Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Others

3.8  

Rakesh Mishra

Others

ରିକ୍ସାବାଲା

ରିକ୍ସାବାଲା

5 mins
14.9K


ମାଷ୍ଟର କ୍ୟାଣ୍ଟିନରୁ ଓଲ୍ଡଟାଉନ ଆନୁମାନିକ 3-4 କିଲୋମିଟର ରାସ୍ତା । କେତେ ବାଟ କି ! ମାଷ୍ଟର କ୍ୟାଣ୍ଟିନରୁ ଶିଶୁଭବନ ଦେଇ ଆସିଲେ ଅଧଘଣ୍ଟାର ବାଟ । ପଢାପଢ଼ି ପରେ ଚାକିରି ଖୋଜିବାକୁ ଲିଙ୍ଗରାଜ ମନ୍ଦିର ପାଖରେ ମୁଁ ଘରଭଡ଼ା ନେଇ ରହୁଥାଏ । ଚାକିରି ତ ମିଳେନା ଖାଲି ଯାହା ଇଣ୍ଟରଭିଉ ଦେବାକୁ ଯାଇ ସାରା ସହର ଘାଣ୍ଟି ବୁଲିବା ହିଁ ସାର ହୁଏ । ଚାକିରି ମିଳିଲେ ଏସା କରିବି ତେସା କରିବି ଆଦି ସୁନେଲି ସ୍ଵପ୍ନ ଦେଖୁ ଦେଖୁ ଓ ଅନାବନା କଥା ଭାବୁ ଭାବୁ ମୁଁ ପହଞ୍ଚି ଯାଇଥାଏ ମୋ ବସାଘରେ । ଖର୍ଚ୍ଚ କମ କରିବାକୁ, ଅଧିକାଂଶ ସମୟରେ ମାଷ୍ଟର କ୍ୟାଣ୍ଟିନରୁ ଚାଲି ଚାଲି ଆସେ ।

ସେଦିନ ଚାଲି ଚାଲି ଆସୁଥାଏ ମାଷ୍ଟର କ୍ୟାଣ୍ଟିନରୁ । ଗୋଟେ ଇଣ୍ଟରଭିଉ ଦେଇ ଫେରୁଥାଏ । ରାତି ପାଖା ପାଖି ସାଢେ ନ’ଟା କି ଦଶଟା ହେବ । ହଠାତ ପାଖରେ କାହାର ଡାକ ଶୁଣି ଭାବନା ରାଜ୍ୟରୁ ଫେରି ଆସିଲି। ମୋତେ ଡାକୁଛି ନା ଆଉ କାହାକୁ ଭାବି ଏକଡ଼ ସେକଡ଼ ଦେଖିଲି ।

“କୁଆଡେ ଯିବେ ଆଜ୍ଞା” କେଇ ହାତ ଦୂରରୁ ରାସ୍ତାକଡ଼ରେ ଗୋଟେ ରିକସା ଉପରେ ଗୋଡ଼ ରଖିବା ଜାଗାରେ ଗୋଡ଼ହାତ ଜାକି ବସିଥିବା ବୁଢ଼ା ରିକ୍ସାବାଲାଟି ପଚାରୁଥିଲା। କୁଆଡ଼େ ନୁହେଁ ହାତ ହଲେଇ ମନା କଲି । ମନେ ମନେ ଟିକେ ବିରକ୍ତ ବି ହେଲି । ଯାହାର ରିକ୍ସା କରି ଯିବାର ଥିବ ସେ ନିଜେ ଯାଇ ପଚାରିବନି, ଏମିତି ରାସ୍ତାରେ ଯାଉଥିବା ସବୁ ଲୋକଙ୍କୁ ଡାକି ହାକି କିଏ ପଚାରେ । ହାତ ହଲେଇ ମୁଁ ଚାଲି ଆସୁଥିଲି ।

“ବାବୁ ଟିକେ ରହିବେ” କହି ରିକ୍ସାରୁ ଓହ୍ଲେଇ ମୋ ଆଡକୁ ଆଗେଇ ଆସୁଥିଲା । ମନେ ମନେ ଟିକେ ଡର ମାଡ଼ିଲା । ଚୋର ତସ୍କର ନୁହେଁ ତ !ହେଲେ ହେବ, ମୋ ପାଖରେ କଣ ଅଛି ଯେ ନେବ ! କିନ୍ତୁ କିଛି ନପାଇ ଯଦି ଛୁରୀ ଭୁଜାଲିରେ ଆକ୍ରମଣ କରେ !!

