Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Drama Inspirational

3.0  

Pramod Kumar Jena

Drama Inspirational

ଚପଲ

ଚପଲ

5 mins
14.7K


ବାପାଙ୍କ ପଟେ ଚପଲକୁ ନେଇ ବାଡି ପଟକୁ ଚାଲିଆସିଲା ସପନି l ପାଦ ଗଳାଇ ଦେଖିଲା ବହୁତ ବଡ ହେଉଛି l ଠିକ୍ କଲା ଆଉ ଥରେ ପାଦ ଗଳେଇ ଦେଖିବ କେତେ ବଡ ହେଉଛି ? ଦେଖିଲା ପାଖାପାଖି ଅଧାରୁ ଟିକିଏ କମ୍ l ତା’ପରେ କ’ଣ କରିବ ଚିନ୍ତା କଲା l ଆଜି ତା’ ମୁଣ୍ଡରେ ଭୂତ ପଶିଛି l ତା’ ସାଙ୍ଗ ସତିଆ ଗୋଟେ ନୂଆ ଚପଲ ପିନ୍ଧି ଖାଲି ଏ ପଟକୁ ସେ ପଟ ପଇଁତରା ମାରୁଛି l ତା’ ହସ ଦେଖିଲେ ଲାଗୁଛି ଯେମିତି ତା’ ଦେହରେ ନିଆଁ ଲାଗି ଯାଉଛି l ଆଜି ଯେମିତି ହେଉ ଗୋଟେ ଚପଲ ପିନ୍ଧି ସେ ବି ଦାଣ୍ଡରେ ଗୋଟେ ପଇଁତରା ମାରି ଆସିବ l ସବୁ ବଡ ଭାଇଙ୍କର ଚପଲ l ହେଲେ ତା’ର କାହିଁ ? ଭାବିଲା ଯାହାର ହେଉ ପିନ୍ଧିବ l ହେଲେ କାହିଁ ? ଖାଲି ବାପାଙ୍କ ଚପଲ ହିଁ ଅଛି l ବାପା ଆଜି ବାହାରକୁ ଯାଉ ନାହାନ୍ତି l ବୋଧହୁଏ ତାଙ୍କ ଚପଲଟା କୋଣରେ ଥିଲା l ସେଇଟାକୁ ପିନ୍ଧି ଦାଣ୍ଡକୁ ଯିବାକୁ ସପନି ବିଚାର କରୁଛି l ଏତେ ବଡ ଚପଲ ? ଭାବିଲା ଗୋଟେ କାମ କଲେ ସବୁ ସମସ୍ୟାର ସମାଧାନ ହୋଇଯିବ l ଏ ପଟ ସେ ପଟ ଅନେଇଲା l ଗୋଟେ ଧାନକଟା ଦାଆ ସେ ପଟେ ଖୋସା ହୋଇଛି l ଚପଲରେ ପାଦ ରଖି ଯେତିକି ବଡ ହେଉଥିଲା କାଟିବାକୁ ଆରମ୍ଭ କଲା l ଘୋରି ଘୋରି ଯେତେ କାଟିଲେ ବି ହେଉନି l ଏ ପଟ ସେ ପଟ ହେଇଯାଉଛି l ଫେର୍ ଚେଷ୍ଟା କଲା l ସେତିକି ବେଳକୁ ବୋଉ ଡାକ

ପକେଇଲା, ସପନି................ ସପନି............ l କ’ଣ କରିବ ? ବୋଉ କ’ଣ ପାଇଁ ଡାକ ଛାଡିଲା ? ତରବର ହୋଇ ଚପଲଟିକୁ ନେଇ ବାଡି ପଟ କାନ୍ଥ ସେପଟକୁ ଫିଙ୍ଗି ଦେଲା l ବୋଉ ପଠେଇ ଦେଲା ଦୋକାନକୁ l ତା’ପରେ ଏପଟ ସେପଟ ହୋଇ ଚପଲ କଥା ଭୁଲି ଗଲା ସପନି l

       ତା’ ପର ଦିନ ସକାଳୁ ବାପା ବାହାରିଲେ କୁଆଡେ ଯିବାକୁ l ମନେ ପଡିଗଲା ସପନିର ବାପାଙ୍କ ଚପଲ କଥା l ଛାତି ଧଡ ଧଡ ହେଲା l ଭାବିଲା, ବାପା ତ ଏବେ ଚପଲ

ଦେଖିବେ l ଧରା ପଡିଲେ ତ ରକ୍ଷା ନାହିଁ l ମନେ ମନେ ଭଗବାନଙ୍କୁ ଡାକୁଥାଏ ବଞ୍ଚାଇବା ପାଇଁ l

       ହଠାତ୍ ବାପା ଡାକିଲେ, ସପନି.......... ସପନି..........

       : ଆଜ୍ଞା..........

       : ଗୋଟେ ଚପଲ୍ ମିଳୁନି l ଦେଖିଲୁ...........

       ମିଳିବ କେମିତି ? ସେ ତ ଫିଙ୍ଗି ଦେଇଛି ବାଡି ପଟେ l ଆଉ କ’ଣ ସେଇଟା ଥିବ ସେଠି ? ମିଛିମିଛିକା ଖୋଜିବାକୁ ଆରମ୍ଭ କରିଦେଲା ସପନି l 

       : ନା......... ବାପା............ ମିଳୁନି........

       ବାପା ବିରକ୍ତ ହୋଇ ବୋଉକୁ ଡାକିଲେ l ତା’ପରେ ସମସ୍ତେ ଖୋଜିଲେ l ଖୋଜିବା କାମରେ ସାମିଲ ହୋଇ ସମସ୍ତେ ଭାବିଲେ ଗଲା କୁଆଡେ ?

       ଆଉ କିଏ ନେଇଥିଲେ ତ ହଳଟା ଯାକ ନେଇଥାନ୍ତା l ଗୋଟେ କାହିଁକି ନେବ ? କୁକୁର ବା ରବର ଚପଲଟା କାହିଁକି ନେବ ଯେ ? ବାପା ରାଗରେ ସମସ୍ତଙ୍କୁ ଡାକିଲେ l ଜଣ ଜଣ କରି ସମସ୍ତଙ୍କୁ ପଚାରିଲେ, ‘ଚପଲ ଦେଖିଛୁ ?’ ବଡ ଭାଇ ଠାରୁ ଆରମ୍ଭ କରି ମଝିଆ ଭାଇମାନେ ସମସ୍ତେ ମନା କଲେ l ରାଗରେ ବାପା କହିଲେ, ଏଠିକୁ କ’ଣ ଡକାୟତ୍ ଆସିଥିଲା ଗୋଟେ ଚପଲ ନେବାକୁ ? ରାଗରେ ଗୋଟେ ବାଡି ଧରି ବାଡେଇବାକୁ ଆସିଲେ l ପୁଣି କ’ଣ ଭାବିଲେ କେଜାଣି, ବାଡିଟାକୁ ଫିଙ୍ଗି ଦେଇ ଖାଲି ପାଦରେ ଘରୁ ସାଇକେଲ୍ ନେଇ ଚାଲିଗଲେ l

