Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଲୁଅ ଛତା
ଆଲୁଅ ଛତା
★★★★★

© Soumya Shubhadarshinee

Inspirational Tragedy

8 Minutes   150    1


Content Ranking

ପିଲାଦିନର ଅବୋଧ ସମୟ ସ୍ୱପ୍ନ ଦେଖା ଛାଡିଦିଏନି କେବେ , କାରଣ ସେଇ ସମୟଟା ଭାରି ସ୍ୱପ୍ନବିଳାସୀ । ହେଲେ ଅଛନ୍ତି କିଛି ଯାହାଙ୍କୁ ନିଦ ନିଅଣ୍ଟ !

**********

ଜବ୍ ଷ୍ଟାଟସ ଯାହା ହେଲାଣି ଠିକ ସମୟରେ ପହଞ୍ଚିବା ଏବେ ବାଧ୍ୟତାମୂଳକ । ହଁ ସେ ବାୟୋମେଟ୍ରିକ ମେସିନ୍ ଲାଗି କର୍ମଚାରୀଙ୍କ ଟିପ ଚିହ୍ନ ନେବାର ବ୍ୟବସ୍ଥା ସତରେ ବଡ ଭୟଙ୍କର । ଆମ ଭାରତୀୟ ସମୟ ଯେମିତି ଢିଲା ମେଲାରେ ଚାଲିଛି ପ୍ରକୃତରେ ଆମକୁ ଠିକ ସମୟରେ ପହଞ୍ଚିବା କଥା ଭାବିଲେ ମୁଣ୍ଡ ବିନ୍ଧୁଛି। ଆରେ ମଣିଷର କାର୍ଯ୍ୟଦକ୍ଷତା ବେଶି ଜରୁରୀ ନା' ଏଇ ଠିକ ଟାଇମ୍ ଜଗିବା ଜରୁରୀ । ମନେକର ମୁଁ ଠିକ ସମୟରେ ଯିବି ଆଉ ଆସିବି କିନ୍ତୁ ମୋ କାମ ଠିକ ଭାବେ କରିବିନି , ତେବେ ମୋତେ ଉପଯୁକ୍ତ କର୍ମଚାରୀ କହିବ ନା ମୋ ଯା ଆସ ଯାହା ହେଉନା କାହିଁକି ମୁଁ କାମରେ ପୂରା ନମ୍ବର ୱାନ୍ କରିକି ଦେବି ତେବେ ମୋତେ ଉପଯୁକ୍ତ କହିବ । ଭାରି କିଟିିମିଟିଆ ଏଇ ପ୍ରଶ୍ନ । ଆଉ ଏଇଆକୁ ନେଇ ହଜାରେ ଗଣ୍ଡଗୋଳ । ଆମର ଏଠି ସମୟ ଜଗୁଥିବା ଲୋକ ପଞ୍ଝାକ କାମରେ ଠକ ଆଉ ସମୟ ନମାନୁଥିବା ଲୋକ ଥୋକେ କାମରେ ପ୍ରବୀଣ । ଆମ ଜାଣିବାରେ କିନ୍ତୁ ଠିକ ଆସିବ ଆଉ ଠିକ କାମ କରିବ ଏଇ କମ୍ବିନେସନ୍ ଟା ବିରଳ।

ସର୍ବମୋଟ ସେ ଯାହା ହେଉନା କାହିଁକି ଅଫିସ ଏବେ ଠିକ ୯:୧୫ ରେ ପହଞ୍ଚିବାକୁ ହେଉଛି । ଅଂଶୁ ବସ୍ ଉପରେ ଆଉ ନିର୍ଭର କରି ସେଇ ସମୟକୁ ପହଂଚିବା ସମ୍ଭବ ହେଉନି । ସେ ତେଣୁ କିଣିଛି ଗୋଟେ ବାଲେନୋ ଆଉ ଡ୍ରାଇଭ କରୁଛି ରୋଜ୍ । ହଁ ବାଇକ୍ ଗୋଟେ ଧରି ଆସିଲେ ହୁଅନ୍ତା , କିନ୍ତୁ କାର୍ ଆଣିବା ରୋଜିର ଇଚ୍ଛା ,କାରଣ ରୋଜି ଏବେ ଆସୁଛି ସାଥିରେ ରୋଜ ।

