Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିଶ୍ୱାସ ର ବସୁନ୍ଧରା
ବିଶ୍ୱାସ ର ବସୁନ୍ଧରା
★★★★★

© Manoj Kumar Panda

Others

10 Minutes   660    29


Content Ranking

ବିଶ୍ୱାସ ଏକ ଅମୂଲ୍ୟ ଧନ। କିନ୍ତୁ ସମସ୍ତେ ଏହାର ମହତ୍ତ୍ୱ ବୁଝିପାରନ୍ତି ନାହିଁ। ଯେଉଁମାନେ ଏଇ ଅମୂଲ୍ୟଧନ ସହିତ ବିଶ୍ୱାସଘାତକତା କରନ୍ତି, ସେମାନେ ନିଜେ କ୍ଷତିଗ୍ରସ୍ତ ହୁଅନ୍ତି, କେହି ତାଙ୍କୁ ବିଶ୍ୱାସ କରନ୍ତି ନାହିଁ। ଫଳତଃ ସେମାନେ ଅବିଶ୍ୱସ୍ତ ହୋଇ ରହିଯାଆନ୍ତି। ବିଶ୍ୱାସର ବନ୍ଧୁତା ସବୁଠାରୁ ବଡ଼ ବନ୍ଧୁତା। ସେଥିପାଇଁ କୁହାଯାଏ, ”ସାଙ୍ଗକେ ମରି, ସାଙ୍ଗକେ ତରି, ସାଙ୍ଗକେ ଘର ଦୁଆର କରି।“ ସେହି ହେଉଛି ପ୍ରକୃତ ବନ୍ଧୁ, ଯିଏ ବିଶ୍ୱସ୍ତ ଭାବରେ ଅନ୍ୟ ବନ୍ଧୁର ଦୋଷତ୍ରୁଟି ଦର୍ଶାଇଦିଏ ଏବଂ ସୁଧାରିବାକୁ ଆଗ୍ରହୀ ହୁଏ। ବନ୍ଧୁତାର ହସ୍ତକ୍ଷେପରେ ଅନ୍ୟ ବନ୍ଧୁର କେତେ ଅସୁବିଧା ଦୂର ହୁଏ, କେତେ ସମସ୍ୟାର ସମାଧାନ ହୋଇଯାଏ, ପୁଣି କେତେ ବଦଗୁଣ ପରିଣତ ହୋଇଯାଏ ସଦ୍‌ଗୁଣରେ।

ବିଶ୍ୱାସରେ ଅସମ୍ଭବ ହୋଇଯାଏ ସମ୍ଭବ। ବିଶ୍ୱାସ ବଳରେ ଶ୍ରୀରାମ ଦର୍ଶନ ଦିଅନ୍ତି ଶବରୀକୁ, ବିଶ୍ୱାସରେ ବାଡିଗାଡିଆ ପ୍ରୟାଗ, ପୁଷ୍କରରେ ପରିଣତ ହୁଏ। ପଙ୍ଗୁ ଗିରି ଲଙ୍ଘନ କରେ। ମୂକ ବାଚାଳ ହୁଏ। ସ୍ତମ୍ଭରୁ ନରସିଂହ ମୂର୍ତ୍ତି ବିଶ୍ୱାସବଳରେ ପ୍ରକଟିତ ହୁଅନ୍ତି। ଭଗବତ୍‌ ବିଶ୍ୱାସରେ ଜୀବନ ଧନ୍ୟ ହୁଏ, ପୂର୍ଣ୍ଣ ବି ହୁଏ। ବିଶ୍ୱାସରୁ ଭଗବାନଙ୍କ ଉପରେ ଭରସା ଆସେ। ଭରସାରୁ ସଙ୍କଳ୍ପ ଏବଂ ସଙ୍କଳ୍ପରୁ ସିଦ୍ଧି ଆସେ। କାରଣ ବିଶ୍ୱାସର ବାଟ ଦେଇ ଭଗବତ୍‌ କୃପା ଝରିଆସେ। ସାଧାରଣ ଜୀବନରେ ସମସ୍ତ ପ୍ରକାର ସଫଳତାର ମୂଳରେ ରହିଛି ବିଶ୍ୱାସ। ଆତ୍ମବିଶ୍ୱାସ ଆଣେ ଏକାଗ୍ରତା, ଅଧ୍ୟବସାୟର ମାନସିକତା। ଯାହାର ଆତ୍ମବିଶ୍ୱାସ ନାହିଁ, ତା’ର ଅଗ୍ରଗତି ନାହିଁ।

