Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାପାଙ୍କ ଏକ୍ୟୁରିୟମ
ବାପାଙ୍କ ଏକ୍ୟୁରିୟମ
★★★★★

© Arati Sahoo

Inspirational Tragedy

6 Minutes   14.6K    21


Content Ranking

ଗ୍ରୀଷ୍ମ ଛୁଟିକୁ ମୁଁ ଚାତକ ପରି ଅପେକ୍ଷା କରୁଥିଲି । ସହରର ଗୁଞ୍ଜାୟମାନ ନିଷ୍ପେସିତ କଳରବକୁ ମୁଁ ବାଲ୍ୟକାଳରେ ତୀବ୍ର ଘୃଣା କରୁଥିଲି । ସେଥିପାଇଁ ଗ୍ରୀଷ୍ମ ଋତୁ ମୋର ସର୍ବାଧିକ ପ୍ରିୟ ଋତୁ ଥିଲା । ଶ୍ରେଣୀରେ ଯେତେବେଳେ ସର୍ବଶ୍ରେଷ୍ଠ ଋତୁ ବିଷୟରେ ରଚନା ଲେଖିବାକୁ କୁହାଯାଉଥିଲା ମୁଁ ଲେଖୁଥିଲି ଗ୍ରୀଷ୍ମ ଋତୁ ବିଷୟରେ ।

ଗ୍ରୀଷ୍ମ ଛୁଟିରେ ମୁଁ ଗାଁକୁ ଯାଏ । ବାପା ମାଆ ମଧ୍ୟ ଯାଆନ୍ତି । କିନ୍ତୁ ଜୀବନର ସୁନ୍ଦର ପ୍ରିୟ ମୁହୁର୍ତ୍ତ ଗୁଡାକର ଆୟୁଷ ବୋଧେ ବହୁତ କମ ଥାଏ । ସେଥି ଯୋଗୁଁ ଆଖିପିଛୁଳାକେ ବିତିଯାଏ ଗ୍ରୀଷ୍ମ ଋତୁ । ମୁଁ ଗାଁରୁ ଫେରିବା ବେଳେ ଜେଜେ ମାଆଙ୍କୁ କୁଣ୍ଢାଇ ଧରି କାନ୍ଦେ । ଟାଣି ଓଟାରି ହୁଏ । କିନ୍ତୁ ଅଗତ୍ୟା ମୋତେ ବାଧ୍ୟ ହୋଇ ଫେରିବାକୁ ପଡେ଼ ସେ କଂକ୍ରିଟ ଜଙ୍ଗଲକୁ । ସେଠାରେ ନା ଥାଏ ବରଗଛ,ନା ଥାଏ କିଆ ଗୋହିରୀ,ନା ଥାଏ ଆମ୍ବ ତୋଟା ଆଉ ନା ଥାଏ ନିର୍ମଳ ଜଳର ପୁଷ୍କରିଣୀ । ତା ଭିତରେ ପହଁରୁଥିବା ରୌପ୍ୟ କାତିରେ ସୁସଜ୍ଜିତ ମାଛମାନେ ମଧ୍ୟ ନଥାନ୍ତି । ମୁଁ ସର୍ବାଧିକ ଖୋଜି ହୁଏ ସେହି ମାଛ ମାନଙ୍କୁ ।

ସେ ଗାଁକୁ , ସେ ବରଗଛକୁ,ସେ ଆମ୍ବ ତୋଟାକୁ ଆଉ ସେ ରୌପ୍ୟ କାତିରେ ଖରା ପଡ଼ି ଚିକ୍ ଚିକ୍ କରୁଥିବା ସେ ମାଛମାନଙ୍କୁ ଯେ ମୋତେ ଚିରଦିନ ପାଇଁ ଭୂଲିବାକୁ ହେବ ଏକଥା ମୁଁ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲି । ହଠାତ ଜେଜେ ବାପାଙ୍କର ମୃତ୍ୟୁ ହୁଏ ସନ୍ଦେହ ଜନକ ଭାବେ । ଆମେ ଜେଜେ ମାଆଙ୍କୁ ସାଥିରେ ଧରି ପଳେଇ ଆସୁ ସହରକୁ । ଆଉ ଗାଁରେ କିଏ ଥିଲା ଯେ ଆମେ ଗାଁକୁ ଯାଇ ଥାଆନ୍ତୁ । ତା ଛଡ଼ା କିଛି ପାରିବାରିକ କାରଣ ମଧ୍ୟ ଥିଲା ।

