Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Snigdha Nayak

Inspirational Others

5.0  

Snigdha Nayak

Inspirational Others

ଶିକ୍ଷିତା

ଶିକ୍ଷିତା

4 mins
14.5K


ଓହୋ....୯ ଟା ବାଜିଲାଣି...। ତଥାପି ଦେଖାଦର୍ଶନ ନାହିଁ । ଆରେ ହେଇ, ଶୁଣୁଛ,କହିଥିଲି ତାକୁ ସକାଳ ୬ଟାପୂର୍ବରୁ ପହଂଚିବାକୁ ।ଏ ଯାଏଁ ଆସିନି, ଏମାନଙ୍କ ଜାତଗୋତ୍ର ହିଁ ଏଇଆ ,କମେଇ କୁଠେଇ ଖାଇବାର ଇଛା ତ ନାହିଁ ।ଠକ.., ସବୁଗୁଡାକ ସେଇ ଏକ ପ୍ରକାରର ଠକ । ତମେ କଣ ଏମିତି ଖବରକାଗଜ ରେ ମଗ୍ନ ହୋଇଯାଇଛ ଯେ , ମୁଁ କ'ଣ ଏ କାନ୍ଥ ମାନଙ୍କୁ କହୁଛି ? ରମେଶ ବାବୁ (ଲଳିତାଙ୍କ ସ୍ୱାମୀ) , ଲଳିତାଙ୍କ ପାଟି ଶୁଣି ବିରକ୍ତ ହୋଇ ଖବରକାଗଜ ଟିକୁ ଫୋଲ୍ଡ଼ କରି ଥୋଇଦେଲେ ସେଣ୍ଟର ଟେବୁଲ ଉପରେ । ପ୍ରଶ୍ନଭରା ଚକ୍ଷୁ ରେ ଅନାଇଲେ ଲଳିତାଙ୍କୁ ।କଣ ହେଲା କୁହ? କାହିଁକି ସକାଳୁ ସକାଳୁ ମିଛଟାରେ ଭଡ଼ ଭଡ଼ ହେଉଛ ଯେ ଅନ୍ୟ ଦିନଗୁଡିକରେ ତ ଫୁରସତ ନ ଥାଏ । ଆଜି ତ ରବିବାର ,ଟିକେ ଶାନ୍ତିରେ ତ ମଣିଷ କୁ ବସିବାକୁ ଦିଅ । ୯ଟା ହେଲାଣି ଏ ଯାଏଁ ତ ଚା' କପେ ମିଳିଲାନି ,ଖାଲିଟାରେ ଆଉ ସକାଳୁ ସକାଳୁ ମହାଭାରତ କରନି ବୁଝିଲ ।

ହଁ, ହଁ ତମେ ଖାଲି ତମର ସେଇ ଖବରକାଗଜ ଆଉ ଚା' କପ ର ଚିନ୍ତା କରୁଥାଅ । ଫୁରସତ ତ ମୋର ବି ନ ଥାଏ ଅଲଗା ଦିନରେ , ଆଉ ତମର ତ ରବିବାର । ମୋର ନା ରବିବାର ନା ସୋମବାର....। ବାକି ଦିନରେ ମୁଁ ବି ଅଫିସ ଯାଏ ତା ସାଙ୍ଗକୁ ଘରକାମ , ହେଲେ ତମର ତ ଆଜି ରବିବାର ...ବେଶ ଭଲ କଥା । ଓହୋ ..., ଭଗବାନ ସେ ବାଜେ କଥା ଗୁଡା ଛାଡି କଣ ହେଇଚି କହୁନ ।କହିବି କଣ କହିବି? କହିବା କଥା କୁହନି ,କଣ କରିବି ଚିନ୍ତା କରୁଛି....., କହି ବସିପଡିଲେ ଲଳିତ। ଦେବୀ ସୋଫା ଉପରେ ଲଳିତାଦେବୀ ଜଣେ ସମାଜ ସେବିକା । ନାରୀ ନିର୍ଯ୍ୟାତନା, ନାରୀ ଶିକ୍ଷା , ନାରୀ ସୁରକ୍ଷା ପାଇଁ ସେ ଅନେକ କାମ କରିଥିବାରୁ ତାଙ୍କୁ ସରକାରଙ୍କ ଠୁ ତାଙ୍କୁ ଅନେକଥର ପୁରସ୍କାର ମିଳିଛି । ଆଜି ତାଙ୍କର ସହକର୍ମୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରିତ କରିଛନ୍ତି ହେଲେ ମେଡ ଏ ଯାଏଁ ଆସିନ ଥିବାରୁ ତାଙ୍କ ମୁଣ୍ଡ କାମ କରୁନଥାଏ । ଠିକ ସେତିକିବେଳେ କେହିଜଣେ କବାଟ ବଡେଇବାର ଶବ୍ଦ ଶୁଣାଗଲା ।ଧଡ଼ପଡ ହୋଇ ଉଠିପଡ଼ି ଦୌଡିଯାଇ କବାଟ ଖୋଲିଲେ ଲଲିତା,କବାଟ ସାମ୍ନାରେ ତାଙ୍କ ଚାକରାଣୀ ରାଖୀ ।

