Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଡାହାଣୀ
ଡାହାଣୀ
★★★★★

© Rajabala Tripathy

Inspirational

11 Minutes   348    19


Content Ranking

କପାଳରେ ନାଲି ଡ଼ହ ଡ଼ହ ସିନ୍ଦୁର ଟୋପା, ଯେପରି ବୈଶାଖ ଦ୍ୱିପ୍ରହରେ ଆକାଶ ମଥାରେ ଜଳୁଥିବା ସୁର୍ଯ୍ୟ। ତା ତଳକୁ ସୁଯ୍ୟଠାରୁ ବି ବେଶୀ ଜଳୁଥିବା ନାଲି ନାଲି ଆଖି ଦୁଇଟି। ମୁଣ୍ଡରେ ରୁକ୍ଷ କେଶ ପୁଞ୍ଜାକ । ଦୀର୍ଘକାୟ ଶ୍ୟାମଳ ରଙ୍ଗର ଶରୀର। ରୁଦ୍ରାକ୍ଷମାଳ ସହ କେତେ କଣ ରଙ୍ଗ ବେରଙ୍ଗ ମାଳିରେ ବେକ ଲୁଚି ଯାଇଛି।ହାତର ଦଶ ଆଙ୍ଗୁଳି ରେ ରଙ୍ଗ ବେରଙ୍ଗ ପଥରର ମୁଦି।ଦେହରେ କଲା ରଙ୍ଗର ଧୋତିଟିଏ।କାନ୍ଧରେ ଠିକ ସେଇ ରଙ୍ଗର ଗାମୁଛା। କାନ୍ଧରୁ ଝୁଲୁଚି କପଡ଼ାର ଏକ ବଡ଼ ମୁଣି। ଯେଉଁଥିରେ କେତେ କଣ ରହସ୍ୟମୟ ପଦାର୍ଥ ଭର୍ତି। ଗୋଟିଏ ହାତରେ ନହ ନହିକା ବେତ ବାଡ଼ିଟିଏ। ବାସ ଏତିକି।ଏତିକିରେ ହିଁ ଶେଷ ଚଣ୍ଡୀନାଥର ବର୍ଣ୍ଣନା।ହଁ ଚଣ୍ଡୀନାଥ। ଦାମୋଦରପୁର ଓ ଆଉ ଆଖପାଖ ଅଞ୍ଚଳର ପ୍ରଖ୍ୟାତ ତନ୍ତ୍ର ସାଧକ ଓ ଗୁଣିଆ।ଯାହାର ଛାଇ ପଡିଲେ ଭୂତ, ପ୍ରେତ, ପିଶାଚ ସବୁ ଥରହର ହୁଅନ୍ତି। ଡାହାଣୀ ଚିରୁଗୁଣୀ ମାନେ କିଳି କିଳା ରାଡିଛାଡି ଅତର୍ଚ୍ଛା ଧାଇଁ ପଳେଇବାକୁ ତର ପାଆନ୍ତି ନାହିଁ। ନିଜର ଦୈନନ୍ଦିନ କାମ ପାଇଁ ସେ କେତୋଟି ବେତାଳଙ୍କୁ ପୋଷା ମନେଇଛି ବୋଲି ଲୋକମାନେ କୁହା କୁହି ହୁଅନ୍ତି।କେତେ କଣ ସିଦ୍ଧି କେତେ ସାଧନା ବିଷୟରେ ଅଜସ୍ର ଗପ। ଯେତେ ଚଣ୍ଡୀନାଥ ମୁହଁରୁ ଶୁଣା ଯାଏନି ତା ଠୁ ବେଶି ଆଖ ପାଖର ଲୋକମାନେ ତେଲ ମସଲା କହନ୍ତି।କହିବା ଲୋକ ଯେତେ ଯେତେ କହି ଚାଲେ ଶୁଣୁଥିବା ଲୋକର ଆଖି ସେତେ ସେତେ ବିସ୍ଫାରିତ ହୁଏ।

ଖାଇବା ବେଳ ଗଡିଗଲାଣି। ପାଖା ପାଖି ଚାରିଟା ସମୟ।ଦାମୋଦରପୁର ଗାଁ ଦାଣ୍ଡରେ ମାଡି ଚାଲିଛି ଚଣ୍ଡୀନାଥ।କଥା କଣ। କାହାର କଣ ହେଲା। ଚଣ୍ଡୀନାଥକୁ କାହିଁକି ଡାକରା ପଡିଲା । ଗାଁରେ ଆତଙ୍କର ବାତାବରଣ।ବଡ଼ମାନେ ଘଟଣା କଣ ଜାଣିବାକୁ ଘରୁ ଗାଁ ଦାଣ୍ଡକୁ ବାହାରି ଆସିଲା ବେଳେ ଗାଁ ଦାଣ୍ଡରେ ଖେଳୁଥିବା ପିଲେ ଡରରେ ନିଜ ନିଜ ଘର ଭିତରକୁ ଦୌଡିଲେଣି।ଦଉଡି ଯାଉ ଯାଉ ପିଲାଟିଏ ଝୁଣ୍ଟି ପଡି ପାଟି କରି କାନ୍ଦିବାରେ ବ୍ୟସ୍ତ।ତା କାନ୍ଦ ଶୁଣୁଛି କିଏ ଏ ଭଳି ଆତଙ୍କିତ ଅବସ୍ଥାରେ।

ଚଣ୍ଡୀନାଥର ପଛରେ ଗାଁର ଲୋକମାନଙ୍କର ଛୋଟ ଦଳଟିଏ ନିଜ ନିଜ ସହ କଥା ବାର୍ତା ରେ ବ୍ୟସ୍ତ।କଥାଟା ଚଣ୍ଡୀନାଥକୁ ପୁଣି ପଚାରିବ କିଏ। ନା ବାବା ନା।ତା ରୂପ ଠାରୁ ମଧ୍ୟ ଭୟାନକ ତା କଣ୍ଠ ସ୍ୱର।ସତେ ଯେପରି ସେ ନିଜେ ଗୋଟେ ବଡ଼ ପ୍ରେତ। ଗାଁର କେତେକ ସାହସୀ ବୟୋଜ୍ୟେଷ୍ଠଙ୍କ ସାହାଯ୍ୟରେ ଜଣା ପଡିଲା ଚଣ୍ଡୀନାଥର ଗନ୍ତବ୍ୟ ଲକ୍ଷ୍ୟ ଓ ଉଦେଶ୍ୟ।ବଢ଼େଇ ସାହି ମହେଶ ମହାରଣାର ବୋହୂ ସଜନୀ ଦେହରେ ପୁଣି ଥରେ ଡାହାଣୀ ଲାଗିଛି।ଏଇ ଥର ଗାଁର ଗୁଣିଆ ସନିଆ ସେ ଡାହାଣୀକୁ ବାନ୍ଧିବାକୁ ସଫଳ ହେଲାନି ବୋଲି ଚଣ୍ଡୀନାଥକୁ ଡାକରା ପଡିଛି।ଭାରି ଉଦ୍ଧତ ଡାହାଣୀଟା ନାକରେ କାନରେ ପାଣି ପିଆଇ ଦେଲାଣି।

