ପ୍ରେମିକା ର ନଣନ୍ଦ
ପ୍ରେମିକା ର ନଣନ୍ଦ
(କେବଳ ପ୍ରେମିକାକୁ ନେଇ କଣ ଖାଲି ଗପ ଲେଖାହୁଏ ?)
ପ୍ରେମିକ କୁ , ପ୍ରେମିକା'ର ଭାଇ,ଭଉଣୀ, ବାପା,ମା ଏମିତିକି ପ୍ରେମିକାର କୁକୁରକୁ ପଟେଇବାକୁ ପଡେ ବୋଲି ସରୋଜ ଶୁଣିଥିଲା ।
ହେଲେ ,ପ୍ରେମିକାର ନଣନ୍ଦ ? ସ୍ବପ୍ନାର ପ୍ରସ୍ତାବ ଶୁଣି ସରୋଜକୁ ଯେତେ ଅବାସ୍ତବ ଲାଗୁଥିଲା, ତା ଅପେକ୍ଷା ଅଧିକ ଭୟ ଲାଗୁଥିଲା । ଟପୋରି ଭାଷାରେ ତା ର ଫାଟୁଥିଲା।
" ଏମିତି ଛେରୁଆଙ୍କ ଭଳି କଣ ହେଉଛ ମ ?ତମେ ପରା ଜଣେ ମଞ୍ଚ ଅଭିନେତା ; ବାସ୍ ଖାଲି ଟିକେ ଭଲପାଇବାର ଅଭିନୟ କରିବାକୁ ପଡିବ । କହିଁ ପେ ନିଗାହେଁ,କହିଁ ପେ ନିଶାନା ଭଳି । ମୋ ନଣନ୍ଦ ରୁନୁ ,ଦେଖିବାକୁ ସୁନ୍ଦର,ହେଲେ ସୁଦୁ ମଫସଲି ଓଲୀ । ଫଟ୍ କିନା ତମ ଜାଲରେ ପଡିବ ବୋଲି ମୋର ବିଶ୍ବାସ ; ତା ପରେ ଆମ ରାସ୍ତା ସଫା ". । ଫୋନ୍ ରେ ଚାପା ହସ ହସୁଥିଲା ସ୍ବପ୍ନା, ଏକ ଖଳନାୟିକା ଭଳି ।
ରୁନୁ ! ସ୍ବପ୍ନା ହ୍ବାଟ୍ସଅପରେ ଫଟ ପଠାଇଥିଲା । ମନ୍ଦ ନୁହେଁ । ସରୋଜ ନିଜ ଶୁଖିଲା ଓଠରେ ଜିଭ ବୁଲାଇଆଣିଲା ।
ପ୍ରେମିକାର ବାହାଘର ଅନ୍ୟ କେଉଁଠି ହୋଇଗଲେ,ପ୍ରେମିକର ସଂଜ୍ଞା ବଦଳିଯାଇ 'ଧରମ ଭାଇ' ହୋଇଯାଏ ବୋଲି ପ୍ରଥମଥର ଶୁଣିଲା ସରୋଜ ।
ବୟ ଫ୍ରେଣ୍ଡ, ,କଜିନ ବା ଉଈ ଆର ଜଷ୍ଟ ଗୁଡ଼ ଫ୍ରେଣ୍ଡ ଇତ୍ୟାଦି ପୂର୍ବତନ ପ୍ରେମିକର ପରିଚୟ ବୋଲି ସରୋଜ ଶୁଣିଥିଲା ।
ହେଲେ ,ଧରମ ଭାଇ ! ସାଉଣ୍ଡ ସୋ ରିଡିକୁଲସ । ଏକଦମ ମଫ ; ନିହାତି ଗାଉଁଲିଆ ।
ନିଜ ମୁହଁକୁ ମୋବାଇଲ କ୍ୟାମେରାରେ ଦେଖୁଥିଲା ସରୋଜ । ସତରେ ସେ କଣ ସ୍ବପ୍ନାର ଧରମ ଭାଇ ଭଳି ଦିଶୁଛି ?
