Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamala Satpathy

Inspirational Tragedy

1.1  

Kamala Satpathy

Inspirational Tragedy

ଗୋଟିଏ ରାତିର ବ୍ୟବଧାନ

ଗୋଟିଏ ରାତିର ବ୍ୟବଧାନ

12 mins
14.9K


ଆଜିର ସୂର୍ଯ୍ୟୋଦୟ ଥିଲା ଅପୂର୍ବ ! ମଧୁର ସୁଗନ୍ଧରେ ଚତୁର୍ଦ୍ଦିଗ ମହକି ଉଠୁଥିଲା । ବାତାବରଣରେ ଭରି ରହିଥିଲା ଅଦ୍ଭୁତ ସ୍ନିଗ୍ଧତା । ପ୍ରୀତି ଆଉ ମୈତ୍ରୀର ବାର୍ତ୍ତା ନେଇ ପୂର୍ବ ଦିଗରୁ ପକ୍ଷୀମାନେ ଉଡି ଆସୁଥିଲେ ଡେଣା ମେଲେଇ । ଚାରିଆଡ ଦିଶୁଥିଲା ସୁନ୍ଦର .. ଅତି ସୁନ୍ଦର ! ମନ କହୁଥିଲା ପ୍ରକୃତିର ଶୋଭା ବର୍ଣ୍ଣନା କରି ଆଜି କବିତା ରଚନା କରିଯାଆନ୍ତି । ଜୀବନରେ କେବେ ଲେଖାଲେଖିର ଧାର୍ ଧାରିନଥିବା ଲୋକ ମୁଁ, ଆଜି କବି ପାଲଟି ଯାଆନ୍ତି !

ଝରକା ଦେଇ ସୂର୍ଯ୍ୟର ପହିଲି କିରଣ ମୋ ମୁହଁ ଉପରେ ପଡୁଥିଲା । କିନ୍ତୁ ଆଜିର ଏ ସୂର୍ଯ୍ୟକିରଣ ମତେ ଆଦୌ ବିରକ୍ତ ଲାଗୁନଥିଲା । ଚାହିଁ ରହିଲି ବାହାରକୁ । ଆଃ .. ସତରେ ଏ ପୃଥିବୀଟା କେତେ ସୁନ୍ଦର !

ଶେଯରୁ ଉଠିଲା ମାତ୍ରେ ପ୍ରତିଦିନ ମୋ ପତ୍ନୀ ସରୋଜାଙ୍କୁ ଆଖପାଖରେ ମୁଁ ପାଇଥାଏ । କେତେବେଳେ ସେ ମୋ ଗୋଡ ଆଉଁସୁଥାଆନ୍ତି ତ ଆଉ କେତେବେଳେ ମୋ ପାଇଁ ଚା ଜଳଖିଆ କି ଔଷଧ ଧରି, ଖଟ ପାଖରେ ଠିଆ ହୋଇଥାଆନ୍ତି । ଆଜି କିନ୍ତୁ ପାଖରେ କେହି ନଥିଲେ । ଆଜି ବୋଧହୁଏ ନିଦଟା ମୋର ଖୁବ୍ ଶୀଘ୍ର ଭାଙ୍ଗିଯାଇଛି । ଶେଯରୁ ଉଠି ମନକୁ ମନ ମୁଁ ଆଜି ବସିଗଲି । ଦୀର୍ଘଦିନର ଅସୁସ୍ଥତା ଫଳରେ ଶରୀର ମୋର ଅତି ବେଶି ଦୁର୍ବଳ ହୋଇ ଯାଇଥିଲା । କାହାରି ସାହାଯ୍ୟ ନେଇକି ହି ଦୁଇ ତିନି ପାଦ ଆଗେଇ ପାରୁଥିଲି । ଆଜି କିନ୍ତୁ ଦେହଟା ବେଶ୍ ଭଲ ଲାଗୁଥିଲା । ସାରା ଶରୀର ତୁଳା ଠାରୁ ହାଲୁକା ହୋଇ ଯାଇଥିଲା । ମୁଁ ଉଠି ହାତ ଗୋଡ ହଲେଇଲି .. ଟିକିଏ ପଦଚାଳନା କଲି । ନା, ଜମାରୁ ଅସୁବିଧା ଲାଗିଲା ନାହିଁ । ବରଂ ଶେଯରୁ ଉଠି ପାରିବାର ଖୁସିରେ ମନ ଆନନ୍ଦରେ ନାଚିଉଠିଲା ।

ବହୁତ ଦିନ ହେବ ବାଲକୋନିକୁ ଯାଇନାହିଁ ମୁଁ । ଆଜି ଯିବାକୁ ଖୁବ୍ ମନ ହେଲା । ମୋର ପତ୍ନୀ ସରୋଜା ଆସି ମତେ ଦେଖିବା ପୂର୍ବରୁ ହିଁ ବାଲକୋନିକୁ ଯାଇ ଚାରିଆଡ ଟିକେ ଦେଖିଦେଇ ଆସିବାକୁ ହେବ । ନଚେତ୍ ସରୋଜା ବିରକ୍ତ ହେବେ । ଦେହ ଟିକିଏ ଭଲ ହେଉ ହେଉ ଏତେ ବୁଲାବୁଲି କରିବା କ’ଣ ଦରକାର କହି ଜବରଦସ୍ତି ଆଣି ଶେଯରେ ଶୁଆଇ ଦେବେ । ସେ କ’ଣ କେବେ ବୁଝିପାରିବେ ଦୀର୍ଘ ଦିନ ଧରି ଶେଯରେ ଶୋଇ ରହିଲେ କେମିତି ଚିଡା ଲାଗେ ! ଜଣେ ଅନୁଭବୀ ହିଁ କହିପାରିବ ସେହି ଦୁଃଖଦ ଅନୁଭବକୁ । ସରୋଜା ଆଦୌ ବୁଝିବେନି ସେଇ କଥା ।

