Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aniruddha Samantara

Tragedy

2  

Aniruddha Samantara

Tragedy

ମିଛ ପ୍ରତିଶ୍ରୁତି

ମିଛ ପ୍ରତିଶ୍ରୁତି

4 mins
7.6K


ମିଛ ପ୍ରତିଶ୍ରୁତି

ସ୍ବପ୍ନ କିଏ ବା ନ ଦେଖେ। ହେଲେ ସବୁ ସ୍ବପ୍ନ କଣ ସାକାର ହୁଏ? ସବୁ ଝିଅଙ୍କ ଭଳି କଳ୍ପନା ବି ସ୍ବପ୍ନ ଦେଖେ। ସେଇ ଅଧୁରା ସ୍ବପ୍ନ। ସେ ବାହା ହେବନି। ଘର ସଂସାର ଜଞ୍ଜାଳରେ ପଶିବନି। ତା ସ୍ବାଧିନତା ହରାଇବନି। ତାକୁ ଜନ୍ମ ଦେଇଥିବା ତା ବାପା ମାଆଙ୍କର ସେବାକରି ସେମିତି ଜୀବନ ବିତେଇଦେବ।
ରମେଶ ବାବୁଙ୍କ ଏକମାତ୍ର ଝିଅ କଳ୍ପନା।ବୟସ ୨୦ ବର୍ଷ। ଭାରି ଶିକ୍ଷିତା। ଭାରି ଶାନ୍ତ ଓ ସରଳ ସ୍ବଭାବର ଝିଅ। ପିଲାଟି ବେଳରୁ ଭାରି ବୁଝିବାର ସେ। ବାପା ମାଆଙ୍କୁ ପ୍ରତ୍ୟେକ କାମରେ ସାହାଯ୍ୟ କରେ। ପ୍ରତିଦିନ ଭୋର ସକାଳୁ ଉଠି ଫୁଲ ତୋଳିବା କାମରୁ ଆରମ୍ଭ କରି ଘରଦ୍ବାର ସଫା କରିବା , ରୋଷେଇ କରିବା ପୁଣି ନିଜ ପାଠପଢା କରିବା ସହ ଶୋଇବା ସମୟରେ ବାପାମାଆଙ୍କ ପାଦସେବା କରେ। ଗାଆଁର କଂସାରୀ ଘର ପାରାଟିଏ ସେ। ସମସ୍ତଙ୍କର ପ୍ରିୟ। ଦେଖିବାକୁ ବି ଭାରି ସୁନ୍ଦର। ଗୋଟିଏ ଚାଉଳରେ ଗଢା। ପୂଜାପାଠ ବି ଜାଣେ। ପ୍ରତି ମଙ୍ଗଳବାର ମା'ଙ୍କ ମନ୍ଦିରେ ଦୀପ ଜାଳେ ଓ ଉପବାସ ରହେ। ଯେ କେହି ବି ଦେଖି କହି ପକାଉଥିଲେ ଆଜିକାଲି ଏଇ କଳିକାଳରେ ଝିଅଙ୍କ କଥା କହିଲେ ନସରେ, ହେଲେ କଳ୍ପନା ସେମାନଙ୍କଠୁ ଭିନ୍ନ।
ରମେଶବାବୁ ଜଣେ ମଧ୍ୟବିତ୍ତ ପରିବାରର। ଝିଅର ବାହାଘରକୁ ନେଇ ଚିନ୍ତିତ। ଅନେକ ଭଲ ପ୍ରସ୍ତାବ ଆସେ। ହେଲେ କଳ୍ପନା ନାରାଜ୍। ସେ ରୋକଠୋକ୍ କହିଦିଏ ସେ ଏଇଠି ରହିବ, ବାହାସାହା କିଛି କରିବନି। ବାପାମାଆ ଭାରି ବୁଝାନ୍ତି ଝିଅ ଜନମ ପର ଘରକୁ ଦିନେ ନା ଦିନେ ଯିବାକୁ ହେବ। ନଚେତ୍ ଦୁନିଆ ଦଶ କଥା କହିବ। ଶେଷରେ ନିଜକୁ ବୁଝାଏ କଳ୍ପନା , ବାପାମାଆଙ୍କ କଥାରେ ରାଜି ହୁଏ। ଶେଷରେ ପଡୋଶୀ ଜିଲ୍ଲାରେ ଅନ୍ବେଷ୍ ସହ ପ୍ରସ୍ତାବ ଠିକ୍ ହୁଏ।
ଅନ୍ବେଷ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ମୁମ୍ବାଇରେ ରହି କାମକରେ। ଦେଖିବାକୁ ଭାରି ସୁନ୍ଦର। ବଳିଷ୍ଠ ଶରୀର। ଭାରି ଦାୟିତ୍ବବାନ। ବାପାମାଆ ଗାଆଁରେ ରହନ୍ତି। ଏକ ମାତ୍ର ପୁଅ। କଳ୍ପନାର ପ୍ରସ୍ତାବରେ ଭାରି ଖୁସି।

