦ୍ରୁପଦ ସବୁ ଶୁଣି ଭାବିଲେ, ମୋ ଝିଅକୁ ଆଉ କିଏ ହୋଇଥିଲେ ମୁଣ୍ଡରେ ବସାଇଥାଆନ୍ତା, ଏମାନେ କେତେ ସମର୍ଥ ହୋଇଥିବେ ଯେ ୟାଙ୍କ ପାଦତଳେ ମୋ ଝିଅ ଶୋଇଛି ! ନିଶ୍ଚୟ ୟା ମଧ୍ୟରେ କିଛି ରହସ୍ୟ ଅଛି । ସେ ନିଜେ ଆସିଲେ, ପାତ୍ରମନ୍ତ୍ରୀଂକୁ   ଧରି । ଚକ୍ରୀ କରୁଣାକର ଓ ତାଙ୍କର ପତ୍ନୀ କୁନ୍ତୀଙ୍କୁ ଉଠାଇ 'ରାଜା ତାଙ୍କ ଦ୍ୱାରକୁ ଆସିଛନ୍ତି' ବୋଲି କହିଲେ । ପତ୍ନୀ ରିଷିତା ଦ୍ରୌପଦୀଙ୍କୁ ସୁବାସିତ ଜଳରେ ସ୍ନାନ କରାଇ ପ୍ରସାଧନ କରାଇଦେଲେ । ଯୁଧିଷ୍ଠିର କୃଷ୍ଣ ବଳରାମ ଓ ବ୍ୟାସଙ୍କୁ ସ୍ମରଣ କଲେ । ସେମାନେ ଆସିବାରୁ ସସ୍ତ୍ରୀକ  ଦେବତାମାନେ ଓ ସବୁ ପ୍ରସିଦ୍ଧ ମୁନିଋଷି ଓ ଧୌମ୍ୟ ପୁରୋହିତ ଆଦି ଆସି ପହଁଚିଲେ । ଦ୍ରୁପଦ ବାହାରୁଥାଇ ଡ଼ାକୁଥାନ୍ତି, "ଲାଖବିନ୍ଧା ପଣ୍ଡା କିଏ ଆସ, ମୁଁ ମୋ କନ୍ୟାଦାନ ପାଇଁ ତୁମକୁ ବରଣ କରିବାକୁ ଆସିଛି ।" ବାରମ୍ବାର ଡାକିବାପରେ ପାଞ୍ଚଜଣଯାକ ହାତ ଧରାଧରି ହୋଇ ବାହାରିଲେ । ଦ୍ରୁପଦ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । କୃଷ୍ଣ ବଳରାମ ଓ ବ୍ୟାସ ଆଦି ଅଦୃଶ୍ୟ ଭାବରେ ଥାନ୍ତି ।ମାତା କୁନ୍ତୀ ପାଞ୍ଚ ଭାଇଯାକ ଦ୍ରୌପଦୀଙ୍କୁ ବିବାହ କରିବେ ବୋଲି କହିବାରୁ ଦ୍ରୁପଦ ବିସ୍ମୟ ପ୍ରକାଶ କଲେ । ସେ କହିଲେ, “ଏହା କିପରି ସମ୍ଭବ ହେବ ?” ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ ମଧ୍ୟ ଏ କଥାରେ କ୍ରୋଧ ପ୍ରକାଶ କରି "ଏହା ଅସମ୍ଭବ" ବୋଲି କହିଲେ । କିନ୍ତୁ ଯୁଧିଷ୍ଠିର ମାତୃ ଆଦେଶ ଆମେ ଲଙ୍ଘି ପାରିବୁନାହିଁ ବୋଲି କହିବାରୁ, ଦ୍ରୁପଦ ତାଙ୍କୁ ଦରିଦ୍ର ବ୍ରାହ୍ମଣ ଭାବି କଟୁ ବାକ୍ୟ ପ୍ରୟୋଗ କରିବାକୁ ଆରମ୍ଭ କଲେ । ଏହା ଦେଖି ବାସୁଦେବ ବ୍ୟାସଙ୍କୁ କହିଲେ, "ଆପଣ ଏବେ ପ୍ରକଟ ହୋଇ ସମସ୍ୟାର ସମାଧାନ କରନ୍ତୁ, ନହେଲେ ଅଚିରେ ବୀର ଭୀମସେନର କ୍ରୋଧ ଯେ କୌଣସି ଦୁର୍ଘଟଣା ଘଟାଇ ପାରେ ।" ଋଷି ବ୍ୟାସଙ୍କୁ ଦେଖି ଦ୍ରୁପଦ ତାଙ୍କୁ ଯଥାବିଧି ସମ୍ମାନ କଲେ ଓ ଉପସ୍ଥିତ ସମସ୍ୟା ବିଷୟରେ କହିଲେ । ସେ କହିଲେ, "ଆପଣ ନିଜେ ତାକୁ ଯଜ୍ଞରୁ ଜାତ କରାଇଛନ୍ତି । ମହାଦେବଙ୍କର ଅନୁଗ୍ରହରୁ ଜନ୍ମ ମୋର ଏହି ଅଲିଅଳୀ କନ୍ୟାର ଭାଗ୍ୟରେ କ'ଣ ଏଇଆ ଲେଖା ଥିଲା ?" ବ୍ୟାସ ଦ୍ରୁପଦଙ୍କୁ ପ୍ରବୋଧନା ଦେଇ ଧୈର୍ଯ୍ୟ ଧରିବାକୁ କହିଲେ । ସେ କହିଲେ, ”ଏହି ବିବାହ ସହିତ ପାଞ୍ଚାଳୀର ପୂର୍ବ ଜନ୍ମର ସମ୍ପର୍କ ଅଛି । କହୁଛି ଶୁଣ, ତୁମର ସଂଶୟ ଦୂର ହୋଇ ବ୍ୟସ୍ତତା ଅପସରି ଯିବ । ଦଧିଚୀଙ୍କ ଅସ୍ଥିରେ ବଜ୍ର ତିଆରି ହେଲା । ତାହା ପ୍ରୟୋଗ କରି ତତ୍କାଳୀନ ଇନ୍ଦ୍ର ‘ଅସ୍କନ୍ଦ’, ବୃତ୍ରକୁ ମାରିଦେଲେ । ବୃତ୍ରର ପିତା କୃଷ୍ଣାଙ୍କୁର ଋଷି, ଦେବର୍ଷି ନାରଦଙ୍କଠାରୁ ଏ ଖବର ପାଇଲେ । ସେ କ୍ରୋଧ ଜର୍ଜରିତ ହୋଇ ଇନ୍ଦ୍ରଙ୍କୁ ଧ୍ଵଂସ କରିବାର ପ୍ରତିଜ୍ଞା ନେଇ ସ୍ୱର୍ଗ ଯାତ୍ରା କଲେ ।  ନାରଦ ସେ ଖବର ଶୀଘ୍ର ଇନ୍ଦ୍ରଙ୍କ ନିକଟରେ ପହଞ୍ଚାଇ ଦେଲେ । ଇନ୍ଦ୍ର ନିଜର ଆତ୍ମାକୁ ପାଞ୍ଚ ଭାଗ କରି, ଗୋଟିଏ ଭାଗ ଧର୍ମ ଦେବ, ଦ୍ଵିତୀୟ ଭାଗ ବାୟୁ ଦେବ, ତୃତୀୟଟି ଶୂନ୍ୟ ମଣ୍ଡଳରେ ସ୍ଥାପିଲେ ।