Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Inspirational

3  

Arabinda Rath

Inspirational

ପାନର କରାମତି

ପାନର କରାମତି

9 mins
14.6K


ବସ୍ ଭିତରେ ଶୋରିଷ ପକେଇବାକୁ ଜାଗା ନାହିଁ। ତଥାପି ଲୋକଗୁଡାକୁ ଟାଣିଆଣୁଛି କଣ୍ଡକ୍ଟର୍। ସମୁଦ୍ରପରି ଜମା ହୋଇଥିବା ଲୋକସବୁ କେମିତି କେଜାଣି ବସ୍ ଭିତରେ ଲୀନ ହୋଇଯାଉଥାଆନ୍ତି । ଦିଆସିଲି କାଠିପରି ସଜେଇ ଠିଆ କରି ଦେଉଥାଏ ଜଣଜଣ କରି। ଯାତ୍ରୀମାନେ ବାଧ୍ଯପିଲା ପରି ପେଟକୁ ଭିତରକୁ ଟାଣି ଠିଆ ହୋଇଥାଆନ୍ତି। ପେଟର ପ୍ରକୃତ ରୂପ ଧାରଣ କଲେ ବସ୍ ଟାରେ ଅଧା ଲୋକ ଧରିବେ କି ନାହିଁ ସନ୍ଦେହ। କିଛି ବଡପେଟିଆ ଅଣନିଶ୍ବାସୀ ହୋଇ ପେଟଟି ଫୁଲାଇ ଦିଅନ୍ତେ, ଆଗ ଯାତ୍ରୀ ସିଂହପରି ରଡି ଛାଡୁଛି-- ଆରେ କିଏ ସେ ପଛରୁ ଧକ୍କା ମାରୁଛି। ପେଟ ଟି ପୁଣି ମନ୍ଥର ଗତିରେ ପିଠି ଆଡକୁ ଯାକିହୋଇ ଯାଉଛି। ଆଃ କି ଆନନ୍ଦ ଦାୟକ ଦୃଶ୍ଯ।

ଝରକା ପାଖ ସିଟ୍ ଟା ମିଳିଲା ନାହିଁ। ରାମବାବୁ ତିନିଟିକିଆ ସିଟ୍ ର ମଝିରେ ବସିଛନ୍ତି। ଓଜନ ପାଖାପାଖି ଚାଳିଶି କେଜି। ଜାକି ମାଡି ବ୍ଯାଗଟିରେ ପୁରେଇ ଦେଲେ ବି ଖୁସିରେ ପଶି ଯିବେ।ହାଡମୟ ଶରୀରର ଲଜ୍ଜା ନିବାରଣ ପାଇଁ ପିନ୍ଧିଛନ୍ତି କୁର୍ତ୍ତା ପଞ୍ଜାବୀ। ସେ ପରିଧାନ ଭିତରେ ପବନ ଯିବା ଆସିବା ପାଇଁ ଯଥେଷ୍ଟ ସ୍ଥାନ ରହିଛି। ବାହାଘର ପାଇଁ ସାମିଆନା ଭିଡିଲେ ଯେମିତି ଦିଶେ ପଞ୍ଜାବୀ ଭିତରେ ଦେହ ଟି ସେହିପରି ଦୃଶ୍ଯମାନ ହେଉଛି। ଜଣେ ଯଦି ଟିକିଏ ଭଲରେ ନିରୀକ୍ଷଣ କରିବ ତାଙ୍କ ଦେହର ଦୁଇଶହ ଛଅ ଖଣ୍ଡି ହାଡ ସ୍ପଷ୍ଟ ଗଣିପାରିବ। ଦେହ ଟି ଏମିତି ହେଲେ କଣହେବ ତାଙ୍କ କଣ୍ଠରେ ସ୍ବୟଂ ଭେରେଣ୍ଡାଦେବ ବିରାଜମାନ କରିଛନ୍ତି। କଥା ଗୁଡିକ ବଡ ରୁକ୍ଷ, କର୍କଶ ଓ ବେଦନାପ୍ରଦାୟୀ। ଶୁଣିଲେ ଲାଗିବ ସତେ କି ସେ କଳି କରିବାକୁ ପ୍ରସ୍ତୁତ। ନାକତଳେ ଶୋଭାପାଉଛି ମାଗୁର ମାଛର ନିଶ ପରି ଗୋଛାଏ ଅସଜଡା ନିଶ। କୋଟରଗତ ଚକ୍ଷୁଯୁଗଳ ସହିତ ତାମ୍ପଡା ଶୁଖୁଆ ସମ ଗାଲ ରାମବାବୁଙ୍କର ସୌନ୍ଦର୍ଯ୍ଯ କୁ ବହୁଗୁଣିତ କରୁଛି। କଦବା କ୍ବଚିତ୍ ହସିଦେଲେ ଦେଖିବା ଲୋକ ମାଟିକାମୁଡି ପଡିବାର ଯଥେଷ୍ଟ ସମ୍ଭାବନା ଅଛି। ପାନ ଖାଇ ଦାନ୍ତ ଗୁଡିକ କଳା ପଡିଯାଇଛି। ଏମିତି ବେହେଡା ଦାନ୍ତ ଯେ ଉପର ମାଢିର ଦାନ୍ତ, ତଳମାଢି ଦାନ୍ତ ସହ କେଉଁ ଯୁଗରୁ ଏକତ୍ର ନ ହେବା ପରି ଲାଗୁଛି। କାଖରେ ଜାକିଛନ୍ତି କଳା ହାତଧରା ବ୍ଯାଗ୍। ବଟୁଆ ଭିତରେ ସୁସଜ୍ଜିତ କେତେ ଗୋଟି ପାନବ୍ଯାଗ୍ ରେ ଯତ୍ନରେ ରଖାଯାଇଛି। କିଛି ଗୋଟେ ଜରୁରୀ କାମରେ ସହର ଯିବାର ଆବଶ୍ଯକତା ଆସିବାରୁ ପାହାନ୍ତିପହରୁ ବସ୍ ଷ୍ଟାଣ୍ଡକୁ ଦଉଡି ଆସିଛନ୍ତି। ଏତେ ସକାଳୁ ଆସିଲା ପରେ ବି ଝରକା ପାଖ ସିଟ୍ ନ ମିଳିବାରୁ, ମନେମନେ ଗାରୁଗାରୁ ହେଲେ ବି ଉପାୟ ନ ପାଇ ସେଇ ମଝି ସିଟ୍ ଟିକୁ ଆଦରିବାକୁ ପଡିଲା। ସବୁ ଠିକ୍ ଯେ ପାନ କିପରି ଖାଇବେ ସେ ଭାବନା ଟି ମନ କୁ ଓଡଶ କାମୁଡିଲା ପରି ମଝିମଝିରେ ଦଂଶି ପକଉଥିଲା। ତାଙ୍କ ପାନ ଭୀଷଣ କଡା। ପାଟିରେ ଜାକି ବସିବା ସାଧ୍ଯାତୀତ। ତେଣୁ କେତେ ଥର ଛେପ ନ ଥୁକିଲେ ବେକମୋଡି ତଳେ ପଡିବାର ଆଶଙ୍କା କୁ ଏଡାଇ ହେବନି। ସେ ଯାହା ବି ହେଉ ଯିବାକୁ ତ ହେବ। ତେଣୁ କାନମୁଣ୍ଡ ଆଉଁସି ବସିଥାନ୍ତି। ଝରକାପାଖ ଲୋକଟିକୁ ସେ ସିଟ୍ ଛାଡିବାକୁ ଅନୁରୋଧ କରନ୍ତେ ସେ କହିଲା-

