ବଉଳ
ବଉଳ
ଫଗୁଣ ଆସିନି, ହେଲେ ଚାରିଆଡ଼େ ଖାଲି ବଉଳର ମହମହ ବାସ୍ନା। ଆମ୍ବ ବଉଳ ଏହି ଆମୋଦଭରା ପରିବେଶକୁ କରିଛି ଆହୁରି ରସାଣିତ.....ପୁଲକିତ ଆଉ ଉଜ୍ଜୀବିତ ।ପ୍ରକୃତି ରାଣୀର ଚିରନ୍ତନ ପ୍ରେମରେ ନିଜକୁ ହଜେଇ ଦେଇଛନ୍ତି ଅନେକ ସୁନ୍ଦର ସୁନ୍ଦର ପକ୍ଷୀ ସମୂହ। କୋଇଲିର କୁହୁ ତାନରେ ମୁଖରିତ ଆମ୍ରକୁଞ୍ଜ। ପୂଜା ଅନ୍ୟମନସ୍କ ହୋଇ ଚାହିଁ ରହିଛି ଗାଁର ଶେଷ ମୁଣ୍ଡରେ ଥିବା ସୁନ୍ଦରୀ ଆମ୍ବ ଗଛକୁ। ବଉଳର ବାସ୍ନା ଆଜି ତାକୁ ଆନମନା କରିପାରୁନି। ଗଛର ଡାଳ ପତ୍ରରେ ଖାଲି ବଉଳର ମୁହଁ। ନିଜ ଅଜାଣତରେ କେଇ ଟୋପା ଲୁହ ଝରି ପଡିଲାଣି ଆଖିରୁ। ମନେ ପକାଇଛି ଅଫେରା ଅତୀତକୁ। କାଲି ପରି ଲାଗୁଛି....
ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଏଇ ଗଛମୂଳେ ଏକ ନୀରବ ଅପରାହ୍ନରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଆମେ ଦୁହେଁ ବଉଳ ବସିଥିଲୁ। ଆଜୀବନ କେହି କାହା ନାଁ ନ ନେବା ପାଇଁ କରିଥିଲୁ ସଂକଳ୍ପ। ମୁଁ ତାକୁ ବହୁତ ଭଲପାଏ, ଆଉ ସେ ବି ମତେ। ତାକୁ ଦିନଟିଏ ନ ଦେଖିଲେ ମୁଁ ରହି ପାରେନି, ସେ ମୋର ସବୁ କିଛି।
ଏକାଠି ସବୁ କାମ କରୁ, ଏପରିକି ଖାଇବା ପିଇବା, ସାଥି ହୋଇ ସ୍କୁଲ ଯିବା,ଖେଳବୁଲ ସବୁ କିଛି। କେବଳ ରାତିରେ ଶୋଇବା ଟା ଛାଡିଦେଲେ କେହି ଅଲଗା କରି ପାରନ୍ତିନି ଆମକୁ। ସବୁଆଡେ ଆମରି ଚର୍ଚ୍ଚା ଆଉ ଆମ ପାଇଁ ଇର୍ଷା।
ଧୀରେ ଧୀରେ ଆମେ ବଡ଼ ହେଲୁ, ଆମ ସମ୍ପର୍କ ଧୀରେ ଧୀରେ ଘନିଷ୍ଠ ହୋଉ ଚାଲିଥାଏ। ସ୍କୁଲ ପରେ ଆରମ୍ଭ ହେଲା କଲେଜ ଜୀବନ। ଏବେ ଆମକୁ ଅନେକ ସମୟ ମିଳୁଥିଲା, ସାଙ୍ଗ ହୋଇ କଲେଜ ଯିବା ଠୁ ଆରମ୍ଭ କରି ଆସିବା ପର୍ଯ୍ୟନ୍ତ ପାଖେ ପାଖେ ରହୁଥିଲୁ ଦୁହେଁ।
ଖରାଦିନ ଛୁଟିରେ ବଉଳ ନିଜ ମାମୁଁଘରକୁ କିଛିଦିନ ପାଇଁ ଯିବା ପାଇଁ ବାହାରିଲା।ମୁଁ କେମିତି ବଉଳ କୁ ଛାଡି ରହିବି ମନେ ମନେ ଅସ୍ତବ୍ୟସ୍ତ ହୋଇ ଯାଉଥିଲି। ବଉଳ ବି କଥା ଦେଇଥିଲା ଖୁବ ଶୀଘ୍ର ଫେରି ଆସିବ।ଗଲାବେଳେ ଆମ ଘରକୁ ଆସି ଅଧଘଣ୍ଟା ବୁଝା ସୁଝା କରି ଗଲା। ମୁଁ ବି ଶୀଘ୍ର ଆସିବାକୁ କହି ହସି ହସି ବିଦାୟ ଦେଲି।