ଜୀବନରେ ବିଶ୍ୱାସର ସ୍ଥାନ ଯେପରି ଅଛି ଅବିଶ୍ୱାସର ସ୍ଥାନ ମଧ୍ୟ ସେପରି ରହିଛି। କେତେ କଥାକୁ ଅବିଶ୍ୱାସ କରିବାକୁ ପଡ଼ିବ। ଏଇ ଯେମିତି ଶଠ, ଦୁଷ୍ଟ ଓ ଖଳ ଲୋକକୁ ଅବିଶ୍ୱାସ କରିବା ଉଚିତ। ତେଣୁ କୁହାଯାଇଛି ‘ଖଳକୁ ଦେଖିଲେ ଖସିବ’। ଖଳ ଲୋକଙ୍କର ଚାରିପଟରେ ଏକ ଭୟଙ୍କର ବିଷବଳୟ ଥାଏ, ସେହି ବଳୟର ସ୍ପର୍ଶ ଲାଗିଲେ ଶାନ୍ତ ଲୋକ ଅଶାନ୍ତ ହୋଇଯାଏ, ଦୁଃଖଦୁଶ୍ଚିନ୍ତା ମାଡିବସେ। ଘଡିକରେ ଘର ଭାଙ୍ଗିଯାଏ। ମନେପଡେ ଏଇ ପ୍ରସଙ୍ଗରେ ଶ୍ରୀରାମକୃଷ୍ଣଙ୍କ କଥା। ସେ କହନ୍ତି, ”ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି, ଏପରିକି ବାଘ ଭିତରେ ମଧ୍ୟ ଭଗବାନ ଅଛନ୍ତି, ଖଳ ଲୋକଙ୍କ ଭିତରେ ମଧ୍ୟ ଭଗବାନ ଅଛନ୍ତି। ବାଘ ଭିତରେ ଭଗବାନ୍‌ ଥିଲେ ମଧ୍ୟ ଯେପରି ବାଘ ପାଖକୁ ଯିବା ଉଚିତ ନୁହେଁ, ସେପରି ଖଳ ପାଖକୁ ଯିବା ଉଚିତ ନୁହେଁ।“ ଆଉ ଅବିଶ୍ୱାସ କରିବାକୁ ହେବ କାନକୁହା ଓ ଖୋସାମତିଆ ଲୋକଙ୍କୁ। କାନରେ ଫୁସ୍‌ଫାସ୍‌ କହି ସେମାନେ ନିଜ ସ୍ବାର୍ଥ ହାସଲ କରିବା ସହିତ ଅନ୍ୟର କ୍ଷତି କରିବାକୁ ଚେଷ୍ଟା କରିଥାନ୍ତି। ପୁଣି ଖୋସାମତିଆ ଲୋକ ନ ଡାକିଲେ ଆସନ୍ତି ଏବଂ ନ ପଚାରିଲେ ବି ବହୁ କଥା ପ୍ରଗଳ୍ଭ ହୋଇ ଭାଷନ୍ତି। ଅଯଥା ପ୍ରଶଂସା କରନ୍ତି, ଅନ୍ୟକୁ ଖୁସି କରିବାକୁ ଚେଷ୍ଟା କରୁଥାନ୍ତି। ସେମାନଙ୍କଠାରୁ ନିଜ ପ୍ରଶଂସା ଶୁଣିବା ଅର୍ଥ ଠକାମିରେ ପଡିବା। କାରଣ ସେମାନେ ଆସିଥାନ୍ତି ଭାଟ ପରି ପ୍ରଶଂସା କରି ନିଜର ଲକ୍ଷ୍ୟ ହାସଲ ନିମନ୍ତେ। ସେହିପରି ସର୍ବଦା ଚୁଙ୍ଗୁଚୁଙ୍ଗୁ ହେଉଥିବା ଲୋକ ଉପରେ ଆସ୍ଥା ରଖିବା ଉଚିତ ନୁହେଁ।

ମିଛ କହୁଥିବା ବ୍ୟକ୍ତି ଅତ୍ୟନ୍ତ ମାରାତ୍ମକ। ସେପରି ଲୋକଙ୍କୁ ଅବିଶ୍ୱାସ କରିବା ଉଚିତ। ଏପରି ଲୋକ ଗୁଜବ ପ୍ରଚାରରେ ଆଗୁଆ ହୋଇଥାଆନ୍ତି। ସତକୁ ମିଛ ଏବଂ ମିଛକୁ ସତ କରି ଗୁଜବକୁ ଆଉ ଟିକିଏ ରଙ୍ଗ ଦେଇ ବଢ଼େଇ ଚଢ଼େଇ କହିବା ଦିଗରେ ଏମାନେ ପାରଙ୍ଗମ। ଏମାନଙ୍କୁ ଅବିଶ୍ୱାସ କରିବା ସଙ୍ଗେ ସଙ୍ଗେ ଗୁଜବକୁ ଅବିଶ୍ୱାସ କରିବା ଉଚିତ। କୌଣସି ଘଟଣାକୁ ନ ବୁଝି ନ ଶୁଝି ହଠାତ୍‌ ସେଥିରେ ପ୍ରଭାବିତ ହେବା ଉଚିତ ନୁହେଁ। ପୁନଶ୍ଚ ଅପରିଚିତ ବ୍ୟକ୍ତି ପ୍ରତି ବିଶେଷତଃ ରେଳଯାତ୍ରା କାଳରେ ସତର୍କ ରହିବା ଉଚିତ। ସେମାନଙ୍କ ହାତରୁ କିଛି ଖାଦ୍ୟ ବା ପାନୀୟ ଗ୍ରହଣ କରିବା ଅନୁଚିତ। କାରଣ ସେହି ବ୍ୟକ୍ତି ନିଶାଦିଆ ଲୁଟେରା ହୋଇପାରନ୍ତି।

ଅନ୍ଧବିଶ୍ୱାସ ଆଉ ଏକ କଥା, ଯାହାର କରାଳ ଗ୍ରାସରେ ମଣିଷର ସର୍ବନାଶ ହୋଇଯାଏ। ଏଇ ଯେମିତି ସାପ କାମୁଡିଥିବା ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପାଖକୁ ନ ନେଇ ଝଡ଼ାଫୁଙ୍କାରେ ମାତି ସମୟ ନଷ୍ଟ କରିବା ହିଁ ଅନ୍ଧବିଶ୍ୱାସ। ହାଡଫୁଟି ହେଲେ ମା’ ଠାକୁରାଣୀ ବିଜେ ହୋଇଛନ୍ତି କହି ଚିିକିତ୍ସା ନ କରିବା ଅନ୍ୟ ଏକ ଅନ୍ଧବିଶ୍ୱାସ। ବିଲେଇଟିଏ ଯାନବାହନ ଆଗରେ ଗୋଟିଏ ପାଖରୁ ଅପରପାଖକୁ ଚାଲିଗଲା, ଅତଏବ ବିପଦର ସୂଚନା ଆସିଲା, ଏପରି ଭାବନା ହିଁ ଅନ୍ଧବିଶ୍ୱାସ। ତିନିଜଣ ଏକାଠି ଗୋଟିଏ ଘରୁ କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ବାହାରିବା ଅମଙ୍ଗଳଜନକ, ଏହା ଏକ ଅନ୍ଧବିଶ୍ୱାସ। ଯାତ୍ରା କାଳରେ ଘରୁ ବାହାରିଲା ବେଳେ କିଏ ଛିଙ୍କି ଦେବା ଅଶୁଭଜନକ ବୋଲି ବିଚାରିବା ଏକ ଅନ୍ଧବିଶ୍ୱାସ।