ଗାଁ ତଳ ମୁଣ୍ଡର ପ୍ରଥମ ସାହି ବଢ଼େଇ ସାହି।ବଢ଼େଇ ସାହି କୁ ପଶୁ ପଶୁ ଉତ୍ତର ପଟକୁ ଯେଉଁ ଟାଇଲି ଘରଟା ସେଇଟା ମହେଶ ମହାରଣାର।ମହେଶ ମରୁଆ ଆଉ ତାଙ୍କର ପୁଅଟିଏ ସୁନ୍ଦର ଓ ଝିଅ ମାଳତୀ। ମହେଶ ପୂର୍ଵ ପୁରୁଷର ବୃତ୍ତି ଆପଣେଇ ନେଇଛି।ଭଳି ଭଳି କାଠ ଉପକରଣ ତିଆରି କରିବାରେ ସିଦ୍ଧ ହସ୍ତ।କେତେ ଦିଅ ଦେବତା ପୁଜି ପୁଅଟିକୁ ପାଇଛି।ଝିଅ ମାଳତୀ ପାଠ ପଢ଼ାରେ ଆଗୁଆ ଥିଲା କିନ୍ତୁ ଝିଅ ଘିଅ ବେସି ଦିନ ଘରେ ରହିଲେ ଗନ୍ଧେଇବ ଆଳରେ ସେ ଅଷ୍ଟମ ପରେ ପରେ ପରଘରି।ବରଟି ହେଉ ପଛେ ଦଶ ପନ୍ଦର ବର୍ଷ ବଡ଼ କିନ୍ତୁ ଭଲ ପଇସା କମଉଛି।ବାପା ମାଆ ନିଶ୍ଚିନ୍ତ।ବାକି ରହିଲା ଏକୋଈର ବଳା ବିସିକେଶନ ସୁନ୍ଦର।ବାପା ମାଆଙ୍କ ଆଖିର ତାରା।ସବୁ ତକ ସ୍ନେହ ଶ୍ରଦ୍ଧା ତା ଉପରେ ଅଜାଡ଼ି ଦେଇ ମହେଶ ଭାବିଥିଲା ପୁଅ ମୋର ପାଠ ପଢିବ। ଭଲ ଚାକିରୀ କରିବ ମୋ ପରି ବଢ଼େଇ କାମ କରି ଖାଣ୍ଟି ଖୁଣ୍ଟି ଚଳିବ ନାହିଁ। ଆଖିରେ ଆଖିଏ ସ୍ବପ ଧରି ମହେଶ ପ୍ରତି ସକାଳେ ସ୍କୁଲ ଆଗରେ ପୁଅ କୁ ଛାଡି ଆସେ କିନ୍ତୁ ନାଁ ରେ କେତେ କଣ ଫେରାଦ ନେଇ ପୁଅ ଖାଇବା ବେଳକୁ ଘରେ ଆସି ହାଜର ହୁଏ।ଯେତେ ଯାହା କଲେ ବି ପୁଅ ପାଠ ପଢ଼ାରେ ମନ ଦେଲା ନାହିଁ।କଷ୍ଟେ ମଷ୍ଟେ ଦଶମ ଯାଏଁ ଯାଇ ଫେଲ ହେଇ ଗାଁ ବତେରା ଟୋକାଙ୍କ ସହ ମେଳି କଲା।ନିରାଶ ହୋଇ ମହେଶ ପୁଅକୁ ତାର କୌଳିକ ବୃତ୍ତି ବଢ଼େଇ କାମ ଶିଖେଇବାକୁ ଯାଇ ସେଥିରେ ବି ଫେଲ ମାରିଲା।ଆଜି କାଲିର ଟୋକାଙ୍କ କଥା, ସେହି ପୁରୁଣା କାଳିଆ ଧନ୍ଦାରେ ବା କେତେ ପଇସା।ମୁଁ ବିଦେଶକୁ ଯିବି ଖାଲି ଉଠା ପଇସା ଛାଣି ଆଣିବି।ପୁଅର ବିଦେଶକୁ ଯିବା କଥା ଶୁଣି ମହେଶ ମନରେ ଛନକା ପଶିଲା।ଆଉ ମରୁଆ ଅବସ୍ଥା ପୁରା ବାୟାଣୀ ପରି।ବାପା ମାଆଙ୍କୁ ବୁଝେଇ ସୁଝେଇ ଦିନେ ସୁରଟରେ କାମ କରୁଥିବା ଜଣେ କକା ଶ୍ରେଣୀୟ ଲୋକଙ୍କ ସହ ଘର ଛାଡିଲା ସୁନ୍ଦର।

ଚାହିଁ ଚାହିଁ ମରୁଆର ଆଖିରୁ ପାଣି ମଲାଣି। ନିତି କୁଆକୁ ଚାଉଳ ଦେଇ ସୁନ୍ଦରର ବାଟ ଜଗି ବସିଥାଏ।ସୁନ୍ଦର ଘର ଛାଡିବାର ଛଅ ମାସ ପରେ ତାର ଚିଠିଟିଏ ଆସିଲା।ସୁରଟର ସୂତା କଳରେ କାମ ପାଇଛି ଆଉ ଭଲରେ ଅଛି ବୋଲି।ଚିଠି ସହ ପୁରା ପାଞ୍ଚଶହ ଟଙ୍କା।ମରୁଆ ଶୁଣି ଖୁସିରେ ଅଥୟ। ଗ୍ରାମ ଦେବତୀ ମା ଜଗୁଳେଇଙ୍କୁ ସଂଗେ ସଂଗେ କଳା ବୁଦା ମାନସିକ ବାଢ଼ିଲା।ଏଇ ସନ ଆସିଲେ ପୁଅକୁ ହାତରୁ ଦୁଇ ହାତ କରିଦେବା ଯେ ଆଉ ଘର ଛାଡ଼ି ରହି ପାରିବନି। ମନେ ମନେ ବଗଲା ବଗଲି ପରେ ସ୍ଥିର କଲେ ମରୁଆ ଆଉ ମହେଶ।

