Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭିନ୍ନ ଏକ କୋଣାର୍କ
ଭିନ୍ନ ଏକ କୋଣାର୍କ
★★★★★

© Rajib Gopal Swain

Drama Inspirational

6 Minutes   7.2K    9


Content Ranking

ବଶୀର୍‍ ଖାଁ ପାଇଁ ଆଜି ଏଇଠି ଏଇ ବଜାରରେ ଶେଷଦିନ । ସେ କେବେ ସ୍ୱପରେ ବି ଚିନ୍ତା କରିନଥିଲା ଏମିତି ଦିନେ ସବୁ ଛାଡି ଚାଲିଯିବାକୁ ପଡିପାରେ ବୋଲି । ତା ନିଜ ହାତ ତିଆରି ସମ୍ପର୍କମାନେ ହଠାତ୍‍ ଅଡ଼ୁଆ ସୂତାର ଖିଅ ପାଲଟି ଯିବେ, ଏହା କିଏ ଜାଣିଥିଲା ? କିଏ ବା ଜାଣିଥିଲା ସେ ଧୋକା ଖାଇଯିବ! ନିଜର ନିରୁତା ନିରୋଳା ଭଲପାଇବାକୁ ନେଇ, ମାଜି ମୁଜି ସେ ଯେଉଁ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣଟି ତିଆରି ଥିଲା ତାହା ଯେ ବେଲୁନ୍‍ ପରି ଠୋ କରି ଫାଟିଯିବ ଏହା ସେ କେବେ କ'ଣ କଳ୍ପନା କରିଥିଲା ?

           ଆସନ୍ତା କାଲି ତାକୁ ତା' ପରିବାର ସହିତ ଏଠୁ ପଳେଇ ଯିବାକୁ ହେବ । କୋଉଠିକୁ ଯିବ ! ତାର କୌଣସି ଠିକଣା ନାହିଁ । ତଥାପି ତାକୁ ଯିବାକୁ ହେବ । ଏଠି ତା ଜୀବନର ଅର୍ଦ୍ଧେକ ବସନ୍ତ ବିତିଛି । ତଥାପି ପ୍ରତିରୋଧର ପ୍ରଶ୍ନ ହିଁ ଉଠିନି । 

           ବଶୀର୍‍ର ହାତଗଢା ସ୍ୱପ୍ନମାନେ ବାସ୍ତବ ହେବାକୁ ଆରମ୍ଭ କରିଥିଲେ । ପୁଅ ସୁଲତାନ୍‍ ଓ ଝିଅ ମେହରୁନିଶା ତା'ର ସବୁକଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଜ ନିଜ କ୍ଷେତ୍ରରେ ହୋଇଉଠୁଥିଲେ ବଳିଷ୍ଠ । ସୁଲତାନ୍‍ ଇଞ୍ଜିନିୟରିଂ ପଢା ଶେଷ ପରେ ଏବେ ବାଙ୍ଗାଲୋରରେ , ମେହରୁନିଶା ଏବେ ଶିକ୍ଷୟିତ୍ରୀ । ସବୁବେଳେ ସାଥୀ ଦେଇ ଆସିଥିବା ବେଗମ୍‍ ରୁକ୍‍ସାନା ଆଜି ବି ନିର୍ବିକାର । ଦୁଃଖ ସହିବାରେ ଓ ଏପରି ପରିସ୍ଥିତିର ସାମ୍ନା କରିବାରେ ସେ ଅଭ୍ୟସ୍ତ ।