"ପ୍ଲିଜ ମୋତେ ଭୁଲ ବୁଝନା । ମୋ ସୁନାଟା ପରା ; ଶଶୁରଘର ଲୋକ, ମୋ ସ୍ୱାମୀଙ୍କୁ ତୁମର କଣ ପରିଚୟ ଦେଇଥାନ୍ତି ? ଆଉ ମୋର ଯେଉଁ ଛୋପରି ନଣନ୍ଦ ଖଣ୍ଡେ ଅଛି,ସେ ତ ପୁରା ଗୁଇନ୍ଦା । ତମେ ଆସିବ ବୋଲି ଯେମିତି ଶୁଣିଲା, ହଜାରେ ପ୍ରଶ୍ନ । "
"କଜିନ ବା ସାଙ୍ଗ ବୋଲି ତ କହିପାରିଥାନ୍ତ ।"
"ଏଇଟା କଣ ଟାଉନ ହୋଇଛି ? ସାଙ୍ଗେ ସାଙ୍ଗେ ପଚାରିବେ, କେଉଁ ମାଉସୀ ,ପିଇସୀ ଅବା ଦାଦା, ମାମୁଙ୍କ ପୁଅ ?ଧରା ପଡ଼ିଯିବିନି ? ତା ଛଡ଼ା ସାଙ୍ଗ କହିଲେ ଟିକେ ଅବିଶ୍ବାସ ନଜରରେ ଦେଖିବେ । ତେଣୁ ତମେ ଚକୁଳି ଖାଅ, ବିନ୍ଧ ଗଣନା ।"
ପ୍ଲେଟରେ ଚକୁଳି ପିଠା ଓ ମଟର ତରକାରୀ ସାମ୍ନାରେ ଥୋଇଦେଇ କହିଲା ସ୍ବପ୍ନା ।
ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ସରୋଜ ।
ମାତ୍ର କିଛିଦିନ ତଳେ ଚୁମା ଚାଟି, ଆଲିଙ୍ଗନ,କୋଳରେ ମୁଣ୍ଡ ରଖି କେତେ ଗପ ସପ,ହାତ ଧରାଧରି ହୋଇ କେତେ ହସଖୁସି,ପ୍ରତିଜ୍ଞା,ସିନେମା ହଲର ସବା ପଛ କଣ ସିଟରେ ବସି ପାପକର୍ଣ୍ଣ ଖିଆ ସହ ସ୍ପର୍ଶକାତର ସ୍ଥାନକୁ ଛୁଇଁବା, ଝରଣା ପାଖରେ ଏକାଠି ସେଲ୍ଫି ଆଉ ଘରେ କେହି ନଥିଲା ବେଳେ ......ଆଜି ସବୁ ଇତିହାସ । ସବୁ ଅତୀତ ।
ସ୍ବପ୍ନା ଆଜି ସତରେ ଗୋଟେ ସ୍ବପ୍ନ ପାଲଟି ଯାଇଛି ସରୋଜ ପାଇଁ ।
ସରୋଜ ଏକ ଶୁଖିଲା ଦୃଷ୍ଟିରେ ଚାହିଁଲା ସ୍ବପ୍ନାକୁ ।
"ତମେ ଭଲ ଭାବେ ଜାଣିଛ ବାପା,ବୋଉଙ୍କ ଜିଦି ଯୋଗୁଁ ମୁଁ ଏଇଠି ବାହାହେଲି । ତା ଛଡ଼ା ତମର ତ ପର୍ମାନେଣ୍ଟ ଚାକିରି ନଥିଲା । ଖାଲି କଣ ପ୍ରେମକୁ ଦେଖି ଝିଅ ଘର ଲୋକ ବାହାଘର ପାଇଁ ରାଜି ହୁଅନ୍ତି ?ତା ଛଡ଼ା ଆମ ଦୁହିଁଙ୍କ ଜାତି ବି ବାଧକ ସାଜିଲା।"