**************

ସେସନ ଫଗୁଣରେ ବୋହୁ ସଜନୀ ହୋଇ ମହେଶ ମହାରଣା ଘରେ ପାଦ ଦେଲା।ସଜନୀ, ପିଲାଦିନରୁ ବାପା ମାଆ ଛେଉଣ୍ଡ ମାମୁଁ ମାଇଁଙ୍କ ଦୟାରେ ପାଳିତ ଷୋହଳ ବର୍ଷର ଶାବନା ରଙ୍ଗର ଝିଅଟିଏ।ଶାବନା ହେଲେ କଣ ହେବ ଗଢଣଟି ଭାରି ମଧୁର।ସବୁଠୁ ମଧୁର ତାର ଢଳ ଢଳ ଆଖି ଦୁଇଟି।ସେହି ଆଖିରେ ଆଖିଏ ସ୍ବପ୍ନ ନେଇ ମହାରଣା ଘର ବୋହୁ ହେଇ ଆସିଲା ସଜନୀ। ଅଷ୍ଟ ମଙ୍ଗଳା ପରେ ପରେ ସୁନ୍ଦର ଫେରିଗଲା ତା କାର୍ଯ୍ୟସ୍ଥଳୀ ସୁରଟ। ନୂଆ କରି ବୋହୁ ହେଇଥିବା ସଜନୀ ଉପରେ ଆରଂଭ ହୋଇଗଲା ନୂଆ କରି ଶାଶୁ ହେଇଥିବା ମରୁଆର ଶାଶୁପାଣିଆ।ଜାଙ୍ଗୁଲୁ ଜାଙ୍ଗୁଲୁ ରାତି ଥିବ ଉଠି ଘରଟା ଯାକର କାମ ସାରି ଶୋଇଲା ବେଳକୁ ରାତି ଅଧ।ନିଜ ଦେହ ମୁଣ୍ଡକୁ ବା ଦେଖୁଚି କିଏ।ଘର ବାଡ଼ି ଗାଈ ଛେଳି ସବୁ ତକ ସଜନୀ ମୁଣ୍ଡରେ।ବୋହୁ ଆସିଲା ପରେ ପରେ ମରୁଆର ଅଣ୍ଟାଟା ଆଗଠୁ କାହିଁ ବେସି ବିନ୍ଧୁଛି ଆଉ ଆଣ୍ଠୁଟା ଆଗଠୁ ବେସି ବଥଉଛି।ଆଖିରେ ନାକରେ ଗଣ୍ଡେ ପଶେଇ ଅଣନିଶ୍ୱାସୀ ହୋଇ ଶୋଇବା ଶେଯରେ ଗଡିପଡ଼ିଲେ ବେସି ବାଧି ଯାଏ ଶେଯରେ ଅଧେ ଖାଲି ଜାଗା।ଯଦି କେହି ଜଣେ ସ୍ନେହ କରିବା ପାଇଁ ଚାହିଁ ବସିଥାନ୍ତା।ଆଦରରେ ଦେହରେ ମୁଣ୍ଡରେ ହାତ ବୁଲେଇ ଦେଉଥାନ୍ତା, ଦିନ ଯାକର କାମ ଆଉ ବାଧନ୍ତା କି।ଲୁହ ଜକେଇ ଆସେ ସଜନୀ ଆଖିରେ। ଆଖି ଲୁହ ଆଖିରେ ମାରି ବଂଚିବା ତ ମାଇପି ଝିଅର ଭାଗ୍ୟ ତାକୁ ବଦଳେଇବ କିଏ।

*****************************

ସୁରଟ ରୁ ଚିଠି ଆସିଛି ତା ସହ ମନି ଅର୍ଡର ବି।ସ୍ଵସୁରଙ୍କ ପାଟି ଶୁଣି ଡାଲି ବଘରା ଅଧା ଛାଡି ରୋଷେଇ ଘରୁ କାନ ଡେରିଲା ସଜନୀ।

ପୂଜନୀୟ ବାପା

ମୁଁ ଭଲରେ ଅଛି। ମା ଜାଗୁଳେଇଙ୍କ ଦୟାରୁ ତୁମେ ମାନେ ସବୁ ଭଲରେ ଥିବ ବୋଲି ଆଶା।ମୋ କାମ ଭଲରେ ଚଳିଛି। ଏ ସନ ଦୁର୍ଗା ପୂଜାକୁ ମୁଁ ଗାଁକୁ ଆସୁଛି।ହଜାରେ ଟଙ୍କା ପଠେଇଲି, ଜାଗ୍ରତରେ ଖର୍ଚ୍ଚବାର୍ଚ୍ଚ କରିବ।ରହିଲି

ଇତି

ତୁମର ପୁଅ ସୁନ୍ଦର

ଚିଠି ପାଇ ମରୁଆ ମା ଜଗୁଳେଇ ଙ୍କ ପାଖରେ ପୂଜା ମାନସିକ କରିସାରିଲାଣି।ମହେଶ ହାଟକୁ ଯିବାକୁ ସଜବାଜ ହେଲାଣି। ଭଲ ନିହାଣଟେ ଆଣିବ ଏଥର।ମନ ମରିଗଲା ସଜନୀର। ଚିଠିରେ ତା ପାଇଁ ଗୋଟିଏ ବି ଧାଡି ନାହିଁ।ବାପା ମାଆଙ୍କ ଆଗରେ ତା କଥା ଲେଖିବାକୁ ସୁନ୍ଦର ସରମୀ ଥିବ ପରା।ନିଜେ ନିଜକୁ ବୁଝେଇଦେଲା ସଜନୀ।ମନରେ ଆଶାଟିଏ ଜକ ଜକ କରୁଛି। ଦୁର୍ଗା ପୂଜାକୁ ସୁନ୍ଦର ଗାଁକୁ ଆସିବ ଯେ।ଶାଗ ଖରଡୁ ଖରଡୁ ନିଜେ ନିଜେ ଲାଜେଇ ଗଲା ସେ।