ସ୍ଥାଣୁ ଭଳି ଛିଡା ହୋଇ ଏତକ ଭାବୁ ଭାବୁ ବୁଢ଼ା ମୋ ପାଖରେ ପହଞ୍ଚି ସାରିଥାଏ । ବୟସ ଆନୁମାନିକ ପଞ୍ଚସ୍ତରି କିମ୍ବା ତାଠାରୁ ବେଶି । ବେଶଭୂଷା ଓ କଥାବାର୍ତ୍ତାରୁ ଦକ୍ଷିଣୀ ପ୍ରଭାବ ବେଶ ବାରିହୋଇ ପଡୁଥାଏ । ପାଖକୁ ଆସି ହଠାତ ଦୁଇ ହାତ ଯୋଡି ବରମପୁରୀ ଭାଷାରେ କହିଲା-

- ଦୁଇଟା ଟଙ୍କା ଦେବେ ବାବୁ, ଆପଣ ଯୁଆଡେ ଯିବେ ମୁଁ ରେକସାରେ ବସେଇ ନେଇଯିବି । ଆଜ୍ଞା ସକାଲ ଠାରୁ କିଛି ଖାଇ ନାଇଁ । ଭଗବାନ ଆପନଙ୍କର ମଙ୍ଗଲ କରିବେ ଆଜ୍ଞା ।

ମନେ ମନେ ହସିଲି ବାଃ ପଇସା ରୋଜଗାରର ନୂଆ ଉପାୟ

- କାଇଁ ସକାଳୁ କିଛି ରୋଜଗାର ହେଇନି କି ?

- ନାଇଁ ଆଜ୍ଞା, ସେ କଥା ଆଉ କିଅଣ ପାଇଁ ପଚାରୁଛନ୍ତି । ଆଜ୍ଞା ଏ ଅଟୋ ବାଲା ଆମ ବେପାର୍କୁ ପୁରା ବୁଡେଇ ଦେଲେ ଆଜ୍ଞା । ତାର୍ ପରେ ବୁଢ଼ା ବି ହେଲିନି, କେତେ ଖଟିମି। ଆଉ ପାରୁନି ଆଜ୍ଞା

ସେ ଆଉ କଣ କହି ଆସୁଥିଲା ମୁଁ ହାତ ଦେଖେଇ ତାକୁ ରହିବାକୁ କହି ପକେଟ ଅଣ୍ଡାଳି ଦେଖିଲି, ପକେଟରେ କେବଳ ଦଶ ଟଙ୍କା ପଡିଛି । ବେକାରି ଜୀବନରେ ଦଖରଚ ରୋକିବାକୁ ମୁଁ ବାକ୍ସରୁ ହିସାବ କରି ଟଙ୍କା ନେଇ ବାହାରେ । ତୁମ ପାଖରେ ଦଶ ଟଙ୍କା ଖୁଚୁରା ହେବ ମୋ ପାଖରେ ଖୁଚୁରା ନାହିଁ ।

ଦୁଃଖ ଓ ତାତ୍ସଲ୍ୟ ଭାର ହସଟେ ଉକୁଟି ଉଠିଲା ତା ମୁହଁରୁ । କହିଲା ଆଜ୍ଞା ମୋ ପାଖରେ ଥିଲେ ମୁଁ କିଅଣ ଆପନଙ୍କୁ ଦୁଇ ଟଙ୍କା ମାଗିଥାନ୍ତି ! ଆପନଙ୍କୁ ମାଗିବାକୁ ମୋତେ ଖରାପ ଲାଗୁଛି ହେଲେ କିଅଣ କରିବି ବାବୁ ଭୋକରେ ଚାରିପଟ ଅନ୍ଧାର ଦୁଶୁଚି ଆଜ୍ଞା ଆଉ ଏତେ ରାତିରେ ଭଡ଼ା ବି ମିଳିବନି ।