" ତୁ ମୋତେ ଆଜି ବି ସେତିକି ଭଲ ପାଉଛୁ ?ମୋ ରାଣ, ଚଣ୍ଡୀ ଠାକୁରାଣୀଙ୍କ ରାଣ ଖାଅ କହ ।"
ପିଠା ଖଣ୍ଡେ ଛିଣ୍ଡାଇ ସରୋଜ ପାଟିରେ ଦେଇ ସ୍ବପ୍ନା କହିଲା,"ମୋ ଉପରେ ତମର ବିଶ୍ବାସ ନାହିଁ ? ନହେଲେ, ମୋ ସ୍ୱାମୀ ଦୁବାଇ ଗଲା ପରେ ତୁମକୁ କଣ ଫୋନ୍ କରି ଡକାଇଥାନ୍ତି ?କିଛି ବୁଝି ପାରୁନ ?ତମର ଏଇ ପିଲାଳିଆମି ,ଆବୁଝାପଣ ପାଇଁ ମୋତେ ବିରକ୍ତ ଲାଗେ ।"
ଦୁଇ ହାତରେ କୁଣ୍ଢାଇ ଧରିଲା ସ୍ବପ୍ନାକୁ, ସରୋଜ ।
"ଛାଡ଼, କିଏ ଦେଖିଦେଵ।"ନିଜକୁ ମୁକୁଳାଇ ନେଉନେଉ କହିଲା ସ୍ବପ୍ନା । ତଥାପି କାହିଁକି କେଜାଣି ସରୋଜ ଉପରେ ଆଉଜି ପଡ଼ିଲା ସ୍ବପ୍ନା । ସରୋଜଟା ପୁରା ମ୍ୟାଚୋ । ଝିଅର ଇଛା ଅନୁସାରେ, ମନ ଓ ଦେହ ସହ ସୁନ୍ଦର ଭାବେ ଖେଳିପାରେ । ଆଉ ବିଶ୍ବସ୍ତ ବି । ମୋଟାମୋଟି ଭାବେ ଗୋଟେ ଆଇଡିଆଲ ପ୍ରେମିକ, ଯାହାକୁ ପ୍ରେମିକା ନିଜ ଆଙ୍ଗୁଳିରେ ନଚାଇପାରେ । ଯେମିତି ସ୍ବପ୍ନା ନଚାଉଛି ସରୋଜକୁ ।
ରୁମ ଭିତରକୁ ହାଠାତ୍ ପଶିଆସିଲା ରୁନୁ । ସ୍ବପ୍ନାର ନଣନ୍ଦ ।
"ସରୋଜ ଭାଇ, କଫି ନିଅନ୍ତୁ । ନିଜ ହାତରେ ବନାଇଛି । ଆଛା,ଆପଣ ଜଣେ ଭଲ କଳାକାର ବୋଲି ଭାଉଜ କହୁଥିଲେ । ଆକାଶବାଣୀରେ,ଷ୍ଟେଜ୍ ରେ ନାଟକ ବି କରନ୍ତି । ଟିଭି କି ସିନେମାରେ ଟ୍ରାଏ କରୁନାହାନ୍ତି ?।"
"ସିଏ ପରା ସଙ୍ଗୀତ ନାଟକ ବିଶ୍ଵବିଦ୍ୟାଳରେ ଅଧ୍ୟାପକ ହେବା ପାଇଁ ଓ ଅନ୍ୟ କମ୍ପିଟେଟିଭ ପରୀକ୍ଷା ଦେଉଛନ୍ତି। ନିଶ୍ଚେ ପାଇଯିବେ । କିଛି ଟେଲି ଫିଲ୍ମ ରେ ବି ଅଭିନୟ କରିଛନ୍ତି । ରୁନୁ, ତମେ ସରୋଜ ଭାଇଙ୍କ ପାଖରେ ଟିକେ ବସ । ସିଏ ଯିବାକୁ ବାହାରିଲେଣି । ମୁଁ ରୋଷେଇ ଦେଖି ଆସୁଛି ।"
"ଲଞ୍ଚ ନକରି କେମିତି ଯିବେ ?"
