Lalita Mohan Mishra

Inspirational Tragedy


3  

Lalita Mohan Mishra

Inspirational Tragedy


ପରିଣୀତା

ପରିଣୀତା

9 mins 540 9 mins 540

ଅରୁର ଅଝଟିଆ ପ୍ରଶ୍ନର ଉତ୍ତର ଯେତେ ଦେଲେ ମଧ୍ୟ ଅରୁ ବୁଝିବାକୁ ନାରାଜ । ଅରୁ ମଇନାକୁ ତୁହାଇ ତୁହାଇ ସେଇ ଗୋଟିଏ କଥା ପଚାରୁଥାଏ ମାଆ.ଆଜି ଯୋ ସଭାରେ କହୁଥିଲେ..

ପିଲାମାନେ ରାଜା ହେବେ ବୋଲି. ???

ପିଲାମାନେ କ'ଣ ସତରେ ରାଜା ହେବେ ମାଆ. ????

ଅହେତୁକ ଆଗ୍ରହ କଣ୍ଠରେ ଅରୁ ବାରମ୍ବାର ପ୍ରଶ୍ନ କରୁଥାଏ ମଇନାକୁ । "ରାଜା" ହଇରେ କିଏ ହେବ ରାଜା ? ହଁ ମାଆ ମୁଁ ବତ ହେଲେ ଆମ ଗାଁରେ ଯୋ ନାଟ ହୋଉଥିଲା ସେଥିରେ ଯେମିତି ରାମଚନ୍ଦ୍ର ରାଜା ହୋଇଥିଲେ....ମୁଁ ସେମିତି ବଡ ହେଲେ ରାଜା ହେବି ମାଆ...।

ମାମୁଁ କହୁଥିଲା... ତୁ ବଡ ହୋଇ'ଯା - - ଭଲ ପାଠ ପଢିଲେ ରାଜା ହେବୁ !!!!

ନାଇରେ ଅରୁ.... ମାମୁଁ ସେମିତି କହିଦିଏ...

ଅରୁ ମନରେ ଅହେତୁକ ପ୍ରଶ୍ନ , ଅସମାପ୍ତି ଜିଜ୍ଞାଷା , ଅନେକ ଆଶା, ଅଫୁରନ୍ତି ସ୍ବପ୍ନ , ଅକଳ୍ପନୀୟ ବିଶ୍ବାସ.....

ମାଆ ? ଦିଦି କାହିଁକି ଆସୁନି ଯେ ? ତୁ ତ କହୁଥିଲୁ ଆସନ୍ତା ମାସରେ ବାପା ଆସିବେ ବୋଲି..ଯେତେବେଳେ ପଚାରିଲେ ତୁ କହୁଛୁ ବାପାଙ୍କର କାମଥିବା ହେତୁ ଆସିଲେ ନାହିଁ.... ଆର ମାସରେ ଆସିବେ !

ଆର ମାସରେ...ଆର ମାସରେ ....କହି କହି କେବେ ଆସିବେ ବାପା ? ? ? ମାଆ...

ମଇନା : ଅରୁର ଅଝଟିଆ ପ୍ରଶ୍ନର ଉତ୍ତର କ'ଣ ଦେବ ଭାବି ପାରୁ ନଥାଏ । ଶେଷରେ କହିଲା....ତୋର ବାପା ଖବର ଦେଇଛନ୍ତି - - - - ତୁ ଭଲମାର୍କ ରଖି ୫ମ ପାସ୍ କଲେ... ସେ ଆସିବେ.. ।

ମଇନାର ଚିନ୍ତାରେ ବ୍ୟାଘାତ ଜନ୍ମାଇ ଅରୁ କହିଲା....... ମାଆ ତୁ ବାପାଙ୍କୁ କହିଦେବୁ ? ଏଥର ପୂଜାରେ ମୋ ପାଇଁ ନୂଆ ଡ୍ରେସ୍ ଓ କଲର୍ ପେନସିଲ ଡ୍ରଇଁ ଖାତା କିଣି ଆଣିଦେବେ ? ତୁ ଧନ ଶୋଇପଡେ ମୁଁ ମାମୁଁକୁ କହିଦେବି...କାଲି ସକାଳେ ତୋ ବାପା ପାଖକୁ ଖବର ପଠାଇଦେବ !

