Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Others

3  

Anil Kumar Parhi

Others

ଦର୍ପଣ - ୯

ଦର୍ପଣ - ୯

7 mins
7.6K


ଝାଳ ପିଆ ଗେରୁଆ ପୋଷାକ ପିନ୍ଧି ଗୋଟେ ଷ୍ଟୁଲ୍ ଉପରେ ବଇରାଗୀ ଅଧା ଢୁଳେଇବା ଅବସ୍ଥାରେ ବସିଥିଲା। ଏଇଠି ପହଞ୍ଚିବାର ଅଧଘଣ୍ଟା ପରେ ଯାଇ ତା ନାମ ବଇରାଗୀ ବୋଲି ମୁଁ ଜାଣିପାରିଥିଲି। ଗୋଟାଏ ଅଣ ଓସାରିଆ କରି ଡୋରର ଶେଷକୁ ସେହି ନିର୍ଦ୍ଧାରିତ କୋଠରୀ। କୋଠରୀ ଆଗରେ କବାଟର ଦୁଇ ପାଖରେ ଦୁଇଟା କୁଣ୍ଡ, କୁଣ୍ଡରେ ମୋତେ ଜଣାନଥିବା ଫୁଲଗଛ। ଗୋଟିଏ କୁଣ୍ଡରୁ ଆଉ ଗୋଟେ କୁଣ୍ଡ ଯାଏ ପିମ୍ପୁଡିର ଧାଡି। ସେହି ଧାଡି ଉପରେ ପାଦ ପଡିବା ପରେ ଦିଟା ବଦମିଜାଜିଆ ପିମ୍ପୁଡି ମୋତେ କାମୁଡି ପକେଇଥିଲେ।

ଟିକିଏ ଦୂରକୁ ପ୍ଲାଷ୍ଟିକ ସୂତାରେ ବୁଣା ହୋଇ ଛିଡିଯାଇଥିବା ଲୁହା ଚେୟାରଟେ ପଡିଥିଲା। ସେଠି ବସିବା ଅର୍ଥ ଅଧା ତଳକୁ ଗଳିପଡିବା। ଅବଶ୍ୟ ଚେୟାର ଉପରେ ବୁଲୁଥିଲା କ୍ଳାନ୍ତ ପଙ୍ଖାଟିଏ।

ଅପ୍ରେଲର ଯୁବ ଖରା। ଦୌରାତ୍ମ୍ୟ ଠିକ୍ କେତେଜଣ ଲଗାମ ଛଡା ଯୁବ ଲେଖକମାନଙ୍କ ପରି। ଏ ଖରାରେ ଘର ପୋଡିହବ! ଉପକୂଳର ବଡ ବିବଶତା ହେଲା ଏଠି ଗରମ ଯେତେ ହୁଏ ତା ଠାରୁ ଝାଳ ଅଧିକ ବହେ। ଝାଳ ବହିଲେ ନାରୀଟିଏର ଶୃଙ୍ଗାର ସିନା ବଢେ, ହେଲେ ଯୁବକଟିଏ ବିକୃତ ହୋଇ ତରଳିଥିବା ମହମବତୀ ପରି ଲାଗେ। ପୁଣି ଡିଓ ନଥିବା ଯୁଗ ସେଇଟା। ଇଭିନିଙ୍ଗ ଇନ୍ ପ୍ୟାରିସ ସେଣ୍ଟ ଗୋଟାଏ କିଣିଥିଲି, ବାହାରିଲା ବେଳକୁ ସେଥିରେ ଟୋପାଏ ନାହିଁ! ପାପୁଲି ଉପରେ ବୋତଲର ମୁହଁ କଚାଡିକଚାଡି ଯାହା ଟିକିଏ ବାହାରିଲା ତାକୁ ନଡିଆ ତେଲ ପରି ଦୁଇ ପାପୁଲିରେ ଘଷି ଜାମାରେ ମାରିଦେଇଥିଲି। ଏବେ ଝାଳ ବାହାରି ଗୋଟାଏ ଅଜବ ଗନ୍ଧ ବାହାରୁଛି ଦେହରୁ।

ବଇରାଗୀର ବୟସ ସେତେବେଳେ ପ୍ରାୟ ପଚାଶ କି ଟିକେ ଅଧିକ। ବାଳ ଅଧା ପାଚିଗଲାଣି। ତା'ର ପାନଖିଆ ଦାନ୍ତ, ଖଇରିଆ ଜିଭ, କଳା ମୋଟା ଓଠ, ତିନି ଇଞ୍ଚିଆ ଠିଆ ବାଳିଆ ଭ୍ରୂଲତା, କାଖ ପାଖର ଓଦା ହୋଇ କଳା ପଡିଯାଇଥିବା ଜାମା, ପାଦରେ ଘୋରିହୋଇ କଣା ହୋଇଯାଇଥିବା ଚପଲ ତାକୁ ସାହିତ୍ୟ ଜଗତରେ ଗୋଟେ କମିକ୍ ଚେହେରା କରି ଗଢି ତୋଳିଥିଲା। ମଝିରେ ମଝିରେ ତା ମଳି ପିଆ ନଖରେ ସେ ଦାନ୍ତରେ ଲାଗିଥିବା ଗୁଆକୁ କାଢୁଥିଲା, ନଖ ଶୁଂଘୁଥିଲା ଏବଂ ନାଶା କୁଞ୍ଚନ କରୁଥିଲା।