ଅବଶ୍ୟ ଏଥିରେ ତାଙ୍କର କିଛି ଭୁଲ୍ ନାହିଁ । ମୋରି ଭଲ ପାଇଁ ହିଁ ଏତେ ତାଗିଦା କରନ୍ତି ସେ । ଯଦି ମୋର କିଛି ହେଇଯାଏ, କେମିତି ରହିବେ ସେ ଏକା ଏକୁଟିଆ ! ପୁଅବୋହୂ, ଝିଅଜୋଇଁ, ନାତିନାତୁଣୀ ସମସ୍ତେ ଥିଲେ ବି ପତିପତ୍ନୀଙ୍କ ପରି ସୁଖଦୁଃଖର ସମ୍ପର୍କ କାହା ସହିତ କ’ଣ କେବେ ଗଢିହୁଏ ? ଆମ କ୍ଷେତ୍ରରେ ତ ତାହା ବେଶି ଲାଗୁ ହେବ । ସବୁ ପିଲାମାନେ ଆମର ଉଚ୍ଚ ଶୀକ୍ଷିତ ହେଇ ନିଜ ଗୋଡରେ ଠିଆ ହେଲା ପରେ ଆଗ ଘରୁ ବାହାରି ଯାଇ ଦୂରରେ ରହିବାକୁ ସ୍ଥିର କରିଲେ । ଆମ ଭଲମନ୍ଦର ଖବର ମଝିରେ ମଝିରେ ଆସି ବୁଝୁଥିଲେ ବି ପାଖରେ ତ ରହୁ ନଥିଲେ ନା ! ଅବଶ୍ୟ ଆଜି ପର୍ଯ୍ୟନ୍ତ ଆମେ କାହାରି ଉପସ୍ଥିତି ପ୍ରତି ବ୍ୟାକୁଳ ହେଇନାହୁଁ । କିନ୍ତୁ ଯେବେ ଠାରୁ ମୋ ଦେହଟା ଖରାପ ହେଲାଣି, ସରୋଜାଙ୍କ ମନରେ ଅତିଶୟ ଭୟ ପଶିଯାଇଛି । ଟିକିଏ ଟିକିଏ କଥାରେ ଛାନିଆ ହେଇ ଡାକ୍ତରକୁ ଡକେଇ ଆଣୁଛନ୍ତି .. ପିଲାଙ୍କୁ ଫୋନ୍ କରି ଦଉଛନ୍ତି ! ଯେତେ ମନା କଲେ ବି ଶୁଣୁନାହାନ୍ତି ।

ସରୋଜାଙ୍କ ଆଡୁ ଧ୍ୟାନ ହଟେଇ, ପରଦା ଆଡେଇ ବାଲକୋନିକୁ ଆସିଗଲି ମୁଁ । ବାଲକେନିରେ ସକାଳର ଖରା ବିଛେଇ ହେଇ ପଡିଥିଲା । ନଭେମ୍ବର ମାସ ଶେଷ ହେଇ ହେଇଯାଉଛି । ଖରାର ତେଜ ତେଣୁ ଜମାରୁ ଦେହକୁ ଲାଗୁନଥିଲା । ଚାରିଆଡ ଅଳ୍ପ ଅଳ୍ପ ଥଣ୍ଡା ବିଛେଇ ପଡିଥିଲା । ଚାଦରଟା ଧରିକି ଆସିଥିଲେ ଭଲ ହେଇଥାନ୍ତା । କିନ୍ତୁ ଏମିତି ଥଣ୍ଡା ଲାଗିବ ବୋଲି ମୋର ଧାରଣା ହି ନଥିଲା । ହଉ ଛାଡ, ଅଳ୍ପ ସମୟ ଭିତରେ ଭିତରକୁ ଚାଲିଯିବି । କିନ୍ତୁ ଏଇ ଭିତରେ ଯଦି ସର୍ଦ୍ଦିକାଶ ଆରମ୍ଭ ହେଇଯାଏ, ତେବେ ସରୋଜାଙ୍କ ବିରକ୍ତି ସହିବାକୁ ପଡିବ ।

ଏଇ ଘରଟି କଲା ବେଳେ ସରୋଜାଙ୍କ ଅନୁରୋଧରେ ବାଲକୋନିଟିକୁ ବେଶ୍ ବଡ କରି କରିଥିଲି । ଗଛପତ୍ର ଲଗେଇବାର ତାଙ୍କ ସଉକ ପୂରା କରିବାର ସୁବିଧା ମଧ୍ୟ ରଖିଥିଲି । ସକାଳେ ସନ୍ଧ୍ୟାରେ ବସି ସୂର୍ଯ୍ୟର ମନୋହର ରୂପକୁ ଉପଭୋଗ କରିବାକୁ ବଡ ଦୋଳିଟିଏ ବାନ୍ଧିଥିଲି । ଏକୁଟିଆ ହେଇଗଲା ପରେ ଆମର ଅଧିକାଂଶ ସମୟ ଏଇ ଦୋଳି ଉପରେ ହିଁ କଟୁଥିଲା । ମୁଁ ଏଇଠି ବସି ଖବରକାଗଜ ପଢେ .. ରେଡିଓ ଶୁଣେ .. ଚା ପିଏ, ଆଉ ସେ ତାଙ୍କର ଗଛଲତାର ସେବା କରନ୍ତି .. ଉଲ୍ ବୁଣନ୍ତି .. ଉପନ୍ୟାସ ପଢନ୍ତି । ଏଇ କେତେଦିନ ହେବ ମୋ ପଛରେ ବ୍ୟସ୍ତ ରହି ନିଜ ଗଛଲତାକୁ ଦେଖିବାକୁ ସମୟ ପାଇନାହାନ୍ତି ସେ । ସେଥିପାଇଁ ସେଗୁଡା ଅଧାମରା ହେଇଗଲେଣି । ଏଇନେ ସେ ଉପରକୁ ଆସିଲେ ମୁଁ ତାଙ୍କୁ କହିବି, ମୋ ଦେହ ତ ପ୍ରାୟ ଠିକ୍ ହେଇ ଆସିଲାଣି, ତେଣୁ ମୋ ଚିନ୍ତା ଛାଡି ନିଜ ଗଛପତ୍ର ଆଡକୁ ଟିକିଏ ଧ୍ୟାନ ଦିଅନ୍ତୁ । ସେଗୁଡାକ ଏଇ କେତେ ଦିନ ଭିତରେ କେତେ ବର୍ଣ୍ଣହୀନ ହେଇଗଲେଣି ସତରେ !

