Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishraguru

Others

3  

Nibedita Mishraguru

Others

ବିଲଡିଂ ନଂ- ୩୨

ବିଲଡିଂ ନଂ- ୩୨

4 mins
7.7K


ଗ୍ରୀଷ୍ମର ସେଇ ଉଦାସ ଗୋଧୂଳିରେ ଜାଗାଟି ଯେତେ ପାଖେଇ ଆସୁଥିଲା , ସେତିକି ବଢି ଚାଲିଥିଲା ମୋର ଉତ୍କଣ୍ଠା । ଦ୍ଵିତୀୟ ଥର ମୁମ୍ବାଇ ରହଣିର କେତେ ବର୍ଷ ପରେ ସତେ ଯେମିତି ମୋର ଏକ ସ୍ୱପ୍ନ ସାର୍ଥକ ହେବାକୁ ଯାଉଚି । କାର ଅଟକିବା ମାତ୍ରେ ତର ତର ହେଇ ଓହ୍ଲେଇ ପଡିଲି ମୁଁ । ଅଦୁରରୁ ଦିଶୁ ଥିଲା ମୋର ପ୍ରିୟ ୩୨ ନଂ ବିଲଡିଂ । ପ୍ରଥମ ମହଲାର ସେଇ ଫ୍ଲାଟ ଆଉ ତାର ଲମ୍ବା ବାଲକନି ,ଯିଏ ଦିନେ ମୋର ଅତି ପ୍ରିୟ ଥିଲା । ମୋ ସ୍ବପ୍ନର ଘର । ଆରମ୍ଭ ହେଇଥିଲା ଯେଉଁଠି ମୋ ଜୀବନ ଧାରାର ନୂତନ ଏକ ମୋଡ । ବିବାହ ପରେ ଅଜସ୍ର ସୁନ୍ଦର ସ୍ବପ୍ନକୁ ସାଉଁଟି ଧରି ପ୍ରଥମ କରି ଆସିଥିଲି ପନଭେଲର ନୂଆ କରି ତିଆରି ହେଇଥିବା ଏଇ କମ୍ପାନୀ କ୍ୱାର୍ଟରକୁ । ପ୍ରଥମ ଘର କରଣା। ବେଶ ଆଦରରେ ସଜେଇ ଥିଲି ମୋ ଘର । ମାତୃତ୍ତ୍ୱର ଅପୂର୍ବ ଅନୁଭବର ସୁଖରେ ଦିନେ ବିଭୋର ହେଇଥିଲି ବି । ପ୍ରଥମ କରି ଏଇ ଘରେ ମା ହେଇଥିଲି ମୁଁ ।

କିନ୍ତୁ ଇଏ କଣ ମୋର ସେଇ ସ୍ବପ୍ନର ଘର ଯାହାକୁ ମୁଁ ଏବେ ମଧ୍ୟ ମୋ ହୃଦୟରେ କେତେ ଆଦରରେ ସାଇତି ରଖିଚି। ୟା ଭିତରେ ଅନେକ ବର୍ଷ ଅତିବାହିତ ହେଇ ସାରିଲାଣି । ସମୟ ପ୍ରବାହରେ ସେ ବିଲଡିଂ ଏବଂ ତାର ଚାରିପାର୍ଶ୍ଵର ପରିବେଶ ସମସ୍ତ ଶ୍ରୀ ହରେଇ ବସିଚି। ମଥା ଉପରର ଆକାଶ ବି ଏବେ କେତେ ସଂକୀର୍ଣ୍ଣ ଠିକ ଆଜିର ମଣିଷର ମନ ପରି । ନିକଟରେ ଥିବା ବିଶାଳ ସବୁଜ ଆମ୍ବ ତୋଟା ସ୍ଥାନରେ ବିରାଟ କଂକ୍ରିଟ ଜଙ୍ଗଲ । ସେ ଉଦାସ ଗୋଧୂଳି ମୋ ପାଇଁ ଆହୁରି ଉଦାସ ହେଇ ଉଠିଲା । ମୁଁ କିନ୍ତୁ ଫେରି ଯାଇଥିଲି ମୋ ସ୍ୱପ୍ନର ସେଇ ପ୍ରଥମ ଘରକୁ ।