ସେଇଭଳି ଚତୁର୍ଥ ଓ ପଞ୍ଚମଭାଗ ଅଶ୍ବିନୀ କୁମାରଙ୍କ ଠାରେ ରଖିଦେଇ କେବଳ ଶରୀରଟି ଧରି ବସିରହିଲେ । ଋଷି କୃଷ୍ଣାଙ୍କୁର ସ୍ଵର୍ଗରେ ପହଞ୍ଚି ଇନ୍ଦ୍ରଙ୍କର ଶରୀରଟିକୁ ଜାଳିଦେଇ ନିଜେ ଇନ୍ଦ୍ରପଦ ଧାରଣକରି ସ୍ୱର୍ଗର ସିଂହାସନରେ ବସିଗଲେ । କାଳକ୍ରମେ ସ୍ଵର୍ଗରେ ଅରାଜକତା ଦେଖାଗଲା । ମୁନିଋଷି ଲୋକ, ତପସ୍ୟା କରିବା ତାଙ୍କର କାମ । ସେ ଇନ୍ଦ୍ର ହୋଇ ସ୍ୱର୍ଗ ଶାସନ କେମିତି କରିପାରିଥାନ୍ତେ ? ସେ ନିଜେ ଯାଇ ବ୍ରହ୍ମାଙ୍କୁ ଇନ୍ଦ୍ରପଦ ପରିତ୍ୟାଗ କରି ତପସ୍ୟା କରିବାକୁ ଯିବାର ଅଭିଳାଷ ଜଣାଇଲେ । ବ୍ରହ୍ମା ପାଉଁଶ ହୋଇ ପଡିଥିବା ଇନ୍ଦ୍ରଙ୍କର ଶରୀରକୁ ଜୀବନ୍ୟାସ ଦେଇ ପୁନର୍ବାର ତାଙ୍କୁ  ସ୍ୱର୍ଗର ସିଂହାସନରେ ବସାଇଲେ । ଏଣେ ଶଚୀଦେବୀ  ସ୍ୱର୍ଗରୁ ପଳାଇଯାଇ ଏକ ଅରଣ୍ୟରେ ବସି କାନ୍ଦୁଥାନ୍ତି । ଘଟଣାକ୍ରମେ ହରପାର୍ବତୀ ସେହି ଅରଣ୍ୟ ଦେଇ ଯାଉଥାନ୍ତି । ଇନ୍ଦ୍ରାଣୀଙ୍କର କ୍ରନ୍ଦନ ପାର୍ବତୀଙ୍କର ହୃଦୟକୁ ଦୟା ବିଗଳିତ କରିଦେଲା । ସେ ଶିବଙ୍କୁ ଦୁଃଖିନୀ ନାରୀଟିର ଦୁଃଖ ଦୂର କରିବାକୁ ଅନୁରୋଧ କଲେ । ଭୋଳାନାଥ ଯାଚି ବର ଦେବା ସପକ୍ଷରେ ନ ଥିଲେ । ପାର୍ବତୀ କିନ୍ତୁ ଜଣେ ଦୁଃଖିନୀ ନାରୀକୁ ଅସହାୟ ଅବସ୍ଥାରେ ଆଉ ଜଣେ ନାରୀ ଛାଡି ଦେଇ ଯାଇପାରିବନି ବୋଲି କହି ଶଚୀଙ୍କ ନିକଟକୁ ଗଲେ ଓ ତାଙ୍କ ବିଷାଦର କାରଣ ପଚାରିଲେ ।”              

          ମାତା ଶଙ୍କରୀଙ୍କ ପ୍ରଶ୍ନର ଉତ୍ତରରେ ଶଚୀ ଦେବୀ କେବଳ କ୍ରନ୍ଦନ କରିବାକୁ ଲାଗିଲେ । ମଝିରେ ମଝିରେ ପତି, ପତି କହୁଥାନ୍ତି । ଦେବୀ ଭବାନୀ କହିଲେ ଆମେ ଦୁହେଁ ଶଙ୍କରଗୌରୀ । ତୁମର ଦୁଃଖ କେଉଁଥିରେ ଦୂର ହେବ କୁହ । ପୁନର୍ବାର ସେହି ପତି ପତି କହିବାପରେ ଇନ୍ଦ୍ରାଣୀ ସମସ୍ତ ଘଟଣା ବିସ୍ତୃତ ଭାବରେ କହିଲେ । ଉଭୟ ଶିବପାର୍ବତୀ ତାଙ୍କୁ ପାଞ୍ଚଥର ପତି