ଟଙ୍କିକିଆ ଚାଉଳ
ଟଙ୍କିକିଆ ଚାଉଳ
ଘର କାମ ହେବ ବୋଲି ଗାଁରୁ ଦୁଇ ଜଣ ମୂଲିଆ ନେଇ ଆସିଲେ ନିଗମ ବାବୁ l ଚଉଦ/ପନ୍ଦର ବର୍ଷର ପିଲା ଦୁଇଟା l କାମ କରିବେ ଯେମିତି, ଖାଇବେ ସେମିତି l ଭାତ ବଢା ହେବ ଯେ ବିଲେଇ ଡେଇଁ ଯାଇ ପାରିବ ନାହିଁ l ଦି ବେଳା ଭାତ, ଥରେ ଜଳଖିଆ, ଆଉ ଚା ଦୁଇ କପ୍ l ବାସ୍ l ନିଗମ ବାବୁଙ୍କ ସ୍ତ୍ରୀ ବି ନିରଳସ ମଣିଷଟିଏ l ଅମୃତ ହାତ ତାଙ୍କର l ଦିନେ ଗଲା l ଦୁଇ ଦିନ ଗଲା l ମିସ୍ତ୍ରୀର ଦର୍ଶନ ନାହିଁ l ଏଠିକା ମିସ୍ତ୍ରୀ ସବୁ ମାର୍କଣ୍ଡେୟ ଭଣ୍ଡାରୀ l କାମ ଆରମ୍ଭ କରିଦେଇ ପୁଣି ଗାଏବ୍ ହେଇ ଯାଆନ୍ତି l ବାସ୍ ବସିଥାଅ ତୁମେ l ଆଉ କେହି ମିସ୍ତ୍ରୀ କାମ କରିବାକୁ ରାଜି ବି ହେବେନି l ତୃତୀୟ ଦିନ ପିଲା ଦୁଇଟା ଆସିଲେ ମାୟା ଦେବୀଙ୍କ ପାଖକୁ l
: ମାଆ (ଗାଆଁ ହିସାବରେ ସେମାନେ ନିଗମ ବାବୁଙ୍କ ନାତି ହେବେ, ଏଣୁ ମାୟା ଦେବୀ ଜେଜେ ମାଆ) ଆମକୁ କାମ ଦିଅ l ଏମିତି ବସି ଖାଇବା ବେଳକୁ ମାଡି ପଡୁଛି l
ମାୟା ବିଶ୍ୱାସ କରି ପାରୁ ନ ଥିଲେ ନିଜ କାନକୁ l ସେ ଠିକ୍ ଶୁଣୁଛନ୍ତି ତ ?
: ଆରେ ତୁମେ ଦୁହେଁ ତ ବହୁତ କାମ କରୁଛ …… ମୋ ପାଇଁ କୂଅରୁ ପାଣି
କାଢି ଦେଉଛ l ପରିବା ନେଇ ଆସୁଛ l ତୁମେ ଆସିବା ପରଠୁ ତୁମ ବାପାଙ୍କୁ କାମରୁ ମୁକ୍ତି
ମିଳିଛି l ମିସ୍ତ୍ରୀ ନ ଆସିବାଟା କଣ ତୁମର ଭୁଲ?
: ଏତିକି କାମ କଣ ଆମେ ଆମ ମାଆ ବାପାଙ୍କ ପାଇଁ କରନ୍ତୁ ନାହିଁ କି? ଆମକୁ ନ ହେଲେ ଗାଆଁକୁ ପଠେଇ ଦିଅ l ଯେଉଁ ଦିନ ମିସ୍ତ୍ରୀ ଆସିବ, ଖବର ଦେଲେ ଆମେ ଆସି ପହଞ୍ଚିଯିବୁ l
କିଏ କହିଲା ଟଙ୍କିକିଆ ଚାଉଳ ଗାଁ ଲୋକଙ୍କୁ କର୍ମ କୋଢିଆ କରିଦେଇଛି ? କିଏ କହିଲା ଗାଁ ଲୋକ ଟଙ୍କାକିଆ ଚାଉଳ ପାଇଁ କର୍ମ ବିମୁଖ ହେଇଯାଇଛନ୍ତି ? ହେଇ ତ ଓଡିଆର ସ୍ୱାଭିମାନ ଓ ଓଡିଶାର ଭବିଷ୍ୟତ ବଞ୍ଚି ରହିଛି, ଏଇମାନଙ୍କ ଭଳି ପିଲାଙ୍କ ଭିତରେ l
ଚୁପ୍ ଚାପ୍ ଭାବୁଥିଲେ ମାୟା ଦେବୀ l