Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Others

3  

Prasant Kumar Senapati

Others

ବିଧିର ବିଧାନ

ବିଧିର ବିଧାନ

3 mins
14K


ବିଧିର ବିଧାନ

ପ୍ରଶାନ୍ତ କୁମାର ସେନାପତି

     ବରଯାତ୍ରୀ ଦଳ ଗାଁ ମୁଣ୍ଡରେ ପହଞ୍ଚିସାରିଥିଲେ । ସମସ୍ତ ବରଯାତ୍ରୀ ବହୁତ ଖୁସିରେ ନାଚୁଥାନ୍ତି । ମନୋଜର ବାପା ନାରାୟଣବାବୁ ଏକମାତ୍ର ପୁଅ ମନୋଜର ବାହାଘରରେ ବହୁତ ଖୁସିରେ ବରଯାତ୍ରୀମାନଙ୍କ ନାଚଗୀତକୁ ଉପଭୋଗ କରୁଥାନ୍ତି । ଏହି ସମୟରେ ତାଙ୍କ ସମବୟସ୍କ କେତଜଣ ବନ୍ଧୁ ନାରାୟଣବାବୁ ଓ ତାଙ୍କ ଧର୍ମପତ୍ନୀ ସୁମିତ୍ରାଦେବୀଙ୍କୁ ଭିଡ ଭିତରକୁ ଟାଣିନେଇ ନାଚିବା ପାଇଁ ବାଧ୍ୟ କଲେ । ଏକମାତ୍ର ପୁଅ ମନୋଜର ବାହାଘରରେ ସେ କିପରି ମନା କରିପାରିଥାନ୍ତେ, ବାଧ୍ୟ ହୋଇ ସାଙ୍ଗସାଥିଙ୍କ ମେଳରେ ନାଚିଲେ । ହଠାତ୍ ନାଚୁନାଚୁ ସେ ତଳେ ପଡିଗଲେ ଓ ବହୁତ ଜୋରରେ ଧଇଁସଇଁ ହୋଇ ନିଃଶ୍ୱାସ ପ୍ରଶ୍ୱାସ ନେଉଥାନ୍ତି । ସମସ୍ତେ ତାଙ୍କୁ ନେଇ ଅତିଥିଗୃହକୁ ନେଇ ତୁରନ୍ତ ଡାକ୍ତରଙ୍କୁ ଖବର ଦେଲେ । କିନ୍ତୁ ଦୁଃଖର କଥା ଯେ ଡାକ୍ତର ଆସିବା ପୂର୍ବରୁ ନାରାୟଣବାବୁ ସଂସାର ତ୍ୟାଗ କରିସାରିଥିଲେ । ହୃଦଘାତ ଯୋଗୁଁ ନାରାୟଣବାବୁଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ମନୋଜର ମା ସୁମିତ୍ରାଦେବୀଙ୍କ ଉପରେ ଏକ ବଡ ଚଡକ ପଡିବା ପରି ଲାଗିଲା । ସେ ସ୍ଥାଣୁପ୍ରାୟ ହୋଇ ଗୋଟିଏ ସ୍ଥାନରେ ଆଖିରୁ ଧାର ଧାର ଲୁହ ଗଡାଉଥାନ୍ତି । ସମୟେ ସମୟେ ସେ ବେହୋସ ହୋଇଯାଉଥାନ୍ତି । ସେ ଅବା କ'ଣ କରିପାରିବେ, ଗୋଟେ ପଟେ ଏକମାତ୍ର ପୁଅର ଖୁସିର ସଂସାର ସଜାଡୁଥିବା ସମୟରେ ଅନ୍ୟପଟେ ନିଜ ସଂସାର ଭାସିଯାଇଥିଲା । କିଛି ଲୋକ କଥାବାର୍ତ୍ତା ହେଉଥିଲେ କନ୍ୟା ଅଲକ୍ଷଣୀ, ଅଶୁଭ ନଚେତ୍ ଉଆଁସୀ ହୋଇଥିବ । କନ୍ୟାଘର ଲୋକମାନେ କ'ଣ ହେବ କ'ଣ ନାହିଁ ଏହି ଚିନ୍ତାରେ ଥାଆନ୍ତି । ଏପରି ଏକ ଦୁଃଖଦ ଘଡିସନ୍ଧି ମୁହୂର୍ତ୍ତରେ ବିବାହ ହେବ କି ନାହିଁ ପ୍ରଶ୍ନ ପଚାରିବାର ସତସାହସ ସେମାନଙ୍କ ନିକଟରେ ନଥାଏ । କିଛି ସମୟ ପୂର୍ବରୁ ରଙ୍ଗ-ବେରଙ୍ଗ ଲିଚୁମାଳ ଏବେ ଦପ୍ ଦପ୍ ହୋଇ ଲିଭିବା ହେଲେଣି । ହସଖୁସିର ପରିବେଶଟା ଏବେ ଖାଁ ଖାଁ ଶ୍ମଶାନ ସଦୃଶ ମନେହେଉଛି । ସମସ୍ତେ ନୀରବ, ନିଶ୍ଚଳ । କିଏ କୁଆଡେ ଯାଉଛନ୍ତି, କିଏ ଆସୁଛନ୍ତି କେହି ବୁଝିବା ପରିସ୍ଥିତିରେ ନାହାନ୍ତି । କନ୍ୟାର