Ajaya Mahala

Inspirational


3  

Ajaya Mahala

Inspirational


ମାଟିପୁତ୍ର

ମାଟିପୁତ୍ର

6 mins 14.3K 6 mins 14.3K

ସେଦିନ ନୀରବତା ନୀରବତାକୁ ବାଟ କଢାଉଥିଲା । ସମସ୍ତେ ଯାଇଥିଲେ ଶ୍ମଶାନ ଘାଟକୁ । କେଉଁ ଘରେ ଲୋକ ନ ଥିଲେ। ସ୍କୁଲ କଲେଜ ବି ସବୁ ବନ୍ଦ ହୋଇ ଯାଇଥିଲା । ରାସ୍ତାକଡର ଉଞ୍ଚା ଉଞ୍ଚା ନୀଳଗିରି ଗଛଗୁଡିକ ବି ସ୍ତବ୍ଧ ହୋଇ ଛିଡା ହୋଇଥିଲେ ସ୍ତବ୍ଧ ହୋଇଯାଇଥିବା ପବନ ସହ । ତ୍ରିରଙ୍ଗାରେ ଗୁଡାହୋଇ ଆସିଥିଲା ଏ ମାଟିର ସୁଯୋଗ୍ୟ ସନ୍ତାନର ଦେହ ରାଜକୀୟ ଆଡମ୍ବର ସହ । ତାକୁ ଉଠାଇ ଆଣିଥିଲେ ଆର୍ମୀ ପୋଷାକ ପିନ୍ଧିଥିବା ଛ' ଜଣ ବଳିଷ୍ଠ ଯବାନ । ସେହି ନାଲି ମାଟି ରାସ୍ତାରେ, ଯେଉଁ ରାସ୍ତାରେ କେବେ ସିଏ ଦୁଇ କିଲୋମିଟର ପର୍ଯ୍ୟନ୍ତ ବଡ ମିଲିଟାରୀ ସୁଟକେଶ ହାତରେ ଧରି ଘରୁ ବାହାରି ଯାଉଥିଲା ନିକଟବର୍ତ୍ତୀ ବସ୍ ଷ୍ଟାଣ୍ଡରୁ ବସ୍ ଧରିବା ପାଇଁ ।

ମୋ ଛୋଟ ଟାଉନଟିର ପ୍ରଥମ ଶହୀଦ ଥିଲା ସହଦେବ ରାଉତ । ଟାଉନଟିକୁ ମିଳିଥିଲା ଏକ ଭିନ୍ନ ଧରଣର ପ୍ରସିଦ୍ଧି । ଆଖପାଖ ଗାଁଆରୁ ଛୁଟି ଥିଲା ସେଦିନ ଜନତାର ସୁଅ, ମାଟିପୁତ୍ରର ପାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦେବାକୁ । ରାସ୍ତାଘାଟ ଯାନବାହନରେ ଖୁନ୍ଦି ହୋଇଯାଇଥିଲା ସେଦିନ ।ଦୁଇବର୍ଷର ଛୁଆଟି ମା କାଖରେ ରହି ପିତାକୁ ମୁଖାଗ୍ନି ଦେଇଥିଲା । ସହଦେବ ସହିତ ବିବାହ ସମୟରେ ଉଠା ଯାଇଥିବା ସୁନ୍ଦର ଫୋଟୋଟିକୁ ବାରମ୍ବାର ଦେଖାଉଥିଲେ ସମସ୍ତ ଟିଭି ଚ୍ୟାନେଲ । ଜଣା ନାହିଁ ସବୁ କନ୍ଦାକଟା ଭିତରେ କିଏ ଫ୍ୟାମିଲି ଆଲବମରୁ ଏହି ଫୋଟୋଟିକୁ କାଢି ପତ୍ରକାରଙ୍କୁ ଦେଇ ଦେଇଥିଲା। ସ୍ଵାଗତିକା ବି କାନ୍ଦକୁ ଭୁଲିଯାଇ ପତ୍ରକାର ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲା ଠିକ ଗୋଟିଏ ଦେଶଭକ୍ତ ବୀରର ପତ୍ନୀ ପରି ।