ମୁଁ ପ୍ରଥମେ ପ୍ରଥମେ ଦ୍ଵନ୍ଦ୍ଵରେ ପଡିଥିଲି। କ’ଣ ଡାକିବି? ବଇରାଗୀ ବାବୁ ନା ବଇରାଗୀ ଭାଇ ନା ମଉସା! ଉପସ୍ଥିତ ବୁଦ୍ଧି ଖଟେଇ ମୁଁ ସମ୍ମାନର ସହିତ ଡାକିଥିଲି - ବଇରାଗୀ ବାବୁ! ବଇରାଗୀ ନିର୍ଲିପ୍ତ ଚାହାଣୀରେ ମୋତେ ଚାହିଁ, ଦୁଇ ବାହୁ ଉର୍ଦ୍ଧ୍ଵକୁ ତୋଳି ଗୋଟେ ଦୁର୍ଗନ୍ଧ ଯୁକ୍ତ ହାଇ ମାରିଥିଲା।

ପ୍ରକୃତ କଥା ହେଲା ମୁଁ ଗୋଟିଏ ଭ୍ରାନ୍ତିର ଶୀକାର ହୋଇଥିଲି। ମୋର ଧାରଣା ଥିଲା ଖବରକାଗଜ ଚାକିରୀରେ ଦରମା ସୁଦ୍ଦୁ କମ୍। ଦିନରାତି ଖଟଣି। ମୁଁ ଜଣେ ଅନୁଦାନ ପ୍ରାପ୍ତ ଅଧ୍ୟାପକ। ସରକାରୀ ଦରମା। ହେଲେ, ଏଠି ପହଞ୍ଚି ମୋର ଭ୍ରାନ୍ତି ଦୂରହେଲା। ଖବରକାଗଜରେ କାମ କରି ଗୋଟିଏ ସାହିତ୍ୟ ପତ୍ରିକାର କାମ ବୁଝୁଥିବା ଲୋକକୁ ପୁଣି ମିଳିଛି କ୍ୟାବିନ୍। କ୍ୟାବିନ୍ ଆଗରେ ପିଓନ୍। ତମ୍ବା ତିଆରି ବୋର୍ଡରେ ଲେଖାଅଛି ଡକ୍ଟର ସୀତାରାମ ରାୟ! ଡକ୍ଟର! କିଏ କହୁଥିଲା ଏ ବ୍ୟକ୍ତି କାଳେ ପ୍ରଥମେ ପ୍ରଥମେ କଣ୍ଟ୍ରୋଲ ଦୋକାନ କରିଥିଲେ। ପିଏଚଡି କରି!

ଭାଗ୍ୟଂ ଫଳତି ସର୍ବତ୍ର।

ଆଜ୍ ମେରେ ପାସ୍ ପିଓନ୍ ହେ, କ୍ୟାବିନ୍ ହେ, ପ୍ରେଷ୍ଟିଜ ହେ.... ହାଁ, ତେରେ ପାସ୍ କ୍ୟା ହେ! କବାଟ ଉପରେ ଲଗାଯାଇଥିବା ନାମ ଫଳକ ମୋତେ ପଚାରୁଥିଲା!

କ୍ୟା ହେ ମେରେ ପାସ! ବାବାଜୀ କି ଠୁଲ୍ଲୁ!

ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଇଁ ମୁଖ୍ୟ ଅତିଥି କରିବାର ପ୍ରସ୍ତାବନେଇ ମୁଁ ଆସିଥିଲି।

ଲୋକେ ଯାଉଥିଲେ ଆସୁଥିଲେ। କବାଟ ଖୋଲିବା ମାତ୍ରେ ମୁଁ ପାଖକୁ ଲାଗିଯାଉଥିଲି ଏବଂ ଭିତରୁ ଦଲକାଏ ଥଣ୍ଡା ପବନ ମୋ ଦେହରେ ବାଜି ମୋତେ ଉଲ୍ଲସିତ କରୁଥିଲା। କିନ୍ତୁ ମୋ ଡାକରା ଆସୁନଥିଲା। କ’ଣ ହେଲା, ମୁଁ ଦେଇଥିବା ଚିଟ୍ ପଢିଲେନି କି ଆଉ! କେତେ ପତ୍ରିକାରେ ତାଙ୍କ ଗପ ପଛକୁ ମୋ ଗପ ବାହାରିଛି। ନାମଟା କ’ଣ ମନେପଡୁନି!

