Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୁଲ୍ - ଠିକ୍
ଭୁଲ୍ - ଠିକ୍
★★★★★

© Amiya Bej

Inspirational

4 Minutes   6.9K    23


Content Ranking

 ଭୁଲ୍ କରିବାର ସମୟତକ ସନ୍ତର୍ପଣରେ ଅତିକ୍ରମି ଗଲେ , ତା' ଠିକ୍ ପରି ପ୍ରତୀତ ହୋଇଥାଏ । ଦୁହେଁ ଯାକ ନିଜ ପରିପୂର୍ଣ୍ଣ ସଂସାରରେ ମସଗୁଲ୍ ହେଲେବି , ଛାତିତଳେ ଯା'କିଛି ସାଇତି ରଖିଥିଲେ , ତା' ହେଲା 'ପ୍ରେମ' ।

ଆଢୁଆଳରେ ରହିଲେ ଯାଇ , ପ୍ରେମ ଚିରସ୍ଥାୟୀ । ସାର୍ବଜନୀନ କଲେ , ପର ଆଖି ଲାଗି ଘୂଣ ଖାଇବାଟା ସୁନିଶ୍ଚିତ !!

ଏଇ ନିୟମରେ ଦୁହିଁଙ୍କର ପ୍ରେମ , ଏ ପରିଣତ ବୟସରେ ବି କବର ତଳେ ସୁରକ୍ଷିତ ସୁସଜ୍ଜିତ ।

ମାଇଲ୍ ମାଇଲ୍ ଦୂରରୁ ଅଭିଜିତ୍ ସବୁ ବ୍ୟସ୍ତତାକୁ ପଛରେ ପକାଇ , ଅନ୍ତତଃ ଥରୁଟିଏ ଫୋନ୍ କରି ନିଅନ୍ତି। ସୁଜାତା ବୁଝିନିଏ ସେଇଥିରେ ସବୁ ଭଲମନ୍ଦ। କେବେକେବେ ଫୋନ୍ ନଆସିଲେ , ବ୍ୟସ୍ତତା ବଢିଯାଏ । ସେଇ ବ୍ୟସ୍ତତା ହିଁ ପ୍ରମାଣ ଦିଏ ଭଲପାଇବାର ।

★★★

ପ୍ରେମକୁ ପୁଣିଥରେ ଭେଟିବାକୁ କା'ର ଇଚ୍ଛାଟେ ନଥାଏ ? କିନ୍ତୁ ସଂସାର ମଝିଖୁଣ୍ଟରେ ବନ୍ଧାହୋଇଥିବା ପଘାର ଗଣ୍ଠି ଖୁବ୍ ଶକ୍ତ । ତା'କୁ ଛିଡାଇବାରେ କାହାର ଜୁ' ନଥାଏ।

ମା'ର ଶ୍ରେଷ୍ଠ ବନ୍ଧୁ ଝିଅ । ବଢିଲା ଝିଅଙ୍କର ପ୍ରଥମ ଆଦର୍ଶ ହେଲା ମା' । ନିଜ ମା' କୁ ଉଦାହରଣ ନେଇ ସେମାନେ ବାଟଚାଲି ଶିଖନ୍ତି।

ମାମାର ଅନ୍ୟମନସ୍କତାକୁ ଦେଖି ପ୍ରଶ୍ନ କରିବାର ବୟସ ହୋଇଯାଇଥିଲା ଦୁଇଝିଅଙ୍କର । ଏଇପରି ଏକ ପରିଣତ ସମୟରେ ସୁଜାତା ଭାବପ୍ରବଣ ହେବା ଉଚିତ ମନେକରେନି । ତଥାପି ଶୂନ୍ୟସ୍ଥାନଟିଏ ମଣିଷ ଜୀବନରେ ଢେର୍ ଅସ୍ତବ୍ୟସ୍ତ କରାଉଥାଏ। ନିଜକୁ ନିଜ ପାଖରେ ଧରା ପକାଉଥାଏ । ବଡଝିଅ ପଚାରେ -

- ମାମା ! ପ୍ରେମ କେମିତିକା କଥା ?

