Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅପମୃତ୍ୟୁ
4 Minutes   274    9


Content Ranking

କ୍ଷୁଦ୍ରଗଳ୍ପ: # ଅପମୃତ୍ୟୁ #

==============

ଦେହ ଆଉ ମନ ଅଛି ଅଥଚ ଦୁର୍ବଳତା ନାହିଁ,କଥାଟି କାହିଁକି କେଜାଣି ମାନି ନେଇହୁଏନାହିଁ। କେବେ ଦୁର୍ବଳତା ପ୍ରବୃତ୍ତିଗତ ତ ଆଉ କେବେ ପ୍ରକୃତି ପରିପୁଷ୍ଟ।ଦୁର୍ବଳତାର ବଶବର୍ତ୍ତୀ ହେବା ନହେବା ଅଧିକାଂଶତଃ ପ୍ରାଣୀର ନିୟନ୍ତ୍ରଣ ବହିର୍ଭୁତ। କଅଁଳା ବାଛୁରୀଟେ ପାଇଁ କେବେ ମା'ର ଫୁଲିଲା ଫୁଲିଲା ଚିର ଦୁର୍ବଳତା, ଦୁର୍ବଳତା ପୁଣି ନୂଆକରି କଅଁଳି ଥିବା ଦୁବଘାସ।

ପ୍ରଥମେ ଯେବେ ଚକୋଲେଟ ତିଆରି ହେଇଥିଲା ସେତେବେଳେ ସମ୍ଭବତଃ କଅଁଳା ବାଛୁରୀ ପରି ଚଂଚଳମତି ପିଲାମାନଙ୍କର ଦୁର୍ବଳତାକୁ ଖୁବବେଶି ପରୀକ୍ଷା ନିରୀକ୍ଷା କରାଯାଇଥିବ। କାରଣ, କାହିଁକି କେଜାଣି କୁନି କୁନି ପିଲାମାନଙ୍କର ପ୍ରଥମ ପସନ୍ଦ ଏହି ଚକୋଲେଟ। ଚକୋଲେଟର ଲୋଭକୁ ଆଡ଼େଇ ଯିବା କୌଣସି ପ୍ରକାରେ ସମ୍ଭବ ହୁଏନା ପିଲାମାନଙ୍କ ଦେଇ। ଛୋଟ ପିଲାମାନଙ୍କର ଏହି ବିଶେଷ ଦୁର୍ବଳତା କେବେକେବେ ଟାଣିନିଏ ସେମାନଙ୍କୁ ଅସାମୟୀକ ମୃତ୍ୟୁ ଆଡ଼କୁ, ଜାଳିପୋଡ଼ି ଅଲୋଡ଼ା ଅଙ୍ଗାର କରିଦିଏ ସେଇ ନିରୀହ ଓ ନିଷ୍ପାପ କଢି ମାନଙ୍କୁ।

ସ୍କୁଲରେ ମଧ୍ୟାନ୍ତର ଘଣ୍ଟା ବାଜିବାମାତ୍ରେ ସ୍କୁଲଟା ଯାକର ପିଲା ଘରୁ ଆଣିଥିବା ଚାରଣୀ ଆଠଣି ଧରି ଧାଇଁଯା'ନ୍ତି ଗେଟପାଖ ଛୋଟା ଭାଈ ଦୋକାନ ପାଖକୁ। ଏକସଙ୍ଗେ ଅଗଣିତ ହାତ ଲମ୍ବିଯାଏ ଛୋଟାଭାଈ ଦୋକାନ ଭିତରକୁ।ଖାଲି ହାତ ଦିଶେ,କାହାରି ମୁହଁ ଦିଶେନା ଛୋଟା ଭାଇକୁ। କୁନିକୁନି ହାତମୁଠା ମାନଙ୍କର ସରୁସରୁ ଆଙ୍ଗୁଠି ଫାଙ୍କରୁ ଦିଶୁଥିବା ପଇସାମାନଙ୍କର ଆକାର କଳି ସେଇ ମୁଦ୍ରାର ସମାନୁପତିକ ମୂଲ୍ୟର ଚକୋଲେଟ ବାହାର କରି ବାଁ ହାତରେ ମୁଦ୍ରଗୁଡିକୁ ଟାଣିନେଇ ଡ଼ାହାଣ ହାତରେ ଚକୋଲେଟ ଗୁଂଜିଦେବାରେ ସିଦ୍ଧହସ୍ତ ଛୋଟାଭାଈ। ଚକୋଲେଟ ହାତ ମୁଠା ଭିତରକୁ ଆସିଗଲେ ପିଲାମାନେ ଗଡ଼ ଜିତିଯିବାର ଆନନ୍ଦ ଅନୁଭବ କରନ୍ତି।