ଶହୀଦ ସହଦେବଙ୍କ ସେହି ଅନ୍ତିମ ବିଦାୟ ପରେ ସ୍ଵାଗତିକା ଛୋଟ ପୁଅଟିକୁ ଧରି ସିଧା ନିଜ ବାପା ଆଉ ବୋଉଙ୍କ ପାଖକୁ ଚାଲି ଯାଇଥିଲେ । ଆଉ କେବେ ଫେରି ନ ଥିଲେ ଶାଶୁଘର । ଶାଶୁଘରେ କଣ ଥିଲା ଅବା ତା ପାଇଁ । ଖାଁ ଖାଁ କରି ଖାଇ ଗୋଡୋଉ ଥିବା ବିରାଟ ଘରଟିଏ ଆଉ ତା ଭିତରେ ପୁତ୍ରଶୋକରେ ଅନବରତ ଲୁହ ଗଡାଉ ଥିବା ଶାଶୁ ଶ୍ୱଶୁର । ସ୍ଵାଗତିକା ଛୁଆକୁ ଧରି ବାପଘରକୁ ଯିବା ପାଇଁ ଯେବେ ଇଛା ପ୍ରକାଶ କରିଥିଲା, ଶ୍ୱଶୁର କେବଳ କହିଥିଲେ, " ମାଆରେ, ଯାହା ତୋ ଇଛା "।

ନିଜ ବାପାମାଆଙ୍କ ପାଖକୁ ଫେରିବା ପରେ ସ୍ଵାଗତିକା କେଉଁଆଡେ ବୁଲିବାକୁ ଯାଇନାହାନ୍ତି । କେବଳ ଥରେ ଯାହା ଭାରତ ସରକାରଙ୍କ ଅନୁରୋଧ କ୍ରମେ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀ ଯାଇଥିଲେ । ସ୍ୱାମୀଙ୍କ ଵୀରତା ପାଇଁ ମରଣୋପରାନ୍ତ ପୁରସ୍କାର ଗ୍ରହଣ କରିବା ପାଇଁ । ଦିଲ୍ଲୀର ପୁରସ୍କାର ଗ୍ରହଣ ସମାରୋହରେ ସ୍ଵାଗତିକା ଏକୁଟିଆ ନ ଥିଲେ । ଯୁଦ୍ଧ କାରଣରୁ ବୈଧବ୍ୟକୁ ଗଳାରେ ଲଗାଇଥିବା ତାପରି ଅନେକ ମହିଳା ଦେଶର ଅଲଗା ଅଲଗା ପ୍ରାନ୍ତରୁ ଆସିଥିଲେ । ସ୍ଵାଗତିକା ଅନୁଭବ କରୁଥିଲେ ଯେମିତି ବୀର ଶହୀଦ ମାନଙ୍କ ପରିଜନଙ୍କୁ ପୁରସ୍କୃତ କରିବା ଏକ ଔପଚାରିକତା ମାତ୍ର । ପ୍ରତିବର୍ଷ ଏହିପରି ସୈନିକ ଶହୀଦ ହୋଇ ଆସିଛନ୍ତି ଆଉ ହେଉଥିବେ ମଧ୍ୟ । କେତେ ଜଣ ମହିଳାଙ୍କୁ ସେ ଅନାଇ ଦେଖୁଥିଲା । ତାହାରି ପରି ସେମାନଙ୍କ ଆଖିରୁ ବି ଲୁହ ମରି ନ ଥାଏ ।

ଆୱାଜ କରି ତିନିଥର ତୋପ ଫୁଟିଲା । ଉଡିଗଲେ ତିନୋଟି ଲଢୁଆ ପ୍ଲେନ ଆକାଶରେ ଶବ୍ଦର ତରଙ୍ଗ ସୃଷ୍ଟି କରି । ସ୍ଵାଗତିକାର ଶ୍ଵାସ ଅବରୁଦ୍ଧ ହୋଇ ଆସୁଥିଲା । ଯେମିତି ସେମିତି ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ସମ୍ପନ୍ନ କରି ସେ ଘରକୁ ଫେରିଯାଇଥିଲା ।