- ଓଃ ! ଦୁଇଜଣଙ୍କ ଭିତରେ ଥିବା ଶ୍ରଦ୍ଧା , ଆଦର ଆଉ ଭଲପାଇବା ।

- ବାସ୍ ?

ହଡବଡାଇଯାଏ ସୁଜାତା ନିଜ ଟିନ୍ଏଜ୍ ଝିଅର ପ୍ରଶ୍ନରେ । ଛୋଟପିଲାଟା ବୁଝିବ ବି କିପରି ? ସେ ବୁଝାଇବ ବି କିପରି ? କଥାକୁ ବାଁରେଇ , ନହେଲେ ଆକଟ କରି ନିଜକୁ ଝିଅ ମାନଙ୍କ ଠାରୁ ମୁକୁଳାଏ ସୁଜାତା ।

★★★

- ସୁଜୁ ! ମାର୍ଚ୍ଚ ଆଠରେ ଆମେ ଓଡିଶା ଆସୁଛୁ । ମୋନାର ବାଇପାସ୍ ସର୍ଜରୀ , ଡାକ୍ତର ବି.କେ.ଦାଶଙ୍କ ପାଖରେ। ପାଖାପାଖି ପନ୍ଦର ଦିନର ରହଣୀ , ମୋ ପ୍ରିୟ ସହରରେ।

- ସତରେ ତୁମେ ଆସିବ ଅଭି ?

- ହିସାବ କର । ପାଖାପାଖି ପଚିଶ୍ ବର୍ଷ ବିତିଗଲାଣି ବୋଧେ !

- ହଁ ! ଗ୍ରାଜୁଏସନ୍ ପରେ ତୁମେ ଏ ସହର ଛାଡିଦେଇଥିଲ । ଆଉ ମୋତେ ବି ।

- ପୁଣି ???

- ହା ହା । ତୁମ ଉପରେ ସେଇ ଗୋଟାଏ ଦୋଷ ଲଦି , ମୁଁ କାଟିଦେଲିଣି ଏଡେବଡ ଜୀବନ ଅଭି ।

- ଠିକ୍ ଅଛି। ମୋତେ ଦୋଷ ଦିଅ ପଛେ , ଖୁବ୍ ଲୋଭ ହେଉଛି ତୁମକୁ , ତୁମ ହାତଗଢା ସଂସାରକୁ ଥରୁଟିଏ ଦେଖିବାକୁ । ଅନୁମତି ମିଳିବ ସୁଜୁ ??

ଚମକି ପଡିଲା ସୁଜାତା ଏଥର । ଭଲପାଇବାରେ କଣ ଏତେ ଭୟ ଥାଏ ? ଶେଷ ଯାଏଁ ବି ସହଜ ହୋଇ ହୁଏନି !! ଅଭିଜିତଙ୍କୁ ମନାକରିବ ନା ନିଜକୁ ରୋକିବ ???? ସ୍ୱାମୀ ଆଉ ଦୁଇ ବଢିଲା ଝିଅଙ୍କୁ ନେଇ ତା'ର ସଜଡା ଘର । ଦୋହଲି ଯିବନି ତ ମଝିଖୁଣ୍ଟ ? ଝିଅଦୁହେଁ କଣ ଯେ ଭାବିବେ ତାକୁ ? ଏଣେ କବର ତଳୁ ଇଛାତକ ସଂକ୍ରମିତ ହୋଇ ଗଲେଣି ସାରା ଦେହମନ ।