-- ଆଜ୍ଞା କଥା କଣ କି, ବସ ଭିତରେ ବସିଲେ ମୋର ବାନ୍ତି ହୁଏ। ସେଇ କାରଣରୁ ସକାଳ ଚାରିଟାରୁ ମୁଁ ବସ୍ ଆଗରେ ଆସି ଅଧିଆ ପଡିଛି। ବସ୍ କବାଟ ଖୋଲୁଖୋଲୁ ମୁଁ ଭିତରକୁ ପଶିଆସି ଏଇ ସିଟ୍ କୁ ଆବୋରି ନେଇଛି। ବାନ୍ତି ନ ହେଉଥିଲେ ଛାଡି ଦେଇଥାନ୍ତି।

ଲୋକଟି ପାଖରୁ ନାସ୍ତିବାଚକ କଥା ଶୁଣି ମନଟାକୁ ମାରି ବସିଲେ। ମନରେ ଫୁସଫୁସ୍ କରିି କହିଲେ-- କେଡେ ବଜ୍ଜାତ୍ ଲୋକଟା। ମନରେ ଟିକେ ବି ଦୟା ନାହିଁ। ୟାକୁ ପାନେ ନ ଶିଖେଇଲେ ନିସ୍ତାର ନାହିଁ।

ବସ୍ ଟା ଗର୍ଭିଣୀ ଗାଈ ପରି ଧିରେଧିରେ ଗଡିବା କୁ ଆରମ୍ଭ କରିଛି କି ନାହିଁ, କାହାର କୋକିଳ ସ୍ବରରେ ଡ୍ରାଇଭର ବ୍ରେକ୍ ଉପରେ ଠିଆ ହୋଇପଡି ଗାଡିଟାକୁ ଠିଆ କରିଦେଲା। କଂସେଇଖାନାର ଭୁରୁକୁଟିଆ ଗନ୍ଧକୁ ଆଡେଇ ଦେଇ ମହମହ ବାସ୍ନାର ହାବୁକାଏ ପବନ ରାମବାବୁଙ୍କର ନାକପୁଡା ଭିତରେ ପଶିଗଲା। କଣ୍ଡକ୍ଟର ସବୁ ଲୋକଙ୍କୁ ଆଡେଇ ଜଣେ ଯାତ୍ରୀଙ୍କୁ ଧରି କେଉଁଯାଗାରେ ସଜେଇବ ବୋଲି ଚେଷ୍ଟା ଚଲେଇଥାଏ। ନଜର ପଡିଗଲା ରାମବାବୁ ବସିଥିବା ତିନିଟିକିଆ ସିଟ୍ ଆଡକୁ। କଣ୍ଡକ୍ଟର ପଛରେ ଜଣେ ଅନିଦ୍ଯ ସୁନ୍ଦରୀ ଯୁବତୀକୁ ଦେଖି ବସ୍ ଭିତର କୋଳାହଳଟା ପୁରା ଶାନ୍ତ ପଡିଯାଇଥାଏ। ଦେଖିଲେ ଲାଗୁଛି ଥିଲାବାଲା ଘରର ଝିଅଟିଏ। ସେଇ ଝରକାପାଖିଆ ଲୋକର ଉଦ୍ଦେଶ୍ଯରେ କଣ୍ଡକ୍ଟର କହିଲା