       ସପନି ଭାବିଲା, ଯାହା ହେଉ ରକ୍ଷା ମିଳିଗଲା l ସମସ୍ତେ ସ୍କୁଲକୁ ଚାଲିଗଲେ l ସ୍କୁଲରେ ବି ତା’କୁ ସେଇ ଚପଲ କଥା ହିଁ ମନେ ପଡୁଥାଏ l ଆଜି ବି ସତିଆ ତା’ ନୂଆ ଚପଲ ପିନ୍ଧି ସ୍କୁଲକୁ ଆସିଛି l ଅବଶ୍ୟ ଆଉ କାହା ପାଦରେ ଚପଲ ନ ଥିଲା l ଏମିତି ଗାଆଁ ପିଲାମାନେ ଖାଲି ପାଦରେ ସ୍କୁଲ୍ ଆସନ୍ତି l ଆଜି କିନ୍ତୁ ସତିଆ ଚପଲ ଦେଖିବାକୁ ତା’ର ଆଗ୍ରହ ନ ଥିଲା l ସ୍କୁଲ୍ ଛୁଟି ହେଲା l ମନ ମାରି ସପନି ପଛକୁ ଫେରୁଥାଏ l କାଟିଦେଲେ ଚପଲଟା ବେକାର ହୋଇଯିବ, ଏ କଥା ଜମ୍ମା ତା’ ମୁଣ୍ଡକୁ ଜୁଟି ନ ଥିଲା ସେ ଦିନ l ସେ ତ ଭାବୁଥିଲା, କାଟିଦେଲେ ଛୋଟ ହୋଇ ଯିବ, ଆଉ ସେ ପିନ୍ଧି ସ୍କୁଲକୁ ଯିବ l ସତିଆ ଆଗରେ ଶଟ୍ ଶଟ୍ ଡିଆଁ ମାରିବ l ସବୁ ଓଲଟ ପାଲଟ ହୋଇଗଲା l ଯାହାହେଉ ଧରା ପଡି ଯାଇନି l ନ ହେଲେ ପିଠିର ଚମଡା ଆଉ ନଥାନ୍ତା l ବାପା ଯେମିତି ରାଗି ନା .........ଘରେ ପହଞ୍ଚି ଦାଣ୍ଡ ଘର ଭିତରକୁ ପଶିଲା ବେଳକୁ ଦେଖିଲା ସେଇ ଖଣ୍ଡିଆ ଚପଲଟା ସାମ୍ନାରେ ଥୁଆ ହୋଇଛି l ଚମକି ପଡିଲା ସପନି l ଏଇଟା ଏଠିକି କିଏ ଆଣିଲା ? ଛାତିଟା ଧଡପଡ ହୋଇଗଲା l ଏପାଖ ସେପାଖ ଅନେଇଲା ବେଳକୁ ଏପଟ କୋଣରେ ବାପା ଏଡେ ଏଡେ ଆଖିରେ ଅନେଇଛନ୍ତି l ବୋଉ ଲୋ......... କ’ଣ କରିବ ? ଆଖି କାନ ବୁଜି ଘର ଭିତରକୁ ପଶିଗଲା l ଛାତି ଖାଲି ଉଠୁଥାଏ, ପଡୁଥାଏ l ବସ୍ତାନିଟାକୁ ରଖି ଦେଇ ତକିଆ ଭିତରେ ମୁହଁକୁ ଲୁଚାଇ ଶୋଇ ପଡିଲା l

       ସକାଳେ ବୋଉ କହିଲା, ରାତିରେ ଯେତେ ଉଠେଇଲେ ବି ସେ କୁଆଡେ ଉଠି ନ ଥିଲା ବୋଲି l ସତରେ କି ମିଛରେ ମନେ ପଡିଲାନି l ଡରରେ ସେ କେତେବଳେ ଶୋଇ ପଡିଥିଲା ସେ ବି ଜାଣିନି l ଉଠି ଦାନ୍ତ ଘସିବାକୁ ଗଲା ବେଳକୁ ଦେଖିଲା ବାପାଙ୍କ ସାଇକେଲ୍ ନାହିଁ l ବୋଉକୁ ପଚାରି ବୁଝିଲା ବାପା ନାହାନ୍ତି l ସକାଳୁ କୁଆଡେ ଯାଇଛନ୍ତି l ଟିକିଏ ଜୀବନ ପଶିଲା ତା’