- ହଁ ! ନିଶ୍ଚୟ ଆସ ଅଭି । ମୁଁ ଅପେକ୍ଷାରେ ।

★★★

- ମାମା ! ତୁମର ସେଇ ପିଲାଦିନର ଫ୍ରେଣ୍ଡ୍ ନା ? ବନାରସ ବାଲା ।

- ହଁ ! ତାଙ୍କ ବାପା ଥିଲେ ଓଡିଶା କ୍ୟାଡର୍ ର । ସେଥିପାଇଁ ସ୍କୁଲ କଲେଜ ସବୁ ଏଇ ଭୁବନେଶ୍ୱରରେ । ମୋ ସହ । ଭଲ ଓଡ଼ିଆ ବି କହିପାରନ୍ତି ସେ ।

- ଆସନ୍ତୁ ଅଙ୍କଲ୍ । ଖୁବ୍ ମଜାହେବ। ଢେର୍ କୋଶ୍ଚେନ୍ ବି ଅଛି ।

- ଚୁପ୍ । ସେ ପ୍ରଥମଥର ପାଇଁ ଆସୁଛନ୍ତି ଆମଘରକୁ। କେହି ପରେଶାନ୍ କରିବନି କହୁଛି ।

ଅରୁଣାଂଶୁ ତାଙ୍କ ବିଜନେସକୁ ନେଇ ଦିନରାତି ବ୍ୟସ୍ତ।

ଅଭିଜିତଙ୍କ ଆସିବା ଖବର କାନରେ ପକାଇ ଦେଇଥିଲା ସୁଜାତା। ମନଦୁଃଖ କରି କହିଲେ

- ମୁଁ ଟୁର୍ ରେ ଥିବି। ଫେରିବାପରେ ନିଶ୍ଚୟ ଦେଖାକରିବି । ସରି । ବନ୍ଧୁଙ୍କୁ ମୋଷ୍ଟ୍ ୱେଲକମ୍ ।

★★★

ସାମ୍ନାରେ ଆଖି ମିଶାଇ ପାରୁନଥିଲା ସୁଜାତା । କିଛି ନା କିଛି ବାହାନା କରି , କିଚେନ୍ ଅବା ଷ୍ଟୋରରୁମ୍ ରୁ ଥାଇ ନିରିଖେଇ ଦେଖୁଥିଲା ଅଭିଜିତଙ୍କୁ ।

ଠିକ୍ ପୂର୍ବପରି ଚଳଚଞ୍ଚଳ। ସେଇ ମନଖୋଲା ହସ । ଗାଲରେ ଖେଳିଯାଉଛି ଭଉଁରୀ । ଝିଅ ଦୁହିଁଙ୍କ ସହ ପୂର୍ବ ପରିଚିତ ପରି ଗପମଗ୍ନ। ଆପଣାର ପରି ମିଶିଯାଇଛନ୍ତି କେଇଟା ମିନିଟରେ ପିଲାଦୁଇଟି।

ଆଖି ଭରିଗଲା ଲୁହରେ । ଲୁଚିଲୁଚି ପୋଛି ପକାଇଲେବି , ପୁଣି ଓଦା ହେଉଥିଲା ଆପଣାଛାଏଁ। କିଚେନ୍ ରୁ ଥାଇ କାନପାରିଲା ସୁଜାତା ।

- ଅଙ୍କଲ୍ ! ପ୍ରେମ କେମିତିକା କଥା ?

- ଓଃ! ପ୍ରେମ ଗୋଟେ ଶୂନ୍ୟପଣ । ଯାହାର ଖୋଜିବାର ଶେଷଟିଏ ନଥାଏ। ସେଇ ଅପ୍ରାପ୍ତିର ନାଁ ହେଲା ପ୍ରେମ । ମିଳିଗଲେ , ପ୍ରେମରେ ପୂର୍ଣ୍ଣଛେଦ ପଡିଯାଏ।

- ଆପଣ ଭେଟିଛନ୍ତି ?

- ହଁଅଁ ! ସେପଟେ କିଚେନ୍ ରେ ଯେଉଁ ଭଦ୍ରମହିଳା ଜଣକ , ସେ ଆଉ କିଏକି ?

