Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -180
ଜହ୍ନମାମୁଁ -180
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   6.9K    17


Content Ranking

କୃଷ୍ଣାବତାର 3


ତହୁଁ ଋଷିମାନେ ଉତ୍ତର ଦେଲେ, “ଆମେ ବେଦପାଠ କରୁଛୁ ଓ ଯଜ୍ଞରେ ଦେବତାମାନଙ୍କୁ ସନ୍ତୁଷ୍ଟ କରୁଛୁ ।”

ନରକାସୁର କହିଲା “ଏବେ ମୋ ବ୍ୟତୀତ ଦେବତା ଆଉ କେହିବି ନାହିଁ । ବୋଧହୁଏ ତୁମେମାନେ କେହି ଶୁଣିନାହଁ ମୋ ସହିତ ବହୁଦିନ ଧରି ଯୁଦ୍ଧ କରି କରି ଦେବତାମାନେ କ୍ଳାନ୍ତ ହୋଇ ହାରିଯାଇ କାପୁରୁଷଙ୍କ ପରି ଯୁଦ୍ଧ ଛାଡି ଓ ସ୍ୱର୍ଗରାଜ୍ୟ ଛାଡି ଯାଇ ଲୁଚିଲେ? ତା’ପରେ ମଧ୍ୟ ତମେମାନେ ପୁଣି ସେହି ଦେବତାମାନଙ୍କର ଉପାସନା କରୁଛ? ଶତଧିକ୍ ତୁମର ସେ ଯଜ୍ଞକୁ ଓ ତା’ର ସେ ଯଜ୍ଞଭାଗକୁ । ତଥାପି ମଧ୍ୟ ମୁଁ ପୁଣିଥରେ ତୁମକୁ ଚେତାବନୀ ଦେଉଛି ମୋ କଥା ମାନ ନହେଲେ ପରିଣାମ ବଡ ଭୟଙ୍କର ହେବ । ଏବେ ଶୁଣିରଖ । ମୁଁ ହେଉଛି ସ୍ୱର୍ଗ ରାଜ୍ୟର ଅଧିକାରୀ । ତେଣୁ ତୁମେ ସମସ୍ତେ ଯଜ୍ଞଭାଗ ଗୁଡିକ ମୋତେହିଁ ସମର୍ପଣ କର ଅର୍ଥାତ୍ ମୁଁ ହିଁ ତୁମର ପ୍ରଭୁ ।”

ଋଷିମାନେ କହିଲେ “ଏହା କିପରି କଥା । ଆମେ ତ ସେସବୁ ଯୁଦ୍ଧ ବିଷୟରେ କୌଣସି ଖବର ଶୁଣିନାହୁଁ । ଆମର ଚିରାଚରିତ ରୀତି ଅନୁସାରେ ଆମେ ଯଜ୍ଞଭାଗ ସବୁ କେବଳ ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କୁହିଁ ଅର୍ପଣ କରୁଛୁ । ଏବେ ପୁଣି ତାହା ଅନ୍ୟଥା ହେବ କିପରି? ଆମେ କିପରି ବା ତୁମ କଥାକୁ ଏତେ ସହଜରେ ସ୍ୱୀକାର କରିନେବୁ?”

ନରକାସୁର ରାଗିଯାଇ କହିଲା କ’ଣ ତୁମେ ସବୁ ମୋତେ ଅସ୍ୱୀକାର କରି ଦେବତାମାନଙ୍କୁ ଯଜ୍ଞଭାଗ ଦେବ । ଆଚ୍ଛା ଏବେ ମୋର ଆଉ କୌଣସି ଦୋଷ ନାହିଁ । ନିଜ କୃତ ପାପର ପରିଣାମ ଭୋଗ କର । ତା’ପରେ ସେ ତା’ ସେନାପତିକୁ ଆଦେଶ ଦେଲା, “ସେମାନଙ୍କ ଯଜ୍ଞ ସବୁ ଧ୍ୱଂସ କରିଦିଅ; ଏହି ଉଦ୍ଧତ ମୁନିଋଷିମାନଙ୍କୁ ପିଟି ପିଟି ଜବତ କରିଦିଅ ।” ଶେଷରେ ତାହାହିଁ ହେଲା । ଅଚିରେ ସେ ଅସୁରର କଥା ପୂରଣ ହେଲା । ଋଷିମାନେ କଷ୍ଟପାଇ ସେଠାରୁ ଛିନ୍ନଛତ୍ର ହୋଇ ପଳାଇଲେ ।