– ସାରେ, ଏଇ ମାଡାମ୍ ଙ୍କ କାର୍ ଟା ଖରାପ ହୋଇଗଲା। ତାଙ୍କର ସହରରେ ଜରୁରୀ କାମ। ତେଣୁ ବାଧ୍ଯରେ ବସ୍ ରେ ଯିବାକୁ ପଡୁଛି। ଆପଣ ଟିକେ ଝରକା ପାଖ ସିଟ୍ ଟା ମାଡାମ୍ ଙ୍କୁ ଛାଡିଦେଲେ ହୁଅନ୍ତାନି ?

ସେ ଲୋକଟି କଣ କରିବ କିଛି ବୁଝି ପାରୁ ନ ଥାଏ। ଯୁବତୀ ମୁହଁ କୁ ଦେଖିଲା। ମୁଖମଣ୍ଡଳରେ ଇନ୍ଦ୍ରଧନୁର ରଙ୍ଗ। ଆଖି ତଳେ କଜ୍ଜଳ, ପତା ଉପରେ ବାଇଗିଣି ରଙ୍ଗର ଲେପ, ଓଠ ରେ ଲାଗିଛି କୁକୁଡା ରକ୍ତିଆ ଲିପ୍ ଷ୍ଟିକ୍, ତା ସାଙ୍ଗକୁ ଗାଲଟି ଚଟକଣି ଖାଇଲେ ଯେମନ୍ତ ରୂପଧାରଣ କରେ ସେଇ ରଙ୍ଗରେ ରଙ୍ଗେଇ ହୋଇ ଯାଇଛି। ପାଲାଗାୟକ ସାଙ୍ଗରେ ଯେମିତି ପାଳିଆ ମାନେ ପାଳି ଧରନ୍ତି ସେହିପରି ଝିଅଟି କହିଲା--

– କିଛି ଖରାପ ଭାବିବେନି ଆଜ୍ଞା। ଟିକେ ସେ ଝରକା ପାଖ ଟା ଛାଡିଦେଲେ ମୁଁ ଉପକୃତ ହୁଅନ୍ତି। ବସରେ କେତେ ଭିଡ ଦେଖୁଛନ୍ତି। ଆପଣ ନିଜେ ହିଁ ଭାବନ୍ତୁ ମୋ ପରି ଜଣେ ଝିଅ କେମିତି ଯିବ ଏ ପରିସ୍ଥିତି ରେ।

ସେ କୋକିଳ ସ୍ବରରେ କି ମାଦକତା ଥିଲା କେଜାଣି ଲୋକ ଟିର ନିତମ୍ବ ବସ୍ ସିଟ୍ ଉପରୁ ମନ କୁ ମନ ଉଠିଚାଲିଲା। ଭିଡ ଭିତରେ ନିଜକୁ ଜଣେ ମହାପୁରୁଷ ରୂପେ ଦେଖେଇବା ଚକ୍କର ରେ ବିଚରା ଆଣ୍ଠୁ ଭାଙ୍ଗି ସେଇ ଭିଡ ଭିତରେ ଠେସା ଖାଇବାକୁ ଚାଲିଗଲା। ଗଲାବେଳେ ରାମବାବୁଙ୍କୁ ଦେଖିଲା କାଳେ ସେ ଦୟାପରବଶ ହୋଇ ତାଙ୍କ ଜାଗା ଟା ଛାଡିଦେବେ, କିନ୍ତୁ ରାମବାବୁ ସ୍ବାମୀ ସ୍ତ୍ରୀ କଳି ସରିଲା ପରେ ସ୍ତ୍ରୀ ଯେମିତି ମୁହଁହାଣ୍ଡି କରି ବସେ ସେମିତି ଭଙ୍ଗୀରେ ବସି ରହିଲେ। କିଛି ସମୟ ଭିତରେ ବସ୍ ଚକା ଗଡିଲା ଓ ରାମବାବୁଙ୍କ ପାଖରେ ଖୁନ୍ଦି ହୋଇ ସେ ନାୟିକା ଜଣକ କେଶ ଫରଫର ଉଡେଇ ମନ୍ଦମନ୍ଦ ହସି ବସଯାତ୍ରାର ମଜା ନେଲା।

