Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Others

3  

Soumya Shubhadarshinee

Others

ଅମୁଲ୍ ଚକଲେଟ୍

ଅମୁଲ୍ ଚକଲେଟ୍

5 mins
6.6K


ମାମୁଁଘର ଯିବାର ସବୁଠୁ ବଡ଼ ଆକର୍ଷଣର ନାଁ ହେଲା ଲିଜି ନାନୀ । ବଡ଼ ମାମୁଁଙ୍କ ଭାରି ସୁନ୍ଦରୀ, ଗେଲ୍ହେଇ, ନାକ କାନ୍ଦୁରୀ ଝିଅ ସଭିଙ୍କ ପ୍ରିୟ। ଆଈ ତ କୁହେ,

" ଏଇଟା ମୋ ମଧୁବାଲା"।

ଆଦ୍ୟ କୈଶୋରରେ ଥିବା ଚୁଲୁବୁଲି ରୋଲି ପାଇଁ ଲିଜି ନାନୀ ଗୋଟେ ଆଇକନ୍ । ଲିଜି ନାନୀର ଷ୍ଟାଇଲ୍ ସବୁଠୁ ଲ୍ୟାଟେଷ୍ଟ୍ । ଅନାରକଲୀ ସଲ୍ୱାର କୁହ କି ଥ୍ରୀ ପିସ୍ ଜିନ୍ସ ସେଟ୍। ନୂଆ ଷ୍ଟାଇଲ୍ ଇଆର୍ ରିଙ୍ଗ , ବ୍ରେସଲେଟ୍, ନୋଜ୍ ପିନ୍ , ବ୍ୟାଙ୍ଗଲସ୍, ପାୟଲ, ବିନ୍ଦି ଯାହା ଖୋଜିବ ସବୁ ମିଳେ ନାନୀ ପାଖରେ। ନାନୀର ପୁଣି ସବୁବେଳେ ଡ୍ରେସ ସହ ମ୍ୟାଚିଙ୍ଗ ସବୁ ସାଜ ସରଞ୍ଜାମ। ରୋଲିକୁ ଭାରି ଭଲ ଲାଗେ ସେ ସବୁ ପିନ୍ଧି ସଜେଇ ହେଇ ବୁଲିବାକୁ।

ଦଶହରାପୂଜା ଛୁଟି ଆଉ ରଜ ଏଇ ଦୁଇଟି ଅବସର ରେ ମାମୁଁ ଘରେ ଆସର ବସେ। ରୋଲି ଆଉ ତା' ସାନ ଭଉଣୀ ଲାଲୀ ବୋଉ ସହ ଆସନ୍ତି ଅଜା ଘରକୁ। ଭାରି ଆଦର କରନ୍ତି ଆଈ ଆଉ ଅଜା। ବୋଉତ ଗୋଟିଏ ବୋଲି ଝିଅ। ସେଥିପାଇଁ ଭାରି ଗେଲ ବସର ହେଇ ବଢିଥିଲା। ଆଉ ତା' ଝିଅ ଦୁଇଟି କ'ଣ ଅବହେଳା ହୁଅନ୍ତେ। ସେମାନେ ସଭିଙ୍କ ପାଖରେ ପୁରା ସ୍ପେଶାଲ । ସେଠିକୁ ଗଲେ ପାଦ ତଳେ ଲାଗେନି ଖାଲି ଉଡ଼ନ୍ତି ଖୁସିରେ।

ବଡ଼ ମାମୁଁଙ୍କ ଭୁବନେଶ୍ୱର ସେକ୍ରେଟାରୀଏଟ୍ ରେ ଚାକିରୀ। ବଡ଼ ସରକାରୀ ଘରକୁ ଚାରି ପଟେ ଆମ୍ବ , ପଣସ ,ନଡ଼ିଆ, ଜାମୁ କୋଳି , ତେଜ ପତ୍ର ଗଛ। ରାଜଧାନୀ ରେ ବି ଗୋଟେ ଗାଁର ପରିବେଶ। ଦୋଳି ଲାଗିବାକୁ ବଢିଆ ବନ୍ଦୋବସ୍ତ। ଆଉ ଗଛ ଛାଇରେ ଗପସପ, ଖେଳ କୁଦ ବି ମସ୍ତ। ମାଇଁଙ୍କର ବି ଭାରି ଶ୍ରଦ୍ଧା। ପୁରୀର ଝିଅ ସେ ଘର ସବୁବେଳେ ଜଗନ୍ନାଥଙ୍କ ଖଜା , ଗଜା, ଫେଣିରେ ଭରପୁର।