************

ନିଜ ଗାଡ଼ିରେ ଯିବାର ସୁଖ କିନ୍ତୁ ନିଆରା । ସେ ଏ .ସି . ପବନ ଭିତରେ , ସଫ୍ଟ ମ୍ୟୁଜିକ ତାଳରେ , ରୋଜିର ବାସ୍ନା ସହ ଯେଉଁ ଯାତ୍ରା ସେଇଟା ଭାରି ମଧୁର । ବୋଉବି ଜାଣେ ରୋଜି କଥା , ତା'ର ଫୁଲ ସମ୍ମତି । ବାପା ଟିକେ ଫିଫ୍ଟି ଫିଫ୍ଟି ସ୍ଥିତିରେ ,କିନ୍ତୁ ବିଲକୁଲ ମନା କରିନାହାନ୍ତି ଏଯାବତ । ତେଣୁ ରଙ୍ଗୀନ ପ୍ରଜାପତି ଉଡୁଛନ୍ତି ମନରେ । ରୋଜିର କଥା ଓଲଟା ମମି ରାଜି ନାହାନ୍ତି ଟିକେ , କିନ୍ତୁ ପାପା ଓଃ ! ପୂରା ଫିଦା ଅଂଶୁ ଉପରେ । ଏଇ ବାଲେନୋ ତାଙ୍କ ଚଏସ୍ । ଆଉ ଅଂଶୁ ବେଷ୍ଟ ଜୋଇଁ ହେବା ଲୋଭରେ ସେଇଟିକୁ କିଣିଛି । ସର୍ବମୋଟ ଖୁବ୍ ଶୀଘ୍ର ସେଇ କାର୍ ପଛପଟେ ଜଷ୍ଟ ମ୍ୟାରେଡ଼ ଲେଖାହେବାର ପ୍ରସ୍ତୁତିରେ ଦୁହେଁ ।

ଗାଡି ସହ ଆଉ ଗୋଟେ ଘଟଣା ଭାରି ସଂଶ୍ଲିଷ୍ଟ । ସେଇଟା ହେଲା ଟ୍ରାଫିକ । ଯେଉଁଟା ମୁଣ୍ଡ ବିନ୍ଧାର କାରଣ ରୋଜିର । ମଣିଷ ଆଉ ଗାଡି ଉଭୟଙ୍କ ସଂଖ୍ୟା ଦ୍ରୁତ ଗତିରେ ତାଳ ଦେଇ ବଢୁଛି । ମିଷ୍ଟର୍ ଗୋଟେ ଆଉ ମ୍ୟାଡ଼ମ ଗୋଟେ ଗାଡି ଧରି ଗଲା ବେଳକୁ , ପିଲାଏ ଆହୁରି ଛୋଟ ମୋଟ ଗାଡି ପେଁ ପାଁ କରିବାକୁ ବିଲକୁଲ ପଛଉ ନାହାନ୍ତି । ଗୋଟିଏ ଘରେ ଏବେ ଏକାଧିକ ବାହାନ । ବିଚିତ୍ର ବ୍ୟବସ୍ଥା ଏଇ ଆଧୁନିକ ସମାଜର , ସଭିଏଁ ଏକା ସାଥିରେ ସ୍ୱାଧୀନ । ଭଲ ଯେ କିନ୍ତୁ ଆମ ରାଜ୍ୟ ରାସ୍ତା ଘାଟ କିନ୍ତୁ ହରପ୍ପା ସଭ୍ୟତା ଠୁ ବି ହୀନ । ସେ ଦିଗକୁ କାହାରି ଧ୍ୟାନ ନାହିଁ । ସେଗୁଡ଼ାକ ସବୁବେଳେ ' ରାସ୍ତା କାମ ଚାଲୁଅଛି ' ନାମକ ସୁନ୍ଦର ବୋର୍ଡ ସହ ଶୋଭା ପାଉଥାନ୍ତି । କେବେ ଜାଇକା , କେବେ କେବଲ , କେବେ ପୁଣି ମରାମତି । ଏସବୁ ବ୍ୟବସ୍ଥା ପୂରା ଜୋର ସୋର । ଅଂଶୁ ନିଜ ପିଲା ଦିନୁ ଆଜିଯାଏଁ ଦେଖି ଆସୁଛି ଆଉ ଏବେ ଜାଣିଗଲାଣି ତା' ପିଲାଏ ମଧ୍ୟ ଏଇ କାମ ଦେଖିବେ । ରାସ୍ତା ଆଉ ଅସୁବିଧା ଭାରତ ବର୍ଷରେ ଗୋଟିଏ ସାଧାରଣ ଘଟଣା ଥିଲା ଆଉ ରହିବ । ସେଇ ଅସୁସ୍ଥ ରାସ୍ତା ସହ ତାଳ ଦେଇ ଗତି କରିବା ଗୋଟେ ଛୋଟ କାଟିଆ ଯୁଦ୍ଧଠୁ କମ ନୁହେଁ ।