ଛାତିରେ l ଦାଣ୍ଡ ଘରକୁ ଯାଇ ଦେଖେ ସେ ଖଣ୍ଡିଆ ଚପଲଟା ବି ନାହିଁ l ଭାବିଲା ସେ କ’ଣ ସପନ ଦେଖୁଥିଲା ? ସେତେବେଳକୁ ବଡ ଭାଇମାନେ ସ୍କୁଲ୍ ଯିବାକୁ ତରବର ହେଉଥାନ୍ତି l କିନ୍ତୁ କେହି କାହା ସାଙ୍ଗରେ କଥା ହେଉ ନ ଥାନ୍ତି l ବାପାଙ୍କ ଚପଲ କଥା ସମସ୍ତେ ଭାବୁଛନ୍ତି ବୋଧହୁଏ l ପୁଣି କାଲି ଖଣ୍ଡିଆ ଚପଲଟା ବି ଦେଖିଥିବେ l ସମସ୍ତେ ସମସ୍ତଙ୍କୁ ସନ୍ଦେହ କରୁଥାନ୍ତି l ହେଲେ ସପନି ଯେ ନିଜେ କରିଛି, ସେ କଥା ବୋଧହୁଏ କେହି ଜାଣନ୍ତି ନାହିଁ l ଭାଇମାନଙ୍କ ପଛେ ପଛେ ସପନି ବି ସ୍କୁଲ୍ ଗଲା ସବୁ ଦିନ ପରି l ସ୍କୁଲ୍ ସମୟ ସରିବା ପରେ ଘରକୁ ଫେରୁଥାଏ l ଘରକୁ ଫେରିବା ପରେ ଦେଖେ ତ ବାପା ବି ଫେରିଲେଣି l ପୁଣି ଛାନିଆ ପଶିଲା ଛାତିରେ l ଆଜି ବୋଧହୁଏ ପାଳି ପଡିବ l ବୋଉ କହିଲା, ‘ଆ.......... ଖାଇଦେବୁ l ନ ହେଲେ କାଲି ଭଳିଆ ଶୋଇ ପଡିବୁ l ଗୋଡ ହାତ ଧୋଇ ଦେ....... ’ . ଗୋଡ ହାତ ଧୋଉ ଧୋଉ ବାପା ଡାକିଲେ, ସପନି............ ସପନି..............

       ମାଆ ଲୋ..... ମଲି l ଏବେ ତ ପାହାର ପଡିବ l ବାପା ଡାକିଲେଣି l ମନେ ମନେ ଭାବି ଡରି ଡରି ସପନି ବାପାଙ୍କ ପାଖରେ ଠିଆ ହେଲା l

       ବାପା ବୋଉକୁ କହିଲେ, ‘ସେ ବ୍ୟାଗଟା ଦେଲ l’ ବୋଉ ଆଣି ବ୍ୟାଗଟା ବାପାଙ୍କ ହାତକୁ ବଢେଇ ଦେଇ ଠିଆ ହେଲା l ବାପା ବ୍ୟାଗରୁ ଦୁଇଟି ପ୍ୟାକେଟ୍ ବାହାର କଲେ l ଆରେ ଇଏ କ’ଣ ? ଏ ଗୁଡାକ ତ ଚପଲ ଡବା ଭଳି ଲାଗୁଛି l ପ୍ରଥମଟି ଖୋଲିଲେ l ତାଙ୍କ ନିଜ ପାଇଁ ଚପଲ ହଳେ l ଚପଲ୍ ହଳକ ପିନ୍ଧି ପଚାରିଲେ, ‘କେମିତି ହେଇଛି ?’ ସପନିର ଆଉ ବାପାଙ୍କ ମୁହଁକୁ ଅନେଇବାକୁ ସାହସ ନ ଥିଲା l ମୁହଁ ତଳକୁ କରି କହିଲା, ଭଲ ହୋଇଛି l ବାପା ତା’ପରେ ଆର ଡବାଟି ଖୋଲିଲେ l ଆଉ ଚପଲ ହଳେ l ସେ ହଳକ ଚପଲ୍ ସପନି ଆଡକୁ ବଢାଇ ଦେଲେ l