**********

ସୁନ୍ଦରର ସ୍ନେହ ସରାଗ ଭିତରେ କେମିତି ଯେ କଟି ଗଲା ଦୁର୍ଗା ପୂଜା ଜଣା ପଡିଲାନି।ଗଣି ଗଣି ଆଠ ଦିନ ରହି ସୁରଟ ଫେରିଗଲା ସୁନ୍ଦର।ଛାଡ଼ିଦେଇ ଗଲା ସଜନୀର ଗର୍ଭରେ ଜୀବନର ବିନ୍ଦୁଟିଏ।ସଜନୀ ଏବେ ଅନ୍ତସତ୍ଵା। ହେଲେ ଏ ନୂଆ ଶିହରଣକୁ ଅନୁଭବ କରିବାକୁ ବା ତର କାହିଁ। କ୍ଷଣଟେ ଅଟକି ଯିବାକୁ ସୁଯୋଗ କାହିଁ। ଘର ବାଡ଼ି ଗାଈ ଗୁହାଳ ଶାଶୁ ଶ୍ୱଶୁର ନଟୁ ପରି ଘୁରି ବୁଲିବା ତ ମାଇପି ଝିଅର ଜୀବନ।"ହୁଁ ଆମେ ଆଉ କଣ ମାଆ ହେଇ ନଥିଲୁ କି। ଫୁର୍ତ୍ତିରେ ରହିଲେ ପୋଖତି ପାଇଁ ଭଲ।"ମରୁଆର ଶ୍ଲେଷ ପୂର୍ଣ କଥା ତା ଶରୀର କୁ ଆହୁରି ନିସ୍ତେଜ କରିଦିଏ।ଅନବରତ ଖଟଣୀ, ଖାଇବାରେ ଅବହେଳା, କମ ବୟସର ମାତୃତ୍ୱ।କେତେ ବା ସହି ପାରିବ ସଜନୀର ଦେହ।ତିନି ମାସ ପୁରି ଆସୁଛି ଅକସ୍ମାତ ଦିନେ ଗର୍ଭପାତ ହେଲା।ଅଜସ୍ର ରକ୍ତଶ୍ରାବରେ ଧୋଇ ଗଲା ସଜନୀର ସ୍ୱପ୍ନ ତା ସହ ଧୋଇନେଲା ତା ଶରୀରରୁ ସବୁତକ ଶକ୍ତି।ଦୁଇ ଦିନର କତରା ଲଗା ଅବସ୍ଥା ପରେ ଶେଯରୁ ଉଠି ଚୁଲି ଲଗେଇଲା ସଜନୀ।ଶାଶୁ ମୁହଁରେ ସହାନୁଭୂତି ର ଚିନ୍ହ ଟିକିଏ ବି ନାହିଁ ଓଲଟି ଆକ୍ଷେପର ଭାଷା।ଯେମିତି ଗର୍ଭ ନଷ୍ଟ ପାଇଁ ଦାୟୀ ସଜନୀ ହିଁ କେବଳ।

ଖବର ପାଇ ଗାଁକୁ ଫେରି ଆସିଲା ସୁନ୍ଦର। ସୁନ୍ଦରକୁ ଦେଖି ଝର ଝର ବର୍ଷି ଗଲା ସଜନୀ।ହେଲେ କାହିଁକି କେଜାଣି ସୁନ୍ଦରର ଆଚରଣରେ ବୈଶାଖର ରୁକ୍ଷତା ।"ବୋଉ ବି ତ ଶଶୁର ଉଲୁଗୁଣା ସହି ଘରଟା ଯାକର କାମ କରି ମୋତେ ଜନ୍ମ କରିଥିଲା ହେଲେ ତୁ"ତାର ଶାରୀରିକ ଦକ୍ଷତା ଉପରେ ପ୍ରଶ୍ନବାଚି ସୁନ୍ଦରର।ସ୍ୱାମୀ ଠାରୁ ସ୍ନେହ ପ୍ରେମର ଆଶ୍ରାରେ ଚାହିଁ ବସିଥିବା ସଜନୀ ପାଇଁ ଏବେ ଜୀବନ ନିରାଶାର ଏକ ମରୁ ବାଲି କେବଳ।ଝିଅ ଜୀବନର ଏକମାତ୍ର ଲକ୍ଷ୍ୟ ଲୋଟଣୀ ପାରା ପରି ଘରର ଯାବତୀୟ କାମ କରିବା ସହ ଫି ବର୍ଷ ଗୁଲୁଗୁଲିଆ ପୁଅ ଜନ୍ମ କରିବା , ଏତିକି ତ।ଯିଏ କରିପାରେ ନାହିଁ ଖାଲି ପ୍ରଶ୍ନବାଚି ଉଠେନି ତା ଦକ୍ଷତା ଉପରେ,ତା ମାଆ ବାପାଙ୍କ ସଂସ୍କାର ଉପରେ ବି। ଗୁହାଳରେ ପଘାରେ ବନ୍ଧା ହେଇଥିବା ଗାଈ, ଘରର ଦେଇପିଣ୍ଡିରେ ଏକ ଅଦୃଶ୍ୟ ରଜ୍ଜୁରେ ବନ୍ଧା ଯାଇଥିବା ମାଇପି ଝିଅ ଭିତରେ ବିଶେଷ କିଛି ଫରକ ଅଛିକି।

ଦିନ ସାତଟା ରହି ସୁନ୍ଦର ସୁରଟ ଚାଲି ଯାଇଥିଲା।ଏତିକି ଦିନ ଭିତରେ କିନ୍ତୁ ସଜନୀ ଉପରେ ନିଜ ସ୍ୱାମୀ ପଣିଆ ଜାହିର କରିବାକୁ ଭୁଲି ନଥିଲା ଜମା।ସେଇଟା ପ୍ରେମ ଥିଲା ନା..ଆଗକୁ କିଛି ଭାବି ପାରେନି ସଜନୀ।ନିଜକୁ ସ୍ୱାମୀ ପାଖରେ ସମର୍ପି ଦେବା ଯେ ସ୍ତ୍ରୀର ଧର୍ମ। ଲଙ୍ଗଳର ଧାରକୁ ନାହିଁ କରିବାର ଆସ୍ପର୍ଦ୍ଧା ଭୁଇଁର ବା କାହିଁ।