ରୋଜ ଜୀବନ ଏଇ ଯାଉ ଯାଉ ରହିଗଲା ବୋଲି ଭାବୁଛି ଅଂଶୁ । ଜଣା ନଥାଏ ଲୋକଗୁଡା 'ଟ୍ରାଫିକ ନିୟମ ଭଙ୍ଗର ହଜାରେ ଏକ କୌଶଳ ' ବହିଟା କେଉଁଠୁ କିଣନ୍ତି । କାରଣ ସେଇ ବହିର ପୃଷ୍ଠା ସଭିଙ୍କ ପାଇଁ ନୂଆ । କେତେଯେ ଅଛି କାରିଗରୀ ପ୍ରଭୁ ମଧ୍ୟ ଆସିକି ଗାଡି ଚଳେଇଲେ , ତାଙ୍କ ଜୀବନବି ବିପଦପୂର୍ଣ୍ଣ ହେଇଯିବ ।

ରାସ୍ତାରେ ସବୁତକ ଷ୍ଟଣ୍ଟ ମ୍ୟାନ୍ ଭଳି ଲାଗନ୍ତି । ଯେମିତି ' ମୌତ କା କୁଆଁ ' ଖେଳ ଚାଲିଛି । ସେଇ ଅନୁଭବ ହୁଏ ସବୁବେଳେ ଅଂଶୁର । ସାଏଁ କି ଗୋଟେ ବାଇକ୍ କାଟି ଦେଇ ଗଲା ବେଳେ , ଛାତିରୁ ଅତଡା ଖସି ଯାଏ ମଣିଷର । ମହାମେରୁ ଭଳିଆ ଟ୍ରକଟାକୁ କାଟି ଟିକେ ସ୍ପିଡି ବଢ଼େଇବାକୁ ହେଲେ ଦୁଇ ଥର ହନୁମାନଙ୍କୁ ମନେ ପକେଇଦିଏ ସିଏ । ଯିବା ରାସ୍ତାରେ , ରୋଜି ସୁଖି ଦିଶେନି ଖାସ ଏଇଥିପାଇଁ । ଆଉ ଅଂଶୁର କାର କିଣା ଖୁସି ଉଭାନ ହେଇଯାଏ ସଙ୍ଗେ ସଙ୍ଗେ ।