ଜାନୁୟାରୀଠୁଁ ଅଗଷ୍ଟ - ୟା ଭିତରେ ସାତ ଆଠ ମାସ ହୋଇଗଲାଣି । ସରକାର ଯାହା ଟଙ୍କା ଦେଇଥିଲେ ତାହା ସିଧା ସ୍ଵାଗତିକା ପାଖକୁ ଆସିଥିଲା । ଶାଶୁ ଶ୍ଵଶୁରଙ୍କ ସହ କଥା ହୋଇଯାଏ ଟେଲିଫୋନରେ । ତାପଟରୁ ଅଧିକା କଥା କହି ହୁଏନା । କେବଳ ଦେହପା ଭଲମନ୍ଦ କଥା । ଥରେ ଶାଶୁ ଶ୍ୱଶୁର ଆସିଥିଲେ ନାତିକୁ ଦେଖି ଯିବାକୁ । ସହଦେବ ଥିଲେ ଘରର ଏକମାତ୍ର ପୁଅ । ସୁତରାଂ ସୂର୍ଯ୍ୟାଂଶ ଏକମାତ୍ର ନାତି ।

କାଲି ଶ୍ୱଶୁରଙ୍କର ଫୋନ ଆସିଥିଲା । ସ୍ୱାଧୀନତା ଦିବସ ସମାରୋହରେ ଅତିଥି ରୂପରେ ସ୍ଵାଗତିକାଙ୍କୁ ଜିଲ୍ଲା କଲେକ୍ଟର ଆମନ୍ତ୍ରଣ କରିଛନ୍ତି । କହୁଥିଲେ ବିଲକୁଲ ଏଡାଇ ହେବ ନାହିଁ । ବରଂ ଗୋଟିଏ ଦିନ ପାଇଁ ହେଉ ବି ଆସିବାକୁ ହେବ। ସେଠାରେ କେତୋଟି ସ୍କୁଲରେ ସହଦେବ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା ଓ ଖେଳକୁଦ ଆଦି ବି ଆୟୋଜନ

କରା ଯାଇଥିବାର ଖବର ଶ୍ୱଶୁର ଦେଇଥିଲେ।

ଆଜି ସ୍ଵାଗତିକା ସୂର୍ଯ୍ୟାଂଶକୁ ଧରି ବସ୍ ରେ ସ୍ୱାମୀଙ୍କ ସହରକୁ ଯାଉଛନ୍ତି । ବସ୍ ଭିତରୁ ସହଦେବଙ୍କ ନାମ ଥିବା କେତୋଟି ବ୍ୟାନର ବି ପଢି ସାରିଲେଣି । ଗୋଟିଏ ଜାଗାରେ ତ ବହୁତ ବଡ଼ ଆକାରରେ ତାଙ୍କର ପୋଷ୍ଟର ଲାଗିଛି । ପାଖରେ ବସିଥିବା ସହଯାତ୍ରୀ ଜଣକ ସ୍ଵାଗତିକାର ପରିଚୟ ପାଇବା ପରେ କେଡେ ସମ୍ମାନ ସହକାରେ ତା ସହ କଥା କହୁଥିଲେ । ଶହୀଦ ମାଟିପୁତ୍ରଙ୍କ ପତ୍ନୀ ଙ୍କ ସହ କଥା ହେଲାବେଳେ ନିଜକୁ ସେ କେତେ ଗୌରବାନ୍ୱିତ ମନେ କରୁଥିଲେ ତାହା ତାଙ୍କର ହାବଭାବରୁ ସ୍ପଷ୍ଟ ବାରି ହେଉଥିଲା। ସ୍ଵାଗତିକା ଦୁଇଟି ନୂଆ କଥା ବି ଜାଣିବାକୁ ପାଇଲେ ସହଦେବଙ୍କ ବିଷୟରେ । କିପରି ସେ ବଢ଼ି ସମୟରେ ଭରା ନଈରେ ପହଁରି ଦୁଇଜଣଙ୍କ ଜୀବନରକ୍ଷା କରିଥିଲେ ଆଉ ଟ୍ରେନିଂ ସମୟରେ କିପରି ଗୋଟିଏ ଗୁଳି ତାଙ୍କ ବାଆଁ ହାତରେ ଲାଗିଥିଲା । ସ୍ଵାଗତିକା ବିବାହ ପରର ପ୍ରଥମରାତ୍ରିରେ ବାଆଁ ହାତରେ ଥିବା ଚିହ୍ନ ବିଷୟରେ ପଚାରିଥିଲେ । କିନ୍ତୁ ସହଦେବ କଥାଟାକୁ ହସି ଦବାଇ ଦେଇଥିଲେ ଏଇୟା କହି କି ଛୁଆବେଳେ ଖେଳୁ ଖେଳୁ ହୋଇଛି କହି ।