ମଇନାର ଗୋଡରେ ଅରୁ ମୁଣ୍ଡ ରଖି ଶୋଇପଡିଲା । ଅରୁର ପିଠି ଥାପୁଡ଼ାଇ ଶୁଆଉ ଶୁଆଉ ମଇନାର ଆଖିରୁ ଅଜାଣତରେ କେତେବେଳେ ଲୁହ ଝରି ଯାଇଛି ଜଣାନାହିଁ ତାକୁ । ଛୋଟ ଛୁଆଟି ଜାଣୁନାହିଁ ବୁଝୁନାହିଁ । ମିଛକହି ତାକୁ ଭୁଲାଇଥିବାର ଅନିଚ୍ଛାକୃତ ଯନ୍ତ୍ରଣାରେ ମଇନାର ହୃଦୟ ଭିତରଟା ଯେମିତି କୋରି ହୋଇଯାଉଥାଏ । ସଭାରେ କ'ଣ ଶୁଣିଲା ଯେ... ସେ ସ୍ବପ୍ନ ଦେଖିବାକୁ ଲାଗିଲା... "ମୁଁ ରାଜା ହେବି ନା ମାଆ" , ସ୍ବପ୍ନ ଆଉ ବାସ୍ତବତା ଭିତରେ ଫରକ ମୁଁ ଏ କଥା ଅରୁକୁ ବୁଝାଇ ପାରିଲି ନାହିଁ !

ଏକଥା ଭାବି ଭାବି ମଇନାର ଆଖି ପଡି ଆସୁଥାଏ , ରାତି ବି ଅଧିକ ହେଲାଣି । ଦୁଃଖ ତ କିଛି ନୂଆ କଥା ନୁହେଁ - - - ଧିରେ ଧିରେ ଦୁଃଖ ରୁଟିନ୍ ପରି ଦେହ ସୁହା ହୋଇଯିବ। ଶେଷରେ ସବୁ ଚିନ୍ତାର ଉର୍ଦ୍ଧ୍ବରେ ଥାଏ ନିଦ !

କେତେବେଳେ ଏସବୁ ଚିନ୍ତା କରି କରି ନିଦ ହୋଇଯାଇଛି ଜଣାନାହିଁ ମଇନାକୁ । ଝାଳରେ ଦେହ ପୋଡି ଉଠିବାରୁ କର ଲେଉଟାଇ ଅରୁକୁ କୋଳକୁ ଟାଣି ଆଣିବାକୁ ଯାଇ ଦେଖେ ତ ବିଛଣା ଶୂନ୍ଯ....

ମଇନାର ହଠାତ୍ ନିଦ ଭାଙ୍ଗିଗଲା । ସମ୍ପତ୍ତି ବୋଇଲେ ଏକ ମାତ୍ର ପୁତ୍ର ଅରୁ । ଚମକି ପଡି ଆଖି ଖୋଲି ଚାରିଆଡେ ଦେଖିଲା - -- ଅରୁ କିଛି ଦୂରରେ ବସିଥିବାର ଅନୁମାନ କଲା । ରାତି ବୋଧହୁଏ ପାହି ଆସିଲାଣି କି କ'ଣ ?

ମଲାଜହ୍ନର ଛିଟିକାଏ ପଡିଛି ଘର ଭିତରକୁ....... ଅରୁ ବୋଧହୁଏ ପଢୁଛି ଭାବି ମଇନାର ପାହାନ୍ତିଆ ନିଦ ଲାଗି ଆସିଲା କିନ୍ତୁ କଛି ଗୁଣୁ ଗୁଣୁ ଶବ୍ଦରେ ନିଦଟି ଭାଙ୍ଗିଗଲା । ମଇନା ଧିରେ ଶୁଣିଲା ଓ ଦେଖିଲା.... ଅରୁ ଆଣ୍ଠୁମାଡ଼ି ପ୍ରାର୍ଥନା କରି କହୁଛି, ହେ ପ୍ରଭୁ ! ମୋତେ ଯେତେ କଷ୍ଟ ଦେଉଛ ପଛକେ ଦିଅ କିନ୍ତୁ ମୋର ମାଆକୁ କଷ୍ଟ ଦିଅ ନାହିଁ । ମୋର ମାଆ ସିନା ମୋତେ ଲୁଚାଉଅଛି କିନ୍ତୁ ମୁଁ ଜାଣିଛି ମୋର ବାପା ଆମ ପାଖକୁ ଆଉ ଫେରିବେ ନାହିଁ ।

ଅରୁର ଏ କଥା ପଦକ ଯେତେବେଳେ ମଇନାର କାନରେ ପଡିଛି..... ବିଗତ ସ୍ମୃତି ଗୁଡିକ ଚଳଚ୍ଚିତ୍ର ଭଳି ଆଖି ଆଗରେ ଭାସିଗଲା ..