ସେଇ ଭିତରେ ଯେବେ ଆସେ ଟ୍ରାଫିକର ରେଡ୍ ସିଗ୍ନାଲ ମୁଣ୍ଡ ହୁଏ ଗୋଳମାଳ । ସେଠି ଯେଉଁ ସମୟ ତକ ଯାଏ ସେତକ ମଣିଷ ଜମା ଆଡ଼ଜଷ୍ଟ କରିପାରେନି। ତେଣୁ ମନ ଭିତରେ ଘୋଷି ହୁଏ ଅଂଶୁ " ଓଃ ! ଗଡ୍ ସିଗ୍ନାଲ ଗ୍ରୀନ ଥାଉ । " କାରଣ ସେଠି ରହିଗଲେ ଅଫିସ ପୂର୍ବରୁ ଥିବା ଟ୍ରେନ କ୍ରସିଂ ପାଖେ ଅଟକି ଯାଏ ଗାଡି ଯେଉଁଠି ଲାଗିଥାଏ ଲମ୍ବା ଲାଇନ । ଫସିଲେ ଯାଏ ପୂରା ଦଶ ରୁ ପନ୍ଦର ମିନିଟ । ଏମିତି ଜାମ କରନ୍ତି ବିଚକ୍ଷଣ ବୁଦ୍ଧିମାନ ଲୋକେ ଯେ ଗାଡି ଯିବାର ରାସ୍ତା ଏକରକମ ବନ୍ଦ ହେଇଯାଏ । ସଭିଏଁ ଆଗ ଯିବାର ପ୍ରବଳ ପ୍ରଚେଷ୍ଟା କରୁଥାନ୍ତି । ତେଣୁ ରୋଡ଼ ଜାମ ହୁଏ ଠିକ ବୁଢିଆଣି ଜାଲ ଭଳିଆ । ସେଇ ଅଠା କାଠି ଭିତରୁ ମୁକୁଳିବା ମହା ମୁସ୍କିଲ । ଅଂଶୁ ସେଠି ସତରେ ବିକଳ ଦିଶେ ଭାରି ।

ମୁଣ୍ଡ ପୂରା ବ୍ୟସ୍ତ ଥିବା ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ଦୃଶ୍ୟ ଆଖି ଆଗରେ ପହଁହରେ ଯାହା ଦିଏ ଭାରି ଆନନ୍ଦ । ହାତରେ ପୁଳେ ଖେଳଣା ଧରି ଆସେ ସେ ରୋଜ । ତା'ର ଝୁମ୍ପୁରି ମୁଣ୍ଡରେ ଦୁଇଟି ଛୋଟ ବେଣୀ ଆଉ କଳା ରିବନ ଥାଏ। ତା' ଘାଗରା ଭଳିଆ ଡ୍ରେସ୍ ଟା ଲାଗେ ରଙ୍ଗ ଛଡା କିନ୍ତୁ ମସିଆ ନୁହେଁ । ଚୁମକି ଲାଗିଥାଏ ସେଥିରେ ରଙ୍ଗ ବେରଙ୍ଗ। ଆଉ ସବୁଠୁ ବଢିଆ ତା' ହସ , ପୁରା 'କ୍ଲୋଜପ ସ୍ମାଇଲ୍' ।

ସେ ବିକୁଥାଏ ହଜାରେ ପ୍ରକାର ଖେଳଣା କେବେ ଫେଁକାଳୀ , କେବେ ଝୁମୁକା , ପୁଣି କେବେ ଛୋଟ ଟେଡି ବିୟର , କେବେ ପ୍ଲାଷ୍ଟିକ ଫୁଲ , ବେଳେ ବେଳେ ବେଳୁନ ଆଉ ପୁଣି କେବେ କେବେ କୁନି କୁନି ସାଇବାବା , ଗଣେଶ , ଲକ୍ଷ୍ମୀ ଇତ୍ୟାଦି ଚିତ୍ର ଥିବା ଲଟକନ କାର୍ ଭିତରେ ଝୁଲେଇବା ପାଇଁ ।