ବାପା ମୁହଁରେ ଭାରି ଖୁସିି। ଶେଷରେ ମା'ଙ୍କ ଦୟାରେ ସବୁ କିଛି ଠିକ୍ ଚାଲିଥାଏ। ମଧ୍ୟବିତ୍ତ ପରିବାର ହେଲେ ବି ଗୋଟିଏ ବୋଲି ଝିଅର ବାହାଘର ଧୂମ୍ଧାମ୍ ରେ ଆୟୋଜନ କଲେ। ଧିରେଧିରେ ଘରେ ବନ୍ଧୁବାନ୍ଧବ କୁଣିଆ ମଇତର ଗହଳିରେ ପୂରା ହସହସ ପରିବେଶ ଦେଖାଦେଲା। ଦେଖୁଦେଖୁ ଲଗ୍ନ ଦିନ ଆସି ପହଞ୍ଚିଲା। କେତେ କୁଆଡୁ ନୂଆ ପୁରୁଣା ଆଖପାଖ ସବୁ ଆସି ଭୋଜି ଖାଇଲେ। ରାତି ବିବାହ ଯୋଗ। ସନ୍ଧ୍ୟା ସୁଦ୍ଧା ବରଯାତ୍ରୀ ପହଞ୍ଚି ସାରିଥିଲେ। ବିରାଟ ପ୍ରୋଶେସନରେ ବାଣ ଫୁଟାଇ ନାଚିନାଚି ବର ବେଦିରେ ପହଞ୍ଚିଲା। ଠିକଣା ଯୋଗରେ ବୈଦିକ ରୀତିନୀତିରେ ହସ୍ତଗଣ୍ଠି ପଡିଲା । ବିବାହ କାର୍ଯ୍ୟ ସଂପନ୍ନ ହେଲା। ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମର ସାଥି ହୋଇଥିଲେ। ଶେଷରେ ଝିଅବିଦା। ଭାରି କାନ୍ଦୁଥିଲା କଳ୍ପନା, ଏଣେ ମାଆଙ୍କ ଆଖିରେ ଲୁହଧାର ସୁଖିବାର ନା ଧରୁନଥିଲା। ହେଲେ ବାପା ଦମ୍ଭ ଧରି ନିଜ କୋହକୁ ଛାତିରେ ଲୁଚାଇ ଧୈର୍ଯ୍ୟ ଦେଉଥିଲେ। ତଥାପି ଝିଅର ବାପା....ବାପା.... ଡାକ ବାପାର ହୃଦୟକୁ ଫଟାଇ ଆଖିରୁ ନିରନ୍ତର ଅଶ୍ରୁ ବୁହାଇଲା। ଏ ଦୃଶ୍ୟକୁ ଦେଖୁଥିବା ସଭିଙ୍କ ଆଖିରେ ଲୁହଧାର। ଶେଷରେ ସମାଜର ନିୟମ ଆଗରେ ହାର ମାନି ବିଦାଦେଲେ ତାଙ୍କ ଓଲିଅଳ ଝିଅଟିକୁ।