ଋଷିମାନେ ଅସୁରଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ଆର୍ତ ଚିତ୍କାର କରୁଥା’ନ୍ତି । କେହି କେହି ମଧ୍ୟ ମରିଗଲେ । ସେସବୁ ଦୃଶ୍ୟ ପରମାନନ୍ଦଦାୟକ ଦୃଶ୍ୟ ହେଉଥାଏ ନରକାସୁର ପାଇଁ । ଆତ୍ମସନ୍ତୋଷରେ ତା’ର ମନ ଭରି ଉଠୁଥାଏ । ଏହିପରି କିଛି ସମୟ ଚାଲିଲା । ଋଷିମାନେ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବରେ ଅନ୍ତର ହେବା ପର୍ଯ୍ୟନ୍ତ ସେ ବସିରହି ସବୁ ଦେଖୁଥାଏ ।

ତା’ପରେ ବଶିଷ୍ଠ, ବାମଦେବ, ଜାବାଳୀ ଓ ଭରଦ୍ୱାଜ ଆଦି ମୁନିମାନେ ଏକାଠି ବସି ବିଚାର କଲେ, କିପରି ଏହି ଦୁଷ୍ଟ ରାକ୍ଷସ ହାତରୁ ସେମାନେ ସେମାନଙ୍କ ଯଜ୍ଞ ରକ୍ଷା କରିବେ । ବହୁ ସମୟ ବିଚାର, ଆଲୋଚନା ପରେ ଶେଷକୁ ସେମାନେ ମନସ୍ଥ କଲେ ଯେ ଏକାଠି ହୋଇ ସେମାନେ ପରମପୁରୁଷ ଶ୍ରୀକୃଷ୍ଣଙ୍କ ନିକଟରେ ଯାଇ ଗୁହାରି କରିବେ । କେବଳ ସେହିଁ ଆମ ଋଷିମୁନି, ଦେବତା ଆଦିଙ୍କୁ ଏହି ଭୟଙ୍କର ରାକ୍ଷସ କବଳରୁ ଉଦ୍ଧାର କରିପାରିବେ । ତା’ପରେ ସେମାନେ ଦ୍ୱାରକା ଅଭିମୂଖେ ଚାଲିଲେ । ସେମାନେ ଅନେକ ଦିନ ଧରି ଚାଲି ଚାଲି ବହୁତୀର୍ଥ ପର୍ଯ୍ୟଟନ କରୁଥା’ନ୍ତି । ଅବଶେଷରେ ସେମାନେ ଭଗବାନ୍ ଶ୍ରୀକୃଷ୍ଣଙ୍କର ରାଜ୍ୟ ଦ୍ୱାରକାରେ ଯାଇ ପହଁଚିଲେ ।

ନଗରୀର ରାଜପଥରେ ସେମାନେ ଚାଲୁ ଚାଲୁ ବିଶ୍ୱକର୍ମା ନିର୍ମାଣ କରିଥିବା ଦ୍ୱାରକାର ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହେଉଥା’ନ୍ତି । ସେମାନଙ୍କର ମନେହେଲା ଦ୍ୱାରକାର ସୌନ୍ଦର୍ଯ୍ୟ ଓ ବୈଭବ ସ୍ୱର୍ଗଠାରୁ ମଧ୍ୟ ମହତର । ତା’ପରେ ସେମାନେ ଯାଇ ଶ୍ରୀକୃଷ୍ଣଙ୍କର ରାଜନଅରର ଦ୍ୱାରଦେଶରେ ପହଁଚି ଦ୍ୱାରରକ୍ଷୀକୁ କହିଲେ, “ଦୟାକରି ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଖବର ଦିଅ ଯେ କେତେକ ଋଷି ବଦରୀବନରୁ ଆସିଛନ୍ତି ଓ ତାଙ୍କୁ ସେମାନେ ତୁରନ୍ତ ଦେଖା କରିବାକୁ ଚାହାଁନ୍ତି ।