ସେ ବିକ୍ରି କରିବାର କଳାରେ ପୂରା ମାହୀର । ବଡ଼ ବଡ଼ ମ୍ୟାନେଜମେଣ୍ଟ ଵାଲା ତାଠୁ ଶିଖିବା କଥା । ଗୋରୀ ମ୍ୟାମ୍ ଥିଲେ ଚଟକି କୁହେ , ମ୍ୟାମ୍ ଏଇ ବ୍ଲାକ ଚଷମା ବିଲକୁଲ କ୍ୟାଟ୍ରିନାର 'କାଲା ଚଷମା' ଭଳି ମସ୍ତ ,ସତରେ । ମ୍ୟାମ୍ ହସନ୍ତି ଆଉ କ୍ୟାଟ୍ରିନା ହେଇଯାଇ କିଣି ନିଅନ୍ତି ଗୋଟେ ରେଡ୍ ବେଳୁନ ।

ସାର୍ ଖରାରେ ବାଇକ୍ ଉପରେ ଝାଳ ସର ସର ହେଇକି ଠିଆ ହେଇଥିଲେ , କୁହେ " ସାର୍ ଡର୍ମୀ କୁଲ୍ ଲଗେଇଛ ନା ବିଲକୁଲ ଶାହରୁଖ ଭଳିଆ ସ୍ମାର୍ଟ ଲାଗୁଛ । ସାର୍ ହଁ କି ନାଁ କହିବା ଅପେକ୍ଷା ଶାହରୁଖ ହେବା କଥା ବେଶି ଭାବନ୍ତି ଆଉ କିଣି ନିଅନ୍ତି ପ୍ଲାଷ୍ଟିକ ଗୋଲାପର ତୋଡା ହସି ହସି ।

ସେ ରୋଜ ଆସି ରୋଜିକୁ ରେଡ୍ ବେଳୁନ କିଣିବାକୁ କୁହେ । ପୁଣି କେବେ ରେଡ୍ ଗୋଲାପଟେ ନେବାକୁ କୁହେ ଅଂଶୁକୁ । ଅଂଶୁ ହସେ ତା'ର ବିଜିନେସ ଦେଖି । ଆଉ ବିତିଯାଏ ଗୋଟେ ବିରକ୍ତିକର ସମୟ ହାଲ୍କା ଫୁଲ୍କା ହସ ଭିତରେ ।

ଝିଅଟିକୁ ବୟସ କେତେ ? ବେଳେବେଳେ ଭାବେ ଅଂଶୁ । ଖୁବ୍ ଛୋଟ ଝିଅଟି ବୋଧେ ଦଶ ବାର ବର୍ଷର । କିନ୍ତୁ କଥା କୁହେ ଗୋଟେ ବେଶ ବଡ଼ ମଣିଷ ଭଳି । ଅଂଶୁ କେବେ କେବେ ଭାବେ ଗପ ଯୋଡିବ ତା' ସହ ଯେମିତି ତା ନାଁ , ଗାଁ ଆଦି ଇତ୍ୟାଦି । କିନ୍ତୁ ରୋଜି ବିଗିଡେ , '' ଏବେ ଗପିବ ଯଦି କିଣିବ ଚାରିଟା ବେକାର ଜିନିଷ , ଥାଉ ଦରକାର ନାହିଁ । ''

ଅଂଶୁ ଜାଣେ ସେ ବିକେ ଚାଲୁ ଜିନିଷ ,ରାସ୍ତାକଡ଼ର । କିନ୍ତୁ ମାୟା ଲାଗେ ତା' ପ୍ରତି ଟିକିଏ । ହେଲେ ରୋଜି ବେଶ ସଚେତନ ତେଣୁ କିଣେନା ସେ କିଛି ।

ଅଂଶୁ କିନ୍ତୁ ଭାବେ ସବୁବେଳେ କ'ଣ ଜିନିଷର ଦାମ ଆଉ ଗୁଣ ପରଖିବା ଜରୁରୀ !...

ଝିଅଟି କିନ୍ତୁ ରୋଜ୍ ଆସେ ଆଖିରେ ଆଶା ନେଇ । ଯେମିତି ସେ ବୁଝେ ହୁଏତ କେବେ ବଦଳିବ ଦିଦିଙ୍କ ମନ ଆଉ କିଣିବେ ସେ ରେଡ୍ ବେଳୁନ । କିନ୍ତୁ ସେମିତି ହୁଏନି । ଝିଅଟି ଫେରେ ଖାଲି ହାତରେ !.....