( ୧ )

ମନେପଡେ ସେଦିନର କଥା.....ବିଶ୍ବାସବାବୁ ପ୍ରଥମ କରି ଅଫିସ୍ ରେ କାର୍ଯ୍ୟରେ ଯୋଗ ଦେଇଥାନ୍ତି ଅଫିସର ଭାବରେ । ଅଫିସ୍ ର ଅନ୍ୟ କର୍ମଚାରୀମାନଙ୍କ ଭଳି ଚତୁର୍ଥ ଶ୍ରେଣୀ କର୍ମଚାରୀ ଥାଏ ପଦମ । ପଦମ ଅଫିସ୍ ରେ କାମ କରିବା ସହିତ ବାବୁଙ୍କ ବସାରେ ବାବୁଙ୍କର ଘର କାମ କରିଥାଏ ।

ବିଶ୍ବାସବାବୁ ଓରଫ ଅସୀମ କୁମାର ବିଶ୍ବାସ । ଅତି ଶାନ୍ତ, ସରଳ, ନିଷ୍କପଟ ହୃଦୟ । ତାଙ୍କର ଘରେ ସ୍ତ୍ରୀ, ପୁଅଟେ ଓ ଝିଅଟିଏ । ତାଙ୍କର ପରିବାର ରହୁଥାନ୍ତି ଝାରସୁଗୁଡାରେ । ବିଶ୍ବାସବାବୁ ତାଙ୍କର ପରିବାରକୁ ଆଣନ୍ତି ନାହିଁ ।

ପଦମ ବାବୁଙ୍କ କ୍ବାଟରରେ ରୋଷେଇ ବାସ କରେ । ବାବୁଙ୍କର କ୍ବାଟରର ଟିକେ ଦୂରରେ ପଦମର କ୍ବାଟର ।

ପଦମର ସ୍ତ୍ରୀ ମଇନା ଓ ଝିଅ ରୀନା । ଝିଅଟି ଗାଁ ଠାରୁ ଦଶ କି.ମି. ଦୂରରେ ରହି ପଢୁଥାଏ ହଷ୍ଟେଲରେ ।

ପଦମ ଯଦି ଯେଉଁ ଦିନ କୁଆଡେ ବାହାରକୁ ପଳାଇଯାଏ, ବାବୁ ସେଦିନ ଉପାସ । ପାଖରେ ସେମିତି ଭଲ ହୋଟେଲ ବାଟ ନାହିଁ । ବାବୁଦିନେ ପଦମକୁ ଡାକି କହିଲେ...... ତୁ ଯେଉଁଦିନ ରହିବୁ ନାହିଁ, ମୋତେ ପୂର୍ବରୁ ଜଣାଇଦେବୁ ମୁଁ ତାର ବ୍ୟବସ୍ଥା କରିବି ।

ପଦମକୁ ଏକଥାଟା ଭାରି ବାଧିଲା, ସେ ତାର ସ୍ତ୍ରୀ ମଇନାକୁ କହିଲା...... ମୁଁ ନ ଥିଲା ଦିନ ତୁ ବାବୁଙ୍କ ପାଇଁ ଆମଘରେ ରୋଷେଇ କରି ଦେଇ ଆସିବୁ ।

ପଦମର ଟିକେ ଥାଏ ପିଇବା ଅଭ୍ୟାସ । ବେଳେ ବେଳେ ସନ୍ଧ୍ୟାରେ ପିଇକରି ବାବୁଙ୍କ କ୍ବାଟରକୁ ଯିବାକୁ ଉଚିତ୍ ମଣେ ନାହିଁ ପଦମ । ଯେଉଁଦିନ ଏ ପିଇଦେଇ ଥାଏ ବାବୁଙ୍କ କ୍ବାଟରକୁ ରାତ୍ରି ଭୋଜନ ଧରି ଯିବାକୁ ପଡେ ମଇନାକୁ । ବାବୁଙ୍କ କ୍ବାଟରରେ ଥୋଇଦେଇ ମଇନା ପଳାଇ ଆସେ, ବାବୁ କେତେବେଳେ ଖାଆନ୍ତି କେଜାଣି ?