ସବୁଠାରୁ ବଡ଼ ଅନ୍ଧବିଶ୍ୱାସ ହେଉଛି ନୀଳତିମି ଏବଂ ‘ମୋମୋ’ ଜନିତ ଅନ୍ଧବିଶ୍ୱାସ, ଯାହା ଆଜିକାଲି ଯୁବ ସମାଜକୁ କେତେକାଂଶରେ ପ୍ରଭାବିତ କରୁଛି। ଯେଉଁମାନଙ୍କୁ ପ୍ରଭାବିତ କରୁଛି ସେମାନଙ୍କର ବହୁ କ୍ଷତି ଘଟାଉଛି। ସେମାନଙ୍କୁ ସର୍ବସ୍ବାନ୍ତ କରାଉଛି, ପୁଣି ସେମାନଙ୍କର ସର୍ବନାଶ ମଧ୍ୟ ଘଟାଉଛି। ଅପଶକ୍ତିଙ୍କ ଦୁଷ୍ଟବୁଦ୍ଧିର ଜାଲରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କେତେକ ଯୁବକ ଏପରି ଛନ୍ଦିହୋଇ ଯାଉଛନ୍ତି ଯେ, ତହିଁରୁ ମୁକୁଳିବା ସହଜ ହେଉନାହିଁ। ମୋବାଇଲରେ ଏପରି ନିର୍ଦ୍ଦେଶମାନ ଆସୁଛି ଯାହା ଭିତ୍ତିହୀନ ଓ ଯୁକ୍ତିହୀନ। କିଛି ଯୁବଶକ୍ତି ଏହାକୁ ବିଶ୍ୱାସ କରି ସର୍ବନାଶର କରାଳ ଗ୍ରାସରେ ପଡିଯାଉଛନ୍ତି। ଏପରି ଅନ୍ଧବିଶ୍ୱାସ ସର୍ବଥା ବର୍ଜନୀୟ।

ଆସନ୍ତୁ ଏହି ପରିପ୍ରେକ୍ଷୀରେ ଏକ ନିଆରା କାହାଣୀ ଶୁଣିବା।

ତୁମେ କାହାର ? ଯିଏ ସେବା ତର୍ପଣରେ ବୁଡ଼ି ରହେ, ତା’ର. . . ନା, ଯିଏ ତୁମକୁ ନେଇ, ଭକ୍ତି ଭାବନାରେ ଭାସୁଥାଏ, ତାହାର ? ମୁଁ ତ ଚଉଦବର୍ଷ କାଳ ଭକ୍ତିରେ କି ଭାବନାରେ ତୁମକୁ ଗ୍ରହଣ କରିନଥିଲି । କ’ଣ ମୋ ଶାଶୂଙ୍କ ସବୁ ପୁଣ୍ୟର ଫଳ, ମୋରି ପେଟରେ ଅଜାଡ଼ି ଦେଲ ? . . . କିମ୍ୱା ଶାଶୂଙ୍କ କଥାରେ ମୁଁ ଅସହାୟା ଦ୍ରୌପଦୀ ପରି ହାତ ଟେକି ଦେଲି ବୋଲି. . . ମୋତେ ନିଃସନ୍ତାନ ଦୋଷରୁ ଉଦ୍ଧାର କରିଦେଲ ପ୍ରଭୁ !

ପୁଣି କହୁଥାଏ ଲୀନା- “ତୁମେ ଦୁହେଁ ଯେମିତି ଚିରକାଳ ହସହସ. . . ସେମିତି ହସ ଲଖାଇ ରଖିବ- ତୁମରି ଦାନର ଓଠରେ । ତାକୁ ଚାହିଁଲାକ୍ଷଣି. . . ଯେମିତି ମୋତେ ତୁମ ମୁହଁ ଦିଶିବ । ତୁମ ହସ ଝରିବ । କୃପା କରିବ ତ ଠାକୁରେ !”

ରାଧାଦାମୋଦରଙ୍କ ଚନ୍ଦନ ଚର୍ଚ୍ଚିତ ପଥର ଦେହରୁ ବାସ୍ନା ଝରିଆସୁଥାଏ ତ. . . ସେହି ମହକରେ ମୁଗ୍ଧା ଲୀନା ଭାବୁଥାଏ- ଠାକୁରେ କ’ଣ ଶବ୍ଦରେ ଉତ୍ତର କରନ୍ତେ । ତାଙ୍କ ଇଙ୍ଗୀତରେ ବହୁଥିବା ପବନରେ ଚନ୍ଦନର ବାସ୍ନା. . . ଯେମିତି ଚିତ୍ତ ଚମକାଇ କହୁଛି- “ତଥାସ୍ତୁ ଲୀନା. . . ତଥାସ୍ତୁ !”

ପୁଣି ଭାବନା ଅନ୍ୟ ବାଗର-

ଡାରଉଇନ୍‌ଙ୍କ ବିବର୍ତ୍ତନବାଦଠୁ, ମେଣ୍ଡାଲ୍‌ଙ୍କ ବଂଶାନୁକ୍ରମର ବିକାଶ. . . କେହି ତ କହିନାହିଁ-ପୂଜା କଲେ, ପିଲା ହୁଏ ।