ଛୋଟ ସହରରେ ସହଦେବଙ୍କର ସୁନାମ ଏତେ ବ୍ୟାପି ଯାଇଥିବ ସ୍ଵାଗତିକା ନିଜେ ବିଶ୍ୱାସ କରି ପାରୁ ନ ଥିଲେ। କିନ୍ତୁ ସହଦେବ ନିଜେ ତ ନାହାନ୍ତି ଏ ସବୁ ଦେଖି ଖୁସି ହେବାକୁ ।

ସ୍ଵାଗତିକା ସଚେତନ ହୋଇ ଆସୁଥିଲେ ସେ ଫେରୁଛନ୍ତି ବୋଲି ନିଜ ଶାଶୁଘରର ସହରକୁ । ଏଇ ସେ ସହର ଯେଉଁଠିକୁ ମାତ୍ର ତିନି ବର୍ଷ ତଳେ ଆସିଥିଲେ ବୋହୁ ହୋଇ। ସହରର ମୁଖ୍ୟ ଛକ ଦେଇ ଗାଡି ଗଡିଗଲା ବେଳେ ବସ୍ ର କାଚ ଟାଣି ଦେଖୁଥିଲେ ସଦ୍ୟ ଉନ୍ମୋଚିତ ହୋଇଯାଇଥିବା ସହଦେବଙ୍କର ମୂର୍ତ୍ତିଟିକୁ । କିଏ ସେ ମୂର୍ତ୍ତି ଗଢ଼ିଛି କେଜାଣି । ବିଲକୁଲ ମିଳୁନି ସହଦେବଙ୍କ ସହ । ଡାହାଣ ଆଖିଟା ଏକ ଦମ ବଡ ହୋଇଯାଇଛି । ଏତେ ଲମ୍ବା କଲି ଦେଖି ହସି ପକାଇଲେ ସ୍ଵାଗତିକା । ମୂର୍ତ୍ତିକାର ବହୁତ ଭାବି ଚିନ୍ତି ପକେଟରେ ଲଗାଇ ଦେଇଛି କଲମ ଟିଏ । ସ୍ଵାଗତିକା ମନକୁ ମନ ପ୍ରଶ୍ନ କଲେ, "ଫୌଜି ଆଦମୀ ସିଏ, ତାଙ୍କର କଲମ ସହ କି କାମ ?"

ମୂର୍ତ୍ତି ପାଖକୁ ଲଗା ଯାଇଛି ବହୁତ ବଡ଼ ପିତଳ ଫଳକଟିଏ, ଶହୀଦ ବୀର ସହଦେବ ରାଉତ ନାଁ ରେ । ସ୍ଵାଗତିକା ଅଭିଭୂତ ହୋଇ ପଡ଼ିଥିଲେ । ଛୋଟ ଟାଉନଟିର ଏକମାତ୍ର ମୁଖ୍ୟ ଛକ ଆଜି ତାଙ୍କ ସ୍ୱାମୀଙ୍କ ନାମରେ ନାମିତ । ଏଠି ମାଟି, ପାଣି ଆଉ ପବନ ସମସ୍ତେ ଯେମିତି କଥା ହେଉଛନ୍ତି ସହଦେବଙ୍କ ବିଷୟରେ ।