           ପ୍ରଥମ କରି ଏଇ ବଜାରକୁ ବଶୀର୍‍ ଯେତେବେଳେ ଆସିଥିଲା ସେତେବେଳେ ତା' ନିକଟରେ ବେଗମ୍‍ ରୁକ୍‍ସାନା ବ୍ୟତୀତ ଅନ୍ୟ କେହି ନଥିଲେ । ନୂଆ ସ୍ଥାନ ନୂଆ ପରିବେଶରେ ନୂଆ ଲୋକଙ୍କ ସାଙ୍ଗେ ଚଳିବାର ଭୟଟିଏ କୋଉଠି ଛାତି ତଳେ ଲାଗି ରହିଥିଲା । ହେଲେ ସେ ଭାବିଥିବା ଭଳି କିଛି ହେଲେ ଘଟିଲା ନାହିଁ । ରାସ୍ତାକଡରେ ସରକାରୀ ଜାଗା ଖେଣ୍ଡ ଖୁବ୍‍ ସହଜରେ ମିଳିଗଲା । ସେଇଠି ସେ ତିଆରି କଲା ତା' ନୀଡ । ଭଡାଘର ନ ମିଳିବାରୁ ପାଖ ସ୍କୁଲଘର ବାରାଣ୍ଡାରେ ବେଶ୍‍ କିଛିଦିନ କଟାଇବାକୁ ପଡିଥିଲା ସେମାନଙ୍କୁ । ତା'ପରେ ଦୋକାନ ପଛକୁ ବବୁରୀ, ଖଜୁରୀ ଆଉ ଯାବତୀୟ ଉଇହୁଙ୍କାରେ ପୂର୍ଣ୍ଣ ଜାଗାଟିକୁ ସମତୁଲ କରି ଛୋଟ ଘରଟିଏ ତିଆରି କରିଥିଲେ ସେମାନେ । 

           ଘରୁ ପଳାଇ ଆସିବାବେଳେ ରୁକ୍‍ସାନା ହାତରେ ଥିବା ଚାରିପଟ ସୁନାଚୁଡି ସେତେବେଳେ ଭଲ କାମ ଦେଇଥିଲା । ଏହାକୁ ବିକି ସେ ଆରମ୍ଭ କରିଥିଲା ବ୍ୟବସାୟ । ବ୍ୟବସାୟ ବେଶ୍‍ ଭଲ ଚାଲିଲା ।

           ବ୍ୟବସାୟ ବୋଇଲେ ମାଂସ ଦୋକାନଟିଏ । ଭଲ ମାଂସ ଦେଉଥିବାରୁ ତା'ର ନାମ ବି ହୋଇଗଲା । ଭଲ ଚାଲିଲା । ଗ୍ରାହକଙ୍କୁ ସେ ଠକୁ ନଥିଲା । କେତେ ଦିନେ ମଧ୍ୟରେ ଗାଁରୁ ବଜାର ସମସ୍ତଙ୍କ ମୁହଁରେ ବଶୀର୍‍ ଖାଁର ନାମ । ଡାକ୍ତରଖାନା, ଅଫିସ, ରେଲେଵଷ୍ଟେସନ୍‍, ସ୍କୁଲ, କଲେଜ, ଅନ୍ୟାନ୍ୟ ଅଫିସ୍‍, ଭୋଜି ତଥା ଘର ଆଦି କାମ କାର୍ଯ୍ୟରେ ବଶୀର୍‍ ପାଖରେ ଭିଡ଼ । ଏ ଭିତରେ ବହୁତ କିଛି ବଦଳି ଯାଇଥିଲା । ରୁକ୍‍ସାନା ଜନ୍ମ ଦେଇଥିଲା ସୁଲତାନ୍‍ ଓ ମେହରୁନିଶାଙ୍କୁ । ଜାଗା ଖଣ୍ଡିଏ କିଣି ଛାତ ଘର ଖଣ୍ଡ କିଣିପାରିଥିଲା ବଶୀର୍‍ । ଘର ପାଖକୁ ଲାଗି କୂଅ, ବାଡି,ଆଗରେ ଲୁହାଗେଟ୍‍ ସବୁକିଛି ବନିଯାଇଥିଲା । ହେଲେ ବଶୀରର ମାଂସ ଦୋକାନ ଓ ମାଂସକଟା ବନ୍ଦ ହୋଇନଥିଲା