ପ୍ରାଚ୍ୟ ମୁନିଋଷିଙ୍କ ସିଦ୍ଧାନ୍ତ- ପରମାତ୍ମା ଓ ଆତ୍ମାର କଥା କହିଛି । ଇଚ୍ଛାରୁ ପ୍ରାଣରସର ରେଖା. . . ରେଖାରୁ ବିନ୍ଦୁ, ବିନ୍ଦୁରୁ ରୂପ ସର୍ଜନାର କଥା କହୁଛି- ଆମ ଆର୍ଷ ସାହିତ୍ୟ । ଆହୁରି ଗହନ କଥାକୁ ସ୍ପଷ୍ଟ କରିଦେଉଛି- ରୂପ ସର୍ଜନାର ବିନ୍ଦୁ ସ୍ୱରୂପ ପ୍ରାଣବ୍ରହ୍ମ ରେଖା ହେବା ଆଗରୁ, ସର୍ପ ପରି ମୋଡ଼ି ହୋଇ, ନିଦ୍ରାରେ ଥାଆନ୍ତି ମୂଳାଧାର ଚକ୍ରରେ । ଯୋଗମାୟାଙ୍କ ଇଚ୍ଛାରେ, ନିଦ୍ରାଛାଡ଼ି ସେ ଆସନ୍ତି ସ୍ୱାଧିଷ୍ଠାନ ଚକ୍ରକୁ । ଝରିଯାଆନ୍ତି ରେଖା ହୋଇ । ରେଖାରୁ ବିନ୍ଦୁ ଓ ବିନ୍ଦୁରୁ ପ୍ରାଣ- ବ୍ରହ୍ମର ସ୍ଥାପନା ହୁଏ । ପରମ ଯୋଗୀ ପତଞ୍ଜଳୀଙ୍କ ବିଚାରରେ- ପ୍ରକୃତି ରୂପିଣୀ ଯୋଗମାୟାଙ୍କର ବିନ୍ଦୁରୁ ବ୍ରହ୍ମରୂପୀ ପରମଙ୍କ ସହିତ ମିଳନ ହିଁ

. . . ଏକ ନୂତନ ଜୀବଧାରୀର ଦେହ ସୃଷ୍ଟି କରେ । ବିଜ୍ଞାନ କହେ- “ନାରୀର ଡିମ୍ୱାଣୁ ଓ ପୁରୁଷର ଶୁକ୍ରାଣୁରୁ ମିଳନରେ ପ୍ରାଣୀର ଉତ୍ପତ୍ତି । ଏ ଦୁଇଙ୍କୁ ଯଦି ପ୍ରକୃତି ଓ ପରମ ନାମ ଦିଆଯାଏ. . . ତେବେ ବିଜ୍ଞାନ ଓ ଅଧ୍ୟାତ୍ମବିଜ୍ଞାନ ବିଚାରରେ. . . ଶରୀର ସୃଷ୍ଟିର କଥା ତ ଗୋଟିଏ ।”

ସେମିତି, ବିଜ୍ଞାନ ଯାହାକୁ ଚିତ୍ତବୃତ୍ତି କହୁଛି, ମନୋବିଜ୍ଞାନ, ଅଧ୍ୟାତ୍ମବିଜ୍ଞାନ ତାକୁ ପଚିଶ ପ୍ରକୃତି ରୂପରେ ବିଚାର କରୁଛି । ଅଧ୍ୟାତ୍ମବିଜ୍ଞାନ ମନକୁ ନେଇ, ଯେଉଁ ସୂକ୍ଷ୍ମତମ ବିଚାର କରିଛି- ତାକୁ ମନ, ଅମନ, ବିମନ, ସୁମନ ଓ କୁମନ ନାମରେ ଅଭିହିତ କରି, ବିଜ୍ଞାନ ଏହାଠୁ ଅଧିକ କ’ଣ ବା କରିଛି ? ପୁଣି. . . ବିଜ୍ଞାନ ତ ଏବର । ଅଧ୍ୟାତ୍ମ ବିଜ୍ଞାନ କେଉଁ ସୁଦୂର ଅତୀତର ।

ବିଜ୍ଞାନର ଅଧ୍ୟାପିକା ଲୀନାର ମନ ଅଧ୍ୟାତ୍ମବିଜ୍ଞାନ ପକ୍ଷରେ ରହି, ତାକୁ ବିଭୋର କରିଚାଲିଲା । ଏବେ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଲା ଯେ- ମନର ସୂକ୍ଷ୍ମ ଓ ସ୍ଥୂଳ ଭେଦରେ ରୂପ ଦୁଇଟି । ମନ ପାଖରେ ସ୍ଥୂଳ ରୂପର ରାଧାଦାମୋଦରଙ୍କ ପଥର ମୁର୍ତ୍ତି ଯାହା, ସୂକ୍ଷ୍ମ ରୂପରେ ପ୍ରତି ଘଟରେ ଏ ଦୁହିଁଙ୍କ ଅବସ୍ଥିତି ବି ତାହା ।

ରାଧାଦାମୋଦର ହିଁ ପ୍ରକୃତି ଓ ପରମ. . . ଡିମ୍ୱାଣୁ ଓ ଶୁକ୍ରାଣୁ । ଦୁହିଁଙ୍କର ମିଳିତ ରୂପ- ଅର୍ଦ୍ଧାଙ୍ଗ ଈଶ୍ୱର, ଅର୍ଦ୍ଧାଙ୍ଗ ପାର୍ବତୀଙ୍କ ତଲ୍ଲୀନ ରୂପ. . . ଯେ କେହି ପ୍ରାଣୀ । ପରମା ଈଶ୍ୱରୀ ଓ ପରମ ଈଶ୍ୱର ରୂପରେ, ସେମାନେ ଜଗତକୁ କ୍ରିୟାଶୀଳ କରିଛନ୍ତି ।

ଇଚ୍ଛାହେଲା ପଚାରିବାକୁ, ଶାଶୂଙ୍କୁ- ପରମବ୍ରହ୍ମ ଓ ପରମ ବ୍ରହ୍ମାଣୀଙ୍କଠୁ ଆଉ କେହି ବଡ଼ ଅଛନ୍ତି କି. . . ଯେ କି, ଏ ଦୁହିଁଙ୍କ ଦ୍ୱାରା, ନିଜ ଇଚ୍ଛାକୁ ରୂପ ଦେଇଛନ୍ତି ।

ମୂଳରୁ ଲୀନା ବିଜ୍ଞାନର ଯଥାର୍ଥତା ପ୍ରତି ବିଶ୍ୱାସ ରଖୁଥିଲା । ଏବେ ସେଥିରୁ ଘୁଞ୍ଚିଆସି, ଆଧ୍ୟାତ୍ମିକତା ପ୍ରତି ଭରସା ରଖିଲା । ରାଧାଦାମୋଦରଙ୍କୁ ତା’ ବିଶ୍ୱାସର ପ୍ରତୀକ ରୂପେ ଗ୍ରହଣ କରୁଥିଲେ ବି, ଦୋଦୁଲ୍ୟମାନ ମନର ଅବସ୍ଥା ବେଳେ ବେଳେ. . . ! !