ରୁନୁ ଓ ସ୍ବପ୍ନାର ମୁହଁକୁ ଚାହିଁ ,ପୁଣି କଫି ପିଇବାରେ ଲାଗିଲା ସରୋଜ ।
ସ୍ବପ୍ନା ଚାଲିଗଲା । ସରୋଜ ଦେଖଥିଲା ରୁନୁକୁ । ଟଣା ଟଣା ଆଖି, ଗୋଲ ମୁହଁ,ଦୁଇ ଭୃଲତା ଆଙ୍କି ଦେଲା ଭଳି । ଶସ୍ତା ପରଫ୍ୟୁମର ବାସ୍ନା ଭାସିଆସୁଥିଲା ।
"ପିଠା କେମିତି ହୋଇଛି ? ମୁଁ ବନେଇଛି ।"
"ଆରେ ବାଃ,ତମେ ତ ରୋଷେଇରେ ପୁରା ଏକ୍ସପର୍ଟ । ସ୍ବପ୍ନା ଠାରୁ ଢେର ଭଲ ରାନ୍ଧୁଛ ।"
" ଭାଉଜ କଣ ଆପଣଙ୍କୁ ରାକ୍ଷୀ ବାନ୍ଧନ୍ତି ?ଆପଣଙ୍କ ନିଜ ଭଉଣୀ କେହି ନାହାନ୍ତି ?"
ପିଠା ଖଣ୍ଡେ ତଣ୍ଟିରେ ଅଟକିଗଲା ସରୋଜର । ସ୍ବପ୍ନା ତାକୁ ଯାହା ଶିଖାଇଥିଥିଲା, ସେମିତି ଉତ୍ତର ଦେଲା ସରୋଜ । ଆଉ ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲା ;"ତୁମ ଭଏସ୍ ଭାରି ସୁନ୍ଦର, ଠିକ୍ ତୁମ ଚେହେରା ଭଳି । ନିଜେ କେବେ ଟିଭିରେ ଅଡିସନ ଦେଇଛ ?"
ଲାଜେଇ ଯାଇ ଉଠି ପଳେଇବା ପୂର୍ବରୁ ରୁନୁ କହିଲା, " ଆପଣ ମିଛ କହୁଛନ୍ତି ।"
ସରୋଜ ଜାଣିଲା ତୀର ଠିକ୍ ଜାଗାରେ ଲାଗିଛି ।
ରୁନୁର ସେ ହସରେ ଥିଲା କିଛି ସମ୍ମୋହନ ଶକ୍ତି ବୋଧେ । ସରୋଜ ଟିକେ ଅନ୍ୟମନସ୍କ ହୋଇପଡୁଥିଲା ।
ରୁନୁ ଏବେ ବାରମ୍ବାର ଫୋନ୍ କରୁଛି । ଘଣ୍ଟା ଘଣ୍ଟା ଧରି ଉଭୟେ କଥା ହେଉଛନ୍ତି । ସରୋଜ ବି କାହିଁକି କେଜାଣି ଅନେଇ ବସୁଛି ରୁନୁର ଫୋନ୍ କୁ।
ସ୍ବପ୍ନା ଫୋନ୍ ରେ ପଚାରେ,"ତମେ ସତସତିକା ସେ ଟୋକି ପ୍ରେମରେ ପଡିଯାଇନ ତ ?ସେ ତ ସବୁବେଳେ ତମ ନାଁ ଗାଉଛି ।"
କଥା ବାଆଁରେଇଦିଏ ସରୋଜ କହେ "ଆରେ ବାବା, ତମେ ପରା ନିଜେ କହିଥିଲ ଅଭିନୟ କରିବାକୁ ।"
ସରୋଜ ଏବେ ଦ୍ଵେତ ଭୂମିକାରେ ଅଭିନୟ କରୁଥିଲା । ସ୍ବପ୍ନାର ଧରମ ଭାଇ ଓ ରୁନୁର ପ୍ରେମିକ । ଏଣିକି ସେ ରୁନୁ ପାଇଁ ଆଣୁଥିଲା କସମେଟିକ,ଡ୍ରେସ । ମୋବାଇଲରେ ମେସେଜ୍ କଥାବାର୍ତ୍ତା । ରୁନୁ ମନରେ ବିଶ୍ବାସ ଜନ୍ମାଉଥିଲା, ସତେ ଯେମିତି ତା ବିନା ସେ ଆଉ ବଞ୍ଚିପାରିବ ନାହିଁ ।
*************************
(ପ୍ରଥମ ସମାପ୍ତି)
ସେଦିନ ସ୍ବପ୍ନା ପ୍ରସ୍ତାବ ରଖିଲା, "ଚାଲ ,ଆମେ ଦୁହେଁ କୁଆଡେ ପଳାଇବା । ଆଉ ମୁଁ ଏଇ ଘରେ ଅନ୍ୟ କାହାର ସ୍ତ୍ରୀ ହୋଇ ରହିବାର ଅଭିନୟ କରିପାରିବିନି।"
ଚମକି ପଡି ସରୋଜ କହିଲା, "କୁଆଡେ ପଳାଇବା ?"
