Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ପରୀକ୍ଷା
ଜୀବନ ପରୀକ୍ଷା
★★★★★

© Rama Chandra Padhi

Inspirational Others

10 Minutes   354    4


Content Ranking

ପିଲାଟି ଦିନରୁ ଆଜି ଯାଏ ସେ ପରୀକ୍ଷାକୁ ଜୀବନର ସଫଳତାର ମାପକାଠି ଭାବୁଥିଲା। କେବଳ ଯେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ ତାହା ନୁହେଁ କୃତିତ୍ୱର ସହ ସଫଳତା ଅର୍ଜନ କରିବା ଯେମିତି ମଣିଷ ଜୀବନର ଏକ ମାତ୍ର ଲକ୍ଷ୍ୟ ।

ଏହା ତାଙ୍କର ନିଜସ୍ଵ ଚିନ୍ତାଧାର ନ ଥିଲା। ଏକ ଶିକ୍ଷିତ ମଧ୍ୟବିତ୍ତ ପରିବାରରେ ଜନ୍ମିତ ପ୍ରଶାନ୍ତ ବାବୁଙ୍କ ମନରେ ଏ ଭାବନା ଭରିଦିଆ ଯାଇଥିଲା ତାଙ୍କ ପିତା ମାତାଙ୍କ ଦ୍ୱାରା।

ଉଚ୍ଚ ଶିକ୍ଷିତା ମା ଏବଂ ହେଡ ମାଷ୍ଟର ବାପାଙ୍କ ମାର୍ଗଦର୍ଶନରେ ତାଙ୍କ ଛାତ୍ର ଜୀବନର ପ୍ରତ୍ୟେକ ମହତ୍ୱପୂର୍ଣ୍ଣ ପରୀକ୍ଷାକୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆଜି ଏକ ସରକାରୀ ଅଫିସରେ ଉଚ୍ଚପଦସ୍ଥ ଅଧିକାରୀ ହୋଇ ପାରିଛନ୍ତି। ସେ ଚାହାନ୍ତି ତାଙ୍କର ଦୁଇ ସନ୍ତାନ ବି ଭଲ ପାଠ ପଢି ଜୀବନରେ ତାଙ୍କ ଠୁ ବି ଅଧିକ ସଫଳତା ଅର୍ଜନ କରନ୍ତୁ। ସେଥିପାଇଁ ତ ବ୍ୟସ୍ତତା ବହୁଳ ଜୀବନରୁ ସମୟ ବାହାର କରି ପିଲାଙ୍କ ପାଠ ପଢା ବୁଝନ୍ତି। ଆଜି କାଲିକା ଟିଉସନ, କୋଚିଂ ସେଣ୍ଟର ଉପରେ ତାଙ୍କର ଟିକିଏ ବି ଭରସା ନାହିଁ। ପିଲାଙ୍କୁ ଭଲ ପଢ଼ାଇବା ଅପେକ୍ଷା ଟଙ୍କା ପ୍ରତି ଅଧିକ ଧ୍ୟାନ ଦିଅନ୍ତି। ନିଜେ ବାପା ମା ହୋଇ ଯଦି ପିଲାଙ୍କ ଦାୟିତ୍ୱ ନ ନେଇ ପାରିବ ବାହାର ଲୋକ ଉପରେ କେମିତି ବିଶ୍ୱାସ କରିବ। ତେଣୁ ସେ ଟିଉସନ, କୋଚିଂ କ୍ଳାସ ପରେ ମଧ୍ୟ ଭୁଲନ୍ତିନି କିଛି କ୍ଷଣ ନିଜ ପୁଅ ଝିଅଙ୍କୁ ପଢ଼ିବାକୁ। ଖାସ କରି ପରୀକ୍ଷା ଦିନ ମାନଙ୍କରେ।

ପରୀକ୍ଷା ପୂର୍ବରୁ ରାତି ଅନିଦ୍ରା ହୋଇ ପିଲାଙ୍କ ପଢା ପଛରେ ଲାଗି ପଡନ୍ତି। ଯେମିତି ସେ ନିଜେ ଜଣେ ପରୀକ୍ଷାର୍ଥୀ। କେବଳ ଯେ ପରୀକ୍ଷା ପୂର୍ବରୁ ତାହା ନୁହେଁ ପରୀକ୍ଷା ସରିବା ପରେ ମଧ୍ୟ ସେ ପ୍ରଶ୍ନପତ୍ରର ପ୍ରଶ୍ନ ସବୁକୁ ପଚାରି ନିଜେ ମୂଲ୍ୟାଙ୍କନ କରି ଆଶ୍ୱସ୍ତ ହୁଅନ୍ତି।

ଏ ବର୍ଷ ପ୍ରଶାନ୍ତ ବାବୁଙ୍କ ଦୁଇ ଛୁଆ ଜୀବନର ମହତ୍ତ୍ୱପୂର୍ଣ୍ଣ ପରୀକ୍ଷା ଦେଇଛନ୍ତି। ବଡ଼ ଝିଅ ବର୍ଷା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛି। ତା ପ୍ରତି ପ୍ରଶାନ୍ତ ବାବୁଙ୍କ ମନରେ ତିଳେ ବି ଚିନ୍ତା ନାହିଁ। ବର୍ଷା ପ୍ରଥମରୁ ହିଁ ବାପାଙ୍କ ପଥ ଅନୁସରଣ କରି ଆସିଛି। ପାଠ ପଢି ନାମୀ ଡାକ୍ତର ହେବା ତା ଜୀବନର ଏକ ମାତ୍ର ଲକ୍ଷ୍ୟ। କିନ୍ତୁ ପୁଅ ସୌମ୍ୟ ଲକ୍ଷ୍ୟହୀନ ପକ୍ଷୀଟିଏ। ସେ ଚାହେଁ ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗେଇ ଦେବ ଏ ଦୁନିଆଁ କୁ। ଦଶମ ପରୀକ୍ଷା ଦେଇଛି ହେଲେ ପିଲାଳିଆମୀ ଯାଇନି। ଆଜି ବି ଧଳା କାଗଜ ଖଣ୍ଡେ ପାଇଲେ ରଙ୍ଗ ତୁଳି ଧରି ବସିପଡ଼େ ଚିତ୍ର ଅଙ୍କିବାକୁ। ବାପା ଭୟରେ ସିନା ସେ ବହି ଖୋଲେ ହେଲେ ତା'ର ଜମା ମନ ଲାଗେନି ପାଠ ପଢ଼ାରେ।