ନାନା ପ୍ରଶ୍ନ ଆସୁଛି ମନକୁ- ଆଦୌ କେହି ଦେଖିନଥିବା ବ୍ରହ୍ମ ଓ ଦେଖି ଦେଉଥିବା ବ୍ରହ୍ମାଣ୍ଡ ଭିତରୁ କିଏ ସତ. . . କିଏ ମିଛ ? ପଚାରିବାକୁ ଇଚ୍ଛା ହେଉଛି ଶାଶୂଙ୍କୁ, କିନ୍ତୁ ପଚାରିପାରୁନାହିଁ ଲୀନା । ଘରର ସବୁ ବଖରାରୁ ବୁଲିଆସି, ଜଳୁଥିବା ଆଳତିକୁ ରାଧାଦାମୋଦର ବିଗ୍ରହଙ୍କ ବିମାନ ଆଗରେ ରଖି, ଆଣ୍ଠେଇ ପଡ଼ିଲେ ଭକ୍ତିମତ ସୁଧାଦେବୀ । ଆଖିମୁଦି. . . ହାତ ଯୋଡ଼ି ଦେଇ ଗାଇଲେ-

ଓଁ ସଚ୍ଚିଦାନନ୍ଦ ରୂପାୟ. . . ନମୋଽସ୍ତୁ ପରମାତ୍ମନେ

ଜ୍ୟୋତିର୍ମୟ ସ୍ୱରୂପାୟ. . . ବିଶ୍ୱ ମାଙ୍ଗଲ୍ୟ ମୂର୍ତ୍ତୟେ ।

ନୈବେଦ୍ୟ ଅର୍ପଣ ପରେ, ଜଳ ତୁଳସୀ ଓ ପଞ୍ଚାମୃତ ଦେଲେ ବୋହୂକୁ । କହିଲେ- “ଏଇ ଅବସ୍ଥାରେ, ତୋର ବିନା କାହାରି ସାହାଯ୍ୟରେ ଏଠିକୁ ଆସିବା ନଥିଲା ।”

ମୋ ରାଧାଦାମୋଦର ସାଥୀରେ ଅଛନ୍ତି, ନା । ଲୀନା କହିଲା- ତୃପ୍ତି ସ୍ୱରରେ ।

ବିଲୋକ ହସରର ରେଖାଟିଏ ଆଙ୍କି ହୋଇଗଲା- ସୁଧାଦେବୀ ଓଠ ଧାରରେ । କହିଲେ- “ଏଇ ମୋର ଆସିଲେ ଯାଇ, ସେ ସାରାକାଳ ନିଜର ହୋଇ ରହନ୍ତି ମା’ । ତାଙ୍କୁ ଆଶ୍ରା କରିଥିବ ଲୋକର ସବୁ ଦୁଃଖକୁ ସେ ନିଜର କରି, ତା’ ଓଠରେ ହସ ଭରନ୍ତି । ଏହି ପାଇଁ, ତାଙ୍କର ନାଁ- ଦୁଃଖମୋଚନ ।

. . . ତୁ ଲୀନା, ତାଙ୍କର ଏ ସ୍ଥୂଳରୂପ ଆଗକୁ ନ ଆସି, ତୋ ଶେଯରେ ଶୋଇ ବସି. . . ସୂକ୍ଷ୍ମ ରୂପର ପୂଜା ଆରାଧନା କରିପାରିବୁ । ତାଙ୍କ ଅଦୃଶ୍ୟ ଆଶୀର୍ବାଦର ସ୍ପର୍ଶ ପ୍ରତ୍ୟକ୍ଷ ଭାବରେ ପାଇପାରିବୁ ।”

– କେମିତି ବୋଉ ?

ସୁଧାଦେବୀ କହିଲେ- “ସୂକ୍ଷ୍ମଙ୍କୁ ଧ୍ୟାନର ଆଖିରେ ଦେଖିବା ସହଜ ନୁହେଁ ବୋଲି, ପ୍ରଥମେ ସ୍ଥୂଳ ରୂପର ପୂଜା ହୁଏ । ସ୍ଥୂଳ ରୂପକୁ ଆରାଧ୍ୟ ମନେକରି, ତାଙ୍କ ପୂଜାରେ ମଗ୍ନ ରହିଗଲେ, ସେ ସୂକ୍ଷ୍ମରେ ବଦଳି ଯାଆନ୍ତି । ସେହି ସୂକ୍ଷ୍ମଙ୍କୁ ଭକ୍ତିଧାରାର ପ୍ରେମ ମାର୍ଗରେ ବଦଳାଇ ଦେଲେ, ଆରମ୍ଭ ହୁଏ ମାନସପୂଜା ।”

. . . ମନେ ମନେ ସେହି ଆରାଧ୍ୟାଙ୍କ ଶଯ୍ୟାତ୍ୟାଗ, ଶୌଚାଦି କର୍ମ, ଦନ୍ତମଞ୍ଜନ, ସ୍ନାନତର୍ପଣ, ଚିତାଧାରଣ, ବସନ ଭୂଷଣ ଓ ଆହାରାଦି ନାନାକର୍ମ ସମାପନ କରାଯାଏ ଆମ ମନୁଷ୍ୟଙ୍କ ପରି । ସାରାଦିନର କର୍ମ କରାଇବା ପରେ, ପୁଣି ତାଙ୍କୁ ମଧ୍ୟାହ୍ନ ଓ ରାତିରେ ଶଯ୍ୟାରେ ଶୁଆଇ ପକାଇବା ପର୍ଯ୍ୟନ୍ତ. . . ସମସ୍ତ କର୍ମ ମନେ ମନେ କରାଯାଏ । ପୁଅ ଝିଅଙ୍କର ମା’ ପରି. . . ବାପ ପରି. . . ସ୍ୱାମୀଙ୍କର ସ୍ତ୍ରୀ ପରି. . . ପ୍ରଭୁଙ୍କର ସେବାକାରୀ ଅବା ସେବାକାରିଣୀ ପରି ସମସ୍ତ ସେବା, ନିର୍ଦ୍ଦିଷ୍ଟ ଧାରାରେ, ପ୍ରେମ ଓ ଶ୍ରଦ୍ଧାର ସହିତ, ମନେ ମନେ କରାଯାଏ । ଏହା ହିଁ ମାନସ ପୂଜା । ଏ ପୂଜା ପୁଣି ଆରମ୍ଭ ହୁଏ ପରଦିନ ପ୍ରତ୍ୟୁଷରୁ. . . ମଙ୍ଗଳ ଆଳତି ଆରମ୍ଭରୁ । ଆରାଧ୍ୟଙ୍କୁ ନିଦ୍ରାରୁ ଉଠାଇବା ସମୟରୁ । କେତେ ଯେ ମଗ୍ନ ରହିଲେ ଯାଇ, ଏ ପୂଜା ସମ୍ଭବ. . . ଅନୁମାନ କର । ଏତେ ଆନନ୍ଦ ସେପରି ପୂଜାରୁ ମିଳେ, ଯାହା ଦୁନିଆଁର କୌଣସି ସୁଖ ସମ୍ଭୋଗରେ ନଥାଏ ।

