Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପାଟ ଶାଢ଼ୀ
ପାଟ ଶାଢ଼ୀ
★★★★★

© Prakas Tripathy

Others

4 Minutes   409    8


Content Ranking

* ପ୍ରକାଶ ତ୍ରିପାଠୀ

ଅମ୍ବିକା ଉପରେ ଏବେ ତା ପରିବାର ସମ୍ପୂର୍ଣ ନିର୍ଭରଶୀଳ।ସ୍ୱାମୀ ରାଜୀଵ ପାରାଲିସିସ ରୋଗାକ୍ରାନ୍ତ ହେବାପରେ ପଦାକୁ ଗୋଡ଼ କାଢ଼ିବା ବ୍ୟତୀତ ତା ପାଇଁ ଅନ୍ୟ କିଛି ବାଟ ନଥିଲା।କମ୍ପ୍ୟୁଟର ଟ୍ରେନିଂ ନେଇଥିଲା ବୋଲି ଆଜି ସେ ନିଜ ପରିବାର କୁ ସାହା ହୋଇପାରିଛି। ରାଜୀଵ କାର୍ଯ୍ୟକରୁଥିବା କମ୍ପାନୀ ରେ ତାକୁ ରିସେପସନିଷ୍ଟ ଚାକିରୀ ମିଳିଯାଇଛି ଓ ଯାହା ଦରମା ମିଳୁଛି, କଷ୍ଟେମଷ୍ଟେ ସେଥିରେ ତା ପରିବାର ଚଳିଯାଉଛି।

ରାଜୀଵ ସହର ର ଏକ ପ୍ରମୁଖ ଘରୋଇ ଉଦ୍ୟୋଗ ରେ ଆସିଷ୍ଟାଣ୍ଟ ମେକାନିକ ଭାବେ କାର୍ଯ୍ୟ କରୁଥିଲେ।ଯାହା ରୋଜଗାର କରୁଥିଲେ ସେଥିରେ ଅତି ଭଲରେ ନ ହେଲେ ମଧ୍ୟ କିଛି ଅସୁବିଧା ହେଉନଥିଲା ତା ଛୋଟ ପରିବାର ଚଳିବା ପାଇଁ।ରୀନା ତାଙ୍କର ଏକ ମାତ୍ର ସନ୍ତାନ ଥିଲା। ରୀନା ପ୍ଳସ ଥ୍ରୀ ପ୍ରଥମ ବର୍ଷ ପଢିବାବେଳେ ଦୁର୍ଘଟଣା ର ଶିକାର ହେଲେ ରାଜୀଵ।ମୁଣ୍ଡରେ ଆଘାତ ଓ ତା ଯୋଗୁଁ ପାରାଲିସିସ ଆକ୍ରାନ୍ତ ହୋଇ ଘରେ ପଡିରହିଲେ।ଏହି ଅସମୟ ରେ କମ୍ପାନୀ ସହାୟତା ର ହାତ ବଢାଇବାକୁ ପଛାଇ ନଥିଲା। କମ୍ପାନୀ ତାଙ୍କର ସବୁ ପ୍ରାପ୍ୟ ଦେବା ସହ ପତ୍ନୀ ଅମ୍ବିକା କୁ ମଧ୍ୟ ସେଇ କମ୍ପାନୀ ରେ ଚାକିର ଦେଇ ଥଇଥାନ କଲା।ସେଥିପାଇଁ ରାଜୀଵ ଙ୍କ ପରିବାର କମ୍ପାନୀ ପାଖରେ ଚିର କୃତଜ୍ଞ।

ଅଫିସ ରେ ଅମ୍ବିକା ପ୍ରତି ଉଭୟ ପୁରୁଷ ଓ ମହିଳା ସହକର୍ମୀମାନେ ଖୁବ ଯତ୍ନଶୀଳଥିଲେ।ପ୍ରତି କ୍ଷେତ୍ର ରେ ସହଯୋଗ କରୁଥିଲେ ଓ ସହାନୁଭୂତି ବି ପ୍ରଦର୍ଶନ କରୁଥିଲେ।ପ୍ରଥମେ ପ୍ରଥମେ କିଛିଦିନ ଅସହଜ ମନେ ହେଉଥିବା ଅଫିସ,ଅଫିସ କାମ ଓ ସହକର୍ମୀମାନେ ଅମ୍ବିକା କୁ ସହଜ ମନେହେବା ସହ ଆପଣାର ଆପଣାର ଲାଗିଲେ।