           ସେ ଦେଖିଥିବା ସ୍ୱପ୍ନ ଫଳବତୀ ହେଉଥିଲେ ଧୀରେ ଧୀରେ । ସ୍ଥାନୀୟ ଭୋଟର୍‍ ଲିଷ୍ଟରେ ନାଆଁ ଚଢିଥିଲା ଦୁହିଁଙ୍କର । ରାସନ୍‍କାର୍ଡ ମିଳିଥିଲା । ସବୁଠାରୁ ବଡକଥା ହେଲା ପିଲା ଦୁହେଁ ସେଇଠି ପଢିଲେ । ପିଲା ଦୁହିଁଙ୍କର ସାଙ୍ଗସାଥି ଭୁଲିଯାଇଥିଲେ ଯେ ସେମାନେ ମୁସଲମାନ୍‍ । ମେଳା ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ଡାକରା ଆସୁଥିଲା ତା' ପରିବାରକୁ । ଭଲରେ ମନ୍ଦରେ ବି ପଚାର ଉଚରା କରୁଥିଲେ ସମସ୍ତେ ।

           ହେଲେ ସବୁକିଛି ହଠାତ୍‍ ଗୋଳମାଳ ହୋଇଯିବ ବୋଲି କିଏ ଜାଣିଥିଲା । ଦୁନିଆରେ କୋଉଠି କୋଉ ମୁସଲମାନ ଲୋକ ଖରାପ କାମ କଲା ବୋଲି ସେଥିପାଇଁ ବଶୀର୍‍ ଦାୟୀ । ବଶୀର ବି କେବେ ଏ ବିଷୟ ଚିନ୍ତା କରିନଥିଲା । ଲୋକେ ଏଥିପାଇଁ ତାକୁ ଦେଖେଇ ଦେଖେଇ ବହୁ କଥା କହିଲେ । ଅବଶ୍ୟ ସେ କେବେ ପ୍ରତିକ୍ରିୟା ପ୍ରକାଶ କରିନାହିଁ । ସେ ଜାଣେ ଦୁନିଆର ଅଜବ ରୀତି ଭିତରେ ଏ ସମ୍ପର୍କଟା ବି ଅଜବ ।

           ବଶୀର୍‍ ଯିବା ପୂର୍ବରୁ ଚିନ୍ତା କରୁଥିଲା, ସୁରେନ୍ଦ୍ରବାବୁଙ୍କ ସହିତ ସେ ଯେଉଁ ବନ୍ଧୁତା ବାନ୍ଧିଥିଲା ତାହା କ'ଣ ବେକାର ହୋଇଯିବ! ତାକୁ ଯିବାକୁ ତ ହେବ, ହେଲେ ଏ ସମ୍ପର୍କ । ସେ ସମ୍ପର୍କ ଆଜି ଶତ୍ରୁତାରେ ପରିବର୍ତ୍ତିତ । ସୁରେନ୍ଦ୍ରବାବୁ ହିଁ ଆଜି ତା' ଆଗରେ ପ୍ରଥମ ଶତ୍ରୁ ରୂପରେ ଉଭା ହୋଇଛନ୍ତି । ବିଦୀର୍ଣ୍ଣ ହୋଇଯାଉଥିଲା ବଶରୀରର ହୃଦୟ । ଭାଙ୍ଗିପଡୁଥିଲା ତା'ର ପରିଚିତ ପୃଥିବୀ । ଚୁରମାର ହୋଇଯାଉଥିଲା ଆଶାର ମୀନାର୍‍ । 

           ସୁରେନ୍ଦ୍ରବାବୁଙ୍କ ପୁଅ ଶୁଭେନ୍ଦୁ ଯେ ମନେ ମନେ ମେହରୁନିଶାକୁ ଭଲପାଇ ବସିଛି ଏହା ସେ କେମିତି ଅବା ଜାଣିଥାନ୍ତା । ସେ ଏକଥା ପୂର୍ବରୁ ଜାଣିପାରିଥାନ୍ତା ! ହେଲେ, କଥାଟା ଯେତେବେଳେ ପାଦରୁ ଯାଇ ମୁଣ୍ଡ ପାଖରେ ପହଞ୍ଚିଲା ସେତେବେଳେ ସମସ୍ତଙ୍କର ଚେତା ପଶିଲା । ଶୁଭେନ୍ଦୁ ଘରେ ଜିଦ୍‍ ଧରିଛି ସେ ଯଦି ବିବାହ କରିବ ତେବେ ମେହରୁନିଶାକୁ ହିଁ ବିବାହ କରିବ । ସୁରେନ୍ଦ୍ରଙ୍କ ଘରେ ବଜ୍ର ପଡିଛି । ମୁସଲମାନ ଝିଅ, ସେଥିରେ ପୁଣି ବଶୀର୍‍ ଖାଁ ବନ୍ଧୁର! କ'ଣ କରାଯାଇପାରେ ! ରାଜନୀତିଆ ଲୋକେ କଥାରେ ପୁଟ ଦେବାକୁ ଆରମ୍ଭ କଲେଣି ।ଗୋଧ୍ରାଠାରୁ ଜାମୁକାଶ୍ମୀର ପର୍ଯ୍ୟନ୍ତ ଆଲୋଚନା ପରିସରକୁ ଧସେଇ ପଶିଆସିଲାଣି । ପ୍ରଶ୍ନ ଉଠିଲାଣି ବଶୀର୍‍ ଖାଁ ଅସ୍ତିତ୍ୱକୁ ନେଇ! ସେ କେଉଁଠାରୁ ଆସିଛି, ତା'ର ପ୍ରକୃତ ପରିଚୟ କ'ଣ ଇତ୍ୟାଦି ଇତ୍ୟାଦିରେ ଧ୍ୱଂସ ହୋଇଯାଇଛି ବହୁଦିନର ହାତଗଢା ସମ୍ପର୍କ । ଅନୁପ୍ରବେଶର ମିଛ କଳଙ୍କ ଭିତରେ ଛନ୍ଦି ହୋଇପଡିଛି ବଶୀର୍‍ । ସେ ନିଜକୁ ବେଶ୍‍ ଅସହାୟ ମଣିଥିବା ବେଳେ ପ୍ରଥମ କରି ଅନୁଭବ କରୁଥିଲା ସେ ହିଁ ବଳିପାଇଁ ପ୍ରସ୍ତୁତ ଏକ ବୋଦା!

           ମେହରୁନିଶାକୁ ଏ ବିଷୟରେ ସ୍ୱାମୀ ସ୍ତ୍ରୀ ଦୁହେଁ ପଚାରିଥିଲେ । ହେଲେ ସେମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ମିଳିନଥିଲା । ତେବେ ଶୁଭେନ୍ଦୁ ଯେ ତା'ର ଅନ୍ତରଙ୍ଗ ବନ୍ଧୁ ଏହା ସେ ସର୍ବସମ୍ମୁଖରେ ସ୍ୱୀକାର କରିଥିଲା ।

           କ'ଣ କରାଯାଇପାରେ! ଚାରିପାଖରୁ ପ୍ରବଳ ଚାପର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଥମଥର ଲାଗି ନିଜକୁ ଭିନ୍ନ ଏକ ପ୍ରାଣୀ ରୂପରେ ଆବିଷ୍କାର କରିଥିଲା ବଶୀର୍‍ ।

           ସେ ଜାଣେ, ନିଚ୍ଛଳ ଭାବରେ ଭଲପାଉଥିବା ଦୁଇଟି ପ୍ରାଣକୁ ଏକାଠି କରିବାରେ ଯେଉଁ ଆନନ୍ଦ ନିହିତ ଅଛି ତାଠାରୁ ଅଧିକ ଦୁଃଖ ମହଜୁଦ ଅଛି ସେମାନଙ୍କୁ ପରସ୍ପର ଠାରୁ ବିଚ୍ଛେଦ କରିବାରେ । ସେ ଏ ପାପ କେମିତି କରିବ? ତାକୁ ତା'ର ମାନବିକତା ଏଥିପାଇଁ ଇଜାଜତ୍‍ ଦେବ ତ?