- ମାମା ?????

- ୟେସ୍ । ସ୍କୁଲରୁ ଆରମ୍ଭ କରି କଲେଜ ଯାଏଁ ଏଇ ଜଣକ ପଛରେ ପଡିରହିଲି । କିନ୍ତୁ ଭାଉ ଦେଲାନି ଯମା ।

- ମାମା କଣ ଏତେ ରୁୟୁଡ୍ ଥିଲେ ?

- ନା , ସେ ଖୁବ୍ ଲାଜକୁରୀ ।

- ତେବେ ଆପଣ ଦୁହେଁ ବେଷ୍ଟ୍ ଫ୍ରେଣ୍ଡ ହେଲେ କେମିତି ?

- ହା ହା । ସମସ୍ତଙ୍କ ଅଲକ୍ଷରେ । ଲୁଚିଲାଚି। ଚିଠିପତ୍ରରେ।

- ୱଆ । ଠୁ ଇଣ୍ଟ୍ରେଷ୍ଟିଙ୍ଗ୍ । ଚିଠିପତ୍ର !!

ଝପଟି ଆସିଲା ସୁଜାତା ଏଥର ।

- ଷ୍ଟପ୍ ଅଭି । ଦେ ଆର୍ ମାଇଁ କିଡ୍ସ୍ ।

- ଆଇ ନୋ ସୁଜୁ । ଆମେ ଲୁଚାଇବାପରି ଭୂଲ୍ କିଛି କରିନଥିଲେ ସେତେବେଳେ। ସେତବେଳର ଅଭିଭାବକ ମାନେ ନହେଲେ ନାହିଁ , ଅନ୍ତତଃ ଏବର ପିଲାମାନେ ତ ଜାଣନ୍ତୁ , ପ୍ରେମ ପାପ ନୁହଁ ବୋଲି !

ପ୍ରେମ ପ୍ରତି ଅହେତୁକ ଭୟ ତ ନରହୁ । ସେମାନଙ୍କ ପ୍ରଶ୍ନର ସଠିକ୍ ଉତ୍ତର ମିଳୁ । ଆମେ ତାପରେ ବି ଆମ ମା ବାବାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇଆସିଛନ୍ତି , ଏକଥା ବି ପିଲାଏ ଜାଣନ୍ତୁ। ପ୍ରୋବ୍ଲେମ୍ କଣ ସୁଜୁ ??

- ଅସ୍ପଷ୍ଟ ଅତୀତକୁ ଆଢୁଆଳର ପରଦା ସୁନ୍ଦର ଅଭି । ନିଅ , ତୁମର ଫେବରେଟ୍ ଆଳୁ ପରାଠା ।

- ବାଃ! ସୁଜୁ । ମନେରଖିଛ ତାଲେ ।

★★★

- ମାମା !

- ୟେସ୍ ?

- ହି ଇଜ୍ ଠୁ ୱଣ୍ଡରଫୁଲ୍ ।

- ହଁ ! ସେ ଜଣେ ଖୁବ୍ ଚମତ୍କାର ପୁରୁଷ ।

- ମିସଡ୍ ନା ??

- ନା ! ସେମିତି ହୋଇଥିଲେ ତୁମଦୁହିଁଙ୍କ ପରି ଏତେ ଅଣ୍ଡରଷ୍ଟାଣ୍ଡିଂ , କ୍ୟୁଟିପାଇ ଦୁଇଟି ମୋତେ କେମିତି ମିଳିପାରିଥାନ୍ତା ବେବି ???

■ ଅମୀୟ ବେଜ୍ , ଘଟଗାଁ, କେନ୍ଦୁଝର ■

ସୁଜାତା ଅଭିଜିତ ଭଲପାଇବା

Rate the content


Originality
Flow
Language
Cover design

Comments

Post

Some text some message..