ଦୋଳିରେ ବସିଲି କିଛି ସମୟ । ରାସ୍ତା ସେପଟେ ଘରକାମ ଚାଲିଛି । ଶହ ଶହ ଗାଡି ମଟର ନିଜ ଗନ୍ତବ୍ୟ ପଥରେ ଧାଇଁ ଚାଲିଛନ୍ତି । ତଥାପି ବାତାବରଣଟା ଥିଲା ଅପେକ୍ଷାକୃତ ଶାନ୍ତ ଆଉ ମଧୁର । ଏତେ ଦିନ ଖଟରେ ପଡି ପଡି ଏଇ ସୁନ୍ଦର ଦୃଶ୍ୟ ସବୁକୁ ଦେଖିବାରୁ ବଞ୍ଚିତ ରହିଥିଲି । ଆଜି ଏତେ ଦିନ ପରେ ସହରର ସେହି ଚିରାଚରିତ କାର୍ଯ୍ୟ ଭିତରେ ବି ନୂତନତାର ଅନୁଭବ ମୁଁ କରିପାରୁଥିଲି । ଭାରି ଭଲ ଲାଗୁଥିଲା ଲୋକମାନଙ୍କର ଧାଁ ଧପଡ, କାର୍ଯ୍ୟବ୍ୟସ୍ତତାକୁ ଏମିତି ବସି ବସି ଉପଭୋଗ କରିବାକୁ । ମନରେ ଅଜଣା ଆନନ୍ଦ ଗୁଡାଏ ବିଛେଇ ହେଇ ପଡୁଥିଲା । ତଥାପି ଉଠିଲି, ଭିତରକୁ ଚାଲିଆସିବା ପାଇଁ । ସରୋଜାଙ୍କର ଆସିବା ସମୟ ହେଇଗଲାଣି । ଖଟ ଉପରେ ମତେ ନଦେଖି ହାଉଳି ଖାଇବେ ଏଇଲେ । ଘାବରେଇ ଯାଇ ଘରଦ୍ବାର ଖୋଜି ବୁଲିବେ । ନହେଲେ ସାହିପଡିସାଙ୍କୁ ଡାକ ପକେଇବେ, ଯେମିତି କାଲି ସନ୍ଧ୍ୟାରେ କରିଥିଲେ ।

ସନ୍ଧ୍ୟାରେ ବୋଧହୁଏ ଦେହଟା ମୋର ଟିକେ ଅଧିକ ଖରାପ ହେଇଯାଇଥିଲା । ମତେ ତ କିଛି ଜଣାନଥିଲା । ଆଖି ବୁଜି ସେମିତି ପଡି ରହିଥିଲି । ସରୋଜାଙ୍କ ହାତର ଗରମ ସ୍ପର୍ଶକୁ ଅନୁଭବ ବି କରିଥିଲି । ତା’ପରେ କ’ଣ ହେଲା କେଜାଣି, ଫୋନ୍ ପାଖକୁ ଦଉଡିଗଲେ ସରୋଜା । କାହା ସଙ୍ଗେ କଥା ହେଲେ, ଆଉ କ’ଣ କଥା ହେଲେ, ମତେ କିଛି ଶୁଭିଲାନି । କିନ୍ତୁ ଖୁବ୍ ଅଳ୍ପ ସମୟ ଭିତରେ ଅନୁଭବ କରିପାରିଲି ମୋ ଆଖପାଖରେ ବେଶ୍ ଲୋକ ରୁଣ୍ଡ ହୋଇ ଯାଇଛନ୍ତି । ସେ ସମସ୍ତଙ୍କୁ ମୁଁ ଭଲ କରି ଚିହ୍ନେ । ତା’ ମଧ୍ୟରୁ ଡାକ୍ତର ବାନାର୍ଜୀ ମୋର ବେଶି ଚିହ୍ନା । ପୁରୁଣା ବନ୍ଧୁ ହେବା ସହିତ ମୁଁ ତାଙ୍କର ଜଣେ ସ୍ଥାୟୀ ଗ୍ରାହକ .. ମାନେ ରୋଗୀ ! ସପ୍ତାହକୁ ଦୁଇ ତିନି ଥର ମତେ ଦେଖିବାକୁ ଚାଲିଆସନ୍ତି ସେ ।

ଏଥର ମୋ ଅବସ୍ଥା ନିଶ୍ଚୟ ଚିନ୍ତାଜନକ ଥିଲା, ତେଣୁ ସେ ଟିକିଏ ବ୍ୟସ୍ତ ବିବ୍ରତ ଅବସ୍ଥାରେ ଆଉ ଜଣେ ଡାକ୍ତରଙ୍କୁ ଫୋନ୍ କରି ପକେଇଲେ । ସେ ଆସିଲେ । ମୁଁ କେବେ ଆଗରୁ ଦେଖି ନଥିଲି ତାଙ୍କୁ । ସେ ଆସି ଅତି ନିର୍ଦ୍ଦୟ ଭାବରେ ମୋ ଶରୀରକୁ ଚାରିଆଡୁ ଫୋଡି ପକେଇଲେ । ମୋ ଛାତି ଉପରେ ନିଜ ହାତ ରଖି ସାତ ଆଠ ଥର ମୁଥ ପାରିଲା ପରି କଲେ । କଷ୍ଟ ଯନ୍ତଣାକୁ ସହି ପାରିନଥିଲି । ଆଖିରୁ ଲୁହ ବାହାରି ପଡିଥିଲା, ହେଲେ ସେ ନିଷ୍ଠୁର ଡାକ୍ତର ମନରେ ମୋ ପ୍ରତି ଟିକିଏ ବି ଦୟା ଆସିଲାନି । ଆହୁରି ଜୋର୍ ରେ ଆଘାତ କରିଲା । ପ୍ରକୃତରେ ଡାକ୍ତର ଗୁଡା ଭାରି ନିଷ୍ଠୁର । ମୋ ଗୋଡ ପାଖରେ ସରୋଜା ଠିଆ ହେଇ କାନ୍ଦୁଥିଲେ । ତାଙ୍କୁ ଥରେ ଦି’ ଥର ମନା କଲି ସେମିତି କନ୍ଦାବୋବା କରିବାକୁ । ହେଲେ ସେ ମୋ କଥା ଶୁଣୁନଥିଲେ କି ମୋ ଆଡକୁ ଚାହୁଁ ବି ନଥିଲେ ।