ମୁଁ କିନ୍ତୁ ବେଶ ଝୁରି ଥିଲି ମୋ ଗାଁକୁ । ମୁଁ ଚିତ୍ର କରେ ପୁଷ୍କରିଣୀର,ତା ଭିତରେ ଚିକ୍ କରୁଥିବା ମାଛମାନଙ୍କର । ଦି’ ପ୍ରହରେ ଦିନେ ଶୋଇ ଥାଏ । ଜେଜେ ମାଆ ଆସି ମୋତେ ଉଠାଇଲା,

ଦେଖ୍ ଦେଖ୍,ତୋ ବାପା କଣ ଆଣିଛି ତୋ ପାଇଁ ।

ମୁଁ ଆଖି ମଳି ମଳି ଗଲି ଦାଣ୍ଡଘରକୁ । ନିଦ ଆପଣା ଛାଏଁ କୁଆଡ଼େ ଉଡ଼ି ଗଲା । ବାପା ଆଣିଥିଲେ ମୋ ପାଇଁ ଏକ୍ୟୁରିୟମ । ବଡ଼ କାଚ ବାକ୍ସ ପରି ଏକ୍ୟୁରିୟମ ଟିଏ । ତା ଭିତରେ ସତସତିକା ପାଣି ଘାସ ଓ ଗଛ(ପ୍ଲାଙ୍କଟନ) । ସତସତିକା ରଙ୍ଗ ବେରଙ୍ଗର ମାଛ ସବୁ । ବିଭିନ୍ନ ପ୍ରକାର ଓ ବିଭିନ୍ନ ଆକୃତିର ମାଛ । ମୋର କିଛି ନାଁ ମଧ୍ୟ ମନେ ଅଛି । ଯଥା ମୋଲି,ଟେଟ୍ରା,ଏଞ୍ଜେଲ,ଟାଇଗର ଇତ୍ୟାଦି ।

ମୁଁ ଖୁସିରେ ବିଭୋର ହୋଇ ବାପାଙ୍କୁ କୁଣ୍ଢାଇ ଧରି ଥିଲି । ବାପା ମୋ ମୁଣ୍ଡକୁ ଆଉଁଷି ଦେଉଥିଲେ ।

ଗାଁ ପୋଖରୀ ତ ତୋତେ ଦେଇ ପାରିବିନି ବାପା,ଏହି ଏକ୍ୟୁରିୟମଟି ତୋ ପାଇଁ ଆଣିଛି ।

ମୁଁ ବର୍ତ୍ତମାନ ଚିନ୍ତା କରେ,କିଛି ନ କହିଲେ ସୁଦ୍ଧା ବାପା ମୋର ଅନ୍ତରକୁ କେତେ ଦୂର ନିରିକ୍ଷଣ କରି ପାରୁଥିଲେ ।