ଟିକଟ୍ କାଟିବା ସମୟରେ ଜଣା ପଡିଲା ନାୟିକା କଟକ ଯିବ। ରାମବାବୁଙ୍କ ମନ ଭିତର ଟା ବେଲୁନପରି ଫୁଲି ଉଠୁଥାଏ। ସକାଳୁ କାହା ମୁହଁ ଚାହିଁ ଛନ୍ତି କେଜାଣି, ଆଜି ଦିନଟା ଏତେ ଭଲରେ ଆରମ୍ଭହେଲା। ସେ ଯାହା ବି ହେଉ କଟକ ଯାଏ ତ ତାଙ୍କ ଜୀବନ ଟା ରଙ୍ଗୀନ ହୋଇଯିବାର ସବୁ ବ୍ଯବସ୍ଥା ଭଗବାନ କରିଦେଲେ। ଟିକିଏ ଟେରେଇ ଦେଖିଲେ ଝିଅଟି ଧୋବ ଫରଫର ମଖମଲିଆ ସାଲଓ୍ବାର କାମିଜଟେ ପିନ୍ଧିଛି। ହାତରେ ଗୋଟେ ଝିଅଝୁଲା ବ୍ଯାଗ୍ ଛଡା କିଛିନାହିଁ। ପୁରା ଅତର ବୋତଲ ଟା ଢାଳି ଦେଇଛି କି କଣ, ବାସ୍ନାର କୂଳଥଳ ନାହିଁ। ତାଙ୍କୁ ଲାଗିଲା ବସ୍ ଭିତର ଟା ପୁରା ଶୁନ୍ ଶାନ ଓ କେବଳ ସେଇ ଦୁଇଜଣ ବସ୍ ଭିତରେ ଯାଉଛନ୍ତି। ଭାବୁଥାନ୍ତି ଭଲ ହେଲା ସେ ଲୋକ ଟା ଝରକା ପାଖ ସିଟ୍ ଟା ଛାଡିଲାନି, ନ ହେଲେ ସେ ବସ୍ ଭିତରେ କଣଠେସା ଖାଇଲା ବେଳକୁ ଝିଅଟି ପାଖରେ ସେ ଲୋକଟି ବସିଥାଆନ୍ତା।

ହଠାତ୍ ତାଙ୍କୁ ଜୋରସୋର୍ ରେ ପାନ ମାଡିଲା। ଅର୍ଥାତ୍ ପାନ ଖାଇବାର ଇଚ୍ଛା ପ୍ରବଳ ରୁ ପ୍ରବଳତର ହେଲା। କୁକୁରଛୁଆର ଦାନ୍ତ କୁଣ୍ଡେଇ ହେଲେ ଯେମିିତି ଯୋତା, କାଠ, ଖୁଣ୍ଟି, ଚପଲ ଚୋବାଇ ପକାଏ, ସେମିତି ଦାନ୍ତ ଗୁଡିକରେ ଅଦମ୍ଯ କଣ୍ଡୁ ଜାତ ହେଲା। ସକାଳୁ ଯାହା ଗୋଟେ ପାନ ଚୋବେଇଥିଲେ। ଦାନ୍ତ ସନ୍ଧିରେ କେତେ ଟା ଗୁଆ ଟୁକୁରା ଲାଗିଥିଲା, ତାକୁ କୋରେଇ କେତେରି ଚୋବେଇ ସାରିଲେଣି। ପାଟିରେ କେବଳ ପାନ ର ବାସ୍ନା ଟା ଯାହା ଅଛି। ଦୁଇ ପଟକୁ ଆଖି ବୁଲେଇଲା ବେଳକୁ ସେ ଝିଅ ଓ ଅନ୍ଯ ଯାତ୍ରୀ ଗଭୀର ନିଦରେ ଶୋଇଲେଣି। ବସ୍ ରେ ଠିଆ ହୋଇଥିବା ଲୋକମାନେ ବି ଧକ୍କାମୁକ୍କା ଖାଇ କୌଣସି ପ୍ରକାରେ ସ୍ଥିର ହୋଇଗଲେଣି। ପୁଣି ଭାବିଲେ ଯଦି ପାନଟା ପାଟି ଭିତରେ ଉତ୍ପାତ କରିବ ଛେପ ପକେଇବେ କେମିତି। ପୁଣି ଭାବିଲେ ଝିଅଟି ତ ଶୋଇ ପଡିଛି, ଟିକିଏ ତା ଆଡକୁ ଝୁଙ୍କି ଯାଇ ପିଚ୍ କାରୀ ମାର୍କା ଥୁକି ଦେଲେ ପାନଛେପ ରାଜରାସ୍ତାରେ ବିଚ୍ଛାଡି ହୋଇପଡିବ। ବଡ ସନ୍ତର୍ପଣରେ ପାନ ବଟୁଆଟି ଖୋଲିଲେ। ପାନ ର ରୂପ ଦେଖି ଭାବିଲେ ସେ ଝିଅ ଟା କଣ ମୋ ପାନ ଠାରୁ ସୁନ୍ଦର ହୋଇ ପାରିବ। ସବୁଜ ଟହଟହ ପତ୍ର କେତେ ସରାଗରେ ମୋଡି ହୋଇ ରହିଛି। ତା ଭିତରେ କେତେ କଣ ମସଲା। ସେ ଝିଅଟିର ଗାଲ ଠାରୁ ବି ମସୃ ଣ ସେ ପାନ ପତର। ଗୋଟେ ହେଲେ ଦାଗ ନାହିଁ। ଖାଇବେ ନ ଖାଇବେ ଭାବନା ମୁଣ୍ଡରେ ଠିଆପାଲା କରିବା ମଧ୍ଯରେ କେତେ ବେଳେ ପାନ ଟା ପାଟି ଭିତରକୁ ଯାଇ ସାରିଲାଣି ସେ ଆଡକୁ ତାଙ୍କର ଲୟ ନାହିଁ। ବଟୁଆ ଟା ବ୍ଯାଗ୍ ଭିତରେ ଖୁନ୍ଦିଦେଇ ପାନ ଟାକୁ ଆଗ ଶୋଷି ପକେଇଲେ। ଆଃ କି ଆନନ୍ଦ, କି ସ୍ବର୍ଗୀୟ ଅନୁଭୁତି। ଖାସ୍ ଏହି କାରଣରୁ ତ ଜଗନ୍ନାଥଙ୍କୁ ପାନ ପରଷା ଯାଏ।