ଏମ୍ ଫିଲ୍ ପରେ ମୁଁ ଯିଦ୍ କରିଥିଲି ସହର ପଳେଇବି, ସେଠି ଖବରକାଗଜରେ ଚାକିରୀ କରିବି! ବାପା ଜମ୍ମା ରାଜିହେଲେନି। ପ୍ରାଇଭେଟ ଖବରକାଗଜ ଚାକିରୀ ଗୋଟେ ଚାକିରୀ! ସି ଏଲ୍, ଇ ଏଲ୍, ପେନସନ୍ କିଛି ଅଛି!

ଆଜି ମୋ ମାଇନର ସ୍କୁଲ ହେଡମାଷ୍ଟ୍ରିଆ ବାପାଙ୍କୁ ଆଣିବାର ଥିଲା। ଆଜବେଷ୍ଟ ଛପର ରୁମ୍ ରେ ଗାଉଁଲି ପିଲାଙ୍କୁ ଖରା ବର୍ଷାରେ ଭିଜି ପାଠ ପଢେଇବା ଆଉ ଏଠି ଏସି ରୁମ୍ ରେ ଥାଟପାଟ ନେଇ ବସିବା! କିଏ ପଚାରୁଛି ହୋ ଦରମା କାହାର କେତେ!

ମୁଁ ଶିକ୍ଷା ବିଭାଗର ଚାକିରୀ କରିବାରେ ଗୋଟାଏ ଟ୍ରିକ୍ ଶିଖିଯାଇଥିଲି। ବଇରାଗୀ ହାତରେ ଦଶଟଙ୍କିଆଟେ ଗୁଞ୍ଜିଦେଇ ମୁଁ ଠିଆହେଲି। ବଇରାଗୀ ହସିଲା। ପଚାରିଲା - ବାବୁଙ୍କୁ ଭେଟିବାକୁ ଆଇଛ? ବହି ଲେଖୁଛ ନା ଖବରକାଗଜରେ ଚାକିରୀ କରୁଛ?

ମୁଁ କହିଲି - ଅଧ୍ୟାପକ। କଲେଜଛୁଆଙ୍କୁ ପଢାଏ।

ସରକାରୀ ନା ପ୍ରାଇଭେଟ୍?

ପ୍ରାଇଭେଟ୍! ମୁଁ କହିଲି।

ବଇରାଗୀ ଟିକିଏ ଚିନ୍ତିତ ହେଇ ପଚାରିଲା ବାହା ହେଇଛ?

ନା। ମୁଁ କହିଲି।

ହ, ଝିଅ ମିଳିଲେ ତ! ତେଜରାତି ଦୋକାନୀ ବାକି ଦେବନି, ପଡୋଶୀ ଉଧାର ଦବନି। କୋଉ ବାପ ତା ଝିଅକୁ ମରଣ ମୁହଁକୁ ଠେଲିଦବ! ବଇରାଗୀ କହିଲା। ହଇହୋ ବାବୁ ଠାକୁର ତମର ଏତେ ସରି କଲାଣି, ତମେ କୋଉଠି ପିଓନ, କିରାଣୀ ଚାକିରୀ ନଖୋଜି ଲେଖାଲେଖି ପଛରେ ପଡିଛ! କ’ଣ ମିଳିବ ସେଥିରୁ! ଲେଖାରେ ପେଟ ପୂରିବ!

ମୁଁ ଅପମାନିତ ହେଲି। କ’ଣ ବା କରିବି! ମୋତେ ପ୍ରତିକ୍ରିୟା ନଦେଖେଇବାର ଦେଖି ବଇରାଗୀର ଦୟା ହେଲା ବୋଧେ। ସେ କବାଟ ଠେଲି ଭିତରେ ପଶିଲା ଏବଂ କିଛି ସମୟ ପରେ ବାହାରି ଆସି କହିଲା - ଯାଅ!

ଭିତରେ ଡିସେମ୍ବର ସକାଳର ପାଗ! ମୋର ଇଚ୍ଛା ହେଉଥିଲା ବାହାରେ ମୋତେ ଝାମ୍ପିବା ପାଇଁ ଅପେକ୍ଷା କରିଥିବା ଚିଲୁଆ ଦ୍ବିପ୍ରହରଟାକୁ ଏଇଠି କାଟିଦିଅନ୍ତି! ମାର୍ ଗୋଲି ସେ ସାହିତ୍ୟକୁ! କେତେ ନେହୁରା ନହେଇଛି ବାପାଙ୍କ ପାଖରେ - ମୋତେ ଛାଡ। ମୁଁ ସହରରେ ଖବରକାଗଜ ନହେଲେ ସାହିତ୍ୟ ପତ୍ରିକା ଠେଇଁ କାମ କରିବି! ଦୁଇହଜାରରୁ ପଇଁତିରିଶ ଶହ ବେସିକ୍ ଭିତରେ ବାପାଙ୍କୁ କ’ଣ ଦିଶିଲା କେଜାଣି! ହୁଏତ, ଆଜି ମୁଁ ବି ଏମିତି ସ୍ଥାନରେ ଥାଆନ୍ତି! ମୋତେ ଗେଷ୍ଟ କରି ନେବାପାଇଁ ଲୋକେ ଆସୁଥାନ୍ତେ!