ମନେ ମନେ ବୁଝିପାରୁଥିଲି ନିତାନ୍ତ ବୋକା ପରି ମୁଁ କଥାଟା କହିଛି । କଥା ଅଟକେଇ କହିଲି –

ଆଚ୍ଛା ହେଲା ବୁଝିଲି । ଚାଲ, ଟିକେ ଆଗରେ ଗୋଟେ ପାନ ଦୋକାନ ଦିଶୁଛି । ସେଇଠି ଖୁଚୁରା କରି ତୁମକୁ ଦେବି । କିନ୍ତୁ ଦୁଇ ଟଙ୍କାରେ କଣ ଖାଇବ ତୁମେ ।

- ଯାହା ହେବ ଆଜ୍ଞା ମୁଢ଼ି ଚୁଡ଼ା ଗଣ୍ଡେ କି ବିସ୍କୁଟ ପକେଟଟେ ଖାଇ, ପାଣି ମୁନ୍ଦେ ପି ଏଇ ରେକସାରେ ଶୋଇ ପଡିବି ।

ଏତକ କହି ନିଜ ରିକ୍ସା ବୁଲେଇ ମୋତେ କହିଲା “ବସନ୍ତୁ ଆଜ୍ଞା”।

- କୁଆଡେ ?

- ସେଇ ପାନ ଦୋକାନକୁ ।

- ନାଇଁ ଥାଉ ହେଇ ତ ସେ ପାନ ଦୋକାନ ଦିଶୁଚି ଚାଲି ଚାଲି ଗଲେ ଦୁଇ ମିନିଟ ଲାଗିବ କାହିଁକି କଷ୍ଟ କରିବ ତ ପରେ ସକାଳୁ କିଛି ଖାଇନ କହୁଛ ।

- ନାଇଁ ଆଜ୍ଞା ଆପନ ବସନ୍ତୁ ।

ବାଧ୍ୟ ହୋଇ ବସିଲି ବୁଢ଼ା ରିକ୍ସା ଟାଣି ଟାଣି ଚାଲିଲା ଲୋକଟା ପ୍ରତି ମୋର ଖୁବ ଦୟା ହେଉଥିଲା ତା ସହ ଦୁଇପଦ କଥା ହେବାକୁ ଇଚ୍ଛା ହେଉଥିଲା ତାକୁ ପଚାରିଲି

- ଆଚ୍ଛା ମଉସା ତୁମ ଘର କେଉଁଠି ?

- ନିଜ ଘର ଆଜ୍ଞା ଆନ୍ଧ୍ର, ପଲାସା । ବୟସ ଥିଲା ବେଳେ ଢେର ଜାଗା ବୁଲିଛି ଆଜ୍ଞା ।

- ପିଲା ଛୁଆ ?

ପିଲା ଛୁଆଙ୍କ କଥା ପଚାରିଲା ବେଳେ, ନିଜ ମଇଳା ଗାମୁଛାରେ ଲୁହ ପୋଛିବାର ସ୍ପଷ୍ଟ ଦେଖି ପାରିଲି ମନେ ମନେ ନିଜକୁ ଖୁବ ଖରାପ ଲାଗୁଥିଲା ଅପରାଧୀ ପରି ଲାଗୁଥିଲା