ସୌମ୍ୟର ଏବେ ବି ମନେ ଅଛି, ଯେତେବେଳେ ସେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୁଏ ସମସ୍ତେ ଖୁସି ହୁଅନ୍ତି କେବଳ ବାପାଙ୍କୁ ଛାଡି। ଗାଳି ଦିଅନ୍ତି ପାଠ ପ୍ରତି ଧ୍ୟାନ ନ ଦେଇ ସେ କାହିଁକି ଏ ଚିତ୍ର ପ୍ରତିଯୋଗିତାରେ ଭାଗ ନେଲା। ଚେତେଇ ଦିଅନ୍ତି ଆଗକୁ ଯେମିତି ଏଭଳି ଭୁଲ ନ କରେ। ସେଥିପାଇଁ ସେ ବାପାଙ୍କ ଆଗରେ ପଢିବା ଅଭିନୟ କରେ। ବାପାଙ୍କୁ ଖୁସି କରିବା ପାଇଁ ପରୀକ୍ଷା ରେ ନ ଲେଖିଥିବା ପ୍ରଶ୍ନର ଉତ୍ତରକୁ ଘରେ ଆସି ମୁଖସ୍ତ କରି କହି କିଛିଦିନ ତାଙ୍କ କ୍ରୋଧର ଶିକାର ହେବ ଠୁ ବର୍ତ୍ତିଯାଏ।

ସେଦିନ ସୌମ୍ୟର ପରୀକ୍ଷାଫଳ ବାହାରିବାର ଥିଲା। ସନ୍ଦେହ ଘେରରେ ଛଟପଟ ପ୍ରଶାନ୍ତ ବାବୁ ଅଫିସରୁ ଛୁଟି ନେଇ ଉତ୍କଣ୍ଠାର ସହ ଚୁପଚାପ ବସି ଅପେକ୍ଷା କରିଥିଲେ ପୁଅର ପରୀକ୍ଷାଫଳ ପ୍ରକାଶ ହେବା ସମୟକୁ। ବାରମ୍ବାର ୱେବ ସାଇଟ ଖୋଲି ଦେଖୁଥିଲେ ସର୍ବପ୍ରଥମେ ରେଜଲ୍ଟ ଜାଣିବା ଆଶାରେ।

କେମିତିକା ପିଲା କେଜାଣି ପରୀକ୍ଷାଫଳ ବାହାରିବାକୁ ଆଉ ମାତ୍ର କିଛି ସମୟ ବାକି ଅଛି ଆଉ ଏ ଟୋକା ବାହାନା କରି ଘରୁ ଚାଲିଗଲା। ନିଶ୍ଚୟ ଖରାପ ରେଜଲ୍ଟ ଥିବ, ଗାଳି ଶୁଣିବା ଭୟରେ ଖସି ପଳେଇଲା।

କିନ୍ତୁ ମୋ ଆଗରେ ସେ ପରୀକ୍ଷାପତ୍ର ର ସବୁ ଉତ୍ତର ଠିକ ଦେଇଥିଲା। ମୁଁ ଯୋଡି ବି ଦେଖିଥିଲି ପାଖାପାଖି ନବେ ପ୍ରତିଶତ ସେ ପାଇବା ଯୋଗ୍ୟ।

ଗଲା ଥର ବି ତ ସେୟା କହିଥିଲା, ହେଲେ ଫଳ ହେଲା ଓଲଟା। ମାତ୍ର ୬୨ ପରସେଣ୍ଟ ପାଇଲା। କହିଲା କଣ ନା ସବୁ ଉତ୍ତର ଆସୁଥିଲା ଯେ ଲେଖିବାକୁ ସମୟ ହେଲାନି। ପୁରା ମିଛୁଆଟା।

କାହିଁକି କେଜାଣି ଭଗବାନ ଏମିତି ଏକ ଅଯୋଗ୍ୟ ସନ୍ତାନକୁ ମୋରି ଘରେ ଜନ୍ମ ଦେଲେ।

ଯଦି ଗଲା ଥର ଭଳି କେବଳ ୬୨% ଆଣିବ? ମୁଁ ସମାଜରେ କି ମୁହଁ ଦେଖେଇବେ? ଅଫିସ ପିଅନର ପୁଅ ୯୦%ରୁ ଅଧିକ ମାର୍କ ରଖୁଛି ମୋ ପୁଅ କେବଳ ୬୨%? ଲୋକେ ହସିବେ, ସମସ୍ତେ କହିବେ ପ୍ରଶାନ୍ତ ବାବୁ ପୁଅର ଦାୟିତ୍ୱ ନେବାରେ ଅକ୍ଷମ। ଲୋକ କଥା ଛାଡ, ତା ନିଜର ଭବିଷ୍ୟତ ବି ତ ଅନ୍ଧକାରମୟ ହୋଇଯିବ। ସେ ଯୁଗ ଗଲା ଯେତେବେଳେ ପ୍ରଥମ ଶ୍ରେଣୀରେ ପାସ କରି ପିଲା ଖୁସି ମନାଉ ଥିଲେ। ଆଜିକା ଯୁଗରେ ଏହାରି କିଛି ମୂଲ୍ୟ ନାହିଁ। ବର୍ତ୍ତମାନ ପରସେଣ୍ଟଜ ହିଁ ଜଣେ ଛାତ୍ର ର ଭବିଷ୍ୟତ କୁ ଆଗକୁ ବଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି। ଯାହାର ଅଧିକ ମାର୍କ ସେ ହିଁ ସବୁକ୍ଷେତ୍ରେରେ ସଫଳତା ଅର୍ଜନ କରେ। ଏତକ କଥା ଏହାର ମୁଣ୍ଡରେ କେବେ ପଶିବ କେଜାଣି!

