ସିଗାରେଟ - ମୃତ୍ୟୁର ଅନ୍ୟନାମ
ସିଗାରେଟ - ମୃତ୍ୟୁର ଅନ୍ୟନାମ
ମୁଁ ଏକ ଧଳାରଙ୍ଗର ଅପ୍ରଶସ୍ତ ନଳାକାର ଜୀବନ ନେଲା ପରି ଭୟଙ୍କର ବସ୍ତୁ । ମୋର ଅନ୍ୟ ନାମ ମୃତ୍ୟୁ ମଧ୍ୟ କୁହାଯାଇପାରେ । ମୋର ପୂର୍ବପୁରୁଷଙ୍କ ନାମାନୁସାରେ "ସିଗାର" ନାମରେ ମୁଁ ପରିଚିତ ଥିଲି । ମୁଁ ପାଖାପାଖି ନବମ ଶତାବ୍ଦୀରେ ମେକ୍ସଇକୋ (Mexico) ଏବଂ ସେଣ୍ଟ୍ରାଲ ଆମେରିକାରେ ଦୃଶ୍ୟମାନ ହେଇଥିଲି ।
୧୮୩୦ ସୁଦ୍ଧା ମୁଁ ଫ୍ରାନ୍ସକୁ ଅତିକ୍ରମ କଲି । ଯେଉଁଠାରେ କି ମୋ ନାମ ରଖାଗଲା "ସିଗାରେଟ" । ନୂଆ ନାମ ପାଇଁ ମୁଁ ବହୁତ ଖୁସି ଥିଲି । ଏବଂ ୧୮୪୫ରେ ସେହି ଫ୍ରାନ୍ସରେ ମତେ ଆଇନଗତ ଭାବରେ ନିର୍ମାଣ କରାଗଲା ।
୧୮୪୭ ରେ ମେକ୍ସଇକୋର ଜୁଆନ ନେପୋମୁଲେନୋ ଆଡ଼ର୍ଣ୍ଣ (Juan nepomuleno adorno) ସର୍ବପ୍ରଥମେ ମୋ ଉପରେ ବିକ୍ରି ସଂକ୍ରାନ୍ତ ଏକାଧିକାର ଘୋଷଣା ଦଲିଲ ବା ପେଟେଣ୍ଟ ଦାଖଲ କରିଥିଲେ ।
ଧୀରେ ଧୀରେ ମୋର ବ୍ୟବହାର ସାରା ପୃଥିବୀରେ ବ୍ୟାପିଗଲା । ମୃତ୍ୟୁର ଏକ ଭୟଙ୍କର ବସ୍ତୁ ଜାଣି ମଧ୍ୟ ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମତେ ବ୍ୟବହାର କଲେ । ଆଜି ମୁଁ ଘରେ ଘରେ ପରିଚିତ । ମୁଁ ଦିନକୁ ପ୍ରାୟ ୧୫ ବିଲୀୟନରୁ ଅଧିକା ବିକ୍ରି ହେଉଛି । ମୁଁ ରୋଗର ଗନ୍ତାଘର । ମୋ ଦ୍ୱାରା ମଣିଷକୁ ବହୁତ ବଡ଼ ବଡ଼ ବେମରି ହେଇଥାଏ । କ୍ୟାନ୍ସର ପରି ଭୟଙ୍କର ରୋଗର ମୂଖ୍ୟ କାରଣ ମୁଁ । ମୋ ଧୂଆଁ ଶ୍ୱାସନଳୀକୁ ବହୁତ କ୍ଷତି ପହଞ୍ଚାଏ । ମତେ ମଣିଷ ପ୍ରଥମେ ନିଜର ମନୋରଞ୍ଜନ ପାଇଁ ବ୍ୟବହାର କରେ । ମୋ ଦେହରେ ନିଆଁ ଲଗେଇ ଟାଣି ମଣିଷ ଖୁସିରେ ନିଜ ପାଟିରୁ ଧୂଆଁ ଛାଡେ । ସେଇ ମନୋରଞ୍ଜନ ଧୀରେ ଧୀରେ ଅଭ୍ୟାସରେ ପରିଣତ ହେଇଯାଏ । ଏବଂ ସେଇ ଅଭ୍ୟାସ ମଣିଷର ଘର ସଂସାର ଉଜାଡିଦିଏ । କିଛି ଲୋକ ନିଜର ମାନସିକ ଚିନ୍ତାରୁ ମୁକ୍ତି ପାଇବାପାଇଁ ମତେ ବ୍ୟବହାର କରନ୍ତି ହେଲେ ସେମାନେ ଏତେ ମୂର୍ଖ ଯେ କେବେହେଲେ ବୁଝିପାରନ୍ତିନି ଯେ ମୁଁ ପ୍ରକୃତରେ କାହାର ମାନସିକ ଚିନ୍ତା ଦୁର କରିପାରେନି ବରଂ ମତେ ବ୍ୟବହାର କରିବା