ଏଭଳି ଭାବରେ ପଦମର ଘର ସହିତ ବିଶ୍ବାସ ବାବୁଙ୍କର ସମ୍ପର୍କ ନିବିଡ଼ରୁ ନିବିଡ଼ତର ହେବାକୁ ଲାଗିଲା । ପଦମ ଓ ତାର ସ୍ତ୍ରୀ ମଇନା ବାବୁଙ୍କର ଏକାନ୍ତ ବିଶ୍ବାସୀ ପରିବାର ହୋଇଗଲେ । ବାବୁ ସବୁକଥାରେ ପଦମ ଓ ତାର ସ୍ତ୍ରୀ ମଇନାକୁ ଲୋଡିଲେ । ପଦମକୁ ଟଙ୍କା ପଇସା ସାହାଯ୍ୟ କଲେ, ପୁନିଅ ପର୍ବରେ ପଦମର ସ୍ତ୍ରୀ ମଇନା ପାଇଁ ଶାଢୀ ଇତ୍ୟାଦି ଆଣିଦେଲେ ।

ବିଶ୍ବାସ ବାବୁଙ୍କର ନଜର ପଡିଲା ମଇନା ଉପରେ । ମଇନା ମଧ୍ଯ ବାବୁଙ୍କ ପ୍ରତି ସ୍ନେହାନୁରାଗିଣୀ ହେବାରେ ଲାଗିଲା । ଆଗ ଆଗ ପଦମ ପାଖରେ ପିଇବାକୁ ପଇସା ନଥିବାରୁ ସେ ସେତେ ପିଇପାରୁ ନ ଥିଲା କିନ୍ତୁ ଆଜିକାଲି ବାବୁଙ୍କର ଟଙ୍କାରେ ଅଭ୍ୟାସଟା ବଢେଇ ଦେଲା । ବେଳେ ବେଳେ ପଦମ କୋ'ଠି ପିଇକରି ଶୋଇପଡେ ତାର ଠିକଣା ନାହିଁ ।

( ୨ )

ଏପଟେ ବିଶ୍ବାସବାବୁ ମଇନାର ରୂପ, ଲାବଣ୍ୟରେ ମୋହିତ ହୋଇ, ନିଜକୁ ଅଇନାରେ ମୁହଁ ଦେଖିଲେ ମଇନା ଦିଶିଲା । ଆଖିରେ ନିଦ, ଖାଇବାରେ ଭୋକ, ପିଇବାରେ ତୃପ୍ତି, କାମରେ ଆଗ୍ରହ ଯେମିତି ମଇନା ଛଡେଇ ନେଲା ବିଶ୍ବାସବାବୁଙ୍କୁ ସେମିତି ଲାଗିଲାଣି । ତାକୁ ଭାବିବାରେ ଦିନ ଯାଇ ରାତି , ପୁଣି ରାତି ଯାଇ ଦିନ ହୋଇଯାଏ ତାହା ଜାଣି ପାରନ୍ତି ନାହିଁ । ପ୍ରତି ମୂହୁର୍ତ୍ତରେ, ପ୍ରତି କ୍ଷଣରେ ମଇନାକୁ ପାଇବାକୁ ବିଶ୍ବାସବାବୁ ବ୍ୟାକୁଳ ହେଲେ ।

ବିଶ୍ବାସ ବାବୁ ଅବଗତ ଥାନ୍ତି ମଇନା ପରିଣୀତା । ପରିଣୀତା ନାରୀ ସହିତ ପ୍ରେମ କରିବା ପାପ ଅଟେ କିନ୍ତୁ ତାହା ଜାଣି ମଧ୍ୟ ପତଙ୍ଗ ଅଗ୍ନିକୁ ଝାସ ଦେଲାପରି ବିଶ୍ବାସ ବାବୁ ସେହି ଅଗ୍ନିରେ ଝାସ ଦେଲେ ।ଜଣେ ଅଫିସର ହୋଇ ମଧ୍ୟ ଏକ ସାଧାରଣ ଚପରାସିର ପରିଣୀତା ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଯୋଡିବାର ହାତ ବଢାଇଲେ । ଅବାସ୍ତବ ପ୍ରେମ ସୀମା ନାହିଁ ତାର ଜଟିଳ ଅତି, ଆଉ ବାସ୍ତବ ପ୍ରେମଟା ସ୍ମୃତି ହୋଇଯାଏ କେଦାର ଗୌରୀ ପ୍ରୀତି।