ପତି କହିଥିବାରୁ ପାଞ୍ଚ ପତି ପ୍ରାପ୍ତ ହେବେ ବୋଲି କହିଲେ । ଶଚୀ କହିଲେ, "ଇଏ କି ବରଦାନ କଲେ ? ୟେ ଆଶୀର୍ବାଦ ନା ଅଭିଶାପ ?" ମହାଦେବ କହିଲେ, "ବ୍ୟସ୍ତ ହୁଅନାହିଁ, ତୁମର ସ୍ୱାମୀ ତାଙ୍କର ଆତ୍ମାକୁ ପାଂଚ ଭାଗ କରି ଥୋଇଛନ୍ତି । ସେହି ପାଞ୍ଚ ଆତ୍ମା ତୁମର ପାଞ୍ଚସ୍ୱାମୀ ହେବେ । ଦ୍ରୁପଦ ରାଜାଙ୍କ ଦ୍ୱାରା ଅନୁଷ୍ଠିତ ଯଜ୍ଞରେ ତୁମେ ଦ୍ରୌପଦୀ ହୋଇ ଜନ୍ମ ନେବ ଓ ଇନ୍ଦ୍ରଙ୍କର ପାଞ୍ଚ ଆତ୍ମା ପାଞ୍ଚ ପାଣ୍ଡବ ରୂପରେ ଜନ୍ମ ନେବେ ।" ଏବେ ହରପାର୍ବତୀଙ୍କର ଆଜ୍ଞା ଫଳବତୀ ହେବାକୁ ଯାଉଛି ।ତୁମେ ଯେଉଁମାନଙ୍କୁ ଦରିଦ୍ର ବ୍ରାହ୍ମଣ ବୋଲି ତାତ୍ସଲ୍ୟ କରୁଥିଲ,  ସେମାନେ ପଞ୍ଚପାଣ୍ଡବ ।"

          ବ୍ୟାସ ସମସ୍ତ ତଥ୍ୟ ଉନ୍ମୋଚନ କଲାପରେ କୁରାଳ ଶାଳ ତାର ନିଜ 'ଅନ୍ତରୀକ୍ଷ ପୁର' ରୂପ ପ୍ରକାଶ କଲା । କୃଷ୍ଣ ବଳରାମ ଆତ୍ମପ୍ରକାଶ କଲେ ।ସେମାନଙ୍କ ମଧ୍ୟରେ ସମ୍ମାନ ଓ ଆଶୀର୍ବାଦ ବିଧି ଦର୍ଶନ କରି ଦ୍ରୁପଦ କୃତ୍ୟ କୃତ୍ୟ ହୋଇ ନିଜର ଜନ୍ମ ସାର୍ଥକ ହେଲା ବୋଲି ପ୍ରକାଶ କଲେ । ସମ୍ପୂର୍ଣ୍ଣ ରାଜବଂଶ ଅର୍ଥାତ୍ ପିତାପୁତ୍ର ଆଦି ସାଷ୍ଟାଙ୍ଗ ପ୍ରଣିପାତ କରି ନିଜ ନିଜର କୃତ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କଲେ ।ମହର୍ଷି ବ୍ୟାସ ପାଞ୍ଚାଳୀଙ୍କ ମନ ବିଡ଼ିବା ପାଇଁ ପଚାରିଲେ, "ତୋର ଏ ପାଂଚ ଜଣଙ୍କ ମଧ୍ୟରୁ କାହାକୁ ସ୍ୱାମୀ ରୂପେ ପାଇବାକୁ ଇଛା ହେଉଛି, କହ ।" ଯାଜ୍ଞସେନୀ କହିଲେ, "ଏ ପାଞ୍ଚଜଣଯାକ ପ୍ରତ୍ୟେକ ମୋତେ ଏକା (ଇନ୍ଦ୍ରଙ୍କ) ପରି ଦେଖା ଯାଉଛନ୍ତି , ତେଣୁ ଆପଣଙ୍କ ଆଜ୍ଞା ଅନୁସାରେ ମୁଁ ଏ ପାଞ୍ଚଜଣଙ୍କୁ ବିବାହ କରିବାକୁ ପ୍ରସ୍ତୁତ । ଏଥର ଆଉ ଦ୍ରୁପଦଙ୍କର କୌଣସି ଚିନ୍ତା ରହିଲା ନାହିଁ । ସେ ବିବାହର ସମସ୍ତ ଆୟୋଜନ କରିବାରେ ଲାଗିପଡିଲେ । ପାର୍ଶ୍ଵବର୍ତ୍ତୀ ରାଜାମାନେ ନିମନ୍ତ୍ରିତ ହୋଇ ଆସିଲେ । ସେହି ଅନ୍ତରୀକ୍ଷପୁରରେ ବିବାହ ହେବାର ଆୟୋଜନ ହେଲା କାରଣ ଏହା କେବଳ ମର୍ତ୍ତ୍ୟପୁର ନୁହେଁ ସ୍ୱର୍ଗପୁରବାସୀମାନଙ୍କର ମଧ୍ୟ ଏକ ଉତ୍ସବ ଥିଲା । ମଙ୍ଗଳ ଵାଦ୍ୟରେ ପାଞ୍ଚାଳ ରାଜଧାନୀ ଶବ୍ଦାୟିତ ହେବାରେ ଲାଗିଲା । ଦ୍ରୁପଦ ରାଜନବର ଓ କୁରାଳ ଶାଳ ମଧ୍ୟରେ ସଂଯୋଗକାରୀ ଛାୟାମଣ୍ଡପ ନିର୍ମିତ ହେଲା । ପୁରୋହିତ ଧୌମ୍ୟଙ୍କ ଆଦେଶ ଅନୁସାରେ ବିବାହ ଉପକରଣମାନ ସଂଗୃହିତ ହୋଇ ଆସିଲା ।ସ୍ୱୟଂ ଶ୍ରୀକୃଷ୍ଣ ଶଙ୍ଖ ଧ୍ୱନି କରି ବିବାହକର୍ମର ଶୁଭାରମ୍ଭ କଲେ । ଅନ୍ତେବାସିନୀମାନେ ଦ୍ରୌପଦୀଙ୍କ ଶୃଙ୍ଗାର କରିବାରେ ଲାଗି ପଡିଲେ । ଗନ୍ଧର୍ବ ଓ ବିଦ୍ୟାଧରୀଗଣ ନୃତ୍ୟ ଓ ସଙ୍ଗୀତରେ ଜନମନ ମୁଗ୍ଧକଲେ ।ଦେବସ୍ତ୍ରୀଗଣ ହୁଳହୁଳି ଦେଲେ । ମଙ୍ଗଳାଚରଣ ପରେ ବିବାହ ଉପଲକ୍ଷେ ସଂକଳ୍ପ ଓ ନାଗକୁଳ, ଦେବତାମଣ୍ଡଳୀଙ୍କ ଆବାହନ ଆଦି କରାଗଲା । ମହର୍ଷି ବ୍ୟାସଙ୍କ କୋଳକୁ ଲାଗି ପାଞ୍ଚ ପାଣ୍ଡବ ବସିଲେ ଅର୍ଥାତ ବର ପିତାଙ୍କର ଭୂମିକା ବ୍ୟାସ ନିର୍ବାହ କଲେ ଏବଂ କନ୍ୟାପିତା ଦ୍ରୁପଦ ମୁହାଁ ମୁହିଁ ବସିଲେ ମନ୍ତ୍ରୋଚ୍ଚାରଣ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଲା । ସଖୀମାନଙ୍କ ଗହଣରେ ସଜ୍ଜିତା ଅପରୂପା କୃଷ୍ଣା ଗଜଗତିରେ ଚରଣ ଚାଳି ବିବାହ ମଣ୍ଡପ ଉପରକୁ ବିଜେ କଲେ । ହସ୍ତଗ୍ରନ୍ଥି ବନ୍ଧନବେଳେ ଯାଜ୍ଞସେନୀଙ୍କର ଦକ୍ଷିଣ ହସ୍ତ ବୃଦ୍ଧଅଙ୍ଗୁଷ୍ଠି