ଏମିତି ଅନେକ ମାନସିକ ଦୁଶ୍ଚିନ୍ତାରୁ ବାହାରି ପ୍ରଶାନ୍ତ ବାବୁ ମୋବାଇଲକୁ ଚାହିଁଲେ। ପରୀକ୍ଷା ଫଳ ପ୍ରକାଶ ହେବାର ସମୟ ହୋଇଯାଇ ଥାଏ। ହ୍ଵାଟ୍ସଆପରେ ତାଙ୍କ ପିଲା ଦିନର ବନ୍ଧୁ ରାକେଶର ପାଞ୍ଚୋଟି ମେସେଜ। ହଠାତ ରାକେଶ ର ଏତେଗୁଡିଏ ମେସେଜ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ।

ସୌମ୍ୟ ମୋତେ ଦିନେ ନା ଦିନେ ପାଗଳ କରିଦେବ, ତା ଚିନ୍ତାରେ ଏତେ ମେସେଜ ଆସିଲା କେତେବେଳେ ଜାଣି ବି ପାରିଲିନି। ସେ ମନରେ ଭାବି, ଦୀର୍ଘ ନିଶ୍ଵାସଟେ ନେଇ ପଢିଲେ।

ଜାଣିଛୁ ସାଙ୍ଗ ରବି ଆମେରିକାରୁ ଧମାଲ କରିଦେଇଛି।

ସୋସିଆଲ ମିଡ଼ିଆରେ ଗୋଟେ ବିଡ଼ିଓ ଛାଡି ସାରା ଦୁନିଆଁରେ ଭାଇରଲ କରିଦେଇଛି।

ଲୋକେ ବିଡ଼ିଓ ଦେଖିବାକୁ ପାଗଳ ଭଳି ହେଉଛନ୍ତି, ହସି ହସି ଗଡୁଛନ୍ତି। ଲକ୍ଷ ଲକ୍ଷ ଲାଇକ କମେଣ୍ଟ କରିସାରିଲେଣି।

ସେ ଭିଡ଼ିଓ କାହାର ଜଣିଛୁ? ଆମମାନଙ୍କର, ଆମେ ସାଙ୍ଗହୋଇ ଶେଷ ଥର ପାଇଁ ଜୀବନକୁ ଉପଭୋଗ କରିଥିବା ମୁହୂର୍ତ୍ତର। ଯୋଉଥିରେ ସାଉଁଟି ହୋଇ ରହିଛି ଆମ କଲେଜ ଦିନର ଅନେକ ହଜିଲା ସ୍ମୃତି।

ପ୍ରଶାନ୍ତ ବାବୁ ତରବର ହୋଇ ବିଡ଼ିଓକୁ ଖୋଲି ଦେଖିଲେ। ସତରେ ବିଡ଼ିଓ ଦୃଶ୍ୟ ଗୁଡିକ ଥିଲା ସମୟ ଚକ୍ରରେ ବହଳେ ମୋଟାର ଧୂଳି ବସିଯାଇଥିବା ତାଙ୍କ କଲେଜ ଜୀବନ ଇତିହାସ ପୃଷ୍ଠାର କିଛି କ୍ଷଣ ର ଅଂଶ। ଦିନଟି ଥିଲା ସେମାନଙ୍କର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ହେବା ପୂର୍ବ ସାନ୍ଧ୍ୟର।

କଲେଜ ଦିନମାନଙ୍କରେ ବନ୍ଧୁତାର ଅର୍ଥ କହିଲେ ଚାରିଜଣ କୁ ବୁଝାଉ ଥିଲା ପ୍ରଶାନ୍ତ, ରାକେଶ, ଆଲୋକ ଏବଂ ରବି। କ୍ଲାସ ଭିତରେ ସେମାନଙ୍କର ବେଞ୍ଚ ସିନା ଅଲଗା, ଅଲଗା ଥିଲା ହେଲେ ବାହାରେ ସମସ୍ତଙ୍କ ମନ ଗୋଟିଏ। ପଢା ଯୋଗୁ ପ୍ରଶାନ୍ତ ଯେତିକି ଅଧ୍ୟାପକ, ଅଧ୍ୟାପିକା ଙ୍କ ପ୍ରିୟ ପାତ୍ର ଥିଲା ବଦମାସି ଯୋଗୁ ସେମାନେ ଅଲୋକକୁ ତା ଠାରୁ ବହୁ ଅଧିକ ଗୁଣେ ନାପସନ୍ଦ କରୁଥିଲେ। କିନ୍ତୁ ସାଙ୍ଗ ମାନଙ୍କ ପାଖରେ ସେ ଥିଲା ଅତି ଆପଣାର, ସୁବିଧା ଅସୁବିଧାରେ ସର୍ବଦା ଆଗରେ ରହୁଥିବା, ହସର ଖୋରାକ ଯୋଗାଉ ଥିବା ମଜାକିଆ ପିଲାଟେ। ସେ ନ ଆସିବା ଦିନ କଲେଜ ଖାଁ ଖାଁ ଲାଗେ। ଆଉ ସେ ଥିଲେ ହସରେ ଫାଟି ପଡେ କ୍ଲାସ ରୁମ ଭିତରଟା। ବିଛୁଆତି ନାଁରେ ପ୍ରସିଦ୍ଧି ଅର୍ଜନ କରିଥିବା ଆଲୋକ ର କାହିଁକି ଯେ ପାଠ ହୁଏନି କେହି ବି ବୁଝି ପାରନ୍ତିନି। ବହି ଅପେକ୍ଷା ସେ ସାର, ମେଡମ ମାନଙ୍କ ନକଲ କରିବା ପସନ୍ଦ କରେ। କୁହେ କଣ ନା ମିମିକ୍ରି ଆର୍ଟିଷ୍ଟି ହେବ। ଯାହାର ଅର୍ଥ ସେତେବେଳେ କେହି ବି ବୁଝିବାକୁ ସକ୍ଷମ ନ ଥିଲେ। ଖାସ କରି ତା ପରିବାର ଲୋକେ। ବାପା ଛୋଟ କଣ୍ଟ୍ରାକ୍ଟର। ଆଶା କରିଥିଲେ ପୁଅକୁ ବଡ଼ ଇଂଜିନିୟର କରିବେ। କିନ୍ତୁ ଅଲୋକର ଗୋଟିଏ ସ୍ବପ୍ନ ସାରା ଜୀବନ ଦୁନିଆଁକୁ ହସାଇ ଚାଲିବ। ସେଥିପାଇଁ ସେ ସବୁବେଳେ ଘରେ ମାଡ଼ ଗାଳି ଖାଏ ତଥାପି ତା ଭିତରେ କିଛି ବି ପରିବର୍ତ୍ତନ ଆସେନି। ଲାଗେ ଯେମିତିକି ଅମାନିଆ ଢେଉଟିଏ ଯେତେ ବନ୍ଧ ବାନ୍ଧିଲେ ବି ପଣ କରିଛି କୁଳ ଲଙ୍ଘିବ ହିଁ ଲଙ୍ଘିବ।