ଶାଢ଼ୀର କାନିଟିକୁ ଅଣ୍ଟାରେ ଖୋସି ଖୋସି ପସିଆସିଲା ଘର ଭିତରକୁ ,ଚାଲିଲା ସିଧା ରୋଷେଇ ଘରକୁ ତା ପଛରେ ପଛରେ ଚାଲିଲେ ଲଳିତା । ରାଗରେ ଥମ୍ ଥମ୍ ହୋଇ ପଚାରିଲେ, 'ଆଲୋ' ତୋର କଣ ଏବେ ସମୟ ହେଲା? ତତେ କଣ କାଲିଠୁ କହି ନଥିଲି କିଟି ପାର୍ଟି ଅଛି ବୋଲି..। ମୋର ଅନେକ ବାନ୍ଧବୀ ଘରକୁ ଆସିବେ ବୋଲି । ରାଖୀ କିଛି ଜବାବ ନ ଦେଇ ମୁଣ୍ଡତଳ କରି ଲାଗିଗଲା ନିଜ କାମରେ, ତା'ଆଖିଗୁଡାକ ନାଲି ଦେଖାଯାଉଥାଏ ,ମଝି ମଝିରେ ଖୁଇଁ ଖୁଇଁ ହୋଇ କାସୁଥାଏ । ଆଛା ତୁ ତ କାଲିଠୁ ଜାଣି-ଥିଲୁ ତତେ ସହଳ ଆସିବାର ଅଛି, ତଥାପି କୁଆଡେ ମରିଥିଲୁ ଯେ ପୁନଶ୍ଚ ପ୍ରଶ୍ନ କଲେ ଲଳିତା । ଜାଣିଥିଲି ବୋଲି ତ ଆସିଲି ଦିଦି ।

କାଲି ରାତିଠୁ ଭୀଷଣ ଜ୍ୱର , ଉଠିବାକୁ ବଳ ପାଉ ନ ଥିଲା ।ତଥାପି ଜାଣିଥିଲି ବୋଲି ଆସିଲି ଦିଦି ।ଝିଅକୁ ଟ୍ଯୁସନରେ ଛାଡି ଆସୁ ଆସୁ ଟିକେ ବିଳମ୍ବ ହୋଇଗଲା । ଆରେ ...ଆରେ।...ହେଇ -ଲୋ , ତତେ ମୁଁ କେତେ ଥର କହିଛି ଏମିତି କାମଥିଲେ ଝିଅକୁ ସାଙ୍ଗରେ ନେଇ କି ଆସିବୁ ,ଦି ଜଣ ମିଶିକି କରିଥାନ୍ତ, କାମ ବି ସହଳ ଶେଷ ହୋଇଥାନ୍ତା ଆଉ ତୋ ଝିଅ ବି କାମ ଶିଖନ୍ତା ।କାମ ଶିଖିଲେ ସିନା ଦି ' ପଇସା ରୋଜଗାର କରନ୍ତା ,ଆଉ ତତେ ବି ସାହାଯ୍ୟ ହୋଇଥାନ୍ତା । ହେଲେ ତୁ କଣ ମୋ କଥା ଶୁଣୁ ଏଥର ତାକୁ ସାଙ୍ଗରେ ନେଇକି ଆସିବୁ ବୁଝିଲୁ । ନାଇଁ ଦିଦି ତାର ପାଠ ଛାଡି ସେ କେମିତି ଆସିବ ଯେ ,ବ।ସନ ମଜା ସାରି ,ଶାଢ଼ୀ କାନିରେ ହାତକୁ ପୋଛି ପୋଛି ଉତ୍ତର ଦେଲା ରାଖି । ହୁଁ...., ପାଠ ନା ହାଟ..., ଖାଇବାକୁ ଦି'ଗଣ୍ଡା ନାହିଁ, କି ପିନ୍ଧିବାକୁ ଖଣ୍ଡିଏ ନାହିଁ , ଅଇଠା ବାସନ ନ ମାଜିଲେ ବଞ୍ଚିବା ମୁସ୍କିଲ ,ସେଥିରେ ଏମାନଙ୍କ ନଖର। ଦେଖ କହିଲା କଣ ନା ପାଠ ପଢିବ ...,ଧୀର ସ୍ୱରରେ ଗୁଣୁ ଗୁଣୁ ହୋଇ କହୁଥାନ୍ତି ।ପଛ୍ରରେ ଚା' କପ ଟି ଧରି ଛିଡା ହୋଇଥିଲା ରାଖୀ ।ସବୁ ଶୁଣି ବି ନ ଶୁଣିଲା ଭଳି ଚା' କପ ଟିକୁ ଡାଇନିଂ ଟେବୁଲ ଉପରେ ଥୋଇଦେଇ ଡାଇନିଂ ଟେବୁଲ ଟିକୁ ସଫା କରିବାରେ ଲାଗିପଡ଼ିଲା ।

