Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Urbashi Satpathy

Tragedy

5.0  

Urbashi Satpathy

Tragedy

ଭୋକ

ଭୋକ

5 mins
508


ଆଉ ଦଶ ଦିନ ପରେ ପୁଷ୍ ପୁନି । ଖୁସିରେ ଫୁଲ ର ଗୋଡ ତଳେ ଲାଗୁ ନଥାଏ ।ବିଦେଶରୁ ତା ମରଦ ମଙ୍ଗୁଳୁ ଆସୁଛି ।ଏଥର ଆସିଲେ ଆଉ ସେ ଦାଦନ ଖଟିବାକୁ ଯିବ ନାହିଁ । ତା ଠିକାଦାର ବାବୁ କହିଛି ଏଇଠି ସେ ମଙ୍ଗୁଳୁ ପାଇଁ କାମ ଯୋଗାଡ କରିଦବ । ଭାରି ଭଲ ମଣିଷଟାଏ ଏଇ ଠିକାଦାର ବାବୁଟା ।

ପୁଷ୍ ପୁନି, ପୁଣି ମଙ୍ଗୁଳୁ ଆସୁଛି । ଆଉ ଠିକାଦାର ତାକୁ କାମ ଦବ । ଏତେ ଖୁସି ଏକା ସାଙ୍ଗେ !!! ହେ ମା , ତୁଇ ସାହା ଭରସା କହି ଜୁହାରଟାଏ କରି ତରତର ହେଇ କାମକୁ ବାହାରିଲା ବେଳକୁ କିଏ ଜଣେ ଆସି କହିଲା , ଆଲୋ ହେ ଫୁଲ , କଣ ଗୋଟାଏ ଭାରତ ବନ୍ଦ ହେଇଛ ଦୁଇ ଦିନ ପାଇଁ , ମଙ୍ଗଳବାର ଆଉ ବୁଧବାର । ତେଣୁ କାମ ବନ୍ଦ । ଫୁଲ ହିସାବ କଲା ,ରବିବାର ଟା ତ ତା'ର ଛୁଟିରେ ଗଲା । ଦେହ କସମସ୍ ଲାଗିବାରୁ ସୋମବାର ବି ସେ କାମକୁ ଯାଇ ପାରିନି । ଏବେ ପୁଣି ଦୁଇ ଦିନ କାମ ବନ୍ଦ । ଫୁଲ ଏତିକି ବୁଝିଲା ଯଦି ଆଜି ସେ କାମ ନ ଯାଏ ତାହେଲେ ଖାଡା ଉପାସରେ ତାକୁ ଆଉ ତା ଦୁଇଟା ଛୁଆକୁ ରହିବାକୁ ପଡିବ ।

ମଙ୍ଗଳବାରଟା ଯାହା ଯେମିତି କରି ଫୁଲ ଚଳେଇ ନେଲା । ଆଜି ବୁଧବାର । ଘରେ ଖୁଦ କଣିଟିଏ ବି ନାହିଁ । ଝୁମ୍ପୁଡି ଭିତରକୁ ପଶି ଯାଇ ହାଣ୍ଡି , ଡେକଚି , କୁଲା , ଡଲା, ସବୁ ଦରାଣ୍ଡି ପକେଇଲା ଫୁଲ । କୋଉଠି କିଛି ନାହିଁ । ଇଆଡେ ସକାଳୁ ସକାଳୁ ଛୁଆ ଦି 'ଟା ଭୋକବିକଳରେ ରଡି ଛାଡିଲେଣି । ପେଟ ପୋଡି ଯାଉଛି ଏ ନିଆଁଲଗା ଦୁଇଟାର । ସାନ ଛୁଆଟା ଭେଁ ଭେଁ ହେଇ ଆସି ଲୁଗା ଆଡେଇ ଫୁଲ ଛାତି ରେ ମୁହଁ ଜାକିଦେଲା । ବଡଟା କାନ୍ଦି କାନ୍ଦି ଜୁଳୁ ଜୁଳୁ କରି ମାଆ ମୁହଁକୁ ଅନେଇ ରହିଛି । ମନେ ମନେ ମଙ୍ଗୁଳୁକୁ ସମ୍ପି ପକଉଥାଏ ଫୁଲ । ଛୁଆ ଦୁଇଟା ର ବିକଳ ସେ ଆଉ ସହି ପାରିଲା ନାହିଁ । କଇଁ କଇଁ ହେଇ କାନ୍ଦି କହି ପକେଇଲା , ହେ ମାହାପ୍ରୁ , ତୁଇ ଏ ଗରିବ ନୁକଗୁଡାକୁ ଭୋକ କିଆଁ ଦଉ ? କେତେବେଳେ ବାରଟା ବାଜିଗଲା କି କଣ । ଆଉ ନୁହେଁ । ତା ପେଟ ବି ଜଳିଲାଣି ଭୋକରେ ।

