Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Others

3  

Subhakanta Sahu

Others

କ୍ଷତି ପୂରଣ

କ୍ଷତି ପୂରଣ

6 mins
7.5K


ସାରା ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି ସକାଳର ପହିଲି ତପନ କରରେ ସାରା ଧରଣୀ ଜାଗି ଉଠିବା ପରି । ଏକ ସ୍ୱତପ୍ରବୃତ ପ୍ରେରଣାର ସ୍ରୋତ ସ୍ୱତଃ ପ୍ରବାହିତ ହେଉଛି କିଛି ବ୍ୟକ୍ତିଙ୍କ ମନ ମଧ୍ୟରେ । ଏମାନେ ପାଞ୍ଚ ବର୍ଷରେ ଏମିତି ଥରେ ଦୁଇଥର ସ୍ୱେଛାସେବୀ ପାଲଟିଯାଆନ୍ତି । ସାଧାରଣ ଲୋକଙ୍କୁ ଆଡ ଆଖିରେ ଚାହୁଁ ନଥିବା ଲୋକ ଗୁଡିକ ସତେ ଯେମିତି ସେମାନଙ୍କର ବନ୍ଧୁ ପାଲଟି ଯାଆନ୍ତି । ସିମନଙ୍କର ସବୁ ଦୁଃସ୍ଥିତି ଦୁଃସମୟରେ କାନ୍ଧରେ କାନ୍ଧ ମିଶାଇବାର ପ୍ରତିଶ୍ରୁତି ଅଜାଡି ଦିଅନ୍ତି । ଏଇ ଦିନେ ଦୁଇଦିନ ହେବ ସେଇ ଧୋବ ଧାଉଳିଆ ବାବୁ ଗୁଡିକ ଭରତ ପାକ୍ ସୀମାରେ ସେନାବାହିନୀର ସତର୍କ ପ୍ରହରା ପରି ସବୁ ସାହି, ଗଳି, କନ୍ଦିରେ ପଇଁତରା ମାରୁଛନ୍ତି । ଅତି ସାଧାରଣ ଲୋକ ଗୁଡିକ ପାଖରେ ଆତ୍ମିୟତାର ଭାବ ଦେଣନେଣ ଚାଲିଛି । ଏଇ ଦେଖୁନା ଗାଁକୁ ସଂଯୋଗକାରୀ ମୁଖ୍ୟ ସଡକ ଯାହା ବର୍ଷ ବର୍ଷ ଧରି ଦଦରା ହୋଇ ପଡି ରହିଥିଲା, ଝିପିଝିପି ବର୍ଷାରେ ଯାହା ପୋଖରୀର ଭ୍ରମ ସୃଷ୍ଟି କରୁଥିଲା, ସେ ସବୁ ମାଟି ପଥରରେ ମରାମତି ହୋଇ ପକ୍କା ସଡକ ଭଳି ପ୍ରତୀୟମାନ ହେଲାଣି ।

କୃଷି ସର୍ବସ୍ୱ ଗ୍ରାମର ଚାଷୀ-ମୂଲିଆ ଗୁଡିକ ଜାଣି ପାରୁ ନଥାନ୍ତି ଏ ଆକସ୍ମିକ ପରିବର୍ତ୍ତନର ରହସ୍ୟ କ’ଣ ? କ୍ଵଚିତ୍ କଦବା କଥା ହେଇଥିବା ଧୋବ ଧାଉଳିଆ ବାବର ଗୁଡିକ ତାଙ୍କ ପ୍ରତି ଏ ଅହେତୁକ ସମବେଦନା କାହିଁକି ଜ୍ଞାପନ କରୁଛନ୍ତି ? ସମତୁଲ ସଡକ, ସଡକ ପାଶ୍ୱର୍ରେ ବ୍ଳିଚିଂ ପାଉଡର୍ ପୋଲିସ୍ ପାଇକ ମାନଙ୍କର ଖାନ୍ତଲାସୀ କେମିତି ଏକ ଅସ୍ୱଭାବିକ ମନେ ହୁଏ । ଅମଳ ଅପେକ୍ଷାରତ ପାଚିଲା ଶସ୍ୟ ରାଜି ଲଗାଣ ବର୍ଷାରେ ଧୋଇ ହୋଇଯିବା ପର ଠାରୁ ଚାଷୀ କୂଳ ସର୍ବସ୍ୱାନ୍ତ ହୋଇ ପଡିଛନ୍ତି । ଦିବା ରାତ୍ର ଶେଷ ହେଉନି ସେମାନଙ୍କ ନୟନ ଲୋତକ । ହା-ହୁତାସ ମଧ୍ୟରେ କାଳତିପାତ କରୁଥିବା ଲୋମାନଙ୍କ ମଧ୍ୟରୁ କାହାକୁ କାହାକୁ ଏ ସବୁ ପ୍ରହେଳିକା କିମ୍ବା ଉପହାସ ପରି ମନେ ହେଲା ।