ଅଂଶୁ କେବେ କେମିତି ଆଗ୍ରହ କରେ ହେଲେ ରୋଜିର ନା ଆଗରେ ଆଉ ତିଷ୍ଟି ପାରେନା ତା ଇଚ୍ଛା । ସେ ଖାଲି ଟିକେ ହସିଦେଇ ବିଦା କରେ । କେବେ କେମିତି କିନ୍ତୁ ରୋଜି ତାକୁ ଦଶ ଟଙ୍କିଆ ଗୋଟେ ଧରେଇ ଦିଏ ଟିକେ ଦୟା କରି । ହେଲେ ବିଚିତ୍ର ଝିଅଟି କେବେ ନିଏନି । କୁହେ, '' ମୋ ଖେଳଣା କିଣୁନ , ତେବେ ନେବି ପଇସା , ଖାଲି ଖାଲି ନେଲେ ବା' ମାରିବ ମୋତେ ବୁଝିଲ ଦିଦି ।'' ଆଉ ନିରୋଳା ହସ ବୁଣି ଚାଲିଯାଏ । ରୋଜି ରାଗେ ଆଉ ନାକ ଫୁଲେଇ କୁହେ , '' ବେଶି ଗୋଟେ , ହୁଁ ଏଗୁଡାଙ୍କ ମୁହଁ କମ ନୁହେଁ । ଘରେ ପଛେ ଖାଇବାକୁ ନମିଳୁ ମୁହଁ ଚାଲୁଛି ଜୋର ।'' ଅଂଶୁ ବୁଝାଏ ସେ ଝିଅଟା ନିଜ ସ୍ୱାଭିମାନ ସହ ବଞ୍ଚିବାର ଚେଷ୍ଟାରେ , କିନ୍ତୁ ବୁଝେନା ରୋଜି ।

**************

ଦୁଇଦିନ ପାଇଁ ରୋଜି ଛୁଟିରେ , ତା' ମାଉସୀ ପୁଅ ବାହାଘର ପାଇଁ । ମନ ବଡ଼ ଦୁଃଖ ଅଂଶୁର , ରୋଜି ବିନା କିଛି ଭଲ ଲାଗେନି ସତେ । କାଲି ଛୁଟି ଦରଖାସ୍ତ ଦେଲା ବେଳେ ସେବି ଲାଗୁଥିଲା ଟିକେ ଉଦାସ । ଭାରି ଭାରି ଗଳାରେ କହିଲା , '' ପ୍ଲିଜ ଦୁଇଦିନ କଥା , ନଗଲେ ନ' ହୁଏ , ଭାଇ ବାହାଘର କଣ ଆଉ ଆସିବ !''

ଅଂଶୁ ନିଜକୁ ବୁଝେଇଲା , '' ସବୁବେଳେ ଆଉ ରୋଜି ପାଖରେ ରହିବ କି !''

ଏକା ଆଜି ଯିବାର ଅଛି ତେଣୁ ଭାବିଛି ଅଂଶୁ ସେଇ ଛୋଟ ଝିଅଟି ସହ କଥା ପଦେ ହେବ । ନାଁ ଟି ଅନ୍ତତ ବୁଝିବ ।

ଆଜି କିନ୍ତୁ ସେ ଠିକ ସମୟରେ ବହାରିଯାଇଥିଲା ତେଣୁ ଟ୍ରେନ୍ କ୍ରସିଂର ଫାଟକ ଖୋଲା ଥିଲା । ପାର ହେଇଗଲା ଅଂଶୁ ଆରାମରେ । ଚାଲିଯିବା କଥା ସେ ହେଲେ ମନ ଭିତରେ ଝିଅଟି ପ୍ରତି ଯେଉଁ ଆଗ୍ରହ ଥିଲା ସେତକ ଯିବାକୁ ଦେଲାନି । ଗାଡି ରଖି ଖୋଜିଲା ତାକୁ ଅଂଶୁ । ଫାଟକ ଖୋଲା ଥିଲେ ସେ ପାଖ ଚାକୁଣ୍ଡା ଗଛ ଛାଇରେ ବସି ରହୁଥିଲା । ଫାଟକ ପଡିଲେ ଯାଇଁ ବେପାର ।