. . . ହେଉ, ଏବେ ଧର୍ ମୋ କାନ୍ଧ । ଚାଲ୍ ତୋ ବିଶ୍ରାମ ଜାଗାକୁ । ତୋ ପିଲାକୁ ଏବେ ଧୀରସ୍ଥିର ହୋଇ ରହିବାକୁ ଦେ । ସେ ତା’ ପ୍ରଭୁଙ୍କୁ ହାତଯୋଡ଼ି, ନିରବରେ ପ୍ରାର୍ଥନା କରୁଥାଉ ତ. . . ତା’ ପାଇଁ ତୋ ଗର୍ଭର କ୍ଷୀର ସାଗରରେ । ତୁ ବିଚଳିତ ହେବୁ ତ. . . ସେ ଅସ୍ଥିର ହେବ । ସେ ଅସ୍ଥିର ହେବ ତ. . . ତା’ର ପୃଥିବୀକୁ ଆସିବା ବାଟରେ ବାଧା ପହଞ୍ଚିବ । ଆଉ କେଇଟା ଦିନ ଅପେକ୍ଷା । ସେ ସମୟ ଆସିଲେ, ସେ ନିଜେ ହିଁ ବନ୍ଦ ଦ୍ୱାର ଖୋଲି, ତା’ ଈଶ୍ୱରଙ୍କ ସଂସାର ଦେଖିବା ପାଇଁ, ଅଥୟ ହେଇ ସଙ୍କେତ ଦେବ । ସେଯାଏ ଦେହ କଷ୍ଟକୁ ଦାନ୍ତଜାବି ସହିଯା’ ମା’. . . ।

ଲୀନାକୁ କମର ପାଖରୁ ଧରୁ ଧରୁ ସୁଧାଦେବୀ ପଚାରିଲେ- “. . . ପ୍ରଣୟ କେବେକୁ ଡେଟ୍ ଦେଇଛି ?”

– ଆଉ ଚାରିଟା ଦିନ ରହିଲା ବୋଉ । “. . . ଫୋନ୍ କରିଥିଲା – ସେ କେବେ ଆସୁଛି ?”

ଲୀନା କ’ଣ ଉତ୍ତର କରିବାକୁ ଚାହୁଁଥିଲା ତ. . . ସୁଧାଦେବୀ କହିଲେ- “ସେ ଯେବେ ଆସୁଛି ଆସୁ । ତା’ ବୁଦ୍ଧିରେ, ମୁଁ ତତେ ନର୍ସିଂହୋମ୍‌ରେ ପୂରାଇବି ନାହିଁ । କି. . . ଡାକ୍ତରଙ୍କ ଦ୍ୱାରା ପେଟ ଚିରାଇବି ନାହିଁ । ତୋର ମୋର ରାଧାଦାମୋଦର ଅଛନ୍ତି ପରା । ସେ ସବୁକଥା ବୁଝିବେନି କି !”

– କିନ୍ତୁ ବୋଉ ! ସେ କହୁଛନ୍ତି- ବୟସ ଅଧିକ ହେଲାଣି । ଅଣ୍ଟା ଓ ଜଙ୍ଘ ପାଖର ହାଡ଼ ଖୁବ୍ ଶକ୍ତ ହେଇଥିବା ସହିତ, ମାଂସପେଶୀ ଦୃଢ଼ ହେଇଗଲାଣି । ସଞ୍ଚାଳନ କ୍ଷମତା କମିସାରିଛି । ଏଣୁ, ଡେଲିଭରୀ ସମୟରେ ସମସ୍ୟା ଦେଖାଦେବ । ପିଲାଟାର ନରମ ଖପୁରୀ ତଳେ ବ୍ରେନ୍ ଚିପି ହେଇଯିବ । ବ୍ରେନୀ ହେବ ନାହିଁ ପିଲାଟା । କିଛି ଶାରୀରିକ ଅକ୍ଷମତା ମଧ୍ୟ ଦେଖା ଦେଇପାରେ ।

ସୁଧାଦେବୀ ବିରକ୍ତ ହେଇ କହିଲେ- “ସେ ଯାହା ବି ବୁଝାଉଛି, ତତେ ବୁଝାଉ । ମୋର ସେଥିରେ ପଶିବାର ନାହିଁ, କି. . . ତତେ ମୋ ରାଧାଦାମୋଦରଙ୍କ ପାଖରୁ, ଅନ୍ତର କରିବାର ନାହିଁ । ଶୁଖିଲା ଲତାରେ ଫଳ ଧରାଇଛନ୍ତି ସେ । ଫଳ ତୋଳିବାର ଦାୟିତ୍ୱ ତାଙ୍କର ସେ ମାଳି ପରା । ତୋଳିବେ. . . କି, ଝଡ଼େଇବେ, ତାଙ୍କ ଇଚ୍ଛା । ଡାକ୍ତର କ’ଣଟା କରିବ ! ? !”