ଦ୍ୱାରା ମଣିଷ ନିଜ ପରିବାର ଓ ନିଜର ସବୁଠାରୁ ଆପଣାର ଲୋକଙ୍କ ମାନସିକ ଚିନ୍ତା ବଢାଇଥାଏ । ମତେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ଯେ ଏଇ ମଣିଷ ନିଜେ ନିଜକୁ ବହୁତ ବୁଦ୍ଧିଆ, ଚାଲାକ ଆଉ ବିଶ୍ୱର ସବୁ ପ୍ରାଣୀଙ୍କଠାରୁ ଶ୍ରେଷ୍ଠ ମନେକରି ମଧ୍ୟ ବୋକାଙ୍କ ପରି ନିଜକୁ ନିଜେ ମୃତ୍ୟୁ ଆଡକୁ ଟାଣିନେଉଛି କେବଳ ମତେ ମାନେ ସିଗାରେଟକୁ ଆପଣେଇ । ମତେ ବ୍ୟବହାର କରୁଥିବା ଲୋକ ନିଜର ଯେତିକି କ୍ଷତି କରୁଛି, ନିଜ ଚତୁର୍ପାଶ୍ୱରେ ଥିବା ମଣିଷର ମଧ୍ୟ ଦୁଇଗୁଣା ଅଧିକା କ୍ଷତି କରୁଛି । କାରଣ ସେ ଟାଣୁଥିବା ସିଗାରେଟର ଧୂଆଁ ତା ପାଖରେ ଉପସ୍ଥିତ ଲୋକମାନଙ୍କ ଶରୀରକୁ ବହୁତ କ୍ଷତି କରିବା ସହିତ ତାର ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ଅସୁବିଧା କରେ । ସର୍ବସାଧାରଣରେ ମତେ ବ୍ୟବହାର କରିବା ନିଷେଧ ଜାଣି ମଧ୍ୟ କିଛି ଅପାଠୁଆ ,ମୂର୍ଖ ଅବିବେକୀ ଲୋକମାନେ ମତେ ସର୍ବସାଧାରଣରେ,ଅଫିସରେ , ଡାକ୍ତରଖାନାରେ,ଏପରିକି ଛୋଟ ଛୋଟ ପିଲାଙ୍କ ସାମ୍ନାରେ ମଧ୍ୟ ବିନା କିଛି ଦ୍ବିଧାରେ ବ୍ୟବହାର କରି ବିନ୍ଦାସରେ ପାଟିରୁ ଧୂଆଁ ଛାଡ଼ନ୍ତି ।
ମତେ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରକୃତରେ ସମାଜ ପାଇଁ ଗୋଟେ ଗୋଟେ କଳଙ୍କ । ସେମାନେ ପ୍ରତ୍ୟକ୍ଷ ଭାବେ ଓ ପରୋକ୍ଷ ଭାବେ ପରିବେଶକୁ ପ୍ରଦୂଷିତ କରୁଛନ୍ତି । ମୋ ଧୂଆଁ ଦ୍ୱାରା ସେମାନେ ବାୟୁମଣ୍ଡଳକୁ ଦୂଷିତ କରୁଛନ୍ତି । ମୋ ଦେହରେ ଥିବା ନିକୋଟିନ ବହୁତ କ୍ଷତିକାରକ । ମୁଁ ଯଦି ଏ ମଣିଷଙ୍କ ପରି ବୁଦ୍ଧିମାନ ଆଉ ମୁହଁ ଖୋଲି କିଛି କହିବାର ସାମର୍ଥ୍ୟ ପାଇଥାନ୍ତି ତେବେ ନିଶ୍ଚିନ୍ତ ଭାବେ ମତେ ବ୍ୟବହାର କରିବାକୁ ରୋକିଥାନ୍ତି । ମୂର୍ଖ ମଣିଷ ବୁଝିପାରୁନି ଯେ ମୁଁ ମୃତ୍ୟୁର କାରଣ । କିଛି ଲୋକ ତ ମତେ କିଣିବାକୁ ନିଜ ପିଲା ଆଉ ସ୍ତ୍ରୀଙ୍କୁ ଭୋକ ଉପାସରେ ରଖୁଛନ୍ତି । ମୁଁ ନିରୁପାୟ । ଚାହିଁଲେ ବି ଏ ମଣିଷ ସମାଜକୁ ରୋକିପାରୁନି । ଧୀରେ ଧୀରେ ମୋ ନିଶା ପିଲା ଠୁ ବୁଢା ଯାଏ ସମସ୍ତଙ୍କୁ ବ୍ୟାପିଗଲାଣି । ମୋ ପାଖରେ ଯଦି ମଣିଷ ପରି ଶକ୍ତି ଥାନ୍ତା ତେବେ ମୁଁ ମୋର ନିର୍ମାଣ ହେଉଥିବା ସବୁ ଫ୍ୟାକ୍ଟ୍ରି ବନ୍ଦ କରିଦିଅନ୍ତି ।