ଲିଜି ନାନୀ ଆଉ ପୁପୁ ନାନା ସହ ରୋଲି ଆଉ ଲାଲି ମିଶି ବଡ଼ ଆନନ୍ଦିତ ହୁଅନ୍ତି।ସେଇଠି ସବୁବେଳେ ମନ ବାନ୍ଧି ରହିଯାଏ ରୋଲିର। ମିଠା ସ୍ମୃତି ଆଉ ଅନାବିଳ ସ୍ନେହର ଠିକଣା ସେଇଠି।

ସବୁ ଭଲ ଭିତରେ ଗୋଟେ ଜିନିଷ ଟିକେ ଅସୁବିଧା ମାମୁଁ ଘରେ। ସେଇଟା ହେଲା ଅଜା ଜୟଗୁରୁ ଦୀକ୍ଷାରେ ତେଣୁ ସେଠି ଚିକେନ୍ ମଟନ ନାହିଁ। ସବୁବେଳେ ସାଦା । ହୁଏଯେ ବଢିଆ ପନୀର, ମସୃମ, ଛେନା, ଛଙ୍କା , ଆଳୁ ବେସନ, ଛୋଲା, ନବରତ୍ନ କୁରୁମା, କିନ୍ତୁ ସେଥିରେ କି ମନ ମାନେ?

ମଟନ ଝୋଳ ଟିକିଏ ଆଗରେ ଏସବୁ ଫିକା । ରୋଲିର ମନ ଭାରି ହାଇଁ ପାଇଁ ହୁଏ । କେବଳ ଲିଜି ନାନୀ ପାଖେ ଥାଏ ବଢିଆ ବିକଳ୍ପ।

ଲିଜି ନାନୀ ସହ ରୋଲି ବାହାରି ଯାଏ 'ଗ୍ରୀନ ଚିଲ୍ଲୀ ' ଆଉ ସେଇଠି ହୁଏ ମସ୍ତ ପାର୍ଟି। ରୋଲିକୁ ଭାରି ପସନ୍ଦ ସେଠିକାର ରୋଲ୍ , ଚପ୍, ଚୌମିନ୍, ବିରିୟାନି ସବୁ।

ନିକୋ ପାର୍କ ବୁଲା ବି ଲିଜି ନାନୀ ସହ । ସେଠି ବି ହୁଏ ମଜା । ନାନୀ ସହ ମାର୍କେଟ, ଫିଲ୍ମ , ମ୍ୟୁଜିୟମ ସବୁଆଡେ ବୁଲା ହୁଏ ମସ୍ତ। ଆଉ ଏଇ ମୁହୂର୍ତ୍ତରେ ଜଣେ ରୁହନ୍ତି ସାଥିରେ । ତାଙ୍କ ନାଁ ,

" ଅମୁଲ୍ ଚକଲେଟ୍"।

ହଁ କାରଣ ସେ ସବୁବେଳେ ଆଣନ୍ତି ପୁଳାଏ ଅମୁଲ୍ ଚକଲେଟ୍। ସବୁ ଫ୍ଲେଭର୍ ର ଚକଲେଟ୍ ଗୁଡିକ ଲାଗେ ଭାରି ମିଠା। ଲିଜି ନାନୀ ରାଗେ ସବୁବେଳେ ଆଉ କୁହେ, '' କାହିଁକି ଏସବୁ ଆଣୁଛ ତୁମେ ? ଏସବୁ ଖାଇ ଡାଇବେଟିସ୍ ହେଇଯିବ ଆମକୁ।"

ରୋଲି କିନ୍ତୁ ଭାରି ଖୁସିରେ କୁହେ, " ନା' ନା' ମୋ ଲାଗି ଆଣିବ ମୁଁ ଭାରି ଭଲ ପାଏ ।''