ଧଳା କାଠିଲଗା ଲଲିପପକୁ କଳରେ ରଖି ଗାଲ ଫୁଲେଇ ସାଙ୍ଗପିଲାମାନେ ଧିରେ ଧିରେ ମିଠା ରସକୁ ଟାଣିନେଲାବେଳେ ମିନିର ଓଠ ଉପରେ ଜିଭଟା ଆପେଆପେ ବୁଲିଆସେ,ମିଠାମିଠା ହେଇଯାଏ ପାଟି ଭିତରଟା। ସିଏ ବି ମିଛଟାରେ ଜିଭକୁ ଏପଟ ସେପଟ କରିଦିଏ ମୁହଁକୁ ବାଁ ହାତ ପାପୁଲିରେ ଢାଙ୍କି। ବେଳେବେଳେ ତାକୁ ଲାଗେ ପିଲାମାନେ ତାକୁ ଦେଖେଇ ଦେଖେଇ ଚକୋଲେଟକୁ ବେଶିବେଶି ଚାଟନ୍ତି। ଚକୋଲେଟ ସରିଯିବାପରେ ସରୁନଳାବାଲା କାଠିକୁ ଓଠ ସନ୍ଧିରେ ରଖି ଫୁଂକନ୍ତି। ମିନିର ମନହୁଏ ସିଏବି ସାଙ୍ଗମାନଙ୍କ ସାଥିରେ ମିଶି ସେମିତି ଲଲିପପ ଖାଇସାରି ତା'ର ସରୁନଳୀକୁ ଓଠସନ୍ଧିରେ ରଖି ଫୁଙ୍କନ୍ତା ,ନାକ ବନ୍ଦକରି ପାଟିବାଟେ ନିଶ୍ଵାସପ୍ରଶ୍ୱାସ ନିଅନ୍ତା।

ମାତ୍ର ଚାରଣୀ କି ଆଠଣି ଗୋଟେ ଦରକାର ସେଥିପାଇଁ !!

ମାଧପୁର ଗାଁ'ର ପଦନ ଦାସର ସାତ ବର୍ଷର ଝିଅ ମିନି ମାଧପୁର ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ପଢେ।ପଦନର ପରିବାର କହିଲେ ତା ଭାର୍ଯ୍ୟା ,ଝିଅ ମିନୁ ଓ ବରଷକର ପୁଅ ବାବନ। ଭାଗଚାଷ ଓ ମୁଲମଜୁରି କରି ପରିବାର ର ତେଲଲୁଣ ଗୁଜୁରାଣ ମେଣ୍ଟେଇବା ଭାରିଭାରି ଲାଗେ ପଦନକୁ।ତଥାପି ମନରେ ଭାବିଥିଲା କୌଣସି ପ୍ରକାରେ ମିନିକୁ ତିନିଚାରି ଶ୍ରେଣୀ ପାସ କରେଇଦେଇ ସାରିବାପରେ ଘର କାମଦାମ ଓ ରୋଷେଇବାସ ଶିଖେଇଦେଇ ସମାସ୍କନ୍ଧ ପାତ୍ରଟିଏ ଦେଖି ହାତକୁ ଦିହାତ କରିଦେବ।

ମିନି ପାଠ ପଢ଼ାରେ ଶ୍ରେଣୀରେ ସମସ୍ତଙ୍କ ଠାରୁ ଆଗରେ ରହୁଥିଲାବୋଲି ମାଷ୍ଟର ମାନେ ତାକୁ ଭାରି ଭଲ ପାଉଥିଲେ। ମିନିର ବି ଭାରି ଇଚ୍ଛା ଥିଲା ବହୁତ ପାଠପଢି ଡାକ୍ତର କିମ୍ବା ଇଂଜିନିୟରଟେ ହେବା ପାଇଁ।