ମୁଁ ସ୍କୁଲରୁ ଫେରିଲେ ଘଣ୍ଟା ଘଣ୍ଟା ଏକ୍ୟୁରିୟମ ଆଗରେ ବସି ମାଛ ମାନଙ୍କର ଖେଳ କୌତୁକ ଦେଖେ । ସେତେବେଳେ ମାଛମାନଙ୍କୁ ଶୁଖିଲା ଖାଦ୍ୟ ଦିଆ ଯାଉ ନ ଥିଲା । ଆପାତକାଳିନ ଭିତ୍ତିରେ ଯଦିଓ କଦବା କ୍ଵଚିତ୍ ଶୁଖିଲା ଖାଦ୍ୟ ଦିଆଯାଉଥିଲା ତେବେ ତାଙ୍କର କୋଷ୍ଠ କାଠିନ୍ୟ ହେଉଥିଲା । ବାପା ବୁଝାଇ ଥିଲେ, ତାଙ୍କର କୋଷ୍ଠ କାଠିନ୍ୟ ହେଲେ ଲାଞ୍ଜ ପାଖରେ ସୁତା ଭଳିଆ ଲମ୍ବା ମଳ ଲାଗି ରହିଥାଏ । ସମ୍ପୂର୍ଣ୍ଣ ରୂପେ ନିଷ୍କାସିତ ହୋଇ ପାରେନାହିଁ । ତେଣୁ ତାଙ୍କ ଖାଇବା ପାଇଁ ବାପା ଆଣୁଥିଲେ ଦଶି ପୋକ ଭଳି ସରୁ ସରୁ କିନ୍ତୁ ଅପେକ୍ଷାକୃତ ଲମ୍ବା ଓ ମାଟିଆ ରଙ୍ଗର ଜୀବନ୍ତ ଜିଆ ସବୁ,ଟିକି ଟିକି ପଲିଥିନରେ । ତାକୁ ରଖାହୋଇଥିବା ପାତ୍ରରେ ଅହରହ ବୁନ୍ଦାଏ ବୁନ୍ଦାଏ ଜଳ ପଡୁଥିବା ନିହାତି ଆବଶ୍ୟକ ଥିଲା । ତେଣୁ ସେ ପାତ୍ରଟି ଥୁଆ ହେଉଥିଲା ୱାଶ୍ ବେସିନର ଟ୍ୟାପ ତଳେ । ବେଳେବେଳେ ମୁଁ ଟ୍ୟାପ ଜୋରରେ ଖୋଲିଦେଲେ ଜିଆ ସବୁ ଭାସି ଯାଉଥିଲେ ବା ଟ୍ୟାପ ବନ୍ଦ କରି ଦେଲେ ଜିଆ ସବୁ ମରି ସଢି଼ ଯାଉଥିଲେ ଅଧଘଣ୍ଟା ଭିତରେ । ମାଆ ମୋତେ ପାଟି କରୁଥିଲା । ବାପା କିନ୍ତୁ କହୁଥିଲେ, ତାରି ପାଇଁ ତ ଆଣିଛି ଏସବୁ, ସେ ଶିଖୁ,ବଳେ ବଳେ ସବୁ ଜାଣି ପାରିବ ।

ମୁଁ କିନ୍ତୁ କିଛି ଭି ଶିଖି ନଥିଲି ।

ସେ ମାଛମାନଙ୍କୁ ଖାଇଵାକୁ ଦେବାପାଇଁ ମଧ୍ୟ ଏକ ବିଶେଷ ଧରଣର ପାତ୍ର ଥିଲା । ଟିକି କାଚର ବଲ୍ବ ପରି ପାତ୍ରଟିଏ, ତାର ତଳେ ଅନେକ ଗୁଡ଼ି ଏ ଛିଦ୍ର ଥାଏ । ଜିଆ ମାନଙ୍କୁ ତା ଭିତରେ ପୁରେଇ ତାକୁ ଏକ୍ୟୁରିୟମ ଭିତରେ ଭେକ୍ୟୁମ ଦ୍ଵାରା ଲଗେଇ ଦିଆ ଯାଉଥିଲା । ମାଛମାନେ ସେଥିରୁ ଗୋଟିଏ ଗୋଟିଏ ଟାଣି ନେଇ ଖାଉଥିଲେ । ବେଳେବେଳେ ଦୁଇଟି ମାଛ ଗୋଟିଏ ଜିଆକୁ ଦୁଇ ମୁଣ୍ଡରୁ ଭିଡା ଓଟରା କରୁଥିଲେ । ମୁଁ ସେତେବେଳେ ହସି ହସି ବେଦମ ହୋଇ ଯାଉଥିଲି । କେବେକେବେ ଗୋଟିଏ ମାଛର ଜିତାପଟ ହେଉଥିଲା ତ କେବେ ଜିଆଟି ଦିଗଡ଼ ହୋଇ ଯାଉଥିଲା ।