କଳ୍ପନାର ମଥାରେ ସିନ୍ଦୂର ଝଲସି ଉଠୁଥିଲା,ତା ସାଙ୍ଗକୁ ହାତ ପୂରା ଶଙ୍ଖାରେ ଦେବୀ ପରି ଦେଖାଯାଉଥିଲା। ନୂଆ ଗାଆଁ,ନୂଆ ଘର ପ୍ରଥମେ ପ୍ରଥମେ ଟିକେ ଅସୁଖକର ଲାଗୁଥିଲା। ହେଲେ ଅନ୍ବେଷର ଭଲପାଇବା ତା ସାଙ୍ଗକୁ ବାପାମାଆଙ୍କ ଭଳି ଶାଶୂ ଶଶ୍ବୁରରଙ୍କ ଆତ୍ମୀୟତାରେ ବେଶ୍ ନିଜର ହୋଇସାରିଥିଲା ସଭିଙ୍କର। ନିଜର ହସଖୁସିକୁ ଫୋନରେ ବାପାମାଆଙ୍କ ସହ ବାଣ୍ଟୁଥିଲା। ଝିଅର ଖୁସିର ସଂସାର ଦେଖି ବାପାମାଆ ଭାରି ଆନନ୍ଦିତ। ବିବାହ ପରେପରେ ଥରେ ଦିଥର ଝିଅକୁ ଦେଖା କରିବାକୁ ଯାଉଥିଲେ।

ପଶ୍ଚିମ ଆକାଶରେ ରବି ଅସ୍ତମିତ ବେଳା। ଧିରେଧିରେ ଚାରିଆଡ ଅନ୍ଧାର ମାଡିଆସୁଛି। କୋଳାହଳ ସମୟ କ୍ଲାନ୍ତ ହେବାକୁ ବସିଛି। ଛୁଟି ଶେଷ। ଏଥର ଫେରିବାକୁ ହେବ। ହୀରାଖଣ୍ଡରେ ବାହାରି ବିଶାଖାପାଟଣା, ସେଠୁ ଫ୍ଲାଇଟରେ ସିଧା ମୁମ୍ବାଇ। ସମୟ ପାଖେଇ ଆସୁଛି। ସଭିଙ୍କ ମୁହଁରେ ବିଷଣ୍ଣ ଭାବ। ପ୍ରତିଶ୍ରୁତି ଦିଏ କଳ୍ପନାକୁ ଯିବା ସଙ୍ଗେ ଫ୍ଲାଟଟିଏ କିଣିନେବ ,ତା ପରେ ତାକୁ ସାଙ୍ଗରେ ନେଇ ଚାଲିଯିବ। ତଥାପି କଳ୍ପନାର ମନ ବୁଝେନା। ବାପା ମାଆଙ୍କ ପରେ ସେ ହିଁ ଅତି ନିଜର ଥିଲା ଯାହାକୁ ମନଖୋଲି ସବୁକିଛି ବାଣ୍ଟିପାରୁଥିଲା। ଏଥର ତା'ଠୁ ଦୂରେ କେମିତି ବଞ୍ଚିବ। ଶେଷରେ କଳ୍ପନାର ଆଖି ପୋଛି ମଥାରେ ଚୁମାଟିଏ ଦେଲା। ଠିକ୍ ସମୟରେ ଖାଇନେବ,ଏମିତି ଲୁହ ଝରାଇବନି, ନିଜର ଯତ୍ନ ନେବ। ଶୀଘ୍ର ଫେରିଆସିବି। ଅନ୍ବେଷ କଣ କଳ୍ପନା ବିନା ରହିପାରିବ? ଧୈର୍ଯ୍ୟ ଧର। ସବୁ କିଛି ଠିକ ହୋଇଯିବ। ଏମିତି ଅନେକ ପ୍ରତିଶ୍ରୁତି ଦେଇ ହୀରାଖଣ୍ଡରେ ବାହାରିପଡେ। ହାତ ହଲାଇ ହଲାଇ ବିଦାୟ ଦେଉଥାଏ। ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମର ସାଥି ହୋଇ ଚାଲିବାକୁ ଯେଉଁ ହାତ ଧରିଥିଲା ଆଜି ସେଇ ହାତ ଉପହାସିତ କରୁଥିଲା କଳ୍ପନାକୁ।