କିଛି ସମୟ ପରେ ଆଉ କିଛି ଲୋକ ହୋ ହା ହେଇ ଘର ଭିତରକୁ ପଶି ଆସିଲେ । ଆଖି ଖୋଲି ଦେଖିଲି – ସେମାନେ ସମସ୍ତେ ମୋର ଅତି ନିଜର .. ମୋ ଜୀବନର ଜମାପୁଞ୍ଜି .. ମୋ ପୁଅବୋହୂ .. ଝିଅ ଜ୍ବାଇଁ .. ନାତି ନାତୁଣୀ .. ସମସ୍ତେ ! ସେମାନେ ମତେ ଚାରିପଟରୁ ବେଢିକି ଠିଆ ହେଇଥିଲେ । କିଏ ମୋ ଦେହମୁଣ୍ଡକୁ ଆଉଁସି ପକୋଉଥିଲା ତ ଆଉ କିଏ ଗୋଡ ଛୁଇଁ ପକୋଉଥିଲା । କିଏ ସରୋଜାଙ୍କୁ ସାନ୍ତ୍ବନା ଦେଉଥିଲା ତ ଆଉ କିଏ ଡାକ୍ତରଙ୍କ ସହିତ ପରାମର୍ଶ କରୁଥିଲା । ସମସ୍ତଙ୍କ ମୁହଁରେ ଅଜବ ଏକ ବ୍ୟାକୁଳତା ଫୁଟି ପଡୁଥିଲା ।

ମୁଁ ଜାଣେ, ଏସବୁ ସରୋଜାଙ୍କର କରାମତି ! ତିଳକୁ ତାଳ କରିବା, ତାଙ୍କୁ ବେଶ୍ ଜଣା । ସାମାନ୍ୟ ଟିକିଏ ଅସୁସ୍ଥତାକୁ ନେଇ ଏତେ ହଲ୍ଲା ଗୁଲ୍ଲା କେବଳ ସେ ହିଁ କରିପାରନ୍ତି ! ବୁଢୀଟିଏ ହେଲେଣି, ହେଲେ ଏମିତି କରିବା ପୂର୍ବରୁ କେବେ ଚିନ୍ତା କରନ୍ତିନି ତା’ର ପ୍ରଭାବ ବିଷୟରେ ! ଛୁଆଗୁଡା କେତେ କିଲିବିଲି ହେଇ, କାମଦାମ ଛାଡି ଦଉଡିକି ଆସିଥିବେ ସତରେ ! କ’ଣ ଦରକାର ଥିଲା ସେମାନଙ୍କୁ ଏମିତି ରାତାରାତି ଡକେଇ ଆଣିବାରେ ? ସକାଳ ପର୍ଯ୍ୟନ୍ତ ଅପେକ୍ଷା କ’ଣ ଟିକେ କରିପାରି ନଥାନ୍ତେ ! ଅବଶ୍ୟ ସେମାନଙ୍କର ଆସିବାଟା ମତେ ଭାରି ଭଲ ଲାଗୁଥିଲା .. କାହିଁ କେତେ ଦିନ ପରେ ସମସ୍ତଙ୍କୁ ଏକାଠି ଦେଖିବାର ସୁଯୋଗ ମିଳିଥିଲା ! ଆମ ନିରବ ଖାଲି ଘରଟାରେ ଟିକେ କୋଳାହଳ ହେଇଥିଲା ! ମତେ ସବୁବେଳେ ଗହଳ ଚହଳ ଭଲ ଲାଗେ ସତ, ହେଲେ ଏବେ ନିରବତା ସହିତ ସନ୍ଧି ହୋଇ ସାରିଲାଣି । ଏକା ଏକୁଟିଆ ଜୀବନ ଭିତରକୁ କେବେ କେମିତି ଅମାନିଆ ବାଆ ପରି କେହି ଚାଲି ଆସିଲେ ସାମୟିକ ଆନନ୍ଦରେ ମୁଁ ଭିଜି ଭିଜି ଯାଏ । ଆଜିକାଲି କିନ୍ତୁ ସେ ଆନନ୍ଦ କେତୋଟି ମୁହୂର୍ତ୍ତ ପାଇଁ ହି ମିଳିଥାଏ ଆମକୁ .. ତାହା ବି କ୍ବଚିତ୍ କେବେ !

ସମସ୍ତଙ୍କ ଉପରୁ ଆଖି ପହଁରେଇ ଆଣିଲି । କେମିତି ଗୋଟେ ବିକଳିଆ ଦୃଷ୍ଟିରେ ପରସ୍ପରକୁ ଚାହୁଁଥିଲେ ସମସ୍ତେ । ଠାକୁରଙ୍କ ଫଟ ପାଖରେ କିଏ ଜଣେ ଠିଆହୋଇ ହାତ ଯୋଡୁଥିବାର ବି ଦେଖି ପାରୁଥିଲି । କିନ୍ତୁ କାହାକୁ ଡାକି ପାରିଲିନି .. ନାତିନାତୁଣୀଙ୍କୁ ଗେଲ କରିପାରିଲିନି .. ତାଙ୍କ ଗୁଲୁଗୁଲିଆ କଣ୍ଠିରେ ‘ଜେଜେ’ ଡାକ ଶୁଣି ବି ପାରିଲିନି । ସମସ୍ତଙ୍କ ମୁହଁରେ ଥିଲା କୋକୁଆ ଭୟ । ମୁଁ ଆଶ୍ଚର୍ଯ୍ୟ ହେଉଥିଲି - ବଡ ପୁଅଟା ନିଜେ ଡାକ୍ତର ହେଇ ଏତେ ଡରୁଛି କ’ଣ ଯେ ? ସେ ନିଜେ କ’ଣ ଜାଣନି ମତେ କି ଔଷଧ ଦେବାକୁ ହେବ ଯେ ସେ ଅନାଡି, ନିଷ୍ଠୁର ଡାକ୍ତରଟାକୁ ମିଛୁଟାରେ ପଚାରି ଚାଲିଛି ! ବାନାର୍ଜୀ ମଧ୍ୟ ତାରି କଥା ହି ଶୁଣି ଚାଲିଛି । ସବୁ ବୁଦ୍ଧିବୃତ୍ତି ପୋଡି ଗଲାଣି ଏମାନଙ୍କର ମତେ ଲାଗୁଛି ! ହୁଁ …