ବଉଳର ମାମୁଁ ଘର ଥିଲେ ବହୁତ ଗରିବ କିନ୍ତୁ ମାମୁଁ ମାଇଁ ଥିଲେ ବହୁତ ସରଳ ଆଉ ନୀରିହ। କିଛି ଦିନ ରହିବା ପରେ ବଉଳ ପୁଣି ଘରକୁ ଫେରିବାକୁ ପ୍ରସ୍ତୁତ ହୋଇଥିଲା। ମାଇଁ ଆଉ ବଉଳ ଯାଇଥିଲେ ଡ୍ରେସ କିଣିବାକୁ ପାଖ ବଜାରକୁ। ଡ୍ରେସ କିଣି ଘରକୁ ଫେରିଲା ବେଳକୁ ସନ୍ଦ୍ୟା।କିଛି ଅସାମାଜିକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଅଶାଳୀନ ବ୍ୟବହାର କଲେ ବଉଳକୁ। ବଉଳ ସେମାନଙ୍କୁ ପ୍ରତିରୋଧ କରିଥିଲା। ହେଲେ ଏକୁଟିଆ ବା କଣ କରିପାରିବ? ସାରା ବଜାର ଟି ନୀରବ, କାହାର ସାହସ ଟିକେ ନାହିଁ ଅସହାୟ ଝିଅକୁ ରକ୍ଷା କରିବାକୁ।ଗୁଣ୍ଡା ମାନେ ଜଣେ ମନ୍ତ୍ରୀଙ୍କ ନିଜ ଲୋକ, ତେଣୁ ସମସ୍ତେ ନୀରବ। ଆମେ ପରା ଧୃତରାଷ୍ଟ୍ରଙ୍କ ବଂଶଧର। ଦୌପଦୀର ବସ୍ତ୍ରହରଣ ଦେଖୁବୁ ସିନା ହେଲେ ରାଜ ନେତାଙ୍କୁ ବିରୋଧ କରିବୁନି।
ସମସ୍ତେ ନିରବ ଦ୍ରଷ୍ଟା। ବଉଳ ଚିତ୍କାର କରୁଥାଏ, "ମତେ ଛାଡି ଦିଅ, ମତେ ବଞ୍ଚାଅ।" ହେଲେ ପାପୀ ମାନଙ୍କର ପାଷାଣ ହୃଦୟ ଉପରେ କିଛି ବି ପ୍ରଭାବ ପଡ଼ୁ ନ ଥାଏ। ଜଣେ ବିଶାଳକାୟ ନିଶୁଆ ମଣିଷ ବଉଳକୁ ଟେକି ନେଲା କାର ଭିତରକୁ। ମାଇଁ ଲୋକଟିର ଗୋଡ଼ ଧରି ଛାଡ଼ି ଦେବାକୁ ନେହୁରା ହେଉଥିଲେ କିନ୍ତୁ ସେଇ ରାକ୍ଷସଟି ମାଇଁ ଙ୍କୁ ଶକ୍ତ ଗୋଇଠା ମାରିଥିଲା। କିଛି ଦୂରକୁ ଛିଟିକି ପଡିଲେ ମାଇଁ। ମୁଣ୍ଡରୁ ଧାର ଧାର ରକ୍ତ ଝରି ଯାଉଥିଲା। କିଛି ସମୟ ପରେ ଗାଡିଟି ଅଦୃଶ୍ୟ ହୋଇଗଲା ସମସ୍ତଙ୍କ ନଜରରୁ।
ମାଇଁଙ୍କ ଉପରେ ଦୁଃଖର ପାହାଡ଼ ଲଦି ହୋଇଯାଇ ଥିଲା। ଏବେ କଣ ହେବ ବିଚାରି ଝିଅଟିର ?ତା ସହିତ କଣ କରିବେ କାମନ୍ଧ କ୍ରୁର ନର ରାକ୍ଷସ ମାନେ? ନିଜ ହାତରେ ମୁଣ୍ଡର ରକ୍ତକୁ ପୋଛି ଘରକୁ ଆସିଥିଲେ ମାଇଁ। ମାଇଁ କୁ ଦେଖି ସାହି ପଡ଼ିଶା ତାଟି କବାଟ ଦେଇ ଦେଇ ଥିଲେ।ସତେ ଯେପରି ବିରାଟ ଭୁଲ କରିଛନ୍ତି ମାଇଁ। ଘଟଣାଟି ପବନ ବେଗରେ ଖେଳିଗଲା ଚାରିଆଡେ।ମାମୁଁ ଦୌଡି ଆସିଲେ ଘରକୁ, ମାଇଁଙ୍କ ନିକଟରୁ ସବୁ ଶୁଣି ପଥର ପାଲଟି ଯାଇଥିଲେ। ଏବେ କଣ ହେବ? ଶେଷରେ ବେସାହାରା ପରିବାରଟି ନିକଟସ୍ଥ ଥାନାରେ ଜାଣଇ ଥିଲେ କିନ୍ତୁ ଥାନା ଅଧିକାରୀ କହିଥିଲେ, ଯାଅ ସକାଳୁ ଆସିବ। ବଡ଼ବାବୁ ନାହାଁନ୍ତି।
ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବି.ଡ଼ି.ଓ.କିଛି କଣ୍ଟ୍ରାକ୍ଟର ଏବଂ କିଛି ପୋଲିସ ସମସ୍ତେ ମିଶି ପଳପଳ କରି ବଉଳର ଶରୀର ସହିତ ଖେଳିଲେ। ଶେଷରେ ରକ୍ତାକ୍ତ ହୋଇ ବେହୋସ ହୋଇ ପଡିଲା ନିରୀହ ଝିଅଟି।ନିଜର ପାପ ଲୀଳା ସରିବା ପରେ ସମସ୍ତେ ମିଶି ଗାଁ ମୁଣ୍ଡ ପୋଖରୀ ନିକଟରେ ଫିଙ୍ଗି ଚାଲି ଯାଇଥିଲେ। ଗାଁରେ କକୁଆ ଭୟ , ଘଟଣାଟି ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା।ବଉଳ ନିଜ ଜୀବନ ସହ ସଂଘର୍ଷ କରି ଶେଷରେ କୋମାକୁ ଚାଲିଯାଇଥିଲା। ଏତେ ପରେ ବି ଅପରାଧୀ ମାନେ ରାଜରାସ୍ତାରେ ଛାତି ଫୁଲେଇ ବୁଲୁଥିଲେ। କିଏ କହିବ? ଆପେ ବଞ୍ଚିଲେ ବାପର ନା।
ଏ ଘଟଣାରେ ପୋଲିସ ତତ୍ପରତା ଦେଖାଇ ନ ଥିଲା। କେସ କେବଳ କାଗଜ କଲମରେ ଚାଲିଥିଲା। ଅନେକ ଦିନ କୋମାରେ ରହିଲା ପରେ ଡାକ୍ତର ଗୋଟେ ଇଂଜେକସନ ଦେଇଥିଲେ ବଉଳକୁ। ଏହାର କିଛି ମୁହୂର୍ତ୍ତ ପରେ ବଉଳ ଚାଲିଯାଇଥିଲା ଏ ଦୁନିଆ ଛାଡ଼ି। ସବୁ ଦିନ ପାଇଁ ନୀରବ ହୋଇ ଯାଇଥିଲା ଏକ ଅବଳାର କରୁଣ କାହାଣୀ। ଲିଭି ଯାଇଥିଲା ଏକ କୁଆଁରୀ କନ୍ୟାର ଅସ୍ମିତା। ତାଠାରୁ ଛଡେଇ ନେଇ ଥିଲେ ବଞ୍ଚିବାର ନ୍ୟାଯ୍ୟ ଅଧିକାର। ଦୁର୍ବଳର ପ୍ରତିବାଦକୁ ପାଦରେ ଦଳିଦେଲେ ସମାଜର ବଡ଼ ପଣ୍ଡା ମାନେ।
ଅନେକ ବର୍ଷ ପରେ ଉଚ୍ଚ ନ୍ୟାୟାଳୟରୁ ବିଚାର ଆସିଲା "ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ନିର୍ଦୋଷ ରେ ଛାଡି ଦିଆଗଲା"।ଅନେକ ଲୋକ ଦେଖାଣିଆ ସମବେଦନା ଆସି ଥିଲା ଚାରିଆଡୁ। ରାସ୍ତା ରୋକ ଠୁ ଆରମ୍ଭ କରି ଅନେକ ପ୍ରତିବାଦ କରାଯାଇଥିଲା। ଆଉ ଅଭିଯୁକ୍ତ ମାନେ ଖୁସି ମାନାଇଥିଲେ ଅପୂର୍ବ ଆନନ୍ଦରେ।ରାଜନେତା ଜଣଙ୍କ କହିହେଉ ଥିଲେ "ଆଇନ ସମସ୍ତ ପାଇଁ ସମାନ। କ୍ଷୀର କ୍ଷୀର, ପାଣି ପାଣି। ଦଶ ଜଣ ଦୋଷୀ ଖସି ଯାଆନ୍ତୁ କିନ୍ତୁ ଜଣେ ନିଦୋଷୀ ଦଣ୍ଡ ନ ପାଉ"।
ସନ୍ଦ୍ୟାରେ ଘୋଟି ଆସିଲାଣି। ପୂଜା ଏକ ଲୟରେ ଚାହିଁ ରହିଛି ଆମ୍ବ ଗଛକୁ। ପଛ ପଟୁ ବୋଉ ଡାକ ପକାଇଲେ ଝିଅ ପିଲାଟା ଏକୁଟିଆ କଣ ଏଠି କରିଛୁ।ଘରକୁ ଚାଲ, ତତେ କେତେ ଖୋଜିଲୁଣି ଆମେ।ପୂଜା ଆଖିର ଲୁହକୁ ହାତରେ ପୋଛି ଘରକୁ ଫେରିଲା।