"ଯେଉଁଠିକୁ ହେଉ ପଳାଇବା । ଘରଲୋକ ଖୋଜି ଚୁପ୍ ଚାପ ରହିବେ । ମୁଁ ତ ନିଜ ଇଛାରେ ତୁମ ସହ ଯିବି । ସାଙ୍ଗରେ ମୋର ଓ ଶାଶୁ ରଖିଥିବା ନଣନ୍ଦର ଗହଣା ସବୁ ନେଇଯିବି । କିଛିଦିନ ଚଳିବାପାଇଁ ଅସୁବିଧା ହେବନି । ତା ଭିତରେ ତମକୁ ଚାକିରୀ ତ ମିଳିଯିବ । ଦିନ ତୁମେ ଠିକ୍ କର, ମୁଁ ରେଡ଼ି ଅଛି।"
କିଛି ଉତ୍ତର ନଦେଇ ଚାଲିଆସିଲା ସରୋଜ। ସେଦିନ ମଟର ସାଇକେଲ ପାଖରେ ଅନ୍ଧାରରେ ଠିଆ ହୋଇ ଆଖି ପୋଛୁଥିଲା ରୁନୁ।
"ତମେ ସତରେ ମୋତେ ଭଲ ପାଅ ସରୋଜ ଭାଇ ? ନା, ମୋ ସହ ବି ଅଭିନୟ କରୁଛ ?କି ଦୋଷ କରିଥିଲି ମୁଁ ?" ଦୌଡିଚାଲିଗଲା ରୁନୁ।ବୋକାଙ୍କ ଭଳି ଠିଆ ହୋଇଥିଲା ସରୋଜ।।
ରୁନୁ କଣ ସେମାନଙ୍କ କଥା ଶୁଣିଦେଇଛି ?ନିଜକୁ। ଦୋଷୀ ଦୋଷୀ ଭଳି ଲାଗୁଥିଲା ନିଜକୁ।
ଅନ୍ଧାର ଭିତରେ ରୁନୁ ପୁଣିଥରେ ଫେରିଆସି ସରୋଜ ହାତରେ ଗୋଟେ ପ୍ୟାକେଟ୍ ଧରାଇଦେଇ ପଚାରିଲା,"ତମେ ଏଇ ଗହଣା ଲୋଭରେ ଏଠାକୁ ଆସୁଛ ?"
"ଯେଉଁଠୁ ଆଣିଥିଲ ସେଇଠି ଆଗେ ରଖିଦେଇ ଆସ। ତୁମକୁ ଗୋଟେ ସତକଥା କହିବାର ଅଛି।"
ଅବିଶ୍ବାସ ଭରା ଚାହାଣୀରେ ଅନାଇଲା ରୁନୁ।ଘର ଭିତରକୁ ଯାଇ ଫେରିଆସିଲା ସରୋଜ ପାଖକୁ।
"କଣ କହିବ "?