୩୨ନ ବିଲଡିଂ ପ୍ରଥମ ମହଲାର ପ୍ରଥମ ଫ୍ଲାଟର ବାଲକନି ସାମନାରେ ଲମ୍ବି ଯାଇଛି ପରିଷ୍କାର ପକ୍କା ସଡକ । ସଡକ ଧାରରେ ଫୁଲ ଭାରରେ ନଇଁ ପଡୁଥିବା ଅନେକ କନିଅର ଓ ଟଗର ଗଛ ଧାଡି ହେଇ । ସଡକ ସେ ପାଖରୁ ଆରମ୍ଭ ହେଇ ଯାଇଛି ବିସ୍ତୀର୍ଣ୍ଣ ଆମ୍ବ ବଗିଚା ଅନେକ ଦୂର ପର୍ଯ୍ୟନ୍ତ । ପଛକୁ ଦୂର ଦିଗବଳୟ ନିକଟରେ ଦର୍ପର ସହ ଠିଆ ହେଇଚି ସହ୍ୟାଦ୍ରି ପର୍ବତ ମାଳା । ଧୂସର ଅପରାହ୍ନରେ ଥକା ସୂର୍ଯ୍ୟ ହଠାତ ଲୁଚି ଯାଏ ସହ୍ୟାଦ୍ରି ପଛ ପଟେ । ନଇଁ ଆସେ ମନୋରମ ସନ୍ଧ୍ୟା ଆମ୍ବ ତୋଟା ଆଡୁ । ବାଲକନିରେ କୁନିପୁଅକୁ କୋଳରେ ଧରି ମୁଁ ଜହ୍ନ ତାରା ଦେଖାଏ। " ଆ, ଜହ୍ନ ମାମୁ ସରଗ ଶଶୀ .....ମୋ କାହ୍ନୁ ହାତରେ ...." ଦୁହିଁଙ୍କର ପ୍ରତୀକ୍ଷା ଥାଏ କିନ୍ତୁ ଗୋଟିଏ ଶବ୍ଦକୁ । ଅଫିସ ଜୀପ ଅଟକିବାର ଶବ୍ଦ ଶୁଭେ । ରାସ୍ତାର ଝାପସା ଆଲୁଅରେ ଓଲ୍ହାଉ ଥିବା ଛାଇ ମଣିଷଟିକୁ ଚିହ୍ନି ନେଇ ପୁଅ ମୋର ଆନନ୍ଦରେ ଉଛୁଳି ଉଠେ । ପାପା ...ପାପା । ମୋ ମୁହଁରେ ବି ଖେଳି ଯାଏ ସ୍ମିତ ହସ । ଡୋର ବେଲ ବାଜିଲା ବେଳକୁ ଖୁସିରେ ନାଚିବା ଆରମ୍ଭ କରିଦେଇଥାନ୍ତି କୁନି କୁନି ପାଦ ।

ବର୍ଷା ଋତୁର ଅନନ୍ୟ ଶୋଭା ସତରେ ଅବର୍ଣ୍ଣନୀୟ । ସହ୍ୟାଦ୍ରି ଆଦୌ ଦିଶେନା। ମେଘୁଆ ପାଗରେ ଯେମିତି ଅଳସୁଆ ହେଇ ଶୋଇ ପଡିଥାଏ ଘୋଡ଼ି ହେଇ ମେଘର ବହଳ ଚାଦର । ଅନେକ ସମୟରେ ଚାଲିଥାଏ ଖରା ଆଉ ମେଘଙ୍କର ଲୁଚକାଳି ଖେଳ । ବର୍ଷା ଆସିଲେ ବାରମ୍ବାର ମନେ ପଡେ ମୋର ବାପାଙ୍କ ଅନେକ ପୁରୁଣା ଡ଼ାଇରୀର ଧାଡିଟିଏ ..ମୁଁ ଯେ ଆଦ୍ୟ ଆଷାଢ଼ ବାରି ଧାରା ହେଇ ଧରଣୀ ବୁକୁରେ ଲୋଟି ଯିବି..ଠିକ ସେମିତି ହିଁ ସେ ଅପୂର୍ବ ଅନୁଭଵ । ବାଲକନିରୁ ମୁଁ ଅପେକ୍ଷା କରେ ବର୍ଷାକୁ । ମେଘ ଧୀରେ ଧୀରେ ଓହ୍ଲେଇ ଆସେ ସୁଉଚ୍ଚ ସହ୍ୟାଦ୍ରିର ଛାତିରୁ ତଳକୁ ଶୀତଳ ପବନ ସହ । ଅଦୁରରୁ ବର୍ଷା ଅସରା ଆଗେଇ ଆସୁଥିବାର ଦିଶେ । ଯେମିତି ସେ ଆସୁଥାଏ କେବଳ ମୋରି ଆଡକୁ । ମତେ ହିଁ ଭିଜେଇ ଦେବା ପାଇଁ । ମୁଁ ଆଗକୁ ହାତ ବଢାଏ ଭିଜିବାକୁ । ମୋ ହାତ ତଳେ ଲମ୍ବି ଯାଏ ଦୁଇଟି କୁନି ହାତ ମୋ ସହ ଭିଜିବା ପାଇଁ । ଘନ ଘୋର ବର୍ଷା ରାତିରେ ପୁଅକୁ ଶୁଆଇଲା ବେଳେ ଆପେ ଆପେ ଗାଇ ହେଇଯାଏ .."କି କରାଳ ଆଜି ରଜନୀ ବହେ ଝଞ୍ଜା ପବନ ..ତାରା ନ ଦିଶଇ ଗଗନେ .."ଆଖି ଆଗରେ ସେତେବେଳେ ଭାସି ଆସେ ସାନବେଳେ ବୋଉ କୋଳରେ ମୁଣ୍ଡ ରଖି ଏଇ ଗୀତ ଶୁଣି ମୋର ଶୋଇବାର ଦୃଶ୍ୟ।