ଶାଶୂର ରୁକ୍ଷ ବ୍ୟବହାର, ଅଜସ୍ର କାମର ବୋଝ ତା ସହ ସ୍ୱାମୀର ଅବହେଳା ଧୀରେ ଧୀରେ ଭିତରୁ ମାରି ଦେଉଥିଲା ସଜନୀକୁ।ଫୁଲ ପରି ଫୁଟିବା ବୟସରେ ମଉଳି ଯାଉଥିଲା ସେ।ସୁନ୍ଦରର ଯିବା ପରେ ପରେ ସଜନୀ ଅନୁଭବ କଲା ତା ଭିତରର ପୁଣିଥରେ ଜୀବନର ହଲ ଚଲ।ହେଲେ କେଜ୍ଜାଣି କାହିଁକି ଏଥର ମାଆ ହେବାର ଖୁସିରେ ଆଉ ଶିହରି ଉଠିଲାନି ସେ। ଏଇଟା କଣ ତାର ଆଉ ସୁନ୍ଦରର ପ୍ରେମର ସଂକେତ । ନା ଏଇତ କେବଳ ସୁନ୍ଦରର ବାସନାର ଫଳ।ଯେଉଁ ବାସନା ଆଗରେ ଅନିଚ୍ଛା ସତ୍ତ୍ୱେ ସମର୍ପି ଦେଇଥିଲା ସେ ନିଜକୁ।ପ୍ରଥମ ଗର୍ଭପାତର ଦୁର୍ବଳତା ଏବେ ଯାଏଁ କଟି ନଥିଲା।ତା ସହ ପୁଣିଥରେ ଗର୍ଭର ଭାର।ଥର ଥର କମ୍ପି ଉଠୁଥିଲା ସଜନୀର ଦୁର୍ବଳ ଶରୀର।ହାତ ଗୋଡ଼ରେ ପଡୁ ନଥିଲା କାମ।କେବେ ଡାଲି ଅଲଣା ହେଉଥିଲା ତ କେବେ ଶାଗ ଅସିଝା।ଯେମିତି କିଛି ଗୋଟେ ବ୍ୟତିକ୍ରମ ଘଟି ଯାଇଥିଲା ତା ଭିତରେ।ଦିନେ ଗାଧୁଆ ତୁଠରୁ କଳସୀରେ ପାଣି ନେଉ ନେଉ ଚେତା ହରାଇ କଚାଡି ହୋଇ ପଡ଼ିଲା ସଜନୀ।ଟୁକୁଡା ଟୁକୁଡା ହୋଇ ଭାଙ୍ଗି ଗଲା ମାଟି କଳସୀ ଟି ତା ସହ ସଜନୀ ପେଟରେ ବଢୁଥିବା ଭ୍ରୂଣଟି।ଦୂତୀୟ ଥର ପାଇଁ ଗର୍ଭ ନଷ୍ଟ ହୋଇ ଯାଇଥିଲା ତାର।କେଜାଣି କାହିଁକି ଏଥର ସଜନୀର ମନ ଜମା ବି ଦୁଃଖ ହେଲାନି।ବରଂ ଭାରି ଉଶ୍ୱାସ ଲାଗିଲା ତାକୁ।ସତେ ଯେମିତି ଭ୍ରୁଣ ନୁହେଁ ପରଜୀବିଟେ ବଢୁ ଥିଲା ତା ଭିତରେ।ଖବର ପାଇ ଏଥର କିନ୍ତୁ ଘରକୁ ଫେରିଲାନି ସୁନ୍ଦର। କାହାର ଅପେକ୍ଷାରେ ବି ନଥିଲା ସଜନୀ।

*****************

ୟା ଭିତରେ ବିତି ଯାଇଛି ବେଶ କିଛି ଦିନ । ତୃତୀୟ ଥର ପାଇଁ ଗର୍ଭରେ ସଂଚରି ଥିବା ଜୀବନକୁ ପାଇ ପୁଣି ହରେଇଛି ସଜନୀ।ହେଲେ ନା ଆସିଛି ସୁରଟରୁ ଚିଠି ନା ସୁନ୍ଦର। ବେଶ ଭଲରେ ବୁଝି ହୁଏ ସଜନୀର ଶରୀର ବିଶ୍ରାମ ଚାହେଁ କ୍ଷତ ଭରଣା କରିବାକୁ । ହେଲେ ବିଶ୍ରାମ ଦେବ କିଏ ଘରକାମରୁ ଶାଶୁ ନା ସ୍ୱାମୀ ପଣିଆରୁ ସୁନ୍ଦର। ଗଡି ଯାଉଥିବା ସମୟ ସହ ଶାଶୂର ଗାଳି ବି ଦେହ ସୁଆ ହେଇଯାଇଛି ସଜନୀର।କିଛି ନୂଆ ଶବ୍ଦ ବି ଯୋଡି ଯାଇଛି ତା ତା ନା ସହ।ସେ କୁଆଡେ ପୁତ ଖାଇ ଡାହାଣୀ। ବାରମ୍ବାର ନିଜ ପିଲାକୁ ଗର୍ଭରୁ ଖାଇଯାଉଛି।ଠିକ ଯେମିତି ପିଲା ବେଳେ ଖାଇଥିଲା ତା ମାଆ ବାପାଙ୍କୁ।ଦାଣ୍ଡରେ ହାଟରେ ଘାଟରେ ବାଟରେ ସେଇ ଗୋଟିଏ କଥା।ବେଳେ ବେଳେ ତା ଆଖି ପଡ଼ିଲେ କଅଁଳା ପିଲାକୁ ମାଆ ପଣତ ଘୋଡେ଼ଇ ବାର ସେ ଲକ୍ଷ୍ୟ କରିଛି।ତା ସହ ଆଉ ଏକ ଉଡା ଖବର ବି ଗାଁରେ ଘୁରି ବୁଲୁଛି। ସୁନ୍ଦର କୁଆଡେ ସୁରଟରେ ଆଉ ଗୋଟେ ସଂସାର ଗଢ଼ିଛି। ଫାନ୍ଦରେ ପଡିଛି କୋଉ ଗୁଜୁରାଟି ଝିଅର।ତେଣୁ ଚିଠି ନାହିଁ କି ପତର ନାହିଁ। ନା ଦେଖା ଅଛି ନା ଟଙ୍କା।ଆଖ ପାଖ ଗାଁର ସୁରଟ ଫେରନ୍ତା ମାନଙ୍କଠୁ ଉଠିଛି ଏହି ଖବର।ଖବର କାନରୁ କାନ ଯାଏଁ ଆସି କାନରେ ପଡିଲା ସଜନୀର।ଲଥ କିନା ଦାଣ୍ଡ ଦୁଆରେ ବସିପଡ଼ିଲା ସେ। ଘରୁ ଶୁଭୁଚି ଶାଶୂର କାନ୍ଦ ମିଶା ଗର୍ଜନ।"କି ବେଳାରେ ଘରେ ପାଦ ଦେଲା ବାପା ମାଆ ଖାଇ ଡାହାଣୀ ଯେ ଶିରି ତୁଟିଲା।ବାପା ମାଆ କି ତ ଖାଇଲା ଖାଇଲା ପେଟର ପିଲାକୁ ବି ଖାଇଲା। ମୋ ପୁଅର ସଂସାର ଉଜଡିଲା।ଘରେ ପିଲା ପିଚିକା ହେଲେ ସିନା ମରଦ ପିଲାର ମନ ଲାଗିବ। ନ ହେଲେ ବାର ଆଡେ ମୁହଁ ମରିବ ହିଁ ମରିବ। ହେ ମା ଜଗୁଳେଇ ଏ ପୁତ ଖାଇ ଡାହାଣୀ କବଳରୁ ରକ୍ଷା କର ମାଆ।" କାଂଥ ରେ ଢୋ ଢୋ କରି ମୁଣ୍ଡ ପିଟିଦେଲା ମରୁଆ। ବୋଉ କଣ ହେଲା କହି ଘର ଭିତରକୁ ଧାଇଁ ଗଲା ସଜନୀ। ଶାଶୁକୁ ଧରୁ ଧରୁ ଓଲଟା ଧକ୍କା ଖାଇ ତଳେ କଚାଡି ହୋଇ ପଡ଼ିଲା।"ଛୁଏଁନା ମୋତେ, ଛୁଆ ଖାଇ ଡାହାଣୀ। ସବୁତ ଖାଇଲୁ।ଆଉ ମୋତେ ଖାଇବୁନା କଣ। ଡାହାଣୀ.."ରାଗ ଗର ଗର ହୋଇ ଘରୁ ବାହାରି ଗଲା ମରୁଆ।କାଂଥ କୋଣକୁ ଡେରି ଦୁଇ ଆଣ୍ଠୁ ସନ୍ଧିରେ ମୁଣ୍ଡ ଥୋଇ ବସିଥିଲା ସଜନୀ। ତା କାନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା କେତୋଟି ଶବ୍ଦ, ତୁ ଡାହାଣୀ।ଛୁଆ ଖାଇ ଡାହାଣୀ। କାନ ଭେଦି ଶବ୍ଦ ସବୁ ଭେଦି ଯାଉଥିଲା ଆହୁରି ଭିତର କୁ। ମନର ଗଭୀର ଇଲାକାକୁ। ପ୍ରାଣ ଓ ଆତ୍ମା ଭିତରକୁ।ହଁ ସେ ଡାହାଣୀ। ବାପା ମାଆକୁ ଖାଇଛି। ତା ଗର୍ଭ ଭ୍ରୁଣମାନଙ୍କୁ ବି।ମୁଁ ଡାହାଣୀ ନିଜକୁ କହିଲା ପରି ପାଟି କରି ଉଚ୍ଚାରଣ କଲା ପଦଟିଏ ସଜନୀ। ସେହି ମୁହୂର୍ତ୍ତରେ ଲୋକଲଜ୍ଜା, ସମାଜିକ ବନ୍ଧନ, ସବୁତକ ସମ୍ପର୍କର ଡୋରରୁ ମୁକ୍ତ ହେଇଗଲା ସେ।ଆଜି ଯାଏଁ କାହା ଝିଅ କାହା ବୋହୁ କାହା ସ୍ତ୍ରୀର ପରିଚୟରେ ପରିଚିତ ଥିଲା।ହେଲେ ଆଜି ପାଇଛି ନିଜର ବୋଲି ଗୋଟେ ପରିଚୟ।ସେ ଡାହାଣୀ।କେବଳ ଗୋଟିଏ ପରିଚୟ ତାର।ଭାରି ଭଲ ଲାଗିଲା ତାର ଏ ପରିଚୟ ତାକୁ।ଏକ ଅଦ୍ଭୁତ ଶକ୍ତିରେ ଶକ୍ତିମୟୀ ହୋଇ ବାଳ ମୁକୁଳା କରି ଖିଲି ଖିଲି ହୋଇ ହସି ଉଠିଲା ସଜନୀ।ମୁଁ ଡାହାଣୀ ମୁଁ ଡାହାଣୀ କହି ଶାଢ଼ୀ କାନି ଖସାଇ ଘର ଛାଡ଼ି ଡିଆଁ ମାରି ଗାଁ ଦାଣ୍ଡରେ ଧାଇଁବାକୁ ଲାଗିଲା ସେ।ତାକୁ ଲାଗିଲା ସେ ଧାଉଁନି ଯେ ଉଡୁଛି ଯେମିତି।ସବୁତକ ଦୁଃଖ ଯନ୍ତ୍ରଣାରୁ ମୁକ୍ତ ହୋଇ।