ଭାବିଲି ଯାଉଛି ପୁଅକୁ ଡାକିକି ପାଖରେ ବସେଇବି .. ସାହାସ ସଞ୍ଚୟ କରିବାକୁ କହିବି .. ଜୀବନରେ ଆଗକୁ ଆହୁରି କେତେ କ’ଣ ଘଟିବାକୁ ଅଛି .. ଏଇ ସାମାନ୍ୟ ଦେହ ଖରାପକୁ ଡରି ଏମିତି ଭାଙ୍ଗିପଡିଲେ ଚଳିବନି । କିନ୍ତୁ ଦୁର୍ବଳତା ଯୋଗୁଁ ପାଟି ଖୋଲିବା ସମ୍ଭବ ହେଲା ନାହିଁ । ତା’ ଛଡା ସେ ଡାକ୍ତରଟା ମୋ ପାଟିରେ କ’ଣ ଗୁଡାଏ ପୂରେଇ ଦେଖି ଚାଲିଥିଲା । ମୁଁ ଉଁ ଆଁ ହେଲି, ସେ କିନ୍ତୁ ସେଆଡକୁ ଧ୍ୟାନ ନଦେଇ ବଡ ଇଂଜେକସନ୍ ଟେ କାଢି ଫୋଡିଦେଲା ମୋ ଅଣ୍ଟାରେ । ବଡ କଷ୍ଟ ଲାଗିଲା .. ଆଖିରୁ ଲୁହ ଦି’ ଟୋପା ବି ବାହାରି ଆସିଥିବ । ତେବେ ସେଆଡକୁ ଧ୍ୟାନ ଆଉ ମୋର ନଥିଲା । ପୁଅଟା ଭାରି କରୁଣ ଦୃଷ୍ଟିରେ ଚାହିଁ ରହିଥିଲା ମୋ ଆଡକୁ । ମୋର ସବୁତକ ଧ୍ୟାନ ତାରି ପାଖରେ ଥିଲା । ଇଂଜେକସନ୍ ର ପ୍ରଭାବ ଥିଲା କି କ’ଣ, ଆଖି ନିଦରେ ଭାରି ଭାରି ହେଇଆସିଲା । ନିଦର ଆବେଷ୍ଟନୀ ଭିତରେ ବନ୍ଦି ହେବା ପୂର୍ବରୁ ମୁଁ ସରୋଜାଙ୍କର କାନ୍ଦ କାନ୍ଦ ମୁହଁକୁ ଦେଖି ପାରିଥିଲି । ଭାରି ବିକଳ ଲାଗୁଥିଲା ତାଙ୍କୁ ସେମିତି ଅବସ୍ଥାରେ ଦେଖି ।

ଡାକ୍ତରଟାକୁ ସିନା ମୁଁ ଅନାଡି ଭାବୁଥିଲି .. ନିଷ୍ଠୁର ମଣୁଥିଲି, କିନ୍ତୁ ରାତିରେ ସେ ଦେଇଥିବା ଇଂଜେକସନ୍ ଟା ଖୁବ୍ ଭଲ ଥିଲା । ଯାହାଫଳରେ ସକାଳକୁ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଥିଲି ମୁଁ । କୌଣସି ପ୍ରକାରର କଷ୍ଟ ଯନ୍ତଣା ଆଉ ନଥିଲା କି ଦୁର୍ବଳିଆ ବି ଲାଗୁନଥିଲା । ଓଲଟି ଦେହ ଆଉ ମନ ଉଭୟ ଭାରି ତାଜା ତାଜା ଲାଗୁଥିଲା । ନହେଲେ ଶେଯରୁ ନଉଠିବା ଲୋକ ମୁଁ, ସିଧା ଆସି ବାଲକୋନିରେ ବସିଥାନ୍ତି କେମିତି ?

ଏଥର ଘର ଭିତରକୁ ଯିବାକୁ ହିଁ ହେବ । ବେଶି ସମୟ ବାହାର ପବନ ଖାଇଲେ, ପୁଣି ଦେହଟା ଖରାପ ହେଇଯାଇ ପାରେ । ଉଠିଆସି ଶେଯରେ ପୂର୍ବ ପରି ଶୋଇପଡିଲି । କାନ୍ଥଘଣ୍ଟାରେ ଦୃଷ୍ଟି ପଡିଗଲା । ଆରେ .. ସକାଳ ନଅଟା ଆସି ବାଜିଲାଣି ! ଆଉ ସରୋଜା ଆଜି ଏପର୍ଯ୍ୟନ୍ତ ବି ମୋ ପାଖକୁ ଆସିନାହାନ୍ତି ? ବ୍ରସ୍ କରିବାକୁ ମତେ ପାଣି ଦେଇନାହାନ୍ତି .. ଔଷଧ ବି ଦେଇନାହାନ୍ତି ! ଭୁଲିଗଲେ ନା କ’ଣ ? ତାଙ୍କ ନିଜର ଦେହପା’ ଠିକ୍ ଅଛି ତ ? କାଲି ରାତିରେ ସେ ବଡ ଦୁର୍ବଳ ଦିଶୁଥିଲେ । ଦିନରାତି ମୋରି ସେବା କରୁ କରୁ, ସେ ନିଜେ ବେମାର ପଡି ଯାଇନାହାନ୍ତି ତ ?