ପଦମ ବେଳକୁ ବେଳ ମାତାଲ ହେବାରେ ଲାଗିଲା, ଅର୍ଥର ଅଭାବ ରହିଲା ନାହିଁ । ମଇନା ଧିରେ ଧିରେ ବାବୁଙ୍କର ହୋଇଗଲା ଅତି ଆପଣାର । ବିଶ୍ବାସ ବାବୁ ସେଦିନ ମଇନାକୁ ନିଜର ଭାବାବେଗ କହୁ କହୁ କହିପକେଇଲେ - - - - - ତୁମେ ମୋ ଦିନ, ତୁମେ ମୋ ରାତି, ତୁମେ ମୋ ସ୍ମୃତି, ତୁମେ ମୋ ସ୍ବପ୍ନ, ତୁମେ ମୋ ବର୍ତ୍ତମାନ ଓ ଭବିଷ୍ୟତର ନାୟିକା । ପ୍ରତିକ୍ଷଣେ ତୁମର ଅପରୂପ ଛବି ମୋର ମନ ଅଇନାରେ ପ୍ରତିବିମ୍ବିତ ହେଉଛ ।

ମଇନା ସବୁ ବୁଝି ନ ବୁଝିବାର ଅଭିନୟ କଲା । ତାକୁ ଲାଗୁଥିଲା ସତେ ଯେପରି ମରୁଭୂମିର ବାଲୁକା ରାଶି ମଧ୍ୟରେ କିପରି କମନୀୟ ବନାନୀର ସୃଷ୍ଟି ? ? ? କିପରି ମହାକାଳ ଫଳ ଭିତରୁ ଏ ସୁନ୍ଦର ବ୍ୟଞ୍ଜନାର ପରିକଳ୍ପନା ? ? ? ଉଁଆସ ରାତ୍ରିର ଘନ ଅନ୍ଧକାରକୁ ଦୂର କରିବାର ପୁନେଇ ଜହ୍ନ । ଏ କି ଭାଗ୍ୟର ସଂଯୋଗ ! ଏ ସବୁ ସ୍ବପ୍ନ ପରି ଲାଗୁଥାଏ ମଇନାକୁ । ନିଜର ଅସମାପ୍ତ ଖୁସିକୁ ବ୍ୟକ୍ତ କରିପାରୁ ନ ଥାଏ ମଇନା ବିଶ୍ବାସବାବୁ ପାଖରେ ।

ବିଶ୍ବାସବାବୁ ଆସିଲେ ମଇନା ଚଳଚଞ୍ଚଳ ହୋଇପଡେ । ସେ ବିଶ୍ୱାସ ବାବୁଙ୍କ ପସନ୍ଦର ଶାଢୀରେ ସଜେଇ ହୁଏ ନିଜକୁ। ବାବୁଙ୍କ ପସନ୍ଦର ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରେ ମଇନା । ତାଙ୍କର ପ୍ରତ୍ୟେକ ମନପସନ୍ଦର କାମ, ପ୍ରତ୍ୟେକ ଜିନିଷକୁ ସଜେଇ ରଖେ ମଇନା । ରାତି ଯେତେ ଘନେଇ ଆସେ, ଏକ ଅନାଗତ ଭୟ - - - ବ୍ୟସ୍ତ ବିବ୍ରତ କରିବା ସହ ଅବଚେତନ ମନର ମଧୁର ସ୍ବପ୍ନ ବି ଆଛନ୍ନ କରିରଖେ ।

କର୍ତ୍ତବ୍ୟ ଦାୟିତ୍ବ ବନ୍ଧନରୁ ମୁକ୍ତ ହୋଇ ରହିବାକୁ ଚାହୁଁଥିବା ନାରୀଟିଏ ଜଣେ ପୁରୁଷକୁ କେମିତି ନିଜର ସର୍ବସ୍ବ ଅଜାଡିଦିଏ ? ନାରୀ ମନର ସଂଗୋପ୍ୟ କାମନା ବିଶ୍ବାସ ବାବୁଙ୍କୁ ଜଣାଥାଏ ।

ବିଶ୍ବାସ ବାବୁ କ୍ବାଟରରେ ବସି ଭାବୁଥାନ୍ତି, ଏହା ଭିତରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ବୁଡି ଗଲେଣି । ଝାପ୍ସା ଅନ୍ଧାର ତାର ସାମ୍ରାଜ୍ୟ ବିସ୍ତାର କରିବାକୁ ଆରମ୍ଭ କରିଦେଲାଣି । ଅନ୍ଧାର ଯେତିକି ମାଡି ଆସୁଛି ବିଶ୍ବାସ ବାବୁଙ୍କ ମନ ଓ ପ୍ରେମର ଉତ୍କଣ୍ଠା ସେତିକି ବଢିବାରେ ଲାଗିଲା ।