ବାପା ଆମର କିନ୍ତୁ ଦି ଗଡ଼ ହୋଇ ପାରିଲେ ନାହିଁ ।

ମୋର ଭାଇ ମାନେ ମୋ ବାପାଙ୍କର ପାଳିତ ପୁତ୍ର ଯେବେଠାରୁ ଆସିଲା, ମୋତେ ଲାଗିଲା ମୋର ଜଣେ ପ୍ରତିଦ୍ଵନ୍ଦୀ ଘରକୁ ଆସିଲା । ବାପାଙ୍କ ବିଶାଳ ହୃଦୟର ମହାନତାକୁ ମୁଁ ସେତେବେଳେ ସ୍ଵାର୍ଥାନ୍ଧ ହୋଇ ବୁଝି ପାରିଲି ନାହିଁ । ଯେତେବେଳେ ବୁଝିଲି ଅନେକ ବିଳମ୍ବ ହୋଇ ଯାଇଥିଲା ।

ମୋ ପରି ମଣିଷ ମାନଙ୍କର ମନ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ପରିପକ୍ୱତା ବି ତାକୁ ସ୍ଵଚ୍ଛ କରିବାରେ ଅକ୍ଷମ ହୋଇ ଥାଏ ।

ବାପାଙ୍କ ପାଳିତ ପୁତ୍ର, ମାନେ ମୋ ଭାଇ, ଅଳିଆ ଗଦାରୁ ଆସି ଥିଲା ଘରକୁ । ବାପାଙ୍କ ସୁନାର ହୃଦୟ ଥିଲା, ଦୟା କରୁଣାର ଏକ ଗନ୍ତାଘର । ଛୁଆଟିର କୁଆଁ କୁଆଁ କାନ୍ଦ ସହ କୁକୁରଙ୍କର ବିକଟ ଚିତ୍କାର ବାପାଙ୍କୁ କରି ଦେଇଥିଲା ବିଗଳିତ ମଣିଂ ୱାକରୁ ଫେରିବା ବାଟରେ । ସେ ତାକୁ କୋଳ କରି ନେଇ ଆସିଥିଲେ ଆମ ଘରକୁ ।

ସେତେବେଳେ ଜେଜେ ମାଆ ମଧ୍ୟ ମୋତେ ଉଠେଇ ନ ଥିଲା, ଦେଖ୍ ଦେଖ୍, ତୋ ବାପା ତୋ ପାଇଁ କଣ ଆଣିଛି ।

କହିବା ବାହୁଲ୍ୟ, ପୋଲିସର ତନାଘନା ମଧ୍ୟ ପିଲାଟିର ଅସଲି ପିତା ମାତାକୁ ଚିହ୍ନଟ କରି ପାରି ନଥିଲା । ଜେଜେ ମାଆ, ମାଆ ଓ ମୁଁ, ସମସ୍ତେ ଏ ଅବାଞ୍ଛିତ ଅତିଥି କୁ ହୃଦୟରେ ସ୍ଥାନ ଦେଇ ପାରିଲୁ ନାହିଁ । ପ୍ରଥମେ ତାକୁ ଆମ ଘରେ ଅନେକ ଅବହେଳାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବାପା କିନ୍ତୁ ଅବିଚଳିତ ଓ ଅବିଶ୍ରାନ୍ତ ଭାବେ ପିଲାଟିର ଯତ୍ନ ନେଇ ଥିଲେ,ଆମ ମାନଙ୍କ ଠାରୁ କିଛି ସହଯୋଗ ଆଶା ନକରି । ଏତିକି ବେଳେ ହିଁ ବାପାଙ୍କ ପ୍ରତି ମୋ ମନରେ ଏକ ତିକ୍ତ ଭାବ ଉତ୍ପନ୍ନ ହେଲା । ଏହି ତିକ୍ତତା ବାପାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମୋତେ ତ୍ୟାଗ କରି ନ ଥିଲା ।