ଏଇ କିଛିଦିନ ହେବ ଅଫିସ ର ବଡ଼ବାବୁ ଅମ୍ବିକା ପ୍ରତି ଆବଶ୍ୟକତା ଠାରୁ ଅଧିକ ସହାନୁଭୂତି ଦେଖାଉଥିବା ସେ ଜାଣିପାରୁଛି। ତାର କାମ କୁ ବଡ଼ବାବୁ ନିଜେ କରିଦେବା,ତା ଶାଢ଼ୀ ଓ ଶାଢ଼ୀପିନ୍ଧା କୁ ତାରିଫ କରିବା, ବିନା ଦ୍ଵିଧା ରେ ଛୁଟି ମଞ୍ଜୁର କରିବା ,ପରିବା ପତ୍ର ଓ ବେଳେ ବେଳେ ତଟକା ମାଛ ଧରି ଅମ୍ବିକା ଘରେ ପହଂଚିଯିବା ଆଦି କାମ କରିବାକୁ ବଡ଼ବାବୁ ଆଜିକାଲି ଭାରି ପସନ୍ଦ କରୁଛନ୍ତି।ବେଳେ ବେଳେ ସନ୍ଧ୍ୟା ରେ ଫାଷ୍ଟ ଫୁଡ଼ ଧରି ଅମ୍ବିକା ଘରେ ପହଂଚି ଯାଉଛନ୍ତି ଓ ଶଯ୍ୟାଶାୟୀ ରାଜୀଵ ସହ ଗପସପ ଜମାଉଛନ୍ତି।ସୁବିଧା ଅସୁବିଧା ରେ ନିଜରଭାବି ସବୁ କହିବାକୁ ଅମ୍ବିକା କୁ ଅନେକ ଥର କହିଲେଣି ବଡ଼ବାବୁ।

କମ୍ପାନୀ କାମ ରେ ବଡ଼ବାବୁ ପାଞ୍ଚଦିନ ହେବ ବିଶାଖାପାଟଣା ଯାଇଛନ୍ତି।ଆଉ ଦି ଦିନ ପରେ ଫେରିବେ। କାହିଁକି କେଜାଣି ବଡ଼ବାବୁ ଙ୍କ ଅନୁପସ୍ଥିତ ଅମ୍ବିକା କୁ ଅସହ୍ୟ ଲାଗୁଥିଲା।ଅଫିସ କାମ ଆଦୌ ତାକୁ ଭଲ ଲାଗୁନଥିଲା।ପ୍ରତି ମୁହୂର୍ତ୍ତରେ ବଡ଼ବାବୁ ଙ୍କ ଚେହେରା ତା ସାମନା କୁ ଆସିଯାଉଥିଲା। ବଡ଼ବାବୁ ଙ୍କ ପ୍ରତି ଏ ଦୁର୍ବଳତା କୁ ନିଜ ଅଜଣାତ ରେ ଉପଭୋଗ କରିବା ଆରମ୍ଭ କରିଦେଇଥିଲା ଅମ୍ବିକା।