ରାତି ପ୍ରାୟ ନଅଟା ହେବ ! ! ! ମଇନା ବାବୁଙ୍କ ପାଇଁ କ୍ବାଟରରେ ରାତ୍ରି ଭୋଜନ ଥୋଇ ଫେରିଗଲା ବେଳକୁ ବିଶ୍ବାସ ବାବୁ ମଇନାର ହାତକୁ ଧରିପକାଇଲେ । ମଇନା ଏକ ଅଜଣା ଆବେଗରେ ତାଳରୁ ତଳିପା ଯାଏଁ, ପ୍ରତିଟି ଅବୟବ ଶିରି ଶିରି କରି ଉଠିଲା । ସେହି ମୂହୁର୍ତ୍ତରେ ଲଜ୍ଜାରେ ଝାଉଁଳି ପଡିଲା ମଇନା ।

ବିଶ୍ବାସ ବାବୁଙ୍କର ଭାବାବେଗରେ ନିଜର ପରିଣୀତା ପତିଙ୍କୁ ଛାଡି ବାବୁଙ୍କ ଛାତିରେ କେତେବେଳେ ଅଜାଣତରେ ଛଡେଇ ହୋଇପଡିଛି ଜଣାନାହିଁ ତାକୁ । ନୀଳକଇଁ ପରି ଆଖି ଯୋଡିକ ଆକାଶର ଚନ୍ଦ୍ରମାକୁ ନିବିଷ୍ଟ ଭାବରେ ଆତ୍ମମଗ୍ନ ହୋଇ ବିଶ୍ବାସ ବାବୁ ମଇନାର ଓଠରେ ଓଠ ରଖି, ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ନିଜର ଓଠରେ ଚୁମି ଅସ୍ଥିର କରିଦେଲେ ତାକୁ । ବିଛାଡି ଦେଲେ ତାର ହୃଦୟରେ ସ୍ନିଗ୍ଧ ଶୀତଳତା, ସତେ ଅବା ତାର ଅତୀତ ବୋଲି କିଛି ନ ଥିଲା ଅନୁଭବ କରାଇଲେ । ମଇନାର ସାରା ଦେହରେ ସୃଷ୍ଟି କଲେ କାମନାର ଢେଉ ....... ଧିରେ ଧିରେ ଦୁଇଟି ଶରୀର ଗଭୀର କାମନାରେ ଏକାକାର ହୋଇଗଲା ।

ପଦମ ବେଳେ ବେଳେ ରାତିରେ ଘରକୁ ଆସେନାହିଁ । ମଇନା ସେଦିନ ବାବୁଙ୍କ କ୍ବାଟରରେ ରାତ୍ରି ଯାପନ କରିଥିବାରୁ ନିଜକୁ ଭାରି ଅପମାନିତ ବୋଧକଲା । କିଏ ଯଦି ଏ କଥାଟା ଜାଣିଥିବ ତାହାହେଲେ କ'ଣ ହେବ ? ? ?

( ୩ )

ସତ ତ କେବେ ଲୁଚି ରହେନା......., ମଇନା ସହିତ ବିଶ୍ବାସ ବାବୁଙ୍କର ମିଳାମିଶା ଲୋକଙ୍କ ଆଖିରେ ସହ୍ୟ ହେଲା ନାହିଁ । କେହି କେହି ଏକଥା ପରୋକ୍ଷରେ ପ୍ରତ୍ୟେକ୍ଷରେ କହିବାକୁ ଭୁଲିଗଲେ ନାହିଁ ପଦମକୁ । ପ୍ରଥମେ ପ୍ରଥମେ ଏକଥା ବିଶ୍ବାସ କଲାନାହିଁ ପଦମ ।

କିଛିଦିନ ପରେ ମଇନା ଦ୍ବିତୀୟ ସନ୍ତାନର ଜନନୀ ହେଲେ । ଅରୁ ଜନ୍ମ ହେଲା, ଲୋକମାନେ ଟାହିଟାପରା, ପରିହାସ କରି ପଦମକୁ ବିଭିନ୍ନ କଥା କହିଲେ.........