ବସ୍ ର ଗତିି ବଢିଚାଲିଛି। ଝିଅଟିର ଅସଜଡା କେଶ ଉଡିଆସି ରାମବାବୁଙ୍କ ମୁହଁରେ ଲେସି ହୋଇ ଯାଉଛି। ଲାଜରେ ସୁକୁଟା ମୁହଁଟା ଗୋଲାପି ପଡି ଯାଉଛି। ଭିଡ ଭିତରେ ଛିଡା ହୋଇଥିବା ଭେଣ୍ଡିଆ ଗୁଡାକ ବଲବଲ କରି ଚାହିଁଛନ୍ତି ରାମବାବୁଙ୍କୁ ଓ ମନରେ କହୁଥାନ୍ତି -- ଲୋକଟାର ଭାଗ୍ଯ ଦେଖ। ନିଦରେ ଝିଅ ଟି ଘୁଙ୍ଗୁଡି ହାଙ୍କି ବାରେ ବ୍ଯସ୍ତ। ସେ ଭାବୁଥାନ୍ତି ବସ୍ ରେ ଗଲା ବେଳେ ଲୋକଙ୍କୁ ଏତେ ନିଦ କେମିତି ମାଡେ। ଖଟ ଉପରେ ପଙ୍ଖା ଲଗେଇ, ଆଲୁଅ ବନ୍ଦ କରି ଶୋଇଲେ ପଛେ ନିଦ ନ ଆସୁ , ବସ୍ ଭିତରେ ନିଦ ଆସିବାଟା ଥୟ। ଚକା ଗଡିବା ସାଙ୍ଗକୁ ଆଖିପତା ଆଉ ବୋଲ ମାନେନି। ଟିକିଏ ପବନ ବାଜିଲା ମାତ୍ରେ ପାଟି କୁ ଭାକୁର ପରି ମେଲା କରି ଅଧାରୁ ଅଧିକ ଲୋକ ଚିତ୍ ପଟାଙ୍ଗ।