ଫେରିଆସେ ଘରକୁ। ଅନ୍ବେଷ ବିନା ନିଛାଟିଆ ଲାଗୁଥାଏ ଜୀବନର ପ୍ରତିଟି ମୂହୁର୍ତ। ହୃଦୟରେ ନିଜ କୋହକୁ ଲୁଚାଇ ପିଇନିଏ ଲୁହ ସବୁ। ଅନ୍ବେଷ ସହ ବିତାଇଥିବା ପ୍ରତିଟି କ୍ଷଣ ଭାରି ମନେପଡେ। ଆହୁରି କନ୍ଦାଏ। ଗାଡି ରାୟଗଡା ଷ୍ଟେସନ୍ ପହଞ୍ଚିବା ପରେ ଫୋନ୍ ରିଙ୍ଗ୍ ହୁଏ କଳ୍ପନାର। ଟାଇମରେ ଖାଇନେବାକୁ ବୁଝାଏ। ବିଶ୍ରାମ ନେବାକୁ କହେ ଅନ୍ବେଷ। ଶେଷରେ ଦମ୍ଭ ଧରି ମାନିନିଏ ସବୁ କଥାକୁ ଓ ଅନ୍ବେଷକୁ ବି ନିଜର ଯତ୍ନ ନେବାକୁ କହି ଫୋନ୍ ରଖିଦିଏ। ଯେତେ ଚେଷ୍ଟା ପରେ ବି ହୃଦୟ ବୋଲ ମାନେ ନାହିଁ। ଲାଇଟ୍ ଅଫ୍ କରି ନୀରବରେ ଲୁହ ଝରାଇ ଝରାଇ ଛାଇ ନିଦରେ ଶୋଇପଡେ।
ରାତି ପ୍ରାୟ ସମୟ ୧୧ଟା। ଷ୍ଟେସନରୁ ଗାଡି ବାହାରେ। ନିଜ ସିଟରେ ବିଶ୍ରାମ ନିଏ ଅନ୍ବେଷ। ବାହାଘର ପରେ ବହୁତ ନିଜର କରିସାରିଥାଏ କଳ୍ପନାକୁ,ତାପାଇଁ ବି ସେତିକି ଯନ୍ତ୍ରଣାଦାୟକ ତାକୁ ଏକୁଟିଆ କରିଯିବା। ତଥାପି ପ୍ରତିଶ୍ରୁତି ଦେଇଚି ଯେତେବେଳେ, ଶୀଘ୍ର ତାକୁ ସାଙ୍ଗରେ ନେଇକିଯିବ। ସେଥିପାଇଁ ବହୁତ ଜଲ୍ଦି ତାକୁ ଫେରିବାକୁ ହେବ। ଏମିତି ଚିନ୍ତା କରିକରି ଶୋଇପଡେ।

ପାଖାପାଖି ରାତିଅଧ ପ୍ରାୟ। ନିଶବ୍ଦ ବେଳାରେ ଗର୍ଜି ଉଠେ ମୋବାଇଲ୍। ଅଜଣା ନମ୍ବର। କଲ୍ ରିସିଭ୍ କରିବା ଆଗରୁ କେହି ଜଣେ ଆସି ଧଡ୍ଧଡ୍.... ଧଡ୍ଧଡ୍..... କରି କବାଟ ବାଡାଏ। କବାଟ ଖୋଲେ କଳ୍ପନା। ନିଶବ୍ଦ ନିଶାରେ ଏତେ ଗହଳ ଦେଖି ଶଙ୍କିଯାଏ କଳ୍ପନା। ଶୁଣିବାକୁ ପାଏ ତା ସ୍ବାମୀ ଯାତ୍ରା କରୁଥିବା ହୀରାଖଣ୍ଡ ଦୁର୍ଘଟଣାଗ୍ରସ୍ତ। ହାଲୁକ୍ ଶୁଖିଯାଏ। ଫୋନ୍ ଲଗାଏ ହେଲେ, ରିଙ୍ଗ ହୁଏନି। ମନକୁ ପାପ ଛୁଁଉଥାଏ। ତଥାପି ତାର ବିଶ୍ବାସ ଥାଏ, ଅନ୍ବେଷର କିଛି ହେବନାହିଁ। ଟିଭିରେ ଘନଘନ ବାଜୁଥାଏ ସେଇ ଖବର। ହୀରାଖଣ୍ଡର S3,S4,S5 ଦୁର୍ଘଟଣାଗ୍ରସ୍ତ। ଅନ୍ବେଷ ଟିକେଟ୍ ବି S5ରେ କନଫର୍ମ ହୋଇଥିଲା। ତୁରନ୍ତ ଗାଡିଟିଏ କରି ବାହାରିପଡେ ଘଟଣାସ୍ଥଳକୁ।