କେଇ ସମୟ ମଧ୍ୟରେ ପଥ ସମତୁଲ କରିଥିବା ବାବୁ ଲୋକ ଗୁଡିକ ଯିଏ ସଜାଗ ସୈନ୍ୟ ପ୍ରାୟ ଗଳିଗଳିରେ ପଇଁତରା ମାରୁଛନ୍ତି ସେମାନଙ୍କ ମଧ୍ୟରୁ କେହି କେହି ନିରୀହ ବୃଦ୍ଧ ଚାଷୀ ଗୁଡିକ ନିକଟରେ ନସର ପସର ହୋଇ କ’ଣ ସବୁ ବୁଝାଉଛନ୍ତି । ସମବେଦନାର ବାକ୍ୟ ବାଣ ଅଜାଡି ପକାଉଛନ୍ତି । ଫସଲ ହରା ନିରାଶ ଚାଷୀ ଗୁଡିକୁ ଆଶାର ଆଲୋକ ଦେଖାଉଛନ୍ତି । ବର୍ଷା ଧୋଇ ନେଇଥିବା ସବୁ ଫସଲର ମ୍ୟଲ୍ୟ କୁଆଡେ ଚାଷୀ ମାନଙ୍କୁ ମିଳିବ ! ମୁଖ୍ୟମନ୍ତ୍ରୀ ଆସୁଛନ୍ତି! ମୁଖ୍ୟମନ୍ତ୍ରୀ! ସେ ତ ଦୟାର ମୂର୍ତ୍ତୀମନ୍ତ ପ୍ରତୀକଟିଏ । ଦୁଃଖୀ ଜନଙ୍କ ହୃଦୟକୁ ସେ ଠିକ୍ ବୁଝିପାରନ୍ତି ।ଏକ ମହାନ୍ ଉଦାର ହୃଦୟର ଅଧିକାରୀ ସେ । ସେ ରାଜଧାନୀରେ ଥାଇ ମଧ୍ୟ ଚାଷୀ ମାନଙ୍କ ଦୁଃଖ ସମସ୍ୟା ବୁଝିପାରିଛନ୍ତି । ଏ ସମସ୍ୟାର ସମାଧାନ ପାଇଁ ହିଁ ତ ସେ ଆସୁଛନ୍ତି । ଦନେଇ, ମଦନ, ବିଶୁନୁ, କୁରୁପା ଆଦି ପୁରୁଣା ପୁରୁଣା ଚାଷୀ ଏ ସବୁ ବୁଝି ନ ପାରି ପ୍ରଶ୍ନିଳ ଆଖିରେ ଚାହିଁ ରହିଲେ । ବାବୁମାନେ ବୁଝାଇ ଦେଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଆସି ସାହାଯ୍ୟ ଆକାରରେ ଟଙ୍କା ବାଣ୍ଟିବେ ।