ସରୋଜ ରୁନୁକୁ ଭିଡ଼ିନେଲା ନିଜ ଛାତିକୁ ଆଉ ନିଜ ଓଠ ଥାପିଦେଲା ରୁନୁର କମ୍ପିତ ଅଧରରେ।ସରୋଜ ଦେଖୁଥିଲା ଝରକା ଫାଙ୍କ ଦେଇ ଏକ ଘୃଣାପୁର୍ଣ୍ଣ ଚାହାଣୀ, ସ୍ବପ୍ନା ର।
ସେଇ ଅନ୍ଧାର ଭିତରେ ମଟର ସାଇକେଲ ଷ୍ଟାର୍ଟ ହେବାର ଶବ୍ଦ ଶୁଣୁଥିଲା ସ୍ବପ୍ନା।
ପରଦିନ ଗାଁରେ ଖବର ବ୍ୟାପି ଯାଇଥିଲା, " ରୁନୁ, ତା ଭାଉଜର ଧରମ ଭାଇ ସାଙ୍ଗରେ ଗାଁ ଛାଡି ଚାଲିଯାଇଛି।
(ଅରବିନ୍ଦ ଦାସ)
*************************
(ଦ୍ବିତୀୟ ସମାପ୍ତି)
ସେଦିନ ସରୋଜ ସ୍ବପ୍ନାକୁ ପ୍ରସ୍ତାବ ଦେଲା, "ଚାଲ ,ଆମେ ଦୁହେଁ ପଳାଇବା ଓ ମନ୍ଦିରରେ ବାହା ହୋଇଯିବା।"
"ମୁଁ ବି ସେଇଆ ଭାବୁଛି।ସ୍ୱାମୀ ହିସାବରେ ନିହାର ଏକଦମ୍ ଅଗାଡି।ସ୍ତ୍ରୀକୁ ସୁଖ ଦେବାରେ ସେ ଅକ୍ଷମ। ସାରା ଜୀବନ କିଏ ପଡି ରହିବ ଏମିତି ଲୋକ ପାଖରେ ?ଆମ ଘରେ ବି ମୁଁ ଇସାରାରେ କହିଛି।ହେଲେ ବୋଉ କହୁଛି, ଅପେକ୍ଷା କର, ସବୁ ଠିକ୍ ହୋଇଯିବ।ଡାକ୍ତର ଦେଖା, ସ୍ୱାମୀ କୁ ଅଧିକ ଭଲ ପା।ଅଧିକ ପ୍ରେମ !ମାଇଁ ଫୁଟ୍।ମୁଁ ଖାଲି ମଉକା ଖୋଜୁଛି ସରୋଜ।ସେଇଥିପାଇଁ ମୋ ନଣନ୍ଦ କୁ ଥୋପ ବନାଇଛି।"
ସରୋଜ କହିଲା ,ତମେ ମୋ ସହିତ ଲୁଚି ପଳାଇବ।ତେବେ ରୁନୁ କୁ ଭିତରେ ପଶାଉଛ କାହିଁକି ?
"ଦେଖ ,ଏବେ ମାସେ ଯାଏଁ ତମେ ,ମୋତେ ବା ରୁନୁକୁ ଜମା ମୋବାଇଲ ରେ ଫୋନ୍ କରିବନି।କାରଣ ପୋଲିସ ଆଗେ ମୋବାଇଲ କଲ ଚେକ୍ କରୁଛି।ମାସେ ପରେ ଏ କାମ ହେବ।" ନିଜ ପ୍ଲାନ ବିଷୟରେ ସରୋଜ କୁ ସବୁ କହିଲା ସ୍ବପ୍ନା।ଆଶ୍ଚର୍ଯ୍ୟ ହୋଇଗଲା ସରୋଜ।ନିଜ ଛାତି ଆଡକୁ ଟାଣି ଆଣି ଗୋଟାଏ କିସ୍ ଦେଲା।
ସ୍ବପ୍ନା ରୁନୁକୁ କହିଲା, ତମେ ମୋ ଭାଇ କୁ କଣ କିମିଆ କଲ ଯେ ,ଖାଲି ତୁମ ନାଁ ଘୋଷିହେଉଛି।ମୁଁ ଠିକ୍ ଜାଣିଥିଲି ,ସେ ଏଠାକୁ ଖାସ୍ ତୁମ ପାଇଁ ହିଁ ଆସୁଛି ; ବିଭିନ୍ନ ବାହାନା ଦେଖାଇ।ଭାରି ବଢିଆ ପିଲା।ଘରେ ଗୋଟାଏ ପୁଅ। ପ୍ରସ୍ତାବ ପକାଇବି କି ?ମୋତେ ସତ କହିଲ, ତମେ ପ୍ରେମ କର ନା ନାହିଁ ?"