ବସ୍ ନିର୍ଦ୍ଧାରିତ ଜାଗାରେ ରହିଲା । ଶ୍ୱଶୁର ଅପେକ୍ଷା କରିଥିଲେ ବୋହୁକୁ ନେବା ପାଇଁ।

ସୂର୍ଯ୍ୟାଂଶ ଡେଇଁ ପଡିଲା ତା ଜେଜେ ବାପାଙ୍କ କୋଳକୁ । ଏଡ଼େ ସ୍ୱଚ୍ଛନ୍ଦ ତାର ଏହି ଭାବ ସ୍ଵାଗତିକା ପଛ ଦଶ ମାସରେ କେବେ ଦେଖି ନ ଥିଲା । ଯେମିତି ମାଟିପୁତ୍ର ଫେରି ଆସିଛି ତା ନିଜ ମାଟିକି ।

ସ୍ଵାଗତିକା ପାଇଁ ଶାଶୁ ଚାକରାଣୀ ଲଗାଇ ତାର ବେଡ଼ରୁମକୁ ସଜାଇ ଦେଇଥିଲେ । କିନ୍ତୁ ସ୍ଵାଗତିକା ସେଠାକୁ ଗଲାନାହିଁ । ଖିଆ ପିଆ ସରିଲା ପରେ ସେ ଶାଶୁଙ୍କ ବିଛଣା ପାଖରେ ବିଛଣା ଲଗାଇ ଶୋଇ ଗଲା । କାଲି ସକାଳୁ ଯିବାକୁ ପଡ଼ିବ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ । ରାତିଟା ସେମିତି କଟିଗଲା ।

ଶହୀଦ ମେମୋରିଆଲ ଗ୍ରାଉଣ୍ଡ । ସକାଳ ଆଠଟା।

ସବୁଜ ଘାସର ଲନ । ଯେଉଁ ଅସରାଏ ମେଘ ସକାଳୁ ହୋଇ ଯାଇଥିଲା ତାହା ଛାଡିନି ଘାସରୁ । ଚାରି ଆଡ଼େ ଟଙ୍ଗା ଯାଇଛି ଶହୀଦ ସହଦେବଙ୍କ ଫୋଟୋ ଥିବା ବ୍ୟାନର। ଖୋଲା ପଡ଼ିଆରେ ଧାଡି କରି ରଖା ଯାଇଥିବା ନାଲି ପ୍ଲାଷ୍ଟିକ ଚେୟାର ସବୁରେ ବି ବର୍ଷପାଣି ଜମି ଯାଇଛି ।

ସ୍ଵାଗତିକା କିନ୍ତୁ ବସିବେ ଶମିୟାନା ତଳେ ପଡିଥିବା କୌଣସି ସୋଫାରେ । ଠିକ ମୁଖ୍ୟ ଅତିଥିଙ୍କ ପାଖକୁ ଲାଗି ।

ପତାକା ଉତ୍ତୋଳନ ସମୟାନୁସାରେ ହେଲା । ଅନେକ ବକ୍ତା ଶହୀଦ ମାନଙ୍କ ବଳିଦାନ ବଦଳରେ ମିଳିଥିବା ସ୍ୱାଧୀନତା କେତେ ମହାର୍ଘ ସେ ବିଷୟରେ କହୁଥିଲେ। ଆଉ ସେଇଥିରୁ ଉଠିଲା ଶହୀଦ ସହଦେଵଙ୍କ କଥା ବି - କିପରି ସାଥି ସୈନିକ ମାନଙ୍କୁ କଭର ଦେବା ପାଇଁ ଶତ୍ରୁପକ୍ଷର ଗୁଳିକୁ ଭୃକ୍ଷେପ ନ କରି ଆଗକୁ ବଢି ଯାଇଥିଲେ ଆଉ ନିଜ ଜୀବନ ସହ ଖେଳି ଗଲେ।