ଅଂଶୁ ଗଲା ସେଇଠିକୁ ଖୋଜି ଖୋଜି ତାକୁ । ଝିଅଟା ବସିଥିଲା ଆକାଶକୁ ଅନେଇ ଶୁନ୍ୟ ଦୃଷ୍ଟିରେ । ଅଜବ ଉଦାସ ଥିଲା ତା ଆଖି ଯୋଡିକ । ତା'ର ସେଇ ହସ ନଥିଲା କେଉଁଠିବି । ଝିଅଟିକୁ ଏତେ ନିକଟରୁ ଧ୍ୟାନ ଦେଇ ଦେଖି ନଥିଲା କେବେ ଅଂଶୁ । ଆଜି ପ୍ରଥମ ଥର ପାଇଁ ଦେଖିଲା ଗୋଟେ ଝାଉଁଳା ଚେହେରା , ଖରାରେ ସିଝି ଯାଇ ଦିଶୁଥିଲା ବଡ଼ ଅସହାୟ । ଝିଅଟି ଦେଖୁଥିଲା ଦୂରରେ ଉଡୁଥିବା ଗୁଡିକୁ । ଆଉ ହଜି ଯାଇଥିଲା ସେଇ ଗୁଡିର ଉଡାଣ ଭିତରେ । ଯେମିତି ସେଇ ଗୁଡିର ତାଳରେ ଉଡି ବୁଲୁଛି ତା'ର ମନ । ଛୋଟ ପିଲାଟିଏ ଖେଳିବାକୁ କେତେ ଭଲ ପାଏ । ମନେ ପଡ଼ିଲା ଅଂଶୁର ନିଜ ପିଲା ଦିନ । କେତେ ରକମର ଖେଳ ଖେଳୁଥିଲେ ସତରେ । ସବୁଠୁ ଭଲ ଲାଗୁଥିଲା କାଚ ଗୁଲି ତାକୁ ଛୋଟ ବେଳେ: ରଙ୍ଗୀନ , ଚିକ ମିକ୍ ,ଚିତ୍ର ବିଚିତ୍ର ।

ଆଜି ପ୍ରଥମ ଥର ପାଇଁ ଅଂଶୁକୁ ଲାଗିଲା ସତରେ ଛୋଟ ଝିଅଟିରବି ତ ଖେଳିବାକୁ ଇଚ୍ଛା ହେଉଥିବ । ଖେଳଣା ବିକୁଥିବା ଝିଅଟି ଖେଳୁଛି ଆଉ କେଉଁଠି ?.....

ଅଂଶୁ ତା ନିକଟରେ ପହଞ୍ଚି ଧୀରେ ଡାକିଲା , ''ଆରେ ଆଜି କି ଖେଳଣା ଆଣିଛୁ ?'' ଝିଅଟା ଅନ୍ୟମନସ୍କ ଥିଲା ତେଣୁ ଏମିତି ପ୍ରଶ୍ନଟେ ଶୁଣି ଟିକେ ଚମକି ପଡିଲା ।

ଆଉ ଯେମିତି ଦେଖିଛି ଅଂଶୁକୁ ଚମତ୍କାର ହସ ଖେଳେଇ ଦେଲା ମୁହଁରେ । ଏକଦମ ଦୌଡ଼ି ଆସିଲା ପାଖକୁ ଆଉ କହିଲା ,

'' ଆରେ ଦିଦି କହାନ୍ତି , ଭାଇ ତୁମେ ଏକା ?''