           ଏମିତି ଭାବନାର ଅଡୁଆ ଖିଅ ଭିତରେ ଛନ୍ଦି ହୋଇପଡୁଥିବା ବେଳେ ମଧ୍ୟରାତ୍ରିର ଛାତି ଚିରି କବାଟରେ ଠକ୍‍ ଠକ୍‍ ଆବାଜ ଶୁଣାଗଲା । ଏତେ ରାତିରେ କିଏ ହୋଇପାରେ?

           ବଶୀର୍‍ କବାଟ ଖୋଲି ଚମକି ପଡିଲା ଶୁଭେନ୍ଦୁ ! ଏତେ ରାତିରେ ଏଠି!!

           -ହଁ ମଉସା... ମୁଁ ଆସିଛି । ସେମାନେ ଆସିବା ଆଗରୁ ଆପଣମାନେ ଏଠାରୁ ପଳାଇ ଯାଆନ୍ତୁ ।

           -କେଉଁମାନେ ଆସିବା ଆଗରୁ? ତୁମର ସବୁ ଠିକ୍‍ ତ?

           - ମୁଁ ଠିକ୍‍ ଅଛି ମଉସା! ତୁମେ ଏଠୁ ପଳାଇ ଯାଅ । ସେମାନଙ୍କ ସଂଖ୍ୟା ବହୁତ ଅଧିକ । ମଶାଲ ଧରି ସେମାନେ ସବୁ ଜାଳି ଦେବାପାଇଁ ଆସୁଛନ୍ତି । ଭଗବାନ୍‍ ଜାଣନ୍ତି, ସେମାନଙ୍କ ଆଗରେ ଆପଣମାନେ ପଡିଗଲେ କ'ଣ ହେବ?

-ସେମାନେ କ'ଣ ସମସ୍ତେ ହିନ୍ଦୁ!         

-ସେମାନେ ନା ହିନ୍ଦୁ ନା ମୁସଲ୍‍ମାନ ସେମାନଙ୍କର କୋଣସି ଜାତି ନାହିଁ । ସେମାନେ ସମସ୍ତେ ସ୍ୱାର୍ଥପର । ସମସ୍ତଙ୍କ ଆଖିରେ ପ୍ରତିହଂସାର ଅଗ୍ନି, କାମନାର ପାଶବିକତା, ହିଂସ୍ର ସେମାନେ । ସେମାନେ କାହାରି ନୁହନ୍ତି । ନା ନିଜର, ପରିବାରର, ନା ଦଶର ଓ ଦେଶର ।ତେଣୁ ପଳାୟନ ହିଁ ଏକମାତ୍ର ବିକଳ୍ପ ।     

-ଆମ ସହିତ ତୁମେ ବି ଚାଲିଆସ ପୁଅ!          

-ମୁଁ ଯିବି, ନିଶ୍ଚିୟ ଯିବି । ହେଲେ ଆପଣଙ୍କ ପଛରେ ଜାଗ୍ରତ ପ୍ରହରୀ ରୂପରେ, ଯେପର୍ଯ୍ୟନ୍ତ ଆପଣ ନିରାପଦ ବୋଲି ଅନୁଭବ କରିନାହାଁନ୍ତି ।           

ଘରର ଅନତି ଦୂରରୁ ଦିଶୁଥିଲା ଅନେକ ଗୁଡିଏ ମଶାଲ୍‍ । ଗାଢ ନିରନ୍ଧ୍ର ଅନ୍ଧକାର ଭେଦକରି ତିନିଟି ସଂତ୍ରସ୍ତ ପ୍ରାଣୀଙ୍କ ପଛରେ ଜଣେ ନିର୍ଭୀକ । ଗୁରୁଗମ୍ଭୀର ପଦଧ୍ୱନି ଛଡା ଅନ୍ୟ କିଛି ଶୁଭୁନଥିଲା । ସେମାନେ ଘର ଛାଡି ସାରିଥିଲେ ।