ପ୍ରତି ଦଶ ପନ୍ଦର ଦିନକୁ ଥରେ ସଜନୀ ଦେହରେ ଡାହାଣୀ ଲାଗିବା ଗାଁ ପାଇଁ ଗୋଟେ ସାଧାରଣ ଘଟଣା ହୋଇଗଲାଣି।ସେ ଦିନ ସବୁରେ କେତେ ଯେ ବଳ କଉଠୁ ଆସେ ସଜନୀର ପତଳା ନହ ନହକା ଦେହରେ ତାକୁ କାବୁ କରିବା ଅସମ୍ଭବ ହେଇଯାଏ ମହା ମହା ମରଦ ମାଂନକୁ।ସନିଆ ଗୁଣିଆର ସବୁ ଯାକ ତନ୍ତ୍ର ମନ୍ତ୍ର ତା ପାଖେ ନିଷ୍ଫଳ।ସବୁ ଝାଡ଼ ଫୁଙ୍କ। କଣ୍ଟାରେ ଘର କିଳିବା ସବୁ ଶେଷ।ବାବା ମାତା ଗୁଣି ଗାରୁଡ଼ି ସବୁ ଫେଲ ମାରିଛି। ଖବର ଶୁଣି ସୁନ୍ଦର ଥରୁଟିଏ ଆସିଥିଲା।ତାକୁ ଦେଖି ସଜନୀ ବେସି ଉଗ୍ର ହେଇ ମାରି ଗୋଡେଇଲା।

ସବୁ ଠିକ ଥିବ।ଭଲ ମଣିଷ ପରି କଥା ବାର୍ତା ଭଲ ମନ୍ଦ। ଠିକ ଗାଧୁଆ ବେଳ ଗଡି ଯିବ।ସଜନୀ କାଂଥ କୋଣକୁ ଡେରି ସଁ ସଁ କରି କାନ୍ଦିବା ଆରମ୍ଭ କରିଦିଏ।ତା ପରେ ଉଦଣ୍ଡ ନାଚ ମୁଁ ଡାହାଣୀ ମୁଁ ଡାହାଣୀ କହି ।କେବଳ ମହେଶ ଆଉ ମରୁଆ ପାଇଁ ନୁହେଁ। ସଜନୀ ଏବେ ଗାଁଟା ଯାକ ଲୋକଙ୍କର ମୁଣ୍ଡ ବ୍ୟଥା।ତା ଆଖି ପଡ଼ିଲେ କାଳେ କଅଁଳା ଛୁଆ ଶୁଖି ଯିବ ବୋଲି ସବୁ ଛୁଆଙ୍କ ବାହୁରେ ଗଳାରେ କଳା ସୂତା ମନ୍ତୁରା ଡେଉଁରିଆ।