ପରୀକ୍ଷା ସମୟରେ ସାଙ୍ଗମାନେ ଯେତେବେଳେ ପାଠର ବୋଝ ତଳେ ଚାପି ହୋଇପଡୁଥିଲେ ସେ ତା ମଜାକିଆ କଥାରେ ସମସ୍ତଙ୍କ ମନ ମୋହି ନେଉଥିଲା। କିଛି କ୍ଷଣ ମଧ୍ୟରେ ସବୁ ମାନସିକ ଚାପ, ଯନ୍ତ୍ରଣାକୁ ଦୂର କରିଦେଉଥିଲା। କିନ୍ତୁ ତା ମନରେ ଟିକିଏ ବି ପରୀକ୍ଷା ପାଇଁ ପଢାର ଚିନ୍ତା ନଥାଏ। ପଚାରିଲେ କୁହେ...

ତମେମାନେ ତମ ଲକ୍ଷ୍ୟକୁ ପାଇବା ଆଶାରେ ପ୍ରସ୍ତୁତି କରୁଛ ଆଉ ମୁଁ ଅଭ୍ୟାସ କରୁଛି ମୋ ଲକ୍ଷ୍ୟ ପାଇବାକୁ। କୋଉ ମୁଁ ଡାକ୍ତର କି ଇଂଜିନିୟର ହେବାକୁ ଚାହୁଁଛି ଯେ ଏତେ ପରିଶ୍ରମ କରି ପଢିବି। ମୋର କେବଳ ପାସ ମାର୍କ ହେଲେ ଚଳିବ। ତମେ ପଢ଼ ବଡ଼ ମଣିଷ ହୁଅ। ଦେଖିବ ଦିନେ ନା ଦିନେ ଯେତେବେଳେ ଜୀବନର ସଂଘର୍ଷ ରେ ତମେମାନେ ଥକି ପଡିବ ଟିକିଏ ଆରାମ ପାଇଁ ମୋତେ ହିଁ ଖୋଜିବ। ଆଉ ମୁଁ ତା ପ୍ରତିବଦଳରେ ତୁମେମାନେ ଅର୍ଜନ କରିଥିବା ସବୁ ଧନ ଚୁମ୍ବକ ପରି ଟାଣିନେବି। ସେ ତା ଚିରାଚରିତ ମଜାକିଆ ଢଙ୍ଗରେ କୁହେ। ତା କହିବା ଶୈଳୀରେ ଥିଲା ଅଭୂତପୂର୍ବ ଶକ୍ତି, କିଛି କ୍ଷଣ ମଧ୍ୟରେ ପରୀକ୍ଷାର ମାନସିକ କଷ୍ଟକୁ ଦୂର କରିଦେଉଥିଲା। ସେମାନେ ପୁଣି ଥରେ ଧ୍ୟାନମଗ୍ନ ହୋଇ ଲାଗି ପଡୁଥିଲେ ପରୀକ୍ଷାର ପ୍ରସ୍ତୁତିରେ।

ପରୀକ୍ଷା ସରିଯାଇଥାଏ। ସବୁ ବେଲେ ମଜ଼ା ମସ୍ତି କରୁଥିବା ଆଲୋକ ଗୁମସୁମ ରହିବାକୁ ଲାଗିଲା ହସ ହସ ମୁହଁଟା ମଳିନ ପଡିଗଲା। ଧୀରେ ଧୀରେ ତା'ର ଘରୁ ବାହାରିବା ମଧ୍ୟ ବନ୍ଦ ହୋଇଗଲା। ହଠାତ ପରୀକ୍ଷା ଫଳ ପ୍ରକାଶିତ ହେବା ପୂର୍ବ ସନ୍ଧ୍ୟାରେ ସେ ପୂର୍ବ ଭଳି ହସ ହସ ମୁହଁରେ ରାକେଶ, ରବି କୁ ସାଥି କରି ପହଂଚି ଗଲା ପ୍ରଶାନ୍ତ ଘରେ। କାନ୍ଧରେ ଝୁଲୁଥାଏ ରବି ଘରୁ ଲୁଚେଇ ଆଣିଥିବା ବିଡ଼ିଓ କ୍ୟାମେରା। ପ୍ରଶାନ୍ତକୁ ହାତ ଧରି ଘରୁ ଭିଡି ଆଣିଲା।