ମିଶ୍ର ଘରର ଧୁକୁଡି କକାଙ୍କ ପୁଅ ମଧୁଆ ନନା ଗାଁ ଭିତରେ ସବୁଠୁଁ ପାଠୁଆ ପିଲା। ମାନ୍ଦ୍ରାଜରୁ ଇଂଜିନିୟରିଂ ପଢା ସାରି ଗାଁକୁ ଆସିଛନ୍ତି ଗତ ସପ୍ତାହରେ। ତାଙ୍କ ଘରେ ଏବେ ଭାରି ଗହଳ ଚହଳ। ତାକୁ ଦେଖା କରିବା ପାଇଁ ସାହି ପଡିଶା ଠାରୁ ଆରମ୍ଭ କରି ବନ୍ଧୁବାସ ସମସ୍ତେ ଆସୁଛନ୍ତି। ଗାଁ ଟା ଯାକର ସମସ୍ତେ ତାର କେତେ ପ୍ରସଂଶା କରୁଛନ୍ତି।

ମିନି ସେଦିନ ସକାଳେ ସ୍କୁଲ ଯିବାବେଳେ ମଧୁଆ ନନା ତାକୁ ଦେଖିଦେଇ ପାଖକୁ ଡାକି ତାକୁ ଗେହ୍ଲକରି କେତେ କଥା ପଚାରିଲେ। ପାଠ ବିଷୟରେ ଯାହା ପଚାରିଲେ ମିନି ସବୁ ଠିକଠିକ କହିଦେବାରୁ ନନା ଖୁସି ହେଇ ତାକୁ ପକେଟରୁ ବାହାର କରି ପୁଳାଏ ଚକୋଲେଟ ଦେଲେ ଯେ ମିନିର କୁନି ହାତ ଆଞ୍ଜୁଳା ପୂରି ବହକି ପଡିଲା। ମିନିର ମନ କିଲିବିଲିଆ ହେଇଗଲା। ଜୀବନରେ ଏକସଙ୍ଗେ ଏତେଗୁଡିଏ ଚକୋଲେଟ ହାତରେ ଧରିବା ତ ଦୂରର କଥା, ସ୍ୱପ୍ନରେ ମଧ୍ୟ ଭାବି ନ ଥିଲା କେବେ ସିଏ।

ବସ୍ତାନି ଭିତରେ ଚକୋଲେଟ ତକ ଭରି ଦେଇ ଅଣନିଶ୍ୱାସୀ ହେଇ ଧାଇଁଲା ସ୍କୁଲକୁ। ଭାବୁଥିଲା ମଧୁଆ ନନା କେତେ ଭଲ ସତରେ !

ବର୍ଷା ପାଗ ଯୋଗୁଁ ସେଦିନ ଟିକେ ସହଳ ଛୁଟି ହେଇଗଲା ସ୍କୁଲ। ଖେଳ ଛୁଟିରେ ଚାରିଟା ଚକୋଲେଟ ଖାଇ ଗଣିଗଣି ବାବନ ପାଇଁ ଛଅଟା ରଖିଥିଲା। ସେଥିରୁ ଗୋଟେ ବାହାର କରି କଳରେ ଜାକି ଏକମୁହାଁ ହେଇ ଘରକୁ ଧାଇଁଲା ମିନି। ଗାଁ ରାସ୍ତା କଡ ଚୁଆ ପାଖରେ ମଧୁଆ ନନା ସିଗାରେଟ ଟାଣୁଥିଲେ। ମିନିକୁ ଦେଖି ଆଦରରେ ପାଖକୁ ଡାକି ପଚାରିଲେ,"ଚକୋଲେଟ କେମିତି ଲାଗିଲା ଝିଅ?"

"ଭାରି ବଢିଆ"-ମିନି କହିଲା।

ନନା ପଚାରିଲେ,"ସବୁଯାକ ଖାଇଲୁ ନା ନାହିଁ?"