ସେମାନଙ୍କ ବିଲରେ ସେମାନେ ଖଟିଥିଲେ । ଦଇବ ତ ଦବାର ଥିଲା ନ ଦେଇ ନେଇଗଲା । ଏମିତି କେତେ ଥର ନା ଧୋଇ ମରୁଡି ହୋଇଛି । କେତେଥର ଲୋକ ଗୁଡିକର ମେରୁ ହାଡ ଭାଙ୍ଗି ପଡିଛି । ହେଲେ ପ୍ରତିଥର ସେମାନେ ସ୍ୱ ସ୍ୱ କଠିନ ପରିଶ୍ରମ ବଳରେ ପୁଣି ନିଜ ମେରୁ ହାଡ ସଳଖି ଠିଆ ହୋଇଛନ୍ତି । ଏଥିପାଇଁ କେବେ କେଉଁ ସାହୁକାର କି ମହାଜନ ଦରଦ କେ ଖାଇ ନାହାନ୍ତି । ଏ ବର୍ଷ ଯେଉଁ ବର୍ଷା; ଇଏ ଦଶ ଜ’ଣ ନା ବାର ଜଣଙ୍କର, ଇଏତ ରାଇଜ ଯାକର ଲୋକଙ୍କ ଖାଇବା ଛଡାଇ ନେଇଛି । ଏତେ ଲୋକଙ୍କୁ ସାହାଯ୍ୟ କରିବା ବାଲା କିଏ ସେ ମୁଖ୍ୟମନ୍ତ୍ରୀ! ସେ କ’ଣ ରାଜା? ପଚାରୁ ପଚାରୁ ଏମିତି ପଚାରି ପକାଇଲେ ମ୍ରିୟମାଣ ହୋଇ ପଡିଥିବା ଲୋକଗୁଡିକ ।

ଏଥର ଅଧିକ ଉତ୍ସାହିତ ହୋଇ ବାବୁ ଗୁଡିକ କହିଲେ, “ହଁ, ସିଏ ମୁଖ୍ୟମନ୍ତ୍ରୀ, ଆମ ରାଜ୍ୟର ରାଜା । ସିଏ ହିଁ ସାରା ରାଜ୍ୟର ଚାଷୀ କୂଳକୁ କ୍ଷତିପୂରଣ ଦେବେ ” ଦନେଇ, ବିଶୁନୁ, ମଦନ,କୁରୁପା ଏଇ ଲୋକ ଗୁଡାକୁ ଦେଖିଲେ ମନେ ହୁଏ ପାଞ୍ଚ ଖଣ୍ଡ ପଞ୍ଜରା କାଠି ବିଶିଷ୍ଟ ଏକ ଏକ ଛାଞ୍ଚ ମଧ୍ୟରେ ମେଞ୍ଚେ ମେଞ୍ଚେ ମାଂସ ପିଣ୍ଡୁଳାର ମୂର୍ତ୍ତିଟିଏ ଲେଖାଏଁ । ବିଧାତା ଏମାନଙ୍କୁ କେଉଁ ଚିଜରେ ଗଢିଛି କେଜାଣି, ରାତିରୁ ରାତି ଯାଏଁ ବିଲରେ ଖଟୁଥିବେ ଯେ ଖଟୁଥିବେ । ଭୋକ ଶୋଷ ପାଖରେ ସେମାନେ ନୁହନ୍ତି ବରଂ ଭୋକ ଶୋଷ ସେମାନଙ୍କ ପାଖରେ ହାର୍ ମାନେ । ଏମିତି ମେହନତ ନ କଲେ କ’ଣ ସାହୁକାରର ମୂଲ ଦେଇ ହେବ? ଏଣେ ଘରେ ଯେ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ବୋଝ । ସେଇ ବାବୁ ମାନଙ୍କ ଆଶ୍ଵାସନା ଏମାନଙ୍କ ମର ଶରୀରରେ ସତେ ଯେମିତି ନୂତନ ଜୀବନ ସଞ୍ଚାର କରିଛି । କୃପା ବାରିଧିରେ ଦୟାର ମୂର୍ତ୍ତିଟିଏ ଭଳି ମୁଖ୍ୟମନ୍ତ୍ରୀଙ୍କ ଛବି ସେମାନଙ୍କ କଳ୍ପନାରେ ନାଚି ଉଠିଲା । ସ୍ଵଳ୍ପ ସମୟରେ ଗ୍ରାମରେ ଯଦି ଦ୍ରୁତ ପରିବର୍ତ୍ତନ, ତେବେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସେମାନଙ୍କ ଦୁଃଖ ବୁଝିବେ । ସେମାନେ ମନରେ ଆଶ ସଞ୍ଚାର କରି ଚାହିଁ ରହିଲେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ।

ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ହେଲେ ବି ପହଞ୍ଚିଲେ ମନ୍ତ୍ରୀ ମହୋଦୟ । ବିଳସମୟ ଶୀତ-ତାପ ନିୟନ୍ତ୍ରିତ କାର୍ । କଡା ସୁରକ୍ଷା ବଳୟ । ଚାରିପଟେ ପୋଲିସ୍ ପ୍ରଶାସନ ଆଉ ତୁଙ୍ଗ ନେତାଗଣ । ତାଙ୍କ ପାଖରେ ସମୟ ବହୁତ କମ୍ । ସ୍ଥାନୀୟ ନେତାମାନେ ତାଙ୍କୁ ଦେଖାଇ ଦେଉଥିଲେ ରାସ୍ତା କଡ ଜମିରେ ଲୋଟି ପଡିଥିବା ଶସ୍ୟ ରାଜିକୁ । କେତେକ ନାମଜାଦା ଚାଷୀ ମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଚାହିଁଲେ ମଧ୍ୟ ସୁରକ୍ଷା ବଳୟ ଭେଦ କରି ଯାଇପାରିଲେ ନାହିଁ । ମାଟି କାଦୁଅରେ ଲଟପଟ ହୋଇ କାଦୁଅ ଭିତରୁ ସାଉଁଟି ଆଣିଥିବା ଉଜୁଡା ଶସ୍ୟ ମେଞ୍ଚାଏ ଲେଖାଁ ଧରି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ ଦନେଇ, ମଦନ, ବିଶୁନୁ,କୁରୁପା ଏବଂ ଆହୁରି କେତେକ ଚାଷୀ । ମୁଖ୍ୟମନ୍ତ୍ରୀ ସିଧାସଳଖ ସେମାନଙ୍କୁ ଯାଇ ଭେଟିଲେ । ସେମାନଙ୍କ ଆଖି ଉଦାର ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୁହରେ ଛଳ ଛଳ ହୋଇ ଉଠିଲା । ସାଷ୍ଟାଙ୍ଗ ପ୍ରଣିପାତ କଲେ ସେମାନେ । ମୁଖ୍ୟମନ୍ତ୍ରୀ ନିଜ ହାତରେ ପରଖି ନେଲେ ଉଜୁଡା ଶସ୍ୟ ରାଶିକୁ ।

ଶସ୍ୟରୁ ହାତ ଖସାଇ ଆଣନ୍ତେ ପଛରେ ଆସୁଥିବା ଦୁଇ ତିନିଜଣ ନେତା ଠେଲା ପେଲା ହେଲେ ତାଙ୍କ ମାଟିବୋଳା ହାତକୁ ନିଜ ନିଜ ନୂତନ ରୁମାଲ୍ ରେ ପୋଛିଦେବା ପାଇଁ । ଜମିରେ ଫସଲର ଅବସ୍ଥା ଦେଖିବା ପରେ ଏକ ସଭାର ଆୟୋଜନ ହେଲା ଆଖପାଖ ବହୁ ଗାଁର ଲୋକେ ରୁଣ୍ଡ ହେଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ କିଛି ପାଇବା ଆଶାରେ । ମୁଖ୍ୟମନ୍ତ୍ରୀ ନିଜ ସପକ୍ଷରେ ଭାଷଣ ଦେଇ ଚାଲିଲେ । କିଭଳି ସେ ସାଧାରଣ ଜନତାଙ୍କ ସହିତ ଅଛନ୍ତି ତାହା ସାଧାରଣ ଜନତାଙ୍କୁ ବୁଝାଇଦେଲେ । କୁଜି ନେତା ମାନେ ଟୁପୁରୁ ଟାପର ହେଲେ ଏମିତି ଏକ ବ୍ୟବସ୍ଥା ହେଇ ଚାଷୀଙ୍କ ନାଁରେ ଟଙ୍କା ଆସିବ କିନ୍ତୁ ଫାଇଦା ନେବେ ଦଳୀୟ କର୍ମୀ ଆଉ ବଢିବ ଦଳୀୟ ପାଣ୍ଠି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ତଥାସ୍ତୁ କରି ହେଲିକେପ୍ଟରରେ ଉଡିଗଲେ । ବୃଦ୍ଧ ଚାଷୀ କୁଳ କୁହାକୁହି ହେଲେ,”ଆରେ, ମନ୍ତ୍ରୀ କ’ଣ ଦେବା ପାଇଁ ଆସିଥିଲେ ପରା ନ ଦେଇ କୁଆଡେ ଚାଲିଗଲେ”? ଆଗରୁ ଆଶ୍ୱାସନା ଦେଇ ଆସୁଥିବା ସେଇ ଧୋବ ଧାଉଳିଆ ବାବୁ ଗୁଡାକୁ ସେମାନେ ପ୍ରଶ୍ନ ପୂର୍ଣ୍ଣ ଆଖିରେ ଚାହିଁ ରହିଲେ । ସେମାନେ ବୁଝାଇଦେଲେ. “ଏବେ ମନ୍ତ୍ରୀ ଆସିଥିଲେ ଆକଳନ କରିବା ପାଇଁ । ସେ ଭୁବନେଶ୍ୱରରେ ବସି ହିସାବ କରିବେ କେତେ କ୍ଷତି ହୋଇଛି ଆଉ ତା’ର ମୂଲ୍ୟ କେତେ ?” ତା’ ପରେ ସେ ରିଲିଫ୍ ଯୋଗାଇ ଦେବେ ।