ପତ୍ର ଭିତରୁ ପାନରେ ଖୁନ୍ଦା ହୋଇଥିବା ମସଲା ଗୁଡିକ, ସ୍କୁଲ୍ ଛୁଟି ହେଲେ ପିଲା ଗୁଡାକ କିଳିକିଳା ରାବ ଛାଡି ଦଉଡିବା ପରି ଦୌଡ ଆରମ୍ଭ କରିଦେଲେଣି। ଦୁଇ ଚାରି ଥର ଚୋବେଇ ପାନ ଟିକୁ କଳରେ ଯାକି ବାର କିଛି ସମୟ ପରର ଅବସ୍ଥା ଇଏ। ନିଆଁ ଲାଗିଗଲେ ଯେମିତି ପାଣି ବାଲଟି ଫୋପାଡି ନିଆଁ ଲିଭାଯାଏ ସେମିତି ପାଟିରୁ ଲାଳ ଗୁଡା ବାହାରି ପାନର ମସଲା ଗୁଡିକୁ ଓଦା କରିବାରେ ବ୍ଯସ୍ତ। ଅଜାଣତରେ ମସଲାମିଶ୍ରିତ ଲାଳ ଟିକେ ପେଟ ଭିତରକୁ ଚାଲିଗଲା। ତଣ୍ଟି ପେଟ ସବୁ ମନ୍ଥି ହୋଇଗଲା ପରିଲାଗିଲା। ପ୍ରକୃତକଥା ହେଲା, ସେ ପାନ ଛେପ ନ ଢୋକି ପାଞ୍ଚ ଥର ଖଣ୍ଡେ ଥୁକି ଦିଅନ୍ତି। ତା ପରେ ଗାଈ ପାକୁଳି କଲା ପରି ଚୋବାଇ ଚାଲନ୍ତି, ଯେତେ ବେଳ ଯାଏ ପାନ ର ସତ୍ତା ସମ୍ପୂର୍ଣ୍ଣ ଲୋପ ନ ପାଇ ଯାଇଛି। ଆଜି କିନ୍ତୁ ଏ ପ୍ରକ୍ରିୟାରେ ବ୍ଯତିକ୍ରମ ହେଲା। ସେ ଅନୁଭବ କଲେ ମୁଣ୍ଡଟି ଟିକିଏ ଝାଙ୍କିଦେଲା। ଜିଭ ଟା କରେଣ୍ଟ୍ ମାରିଲା ପରି ଲାଗୁଛି। ସକାଳୁ ଗଞ୍ଜା ରାବ ଦେଲା ପରି ହାକୁଟି ଉଠୁଛି। ପାଣି ଟିକିଏ ପିଇ ଦେଇଥିଲେ ବିପଦ ଟା ଟଳି ଯାଇଥାଆନ୍ତା। କିନ୍ତୁ ବସ୍ ଭିତରେ ସେ ବ୍ଯବସ୍ଥା ନାହିଁ। ପାଟି ଭିତରେ ଲାଳ ଗୁଡାକ ପାନ ଟାକୁ ପୋତି ଦେବାରେ ଲାଗିଛନ୍ତି। ସତେକି ଦୁଇ କଳରେ ଲାଳର ଝରଣା ବୋହୁଛି। ଏତେ ଶିଘ୍ର ତାମ୍ବୁଳଚର୍ବଣ ରୂପକ ଯୁଦ୍ଧରେ ସେ ଭୂପତିତ ହେବେ ତାଙ୍କ କଳ୍ପନା ବାହାରେ ଥିଲା। ଛେପ ଢୋକିବାର ସାହାସ କୁଳେଇ ପାରୁନାହାଁନ୍ତି। ସୁକୁଟିଆ ଗାଲ ଗୁଡିକ ପାନମିଶ୍ରିତ ଲାଳରେ ଫୁଲି ରୋହିମାଛ ପେଟପରି ଦିଶିଲେଣି। ଏଇ ଅବସ୍ଥାରେ ଟିକିଏ ଥୁକି ନ ଦେଲେ ଆଗକୁ ଯେ ପରିସ୍ଥିତି ଅସମ୍ଭାଳ ହେବ ସେଥିରେ ସନ୍ଦେହ ନାହିଁ। ଏପଟେ ମୁଣ୍ଡବୁଲା ବି ବଢି ଚାଲିଛି। ହାତ ଗୋଡ ଥରିବାକୁ ଆରମ୍ଭ କଲାଣି। ମୁହଁ ବୁଲେଇ ଦେଖିଲା ଝିଅଟି ଝରକା କୁ ପିତୃ ଦତ୍ତ ସମ୍ପତ୍ତି ପରି ଆବୋରି ବସିଛି। ପବନ ଆସିବାକୁ ବି ଯାଗା ନାହିଁ। ତେଣୁ ଝରକାରେ ଥୁକି ବାର କୌଣସି ପ୍ରୟାସ କରାଯାଇ ନ ପାରେ। ମୁଣ୍ଡ ବୁଲେଇ ଅନ୍ଯ ଦିଗ କୁ ଦେଖିଲେ, ବସ୍ ଭିତରେ ବାୟୁ ଦେବ ବି ଯିବାର ବାଟ ନାହିଁ। ମକା ମଞ୍ଜି ପରି ଲୋକ ଗୁଡାକ ଖୁନ୍ଦି ହୋଇ ଠିଆ ହୋଇଛନ୍ତି। କଣ୍ଡକ୍ଟର ଭଡା ଆଦାୟ କରିସାରି ଡ୍ରାଇଭର ପାଖରେ ଢୁଳୋଉଛି। ତାକୁ ଡାକି ବି ହେବନି। ଏମିତି ଏକ ଭୟାନକ ଅବସ୍ଥାରେ ପଡିବେ ବୋଲି ସେ ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲେ। ପାଟି ଭିତର ଟା ବେଳ କୁ ବେଳ ଫୁଲି ଉଠୁଛି। ମସଲା ମିଶ୍ରିତ ଲାଳ ଗୁଡିକ ଉଦରଗାମୀ ହେଲେଣି। ଲାଗୁଛି ସତେ କି ସେ ନୀଳକଣ୍ଠ ପାଲଟି ଗଲେଣି। ଏତିକି ବର୍ଷ ଭିତରେ ହଜାର ହଜାର ପାନଙ୍କୁ କାମୁଡି, ଚୋବେଇ ଛିନ୍ ଭିନ୍ କରିଦେଇଥିବା ରାମବାବୁ ଆଜି ଅଠାକାଠିରେ ପଡିଲା ପରି ଛଟପଟ ହେଉଛନ୍ତି। ଆଖି ଡୋଳା ଜୋଡିକ ପାଚିଲା ବିଲାତି ବାଇଗଣ ପରି ନାଲି ହୋଇଗଲାଣି।