ମିନି କହିଲା -"ମୁଁ ପାଞ୍ଚଟା ଖାଇଲି, ଆମ ବାବନ ପାଇଁ ପାଞ୍ଚଟା ରଖିଛି।"

" ବୋକି ଝିଅଟା କିରେ, ବାବନ କଥା କହିଲୁନି ତା'ପାଇଁ ଆଉ ଦେଇଥାନ୍ତି। ହଉ ,ମୋ ସାଥିରେ ଆସେ ଛୋଟା ଭାଇ ଦୋକାନରୁ ବାବନ ପାଇଁ ଲଲିପପ କିଣିଦେବି।" କହି ମିନି ହାତକୁ ଧରି ମଧୁଆ ନନା ଆମ୍ବତୋଟା ମଝିଦେଇ ସ୍କୁଲ ଆଡକୁ ପଡିଥିବା ପାଦଚଲା ରାସ୍ତାରେ ଆଗକୁ ଚାଲିଲେ। ମିନିର ଖୁସି କହିଲେ ନସରେ। ଧଳା କାଠିଲଗା ଲଲିପପ କଥା ଭାବିଭାବି ମିଠା ମିଠା ରସ ଢ଼ୋକି ଚାଲିଥାଏ।

ସଞ୍ଜ ଗଡ଼ି ରାତି ହେଲା, ମିନି ଘରକୁ ଫେରିଲା ନାହିଁ। ପଦନ ଆଉ ତା ଭାର୍ଯ୍ୟା ଗାଁ ସାରା ଖୋଜିଖୋଜି ନୟାନ୍ତ ହେଲେ ତଥାପି ମିନିର କିଛି ଖୋଜଖବର ନାହିଁ। ଗାଁର ଦଳେ ଟୋକା ଟର୍ଚ୍ଚ ଓ ଲଣ୍ଠନ ଧରି କୂଅ,ପୋଖରୀ, ଗଳିକନ୍ଦି ଖୋଜିସାରି ଆମ୍ବତୋଟା ଭିତରେ ପଶି ଖୋଜାଖୋଜି କଲାବେଳକୁ ଗୋଟେ ଆମ୍ବଗଛ ମୂଳ ବୁଦା ଭିତରୁ ମିନିର ମୃତଦେହ ମିଳିଲା। ମିନି ମା'ବାପଙ୍କର ଛାତିଫଟା କାନ୍ଦ ଆମ୍ବତୋଟାର ଗଛପତ୍ର ମାନଙ୍କୁ ନିସ୍ପନ୍ଦ କରିଦେଲା,ଚିରିବିଦାରି ପକେଇଲା ଆମ୍ବତୋଟାର ପଥୁରିଆ ମାଟିକୁ।

ଖବର ପାଇ ଥାନା ବଡ଼ବାବୁ ଆସି ପହଁଚିଲେ ଘଟଣା ସ୍ଥଳରେ। ଲୋକେ ଆଡେଇ ହେଇ ବାଟ ଛାଡିଦେଲେ ।

"ପୁଲିସ ଆସିଲାଣି, ଆଉ କିଛି ଅସୁବିଧା ନାହିଁ। ସାତତାଳ ଗଭୀରରୁ କାନ ଧରି ଟାଣି ନେବ ମିନିପରି କଅଁଳା ଛୁଆଟାକୁ ଯୋଉ ପଶୁ ଏମିତି ନିର୍ଦ୍ଦୟ ହେଇ ମାରି ଏ ଆମ୍ବତୋଟାରେ ଏମିତି ପକେଇଛି।"- ଭିଡ଼ ଭିତରୁ କେହିଜଣେ କହିବାର ଶୁଣାଗଲା।

ବଡବାବୁ ଆଗକୁ ଯାଇ ମିନିର ସ୍ପନ୍ଦନ ହୀନ ଦେହ ପାଖରେ ପହଁଚି ମଦନ ଆଉ ତା'ର ଭର୍ଯ୍ୟଙ୍କୁ ଆଶ୍ୱାସନା ଦେବା ଭଙ୍ଗୀରେ କହିଲେ,"ବ୍ୟସ୍ତ ହୁଅନା,ସବୁ ଠିକ ହେଇଯିବ। ପୋଲିସ ର ହାତ ବହୁତ ଲମ୍ବା। ମର୍ଡର କେଶ ହେଇଥିଲେ ଅପରାଧୀ ଯିଏ ବି ହେଉ ,ଖସି ଯାଇ ପାରିବନି।"