ହଠାତ୍ ଦିନେ ରାତିରେ ପଦମ ପିଇକରି ଫେରିଛି ଘରକୁ । ଘରେ ଦେଖେ'ତ ମଇନା ନାହିଁ । ବାବୁଙ୍କ କ୍ବାଟରରେ ଯାଇ ଦେଖେ ମଇନା ବାବୁଙ୍କ ବାହୁଲଗ୍ନରେ ନିବିଡିତ । ଏ ଦୃଶ୍ୟ ଦେଖି ସହ୍ୟ କରିପାରିଲା ନାହିଁ ପଦମ । ସେଦିନ ମାତାଲ ଅବସ୍ଥାରେ ବାଡେଇଲା ମଇନାକୁ ।

ସକାଳୁ ଉଠି ମଇନା ଅରୁକୁ ନେଇ ବାପ ଘରକୁ ଚାଲିଗଲା । ପଦମର ଘରଲୋକ ବି ସାଂଘାତିକ ଅଭିଯୋଗ ଆଣିଲେ ବିଶ୍ବାସ ବାବୁ ଓ ମଇନା ବିରୁଦ୍ଧରେ

ସେମାନେ ପଞ୍ଚାୟତରେ ଦରଖାସ୍ତ କଲେ । ପଦମ ମଇନାକୁ ଛାଡପତ୍ର ଦେବ ଏବଂ ବିଶ୍ଵାସ ବାବୁ ମଇନାକୁ ରଖିବେ । ଅଭିଯୋଗ ଅନୁଯାୟୀ ପଞ୍ଚାୟତରେ ବୈଠକ ବସିଲା । ପଞ୍ଚାୟତକୁ ପଦମ, ବିଶ୍ବାସବାବୁ ଓ ମଇନାକୁ ଡକାଗଲା । ଜଣେ ଅଫିସର ଭାବରେ ନିଜର ପଦମର୍ଯ୍ୟାଦା ରକ୍ଷା କରି ନଥିବାରୁ ସମସ୍ତେ ବିଶ୍ବାସ ବାବୁଙ୍କୁ ଅପମାନିତ କଲେ ଏବଂ ତଳେ ବସିବାକୁ ନିର୍ଦ୍ଦେଶ ଦେଲେ ।

ପଞ୍ଚାୟତର ସମସ୍ତ ସଭ୍ଯ ଏବଂ ଉଭୟ ପକ୍ଷର ସାକ୍ଷୀ ପ୍ରମାଣ ଅନୁଯାୟୀ, ମଇନାକୁ ବିଶ୍ବାସ ବାବୁ ରଖିବେ ନଚେତ୍ ପଚାଶ ହଜାର ଜୋରିମାନା ଦେବେ ? ? ?

ବିଶ୍ବାସ ବାବୁଙ୍କର ମନ କହିଲା ମଇନାକୁ ରଖିବାକୁ କିନ୍ତୁ ତାଙ୍କ ଅଫିସର ସହକର୍ମୀ ସେଥିରୁ ବାରଣ କଲେ, ଏ କଥାକୁ ସେମାନେ ପସନ୍ଦ କଲେ ନାହିଁ । ଶେଷରେ ବିଶ୍ବାସ ବାବୁ ପଚାଶ ହଜାର ଟଙ୍କା ଜୋରିମାନା ଦେଲେ । ପଞ୍ଚାୟତ ନିର୍ଦ୍ଦେଶ ଦେଲା ଆପଣ ଯଥାଶୀଘ୍ର ଏଠାରୁ ବଦଳି ହୋଇ ପାଇଯାଆନ୍ତୁ ନଚେତ୍ ଆପଣଙ୍କର ଜୀବନ ପ୍ରତି ବିପଦ ଅଛି ।

ପଦମର ଘରଲୋକ ଜୋରିମାନା ଟଙ୍କା ଆଣିଲେ କିନ୍ତୁ ପଦମ ମଇନାକୁ ଗ୍ରହଣ କଲାନାହିଁ । ପଦମକୁ ମଧ୍ୟ ବଦଳି କରିଦେଲେ ଅନ୍ୟତ୍ର।

ମଇନା ତାର ବାପଘରେ ରହିଲା ଏପଟେ ବଡଝିଅ ହଷ୍ଟେଲରେ ରହି ପଢୁଥାଏ । ମଇନାର ବାପଘର ଲୋକ ପଦମକୁ କେତେ ଅନୁନୟ ବିନୟ ହେଲେ ମଇନାକୁ ଗ୍ରହଣ କରିବାକୁ, କିନ୍ତୁ ପଦମ ସାଫ ସାଫ ମନାକରିଦେଲା ।

ମଇନା ବି ପଦମ ପାଖକୁ ଆଉ ଯିବାକୁ ମନ ବଳାଇଲା ନାହିଁ । ମଇନାର ବାପଘର ଲୋକ ମଇନା ଓ ଅରୁର ଭରଣପୋଷଣ ପାଇଁ କେସ୍ ଡାୟର କଲେ ।