ଚାଲ ସାଙ୍ଗ ଆଜି ଜୀବନକୁ ମନ ଭରି ଉପଭୋଗ କରିବା। ପ୍ରଶାନ୍ତ କିଛି ପଚାରିବା ଆଗରୁ କାନ୍ଧରେ ହାତ ପକାଇ କହିଲା।

କେହି କିଛି ବୁଝିବା ଆଗରୁ ସାଇକେଲ ରେ ବସାଇ ନେଇ ଯାଇଥିଲା କିଛି ଦୂରରେ ଥିବା ଏକ ଏକାନ୍ତ ସ୍ଥାନକୁ। ରବିକୁ ଭିଡ଼ିଓ ରେକର୍ଡ଼ିଂଗ ଚାଲୁ କରିବାକୁ କହି ଆରମ୍ଭ କରି ଦେଇଥିଲା ତା ମନ ଭିତରେ ଉଙ୍କି ମାରୁଥିବା ମିମିକ୍ରି କଳାକୁ। ହସେଇ ହସେଇ ବେଦମ କରିସାରିବା ପରେ ନେଇଗଲା ପାଖରେ ଥିବା ଏକ ଢ଼ାବା କୁ। ସମସ୍ତଙ୍କ ମନ ଲାଖି ଖାଇବା ଅଡର କରିଦେଲା। ପ୍ରଶାନ୍ତ, ରାକେଶ, ରବି ତାକୁ ଚାହିଁ ରହିଥାନ୍ତି ଆଶ୍ଚର୍ଯ୍ୟ ଭରା ଆଖିରେ।

ଆରେ ଏତେ ସବୁ ଖାଇବା ବହୁତ ଟଙ୍କା ହେବ? ପ୍ରଶାନ୍ତ ପଚାରିଲା।

ତୁ ଟଙ୍କା କଥା ଚିନ୍ତା କରନି ମୋ ପାଖେ ଅଛି। ସେ ତା ପକେଟ ରୁ ଷ୍ଟାପଲର ମରା ଶହେଟି ଏକ ଟଙ୍କିଆ ନୋଟ ଥିବା ବିଡାଟି କାଢି ଦେଖେଇ କହିଲା।

କିନ୍ତୁ ତୁ ଏତେ ଟଙ୍କା ଆଣିଲୁ କୋଉଠୁ? ରାକେଶ ଆଶ୍ଚର୍ଯ୍ୟ ହୋଇ କହିଲା।

ଏ ସବୁ ମୋ ଟଙ୍କା। ବାପା ମୋ ଇଂଜିନିୟରିଂ ପଢ଼ାପାଇଁ ରଖିଥିଲେ। ମୋର ତ ଇଂଜିନିୟରିଂ କରିବାର ନାହିଁ ତେଣୁ ଗୋଟେ ବିଡା କାଢି ଆଣିଲି।

ତୁ ଘରୁ ଚୋରି କରି ଆଣିଛୁ? ପ୍ରଶାନ୍ତ ଆଖି ଦେଖାଇ କହିଲା।

ନାରେ ମୋ ଜୀବନରେ ଦୁଃଖ ଆଣିବାକୁ ଚେଷ୍ଟା କରୁଥିବା ଏ ଟଙ୍କା ଗୁଡିରେ ମୋ ପାଇଁ ଖୁସି କିଣିବାକୁ ଚେଷ୍ଟା କରୁଛି।

ଯଦି ଏକଥା ବାପା ଜାଣିବେ? ରାକେଶ ପଚାରିଲା।

ତୁ ଚିନ୍ତା କରନି, ବାପା ଜାଣୁ ଜାଣୁ ଦୁଇ, ତିନି ଦିନ ଲାଗିଯିବ। ମୁଁ ସେତେବେଳକୁ ଥିବିଯେ ଗାଳି ମାଡ଼ ଖାଇବି!

ମାନେ ତୁ ଘର ଛାଡ଼ି ଚାଲିଯିବୁ? ରବି ଲାଲ ବୁହାଇ ଖାଇବାକୁ ଚାହିଁ ପଚାରିଲା।

ନା ରେ ମୂର୍ଖ ଏ ଦୁନିଆକୁ ଛାଡି ଚାଲିଯିବି। ଆଉ ବେସି ପ୍ରଶ୍ନ ପଚାରେନି ଖାଇବା ଉପରେ ଧ୍ୟାନ ଦେ।

ଖାଇସାରି ସେମାନେ ହସ ଖୁସିରେ ନିଜ ନିଜର ଘରକୁ ଫେରିଗଲେ। ରାତିରେ କାହାରିକୁ ନିଦ ମାଡୁ ନ ଥାଏ। ରାତି ବଢିବା ସହ ମନର ଉତ୍କଣ୍ଠା ବି ବଢି ଚାଲିଥାଏ। ସକାଳ ନ ପହୁଣୁ ଉଠି ଗାଧୋଇ ପାଧୋଇ ଠାକୁର ଆଗରେ ମୁଣ୍ଡିଆ ମାରି ସମସ୍ତେ ଏକ ମୁହାଁ ହୋଇ ଚାଲିଲେ କଲେଜ। ପ୍ରତି ବର୍ଷ ଭଳି ସେ ବର୍ଷ ବି ଆଲୋକ ଆସି ନଥାଏ। ପୂର୍ବାନୁମାନ ଅନୁଯାୟୀ ସମସ୍ତଙ୍କୁ ପଛରେ ପକାଇ କଲେଜ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ପ୍ରଶାନ୍ତ। ପଞ୍ଚମ ଓ ନବମ ସ୍ଥାନ ନେଇଥିଲେ ରାକେଶ ଏବଂ ରବି। ଅଲୋକ ପାସ କରିଥାଏ କିନ୍ତୁ ତୃତୀୟ ଶ୍ରେଣୀ ରେ। ସେ ଯାହାବି ହୋଉ ଖୁସି ଖବର ଟି ଜଣାଇବାକୁ ତିନେ ଦୌଡ଼ିଲେ ଆଲୋକ ଘରକୁ। ଘର ଆଗରେ ଯାତ୍ରା ଭଳି ଲୋକଙ୍କ ଭିଡ଼।