ରଜତ ଭାଇ ସବୁବେଳେ ମିଳନ୍ତି ଏମିତି ଲିଜି ନାନୀ ସହ। ସେ ଦୁହେଁ ସାଥି ହେଇ ଚାକିରୀ କରନ୍ତି ଇଞ୍ଜିନିୟରିଂ କଲେଜରେ। ରୋଲି ଆସିଲେ ଖୁବ୍ ଖୁସି ହୁଅନ୍ତି ଅମୁଲ୍ ଚକଲେଟ୍ କାରଣ ରୋଲି ଦିଏ ସୁନ୍ଦର ସୁଯୋଗ ଲିଜି ନାନୀ ସହ ବୁଲିବାକୁ , ଫିଲ୍ମ ଦେଖିବାକୁ ଏମିତି ଅନେକ। ରୋଲି ଜାଣେ ଅମୁଲ୍ ଚକଲେଟ୍ ଲିଜି ନାନୀକୁ ନେଇ କେତେ ସିରିୟସ୍। ହେଲେ ନାନୀ ଜମା ମାନେନି। ସବୁବେଳେ ଏଡାଇ ଯାଏ। କୁହେ ସେ କେବଳ ଆଫିସ ସାଙ୍ଗ , ଆଉ କିଛି ନୁହେଁ ।

କିନ୍ତୁ ଆଖିରେ ତା'ର ଥାଏ ଗୋଟେ ସଲ୍ଲଜ ସମ୍ମତି ।

ରୋଲି ଅମୁଲ୍ ଚକଲେଟ୍ କୁ ଭାରି ପସନ୍ଦ କରେ ଆଉ ମନେ ମନେ ସାରା ଜୀବନ ଏମିତି ଚକଲେଟ୍ ଖାଇବାକୁ ଆଶା ବନ୍ଧେ। ଗୋଟେ ସବୁଜ ପ୍ରତ୍ୟୟ ମିଳେ ଲିଜି ନାନୀ ଆଉ ଅମୁଲ୍ ଚକଲେଟ୍ ଭିତରେ । ରଙ୍ଗ ଯାହାର ଭାରି ଉଜ୍ଜ୍ୱଳ । ଏମିତି ମିଠା ସ୍ମୃତି ସବୁ ଅମୁଲ୍ ଚକଲେଟ୍ ସହ ଲିଜି ନାନୀ ଆଉ ରୋଲିର।

**********

ନୀଳଗିରୀରେ ଚାକିରୀ ଆରମ୍ଭ ପରେ ଏକାକୀ ଏଠି ରୋଲି। ନୂଆ ସହରରେ ସବୁ ଲାଗୁଛି ବେଖାପ। ଘରଠୁ ଦୂର , ସହରଠୁ ଦୂର। ଶାନ୍ତ ନିରବ ପ୍ରକୃତି କୋଳରେ ଜୀବନ ଖୁବ୍ ଭିନ୍ନ। ପାଠ ପଢା ପରେ ପ୍ରଥମ ପୋଷ୍ଟିଂ ଏଇଠି।

ଦୁଇ ଦିନ ତଳେ ଆସିଛି ଗୋଟେ ପାର୍ସଲ୍ । ସେଇଟି ଖୋଲି ଯେଉଁ ବସ୍ତୁଟି ପାଇଛି ରୋଲି ନିଜ ଆଖିକୁ ଵିଶ୍ଵାସ କରି ପାରୁନି , କେମିତି ଏମିତି ହେଇଗଲା ଯେ?......

କେତେ ଆବେଗ , କେତେ ବ୍ୟାକୁଳତା, ରାଶି ରାଶି ମୋହ, ମୁଠା ମୁଠା ସ୍ନେହ! ସବୁର କଣ କିଛି ମୂଲ୍ୟ ନାହିଁ?.....

ମଣିଷର ହୃଦୟର ସମୀକରଣ ଭାରି ଅବୁଝା । କେବେବି ସମତୁଲ ହେବା ସମ୍ଭବ ନୁହେଁ। ସବୁବେଳେ କେଉଁଠି ଗୋଟେ ଅଛିଣ୍ଡା ଗଣିତ ବାକି ରୁହେ ଅଜାଣତରେ।

ଗୋଟେ ବିଶ୍ଳେଷଣ କଲେ ଜୀବନର ହୁଏତ ଏଇ ନିର୍ଯାସ ମିଳିବ ଯେ ସବୁ ସମ୍ପର୍କ ଏଠି ଭିତ୍ତିହୀନ।.....