ମନଟା କେମିତି କେମିତି ହେଇଗଲା । ଅଜଣା ଅଶୁଭ ଆଶଙ୍କାମାନ ଛାତି ଭିତରକୁ ଆସି ଚହଲେଇ ଦେଲେ ମନକୁ । ପୁଣି ଭାବିଲି, ଯଦିବା ସରୋଜାଙ୍କର ଦେହ ଖରାପ ହେଇଗଲା, କାଲି ରାତିରେ ତ ସମସ୍ତେ ଘରକୁ ଆସିଛନ୍ତି ! ସେମାନଙ୍କ ଭିତରୁ ଜଣେ କେହି କ’ଣ ଆସି ଏତିକି କାମ ମୋର କରିଦେଇ ଯାଇନଥାନ୍ତା ! ସବୁ ଖାଲି ସରୋଜା ହି କରୁଥିବେ ସାରା ଜୀବନ ? ମା’ ପ୍ରତି କାହାରି ଟିକେ ଦୟା ମମତା ନାହିଁ ଯାହା ଦେଖୁଛି ! କାହାର ଏତିକି ବି ଇଚ୍ଛା ହେଉନି ଆସି ମତେ ତାଙ୍କ ଦେହ ଖରାପ କଥା କହିକି ବି ଯିବାକୁ ? କାଲି ଏତେ ହାଉ ହାଉ ହେଉଥିଲେ, ଅଥଚ ରାତିକ ଭିତରେ ସବୁ ଥଣ୍ଡା ! ଯିଏ ଯୁଆଡେ ନିଜ କାମରେ ବ୍ୟସ୍ତ ! କ’ଣ ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଭୁଲିଗଲେ ମତେ ?

ଆଉ ଶୋଇ ପାରିଲିନି ଖଟରେ । ଉଠି ଧୀରେ ଧୀରେ ବାରଣ୍ଡାକୁ ଆସିଲି । ତଳେ କିଛିଟା ଗହଳି ଥିଲା ପରି ଲାଗୁଥିଲା । କ’ଣ ହେଲା ? ସତରେ କ’ଣ ସରୋଜା ବେମାର ପଡି ଯାଇଛନ୍ତି ? ତାଙ୍କୁ ଦେଖିବାକୁ ଆସିଛନ୍ତି ବୋଧେ ସମସ୍ତେ ! ସିଢିରେ ଓହ୍ଲେଇବାକୁ ଲାଗିଲି ଧିରେ ଧିରେ । ପ୍ରଥମେ ସାହାସ କରି ପାରୁନଥିଲି । କେତେ ମାସରୁ ସେଇ ଖଟ ଉପରେ ନିଜକୁ ସୀମାବଦ୍ଧ କରିବାକୁ ବାଧ୍ୟ ହେଇଥିଲି । ଆଉ ଆଜି ଗୋଟାଏ ଦିନରେ ଟିକିଏ ଠିକ୍ ଲାଗିବାରୁ, ଏତେ ଗୁଡେ ଚଲାବୁଲା କରିବା, ତା’ ସାଙ୍ଗକୁ ପୁଣି ସିଢିରେ ଓହ୍ଲେଇବାଟା କ’ଣ ଠିକ୍ ହେବ ? ନିଜକୁ ପ୍ରଶ୍ନ କଲି । ଏଇଲେ ଯିଏ ମତେ ଦେଖିବ, ନିଶ୍ଚୟ ପାଟି କରିବ । କିନ୍ତୁ ମୋ ପାଖକୁ କେହି ନଆସୁଛନ୍ତି ଯଦି, ମତେ ହିଁ ତ ଯିବାକୁ ପଡିବ ସମସ୍ତଙ୍କ ପାଖକୁ ! ନହେଲେ ଜାଣିବି କେମିତି କ’ଣ ଘଟୁଛି ଏ ଘର ଭିତରେ !

ହଁ .. ନାହିଁ.. ହେଇ ହେଇ ଶେଷରେ ସିଢିରେ ସତରେ ଓହ୍ଲେଇଗଲି ମୁଁ । ଆଶ୍ଚର୍ଯ୍ୟର କଥା, ମତେ ଟିକିଏ ବି ଦୁର୍ବଳ ଲାଗୁନଥିଲା । ବରଂ ସୁସ୍ଥ ମଣିଷ ପରି ଏକଦମ୍ ସିଧା ସିଧା ଓହ୍ଲେଇ ଯାଉଥିଲି । ତଳ ଘରେ ପ୍ରବଳ ଲୋକଗହଳି ହେଇଥିଲା । ହଠାତ୍ ଆମ ଘରେ ଏତେ ଲୋକ ? କାହିଁକି ?

ଆଉ ଟିକେ ନିରିଖେଇ ଦେଖିଲି – ସମସ୍ତେ ମୋର ଚିହ୍ନାଜଣା … ଭାଇବନ୍ଧୁ …. ଜ୍ଞାତି କୁଟୁମ୍ବ । ସମସ୍ତେ ଜମା ହେଇଯାଇଛନ୍ତି ଡ୍ରଇଁଙ୍ଗ୍ ରୁମ୍ ରେ । କିଛି ଲୋକ ବହାର ବଗିଚାରେ ବି ଅଛନ୍ତି । ଯିଏ ବି ସେଠିକୁ ଆସୁଛି ଯାଉଛି, ସମସ୍ତେ ଯାଇ ବଡପୁଅକୁ କିଛି ନା କିଛି କହୁଛନ୍ତି .. ତା’ ପିଠି ଥାପୁଡୋଉଛନ୍ତି । ସମସ୍ତଙ୍କ ପ୍ରଶ୍ନର ଉତ୍ତର ଧୈର୍ଯ୍ୟର ସହିତ ଦେଉ ଦେଉ ଆଖିରେ ତା’ର ଲୁହ ଜକେଇ ଆସୁଛି ।