ହଠାତ୍ ଫୁଲ ର ଠିକାଦାର ବାବୁ କଥା ମନେ ପଡିଲା । ଭଲ ମଣିଷ ଟାଏ । ତା ମରଦକୁ କାମ ଦବ କହିଛି , ସେ ନିଜେ ଏତେ ଦିନ ଧରି ତା ପାଖରେ କାମ କରିଛି । ମନା କରିବନି ତାକୁ । ଫୁଲ ତରତର ହେଇ ଠିକାଦାର ର କୋଠା ଆଡେ ମୁହେଁଇଲା ।

-----ବାବୁ ....... ଏ ବାବୁ........ମୁଁଇ ଫୁଲ .....

------ କିଏ ? ଫୁଲ କି ଲୋ ? ଆ....ଆ.... ମୁଁ ଜାଣିଥିଲି ଲୋ ତୁ ଆସିବୁ ବୋଲି ।

---------ତୁଇ କେମିତି ଜାଣିଲୁ ବାବୁ ମୁଇଁ ଆସିବି ବୋଲି ?

--------ଆଲୋ , ତମ ମାନଙ୍କ ର ସୁବିଧା ଅସୁବିଧା , ଭଲ ମନ୍ଦ ଖବର ମୁଁ ରଖିବିନି ତ ଆଉ କିଏ ରଖିବ ?

ଆହା ,କେଡେ ଭଲ ମଣିଷ ଟାଏ। ମନ କଥା ବି ଜାଣି ପାରେ । ଫୁଲ ନଜରରେ ଠିକାଦାର ଟା ଆହୁରି ମହାନ୍ ପାଲଟି ଗଲା ।

-----ହଉ ବାବୁ , ତୁ କେଡେ ଭଲ । ଛୁଆ ଦି ଟା ମୋର ଭୋକରେ ଆଉଟୁପାଉଟୁ , ମୋତେ ଦୁଇଦିନ ର ଆଗତୁରା ମଜୁରୀ ଦେ , କାମ କରି ମୁଁ ଶୁଝିଦେବି ।

ଅଳ୍ପ ହସି ନିଶ କୁ ମୋଡି ଘର ଭିତରକୁ ଯାଇ ଅଳ୍ପ କିଛି ଆଣି ଫୁଲ ଅଣ୍ଟିରେ ପକେଇ ଦେଇ , ନେ ୟା କୁ , ଶିଘ୍ର ଯାଇ ଛୁଆଙ୍କୁ ଖାଇବାକୁ ଦେ । ସନ୍ଧ୍ୟା ରେ ଆସିବୁ ତୋତେ ଆହୁରି ଦେବି । ଚଞ୍ଚଳ ଚଞ୍ଚଳ ପାଦ ପକେଇ ଫୁଲ ଘରକୁ ଆସି ଛୁଆ ଦିଟା କୁ ଖୋଇପେଇ ଶୁଏଇ ଦେଇ ଠିକାଦାର ପାଖକୁ ବାହାରିଲା ବେଳକୁ ଟିକେ ଡେରୀ ହେଇ ଯାଇଥିଲା ।

କୌଣସି ଭୟ , ଭ୍ରାନ୍ତି କି ଶଙ୍କା ନକରି ତା ଦୃଷ୍ଟିରେ ସୃଷ୍ଟିର ସବୁଠାରୁ ଭଲ ମଣିଷ ଠିକାଦାର ବାବୁ ପାଖରେ ଅଗ୍ରୀମ ମଜୁରୀ ପାଇଁ ପହଞ୍ଚି ଯାଇଥିଲା ଫୁଲ ।

* * * *

ସେଦିନ ଫୁଲର ଶତ ବାରଣ , କାକୁତିମିନତି , ଅନୁନୟ ବିନୟ ସବୁ ହାର୍ ମାନିଥିଲା ଠିକାଦାର ପାଖରେ । ହାତରେ ତାର କେଇଟା ଟଙ୍କା ଗେଞ୍ଜି ଦେଇ , ଏମିତି ସୁବିଧା ଅସୁବିଧାରେ ଆସୁଥିବୁ ଲୋ ଫୁଲ , କହି ହସିଥିଲା ଠିକାଦାର । କବାଟ କଣରେ ପଡିଥିବା ପାଞ୍ଚ ହାତି କସ୍ତା ଲୁଗାଟାକୁ ଦେହରେ ଗୁଡେଇ ଦେଇ ପାଦ ଘୋଷାରି ଘୋଷାରି ଫୁଲ କେତେବେଳେ ଝୁମ୍ପୁଡି ରେ ପହଞ୍ଚି ଯାଇଛି ।