ଦେହ ଟା ଅଚାନକ ବହୁତ୍ ଖରାପ ହୋଇ ବାନ୍ତି ହୋଇଯିବା ପରିଲାଗୁଛି। ରାମବାବୁଙ୍କୁ ବସ୍ ଭିତର ପରିବେଶ ଟା ବଡ ଭୟାନକ ମନେ ହେଲା। ପାଖରେ ଶୋଇଥିବା ଝିଅଟି ରମ୍ଭା ସମ ଅପସରା ରୁ ହିଡିମ୍ବା ଅସୁରୁଣୀ ପରି ପ୍ରତୀତ ହେଲା। ଛିଡା ହୋଇଥିବା ଲୋକ ଗୁଡା କାଳୀ ଠାକୁରାଣିଙ୍କ ପାର୍ଶ୍ବରେ ଥିବା ପିଶାଚ, ଅସୁରଙ୍କ ପରି ଦେଖା ଦେବାକୁ ଲାଗିଲେଣି। ପାଟିର ଅବସ୍ଥା ଏମିତି ଯେ ଯଦି ଗୋଟେ ମାଛି ଆସି ଗାଲ ଉପରେ ବସିବ, ପାଟି ଭିତରୁ ପାନ ଛେପ ଗୁଡା ବିସିରିପି ଯାଇଥିବା ବଥରୁ ପୂଜ ବାହାରିବା ପରି ଛିଟିକି ପଡିବ।

ରାମବାବୁଙ୍କ ମନରେ ଖାଲି ଗୋଟିଏ ଡର, ଯଦି ଏମିତି ଭୟାନକ ଅବସ୍ଥାରେ ଛିଙ୍କ ମାଡିବ ତେବେ କଣ ହେବ। ଖାଲି ଠାକୁରଙ୍କୁ ଡାକିବା ଛଡା ଉପାୟ ନାହିଁ। ରାସ୍ତା କଡରେ ପୋତା ଯାଇଥିବା ମାଇଲ ଖୁଣ୍ଟ ଛିଗୁଲାଇ କହୁଛି ଯେ କଟକ ଆହୁରି ପଚାଶ କିଲୋମିଟର। ମଝିରେ ଗାଡି ରହିବାର କିଛି ଆଶା ବି ନାହିଁ। ତେଣୁ ଯାହା କିଛିି ପ୍ରଳୟ ଆସିବ ଏଇ ବସ ଭିତରେ ହିଁ ଆସିବ।

କଣ ଗୋଟିଏ ଖସଖସ ଶବ୍ଦରେ ପ୍ରକୃତିସ୍ଥ ହୋଇ ପାଖରେ ବସିଥିବା ଲୋକଟି ଆଡେ ଦେଖିଲେ ରାମବାବୁ। ଲୋକଟି ତାଙ୍କୁ ଦେଖି ମୁରୁକି ହସା ଟେ ଦେଲା, କାହିଁକି ତାର କାରଣ କେବଳ ସେ ହିଁ ଜାଣିଥିବ। ନିରେଖି ଦେଖିଲା ବେଳକୁ ଲୋକଟି ହାତରେ କିଛି ଗୋଟେ ମନ୍ଥିବାରେ ବ୍ଯସ୍ତ। ଜାଣିବାକୁ ବାକି ରହଲାନି ଯେ ଲୋକ ଟି ହାତରେ ଧୂଆଁ ପତ୍ର ମିଶା ଗୁଣ୍ଡି ଦଳୁଥିଲା। ସେ ଜିନିଷର ଗନ୍ଧ ଏତେ ତୀବ୍ର ଯେ ପିମ୍ପୁଡି ନାକରେ ବାଜିଲେ ବି ସେ ଛିଙ୍କି ପକେଇବ। କିନ୍ତୁ ସେ କରିବେ ବା କଣ। ମୁହଁରୁ ବଚନ ସ୍ଫୁରିବାର ଆଶା ନାହିଁ। କେବଳ ମୁଣ୍ଡ ଟୁଙ୍ଗାରିବା ଛଡା ଉପାୟ ନାହିଁ। କାଳେ ଛିଙ୍କି ପକେଇବେ ସେଇ ଡରରେ ନାକରେ ରୁମାଲ ଟା ମାଡି ଧରିଲେ। ଲୋକଟି ଭାବିଲା ବୋଧେ ରାମବାବୁ ସେ ସୁଗନ୍ଧିତ ଦ୍ରବ୍ଯରୁ କିଛି ପାଇବା ଆଶାରେ ମୁହଁରେ ରୁମାଲ ଗୁଡେଇ ମାଗୁଛନ୍ତି। ସେଇ ଦ୍ରବ୍ଯରୁ ଚିମୁଟାଏ ଧରି ରାମ ବାବୁଙ୍କ ମୁହଁ ପାଖରେ ଟେକି ଧରିଲା ନିର୍ବୋଧ ଲୋକଟି।