" ମୁଁ ଆଉ କଣ କହିବି ?ମୋ ପ୍ରେମ କାହାଣୀ ତୁମକୁ କଣ ଅଜଣା ?ହେଲେ ତାଙ୍କୁ କଣ ଝିଅ ଅଭାବ ଥିବା ଟାଉନ ରେ ?ତା ଛଡ଼ା ଆମ ଘରେ କଣ ରାଜିହେବେ ? ତାଙ୍କ କାଷ୍ଟ ପରା ଅଲଗା।"
"ଓହୋ, ରୁନୁ ?ଆଜିକାଲିକା ଝିଅ ହୋଇ ତମେ ଜାତି ଅଜାତି ବାରୁଛ ?କେତେ ହ୍ୟାଣ୍ଡସମ ଓ ଟ୍ୟାଲେଣ୍ଟେଡ଼ ଦେଖୁଛ ତ ?ସେଥିରେ ପୁଣି ଗୋଟାଏ ପୁଅ।ଯଦି ତମେ ରାଜି, ତେବେ ଚୁପ୍ କିନା ଲୁଚିକି ପଳାଅ।କୋର୍ଟ କିମ୍ବା ମନ୍ଦିର ରେ ମ୍ୟାରେଜ କରିନିଅ।ବାସ୍, କିଛିଦିନ ଟିକେ ଅଭିମାନ ରହିବ, ତା ପରେ ବଳେ ବୁଝିଯିବେ ବାପା,ବୋଉ ।"
ଏକ ଶଙ୍କାଭରା ଚାହାଣୀରେ ଅନାଇଥିଲା ରୁନୁ।
" ଦେଖ ରୁନୁ, ଡରିଲେ, ପ୍ରେମ କରିହୁଏନା। ସାହାସ କର।ଦିଲ ୱାଲେ ଦୁଲହନିଆ ଦେଖିଛ ତ ?"
ଟିକେ ବିଶ୍ୱାସ ଜମାଇବା ପାଇଁ ପୁଣି କହିଲା, ମୋର ଯାହା ଗହଣା ଅଛି, ତା ତମେ ନେଇଯା।ତେବେ ତୁମ ଦୁହିଁଙ୍କୁ ଏ କେତେଦିନ ବାହାରେ ରହିବାକୁ ପଡିବ ତା ର ଠିକ୍ ଠିକଣା ନାହିଁ ।କାରଣ ସରୋଜଙ୍କ ଘରେ ବି ତୁମକୁ ସାଙ୍ଗେ ସାଙ୍ଗେ ଗ୍ରହଣ କରିନପାରନ୍ତି। ।ବୋଉ ତାଙ୍କ ପାଖରେ ତମ ବାହାଘର ପାଇଁ ଯେଉଁ ଗହଣା ରଖିଛନ୍ତି ତାକୁ ବି ତମେ ସାଙ୍ଗରେ ନେଇଯା।ଚାବି କେଉଁଠି ରଖନ୍ତି, ତୁମକୁ ତ ଜଣାଥିବ।"
ରୁନୁ ର ଆଖିରେ ଖେଳୁଥିଲା ଅନେକ ସ୍ବପ୍ନ ର ଢେ଼ଉ ।ସ୍ବପ୍ନା ମୁହଁକୁ ଦେଖି ମୁରୁକି ହସିଦେଲା।
ସେଦିନ ରାତିରେ ସବୁ ପ୍ଲାନ ହୋଇଯାଇଥିଲା।ରୁନୁ ଲୁଚାଇ ନେଇଆସିଥିବା ଗହଣା ସବୁ ଦେଖି ସ୍ବପ୍ନା ର ଆଖି ଖୋସି ହୋଇଗଲା।ବୁଢ଼ୀ ଏତେ ଗହଣା ଲୁଚେଇକି ରଖିଥିଲା ? ଅଥଚ ତାକୁ ଗୋଟାଏ ପତଳା ଚେନ ଓ ଦୁଇ ପଟ ଚୁଡ଼ି !ପା, ଏବେ ପାନେ ବୁଢ଼ୀ।ମନେମନେ ଖୁସି ହେଉଥିଲା ସ୍ବପ୍ନା।
ରୁନୁ କହୁଥିଲା, "ଭାଉଜ ମୋତେ ଭାରି ଡର ମାଡୁଛି।ମୋ ପାଇଁ ସରୋଜ ଭାଇ ହଇରାଣ ହେବେନି ତ ?"