କ୍ଷତିପୂରଣ ପାଇବା ଆଶା ନେଇ ବହୁ ଦିନ ବିତିଗଲା । ଏବେ ଆଉ କ୍ଷତି ପୂରଣ କଥା ଆଲୋଚନା ହେଉନାହିଁ । ବାବୁମାନେ ପୁଣି ଅସାଧାରଣ ସ୍ତରକୁ ଫେରିଗଲେଣି । ଅଦିନିଆ ବର୍ଷା ହୋଇ ପୁଣି ଗାଁ ରାସ୍ତା ନିଜ ପୂର୍ବ କଳେବର ଧାରଣ କଲାଣି । ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା । ଗାଁ ମାନଙ୍କରୁ ଭୁବନେଶ୍ୱରକୁ ଫୋନ୍ ଗଲା, “ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଉପରୁ ଆସ୍ଥା ହରାଇଲେଣି” । ମନ୍ତ୍ରୀଙ୍କର ପୁଣି ମନେ ପଡିଗଲା କ୍ଷତିପୂରଣ କଥା । ସେ ଗୋଟିଏ ସ୍ୱାକ୍ଷରରେ ଗାଁ ମାନଙ୍କୁ ଟଙ୍କା ପଠାଇଦେଲେ । ବ୍ଳକ୍ ଅଫିସ୍ ମାନଙ୍କରେ କ୍ଷତି ପୂରଣ ବଣ୍ଟା ଚାଲିଲା । ସମସ୍ତ ଚାଷୀ ରୁଣ୍ଡ ହେଲେ କ୍ଷତି ପୂରଣ ନେବା ପାଇଁ । କେହି କେହି ଆଗକୁ ଯିବା ପାଇଁ ଚେଷ୍ଟା କଲେ । କ୍ଷତି ପୂରଣ ବାଣ୍ଟୁଥିବା ବାବୁମାନେ କହିଲେ, ‘ଆମେ ଜଣ ଜଣ କରି ନାଁ ଡାକିବୁ, ତେଣୁ ଆଗକୁ ଆସି ଗହଳି କରନ୍ତୁ ନାହିଁ ।

କ୍ଷତି ପୂରଣ ବଣ୍ଟା ଶେଷ ହେଲା । କେବେ ବିଲ ବାଡି ଦେଖିନଥିବା ଲୋକ ଗୁଡାକ, କେବେ ବିହନ ବୁଣା ହୁଏ, ଫସଲ କେମିତି ହୁଏ କି କେବେ ଫସଲ ଅମଳ ହୁଏ, ଯେଉଁମାନେ କହିପାରିବେ କି ନା ସନ୍ଦେହ, ସେମାନଙ୍କ ମଧ୍ୟରୁ କେହି କେହି ଟଙ୍କା ଗଣିଗଣି ଯାଉଥିବାର ଦେଖାଗଲା । ଏବେ କେହି କେହି ସନ୍ଦେହରେ ପଡିଗଲେ ଯେ ଏମାନେ କେବେଠୁଁ ଚାଷୀ ହୋଇ ଗଲେଣି ବୋଲି କେହି କେହି ଖୁସି ହେଲେ ଯେ ଗାଡି ଘୋଡାରେ ବୁଲୁଥିବା ବାବୁ ଗୁଡିକ, ଯେଉଁମାନେ ମନ୍ତ୍ରୀ ଅଫିସରଙ୍କ ସହ ଆତଯାତ ସେମାନେ ମଧ୍ୟ ବିନା ଦ୍ୱିଧାରେ ସାଧାରଣ ଚାଷୀଙ୍କ ପରି ଚାଷ କାମ କଲେଣି ।ନିଜର କୌଳିକ ବୃତ୍ତିକୁ ଆପଣାଇବାରେ ଏମାନଙ୍କ ମନରେ ଅସୂୟା କି କୁଣ୍ଠା ମନୋଭାବ ନାହିଁ । ମନରେ କୌଣସି ଆବିଳତା ନଥିବା ଦର୍ଶାଇ ବୃଦ୍ଧ ଚାଷୀ ଗୁଡିକ ପ୍ରଶଂସାରେ ଶତମୁଖର ହୋଇ ଉଠିଥିଲେ ।