********

ରୋଲି ଆଖିରେ ନାଚିଗଲା ଲିଜି ନାନୀର ବାହାଘର। ରୋଲି ଜିଦ କରି ଯାଇନଥିଲା ସେ ବାହାଘରକୁ । କଲେଜର ଷ୍ଟଡି ଟୁର୍ କୁ ଚାଲି ଯାଇଥିଲା ଗୋଟେ ଅବ୍ୟକ୍ତ ଅଭିମାନରେ। ଆଈ ଅଜା ସବୁ ଫୋନ୍ କରିଥିଲେ । ଲିଜି ନାନୀ ବି ଅନେକ କହିଥିଲା ଆସିବାକୁ। ବୋଉ , ବାପା, ଲାଲି ସମସ୍ତେ ଗଲେ କିନ୍ତୁ ରୋଲି ଗଲାନି। ରହିଲା ନିଜ ମନକୁ ମାରି ।

କିନ୍ତୁ କେମିତି ଯାଇଥାନ୍ତା ଯେ , 'ଅମୁଲ୍ ଚକଲେଟ୍' ଯେତେ ଖାଇଛି ସେ ସେସବୁ ମିଳିତ ଭାବେ ଆକ୍ରମଣ କରୁଥିଲେ ତାକୁ। ଗୋଟେ ନିରବ ପ୍ରତିବାଦ କରୁଥିଲେ। ଅଜସ୍ର ଲୁହ ଆଉ କୋହ ଭିତରେ ଅଭିସମ୍ପାଦ ଢାଳୁ ଥିଲେ। ସେମାନେ ଗୋଟି ଗୋଟି ହେଇ ରାତିର ଅନ୍ଧକାରରେ ଛାଇ ପରି ଘୁରି ବୁଲୁଥିଲେ ରୋଲି ମନ ଭିତରେ। ସଭିଙ୍କ ଓଠରେ ଥିଲା ଗୋଟିଏ ପ୍ରଶ୍ନ, " ଲିଜି ନାନୀ ଏମିତି ନିଷ୍ଠୁର କେମିତି ହେଇଗଲା? ଆମ କଥା କଣ ଟିକିଏ ବି ମନେ ପଡୁନି ତା'ର ?"......

ସତରେ ରଜତ ଭାଇଙ୍କ ସହ ନୁହେଁ ଜଣେ ସୁଯୋଗ୍ୟ ଓଏସ ଅଫିସର ସହ ବାହାଘର ହେଉଥିଲା ନାନୀର। ଭଲ ପାତ୍ର ବୋଲି ମାମୁଁ ନାନୀକୁ ଥରେ ପଚାରିବା ଆବଶ୍ୟକ ମନେ କଲେନି। ସିଧା ବାହାଘର ପକ୍କା କରିଦେଇ ନିର୍ବନ୍ଧ ଲାଗି ତିଥି ଅନୁକୂଳ କରି ଆସିଥିଲେ।

କିନ୍ତୁ ବଡ଼ ବିଚିତ୍ର ଲାଗିଲା ନାନୀର ବ୍ୟବହାର। ସେ ଥରେ ବି ପ୍ରତିବାଦ କଲାନି।ବରଞ୍ଚ ଖୁସି ଖୁସି ବାହାଘର ଲାଗି ସମ୍ମତି ଦେଇଦେଲା । ଦିନ କେଇଟା ଭିତରେ ବାହାଘର ପାଇଁ ପ୍ରସ୍ତୁତିବି ଆରମ୍ଭ କରିନେଲା। କେଉଁଠି ତିଳେବି ନଥିଲା 'ଅମୁଲ୍ ଚକଲେଟ୍ ' ର ଅସ୍ତିତ୍ବ। ରୋଲିକୁ ଏ ବ୍ୟବହାର ଲାଗିଥିଲା ବଡ଼ ବିଚିତ୍ର। ସେ ନାନୀ କୁ ଯେବେ ପଚାରିଲା , କାହିଁକି ସେ ଥରେ ବି କହୁନି ଅମୁଲ୍ ଚକଲେଟ୍ କଥା। ସେ ଯେ କେତେ ଭଲ ପାଆନ୍ତି। ଆଉ ନାନୀ ବି ତ........