ପିଲାଟିର ସୁନ୍ଦର ରୂପ ଓ ତୀକ୍ଷ୍ଣ ବୁଦ୍ଧି ଧୀରେ ଧୀରେ ମାଆ ଓ ଜେଜେ ମାଆଙ୍କ ହୃଦୟକୁ ତରଳାଇ ଦେଇ ଥିଲା । ନାରୀ ହୃଦୟ ବେଶି ସମୟ ବୋଧେ କଠିନ ହୋଇ ରହିପାରେ ନାହିଁ । ସ୍ନେହ ଶ୍ରଦ୍ଧାର ଉଷ୍ମତାରେ ତାହା ତରଳିବାକୁ ଆରମ୍ଭ କରେ । ଶୈଶବରୁ ପିଲାଟି ଅତ୍ୟନ୍ତ ବ୍ୟବହାର କୁଶଳୀ ଓ ଅମାୟିକ ଥିବା ସାଥିରେ ପାଠପଢାରେ ଖୁବ ଧୁରନ୍ଧର ଥିଲା । ଘରେ ବାହାରେ ସେ ସମସ୍ତଙ୍କ ମନ କିଣି ନେଇ ଥିଲା । ସେ ଯେତେ ଯେତେ ଉନ୍ନତି କରୁଥିଲା ମୋର ଘୃଣା କ୍ରମଶଃ ବୃଦ୍ଧି ପାଉଥିଲା । କ୍ରମେ ମୁଁ ବାପାଙ୍କର ଅବାଧ୍ୟ ହେବାକୁ ଆରମ୍ଭ କଲି । ବାପାଙ୍କ ଠାରୁ ଦୂରରେ ରହିବାକୁ ଚାହିଁ ଧୀରେ ଧୀରେ ମାଆଙ୍କ ଠାରୁ ବିଚ୍ଛିନ୍ନ ହେବାକୁ ଆରମ୍ଭ କଲି । ମୁଁ ଚେନ୍ନାଇର ଆସି ବି ଟେକ କଲି,ଯଦିଓ ମୋତେ ଓଡ଼ିଶାରେ ଭଲ କଲେଜରେ ସିଟ ମିଳୁଥିଲା । ସେତେବେଳକୁ ଜେଜେ ମାଆ ଆରପାରିକୁ ଚାଲି ଯାଇଥିଲା ।