" ଜମା ନୁହେଁ। ଏଇ ବ୍ୟାଗରେ ସବୁ ଗହଣା ଓ ଟଙ୍କା ରଖିଲି।ହୁସିଆର ହୋଇ ରଖିବ।ବରଂ ସରୋଜ କୁ ଦେଇଦେଵ।ଟ୍ରେନ ରେ ଚୋର ଗୋଳ କଥା।"
ଅନ୍ଧାର ଭିତରେ ରୁନୁ ବାହାରି ଯାଇଥିଲା ।ଗାଁ ମୁଣ୍ଡ ବରଗଛ ପାଖରେ ସରୋଜ ଅପେକ୍ଷା କରିଛି ମଟରସାଇକେଲ ରେ।ସିଧା କଟକ ଷ୍ଟେସନ।ସେଠୁ ଟ୍ରେନ....ଆଉ ପ୍ଲାନ ଅନୁସାରେ ରୁନୁକୁ ଚକମା ଦେଇ ଖସିବାର ପାଳି ସରୋଜ ର।
ସ୍ବପ୍ନା ନିଜେ ରେଡି ହେଉଥିଲା।ସକାଳୁ ଶାଶୁ,ଶଶୁରଙ୍କ ଆଗରେ ମିଛ କାନ୍ଦଣା କାନ୍ଦିବାକୁ ପଡିବ,ତା ଗହଣା ଟଙ୍କା ରୁନୁ ନେଇ ଘରୁ ପଳାଇଛି ବୋଲି।ବାସ୍,ସକାଳ କେମିତି ହେବ....
ଫୋନ୍ ଶବ୍ଦ ରେ ଚମକି ପଡ଼ିଲା ସ୍ବପ୍ନା।କିଏ କରିଥିବ ଫୋନ୍ ?ସରୋଜ ଓ ରୁନୁ କୁ ତ ଫୋନ୍ କରିବାକୁ ମନା କରିଥିଲା।ରୁନୁ ମୋବାଇଲ ଫୋନ୍ ଟା କାଳେ ଟ୍ରାକ୍ ହେବ, ସେଇଥିପାଇଁ ରଖିଦେଇଛି ସ୍ବପ୍ନା ,ଧରାନପଡ଼ିବା ପାଇଁ।
ଲ୍ୟାଣ୍ଡଲାଇନ୍ ରୁ ସରୋଜ ର ଫୋନ୍।
"ତମକୁ ମନା କରିଥିଲି ନା ଫୋନ୍ କରିବାକୁ।ଟ୍ରେନରେ ବସିଲ ?ରୁନୁ ଯେମିତି କିଛି ସନ୍ଦେହ ନକରେ।ରୁନୁ ନେଇଥିବା ହ୍ୟାଣ୍ଡବ୍ୟାଗ ଟା ଯେମିତିହେଉ ଆଣିବାକୁ ଭୁଲିବନି।"
"ଛେନାଗୁଡ଼ ବ୍ୟାଗ। ତମ ନଣନ୍ଦ ଗୋଟେ ବଡ଼ ଅଭିନେତ୍ରୀ।ରୁନୁ ର ଗୋଟେ ବଦମାସ ଗୁଣ୍ଡା ବୟଫ୍ରେଣ୍ଡ ଅଛି ବୋଲି ତମେ ତ ମୋତେ କେବେ କହି ନଥିଲ ?ସେ ଦୁହେଁ ରାସ୍ତାରେ ମୋତେ ମାରି, ମୋ ମଟର ସାଇକେଲ ଓ ମୋବାଇଲ ନେଇ ପଳାଇଛନ୍ତି।ସାଥିରେ ସେ ବ୍ୟାଗ ଟା ବି।"
ଫୋନ୍ ଟା କାଟିଦେଇଥିଲା ସରୋଜ।ସ୍ବପ୍ନା ଆଖିରେ ନାଚିଯାଉଥିଲା ନଣନ୍ଦ ର ସରଳ ମୁହଁଟା।
(ଅରବିନ୍ଦ ଦାସ)