ହେଲେ ନାନୀ ନିରବ ରହିଲା କେବଳ। କିଛି କହିଲାନି। ସତରେ କ'ଣ କେବେ ପ୍ରେମ ନଥିଲା ନା' ସ୍ୱର୍ଥୀ ହେଇଗଲା ନାନୀ। ବୁଝି ପାରୁ ନଥିଲା ରୋଲି।

ଅମୁଲ୍ ଚକଲେଟ୍ ଦିନେ ଚମକେଇ ଦେଇ ରୋଲି କଲେଜକୁ ଆସି ଦେଖା କରିଥିଲେ। ଭାରି ରୁକ୍ଷ ଲାଗୁଥିଲେ ସେ। ଯେମିତି ଭାଙ୍ଗି ରୁଜି ଯାଇଛନ୍ତି ପୁରା। ତାଙ୍କୁ ଦେଖି ଚିହ୍ନି ପାରିଲା ନାହିଁ ରୋଲି। ଇୟେ ସେଇ ଅମୁଲ୍ ଚକଲେଟ୍ ! .....

ଭ୍ୟାନ ହୁସେନ ଡ୍ରେସ ଆଉ ଡେନିମ ସେଣ୍ଟ୍ ନଥିଲା। ହଜି ଯାଇଥିଲା ସବୁ କିଛି। ଗୋଟେ ଉଦାସ ସ୍ୱର ରେ କହିଲେ, " ସରି ଏମିତି ଦେଖା କରିବା ଉଚିତ ନୁହେଁ ମୋର କିନ୍ତୁ କିଛି ଆଉ ଉପାୟ ନାହିଁ। ଲିଜି ମୋ ସହ କଥା ବନ୍ଦ କରିଦେଇଛି। ତୁମେ ଟିକେ ନାନୀ ଲାଗି ମୋ ଶେଷ ଚିଠି ପହଞ୍ଚେଇ ଦେବ ପ୍ଲିଜ" ...

ନୀରବରେ ରୋଲି ଚିଠି ଟି ରଖି ନେଇଥିଲା । ଯାହା ଆଜିବି ଅଛି ଅକ୍ଷତ ଭାବେ ତା' ପାଖରେ । ସେଇ ଘଟଣା ପରେ କେମିତି ଆଉ ଯାଇଥାନ୍ତା ସେ ସେଇ ବାହାଘର କୁ ଯେଉଁଠି ଅମୁଲ୍ ଚକଲେଟ୍ ର ସ୍ତୁପୀକୃତ ଅବିଶୋଷ ଉପରେ ଗଢୁ ଥିଲା ନାନୀ ତା' ସ୍ୱପ୍ନ ସୌଧ।

*********

ଅଛନ୍ତି ଆଜିବି ଅମୁଲ୍ ଚକଲେଟ୍ ରୋଲି ସହ। ପାଞ୍ଚ ବର୍ଷ ହେଇଗଲା ଲିଜି ନାନୀର ବାହାଘର କିନ୍ତୁ ଅମୁଲ୍ ଚକଲେଟ୍ ସେମିତି ଏକା ଏକା। ଯେତେ କହିଲେ ବି ନିଜ ପ୍ରତି ଭାରି ବୀତସ୍ପୃହ। ଯେମିତି ବିଶ୍ୱାସ ସରିଯାଇଛି ତାଙ୍କର ସବୁ ଝିଅଙ୍କ ଉପରୁ।

ସେହିଁ ପଠେଇଛନ୍ତି ପାର୍ସଲ୍। ଯେଉଁଥିରେ ଅଛି ଲିଜି ନାନୀର ସବୁ ଅତୀତ ସନ୍ତକ।

ଆଉ ଗୋଟେ ତାଙ୍କ ହାତ ଲେଖା ଚିଠି,

" ରୋଲି , ତୁମ ଜୀବନରେ ଯଦି ଅଛି କେହି ଅମୁଲ୍ ଚକଲେଟ୍ ପ୍ଲିଜ ହାତ ଛାଡି ଦେବନି କେବେ। ".........

*ସୌମ୍ୟା*


Rate this content
Log in