କ୍ଷତି ପୂରଣ ବଣ୍ଟା ଶେଷ ହେଲା । ହେଲେ ଦନେଇ, ମଦନ, ବିଶୁନୁ, କୁରୁପା ଏମାନଙ୍କର ନାଁ ଆଉ ଡକା ହେଲାନାହିଁ । କ୍ଷତି ପୂରଣ ବାଣ୍ଟୁଥିବା ବାବୁ ଗୁଡିକ ଉଠିଯିବା ବେଳେ ଏମାନେ ପଚାରିଲେ ସେମାନଙ୍କ ନାଁ ଏ ଯାଏଁ ଡକା ଯାଇନି ବୋଲି । ବାବୁମାନେ ଜଣାଇଦେଲେ ଯେଉଁ ମାନଙ୍କର ନାଁ ଡକାଯାଇ ନାହିଁ ସେମାନେ ଚାଷୀ ନୁହନ୍ତି । ସମସ୍ତ ଚାଷୀଙ୍କୁ କ୍ଷତି ପୂରଣ ବଣ୍ଟା ସରିଛି । ନିରୀହ ଲୋକ ଗୁଡାକ କାକୁତି ମିନତି ହୋଇ କହିଲେ ଯେ ସେମାନେ ହେଉଛନ୍ତି ଅସଲ ଚାଷୀ । ମୁଖ୍ୟମନ୍ତ୍ରୀ ଆସି ସେମନଙ୍କୁ ଭେଟିଥିଲେ । ସେମନଙ୍କର ଉଜୁଡା ଫସଲ ହାତରେ ପରଖିଥିଲେ । ପରଦିନ ମୁଖ୍ୟମନ୍ତ୍ରୀଙ୍କ ସହ ସେମାନଙ୍କର ଫୋଟ ଖବର କାଗଜରେ ଛାପି ହୋଇଥିଲା । ବାବୁମାନେ ପ୍ରମାଣ ଖୋଜିଲେ ।ଏମାନଙ୍କର ତ ଜମି ନାହିଁ । ଧାର କରଜ କରି ବାବୁମାନଙ୍କ ଜମି ଚାଷ କରୁଛନ୍ତି ବୋଲି କ୍ଷତି ପୂରଣ ରାଶି ପାଇବା ଲାଗି ଏମାନେ ରୁଣ୍ଡ ହୋଇଛନ୍ତି । ନିଜ ଜମି ହୋଇଥିଲେ ଏମାନେ ସରକାରୀ ସହାୟତା ପାଇଁ କାହିଁକି ବସି ରହିଥାନ୍ତେ ? ସରକାରୀ ବାବୁମାନେ ବୁଝାଇଦେଲେ ଯେଉଁ ମାନଙ୍କର ଜମିନାହିଁ ସରକାର ହିସାବରେ ସେମାନେ ଚାଷୀ ନୁହନ୍ତି । ସେମାନଙ୍କୁ ଫେରିଯିବା ପାଇଁ କହିଲେ । ଯେଉଁ ଧୋବଧାଉଳିଆ ବାବୁମାନେ କ୍ଷତି ପୂରଣ ମିଳିବାର ସ୍ୱପ୍ନ ଦେଖାଇଥିଲେ, ସେମାନେ ମଧ୍ୟ ଆଉ ଦୃଶ୍ୟ ହେଉ ନଥିଲେ । ପର ଦିନ ଖବର କାଗଜରେ ବଡ ବଡ ପୃଷ୍ଠାରେ ଲେଖା ଥିଲା “ସରକାର ରାଜ୍ୟର ସମସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେଇ ସାରିଛନ୍ତି”।

ଶୁଭକାନ୍ତ ସାହୁ, ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଂଜାମ


Rate this content
Log in