ନମସ୍କାର ପକେଇ ଠିଆହେଲି।

ପ୍ରତି ନମସ୍କାର ପାଇଲିନାହିଁ।

ଠିଆହେଲି। ଠିଆହେଲି। ଠିଆହେଲି।

ମହାଶୟ ପ୍ରଥମେ ଗୁଡାଏ ଲୋକଙ୍କ ସହିତ ଗପିଲେ ।ଲ୍ୟାଣ୍ଡ ଫୋନରେ! ବଡବଡ ଲୋକ। କଥାରୁ ବୁଝିହେଉଥାଏ।

ତାପରେ ନିଜ ଡାଏରୀ ଖେଳେଇଲେ।

ମୁଁ ଠିଆହେଲି। ଠିଆହେଲି ଯଦିଓ ଆଗରେ ଚାରିଟା କୁଶନବାଲା ଚେୟାର ପଡିଥିଲା।

ଠିଆହେବାକୁ ଭଲ ଲାଗୁଥିଲା। ଏମିତି ଅନ୍ତତଃ ଦ୍ବିପ୍ରହରଟା କଟିଯାଉ। ହେଲେ କ’ଣ ହେବ, ଗରମ ଦିନେ ଶୀତ ଦିନର ଅନୁଭବକୁ ମୋ ଗଳାଟା ସହିପାରିଲା ନାହିଁ। ଖସଖସ ହେଲା। ମୁଁ କାଶି ପକାଇଲି। ଆଜ୍ଞାଙ୍କ ଧ୍ୟାନଭଙ୍ଗ ହେଲା। ପଚାରିଲେ - କି କାମ?

ସମ୍ବୋଧନ ନାହିଁ।

ଚିହ୍ନିପାରିଲେ ନାହିଁକି! ମୁଁ ମୋର ଭୂତଳେ ଅର୍ଜିଥିବା ବାୟୋଡେଟାକୁ ପଞ୍ଚମତାନରେ ଗାଇଗଲି।

ସେ ବିରକ୍ତ ଦିଶିଲେ - ଏଗୁଡାକ କାହିଁକି? ତମେମାନେ ଗୋଟେଯୋଡେ ଲେଖିଦେଲା ପରେ ସିନିୟରମାନଙ୍କ ସହିତ ନିଜକୁ ସମାନ ଭାବୁଛ, ନାଇଁ? ଏ ସାହିତ୍ୟ ପାଠ, ଏ ରାସ୍ତା ବଡ ଗହନ। ଥରେ ପଶିଲେ କୂଳକିନାରା ପାଇବନି!

ମୁଁ ଉପାୟ ଶୂନ୍ୟ। ମୁଣ୍ଡ କୁଣ୍ଡେଇଲି।

ସେ କହିଲେ - ପ୍ରାଇଭେଟ କଲେଜ ଚାକିରୀ କରିଛ, ଟ୍ୟୁସନ କର। ଏ ସାହିତ୍ୟ ଧନ୍ଦାରେ ମାତିଛ କାହିଁକି! ତମ ଲେଖା ପଢିଛି। କ’ଣ ଅଛି ସେ ଲେଖାରେ ଏଁ!

ଫୋନ ଆସିଲା ଆଜ୍ଞାଙ୍କର।

ବାପାଙ୍କ ଉପରେ ରାଗ ବଢୁଥିଲା।

ସେ ଫୋନ ରଖିଲେ। ମୁଁ ଜଣେ ବାଧ୍ୟ ଛାତ୍ର ପରି କହିଲି - ଆପଣଙ୍କୁ ଆମ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ପାଇଁ ଗେଷ୍ଟ କରିବାକୁ ପ୍ରସ୍ତାବନେଇ ଆସିଥିଲି ସାର୍!

ତମେ ଏବେ ଆସିପାର! ସେ କହିଲେ। ଏବଂ ବଇରାଗୀ ଉଦ୍ଦେଶ୍ୟରେ ଡାକ ଛାଡି କହିଲେ - ସେ ଶିଳାନ୍ୟାସ ସାହିତ୍ୟ ସଂସ୍ଥାର ସଂପାଦକଙ୍କୁ ପଠା!