ଯେଉଁ ମହାନ ବ୍ୟକ୍ତି ମତେ ପରିତ୍ୟାଗ କରୁଛନ୍ତି ମୁଁ ସେମାନଙ୍କୁ ସାଦରେ ପ୍ରଣାମ କରୁଛି । ପ୍ରକୃତରେ ସେମାନେ ନିଜ ପରିବାର ଆଉ ଅତ୍ମୀୟ ସ୍ଵ-ଜନଙ୍କୁ ବହୁତ ଭଲ ପାଆନ୍ତି କେବଳ ସେଇଥିପାଇଁ ତ ସେମାନେ ମତେ ବର୍ଜନ କରି ନିଜ ପରିବାରଙ୍କ ଚିନ୍ତା ଦୂର କରୁଛନ୍ତି ।
ମୁଁ ଏମିତି ଏକ ବସ୍ତୁ ଯାହା ମଣିଷକୁ ଧୀରେ ଧୀରେ ଛଟପଟ କରି ମୃତ୍ୟୁର ଦ୍ୱାରଦେଶକୁ ଠେଲିଦିଏ । ମୋ ନିଶା ଯାହାକୁ ଥରେ ଲାଗେ ଛାଡିବାକୁ ବହୁତ କଷ୍ଟ ହୁଏ । ତେଣୁ ମୁଁ ଏ ମଣିଷ ସମାଜକୁ ହାତ ଯୋଡ଼ି ଅନୁରୋଧ କରୁଛି ଯେ ମତେ ଦୟାକରି ବର୍ଜନ କର । ମୋ ଦେହରେ ଯେତେବେଳେ ଏ ମଣିଷ ନିଆଁ ଲଗାଇ ମତେ ପାଟିରେ ରଖି ଧୂଆଁ ଛାଡେ ମତେ ବହୁତ କଷ୍ଟ ହୁଏ । କହିଲ ଦେଖି କାହା ଦେହରେ ନିଆଁ ଲଗେଇଦେଲେ କଣ ତାକୁ କଷ୍ଟ ହୁଏନି । ହେଲେ ମତେ ସବୁଠୁ ଅଧିକା କଷ୍ଟ ହୁଏ ଯେତେବେଳେ ମଣିଷ ଜାଣିଜାଣି ମୋ ଦ୍ୱାରା ଅସୁବିଧାରେ ପଡେ । ମୁଁ ନିଜକୁ ନିଜେ ନଷ୍ଟ କରି ପାରିବିନି କାରଣ ମୁଁ ନିର୍ଜୀବ । କେବଳ ମଣିଷ ଚାହିଁଲେ ମତେ ତ୍ୟାଗ କରି ନିଜେ ଖୁସିରେ ରହିପାରିବ ।
ତେଣୁ ହେ ମଣିଷ ସମାଜ ଦୟାକରି ମତେ ବର୍ଜନ କର । ନିଜକୁ ଦେଖ । ନିଜ ଆତ୍ମାକୁ ଚିହ୍ନ । ନିଜ ଜୀବନକୁ ସୁରକ୍ଷା ଦିଅ । ତା ନହେଲେ ଦିନେ ମୋ ଧୂଆଁ ତୁମ ଶ୍ୱାସନଳୀକୁ ଜୀର୍ଣ୍ଣ ଶୀର୍ଣ୍ଣ କରିଦେବ । ତୁମ ଫୁସଫୁସକୁ ନଷ୍ଟଭ୍ରଷ୍ଟ କରିଦେବ । ତୁମେ ନିଶ୍ୱାସ ଟିକେ ପାଇଁ ଛଟପଟ ହେବ । ତୁମ ଦେହରେ ମୁଁ ସେତେବେଳେ ଭୟଙ୍କର କ୍ୟାନ୍ସରର ରୂପ ନେଇସାରିଥିବି । ତୁମେ ଆଉ ରକ୍ଷା ପାଇପାରିବନି । ସେଥିପାଇଁ ଏବେଠୁ ସତର୍କ ହୁଅ । ମୋ ଠାରୁ ଦୂରେଇ ଯାଅ । ଅନ୍ୟମାନଙ୍କୁ ବି ମୋ ଠାରୁ ଦୂରେଇ ରଖ । ମତେ ଯେତେ ଶୀଘ୍ର ସମ୍ଭବ ଏ ପୃଥିବୀପୃଷ୍ଠରୁ ବିଦାୟ ଦିଅ । ଏତିକି କାମନା ମୋର ମଣିଷ ସମାଜ ନିକଟରେ ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର
ମଧୁପାଟଣା,କଟକ