ସ୍ଵାଗତିକାର ସମ୍ବର୍ଦ୍ଧନା ନିଜେ କଲେକ୍ଟର ମହୋଦୟ କଲେ। ସ୍ଵାଗତିକାକୁ "ଏ ସହରର ବୋହୂ" କହିଲା ମାତ୍ରେ ସମବେତ ଜନତା ଗ୍ରାଉଣ୍ଡ ହଲାଇ ଦେବା ପରି କରତାଳି ଦ୍ୱାରା ତାହା ସ୍ୱାଗତ କଲା।

ସଭା ବିଧିବଦ୍ଧ ସମାପନ ହେଲା । ତିନିଥର ତୋପ ଫୁଟିଲା । ଅର୍ଦ୍ଧ ବୃତ୍ତାକାର ଗତିପଥ ସୃଷ୍ଟି କରି ଆକାଶରେ ଉଡିଗଲେ ପାରା ପଂଝାଏ ।

ଗୋଟିଏ ଘଣ୍ଟା ଭିତରେ ସ୍ଵାଗତିକା ସାଜି ସାରିଥିଲା ଛୋଟ ସହରଟିର ଜଣାଶୁଣା ବୋହୁ। ଶ୍ୱଶୁର ଝୁଙ୍କି ପଡି ବୋହୂକୁ ପଚାରୁ ଥିଲେ, " ମା, ତୋ ଗାଆଁକୁ ଦୁଇଟି ବସ୍ ଅଛି - ଦିନ ଦୁଇଟା ବେଳେ ଆଉ ସଂଜ ଛଅଟା ବେଳେ- ତୁ କେଉଁଥିରେ ଯିବୁ? ମୋ ହିସାବରେ ଦିନ ଗାଡ଼ିରେ ଚାଲିଯିବା ଭଲ ହେବ"

ସ୍ଵାଗତିକା ଟଙ୍ଗା ଯାଇଥିବା ଓଦା ବ୍ୟାନରରେ ସହଦେଵଙ୍କ ଫୋଟୋକୁ ଲକ୍ଷ୍ୟ କଲା। ଯେମିତି ସେଥିରେ ଭରି ରହିଥିଲା ଅଗଣିତ ଅନୁନୟ ।

ସ୍ଵାଗତିକା ଆଖିରୁ ଲୁହ ଝରି ଆସିଲା । ଶ୍ଵଶୁରଙ୍କ ଆଡକୁ ବୁଲିପଡ଼ି କହିଲା, " ଏଠି ସୂର୍ଯ୍ୟାଂଶ ପାଇଁ ନର୍ସରୀ କ୍ଲାସରେ ଆଡ଼ମିସନ ମିଳିଯିବ କି ?

ଶ୍ୱଶୁର ଝଅଟି କରି ଉତ୍ତର ଦେଲେ, " କାହିଁକି ମିଳିବନି? " ଆନନ୍ଦ ମୁଖର ହୋଇଗଲା ଶ୍ଵଶୁରଙ୍କ ମୁହଁ। ସେତିକି ବେଳେ ହଠାତ ମେଘ ବରଷି ଗଲା ଜୋର କରି।

ଅସଂଖ୍ୟ ଶହୀଦ ସହଦେବ ରାଉତ ଚାହିଁ ରହିଥିଲେ ଶମୀୟାନା ତଳେ ଛିଡା ହୋଇଥିବା ନିଜର ପରିବାର ଆଡକୁ ମୈଦାନରେ ଟଙ୍ଗା ଯାଇଥିବା ବ୍ୟାନର ଗୁଡିକ ମଧ୍ୟରୁ ।

ଅଗଷ୍ଟମାସ ମେଘରେ ଭିଜି ନଇଁ ପଡ଼ିଥିଲା ତ୍ରିରଙ୍ଗା ।

ଅଜୟ କୁମାର ମହାଲା,

ପୁନା


Rate this content
Originality
Flow
Language
Cover Design