ମୁଁ ବାହାରକୁ ବାହାରିବା କ୍ଷଣି ଖରା ଠାରୁ ମୋତେ ଅଧିକ ମାଡି ବସିଥିଲା ବଇରାଗୀ - ଏ ଫାଲତୁ ଧନ୍ଦାରେ ପଶନା ବାବୁ। ଭଲଲୋକ ପରି ଲାଗୁଛ, ବିଗିଡିଯିବ!

ମୁଁ ମୋର ଅଙ୍ଗେନିଭା ଏ କାହାଣୀଟିକୁ ବନ୍ଧୁଙ୍କୁ ଶୁଣେଇଲି ଏବଂ ମୁଁ କାହିଁକି ସାହିତ୍ୟ ସଭା ଯାଏନା କି ଗେଷ୍ଟ କଣ୍ଟାକ୍ଟ କରିବାକୁ ଭଲପାଏନା ଜଣେଇଲି।

ବନ୍ଧୁ କେଉଁ ଗୋଟେ ସାହିତ୍ୟ ସଂସ୍ଥା ସହିତ ଜଡିତ। ସଭାର ସ୍ଵନକ୍ଷତ୍ର ଉତ୍ସବପାଇଁ ସାହିତ୍ୟିକ, ତା ପୁଣି ବଡ, ଗେଷ୍ଟ ଦରକାର। ସେ ଭାବିଥିଲେ ବୋଧେ ୟା’ ଭିତରେ ମୁଁ ପ୍ରତିଷ୍ଠିତ ହୋଇଗଲିଣି!

ମୁଁ କହିଲି, ଭାଇ ୟା’ ଛଡା ଆଉ ଗୋଟେ କାରଣ ବି ଅଛି। ଆଜିକାଲି ମୋ ବନ୍ଧୁ, ସାହିତ୍ୟିକମାନେ କଥା କଥାରେ ପ୍ରାଇଭେଟ କଲେଜ ଶବ୍ଦ ଲଗଉଛନ୍ତି। ମୋ କଲେଜ ନାମ ଜାଣି ବି ନାମ ପଚାରୁଛନ୍ତି। ଯେମିତି ଶ.....! ହେଲେ ଦେଖ, ମୋ ପଛରେ ସାହିତ୍ୟ ପତ୍ରିକା କି ଖବରକାଗଜକୁ ଆସିଥିବା ଲୋକେ ମାନ ସମ୍ମାନର ସହିତ ଆଜି କେଉଁଠି ପହଞ୍ଚିଗଲେଣି! ହେଇ ପା ଜଣେ ସରକାରୀ ଅଧ୍ୟାପକ ସାହିତ୍ୟିକ ଆଉ ଜଣେ ସରକାରୀ ଅଧ୍ୟାପକ ସାହିତ୍ୟିକଙ୍କୁ ସେ ମୋତେ କାହିଁକି ଭାଇ ଡାକି ସମ୍ମାନ ଦେଉଛନ୍ତି ପଚାରୁଥିଲେ!

ବନ୍ଧୁ ଗମ୍ଭୀର ହୋଇ କହିଲେ ସେ ସରକାରୀ ଅଧ୍ୟାପକ ସାହିତ୍ୟିକଗୁଡାକ %#%#% । ଛିଃ ! ତମେ ବାହାରିଲ!

ଆମେ ବାହାରିଲୁ।

ପ୍ରଥମ ବିଶିଷ୍ଟ ସାହିତ୍ୟିକଙ୍କ ଘର। ରାଜ ଉଆସ!

ପଚାରିଲେ - ଆଉ କିଏ ଆସୁଛନ୍ତି!

ମୁଁ ବନ୍ଧୁଙ୍କ ବାରଣ ନବୁଝି ବକି ଦେଇଗଲି।

ମୁଁ ଯାଇ ପାରିବିନି। ବିଶିଷ୍ଟ ବକିଲେ। ସେ ଯେଉଁ ସଭାକୁ ଯାଏ, ମୁଁ ଯାଏନା। ଏତିକି ଜାଣିନ!

ଇରେ ବାପରେ, ଲିଭିଙ୍ଗ ରୁମ୍ ସାରା ଖାଲି ମାନପତ୍ର, ଟ୍ରଫି! କୋଇଲି ସାହିତ୍ୟ ଅନୁଷ୍ଠାନ, ବୁଢା ପାହାଡ ସାହିତ୍ୟ ସଂସଦ, ପ୍ରଗତି ମତ୍ସ୍ୟପାଳନ ଅନୁଷ୍ଠାନ ଶହଶହ ମାନପତ୍ର। ଇଏ ମତ୍ସ୍ୟ ବାଲା ବି ସାହିତ୍ୟ ପାଇଁ ମାନପତ୍ର ଦେଲେଣି!