ଖବର ଟି ବୋଧେ ମଉସା କାନରେ ପହଞ୍ଚି ଯାଇଛି ଆଉ ଅଲୋକ ଛେଚା ଖାଉଛି। ସେମାନେ ନିଜ ଭିତରେ କଥା ହୋଇ ଭିଡକୁ ଆଡେଇ ଭିତରକୁ ପଶିଲେ।

ଭୁଇଁରେ ପରା ହୋଇଥିବା ସପ ଉପରେ ହସ ହସ ମୁହଁରେ ଶୋଇ ରହି ଥାଏ ଅଲୋକ। ଯେମିତିକି ବାପଙ୍କ ଗାଳି ମାଡ଼କୁ ତାର ତିଳେ ବି ଡର ନାହିଁ। ତା ଜିଦ ଆଗରେ ହରେଇ ଦେଇଛି ବାପାଙ୍କୁ। ଲାଗୁଥିଲା ଉଠିଆସି ଇଂରାଜୀ ସାର କହିବା ଶୈଳୀ ରେ କହିବ "ଅଲୋକ ତୁ ତୋ ଜୀବନରେ କେବେବି ଆଗକୁ ବଢି ପାରିବୁନି। ସାଙ୍ଗ ହେଉଛୁ କିଛି ଶିଖ ଏ ତିନିଜଣଙ୍କ ଠୁ। ଆଉ ତୁମେମାନେ ଯେତେ ସମ୍ଭବ ଏହାଠାରୁ ଦୁରେଇ ରୁହ ନଚେତ ୟା ଭଳି ମୂର୍ଖ ହୋଇଯିବ"।

ସେଦିନ କିନ୍ତୁ ଅଲୋକ ସେ ତିନି ଜଣଙ୍କ ଠୁ ବହୁ ଦୂରକୁ ଚାଲି ଯାଇଥିଲେ। ବାପା ଘର ଅଗଣାର ଏକ କୋଣରେ ନିର୍ଜୀବ ବସ୍ତୁଟିଏ ଭଳି ଚୁପଚାପ ବସି ରହିଥିଲେ। ଆଖିର ଲୁହ ଗୁଡିକ ବୋହିଯିବାକୁ ଚେଷ୍ଟା କରିବି ବିଫଳ ହେଉଥିଲେ।ଘେରି ରହିଥିବା ସ୍ତ୍ରୀ ଲୋକଙ୍କ ଗହଣ ଭିତରୁ ଭାସି ଆସୁଥିଲା ଅର୍ତ୍ତଚିତ୍କାର ରେ ଭରା ଅଲୋକ ବୋଉର ଛାତି ଫଟା କାନ୍ଦିବାର ସ୍ୱର। "ତୁ ଏ କି କଲୁରେ ଅଲୋକ କାହିଁକି ବେକରେ ଦଉଡି ଦେଇ ମଲୁ"।

ଟେବୁଲ ଉପରେ ବହିର ବୋଝ ତଳେ ଅଧା ଚାପି ହୋଇ ଝରକା ବାଟ ଦେଇ ବୋହିଆସୁଥିବା ସୁଲୁସୁଲିଆ ପବନରେ ଫଡ ଫଡ ଶବ୍ଦ କରି କିଛି କହିବାକୁ ଚାହୁଁଥିବା କାଗଜ ଖଣ୍ଡକ ଉପରେ ପ୍ରଶାନ୍ତର ନଜର ପଡିଲା। ତାହାରି ଉପରେ ଅଲୋକ ଲେଖିଯାଇଥିଲା ତା ଶେଷ ଲେଖା। ଜୀବନସାରା ଲୁଚାଇ ରଖିଥିବା ତା ହୃଦୟର ବ୍ୟଥାକୁ ଉତାରି ଦେଇଥିଲା କିଛି ଶବ୍ଦ ମାଧ୍ୟମରେ।

ବାପା ମନ ଦୁଖ କରିବନି। ତମ ରାଣ ବାପା, ମୁଁ ବହୁତ ଚେଷ୍ଟା କରିଛ ତମ ସ୍ୱପ୍ନକୁ ପୁରା କରିବାକୁ, ତମର ପ୍ରତିଟି କଥାକୁ ଅନୁସରଣ କରିବାକୁ, ଭଲ ପାଠ ପଢିବାକୁ। କିନ୍ତୁ ପ୍ରତେକ ଥର ମୋ ସ୍ବପ୍ନ ଏଥିରେ ପ୍ରତିବନ୍ଧକ ସାଜିଛି। ମୁଁ ନିର୍ଣ୍ଣୟ ନେଇ ପାରୁନି ତମ କଥା ମାନିବି ନା ମୋ ହୃଦୟ ର। ଏଥିରେ ନା ତମ ଭୁଲ ନା ମୋର ଭୁଲ। କେବଳ ଗୋଟିଏ ପ୍ରଶ୍ନର ଉତ୍ତର ପାଇବାକୁ ମୁଁ ଛାଡିଯାଉଛି ଏ ଦୁନିଆକୁ। ଯଦି ସ୍ଵର୍ଗରେ ମୋତେ ଭଗବାନ ମିଳିବେ ମୁଁ ତାଙ୍କୁ ପଚାରିବାକୁ ଚାହେଁ ଯଦି ମଣିଷକୁ ଏକ ପ୍ରକାରର ମତିଷ୍କ ଦେଲ କାହିଁକି ହୃଦୟରେ ଭରିଦେଲ ଭିନ୍ନ ଭିନ୍ନ ସ୍ବପ୍ନ। ଯଦି ଜୀବନର ମାନେ କେବଳ ପାଠ ପଢି ବଡ଼ ମଣିଷ ହେବ କାହିଁକି ମୋ ହୃଦୟରେ ଭୀର୍ଣ୍ଣ ଏକ ପ୍ରତିଭା ଦ୍ୱାରା ଲୋକଙ୍କୁ ହସାଇ ସମାଜରେ ନିଜସ୍ୱ ପରିଚୟ ସୃଷ୍ଟି କରିବାର ଆଶା ଦେଲ?