ଚା' ପି ସାରି କପଟିକୁ ,ରାଖୀକୁ ଧରାଇ କହିଲେ, ଶୁଣ ରାଖୀ ଉପର ଓଳି ଝିଅକୁ ସାଙ୍ଗରେ ନେଇ କି ଆସିବୁ, ଅନେକ କାମ ଅଛି । ନା' ଦିଦି ମୁଁ କରି ଦେଇଯିବି ଆପଣ ବ୍ୟସ୍ତ ହୁଅନ୍ତୁ ନି ।ସିଏ ଛୋଟ ଝିଅଟା ଥକିଗଲେ, କାଲି ଇସ୍କୁଲ ନାଗା ହେବ.... ଥାଉ ମୁଁ କରିଦେବି ।ହଁ ସତରେ ପାଠ ପଢି କଲେକ୍ଟର ହେଇଯିବ ଆଉ ।ମୁହଁ ଛିଂଛାଡ଼ି ରାଗରେ ଥମ୍ ଥମ୍ ହୋଇ କହିଲେ ଲଳିତା ।

ଲଳିତାଙ୍କ କଥା ଶୁଣି ତା ଆଖି ଛଳ ଛଳ ହୋଇଯାଉଥାଏ, ମନେ ପଡିଯାଉଥାଏ ଅତୀତ....। ସେ ଥିଲା ତା' ବାପା, ମା ' ର ପ୍ରଥମ ସନ୍ତାନ, ତା ତଳକୁ ଛ' ଭାଇ ଭଉଣୀ । ମା' ର ହାତ ବଟାଇବାକୁ ଯାଇ ଅଧାରୁ ପାଠ ପଢ଼ା ବନ୍ଦ ହୋଇଯାଇଥାଏ ।ବଡ ପରିବାର ସାଙ୍ଗକୁ ଦରିଦ୍ରତା । ଗଣ୍ଡିଏ ଭାତ ପାଇଁ ମା ସାଙ୍ଗରେ ପ୍ରତିଦିନ ବାହରିଯାଏ କାମକୁ । ଅଇଁଠା ବାସନ ମାଜି ଯଉ ଦୁଇ ପଇସା ରୋଜଗାର ହୁଏ ସେଥିରେ ଘର ଚାଲେ । କିଛି ବର୍ଷ ପରେ ଅଭାବରୁ ଖାଇବାକୁ ନ ପାଇ ତା'ତଳ ଦି ଭଉଣୀ ଆଖି ବୁଜିଦେଲେ । ଛୋଟ ବୟସରୁ ବୋଉ ତାକୁ ହାତକୁ ଦି ହାତ କରିଦେଲା । ଭାଗ୍ୟକୁ ଭଲ ବରଟିଏ ପାଇ ଥିବାରୁ ସେ ବି ବେଶ ଖୁସିଥାଏ । ଚାଷ ଜମି ଖଣ୍ଡିଏ ଥାଏ ।ଦି ' ସ୍ୱାମୀ ,ସ୍ତ୍ରୀ ଚାଷ ବାସରୁ ଯାହା ରୋଜଗାର କରନ୍ତି, ସେଥିରେ ବେଶ ଖୁସିରେ ଚାଲିଯାଉଥିଲେ । ମନ୍ଦ କପାଳ, ତା ' ଝିଅ ଜନ୍ମ ହେବାର ବର୍ଷ ଟିଏ ପରେ ,ସ୍ୱାମୀ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ଅପାଠୁଆ ହୋଇଥିବାରୁ ସମ୍ପର୍କୀୟ ମାନେ ଟିପ ଚିହ୍ନ ନେଇ ତା ଜମି ଟିକକ ସେମାନଙ୍କ ନାଁ ରେ ଲେଖେଇ ନେଲେ । ବାଧ୍ୟ ହୋଇ ଶେଷରେ ପୁଣି ତାକୁ ଚାକରାଣୀ କାମ କରିବାକୁ ପଡ଼ିଲା ।ଅଳପ ଦିନର ଖୁସି ପରେ ଯୋଉ ଦୁଃଖକୁ ସେଇ ଦୁଃଖ ଆସିଗଲା ତା'ଜୀବନ ରେ.....।