ଫୁଲର ମନ ବିଦ୍ରୋହ କରି ଉଠୁଥିଲା । ସେ ଭଲ ଲୋକ ଭାବି ଯୋଉ ମଣିଷ ଟା କୁ ଉଚ୍ଚ ଆସନରେ ବସେଇଥିଲା ସେଇ ଲୋକଟା ....... ଛିଃ.......। ମନ ହେଉଥିଲା ତାର ବିଦ୍ରୋହ ର ନିଆଁ ରେ ସମଗ୍ର ସଂସାର ଟାକୁ ସେ ଜାଳିଦବ । ତଥାପି ତାର ହାତଗୋଡ ବନ୍ଧା ହେଇ ଯାଇଥିଲା ସେଇ ଭୋକିଲା କ ଅଁଳା ଛୁଆ ଦିଟା ଙ୍କ ପାଇଁ । ଫୁଲ ହେଇ ଯାଇଥିଲା ଅସହାୟ ।

ଚାରିଦିନ ବିତିଗଲା । ସେମିତି ଝୁମ୍ପୁଡି ଭିତରେ ପଡି ରହିଛି ଫୁଲ । କାମକୁ ବି ଗଲାନି । ଦେହରେ ଯୁ ନାହିଁ । ଠିକାଦାର ଦେଇଥିବା ପଇସା ଶେଷ । ପୁଣି ପେଟ ଚିନ୍ତା । ବାଃ , ଅନ୍ନ ଚିନ୍ତା ଚମତ୍କାର । କଣ କରିବ ଫୁଲ ? କାହାକୁ କହିବ ଏ କଥା ? ମରିପାରୁନି କି ବଞ୍ଚି ପାରୁନି । ମଙ୍ଗୁଳୁ ଆସିବା ଯାଏଁ ଛୁଆ ଦୁଇଟାକୁ ସେ ବଞ୍ଚେଇ ରଖିବ ।

ରାତି ର ମେଞ୍ଚା ମେଞ୍ଚା ଅନ୍ଧାର ଭିତରେ ଫୁଲ ବସି ବସି ଭାବୁଛି ,ସେ ତ ପୋଡାକାଠ ଟାଏ ହେଇ ଯାଇଛି । ଥରେ ଜଳିପୋଡି ଯାଇଛି । ପୋଡାକାଠ ଟା ଆଉଥରେ ଜଳିଗଲେ କ'ଣ ଟା ହେଇଯିବ ? ଶେଷରେ ଅଙ୍ଗାର ମେଞ୍ଚେ ହେଇଯିବ । ଏମିତି କେତେ କଣ ଭାବି ଭାବି ଛାତିକୁ ପଥର କଲା ଫୁଲ । ବସ୍ତିରେ ସବୁ ଶୋଇଗଲା ପରେ ଠିକାଦାର ର କୋଠା ଆଡେ ଗୋଡ ବଢେଇଲା । କେହି କିଛି ଦେଖିଲେନି କି ଜାଣିଲେନି ।

ଆଜି ପୁଷ୍ ପୁନି । ଖୁସିରେ ବସ୍ତି ଉଠୁଛି ପଡୁଛି। ମଙ୍ଗୁଳୁ କେତେବେଳେ ବି ଆସି ପହଞ୍ଚି ଯାଇପାରେ । ହେଲେ ଫୁଲ ମନରେ ସରାଗ ନାହିଁ । ନାଚଗୀତ କୁ ଗଲାନି କି ମାଦଳ ର ତାଳେ ତାଳେ ନାଚିଲାନି ।

ରାତି ବାରଟା କି ଗୋଟାଏ ହବ। ହାଣ୍ଡିଆ ଆଉ ମହୁଲି ନିଶାରେ ସାରା ବସ୍ତି ବାସିନ୍ଦା ମସଗୁଲ୍ । ବୋଧହୁଏ ତାକୁ ଛାଡି । ଛୁଆ ଦି'ଟା କେତେବେଳୁ ଶୋଇ ଗଲେଣି ।