ଚେନ୍ନାଇରେ ହିଁ ମୁଁ ପୋଷ୍ଟିଂ ନେଲି । ନାଁ ମାତ୍ରକୁ ସୂଚନା ଦେଇ ମୁଁ ମୋର କଲିଗକୁ ବିବାହ କଲି । ମାଆ ବେଳେବେଳେ ମୋ ପାଖକୁ ଆସୁଥିଲା । ଆସି ବାପାଙ୍କ ଅନ୍ତରଦାହକୁ ବର୍ଣ୍ଣନା କରୁଥିଲା । ମୋର ତିକ୍ତଭାବ ତାଙ୍କୁ କେମିତି ତିଳ ତିଳ ଦଗ୍ଧିଭୂତ କରୁଛି ବୁଝାଉଥିଲା । କିନ୍ତୁ ମୋର ମନ ମାନି ନଥିଲା । ତା ଉପରେ ମାଆ ଯେତେବେଳେ ପୋଷ୍ୟ ପୁତ୍ରର ଗୁଣଗାନ କରୁଥିଲା, ତାର ମାତୃପିତୃ ଭକ୍ତି ବଖାଣୁଥିଲା,ଆଉ ବଡ଼ ପ୍ଲେସମେଣ୍ଟ ପାଇବା ସତ୍ତ୍ୱେ କେମିତି ତାଙ୍କୁ ଛାଡି ଯାଇନଥିଲା,ମୋର ମାଆ ଉପରେ ମଧ୍ୟ ପ୍ରଚଣ୍ଡ କ୍ରୋଧ ଆସୁଥିଲା । ମୁଁ ଅଗ୍ନିଶର୍ମା ହୋଇ ତାକୁ ଝିଙ୍ଗାସୁଥିଲି,ଅକଥା କହୁଥିଲି ଓ ତାକୁ ମଧ୍ୟ ମୋ ପାଖକୁ ଆସିବା ଆବଶ୍ୟକ ନୁହେଁ ବୋଲି ଗଞ୍ଜଣା ଦେଉଥିଲି । ସେ ପୋଷ୍ୟ ପୁତ୍ର ଉପରେ ମୋର ବୈମନସ୍ୟ ଭାବ ଆହୁରି ବୃଦ୍ଧି ହେଉଥିଲା । ମୋର ପ୍ରତିଦ୍ୱନ୍ଦୀ ସାଜି ମୋ ମାତା ପିତାଙ୍କୁ ମୋଠାରୁ ବିଚ୍ଛିନ୍ନ କରିଦେଲା ବୋଲି ତାକୁ ଅଭିଶାପ ଦେଉଥିଲି ,ଯଦିଓ ମାଆ ଠାରୁ ମୁଁ ଅବଗତ ଥିଲି ଯେ ସେ ମୋତେ ଅଗ୍ରଜ ତୁଲ୍ୟ ଭକ୍ତି କରେ । ସ୍ୱସନ୍ତାନର ମୋହରେ ବାନ୍ଧି ହୋଇ ମାଆ ମଧ୍ୟ ବାପାଙ୍କ ଠାରୁ ଦୂରରେ ରହିଲା, ବୃଦ୍ଧାବସ୍ଥାର,ଅଧିକାଂଶ ସମୟରେ । ବାପାଙ୍କ ସହ ମୋର ସମ୍ପର୍କ କୁ ନେଇ ସେ ଚର୍ଚ୍ଚା କଲା ମାତ୍ରେ ମୋର ହିତାହିତ ଜ୍ଞାନ ଲୋପ ପାଇ ଯାଉଥିଲା । ସେହି ଶୋକରେ ମାଆ ମୋର ଶଯ୍ୟା ଶାୟିନୀ ହୋଇ ରହିଲା,ମୋରି ପାଖରେ । କିନ୍ତୁ କ୍ରୋଧ ଚଣ୍ଡାଳର ପ୍ରଭାବରେ ମାଆ ର ଅନ୍ତିମ ସମୟରେ ସୁଦ୍ଧା ମୁଁ ଵାପାଙ୍କୁ ଖବର ଦେଇ ନ ଥିଲି । ମାଆର ମୃତ୍ୟୁ ପରେ ମୋର ସ୍ତ୍ରୀ ଯିଏ କି ଏକ ଯନ୍ତ୍ର ମାନବୀ ସଦୃଶ୍ୟ ଥିଲା,ଆବେଗରହିତା,ଅତ୍ୟାଧୁନିକା(ଆମ ପାରିବାରିକ ସମ୍ପର୍କ ନେଇ ଅଯଥାରେ ଚିନ୍ତା କରୁନଥିଲା ଓ ନିଜର ମୁଣ୍ଡ ମଧ୍ୟ ପୁରାଉ ନଥିଲା),କେଜାଣି କେମିତି ଵାପାଙ୍କୁ ଖବର ଦେଇଥିଲା । ବାପା ଓ ଭାଇ ଆସିଥିଲେ, କିନ୍ତୁ ଯନ୍ତ୍ର ଚାଳିତ ପରି ମୁଁ ମୋର କର୍ତ୍ତବ୍ୟ କରିଥିଲି ସିନା, ହୃଦୟରେ ସେ ଦି’ ଜଣକୁ ସ୍ଥାନ ଦେଇ ପାରି ନଥିଲି । ଆଜି ମୋ ଵାପାଙ୍କୁ ମୁଁ ଝୁରୁଛି, ତାଙ୍କର ଗଲାପରେ । ଏ ସଦ ବୁଦ୍ଧି ଟିକକ ଯଦି କିଛି ସମୟ ପୂର୍ବରୁ ଉଦୟ ହୋଇ ଥାନ୍ତା, ତେବେ ମୁଁ ମୋର ପିତା ମାତାଙ୍କୁ ଏତେ ଶୀଘ୍ର ହରାଇ ନ ଥାନ୍ତି । (ମୋ ପରି ନିଚ୍ଚମନା ନ ହେବାକୁ ପାଠକ ମାନଙ୍କୁ ମୋର ବିନିତ ଅନୁରୋଧ)