ଶେଷଥର ପାଇଁ ବଶୀର୍‍ ଖାଁ ପଛକୁ ଫେରି ଚାହିଁଲା । ସେମାନେ ବୋଧହୁଏ ଘରଟାକୁ ଚାରିପାଖରୁ ଘେରିଯାଇଛନ୍ତି । ହୁ ହୁ ହୋଇ ଜଳିଉଠୁଛି କୋଠାଘର ଆଗରେ ଥିବା ଚାଳ ବରଡାର ଘର ଖଣ୍ଡକ । ତା' ସହିତ ଶୁଭୁଛି କେତେକ ଉନ୍ମାଦଗ୍ରସ୍ତ ଲୋକଙ୍କର ପୈଶାଚିକ ଅଟ୍ଟହାସ୍ୟ । 

           ଗାଲ ଉପରେ ବୋହି ଆସୁଥିବା ଆଖିର ଲୁହକୁ ପୋଛି ପକାଇବା ଅବସରରେ ସେ ଚିନ୍ତା କରୁଥିଲା, ପଚିଶ ବର୍ଷ ତଳେ ଠିକ୍‍ ଯେମିତି ସେ ଆସିଥିଲା ଠିକ୍‍ ସେହିଭଳି ହିଁ ଫେରିଯାଉଛି । ହେଲେ ବହୁତ କିଛି ସାଥୀରେ ନେଇ । ତା' ପାଖରେ ତା'ର ପ୍ରିୟ ବେଗମ୍‍ ସହିତ ତିନୋଟି ମୂଲ୍ୟବାନ ରତ୍ନ ଯେତେବେଳେ ଅଛନ୍ତି ସେତେବେଳେ ଦୁଃଖ କାହିଁକି!           

ହଁ, ତିନୋଟି ରତ୍ନ ନୁହେଁ ତ ଆଉ କ'ଣ! ପୁଅ ସୁଲତାନ, ଝିଅ ମେହରୁନିଶା ଆଉ ପୁଅ ପ୍ରତୀମ ଶୁଭେନ୍ଦୁ । ଏମାନେ କ'ଣ କେଉଁ ମୂଲ୍ୟବାନ ରତ୍ନଠାରୁ କମ୍‍! ସେ ଶୁଭେନ୍ଦୁକୁ ନିଜର ବୋଲି ଭାବିସାରିଥିଲା । କାରଣ ସେ କେବେ ନିଜକୁ ଅଲଗା ବୋଲି ଭାବିନାହିଁ । ଜାତି, ଧର୍ମ ଏସବୁ ତା ପାଇଁ ତୁଚ୍ଛ । ସେ କେବଳ ଜାଣେ ମଣିଷ ପଣିଆକୁ ।         ରେଲ୍‍ୱେ ଷ୍ଟେସନ୍‍ ଆସିସାରିଥିଲା । ପୁଅ ପାଖକୁ ବାଙ୍ଗାଲୋର୍‍ ଅଭିମୁଖେ ଟ୍ରେନ୍‍ ଧରିବା ପାଇଁ ସେମାନେ ସମସ୍ତେ ଲୋକାଲ୍‍ ଟ୍ରେନ୍‍ ଧରିଲେ । ଏ ପଳାୟନରେ ଏକାଧିକ ପରାଜୟ ଅପେକ୍ଷା ସମସ୍ତେ ଅନୁଭବ କରୁଥିଲେ ବିଜୟର ସ୍ୱାଦ । କାରଣ ବିଗତ ଦିନପରି ସେମାନେ ଅନ୍ୟ ଏକ ଚନ୍ଦ୍ରଭାଗା ତୀରରେ ଭିନ୍ନ ଏକ କୋଣାର୍କ ସ୍ଥାପନ କରିବା ପାଇଁ ସମର୍ଥ । ଆଖି ଆଗରେ ଜୀବନ ସୁନ୍ଦର ହୋଇଯାଉଥିଲା । 

ରାଜୀବ ଗୋପାଳ ସ୍ଵାଇଁ ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେ଼ଙ୍କାନାଳ-୭୫୯୧୨୧ Contact No:7684989557(M)

ମାଂସ ଦୋକାନ ସୁଲତାନ୍‍ ମେହରୁନିଶା ଶୁଭେନ୍ଦୁ

Rate the content


Originality
Flow
Language
Cover design

Comments

Post

Some text some message..