ଫୁଲ ଧୀରେ ଉଠି ଚିରୁଣୀ ଟା ଆଣି ମୁଣ୍ଡରେ ପହଁରେଇ ଦେଇ କୋରେଇ ଫୁଲ ଦି ଟା ଖୋସି ଦେଲା । ଭଲ ଲୁଗା ଖଣ୍ଡେ ପିନ୍ଧିଲା । ଚାଳରୁ କ'ଣ ଗୋଟାଏ ଆଣି ଅଣ୍ଟା ପାଖରେ ଖୋସିଦେଇ ଖୁବ୍ ସନ୍ତର୍ପଣରେ ବାହାରିଗଲା ।

ନିର୍ବିକାର ଭାବରେ ଯାଇ ତା ଠିକାଦାର ବାବୁ ପାଖରେ ପହଞ୍ଚିଗଲା ଫୁଲ । ହସି ହସି କେତେ କ'ଣ ମିଠା କଥା ହେଲା । ଫୁଲ ହାତରୁ ପେଟେ ହାଣ୍ଡିଆ ପିଇ ଠିକାଦାର ଟା ନିଶାରେ ଟଳମଳ । ଫୁଲ ହାତ କୁ ଧରି ପାଖକୁ ଟାଣି ଆଣୁ ଆଣୁ କଚାଡି ହେଇ ଖଟ ଉପରେ ପଡିଗଲା । ବାସ୍ , ଏଇଟା ହିଁ ଠିକ୍ ସମୟ । ଫୁଲ ଆଖିରୁ ଅଗ୍ନି ସ୍ଫୁଲିଙ୍ଗ ବାହାରୁଛି । ଶକ୍ତ ମୁଠାରେ ଅଣ୍ଟା ରୁ କଟୁରୀ ଟା ବାହାର କରି ଠିକାଦାର ବେକ ଉପରେ ଦି ଚାରି ଚୋଟ ପକେଇ ଦେଇ ଥୁ' କରି ଛେପ ଲେଣ୍ଡାଏ ତା ମୁହଁ ଉପରେ ପକେଇ ଦେଇ ବାହାରି ଆସିଲା ।

ରାତି ର ତୃତୀୟ ପ୍ରହର ବେଳକୁ ମଙ୍ଗୁଳୁ ଆସି ପହଞ୍ଚିଲା । ଫୁଲ ତା ପାଖରୁ ଦୂରେଇ ହେଇ ଠିଆହେଇ କହିଲା , ମଙ୍ଗୁଳୁ ରେ, ମୁଇଁ ତୋ ପାଇଁ ଅଛୁଆଁ ହେଇ ଯାଇଛି ରେ । ମୁଇଁ ଗୁଟେ ବହୁତ୍ ବଡ ପାପଟେ କରିଛି । ମୁଇଁ ମଣିଷ ମାରିଛି । ତୋ ଛୁଆ ତୁଇ ପାଇଲୁ ରେ ।

----ରହ ଫୁଲ , ତୁ କୁଆଡେ ଯାଇ ପାରିବୁନି ।ଫୁଲ ପାଖରୁ ସବୁ ଶୁଣି ସାରି ମଙ୍ଗୁଳୁ କହିଲା ,ଆଲୋ , ତୁ ମୋ ପାଇଁ ସବୁଦିନ ଫୁଲ ଭଳି ପବିତ୍ର । ପାପ ତ ସେଇ ମହିଷାସୁର ଟା କରିଥିଲା । ପାପୀ ସେଇ । ତା ପାପ ପାଇଁ ତୁ କାହିଁକି ଦଣ୍ଡ ପାଇବୁ? ଭଲ କରିଛୁ ତାକୁ ମାରି ଦେଇ । ପୃଥ୍ବୀ ମାଆ ର ଭାର ତୁ ଉଶ୍ବାସ କରି ଦେଇଛୁ ଲୋ ଫୁଲ । ଆସ୍ ଫୁଲ , ମୋ ପାଖକୁ ଆ ଲୋ ।

ବସ୍ତି ଭିତରୁ ଶୁଭୁଥିବା ମାଦଳ ର ତାଳେ ତାଳେ ହାତ ଧରାଧରି ହେଇ ମଙ୍ଗୁଳୁ ଆଉ ଫୁଲ ଖୁସିରେ ନାଚି ନାଚି ପୁଷ୍ ପୁନି ଗୀତ ଗାଇ ଉଠିଲେ ।


Rate this content
Log in

Similar oriya story from Tragedy