ସେ ପିଲାଟାକୁ ଏତେ ପଚରା ଉଚୁରା କରିବା କ’ଣ ଦରକାର ଯେ ? ଯାହାର ଯାହା କିଛି ପଚାରିବାର ଅଛି, ଆସି ମତେ ପଚାର ! ସାମନାରେ ମୁଁ ଠିଆ ହେିଛି ପରା ! ସେମାନେ ପିଲାଲୋକ, ଘରସଂସାର ବିଷୟରେ ଆଜି ଯାଏଁ କିଛି ବି ଦାୟୀତ୍ବ ଆମେ ସ୍ବାମୀ ସ୍ତ୍ରୀ ସେମାନଙ୍କୁ ଦେଇନାହୁଁ । ଆଗକୁ କେତେ ପ୍ରକାରର ଦାୟୀତ୍ବ କାନ୍ଧରେ ବୋହିବାକୁ ପଡିବ ସେମାନଙ୍କୁ, ଏବେ ଯେପର୍ଯ୍ୟନ୍ତ ଆମେ ଅଛୁ, ସେମାନଙ୍କୁ ନିଜ ଜୀବନକୁ ଉପଭୋଗ କରିବାକୁ ଆମେ ଛାଡିଦେଇଛୁ । ତେଣୁ ଯାହା କିଛି ପଚାରିବାକୁ ଚାହୁଁଛ, ମତେ କି ସରୋଜାକୁ ପଚାର ।

କିନ୍ତୁ କେହି ଜଣେ ବି ମୋ ଆଡକୁ ଚାହୁଁନଥିଲେ । କ୍ରୋଧରେ ଫାଟି ପଡିଲି ମୁଁ । ଅସୁସ୍ଥ ଥିଲି ବୋଲି ମତେ କ’ଣ ଘରର ମୂରବୀ ଭାବରେ ଗଣାଯିବନି ନା କ’ଣ ? ଏତେ ସାହାସ କାହାର କେମିତି ହେଇଗଲା ଯେ ମୁଁ ଥାଉ ଥାଉ, ମୋ ବିନା ଅନୁମତିରେ ଯିଏ ଯାହା ପାରିଲା, କରିଯାଉଛି !

ନିଶ୍ଚୟ ଏସବୁ ସେଇ ବଡପୁଅର ହି ନାଟ । ଶାନ୍ତଶିଷ୍ଟ ବୋଲି ଦୁନିଆରେ ସମସ୍ତେ ଜାଣନ୍ତି ସିନା, ହେଲେ ମୁଁ ଜାଣେ ଟୋକା ଭାରି ଚୁପ୍ ସଇତାନ୍ ।

ଦେଖ ତାକୁ …! ମୁହଁରେ କେମିତି ବିକଳିଆ ଭାବ ଦେଖେଇ ଠିଆହେଇଛି ହାତଯୋଡିକି ! ଯିଏ ଦେଖିବ, ଆଗ ଭାବିବ ବାପଟା ମରିଗଲା ବୋଧେ ତା’ର ! ରହ .. ରହ .. ଘର ଖାଲି ହେଇସାରୁ, ତୋର ସବୁ ଗୁଣ ବାହାର କରୁଛି ମୁଁ !

କିନ୍ତୁ ଏତେ ଲୋକ ଗହଳି ଭିତରେ ସରୋଜା କୁଆଡେ ଗଲେ ? କାହିଁ, କୋଉଠି ତ ଦିଶୁନାହାନ୍ତି ! ଦେହ କ’ଣ ତାଙ୍କର ବେଶି ଖରାପ ହେଇଗଲା କି ?

ସମସ୍ତଙ୍କୁ ଦୁଇ ହାତରେ ଆଡେଇ ଧିରେ ଧିରେ ମୁଁ ଅଗଣାକୁ ଗଲି । ତୂଳସୀ ଚଉରା ମୂଳେ କେହି ଜଣେ ଶୋଇଥିଲା । ତାରି ପାଖରେ ବସି ସରୋଜା ବିକଳ ହୋଇ କାନ୍ଦୁଥିଲେ । ଆରେ …! ସରୋଜା ତ ପୂରା ଠିକ୍ ଅଛନ୍ତି ! ଆଉ ମତେ ଦେଖ .. କେତେ ଅଯଥା ଚିନ୍ତା କରି ମୁଣ୍ଡ ଖରାପ କରିସାରିଲିଣି !

ତେବେ ସେ ଏତେ କାନ୍ଦୁଛନ୍ତି କାହିଁକି ? ସେଠି ଏମିତି କିଏ ଶୋଇଛି ? ସେଇଟା କ’ଣ ଶୋଇବା ଜାଗା ? ଯିଏ ଶୋଇଥିଲେ ବି ତାକୁ ଧରି ସରୋଜାଙ୍କର ଏତେ କାନ୍ଦିବା କ’ଣ ଦରକାର ? ଘରର ସବୁଲୋକ ତ ତାଙ୍କରି ଚଉପାଶରେ ଅଛନ୍ତି, ଆଉ କାହା ପାଇଁ ତା’ହେଲେ ଏତେ ବ୍ୟାକୁଳ ସ୍ବରରେ କାନ୍ଦୁଛନ୍ତି ! ମୋ ଅଜାଣତରେ କିଏ ସେ ତାଙ୍କର ଏତେ ନିଜର ପାଲଟି ଯାଇଛି ଏଇ ଭିତରେ !