ହଠାତ୍ ନାକ ପୁଡା କୁଣ୍ଡେଇ ହେଲା ପରି ଲାଗିଲା। କୌଣସି ମତେ ନିଜକୁ ସ୍ଥିର କରିବାକୁ ଚେଷ୍ଟା କରିଲା ବେଳେ ଛିଙ୍କ ଦେବ ନିଜ ଆଗମନର ପ୍ରାକ୍ ସୂଚନା ପ୍ରଦାନ କଲେ। ଆଗକୁ କଣ ହେବ ଭାବିଲା ବେଳକୁ ମୁଣ୍ଡ ଟା ରାମଦୋଳି ପରି ଘୁରିବା ପରି ଲାଗିଲା। ଟିକେ ପାଖେଇ ଦେଖିଲେ ଝରକା ଆଡେ, କାଳେ ସେ ଝିଅଟି ଟିକେ ବାଟ ଛାଡିଥିବ। କିନ୍ତୁ ନିରାଶ ହେବାକୁ ପଡିଲା। ଗର୍ଭିଣୀ ଗାଈ ପରି ନିଜକୁ ଝରକା ପାଖରେ ବୁହେଇ ଦେଇ ଝିଅଟି ଶୋଇଛି। ପିନ୍ଧାବସନ ଯେ କୁଆଡେ ଗଲାଣି ସେ ଆଡକୁ ତାର ନଜର ନାହିଁ। ଓଢଣୀ ଟି ଖସି ପାଦ ତଳେ ଲୋଟୁଛି। ଭେଣ୍ଡିଆ ଗୁଡାକ ଡାହାଳ କୁକୁର ପରି ଜିଭ ହଳହଳ କରି ଚାହିଁଛନ୍ତି। ରାମବାବୁଙ୍କର ମନ ହେଉଥିଲା ଝିଅଟାକୁ ବେକିଆ ଟେ ମାରି ଝରକା ବାହାରକୁ ମୁଣ୍ଡ ବାହାର କରି ସବୁ ବାନ୍ତି କରି ଦିଅନ୍ତେ।ସେତିକି ବେଳକୁ ଅଣଚାସ ପବନ ବୋହିଲା ପରି ଛିଙ୍କ ଟା ପଞ୍ଜରା ହାଡ ଥରେଇ ବାହାରି ଆସିଲା। ମୁହଁ ଟା ସେଇ ଝିଅ ଆଡକୁ ଥିବା ବେଳେ ଏହି ଅଘଟଣ ଟି ଘଟିଗଲା। ନିମିଷକରେ ଝିଅଟି ଆପାଦଦମସ୍ତକ ନାଲିଆ ରଙ୍ଗରେ ରଙ୍ଗେଇ ହୋଇଗଲା। କଣ ଘଟିଲା ବୋଲି ବୁଝି ନପାରି ଆର ପଟରେ ବସିଥିବା ଲୋକ ଟି ଆଡକୁ ମୁହଁ ବୁଲାନ୍ତେ, ଆଉ ଏକ ଶକ୍ତିଶାଳୀ ଛିଙ୍କରେ ପାଖ ଲୋକଟିର ମୁହଁରେ ପାନ ଛେପ ର କ୍ଷୁଦ୍ରାତିକ୍ଷୁଦ୍ର ବିନ୍ଦୁ ଦୂଶ୍ଯମାନ ହେଲା।

ଝିଅଟି ଇଜ୍ଜତହରଣ ସୂଚକ ବିକଟ ଚିତ୍କାରରେ କମ୍ପାଇ ଦେବା ମାତ୍ରେ, ଭିଡ ଭିତରୁ ଭେଣ୍ଡିଆ ପଲ କୁଆପଥର ପରି ମାଡି ଆସି ରାମବାବୁଙ୍କୁ ସିଟ୍ ଉପରୁ ଟେକିନେଲେ। ହୋଃ ହାଲା ଶୁଣି ବସ୍ ର ବ୍ରେକ୍ ଉପରେ ଡ୍ରାଇଭର ଠିଆ ହୋଇପଡିଲା। କିଛି ସମୟ ଅନ୍ତରାଳରେ ରାମବାବୁ ମାଟି କାମୁଡି ପଡିଥିଲେ ଓ ଲୋକ ସବୁ ତାଙ୍କୁ ଧାନ ବେଙ୍ଗଳା କଲା ପରି ଛେଚି ପକଉଥିଲେ। ଝିଅ ଟିର ସୁକୁସୁକୁ କାନ୍ଦ ଲୋକ ଙ୍କର କ୍ରୋଧର ବହ୍ନି କୁ ଆହୁରି ଜଳେଇ ଦେଇଥିଲା ଓ ରାମ ବାବୁ ଆହୁରି ଦଳି ହୋଇ ପଡୁଥିଲେ।

କିଛି ଦିନ ପରେ ରାମବାବୁ ଘର ବାରଣ୍ଡାରେ ମୁଣ୍ଡ, ହାତ, ଗୋଡରେ ପଟି ବାନ୍ଧି ବସିଥିବାର ଦେଖାଦେଲା। ଦାନ୍ତ ଦୁଇଧାଡି ସେଦିନ ରାସ୍ତା ଉପରେ ହିଁ ଶହୀଦ୍ ହୋଇଯାଇଥିଲେ। କେବଳ ବେଙ୍ଗଜିଭ ପରି ଲହଲହ କରୁଥିଲା ଜିଭଟି। ଜଗା ପାନ ଦୋକାନୀର ମନ ଭୀଷଣ ଦୁଃଖ,ଏତେଦିନର ଗ୍ରାହକ ଟା ହାତଛଡା ହୋଇଗଲା।

ଅରବିନ୍ଦ ରଥ


Rate this content
Log in

Similar oriya story from Inspirational