ଆନ୍ଧ୍ର ଓଡିଶାର ସୀମାନ୍ତ ଅଞ୍ଚଳ। ଗାଡିରୁ ଓହ୍ଲାଇ ଦୌଡି ଆସେ। ଘଟଣାସ୍ଥଳରେ ପ୍ରବଳ ଗହଳି। ପରିବେଶ କାନ୍ଦ ବୋବାଳିରେ କମ୍ପିଉଠୁଥାଏ। ଏ ସମସ୍ତ ଦୃଶ୍ୟ ଅସ୍ତବ୍ୟସ୍ତ କରି ପକାଉଥାଏ। ସେଇ ଅନ୍ଧାରରେ ଖୋଜିବୁଲେ ତା ମନର ମଣିଷଟିକୁ। ମୃତ ବ୍ୟକ୍ତିଙ୍କ ଗହଣରେ ପରିବାର ପ୍ରିୟଜନଙ୍କ ବୁକୁଫଟା କାନ୍ଦ , ଆହତ ବ୍ୟକ୍ତିଙ୍କ ଆର୍ତନାଦ କଳ୍ପନାର ହୃଦ୍ସ୍ପନ୍ଦନକୁ ଦ୍ବିଗୁଣିତ କରିଦିଏ। ଶେଷରେ ଖୋଜିଖୋଜି ପହଞ୍ଚେ ଶବ ସଂଗ୍ରହ କରାଯାଇଥିବା ସ୍ଥଳେ। ଗୋଟି ଗୋଟି କରି କପଡା ଉଠାଇ ଦେଖେ। ଜର୍ଜରିତ ମୁଖଚିତ୍ର ସବୁ ଦେଖି ଥରିଉଠୁଥାଏ ତା ଶରୀର। ଦେଖୁଦେଖୁ ହଠାତ୍ ଅଟକିଯାଏ। ନିର୍ବାକ ହୋଇପଡେ। ମିଳେଇଯାଏ ତା ହୃଦୟ। ତା ପାଦତଳୁ ମାଟି ଖସିଯାଏ। ତା ସାମ୍ନାରେ ଅନ୍ବେଷର ମୃତ ଶରୀର। କଳ୍ପନାର ଫୋଟଚିତ୍ରକୁ ହାତମୁଠାରେ ଧରି ଅନ୍ବେଷ ଚିରନିଦ୍ରାରେ ଶୋଇଥାଏ।

ଅନ୍ବେଷର ଶରୀରକୁ ଧରି କାନ୍ଦେ। ସେ ଫୋଟଚିତ୍ରକୁ ନୁହଁ ବରଂ କଳ୍ପନାର ଜୀବନକୁ, ତାର ସବୁ ସ୍ବପ୍ନକୁ ମୋକଚି ପକାଇଛି। ମନେପଡେ ତାର ପ୍ରତିଟି ପ୍ରତିଶ୍ରୁତି। ସବୁ ପ୍ରତିଶ୍ରୁତି ଶେଷରେ ପାଉଁଶ ପାଲଟେ। ମାତ୍ର ଅଳପ ଦିନର ପାଲଟେ ସେଇ ଶଙ୍ଖା ସିନ୍ଦୂର। ସବୁଦିନ ପାଇଁ ଏକା ହୋଇଯାଏ କଳ୍ପନା।

ଅନିରୁଦ୍ଧ ସାମନ୍ତରା
କଲ୍ୟାଣ ସିଂହପୁର,ରାୟଗଡ
୯୪୩୮୬୮୫୮୬୫


Rate this content
Log in

Similar oriya story from Tragedy