ସଜନୀର ଶୋଇବା ଘରଟା ପୁରା ଧୁଆଁ ରେ ଭର୍ତ୍ତି।ବଡ଼ ପାଟିରେ ମନ୍ତ୍ର ପଢ଼ି ଜଳୁଥିବା ଧୁନିକୁ ଝୁଣା ପକାଉଛି ଚଣ୍ଡୀନାଥ।ଧୁଆଁର କୁହେଳିକା ଭିତରେ ବି ଦାଉ ଦାଉ ଜଳୁଛି ତା ମଥାର ସିନ୍ଦୁର।ଧୁଆଁରେ ଆକ୍ତା ମାକ୍ତା ସେ ଘର କୋଣରେ କୁଙ୍କୁରି କାଙ୍କୁରି ହୋଇ ବସିଛି ସଜନୀ।ବାଳ ମୁକୁଳା ପିନ୍ଧା ଶାଢ଼ୀ ଅସ୍ତବ୍ୟସ୍ତ।ନିଆଁର ଝୁଲ ପରି ଜଳୁଛି ତା ଆଖି ଦୁଇଟି ଯାହା।"କହ ତୁ କିଏ"ବେତ ବାଡିକୁ ଭୁଇଁରେ ଜୋର ରେ ପିଟି ଗର୍ଜି ଉଠିଲା ଚଣ୍ଡୀନାଥ।"ମୁଁ ଡାହାଣୀ "ସେତିକି ଉଚ୍ଚ ସ୍ୱରରେ ଉତ୍ତର ଦେଲା ସଜନୀ।ତା ସହ କେତେବେଳେ ସଁ ସଁ କାନ୍ଦ ତ କେତେବେଳେ ଖିଲି ଖିଲି ହସ।"କାହିଁକି ଆସିଛୁ। ଯା ଚାଲିଯା ମହେଶ ବୋହୂର ଦେହରୁ"ପୁଣି ଥରେ ଜୋରରେ ବେତ ବାଡ଼ି କଚାଡ଼ିଲା ଚଣ୍ଡୀନାଥ।ତା ସହ ନିଆଁ ରେ ଫିଙ୍ଗିଲା ମୁଠାଏ ଝୁଣା।",ମୁଁ ଖାଇବି, ସମସ୍ତଙ୍କୁ ଖାଇବି କାହାକୁ ଛାଡିବିନି।"କାନ୍ଦ ଛାଡି ଉତ୍ତର ଦେଲା ସଜନୀ।"ଯା କହିଲି ପରା ଯା ଚାଲି ଯା ତୋ ଜାଗାକୁ ମା ଭୈରବୀଙ୍କର କୋଟି କୋଟି ଆଜ୍ଞା।ଯା ଚାଲି ଯା" ବାଳ ଧରି ଟାଣି ଆଣିଲା ସଜନୀକୁ ଚଣ୍ଡୀନାଥ, ତା ମୁହଁ ଧରି ମାଡି ଦେଲା ସରାରୁ ଉଠୁଥିବା ଧୁଆଁରେ।ଧୁଆଁରେ ଅସ୍ତବ୍ୟସ୍ତ ହୋଇ ଛାଟି ପିଟି ହେଲା ସଜନୀ।ଯେତେ ଚେଷ୍ଟା କଲେ ବି କୋହଳ ହେଲାନି ଚଣ୍ଡୀନାଥ ର ମୁଠା। ଅକସ୍ମାତ ବାହାରେ ଶୁଣାଗଲା କୋଳାହଳ।ଧଡ଼କିନା ଖୋଲିଗଲା ଘରର କବାଟ।ବିରକ୍ତ ହୋଇ ଚଣ୍ଡୀନାଥ ପଛକୁ ଫେରି ଚାହିଁଲା।ଧୁଆଁରେ ଜାଲୁ ଜାଲୁଆ ଦିଶୁଥିବା ସଜନୀର ଆଖିରେ ଧୁଆଁର କୁହୁଡ଼ିରେ ଅସ୍ପଷ୍ଟ ଦେଖାଗଲା ପରିଚିତ ମୁହଁଟି।ସେ ମୁହଁଟି ତାର ଚିର ପରିଚିତ।ଅତି ପ୍ରିୟ ପିଲା ଦିନର ସାଥି ରବି ଭାଇର।ମାମୁଁ ମାଇଁଙ୍କର ଗୋଟିଏ ବୋଲି ପୁଅ ରବି।ପିଲାଦିନୁ ଦୁହେଁ ସାଙ୍ଗରେ ଖେଳିଛନ୍ତି, ସାଙ୍ଗରେ ବଢ଼ିଛନ୍ତି। ସଜନୀର ଚିର ଅବହେଳିତ ଜୀବନରେ ଖୁସିର ଏକ ମାତ୍ର ଉତ୍ସଟିଏ ଥିଲା ରବି ଭାଇ।ରବି ଭାଇର ମୁହଁ ଉପରେ ଆଖି ପଡ଼ିବା କ୍ଷଣି ନିଜର ଅସ୍ତିତ୍ୱ ବିଷୟରେ ସଚେତନ ହେଲା ସଜନୀ।ଚେତା ହରେଇ ଢଳି ପଡିଲା ଗୋଟିଏ କଡ଼କୁ।

************

କଷ୍ଟେ ମଷ୍ଟେ ବିଏ ପାସ କରି ବେଶ କିଛି ଦିନ ବେକାର ହୋଇ ବୁଲିଲା ପରେ ସହରରେ ଷ୍ଟେସନାରୀ ଦୋକାନଟିଏ ଭଡାରେ ନେଇଛି ରବି।ରୋଜଗାର ବି ମନ୍ଦ ନୁହେଁ।କର୍ମ ବହୁଳ ଜୀବନରେ ଗେହ୍ଲା ଭଉଣୀ ସଜନୀକୁ ବାହା ଦେଲା ପରେ ଥରେ ହେଲେ ବି ସଂଖୋଳିବାକୁ ଆସିପାରିନି ସେ।ବାପା ମାଆଙ୍କ କଥା ତ ଛାଡ଼।ସଜନୀ ତ ବୋଝ ଟାଏ ଥିଲା ବାହା ହେଇ ଯାଇନି ଯେ ବୋଝରୁ ନିସ୍ତାର ମିଳି ଯାଇଛି।ତା ପରେ ଯାହା ହେଉଛି ତା ସହ ସେଇଟା ତା ନିଜ ଭାଗ୍ୟ। ସଜନୀର ଦୁରବସ୍ଥା କଥା ସବୁ ଶୁଣେ ରବି।ହେଲେ ମାଆ ର ରାଣ ନିୟମ" ତା ଶାଶୁ ଘର କଥାରେ ତୁ ପଶିବୁନି "ବେଡି ପକେଇଦିଏ ପାଦରେ।ହେଲେ ଆଜି ଆଉ ନୁହେଁ।ଆଉ ଅତ୍ୟାଚାରିତ ହେବାକୁ ଦେବନି ତା ଭଉଣୀ କୁ। ସଜନୀର ଅବସ୍ଥା ଦେଖି ସେ ବେଶ ଭଲରେ ବୁଝି ପାରିଛି ଡାହାଣୀ ଡାହାଣୀ ଶୁଣି ଶୁଣି ତା ନିଜ ମନ ତା ନିଜକୁ ଡାହାଣୀ ବୋଲି ଭାବିନେଇଛି ଯାହା।ସଜନୀର ଶାଶୁ ଶ୍ୱଶୁର ଗାଁ ଲୋକ କାହାରି ଉପର ଠଉରିଆ ବାରଣ ନ ମାନି ନିଜ ସହ ସଜନୀକୁ ନେଇ ଗଲା ରବି।ଯା ଗଲା ଯା ଡାହାଣୀଟା ଏଥର ନିସ୍ତାର।ମରୁଆ ନିଶ୍ୱାସ ମାରିଲା।କିଛି ଦିନ ପରେ ଛାଡ଼ ପତ୍ର ଲେଖା ପଢା ବି ହେଇଗଲା।ଯାହା ହେଉ କଣ୍ଟା ଗଲା।ପୁଣି ଥରେ ପୁଅକୁ ବାହା କରେଇ ବୋହୁ ଆଣିବାର ସ୍ବପ୍ନ ଦେଖିବାରେ ଲାଗିଲା ମରୁଆ।