ମୋତେ ଲାଜମାଡିଲାଣି ସେତେବେଳକୁ। ଏ ପରା ଏତେ ବଡ ସାହିତ୍ୟିକ! ଏଇ ଛୋଟଛୋଟ ପୁରସ୍କାର ପାଇଁ ବି ଲାଳାୟିତ ହୋଇ ଯୁବକମାନଙ୍କ ବାଟ ବନ୍ଦ କରୁଛନ୍ତି!

ଆମେ ଫେରିଲୁ। ବନ୍ଧୁ ବିରକ୍ତ ହେଲେ - ତମେ ଆଗକୁହା ହୋଇ କାହିଁକି ଗପୁଥିଲ ଯେ!

ଦ୍ଵିତୀୟ ବିଶିଷ୍ଟ। ସବୁ ଜିନିଷରେ ବୈଶିଷ୍ଟ୍ୟ ବାରି ହୋଇ ପଡୁଛି। ବଡ ସାହିତ୍ୟିକ!

ବିଲକୁଲ ପୁରାତନ ଭଜନ ପରି ସାଫ୍ ଆଉ ସୁନ୍ଦର ଦିଶୁଥିବା କୁକୁରଟେ ଅତି ଭଦ୍ର ଭାବରେ ଭୁକିଲା। ଆହା, କବିତାର ପଙ୍ତି କି!

ବନ୍ଧୁଙ୍କର ଏ ବିଲାତି କୁକୁରଙ୍କୁ ଭାରି ଡର। ସେ ହେସ୍ ହେସ୍ କରୁଥାନ୍ତି!

ଭିତରୁ ଗମ୍ଭୀର ଆବାଜ ଶୁଭିଲା - କାହାଣୀ! ବି କାମ୍!

ଚୁପ୍ ହୋଇଗଲା କୁକୁର ମାନେ କାହାଣୀ!

କୁକୁରର ନାମ କାହାଣୀ!

ସଭାରେ ମୋର ପୋଜିସନ କ’ଣ? ବହୁ ବିଶିଷ୍ଟ ପଚାରିଲେ।

ମୋ ପାଟିଟା ତ ସଜବାଜ। ମୁଁ କହିଲି ସମ୍ମାନୀତ ଅତିଥି ସାର୍!

ମୁଖ୍ୟ ଅତିଥି କିମ୍ବା ମୁଖ୍ୟବକ୍ତା ବ୍ୟତୀତ ମୁଁ କିଛି ହୁଏନା। ସେ କହିଲେ।

ବନ୍ଧୁ ମୋ ଉପରେ ରାଗ ସମ୍ବରଣ କରି ବୁଝେଇଲେ - ସାର୍ ମନ୍ତ୍ରୀ ଆଉ ଲୋକାଲ୍ ଏମେଲେ ଆସୁଛନ୍ତି ତ! ଆପଣ ତ ଜାଣିଛନ୍ତି ସାହିତ୍ୟର ରାଜନୀତିକରଣ କଥା!

ସେ ଯାହା ହେଉ, ମୁଁ ଯାଇପାରିବି ନାହିଁ। ମୋର କାମ ଅଛି।

ତୃତୀୟ ବିଶାଳ ସାହିତ୍ୟିକ। ବନ୍ଧୁ ରାଣଦେଇ ମୋ ପାଟି ଚୁପ୍ କରେଇଥିଲେ l

ମୋତେ ଦେଖି ଚିହ୍ନିପକାଇଲେ।

ଆରେ ଅନୀଲ ବାବୁ ଯେ! କେମିତି ଅଛନ୍ତି!

ମୁଁ ଏତେ ପରିମାଣରେ ଗଦଗଦ ହୋଇସାରି ମୁହଁଟାକୁ ଏତେ ଅଧିକ କୃତଜ୍ଞ ବନେଇ ସାରିଥିଲି ଯେ ଠିକ୍ ମୁହଁଟି ବନେଇ କୃତଜ୍ଞତାର ଶବ୍ଦ ଉଚ୍ଚାରିବା ପାଇଁ କେଇ ମିନିଟ୍ ଲାଗିଗଲା।

ଆଜ୍ଞା! ଏ କୃତଜ୍ଞ କଣ୍ଠ ଏତେ ବିମୋହିତ ହୋଇ ସୁଲଳିତ ହୋଇସାରିଥିଲା ଯେ ଆଜ୍ଞାର ଶେଷ ଗ୍ୟଁ ଜମ୍ମା ଶୁଭିଲାନାହିଁ।

ଯାହାହେଉ ମୋତେ ପଢିଛନ୍ତି, ଜାଣିଛନ୍ତି!

ସେ ମୋର ତାପର ଶବ୍ଦଟି ପର୍ଯ୍ୟନ୍ତ ଅପେକ୍ଷା କଲେନାହିଁ। କହିଲେ - ଆଉ ଦେହ ପା କେମିତି! ଡାଇବେଟିସ କେତେ ରହୁଛି!