ଶବଟିକୁ କିଛି ସମୟ ଓଲଟପାଲଟ କରି ଦେଖିବା ପରେ ଡାଇରି ବାହାର କରି କଲମର କାଳୀ ଛିଞ୍ଚାଡୁ ଛିଞ୍ଚାଡୁ କହିଲେ, "ଏହା ଏକ ଅପମୃତ୍ୟୁ। ସାପକାମୁଡ଼ା କେସ,ପାଟିରୁ ଗରଳ ବାହାରୁଛି। ଶବ ନେଇ ଦାହ କରିବାର ବ୍ୟବସ୍ଥା କର।"

ମଦନ ମିନିର ଶବକୁ କାନ୍ଧକୁ ଉଠେଇନେଲା ବେଳକୁ ତା ମୁହଁରୁ ଲଲିପପ ର ବହଳ ଓ ଅଠାଳିଆ ମିଠା ରସ ଅଳ୍ପଟିକେ ବୋହିଗଲା ମଦନ ପିଠି ଉପରେ, ଓଦା କରି ଦେଲା ଗୋଟେ ନିରୀହ ବାପର ଦୟନିୟତାକୁ । ଧଳା ରଙ୍ଗର କାଠିଟା ସେମିତି ଲାଖି ରହିଥିଲା ମିନିର ମୁହଁରେ। ସମ୍ଭବତଃ ଲଲିପପ ପ୍ରତି କୁନି ପିଲାଟିର ଦୁର୍ବଳତାଟି ଦାବି ହେଇଯାଇଥିଲା ପୂର୍ଣ୍ଣତାର ସ୍ମାରକୀଟେ ହେଇ ଅଧାଉଠିଥିବା କୌଣସି ଗୋଟେ କଳ ଦାନ୍ତ ସନ୍ଧିରେ। ବାଁ ହାତ ମୁଠାରେ ବବୁଲ ପାଇଁ ରଖିଥିବା ବାକି ତିନିଟା ଚକୋଲେଟ ତାର କୁନି ହାତମୁଠାରେ ସେଇମିତି ସୁରକ୍ଷିତ ଥିଲା।

ସକାଳୁ ସକାଳୁ ମଧୁଆ ନନା ଛକ ପାଖରେ ବସକୁ ଅପେକ୍ଷା କରୁଥିଲେ। ସିଗାରେଟର ଧୁଆଁ ଅଳ୍ପ କୁଣ୍ଡଳୀ କାଟି ମିଳେଇ ଯାଉଥିଲା କୁହୁଡି ଭିତରେ।

ତୋଟା ସେପାଖର ଘନ କୁହୁଡିର ଛାତି ଚିରି ହଲି ଦୋହଲି ହର୍ଣ୍ଣ ମାରି ଆଗେଇ ଆସୁଥିଲା ବସ।

ବାଁ ପକେଟରେ ହାତ ପୁରେଇ ବଳି ପଡିଥିବା ଦୁଇଟି ଲଲିପପକୁ ବାହାର କରି ରାସ୍ତାପାଖ ଜୋର ଭିତରକୁ ପକେଇଦେଇ ବସକୁ ହାତ ମାରିଲେ ମଧୁଆ ନନା।

------------------ସମାପ୍ତ-------------------

©ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂ ପୁର,ପିରହାଟ ବଜାର,ଭଦ୍ରକ।

୯୪୩୮୬୭୦୧୨୦/୯୯୩୭୫୪୮୪୩୧

========

ଏସ-୫/୩୪୨,ନୀଳାଦ୍ରି ବିହାର, ଭୁବନେଶ୍ୱର-୨୧

-----------------------------------

ଅପମୃତ୍ୟୁ ମୃତ୍ୟୁ ଆଠଣି

Rate the content


Originality
Flow
Language
Cover design

Comments

Post

Some text some message..