ମୋର ସାତ ବର୍ଷର ପୁଅକୁ ଧରି ମୁଁ ବୁଲୁଥିଲା ବେଳେ ଏକ୍ୟୁରିୟମଟିଏ ଦେଖି ମୋ ପୁଅ ଅଟକି ଗଲା । ସେ ମାଛ ମାନଙ୍କର ଖେଳ କୌତୁକରେ ମଜ୍ଜି ଯାଇଥିବା ବେଳେ ମୁଁ ହଜିଯାଇଥିଲି ମୋର ଅତୀତରେ । ମାଛମାନଙ୍କୁ ଆଜିକାଲି ଆଉ ଜୀବନ୍ତ ଜିଆ ଖାଇବା ପାଇଁ ଦିଆ ଯାଉ ନାହିଁ । ଉନ୍ନତ ଧରଣର dry food ଆସି ଯାଇଛି ବଜାରକୁ । ତେଣୁ ମାଛମାନେ ଆଉ ଗୋଟିଏ ଜିଆର ଦି ମୁଣ୍ଡ ଧରି ଦି ଗଡ଼ କରୁ ନାହାନ୍ତି । ଜିଆ ଆଉ ପାଣିରେ ଭାସିବେନି କି ଆଉ ମରି ସଢି଼ବେନି । ମୋର ବାପା ମଧ୍ୟ ଆଉ କେବେବି ଫେରିବେନି ।

ମୋର ହୃଦୟ ଆନ୍ଦୋଳିତ ହୋଇ ଉଠିଲା । ଚତୁର୍ଦିଗ ମୋତେ ବାପାମୟ ମନେ ହେଲା । ବାପା ମୋର ଏତେ ବଡ ପୁଣ୍ୟ କାମଟିଏ କରିଥିଲେ ଅଥଚ ମୁଁ କେଡ଼େ ଅମଣିଷ,କେଡ଼େ ହତଭାଗ୍ୟ । ଅନ୍ତର ମୋର ବିଳପି ଉଠିଲା,

ବାପା, ବାପା

ମୋ ପୁଅ ମୋଠାରୁ କଣ ଶିକ୍ଷା ଗ୍ରହଣ କରିବ?

ଛି!! ଛି! ନିଜ ପ୍ରତି ଘୃଣାରେ ମୁଁ ଅତିଷ୍ଠ ହୋଇ ପଡ଼ିଲି । ଅନ୍ତର୍ଦ୍ୱନ୍ଦ ରେ ଛଟପଟ ହୋଇ ମୁଁ କେତେବେଳେ ଯେ 'ତମନ୍ନା' ନାମକ ଏକ ଅନାଥାଶ୍ରମର ଫାଟକରେ ପହଞ୍ଚି ଯାଇ ଥିଲି ମୁଁ ସ୍ୱୟଂ ଜାଣି ପାରି ନଥିଲି ।

ପୁଅ କାବା ହୋଇ ମୋତେ ଅନାଇଲା ।

ତାକୁ କହିଲି, ବାପା, ତୋ ପାଇଁ ଏକ ଭାଇ ନେବା ।

ପୁଅ ଆନନ୍ଦରେ କୁରୁଳି ଉଠି ମୋତେ ଜଡେଇ ଧରିଲା ।

ଆରତୀ ସାହୁ(ଆଶା)

ବାପା ଏକ୍ୟୁରିୟମ ହତଭାଗ୍ୟ

Rate the content


Originality
Flow
Language
Cover design

Comments

Post

Some text some message..