ଶ୍ରୀକୃଷ୍ଣ ଋଷିମାନଙ୍କର ଆଗମନର ସମ୍ବାଦ ପାଇବା ମାତ୍ରେ ପ୍ରଦ୍ୟୁମ୍ନଙ୍କୁ ଡାକି ଆଦେଶ ଦେଇ କହିଲେ, “ଯାଅ, ତୁରନ୍ତ ସେ ଋଷିମାନଙ୍କୁ ଆଦର ପୂର୍ବକ ସ୍ୱାଗତ କରି ଭିତରକୁ ନେଇଆସ ।”

ପ୍ରଦ୍ୟୁମ୍ନ ଋଷିମାନଙ୍କୁ ଭିତରକୁ ନେଇ ଆସିଲେ ଓ ସେମାନଙ୍କୁ ପାଦ୍ୟ, ଅର୍ଘ୍ୟ ଆଦି ଦେଇ ଭଗବାନ୍ ଶ୍ରୀକୃଷ୍ଣ ସେମାନଙ୍କର ଯଥୋଚିତ ସତ୍କାର କଲେ । ତା’ପରେ ସେ ଅତି ନମ୍ର ଭାବରେ ସେମାନଙ୍କ ଆଗମନ କାରଣ ଜିଜ୍ଞାସା କଲେ ।

ମୁନିଋଷିମାନେ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଏତେ ମୁଗ୍ଧ ହୋଇଗଲେ ଯେ ସେମାନଙ୍କ ମୁଖରୁ ଆଉ କିଛିବି କଥା ବାହାରୁ ନଥାଏ । ମନେ ମନେ ନାନା ପ୍ରକାର ଭାବରେ ସେମାନେ ଚିନ୍ତା କରୁଥା’ନ୍ତି । ସେମାନେ ଭାବୁଥା’ନ୍ତି ପରମପୁରୁଷଙ୍କର ତ ଦର୍ଶନ ହୋଇଗଲା । ସେ ତ ସର୍ବଜ୍ଞ, ତାଙ୍କୁ ଆଉ କ’ଣ ବା କୁହାଯାଇପାରେ?

ଶ୍ରୀକୃଷ୍ଣ ଅଳ୍ପ ହସି ପଚାରିଲେ, “ମହାତ୍ମାମାନେ, ଆପଣଙ୍କ ଯଜ୍ଞ ସବୁ ଭଲରେ ଚାଲୁଛି ତ? ଆଶ୍ରମମାନଙ୍କରେ ଆପଣମାନେ ଶାନ୍ତିରେ ବାସ କରୁଛନ୍ତି ତ? ସବୁ କିଛି କୁଶଳ ତ? ମୁଁ ଆପଣମାନଙ୍କୁ ଏକତ୍ର ଦର୍ଶନ କରି ନିଜକୁ କୃତାର୍ଥ ମଣୁଛି । ଏବେ ଯଦି ଆପଣଙ୍କର କିଛି ଇଚ୍ଛା ଥାଏ ବା ମୋ ପ୍ରତି କୌଣସି ଆଦେଶ ଥାଏ, ତେବେ ଦୟାକରି ନିଃସଙ୍କୋଚର ସହ ତାହା ପ୍ରକାଶ କରନ୍ତୁ । ମୁଁ ତା’ର ପ୍ରତିକାର ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି । ସତ୍ୟ ଓ ଧର୍ମ ପାଇଁ ଜୀବନ ଉତ୍ସର୍ଗ କରିବାକୁ ମୁଁ ମଧ୍ୟ କଦାପି ପଶ୍ଚାତପଦ ହେବି ନାହିଁ ।”

ଋଷି ନଗରୀ ଶ୍ରୀକୃଷ୍ଣ

Rate the content


Originality
Flow
Language
Cover design

Comments

Post

Some text some message..