ସେଦିନ ସନ୍ଧ୍ୟାରେ ପୁଅ ପ୍ରଣୟ ପହଞ୍ଚିଲା ।

ଗାଇନିକ୍ ସ୍ପେସିଆଲିଷ୍ଟ୍ ବୋଲି, ଜିଦି ଧରିଲା- ଲୀନାକୁ ନର୍ସିଂହୋମ୍‌ରେ ଭର୍ତ୍ତି କରିବାକୁ । ବୋଉଙ୍କୁ ବିରୋଧ କରି କହିଲା- “ତୁ କ’ଣ ଗୋଟେ ମୂର୍ଖ ନାତି କି ନାତୁଣୀ ଦେଖିବାକୁ ଚାହୁଁଛୁ ? ମୁଁ ଡାକ୍ତର. . . ଜାଣେନି- କେଉଁଟା ଭୁଲ୍, କେଉଁଟା ଠିକ୍ ? ତୁ ଚାହୁଁ କି- ଯୋଉ ବୋହୂଙ୍କୁ ତୁ ଝିଅଠୁ ଅଧିକ କରୁ, ତାଙ୍କ ଜୀବନକୁ ବିପଦ ଆସୁ । ଗୋଟାଏ ମଲାଛୁଆ ଜନ୍ମ ହେଉ କିମ୍ୱା ଓ.ଟି.ରୁ ଧଳା ଚାଦର ଢାଙ୍କି ହେଇ, ଆଇସ୍ ରୁମ୍‌କୁ ପଶନ୍ତୁ- ତୋ ଗେହ୍ଲୀ ବୋହୂ ।”

– ଆରେ ପ୍ରଣୟ । ତୁ ଏମିତି କ’ଣ କହୁଚୁ ??

. . . ମୁଁ କାହାରି କଥା ଶୁଣିବି ନାହିଁ । ସେହି ପଥରକୁ ଠାକୁରମାନ. . . ମୋର କିଛି କହିବାର ନାହିଁ, କିନ୍ତୁ ତୁମେ ଶାଶୂବୋହୂ ଏମିତି କୁସଂସ୍କାରରେ ବୁଡ଼ିକି ଫସିଛ ଯେ. . . ଲୀନା ବି ମନା କରୁଛନ୍ତି- ନର୍ସିଂହୋମରେ ଏଡ୍‌ମିସନ୍ ନେବାକୁ । ଫାର୍ଶ ଲାଗିଛି, ଆଁ !

ସୁଧାଦେବୀଙ୍କ ଅଟଳ ବିଶ୍ୱାସର ଆକାଶକୁ କଳାବାଦଲ ଛାଇଗଲା । ଛଳଛଳ ଆଖିରେ ପୁଅ ମୁହଁକୁ ଚାହିଁ, କେବଳ ଏତିକି କହିଲେ- “ତୁ ଏଡ଼େ ବଡ଼ ଡାକ୍ତର ହେଲୁ । ତତେ ମୁଁ ଡାକ୍ତରଖାନାରେ ଜନ୍ମ ଦେଇ ନ ଥିଲିରେ ପ୍ରଣୟ । ମୋ ଶାଶୂ ତୋତେ ପୃଥିବୀକୁ ଆଣିବା ପାଇଁ, ମୋରି ପରି ବ୍ରତ ପାଳିଥିଲେ । ମୋ ରାଧାଦାମୋଦର. . . ତାଙ୍କର ବି ରାଧାଦାମୋଦର ଥିଲେ । ଯାହାଙ୍କୁ ପଥର କହୁଚୁ. . . ତାଙ୍କଠାରେ ଅପାର ଶକ୍ତି ଅଛି ବୋଲି ସେ ଜାଣିଥିଲେ. . . ମୁଁ ବି ଜାଣିଛି । ହେଉ. . . ତୋ ଇଚ୍ଛା । କାହିଁକି ନା. . . ତୁ ଛୁରୀ କଇଁଚି ଧରିବା ଶିଖିଚୁ. . . ଫୁଲମାଳ କି, ଚନ୍ଦନ, ଆଳତି ଧରିବା ଶିଖିନାହୁଁ । ସବୁ ମୋରି ଦୋଷରୁ ବାବା । ଏବେ ତୋ ଇଚ୍ଛା ।”

କେବଳ ଏତିକି କହି, ସୁଧାଦେବୀ ପୂଜା ଘରକୁ ପଶି, ଭିତରୁ କବାଟ କିଳି ଜଞ୍ଜିର ଲଗାଇ ଦେଲେ । ସନ୍ଧ୍ୟା ସମୟର ଜଳଖିଆ ଖାଇଲେନି କିମ୍ୱା କଫି କପେ ପିଇଲେ ନାହିଁ । ଲମ୍ୱ ହେଇ ପେଟେଇ ପଡ଼ିଲେ- ଫୁଙ୍ଗୁଳା ହାତ ଯୋଡ଼ିଏକୁ ରାଧାଦାମୋଦରଙ୍କ ପାଦ ଚାରୋଟି ଆଡ଼େ ବଢ଼େଇ ଦେଇ ।

ଆଖିରୁ ଧାର ଧାର ଲୁହ ଝରି ଚାଲିଲା. . . ।

ତେଣେ ପଲଙ୍କ ଶେଯରେ ଗର୍ଭ କଷ୍ଟରେ ଚିତ୍କାର କରୁଥାଏ ଲୀନା । ପ୍ରଣୟ ନର୍ସିଂହୋମ ଆମ୍ବୁଲାନ୍ସ ଗାଡ଼ିକୁ ତ. . . ଶହେ ଆଠ ଆମ୍ବୁଲାନ୍ସ ପାଇଁ ସରକାରୀ ହସ୍ପିଟାଲ୍କୁ ବାରମ୍ୱାର ଫୋନ୍ କରୁଥାଏ । ଯିଏ ଆଗେ ପହଞ୍ଚିବ, ସେହିଥିରେ ସେ ଲୀନାକୁ ଧରି, ବାହାରି ଯିବ ।