ସହ ଯୁଧିଷ୍ଠିର, ତର୍ଜନୀ ସହ ଭୀମ, ମଧ୍ୟମ ସହ ଅର୍ଜୁନ, ଅନାମିକା ସହ ନକୁଳ ଓ କନିଷ୍ଠ ଅଙ୍ଗୁଳିସହ ସହଦେବଙ୍କର ହସ୍ତ ବନ୍ଧନ ହେଲା । ହସ୍ତଗ୍ରନ୍ଥି ବନ୍ଧନ ପରେ ବ୍ରାହ୍ମଣଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ  ଦ୍ରୁପଦ ଜଣ ଜଣ କରି ପାଞ୍ଚଜଣଙ୍କୁ କନ୍ୟା ଅର୍ପଣ କଲେ । ତତ୍ପରେ ଧୌମ୍ୟ ପୁରୋହିତ ଦକ୍ଷିଣାବର୍ତ୍ତ ଶଙ୍ଖରେ ଜଳ ତିଳ ପୂରାଇ ଦ୍ରୁପଦଙ୍କ ହସ୍ତରେ ଦେଇ ଯୌତୁକ ଦେବାକୁ କହିଲେ । ଦ୍ରୁପଦ ଓ ରାଣୀ ପଦ୍ମବତୀ  ବିନମ୍ରତାର ସହିତ ନିଜର ନ୍ୟୁନଭାବ ପ୍ରକାଶ କରି ଯାହା ଯୌତୁକ ଦେଲେ, ସେତିକି ନେଇ ପାଣ୍ଡବମାନେ ଗୋଟାଏ ରାଜ୍ୟ ଚଳାଇ ପାରିଥାନ୍ତେ । ତତ୍ପରେ ରାଜଦମ୍ପତି କନ୍ୟାର ଦଶଦୋଷ କ୍ଷମା ଦେବାକୁ କହି ଶୋକାତୁର ହୋଇ ନବରକୁ ବିଜେ କଲେ । ଲାଜା ହୋମ ଆଦି ଯଥାବିଧି ହେଲା । ପାଣ୍ଡବମାନେ ଯୌତୁକ ପାଇଥିବା ବିପୁଳ ଧନରାଶି ଦରିଦ୍ର ଓ ଅକ୍ଷମ ଲୋକମାନଙ୍କୁ ବିତରଣ କରିଦେଲେ । ଏ ସମସ୍ତ କାର୍ଯ୍ୟ ସାରି ସମସ୍ତେ ରାଜ ନବରକୁ ବିଜେ କଲେ । କୃଷ୍ଣ ଓ ବଳରାମ ସପରିବାର  ଦ୍ରୁପଦଙ୍କଠାରୁ ବିଦାୟ ନେଇ ଦ୍ଵାରକା ଅଭିମୁଖେ ଯାତ୍ରା କଲେ । କିନ୍ତୁ ପାଣ୍ଡବମାନେ ଅଷ୍ଟମଙ୍ଗଳା ଯାଏଁ ସେଠାରେ ରହି ବିବାହ ପର ଅନୁଷ୍ଠାନ ସବୁରେ ଭାଗ ନେଲେ । ପାଞ୍ଚ ଭାଇ ପାଞ୍ଚଟି କକ୍ଷରେ ରହିଲେ ଏବଂ ଦ୍ରୌପଦୀ ପାଞ୍ଚ ଜଣଙ୍କ ସାଙ୍ଗରେ ଜଣ ଜଣ କରି ପତ୍ନୀ ଧର୍ମ ପାଳିଲେ ।ଅଷ୍ଟମଙ୍ଗଳାପରେ ପାଣ୍ଡବମାନେ କୁନ୍ତୀଙ୍କ ସହିତ କୁରାଳ ଶାଳକୁ ଫେରି ଆସିଲେ ।


Rate this content
Log in

Similar oriya story from Thriller