ବଡ଼ ବାବୁ ଟୁର ରୁ ଫେରି ଆଜି ଜଏନ କଲେ।ଅମ୍ବିକା କୁ ଡାକି ସବୁ ଭଲ ମନ୍ଦ ବୁଝିଲେ। ଘର କୁ ଫେରିବା ପୁର୍ବ ରୁ ଦେଖା କରିବାକୁ କହି ବଡ଼ବାବୁ କାର୍ଯ୍ୟ ରେ ବ୍ୟସ୍ତ ହୋଇଗଲେ। ଗତ ସାତ ଦିନ ର ବାକିଆ କାମ କୁ ତାଙ୍କୁ ପ୍ରଥମେ ସାରିବାକୁ ପଡିବ। ଅମ୍ବିକା ର କାମ ସରୁ ସରୁ ସାଢ଼େ ପାଞ୍ଚ। ତରବର ହୋଇ ଘରକୁ ବାହାରିଲା। ମନେପଡ଼ିଗଲା ବଡ଼ବାବୁଙ୍କ କଥା। ବଡ଼ବାବୁ ଙ୍କ ଚାମ୍ବର ଭିତରକୁ ପଶିଲା ଅମ୍ବିକା। ବଡ଼ବାବୁ ଏକଲା ଅଛନ୍ତି।କ'ଣ ଗୋଟେ ଲେଖୁଥିଲେ । ଲେଖା ବନ୍ଦ କରି ଅମ୍ବିକା କୁ ବସିବାକୁ କହିଲେ। ନିଜ ବାଁ ପଟ ଥିବା ଅଲମିରା ଖୋଲି ପ୍ୟାକେଟ ଟିଏ ବଢାଇଦେଲେ ଅମ୍ବିକା ହାତ କୁ।

ଏଇଟା କ'ଣ, ବିସ୍ମିତ ହୋଇ ପଚାରିଲା ଅମ୍ବିକା।ବିଶାଖାପାଟଣା ରେ ପ୍ରସିଦ୍ଧ ପଂଚମ୍ପଲ୍ଲୀ ପାଟ ଟିକେ ଶସ୍ତା ରେ ମିଳେ,ତମ ପାଇଁ ଗୋଟେ ନେଇ ଆସିଛି। ଦେଖିଲ, କଲର ମନକୁ ପାଉଛି ତ ।

ପ୍ୟାକେଟ ଖୋଲି ଶାଢ଼ୀ ଦେଖିଲା ଅମ୍ବିକା।ହାଲ୍କା ଗୋଲାପୀ ରଙ୍ଗ କୁ ନୀଳ ରଙ୍ଗ ର ଆଂଚଲ। ପାଟ ର କାମ ବି ଖୁବ ଆକର୍ଷଣୀୟ ଥିଲା। ଗୋଲାପୀ ରଙ୍ଗ ତା'ର ଖୁବ ପସନ୍ଦ। ବଡ଼ବାବୁ କେମିତି ଜାଣିଲେ ତା ପସନ୍ଦ ର ରଙ୍ଗ ?। ଆସିବା ପୂର୍ବରୁ ବଡ଼ବାବୁଙ୍କୁ ହସିହସି କୃତଜ୍ଞତା ଜଣାଇବାକୁ ଭୁଲିନଥିଲା ଅମ୍ବିକା।

ଘରକୁ ଫେରିବା ବେଳେ ବାଟ ଯାକ ବଡ଼ବାବୁ ଓ ପଂଚମ୍ପଲ୍ଲୀ ପାଟ ତାକୁ ବାରମ୍ବାର ଆନମନା କରୁଥିଲେ।

ଆଜି ଘରେ ପହଁଚିଲା ବେଳକୁ ଟିକେ ଡେରି ହୋଇଯାଇଥିଲା ଅମ୍ବିକା ର।ପ୍ରତି ସନ୍ଧ୍ୟା ରେ ମାଆ ଝିଅ ମିଶି ରାଜୀଵ ଙ୍କୁ ହୁଇଲ ଚେୟାର ରେ ବସାଇ ବାହାରେ ବୁଲାଇ ଆଣନ୍ତି। ଘରେ ପହଂଚି ବାପାଙ୍କୁ ପ୍ରସ୍ତୁତ କରିବାକୁ ରୀନା କୁ କହିଲା ଅମ୍ବିକା। ବାପାଙ୍କୁ ବୁଲେଇ ଆଣିଛି କହି ମାଆ କୁ ନିଜ ଶୋଇବା ଘରକୁ ଡାକିଲା ରୀନା।ଅମ୍ବିକା ହାତ କୁ ଗୋଟେ ପ୍ୟାକେଟ ବଢାଇଦେଇ ଚୁପ୍ ଚାପ ତଳକୁ ମୁହଁପୋତି ବସିରହିଲା ସେ।