ପିତା ନାରାୟଣବାବୁଙ୍କ ମୃତ୍ୟୁରେ ବହୁତ ଦୁଃଖ ଅନୁଭବ କରିଥିଲେ । ତାଙ୍କ ନିକଟରେ କ'ଣ ବା ଆଉ ଚାରା ଅଛି ? କିନ୍ତୁ ମନରେ ଅନେକ ଭୟ । ମନୋଜର ପରିବାର ଯୌତୁକ ଦାବୀ କରିନଥିଲେ ମଧ୍ୟ ସେ ଗୁଡିଏ ଟଙ୍କା ଧାର କରଜ କରି ବିବାହର ଆୟୋଜନ କରିଥାନ୍ତି । ଯଦି ବିବାହ ନହୁଏ କ'ଣ କରିବେ ଓ କାହା ବେକରେ ବାନ୍ଧିବେ ଏପରି ଅଲକ୍ଷଣି ଝିଅକୁ ? ହଠାତ୍ ସୁମିତ୍ରା ଦେବୀଙ୍କ ଚିନ୍ତା-ଚେତନା ଯେପରି ଜାଗ୍ରତ ହେଲା ଓ ସେ ତୁରନ୍ତ କନ୍ୟା ପିତାଙ୍କୁ ଡକାଇ ବାହାଘର ଶିଘ୍ର ସାରିବା ପାଇଁ ଅନୁରୋଧ କଲେ । କାଳବିଳମ୍ବ ନକରି ବେଦୀରେ ହୋମନିଆଁ ସହ ମନ୍ତ୍ରପାଠ ଆରମ୍ଭ ହୋଇଗଲା ଓ ବିବାହର ତୁରନ୍ତ ପରେପରେ ବର, ବୋହୂ ଓ ନାରାୟଣବାବୁଙ୍କ ପାର୍ଥିବ ଶରୀରକୁ ନେଇ ସମସ୍ତେ ବିଦା ହୋଇଗଲେ । ଯେତେବେଳେ ବର ଓ ବୋହୂ ଘରେ ପହଞ୍ଚିଲେ, ସେମାନଙ୍କୁ ବନ୍ଦାଇ ଘର ଭିତରକୁ ନେବା ପାଇଁ ସୁମିତ୍ରାଦେବୀଙ୍କ ବଦଳରେ ମନୋଜର ପିଉସୀ ଆସିଲେ । କାରଣ ଗୋଟିଏ ରାତି ପୂର୍ବରୁ ତାଙ୍କ ମା' ସୁମିତ୍ରା ଦେବୀ ବିଧବା ହୋଇସାରିଥିଲେ ଓ ଜଣେ ବିଧବା ଖୁସିର ମୁହୂର୍ତ୍ତରେ ପୁଅବୋହୂଙ୍କୁ ବନ୍ଦାଇ ଘରକୁ ନେବା ଅଶୁଭ ହେବ । ଏହା ଦେଖି ମନୋଜ ଓ ନବ ବିବାହିତା ଦୁହେଁ ଜିଦ୍ଦି ଧରି ବସିଲେ ଯେ ଯେଉଁ ମା'ର ଶଙ୍ଖା-ସିନ୍ଦୂର ଉଜୁଡିଯିବା ପରେ ବି ଧୈର୍ଯ୍ୟ ସହକାରେ ବିବାହ କରାଇଲେ, ସେ କାହିଁକି ନିଜ ପିଲାମାନଙ୍କ ଅମଙ୍ଗଳର କାରଣ ହେବେ ? ଯଦି ମା' ଆମ ଦୁହିଙ୍କୁ ବନ୍ଦାଣ ଥାଳିରେ ବନ୍ଦାଇ ଘରକୁ ପାଛୋଟି ନେବେ, ତେବେ ଆମେ ଭିତରକୁ ଯିବୁ । ମନୋଜ ଓ ନବ ବିବାହିତା ବଧୂର ଜିଦ୍ଦି ସାମନାରେ ସମସ୍ତେ ପରାସ୍ତ ହୋଇ ସୁମିତ୍ରାଦେବୀଙ୍କୁ ଅନୁରୋଧ କରିଥିଲେ ପୁଅବୋହୁଙ୍କୁ ବନ୍ଦାଇ ଘର ଭିତରକୁ ଆଣିବା ପାଇଁ । ସୁମିତ୍ରାଦେବୀ ବନ୍ଦାଣ ଥାଳି ନେଇ ଆସିବା ସମୟରେ ସମସ୍ତଙ୍କ ଆଖିରୁ ଲୁହ ଝରୁଥିଲା । ଗୋଟିଏ ପକ୍ଷେ ପୁଅବୋହୂଙ୍କ ଗୃହପ୍ରବେଶ ସମୟରେ ଅନ୍ୟ ପକ୍ଷେ ନିଜ ପ୍ରାଣଠାରୁ ପ୍ରିୟ ସ୍ୱାମୀଙ୍କ କୋକେଇ ତିଆରି ହେଉଥାଏ । ଗୋଟାଏ ପକ୍ଷେ ଶଙ୍ଖ ହୁଳହୁଳି ଶବଦରେ କମ୍ପୁଥିଲା ତ ଅନ୍ୟ ପକ୍ଷେ "ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ''ର ଉଚ୍ଚାରଣ ହେଉଥିଲା । ସୁମିତ୍ରାଦେବୀ ଶାନ୍ତ ଓ ନୀରବ ଥିଲେ । ସେ ଏହା ମାନିନେଇଥିଲେ, ବୋଧେ ଏହା ବିଧିର ବିଧାନ ଥିଲା ।

*****


Rate this content
Log in