ଇଚ୍ଛା ହେଉଥିଲା ତାଙ୍କ ପାଖକୁ ଯିବାକୁ । ତାଙ୍କୁ ଆଶ୍ବାସନା ଦେବାକୁ । କିନ୍ତୁ ଯିବି କେମିତି ? ଗୁଡାଏ ସ୍ତ୍ରୀଲୋକ ତାଙ୍କୁ ସେଇଠି ଘେରିକି ବସିଛନ୍ତି । ମତେ ସିନା କେହି ଥରେ ଡାକିଲେ ଯାଆନ୍ତି ମୁଁ ! ମାତ୍ର ମତେ ତ କେହି ଜଣେ ବି ପଚାରୁ ନାହାନ୍ତି ! ଏତେ ସମୟ ହେଲାଣି ଏଠି ଠିଆ ହେଇଛି, ହେଲେ କେହି ଜଣେ ଭଲା ପଚାରୁଛି ଏବେ ମୋ ଦେହ କେମିତି ଅଛି .. କାହିଁକି ତଳକୁ ଆସିଛି .. ଅଥବା ଆଉ କିଛି ! କାହାରି ଟିକିଏ ବି ମୋ ପ୍ରତି ଚିନ୍ତା ନାହିଁ ସତରେ ! ଭାରି ଅସହାୟ ଲାଗୁଥିଲା ମତେ । କାହାକୁ ଡାକି ନିଜ କଥା କହିବାକୁ ଇଚ୍ଛା ବି ହେଉଥିଲା .. କିନ୍ତୁ ଏତେ ଗହଳି ଭିତରେ ମୋ କଥା ଶୁଣିବ କିଏ ଆଉ କେମିତି !

କିଛି ସମୟ ଭିତରେ ପୁରୁଷମାନେ ଅଗଣାକୁ ଚାଲିଆସିଲେ । ସେମାନଙ୍କ ସାଥିରେ ବଡପୁଅ ବି ଥିଲା । ତାକୁ କିଛି କରିବାକୁ ସେମାନେ ସମସ୍ତେ କହୁଥିଲେ । ବିନା ପ୍ରତିବାଦରେ ମୂର୍ଖଙ୍କ ପରି ସେସବୁ କାମ ସେ କରି ବି ଯାଉଥିଲା । ଭାରି ବିରକ୍ତ ଲାଗିଲା ମତେ । ସେ ଲୋକମାନଙ୍କ ଉପରେ ରାଗ ଆସିଲା .. ମୁଁ ପାଟି କଲି .. ‘ସେସବୁ କରାଅ ନାହିଁ ମୋ ପୁଅକୁ’ ବୋଲି ଚିତ୍କାର କରି କହିଲି । କିନ୍ତୁ କେହି ମୋ କଥାକୁ କର୍ଣ୍ଣପାତ କଲେ ନାହିଁ । ମୋ ଆଖିରେ ଅସହାୟତାର ଲୁହ ଭରିଗଲା । ସରୋଜାଙ୍କ ଉପରେ ବି ରାଗ ଆସୁଥିଲା । ତାଙ୍କରି ଆଗରେ ଆମ ପୁଅକୁ ଏ ଫାଲତୁ କାମ କରିବାକୁ ସେମାନେ କହୁଛନ୍ତି, ମା’ଟିଏ ହେଇ ସେ ଟିକେ ମନା କରିପାରନ୍ତେନି ! ଖାଲି ମିଛୁଟାରେ କାନ୍ଦିଲେ କ’ଣ ହେବ !

ଏତିକିବେଳେ ସ୍ତୀଲୋକମାନେ ଆସି ସରୋଜାଙ୍କୁ ସେଠୁ ଜବରଦସ୍ତି କରି ଉଠେଇ ନେଲେ । ଯାହାକୁ ଧରି ସେ କାନ୍ଦୁଥିଲେ, ତା’ଠୁ ଛଡେଇ ନେଲେ । ଜମାରୁ ଉଠୁନଥିଲେ ସେ । କାନ୍ଦି କାନ୍ଦି ଆଧାପ୍ରାଣ ହେଇ ସାରିଥିଲେ । ବଡ ଶ୍ରୀହୀନ ଦିଶୁଥିଲା ତାଙ୍କ ମୁଖମଣ୍ଡଳ । ରୁଗ୍ଣ ଶରୀର ତାଙ୍କର, ଆହୁରି ଅଧିକ ରୋଗୀଣା ଦେଖା ଯାଉଥିଲା ଏଇ ଗୋଟିଏ ରାତିର ବ୍ୟବଧାନରେ । ରାତିଟା ଭିତରେ ଏମିତି କ’ଣ ହେଇଗଲା ଯେ ଏତେ ବଦଳା ବଦଳା ଲାଗୁଛି ସବୁକିଛି ? କେବଳ ସରୋଜା ହି ଦେଇ ପାରିବେ ଏସବୁର ଉତ୍ତର ।

ହଉ, ସମସ୍ତେ ଯାଆନ୍ତୁ .. ଘର ପୂରା ଖାଲି ହେଇଯାଉ .. ନିଶ୍ଚିନ୍ତରେ ବସି ପଚାରି ବୁଝିବି ସବୁକଥା । ଏବେ ସେ ଖୁବ୍ ବ୍ୟସ୍ତ ଅଛନ୍ତି .. ତାଙ୍କୁ ଆଉ ବିବ୍ରତ କରିବା ଉଚିତ୍ ହେବନି ଭାବି ସେଠାରୁ ଚାଲି ଆସିବାକୁ ଉଦ୍ୟତ ହେଲି । ଏତିକିବେଳେ ସରୋଜାଙ୍କର ଖାଲି କପାଳଟା ମୋ ଆଖିରେ ପଡିଗଲା । ଆଶ୍ଚର୍ଯ୍ୟ !! ଏ ରୂପରେ ସରୋଜାଙ୍କୁ ଆଜି ପର୍ଯ୍ୟନ୍ତ କେବେ ତ ମୁଁ ଦେଖି ନଥିଲି ! ସିନ୍ଦୂର ବିନା କେତେ ବିଭତ୍ସ ଦିଶୁଛି ତାଙ୍କ ରୂପ ! କାହିଁକି ସେ ଏପରି ବେଶ ହେଇଛନ୍ତି ? କୌଣସି ସଧବା ସ୍ତ୍ରୀଲୋକ ଏପରି ରହିବା କଥା ନୁହେଁ ତ ? ତା’ହେଲେ .. ତା’ହେଲେ .. ମୁଁ କ’ଣ ମରିଯାଇଛି ??

-0-


Rate this content
Log in

Similar oriya story from Inspirational