ଆଜି ଯଦି ଆଲୋକ ବଂଚିଥାନ୍ତା, ଏ ଚିନ୍ତା ଅବସାଦଗ୍ରସ୍ତ ସମାଜର ଅନେକ ଲୋକଙ୍କୁ ନିଜର ହସ କଳା ଦ୍ୱାରା ଆନନ୍ଦରେ ବଞ୍ଚିବାର ନୂଆ ରାସ୍ତା ଦେଖେଇପାରିଥାନ୍ତା। କିନ୍ତୁ କହିକି ଏ ସମାଜ ଏ ଭଳି ଅନନ୍ୟ ପ୍ରତିଭାର ଅଧିକାରୀ ନିରୀହ ଜୀବନ ଗୁଡିକୁ ବିକଶିତ ହେବ ଆଗରୁ ନଷ୍ଟ କରି ଦେଉଛି? କାହିଁକି ତାଙ୍କୁ ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରି ବଞ୍ଚିବାକୁ ସାହସ ଦଉନି? ଯଦି ଏହିଭଳି ଅନନ୍ୟ ପ୍ରତିଭାଧାରି ମାନେ ଲୋପ ପାଇଯିବେ ଏ ମାନବ ଜାତିର ଅବସ୍ଥା କଣ ହେବ? କଳା, ସଙ୍ଗୀତ, ମନୋରଞ୍ଜନ ବିନା ମଣିଷ ଗୁଡାକ ପାଗଳ ଭଳି ବୁଲିବେ। ଦିନେ ନା ଦିନେ ଯଦୁ ବଂଶ ଧ୍ବଂସ ହେଲା ପରି ଏ ମଣିଷ ସମାଜ ବି ଲୋପ ପାଇଯିବ।

ସୌମ୍ୟର ରେଜଲ୍ଟ କଣ ହେଲା? ସ୍ତ୍ରୀଙ୍କ ପ୍ରଶ୍ନରେ ଚମକି ଉଠିଲେ ପ୍ରଶାନ୍ତ ବାବୁ। ଭାବନର ସ୍ରୋତରେ ନିସ୍ତେଜ ହୋଇପଡିଥିବା ଶରୀର କ୍ରିୟାଶୀଳ ହୋଉପଡ଼ିଲା। ଆଖି ଆଗରେ ନାଚି ଉଠୁଥିଲା ଅଲୋକର ମୃତ୍ୟୁ ଶଯ୍ୟା ଉପରେ ଶୋଇ ରହିଥିବା ସୌମ୍ୟର ଚିତ୍ର।

ସୌମ୍ୟ କୁଆଡେ ଗଲା? ସେ ଚିତ୍କାର କରି ସ୍ତ୍ରୀକୁ ପଚାରିଲେ।

କହିଲା ତ ସାଙ୍ଗ ଘରକୁ ଯାଉଛି, ହେଲେ ତମେ କାହିଁକି ଏମିତି ବାଉଳି ହୋଉଛ?

କୋଉ ସାଙ୍ଗ ଘରକୁ? ସ୍ତ୍ରୀ ର ବ୍ୟର୍ଥ ପ୍ରଶ୍ନର ଉତ୍ତର ଦେଇ ସମୟ ନଷ୍ଟ କରିବାକୁ ସେ ଚାହୁଁ ନ ଥିଲେ।

ତାର ତ ତିନି ଚାରଟି ସାଙ୍ଗ ରୁହ ଫୋନ କରି ପଚାରୁଛି।

ଜଲ୍ଦି କର.....। ମୁଁ ବହୁତ ବଡ଼ ଭୁଲ କରି ଦେଇଛି। ଭଗବାନ ମୋତେ ପ୍ରାୟଶ୍ଚିତ ପାଇଁ ଗୋଟିଏ ସୁଯୋଗ ଦିଅ। ମୁଁ ଏମିତି ଭୁଲ ମୋ ଜୀବନରେ କେବେ ବି କରିବିନି। ସେ ପାଗଳ ଭଳି ଗୁଣୁଗୁଣୁ ହୋଇ ଘରର ଗୋଟିଏ କୋଣରୁ ଅନ୍ୟ କୋଣକୁ ବୁଲିବାକୁ ଲାଗିଲେ। ଶରୀରଟା ଥରୁ ଥାଏ, ଆଖି ଭିତରେ ଲୁହ ଜମା ବାନ୍ଧିବାକୁ ଲାଗିଲେ, ଗଲା ଶୁଖିଯାଉଥିଲା, ଦେହ ହାତ ଝାଳରେ ବୁଡ଼ିଗଲା। ସତେ ଯେମିତି କିଛି କ୍ଷଣ ଆଗରୁ ଥଣ୍ଡା ପବନ ବୋହୁଥିବା ଏ ସିରୁ ଝାଞ୍ଜି ପବନ ବାହାରୁଥିଲା।

ନା କୋଉଠି ବି ନାହିଁ। କଥା କଣ ମୋତେ ବି ତ କୁହ।

ମୁଁ ତାର କିଛି ହେବାକୁ ଦେବିନି। ତମେ ଚିନ୍ତା କରନି ମୁଁ ଯାଉଛି କିଛି ସମୟ ରେ ସୌମ୍ୟକୁ ଖୋଜି ଆଣି ଆସିବି।