ଅଂଶୁ ଦେଖୁଥିଲା ତା ଚେହେରାର ବଦଳୁଥିବା ରଙ୍ଗ । ଆଉ ଭାବିଲା ହସୁଥିବା ମୁହଁ ସବୁ ସୁଖୀ ନୁହଁନ୍ତି ସବୁବେଳେ !

ଅଂଶୁ ମୁଣ୍ଡ ଟୁଙ୍ଗାରି ମନା କଲା ଆଉ ହସିଦେଲା । ଝିଅଟି ସେମିତି ହସ ଖେଳେଇ କହିଲା , '' ଆଜି ବଢିଆ ଜିନିଷ ଗୋଟେ ଆଣିଛି ତୁମକୁ ନେବାକୁ ହେବ ହେଲା । ଦିଦି ଆସିଲେ ଗିଫ୍ଟ ଦେଇଦେବ ଭାରି ଖୁସି ହେବେ । ''

ଅଂଶୁ ଭାବୁଥିଲା କେତେ ସୁନ୍ଦର ଭାବେ ଝିଅଟା ଲୁଚେଇ ନେଲା ନିଜର ଦୁଃଖ , କଷ୍ଟ , ଅସହାୟତା । ଆଉ ସାଜିଗଲା ଗୋଟେ ପୋଖତ ସେଲ୍ସଗାର୍ଲ । ତା'ର ଇଚ୍ଛା ହେଲା ପଚାରିବ , ତୁ କେବେ ଖେଳଣାରେ ଖେଲିଛୁ ?'' କିନ୍ତୁ କାହିଁକି କେଜାଣି କଥା ସବୁ ଗଳାରେ ଫସିଗଲା ।

ଝିଅଟା ପୁଣି କହିଲା , '' ଦେଖୁନ କେତେ ସୁନ୍ଦର ଆଲୁଅ ଛତା , ରାତିରେ ଜଳେଇ ଶୋଇବେ ଦିଦି ହଁ ।''

ହାଲ୍କା ସବୁଜ ଆଉ ଗୋଲାପି ରଙ୍ଗର ଛତାଟି ମାନ ଭିତରେ ଛୋଟ ଏଲ. ଇ. ଡି ବଲବ । ଜଳିବ ରାତିରେ ଆଉ ହେଇଯିବ ଗୋଟେ ବେଡ଼ ଲ୍ୟାମ୍ପ । ବେଶ ଲୋଭନୀୟ ଲାଗୁଥିଲା ସତରେ । ଆଉ ଦାମ ଜମା ପଚାଶ ।

ଅଂଶୁକୁ କିନ୍ତୁ ଶୁଭୁ ନଥିଲା କିଛି , ସେ ଥିଲା ଝିଅଟିର ବାସ୍ତବତା ସହ। ସେ ଝିଅଟିକୁ ପଚାରିଲା ,

-- '' ତୋ ନାଁ କ'ଣ ?''

-- '' ଚୁମକି , ମନେ ରହିବ ଟି !''

-- '' ତୋତେ କଉ ଖେଳଣା ଖେଳିବାକୁ ଭଲ ଲାଗେ ?"

ଝିଅଟା ଉଦାସ ହେଇଗଲା ଟିକେ ଆଉ କହିଲା '' ନା' ମୁଁ ଖେଳଣା ଖେଳେନା !''

ଅଂଶୁ କିନ୍ତୁ ଶୁଣି ପାରୁଥିଲା ସେଇ ନା' ଭିତରେ ଗୋଟେ ଧୀର ହଁ !

ଅଂଶୁ କିଣିନେଲା ଗୋଟେ ଆଲୁଅ ଛତା ଆଉ କହିଲା , ''ତୁ ନେ ଏଇଟା ରାତିରେ ଜଳେଇବୁ ।''

ସୌମ୍ୟା ଶୁଭଦର୍ଶିନୀ

ଅବୋଧ ସ୍ୱପ୍ନବିଳାସୀ ଭାରତୀୟ

Rate the content


Originality
Flow
Language
Cover design

Comments

Post

Some text some message..