ବାଷ୍ପରୁଦ୍ଧ କଣ୍ଠରେ କହିଲା

- ତିରିଶି ବତିଶି ବର୍ଷ ବଅସ ବେଳୁ ଆଜ୍ଞା ଭବନଶୋରରେ ରହୁଛି । ପିଲା ଛୁଆ ବୋଲି, ଦୁଇ ପୁଅ ଆଉ ଗୋଟେ ଝିଅ । ବଡ଼ ପୁଅ ପନ୍ଦର ବର୍ଷ ବୟସରେ ଗାଡ଼ି ଧକ୍କାରେ ମରିଗଲା । ଝିଅଟା’ବି ଗୋଟେ ଟ୍ରକବାଲା ସାଙ୍ଗରେ କୁଆଡେ ପଳେଇଲା । ବାକି ଥିଲା ସାନ ପୁଅ । ସେ ବି କାମ କରିବାକୁ ସୁରାଟ ଯାଇଛି ତ ଯାଇଛି, ଛ ସାତ ବର୍ଷ ହେଲାଣି କିଛି ଖବର ଅନ୍ତର ନାହିଁ । ବୁଢ଼ୀଟା ବି ସାନ ପୁଅକୁ ଝୁରି ଝୁରି ଢେରଦିନ କତରା ଲଗା ହେଇ ବିଛଣାରେ ପଡିଲା । ଯାହା କିଛି ଟଙ୍କା ପଇସା ଥିଲା ସବୁ ଖରଚ କରି ଢେର ଡାକ୍ତର ବଇଦ କଲି । ଶେଷକୁ ସେ ବି ଚାଲିଗଲା ଏବେ ମୁଁ ଏକା, ବିଲକୁଲ ଏକା । ମରିଗଲେ ମଶାଣିକୁ ନେବାକୁ ବି କେହି ନାହାନ୍ତି । କେବଳ ଏଇ ରେକସା ହିଁ ମୋର ଘର ମୋ ପରିବାର। ଏଇ ରେକସାରେ ସାରା ଜୀବନ କଟେଇ ଦେଲି ଏଇ ରେକସା ଉପରେ ଦିନେ ଜୀବନ ବି ଚାଲିଯିବ । ସବୁ କଉ ଜନମର କର୍ମର ଫଳ ବାବୁ ।

ଏତକ କଥା ବାର୍ତ୍ତା ଭିତରେ ଆମେ ପାନ ଦୋକାନ ପାଖରେ ପହଞ୍ଚି ସାରିଥିଲୁ । ପାନ ଦୋକାନ ଠାରୁ ଟିକେ ଦୂରରେ ଟିକେ ଅନ୍ଧାରୁଆ ଜାଗାରେ ତା ରିକ୍ସା ରଖି ଠିଆ ହେଲା । ମୁଁ ତାକୁ ପାନ ଦୋକାନ ପାଖକୁ ଡାକିବାରୁ ମନା କଲା କହିଲା “ମୁଁ ଏଇଠି ଅଛି ଆପଣ ଯାଆନ୍ତୁ” ।

ମୁଁ ପାନ ଦୋକାନୀକୁ ଦଶ ଟଙ୍କା ଦେଇ ତିନିଟା ପାନ ବରାଦ କରି ବେଞ୍ଚ ଉପରେ ବସି ଖବର କାଗଜର ନିଯୁକ୍ତି ବିଭାଗରେ ଆଖି ବୁଲାଇଲି । ପାନ ଭାଙ୍ଗି ସାରି ଦୋକାନୀ ମୋ ହାତକୁ ତିନିଟା ପାନ ଆଠ ଟଙ୍କା ଫେରେଇଲା । ଭାବିଲି ବୁଢ଼ାକୁ ପାଞ୍ଚ ଟଙ୍କା ଦେଇ ଦେବି । ବିଚରା ଖୁସି ହେବ । ବୁଢ଼ା ଛିଡ଼ା ହୋଇଥିବା ଜାଗାକୁ ଫେରି ଦେଖେ ସେଠି ବୁଢ଼ା ନାଇଁ କି ତା ରିକ୍ସା ନାହିଁ । ଆଶ୍ଚର୍ଯ୍ୟ ଏଇଠି ଥିଲା, ସଙ୍ଗେ ସଙ୍ଗେ କୁଆଡେ ପଳେଇଲା । ଫୁଟପାଥରେ ଦି ଜଣ ବସିଥିଲେ ତାଙ୍କୁ ବୁଢ଼ା କଥା ପଚାରିବାରୁ କହିଲେ ଯେ, ସେ ଗୋଟେ ଭଡ଼ା ନେଇ କୁଆଡ଼େ ଗଲା । ପକେଟରେ ପଇସା ପୁରେଇ ଚାଲି ଆସିଲି ।

ସେଦିନ ରାତିରେ ବୁଢ଼ା କଥା ଭାବି ନିଦ ହେଲାନି । ସତରେ ବଡ଼ ଦୁଃଖୀ ଲୋକଟିଏ । ବୁଢ଼ାର ଦୁଃଖ ସହ ନିଜ ଅବସ୍ଥା ତୁଳନା କରି ଦେଖିଲି ମୁଁ ଯଥେଷ୍ଟ ସୁଖରେ ଅଛି ।