       : ନେ..... ତୋ’ର ପରା ଚପଲ ନ ଥିଲା l ନେ..... ପିନ୍ଧିଲୁ ଦେଖି l

       ଖୁସିରେ ଆଖି ତରାଟି ହୋଇଗଲା ସପନିର l ତା’ ପାଇଁ ନୂଆ ଚପଲ ! ପାଦଟା ଗଳେଇ ଦେଖିଲା l ଏକ ଦମ୍ ଠିକ୍ l

       : ଯା..... ନେଇ ଯା..... ସ୍କୁଲକୁ ପିନ୍ଧିକି ଯିବୁ l

       ଖୁସିର ସୀମା ନାହିଁ l ଚପଲ୍ ଦୁଇଟି ଧରି ଘର ଭିତରକୁ ପଶିଗଲା l ଚପଲ୍ ଦୁଇଟା ପିନ୍ଧି ଡେଇଁବାକୁ ଲାଗିଲା, ଯେମିତି ସତିଆ ଡେଉଁଥିଲା l ଡେଇଁ ଡେଇଁ କ’ଣ ମନ ହେଲା କେଜାଣି ଦୁମ୍ କରି ବସି ପଡିଲା l ତା’ ଖୁସିଟା ଆଉ ବେଶି ସମୟ ରହିଲାନି l ତା’କୁ ବାପାଙ୍କ ସେଇ ପୁରୁଣା ଚପଲ୍ ଦେଖାଗଲା l ସେ ଯେ ତା’କୁ କାଟି ଫିଙ୍ଗି ଦେଇଛି l ମନେ ପଡିଲା, ତା’ ପାଇଁ ବଡ ଭାଇମାନଙ୍କୁ ଆକଟ ଶୁଣିବାକୁ ପଡିଲା l ଚପଲ୍ ସିନା ବାହାରକୁ ଫିଙ୍ଗି ଦେଇଥିଲା, ହେଲେ ଧରା ପଡିଗଲା l ବାପାଙ୍କ ଆଖିରେ ଚୋର ହୋଇଗଲା l ତା’ ବାପା କେତେ ଭଲ l ତା’କୁ ଗାଳି ଦେଲେନି l ବାଡେଇଲେନି l ଓଲଟି ତା’ ମନ ଜାଣି ତା’ ପାଇଁ ନୂଆ ଚପଲ ଆଣିଦେଲେ l

       ଚପଲ ଦୁଇଟାକୁ ଛାତିରେ ଧରି କାନ୍ଦିବାକୁ ଇଚ୍ଛା ହେଲା ତା’ର l ନିଜ କାନ୍ଦକୁ ଅଟକାଇ ପାରିଲାନି l କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା l ହଠାତ୍ ମୁଣ୍ଡରେ କାହାର ହାତ ସ୍ପର୍ଶ ପାଇ ଉପରକୁ ଚାହିଁଲା l

       ବାପା.......... ତାଙ୍କ ପଛରେ ବୋଉ l ବାପା ତା’ ମୁଣ୍ଡକୁ ସାଉଁଳି ଦେଇଛନ୍ତି l ନିଜକୁ ଆଉ ସମ୍ଭାଳି ନ ପାରି ବାପାଙ୍କ ଗୋଡ ଧରି ସପନି ପୁଣି ଜୋରରେ କାନ୍ଦିବାକୁ ଆରମ୍ଭ କଲା l କହିଲା, ବାପା ! ଆଉ କେବେ ଜୀବନରେ ମିଛ କହିବିନି l କେବେ ବି ମିଛ କହିବିନି l

(#Positiveindia)


Rate this content
Log in

Similar oriya story from Drama