ଫଗୁଣର ଆଗମନରେ ଅସୁମାରୀ ବଉଳରେ ଭରିଯାଏ ଆମ୍ବ ତୋଟା । ଆଗାମୀ ସୁନ୍ଦର ସହଜ ଜୀବନକୁ ନେଇ ମୋ ଆଖିରେ ଧୀରେ ଧୀରେ ଖୁନ୍ଦି ହଉଥିବା ଅନେକ ମଧୁର ସ୍ବପ୍ନ ପରି ଖୁନ୍ଦି ହେଇ ଯାଏ ପ୍ରତି ଗଛରେ ଅସଂଖ୍ୟ ଆମ୍ବ କଷି । ଭାରି ମନ ହୁଏ ସାନବେଳ ପରି ଆମ୍ବ ଝଡ଼େଇ ଖାଇବାକୁ । ଗ୍ରୀଷ୍ମର ବିଳମ୍ବିତ ସନ୍ଧ୍ୟାରେ ତାରା ଭରା ଆକାଶ ତଳେ ଫାଙ୍କା ରାସ୍ତାରେ ଦୁହେଁ ସାଥି ହେଇ ଅନେକ ଦୂର ପର୍ଯ୍ୟନ୍ତ ଚାଲିବା , ପୌଷ ରବିବାରର ଶୀତୁଆ ସକାଳକୁ ବାଲକନିରେ ଉଷୁମ ଚା ସହ ଉପଭୋଗ କରିବା ଏମିତି ଅନେକ ଛୋଟ ଛୋଟ ଖୁସିର ମୁହୂର୍ତ୍ତ ଯାହା ମତେ ଆଜି ବି ଆନମନା କରେ । ହାତ ଧରି ନେଇ ଯାଏ ମତେ ସେଇ ସୁନ୍ଦର ଦିନମାନଙ୍କୁ । ଆଖି ଆଗରେ ଭାସି ଆସେ ନୂଆ କରି ଚାଲି ଶିଖୁ ଥିବା ମୋ ପୁଅର ଦୁଷ୍ଟାମୀ ଶୁଭିଯାଏ ତା ଗେହ୍ଲା ଡାକ ।

କେମିତି ତୀବ୍ର ବେଗରେ ସମୟ ଭସେଇ ନିଏ ମଣିଷକୁ ସ୍ରୋତସ୍ୱିନୀ ନିର୍ଝରିଣୀରେ ଏକ ଶୁଷ୍କ ପତ୍ର ପରି । ସାଥିରେ ଆଣି ଆସେ ଅନେକ ପରିବର୍ତ୍ତନ। କିଛି ସୁଖଦ ଆଉ କିଛି ଦୁଃଖଦ । ମୁଁ ବ୍ୟଥିତ ହେଇ ଉଠୁଥିଲି ଘନ କଂକ୍ରିଟ ଅରଣ୍ୟ ମଧ୍ୟରେ ଖୁବ ପରିତ୍ୟକ୍ତ ଓ ଅପରିଚିତ ମନେ ହେଉଥିବା ସେଇ ରଙ୍ଗ ଛଡା ବାଲକନିକୁ ଦେଖି ଯେଉଁଠି ଡାଳ ପତ୍ର ମେଲି ଅସୁମାରୀ ରଙ୍ଗୀନ ଫୁଲ ସହ ସୁନ୍ଦର ଲତାଟିଏ ହେଇ ଶୋଭା ପାଉଥିଲା ମୋର ବିତି ଯାଇଥିବା ସମୟ ମୋରି ମାନସ ପଟରେ । ଅତୀତର ସେଇ ମଧୁର ସ୍ମୃତି ସବୁ ଯେମିତି ଦୁରେଇ ଯାଉଥିଲେ ମୋ ପୃଥିବୀରୁ । ହଜି ହଜି ଯାଉଥିଲେ ସମୟର ଉତ୍ତାଳ ଲହରୀରେ । ହଠାତ ଫେରି ଆସି କାରରେ ବସିଲି ମୁଁ । ଜଲଦି ଚାଲ । ଏଠୁ ଫେରି ଯିବା ଆମେ ।

ନିବେଦିତା ମିଶ୍ରଗୁରୁ


Rate this content
Log in