ପରଦିନ ସେଇ ବାଟ ଦେଇ ଫେରିବା ବାଟରେ ଭାବିଲି ବୁଢ଼ା ଆଜି ବୋଧେ ସେଇଠି ଥିବ । ଯଦି ଥାଏ ତାକୁ ପଚାରିବି ମୁଁ ପାନ ଦୋକାନରୁ ଫେରିବା ବେଳକୁ ସେ ଚାଲିଗଲା କାହିଁକି ! କଣ ଟିକେ ସମୟ ରହି ହେଲାନି । ସେଠି ନା ବୁଢ଼ା ଥିଲା ନା ତା ରିକ୍ସା ପାଖରେ ଜଣେ ଜୁଆନ ରିକ୍ସାବାଲା ରିକ୍ସା ସିଟ ଉପରେ ଆଗକୁ ଗୋଡ଼ ଲମ୍ବେଇ ଅଧା ଶୁଆ ହୋଇ ବସିଥିଲା ମୋତେ ଦେଖି ଗରାଖ ମିଳିଯିବା ଆଶାରେ ଧଡପଡ଼ ହୋଇ ଉଠି ବସି ପଚାରିଲା “କୁଆଡ଼େ ଯିବେ ଆଜ୍ଞା ?” ମୁଁ କହିଲି, ନାଇଁ କୁଆଡେ ନୁହେଁ । ଆଛା ଏ ଯେଉଁ ବୁଢ଼ା ତେଲେଙ୍ଗା ରିକ୍ସାବାଲା ରିକ୍ସା ଟାଣେ ସେ କୁଆଡେ ଗଲା ?

- ଓଃ, ରାମଲୁ ବୁଢ଼ା ? ସେ କାଲି ମରିଗଲା ।

- “କେମିତି ?? “ ଆକାଶରୁ ଖସି ପଡିଲା ପରି ଲାଗିଲା ମୋତେ ।

- ହପ୍ତାଏ ହେଲା ଜରରେ ସଢୁଥିଲା ଆଜ୍ଞା । ସମସ୍ତେ ମନା କଲୁ ଭଡ଼ା ଖଟନା । କାହାରି କଥା ନ' ମାନି ରିକ୍ସା ଧରି ବାହାରିଥିଲା । କାଲି ରାତିରେ ଭଡ଼ା ନେଇ କୁଆଡେ ଯାଉଥିଲା, ବାଟରେ ରିକ୍ସାରୁ ଗଡ଼ି ପଡିଲା । କାଇଁ କଣ ହେଲାକି ବାବୁ?

- “ନାଇଁ କିଛି ନାଇଁ.. ” କହି ମୁହଁ ବୁଲେଇ ଆଣିଲି । ମୋ ଅଜାଣତରେ ଦୁଇ ଟୋପା ଲୁହ ଗାଲଦେଇ ବହିଗଲା । ମୁଁ ଚାହୁଁ ନଥିଲି ସେ ଟୋକା ମୋ ଆଖିର ଲୁହ ଦେଖିନେଉ କି ପରଖି ନେଉ ମୋ ପୁରୁଷ ପଣିଆର ଅନ୍ତରାଳରେ ଥିବା କୋମଳତା ।ମୁଁ ପରା ପୁରୁଷ, ମୋତେ କାନ୍ଦିବା ମନା ।

ମୁଁ ମନେ ମନେ ଭାବୁଥିଲି ମୁନିସପାଲିଟି ବାଲା ତା' ଲାୱାରିଶ ଲାଶଟା ଚିରା ଫଡ଼ା କରିସାରିବା ପରେ, ନେଇ ହୁଏତ କେଉଁ ନଈପଠାରେ ଶୁଏଇ ଦେଇଥିବେ । ବିଲୁଆ କୁକୁର ଟାଣି ଖାଉଥିବେ ସେ ଲାଶଟାକୁ । ଏବେ ମୋର ମନେ ପଡୁଥିଲା ବୁଢ଼ାର ଶେଷ କଥା ପଦକ।

“ମୁଁ ଏବେ ଏକା ବାବୁ, ବିଲକୁଲ ଏକା । ମରିଗଲେ ମଶାଣିକୁ ନେବାକୁ ବି କେହି ନାହାନ୍ତି....”

© ରାକେଶ ମିଶ୍ର


Rate this content
Log in