ଅତୀତ କୁ ଭୁଲାଇ ଲାଗିଥିଲା ଝିଅ ର ଭବିଷ୍ୟତ ଗଢିବାରେ ହେଲେ ଲଳିତା ଦେବୀଙ୍କ କଥା ରେ ସେ ତା ଅତୀତ ସ୍ମରଣ କରି, ତା ' ଆଖି ଛଳ ଛଳ ହୋଇଯାଇଥିଲା । ଅଜଣାରେ ଧୀର ସ୍ୱରରେ ତା ପାଟିରୁ ବାହାରିଗଲା " ପାଠ ପଢି ମୋ ଝିଅ କଣ ହେବ, କି ଚାକିରୀ କରିବ ସେ କଥା ତ ଜାଣିନି ଦିଦି, ହେଲେ ଶିକ୍ଷିତ ହେଲେ ସମାଜ ରେ ମୁଣ୍ଡ ଟେକି ତ ଚାଲିପାରିବା । ଦି' ପଇସା ପାଇଁ କାହା ଆଗରେ ଲଜ୍ଜିତ ହେବାକୁ ତ ପଡିବନି" ସ୍ବର ଧୀର ଓ ଦୁର୍ବଳିଆ ହେଲେ ବି ବେଶ ମଜବୁତ ଥିଲା ।

ତା' ଉତ୍ତରଟି ଯେ କେବଳ ଲଳିତା ଦେବୀଙ୍କ ହୃଦୟକୁ ଆଘାତ ଦେଇଥିଲା ତା ନୁହଁ ତାଙ୍କ ବିକୃତ ମସ୍ତିଷ୍କକୁ ବି ହଲାଇ ଦେଇଥିଲା ।

ସେ ନିଜେ ଜଣେ ଉଚ୍ଚ ଶିକ୍ଷିତା ହେବା ସହ ଜଣେ ସମାଜସେବିକା ହୋଇ ମଧ୍ୟ ,ନିଜର ଏଭଳି ନ୍ୟୁନ ବିଚାରଧାରା ଯୋଗୁଁ ଅନୁତପ୍ତ ଥିଲେ । ଚାକରାଣୀଟି ଅଶିକ୍ଷିତା ଓ ଅସହାୟ ହୋଇ ମଧ୍ୟ ନାରୀ ଶିକ୍ଷାର ମୂଲ୍ୟକୁ ବେଶ ଭଲ ଭାବରେ ବୁଝିପାରିଥିଲା ଝିଅକୁ ପାଠ ପଢାଇ ଭଲ ମଣିଷଟିଏ ତିଆରି କରିବାର ନିଷ୍ପତ୍ତି ନେଇ ନିଜ ଶିକ୍ଷିତା ପଣିଆର ପରିଚୟ ଦେଇଥିଲା ।

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ ।


Rate this content
Log in

Similar oriya story from Inspirational