ମୁଁ କିଛି କହିଆସୁଥିଲି। ସେ କହିବାକୁ ଦେଲେନି। ଦେହପା’ର ଯତ୍ନ ନିଅନ୍ତୁ। ସାହିତ୍ୟ ଅପେକ୍ଷା ଦେହ ବଡ!

ମୋ ଉତ୍ସାହ ଟିକେ କମିଗଲା ଓ ମୁହଁଟା ଆମ୍ବିଳିଆ ତୋରାଣୀ ପିଆ ମୁହଁ ପରି ଦିଶିବା ଏଇ ଆରମ୍ଭ କରିଛି ସେ କହିଲେ - ହଁ, ହଁ ତମର ସେ ଗପଟା ମ, ଯେଉଁଟା ରାଧାଙ୍କ ଉପରେ ତମେ ଲେଖିଛ .... କ’ଣଟା ତା ଟାଇଟଲ୍ ..... ହଁ ବଂଶୀ ... ପଢିଲି। ଭଲହୋଇଛି ଯେ ହେଲେ ଟିକେ ଫାଇନ୍ ଟ୍ୟୁନିଙ୍ଗ ଦରକାର!

ମୁଁ ଆଶ୍ଚର୍ଯ୍ୟ। ମୁଁ ଲେଖିଛି ବଂଶୀ! କାହିଁ ମୋତେ ତ ଜଣାନାହିଁ! ୟେ ତ ମୋ ନାମଫାମ ଠିକ କହୁଛନ୍ତି, ଆଉ କାହା ଗପ ବିଷୟରେ.....

ଇଜ୍ଜତ୍ ଦିଗଣ୍ଡା ଦିକଡା ହେଇଯିବ। ମୁଁ ମିଛିମିଛିକା ମାନିଗଲି। କହିଲି - ଆଜ୍ଞା!

ବନ୍ଧୁ ମୋର ଏପରି ମିଛକୁ ସ୍ଵୀକାର କରିବା ଦେଖି ଭାଁ।

ସୋଫା ସେପାଖେ ସାରଙ୍କ ଗୁଲଦସ୍ତା। ବୋଧେ ପ୍ଲାଷ୍ଟିକ ଫୁଲ। ହେଲେ ବାସ୍ନା ହେଉଥିଲା କାହିଁକି! ଏଁ, ଗୋଟେ ପ୍ରଜାପତି ବସିଥିଲା ସେଇଠି!

ସମ୍ଭବ!

ନା ଏଇଟା ପ୍ଲାଷ୍ଟିକ ପ୍ରଜାପତି ଯେ!

ବିଶିଷ୍ଟ ଏଥର ଗମ୍ଭୀର ହୋଇ ବନ୍ଧୁଙ୍କୁ ପଚାରିଲେ -

ଆଉ କେଉଁମାନେ ଆସୁଛନ୍ତି? ସେ ପଚାରିଲେ। ମନ୍ତ୍ରୀ ଆଉ ଏମେଲେଙ୍କୁ ଛାଡି!

ମୁଁ କାଳେ ୟାଡୁସ୍ୟାଡୁ କହି ପକେଇବି ବନ୍ଧୁ ତୁରନ୍ତ କିଛି ସାହିତ୍ୟିକଙ୍କ ନାମ କହିପକାଇଲେ। କାହିଁ ଏ ନାମଗୁଡାକ ମୁଁ ଶୁଣିନଥିଲି ତ!

ମୋତେ ଏ ସି ଗ୍ରେଡ୍ ସାହିତ୍ୟିକଙ୍କ ସହିତ ବସେଇବାକୁ ଡାକୁଛ! ମୋ ସମାନସ୍କନ୍ଦ କିଏ, ଏଁ!

ଫେରିଲାବେଳେ ବନ୍ଧୁ ହତୋତ୍ସାହିତ ହୋଇ କହିଲେ - ଟିକିଏ ଜୁନିୟର ସାହିତ୍ୟିକଙ୍କ ନାମ କହି ବୁଢାକୁ ଗୁରୁତ୍ଵ ଦେବାକୁ ଚାହିଁଲି, ଚାଲ୍ ଓଲଟା ପଡିଗଲା!

ମୁଁ କହିଲି - ଆରେ ଭାଇ, ଏଠି କ୍ରିକେଟ ପ୍ଲେୟାରଙ୍କ ପରି କ’ଣ ସାହିତ୍ୟିକଙ୍କର ଗ୍ରେଡ୍ ଅଛି! ବିରାଟ କୋହଲି ଏ ଗ୍ରେଡ୍, ଦୀନେଶ କାର୍ତ୍ତିକ ବି, ଚହଲ ସି......!