************

ବେଳ ରତ ରତ ହେଉଛି। ବାରଣ୍ଡାରେ ଛାଂଚୁଣୀଟା ବୁଲେଇ ଆଣିଆ ମରୁଆ। ମୁଣ୍ଡରେ ଓଢଣା ଦେଇ ଫାଟକ ଖୋଲି ପଶି ଆସିଲା ମାଇପିଟିଏ। କାଖରେ ଡଉଲୁ ଡ଼ାଉଲୁ ପିଲାଟିଏ।କାଖରୁ ଓହ୍ଲେଇ ଦେଇ ପାଦ ଛୁଇଁଲା ମରୁଆର।ମୁଣ୍ଡ ଟେକିଲା ବେଳକୁ ଚିନ୍ହି ପାରିଲା ମରୁଆ , ସଜନୀ।

ଘରୁ ବାହାରି ଯିବାର ପାଖା ପାଖି ବର୍ଷେ ପରେ ଥରେ ଗାଁରେ ଶୁଣିବାକୁ ପାଇଥିଲା ସଜନୀ ପୁଣି ଥରେ ବିଭା ହେଇଛି କେଉଁ ଏକ ଦୋଭେଇ ବରକୁ।ଖବରଟି ଶୁଣି କିଛି ଖାସ ଖୁସି ହେଇନଥିଲା ସେ।ହଁ ମୋର କଣ ଯାଏ। କିଏ କି ସିଏ ମୋର।ଡାହାଣୀଟା ପୁଣି କାହା ଘର ଖାଇବ।ମନକୁ ବୁଝେଇ ଦେଇଥିଲା ମରୁଆ।ସେହି ସଜନୀ ଯିଏ କେବେ ତା ଘରର ବୋହୁ ଥିଲା ଆଜି ଆଉ କାହା ଘର ବୋହୁ ସାଜି ତା ଆଗରେ ଛିଡା ହେଇଛି।ଆଖି ଫେରେଇ ଆଣିଲା ପାଖରେ ସଜନୀର ପଣତ କାନି ଧରି ଛିଡା ହେଇଥିବା ପିଲାଟି ଉପରେ। "ମୋ ପୁଅ ବୋଉ। ମୁଁ ଡାହାଣୀ ନୁହେଁ। ମୁଁ ଛୁଆ ଖାଇ ନୁହେଁ। ଦେଖ ମୁଁ ବି ମାଆ ହେଇପାରେ।ମୁଁ ତୁମ ପରି ମଣିଷ। ମୁଁ ଡାହାଣୀ ନୁହେଁ"କୋହ ଚାପି ଚାପି କହିଲା ସଜନୀ।"ଖାଲି ଏତିକି କହିବାକୁ ଆସିଥିଲି ।"ପୁଅ କୁ କୋଳକୁ ନେଇ ବୁଲି ପଡିଲା ସଜନୀ। ଥରେ ମାତ୍ର ପଛକୁ ନ ଚାହିଁ ଫାଟକ ଡେଇଁ ଅଦୃଷ୍ୟ ହେଇଗଲା।

ନିର୍ବାକ ହୋଇ ଛିଡା ହେଇଥିଲା ମରୁଆ।ସଜନୀ ସଂସାର କରିଛି।ମା ହେଇଛି । ସୁଖରେ ଅଛି।ହେଲେ ତା ଦୁନିଆ।ସବୁତକ ରୋଜଗାର କୋଉ ଗୁଜୁରାଟୀ ଝିଅ ସମର୍ପି ଦେଇ ପ୍ରତାରିତ ଆଉ ନିଶ୍ୱ ହେଇ ଫେରିଥିବା ପୁଅ,ଯିଏ ବେକାର ହେଇ ହାଟ ବଜାର ରେ ଘୁରି ବୁଲୁଛି,ପୁଅ ଠାରୁ ସୁଖ ପାଇବାର ଅନ୍ତହୀନ ଆଶା ନେଇ ଅଣ୍ଡାଳି ହେଉଥିବା ଗୋଟେ ବୁଢା ଏତିକି ତ।ଦୀର୍ଘ ସ୍ୱାସ ନେଲା ମରୁଆ।"ମା ଜାଗୁଳେଇ ତୋତେ ଆଉ ତୋ ପୁଅକୁ ଘଣ୍ଟ ଘୋଡେଇ ରଖନ୍ତୁ ସଜନୀ। ତୋ କାଚ ବଜ୍ର ହେଉ। ସୁଖରେ ସଂସାର କର।"ଜାଗୁଳେଇଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆଟିଏ ମାରି ପଣତ କାନିରେ ଆଖି ଲୁହ ପୋଛିଆଣି ଘର ଭିତରକୁ ପଶି ଗଲା ମରୁଆ ।ଚଉଦିଗ ଅନ୍ଧାର କରି ଧୀରେ ଧୀରେ ପଶ୍ଚିମ ଦିଗରେ ଢଳି ଯାଉଥିଲେ ଅସ୍ତଗାମୀ ସୁର୍ଯ୍ୟ।

ଡାହାଣୀ ରୁକ୍ଷ କେଶ ବାୟାଣୀ

Rate the content


Originality
Flow
Language
Cover design

Comments

Post

Some text some message..