ମନରେ ଉଠୁଥିବା ଅନେକ ଦୁଶ୍ଚିନ୍ତା କୁ ସାଥି କରି ପ୍ରଶାନ୍ତ ବାବୁ ଘୁରି ବୁଲିଲେ ସହରର ପ୍ରତିଟି ଗଳିକନ୍ଦି। ସମୟ ଗଡି ଚାଲି ଥାଏ ମୁଣ୍ଡ ଉପରେ ଥିବା ସୂର୍ଯ୍ୟ ଆତୁର ହେଉଥାଏ ପଶ୍ଚିମ ଆକାଶ ରେ ବୁଡିବା ପାଇଁ। କ୍ଷଣକ୍ଷଣକେ ଭାସି ଯାଉଥିବା ଧଳା ବାଦଲ ଖଣ୍ଡ ଗୁଡିକ ମନରେ ଭ୍ରମ ସୃଷ୍ଟି କରୁଥିଲେ ସାନ୍ଧ୍ୟ ହୋଇଯିବାର। କିନ୍ତୁ ସୌମ୍ୟର କୌଣସି ସନ୍ଧାନ ସେ ପାଇଲେ ନାହିଁ।

ହଠାତ ତାଙ୍କର ମନେ ପଡିଲା ସହରର ଭୀଡଭାଡ଼ ଠୁ ଦୂରରେ ଏକ ନିଛାଟିଆ ସ୍ଥାନରେ ଥିବା ଭଙ୍ଗା କୋଠାଘର କଥା। ସେ କାଳ ବିଳମ୍ବ ନ କରି ପବନ ଗତିରେ ଗାଡି ଚଳାଇ ସେହି ଆଡେ ମାଡି ଚାଲିଲେ। ରାସ୍ତା ଠାରୁ କିଛି ଦୂରରେ ଥିବା ଏକ ଭଙ୍ଗା ପାଚେରୀ ଉପରେ କେହିଜଣେ ବସିଥିବା ଦିଶୁଥିଲା। ସେ ପାଖକୁ ଗଲେ। ସବୁଜ ପାହାଡ଼ ଭିତରେ ବୁଡି ଯାଉଥିବା ଲାଲ ଟକଟକ ସୂର୍ଯ୍ୟ, ମୁକୁଟ ସଦୃଶ୍ୟ ଶୋଭାପାଉଥିଲା ଇନ୍ଦ୍ରଧନୁର ସାତ ରଙ୍ଗ ସେହି ରଙ୍ଗ ପ୍ରତି ଲାଳାୟିତ ପକ୍ଷୀ ପଲ ଉଡିଯାଉଥିଲେ ଅନ୍ୟ ଏକ ନୂତନ ସକାଳର ସନ୍ଧାନରେ। ତାରି ଭିତରେ ନିଜକୁ ହଜାଇ ଦେଇ ଚିତ୍ର ଅଙ୍କିବାରେ ବ୍ୟସ୍ତ ଥିଲା ସୌମ୍ୟ।

ହଠାତ ସେହି ନିର୍ଜନ ସ୍ଥାନରେ କାହାର ସ୍ପର୍ଶ ପାଇ ଚମକିପଡି ଚାହିଁଲା ସେ। ଆଖି ଆଗରେ ଠିଆ ହୋଇ ରହିଥିଲେ ବାପା। ଭୟରେ କାଗଜ ଖଣ୍ଡକୁ ମୋଡି ମକଚି ତଳେ ଫିଙ୍ଗିଦେଲା।

ବାପା ମୁଁ ପାସ କରିଛି ନା ଫେଲ? ଥରଥର ଗଳା ରେ ସୌମ୍ୟ ପଚାରିଲା।

ପ୍ରଶାନ୍ତ ବାବୁ କାଗଜଟିକୁ ଗୋଟେଇ ଖୋଲି ଦେଖି ଲୁହ ଲୁହ ଛଳ ଛଳ ଆଖିରେ କୁଣ୍ଢେଇ ପକେଇଲେ ସୌମ୍ୟକୁ।

ହୁଏତ ତୁ ଏ ପରୀକ୍ଷାରେ ଫେଲ ହେଇଥାଇପାରୁ କିନ୍ତୁ ଭଗବାନ ତୋତେ ଯୋଉ ଅନନ୍ୟ ପ୍ରତିଭା ଦେଇଛନ୍ତି ସେଥିରେ ତୋତେ କେହି ବି ହରେଇ ପାରିବେନି।

ମଣିଷ ଜୀବନର ଲକ୍ଷ୍ୟ ଯେ କେବଳ ବହି ଖାତାରେ ଥିବା କିଛି ଅକ୍ଷର ଭିତରେ ସୀମିତ ନୁହଁ ସେକଥା ପ୍ରଶାନ୍ତ ବାବୁ ସେହିଦିନ ବୁଝିପାରିଥିଲେ।

ବର୍ଣ୍ଣନା ଶୈଲୀ ଯୋଗୁ ହୁଏତ ଲେଖାର କିଛି ଅଂଶ କାଳ୍ପନିକ ଲାଗିପାରେ। କିନ୍ତୁ ପ୍ରକୃତରେ ପ୍ରତି ବର୍ଷ ଆମ ସମସ୍ତଙ୍କର ଆଖପାଖରେ ଘଟୁଥିବା ବାସ୍ତବ ଘଟଣା ଉପରେ ଆଧାରିତ ଅଟେ। ଉଦେଶ୍ୟ କାହାକୁ ଦୋଷାରୋପ କରିବା ନୁହେଁ ଅଦିନରେ ଝଡିପଡୁଥିବା କଅଁଳ ଜୀବନକୁ ବଞ୍ଚାଇବା। ଯଦି ଏହା ଆପଣମାନଙ୍କ ପସନ୍ଦ ଯୋଗ୍ୟ ହୁଏ ସମସ୍ତ ଅଭିଭାବକ ମାନଙ୍କ ସହ ବାଣ୍ଟିବାକୁ ଅନୁରୋଧ।

ଜୀବନ ସଫଳତା ପରୀକ୍ଷା

Rate the content


Originality
Flow
Language
Cover design

Comments

Post

Some text some message..