ବନ୍ଧୁ ଏତେ ଚିନ୍ତାରେ ବି ହସିଲେ। ଏଠି ଓଡିଶା ସାହିତ୍ୟରେ ଏତିକି ନୁହେଁ ସଟ୍ଟାବାଜି ବି ଚାଲିଛି ବନ୍ଧୁ! ସେ ବାଇକ୍ ପଛରେ ବସି ଗପୁଥାନ୍ତି - ଦିନେ ଜଣେ ସଂଗଠକ ଆପ୍ରାଣ ଉଦ୍ୟମ କରି ପ୍ରାୟ ସବୁ ବିଶିଷ୍ଟଙ୍କୁ ଗୋଟିଏ ସଭା ମଞ୍ଚରେ ବସେଇଥିଲେ। କେହି କାହା ସହ କଥା ହେଲେନି। ଆଉ ଯେତେବେଳେ ହେଲେ

ଏମିତି ବାକବିତଣ୍ଡା ହେଲା ଯେ ଡରରେ ଦର୍ଶକ ଦୌଡି ପଳେଇଲେ!

ମୁଁ କହିଲି - ଏମାନଙ୍କୁ ଛାଡିଦିଅ ତାହେଲେ। ଅନ୍ୟମାନଙ୍କ ପାଖକୁ ଚାଲ!

ବନ୍ଧୁ ହସିହସି କହିଲେ - ଏମାନେ କ’ଣ ଆଉ ଏ ଗ୍ରେଡିଆ ହୋଇ ଅଛନ୍ତି ଭାଇ! ଟୋକାଟକଳିଆ ଏମାନଙ୍କୁ ଘୋରିବାଟି ଚଳୁ କରିଦେଲେଣି ପରା! ଏଇମାନଙ୍କ ଭାଉ କେବଳ ଆମ ପାଖରେ!

ତେବେ? କିଏ ଆଉ ଏ ଗ୍ରେଡିଆ ଯେ! ମୁଁ ପଚାରିଲି।

ବନ୍ଧୁ ଉତ୍ତର ଏପରି ଦେଲେ - ବର ଯାହାର ଶାସକ ଦଳର ନେତା ବା ଗୋଡାଣିଆ, ଟିଭି ଖବରକାଗଜ ବାଲିଆ, ପ୍ରକାଶକ, ସଂପାଦକ, ସଂଗଠକ ବାଲିଆ, ପୁରସ୍କାର ବିକା କିଣା ବାଲିଆ, ରାତିଦିନ ସହରରେ ଟହଲ ମାରିଲା ବାଲିଆ, ଏଇ ଏଇ କୌଣସି ପାର୍ଟିକୁ ସମର୍ଥନ କରି ବିବୃତି ଦେଲା ବାଲିଆ - ଏମାନେ ଏ ଗ୍ରେଡ ସାହିତ୍ୟିକ, ବୁଝିଲ! (ଏଠି ଏ ବାଲିଆ ସଂଯୋଗଟି ବାଲେଶ୍ବରିଆଙ୍କ ବ୍ୟବହାରରୁ ଆନୀତ। ଏହାକୁ ବାଲା ବୋଲି ଧରିନେଇ ପଢିବେ।)

ମୁଁ କୋଉ କ୍ୟାଟାଗୋରୀର? ମଜାରେ ପଚାରିଲି। ତମେ! ଶଃ ସରକାରୀ ଅଧ୍ୟାପକ ସାହିତ୍ୟିକ ବାଲିଆ ପା ତମକୁ ଡ୍ୟାସ୍ ବୋଲି ଭାବୁନାହାଁନ୍ତି ଆଉ ଏମାନଙ୍କ ପାଖରେ ପୁଣି ତମ ଗ୍ରେଡ୍!! ବିସ୍ମୟ!!

ହଁ, ମନେ ପଡୁଥିଲା। ଗୋଟେ ବର୍ଷ ଜଣେ ସଂପାଦକ କିଛି ଲେଖକଙ୍କର ଇଣ୍ଟରଭ୍ୟୁ ଛାପିବାକୁ ପ୍ରସ୍ତୁତ ହେଉଥିଲେ। ମୁଁ ବି ଥିଲି ସେଥିରେ। ହେଲେ, ଜଣେ ସାହିତ୍ୟିକ ଏଇଥିପାଇଁ ଅରାଜି ହେଲେ ଯେ ଆମେ କେତେଜଣ ତାଙ୍କ ସମାନସ୍କନ୍ଦ ନୋହୁଁ!

ସେଦିନ ଆଉ ଗେଷ୍ଟ ଯୋଗାଡ ନୋହିଲା।

ବଇରାଗୀ ଓ ମୋ ବାପା ସେଦିନ ସତ କହିଥିଲେ!!

ସବୁ କାଳ୍ପନିକ। ପ୍ଲିଜ୍ ଦେହକୁ ନେବେନି।


Rate this content
Log in