ରିଙ୍ଗ୍ ହେଉଥାଏ. . . କେହି ବି ଆଟେଣ୍ଡ୍ କରୁନଥାନ୍ତି । ପ୍ରଣୟ ବାରମ୍ୱାର ଟ୍ରାଏଲ୍ କରୁଥାଏ । ବ୍ୟସ୍ତ ହେଉଥାଏ । ପୂଜାଘର ଭିତରକୁ କିଛି ବି ଶୁଭୁନଥାଏ. . . ।

ସୁଧାଦେବୀ ବିକଳ ସ୍ୱରରେ କହୁଥାନ୍ତି- “ପ୍ରଭୁ ପଦରେ କଳଙ୍କ ଲାଗିଯିବ ହେ ରାଧାଦାମୋଦର । ଅଟଳ ବିଶ୍ୱାସର ପାହାଡ଼କୁ ଚୂନା କରିଦିଅନା । ତମେ କଂସର ବନ୍ଦୀଶାଳାରେ ବାରମ୍ୱାର ଦେବକୀଙ୍କୁ ଉଦ୍ଧାର କରିପାର । ବିଚାରୀ ଲୀନାକୁ ଥରେ ମାତ୍ର କାହିଁକି ନୁହେଁ ମହାପ୍ରଭୁ ? ପ୍ରଭୁପଣର ନିନ୍ଦା ସହିପାରିବିନି । ତମରି ଆଗରେ ପ୍ରାଣ ଛାଡ଼ିଦେବି ଠାକୁରେ । ଦୟାକର. . . କୃପାସାଗର !”

ସୁଧାଦେବୀ ଭିତରୁ କିଳିଥିବା ପୂଜାଘର କବାଟକୁ, ବାହାରୁ ଧଡ଼ଧଡ଼ କରୁଛି- ପ୍ରଣୟ । ଚିତ୍କାର କରି କହୁଛି- “ବୋଉ ! କବାଟ ଖୋଲ୍. . . ଶୀଘ୍ର ଆ. . . ! ଖୋଲ କବାଟ. . . ନ ହେଲେ, ଭାଙ୍ଗିଦେବି । ଲୀନା ମୂର୍ଚ୍ଛା ହେଇଯାଇଛନ୍ତି, ବୋଉ. . . ।

ଧ୍ୟାନ ତୁଟିଗଲା ସୁଧାଦେବୀଙ୍କର ।

ତାଙ୍କୁ ଲାଗିଲା- ଯେମିତିକି ବିଚାରୀ ଦେବକୀ ଶ୍ରୀକୃଷ୍ଣଙ୍କୁ ବନ୍ଦୀଶାଳାରେ ଜନ୍ମ ଦେଇସାରିଲେଣି । ଏବେ ଧଡ୍‌ଧାଡ୍. . . ଝଣ୍‌ଝାଣ୍ ହେଇ, ଖୋଲି ଯାଉଛି ବନ୍ଦଦ୍ୱାର । ବସୁଦେବ ଗୋପପୁରକୁ ବାହାରିଲେ ଅବା. . . ! ଏବଂ ଏବେ ତାଙ୍କୁ ଶ୍ରୀକୃଷ୍ଣଙ୍କ ଜନ୍ମକାଳର ଆଦ୍ୟ ଓଁକାର ପରି କୁଆଁ କୁଆଁ ଧ୍ୱନି ଶୁଭିଲା । ବାରମ୍ୱାର ସେହି ହୃଦୟ ଉଲ୍ଲାସକାରୀ- କୁଆଁ. . . କୁଆଁ. . . କୁଆଁ. . . ! ଯେମିତିକି. . . ଅଟଳ ବିଶ୍ୱାସର ଛାତିରେ ବିନ୍ଦୁ ବିନ୍ଦୁ ଅମୃତ ଝରି ଝରି ଯାଉଛଟି ! ଝରୁଛି- ବିଶ୍ୱାସର ଗଙ୍ଗାଧାରା !

ସୁଧାଦେବୀ ପ୍ରତିଟି କୁଆଁ ଧ୍ୱନିରେ. . . ଥରକୁ ଥର ଚମକି ପଡ଼ିଲେ । ବିଭିନ୍ନ ଅଙ୍ଗକୁ ବାରମ୍ୱାର ଚିମୁଟିପକାଇ ଅନୁଭବ କଲେ- ସେ ଯେ ପ୍ରକୃତରେ ସଚେତନ ଅଛନ୍ତି ! ତେବେ ଏ କୁଆଁ କୁଆଁ ! ଚାହିଁଲେ ରାଧାଦାମୋଦରଙ୍କୁ ।

ସେ ଦୁହେଁ ହସୁଚନ୍ତି- ଆଗପରି ନିର୍ମଳ. . . ପୁଣି ରହସ୍ୟର ହସ ।

ସୁଧାଦେବୀଙ୍କ ବିଷାଦର ପାଣ୍ଡୁର ମୁହଁକୁ. . . ବାରମ୍ୱାର ତାଙ୍କ ଆନନ୍ଦର ଅଶ୍ରୁଜଳ ଧୋଇ ଧୋଇ ସୁନ୍ଦର କରିଚାଲିଲା. . . ।

ସେ ଦ୍ୱାର ଖୋଲିବା ସଙ୍ଗେ ସଙ୍ଗେ ତାଙ୍କୁ ଶୁଭିଲା- ଲୀନା ସୁସ୍ଥ ମଣିଷର ସ୍ୱରରେ କହୁଛି ପ୍ରଣୟକୁ-

“ଡାକୁଛନା ବୋଉଙ୍କୁ । ଡାକ. . . । ସେ ତାଙ୍କ ନାତୁଣୀକୁ ନିଅନ୍ତୁ. . . । ତମେ କ’ଣଟା କରିବ ଯେ ।”

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ଭ୍ରାମ୍ୟଭାଷ-୯୩୪୦୦୪୫୩୩୫,୯୩୪୦୦୪୫୩୩୫

ବିଶ୍ୱାସ ସୁଧାଦେବୀ ଲୀନା

Rate the content


Originality
Flow
Language
Cover design

Comments

Post

Some text some message..