କ'ଣ ଏ ପ୍ୟାକେଟ, କିଏ ଦେଇଛି ? ପ୍ରଶ୍ନ କଲେ ଅମ୍ବିକା।

ତୁ ଖୋଲିକି ଦେଖୁନୁ। ସେମିତି ତଳକୁ ମୁହଁପୋତି ଉତ୍ତର ଦେଇଥିଲା ରୀନା।

ପ୍ୟାକେଟ ଖୋଲିଲା ଅମ୍ବିକା।ଗୋଲାପୀ ରଙ୍ଗ ର ସଲ୍ୱାର ପଞ୍ଜାବୀ ସାଙ୍ଗକୁ ଛୋଟ କାଗଜ ଖଣ୍ଡେ। କାଗଜ ରେ ଲେଖାହୋଇଛି- ଆଇ ଲଭ ୟୁ ରୀନା।

ଅମ୍ବିକା ର ସମଗ୍ର ଦେହ ଥରି ଉଠିଲା। ଠୋ କିନା ଚଟକଣି ଟିଏ ବସାଇଦେଲା ରୀନା ଗାଲ ରେ।କହିଲା- କେବେ ଠୁ ଲୁଚି ଲୁଚି ଏ ଧନ୍ଦା କଲୁଣି, ଲାଜ ଲାଗୁନି ତତେ। କିଏ ସେ ଟୋକା, କାଲି ନେଇ ତାକୁ ଫେରା। ଆମର ଧନ ସମ୍ପତ୍ତି ନ ଥାଇ ପାରେ, ହେଲେ ମାନ ସମ୍ମାନ ଓ ଇଜ୍ଜତ ଅଛି।

ରୀନା କଇଁ କଇଁ ହୋଇ କାନ୍ଦି ଉଠି ମାଆ କୁ ଜାବୁଡି ଧରିଲା। କାନ୍ଦି କାନ୍ଦି କହିଲା-ମୁଁ ତୋ ଝିଅ, କେବେ ବି ଏମିତି କାମ କରିବିନି ଯାହାପାଇଁ ତୁମ ଦୁଇ ଜଣଙ୍କ ସମ୍ମାନ ରେ ଆଂଚ ଆସିବ। ଆମ କ୍ଲାସ ର ଜଣେ ପିଲା ଏଇଟା ପଠେଇଛି। ତା ସହିତ ମୋର କିଛି ବି ସମ୍ପର୍କ ନାହିଁ। କାଲି ମୁଁ ତା କଥା ବୁଝିବି।

ଆର ଘରେ ସୋଇଥିବା ରାଜୀଵ ଙ୍କ ଆଖିର ଲୁହରେ ଶେଯ ଓଦାହେଉଥିଲା।ଗର୍ବ କରୁଥିଲେ ସେ ନିଜ ପତ୍ନୀ ଓ କନ୍ୟା ଙ୍କ ଆତ୍ମ ସମ୍ମାନ କୁ ନେଇ।

ରାତିରେ ଶୋଇଲା ବେଳେ ଅମ୍ବିକା ର ମନେପଡିଥିଲା ବଡ଼ବାବୁ ତାକୁ ଦେଇଥିବା ପଂଚମ୍ପଲ୍ଲୀ ପାଟ କଥା।ରାତି ସାରା ଭ୍ୟାନିଟ ବ୍ୟାଗ ଭିତରେ ଅଣନିଶ୍ୱାସୀ ହୋଇ ପଡିରହିଥିଲେ ବି ପଦାକୁ କାଢ଼ିପାରିନଥିଲା ସେ।

@ କୋଣାର୍କ, ପୁରୀ।

ରିସେପସନିଷ୍ଟ ପ୍ରମୁଖ ସହାୟତା

Rate the content


Originality
Flow
Language
Cover design

Comments

Post

Some text some message..