ପାଞ୍ଚବର୍ଷ ଧରି କୋର୍ଟ ଚାଲିଲା । ଅରୁ ସେତେବେଳକୁ ବଡ ହୋଇଯାଇଥାଏ । ବାପ ସାଥିରେ ବେଳେ ବେଳେ କୋର୍ଟକୁ ଆସୁଥାଏ ବଡଝିଅ । ଅରୁ ଯେତେ ଯାହାହଲେ ଛୋଟ ପିଲାଟି ସେ କ'ଣ ଜାଣେ ! "ବାପ ପାଖକୁ ପଳାଏ ବାପା - ଚକୋଲେଟ୍ କି କ'ଣ ଦେଲେ ଧରି କରି ମାଆ ପାଖକୁ ପଳାଇ ଆସେ" । ଭାଇ ଭଉଣୀ କୋର୍ଟ ପିଣ୍ଡାରେ ଖେଳନ୍ତି କଳି ତକରାଳ ହୁଅନ୍ତି ।

( ୪ )

ଏହା ଭିତରେ ବିଶ୍ବାସବାବୁ ଟ୍ରାନ୍ସଫର ହୋଇ ଯାଇଥିଲେ ସମ୍ବଲପୁରକୁ, ସେ କିନ୍ତୁ ଭୁଲି ପାରି ନ ଥିଲେ ମଇନାକୁ । ଗଲାବେଳେ ଥରେ ମଇନା ସହିତ ଦେଖା ନହୋଇ ପାରିଥିବାରୁ ମର୍ମାହତ ହୋଇଥିଲେ।

ପାଞ୍ଚବର୍ଷ ପରେ କୋର୍ଟ ନିଷ୍ପତ୍ତି ଦେଲେ - - ବଡଝିଅ ବାପ ପାଖରେ ରହିବ, ଅରୁ ମାଆ ପାଖରେ ରହିବ ଏବଂ ମଇନାର ଭରଣ ପୋଷଣ ପାଇଁ ପଦମର ଦରମାର ଅଧା ପାଇବ ମଇନା ।

ଏବେ ମଇନା ବାପ ଘରେ । ଭାଇଭାଉଜଙ୍କର କଥା ଅନୁସାରେ ଚଳିବାକୁ ପଡୁଛି । ଯେ ଯାହା ବାଟରେ ସମସ୍ତେ ଚାଲିଗଲେ...ମଇନା ନିଜକୁ ଭାବୁଥାଏ - - ନଷ୍ଟଗଳିର ନାୟିକା ମୁଁ, ମୋର ପରିଚୟ ବୋଲି କିଛି ନାହିଁ। ଅନ୍ଧାର ଭିତରେ ବାଟବଣା ହୋଇ ମୋର ନିଜର ଠିକଣା ହରାଇଛି । ଦିନ ଥିଲା ମୁଁ ରଙ୍ଗିନ୍ ସ୍ବପ୍ନରେ ମସଗୁଲ ଥିଲି ଏବେ ସବୁ ଲାଗେ ଧୂଷର । ମୋ ମନ ବୀଣାରେ ବେସୁରା ରାଗିଣୀ ମୁଁ । ଅନୁତାପ ଭରା ମୋର ଅନ୍ତର । କଳଙ୍କିତ ଭରା ଏଇ ଜୀବନ ମୋର ନିତି ଜଳେ ଜଉଘରେ । ବଞ୍ଚିବାକୁ ଯାଇ ହାରି ଯାଇଛି ମୁଁ ମରିବାର ଯୁଆଖେଳେ । ମଇନା ଦୁଃଖ ଓ ସୁଖର ସ୍ମୃତିକୁ ସଉଁଟି, ଅରୁର ଭବିଷ୍ୟତର ସ୍ୱପ୍ନ ଦେଖୁଛି।

ଛୋଟ ପିଲା ସେ ଅବା କ'ଣ ଜାଣେ..... ତଥାପି ଅନୁଭବ କରିଛି, ବାପା ଆଉ ଆମ ପାଖକୁ ଆସିବେ ନାହିଁ ।

ସତରେ ଆମେ ଆମ କଲା କର୍ମର ଫଳ ଆମେ ଭୋଗ କରିବା ସଙ୍ଗେ ସଙ୍ଗେ ଆମର ପରପିଢି ଭୋଗ କରୁଛନ୍ତି । ଅରୁର ଉଜ୍ଜ୍ବଳମୟ ଭବିଷ୍ୟତ ଆଶା ରଖିଛି ମଇନା । ବିଶ୍ବାସବାବୁ ସିନା ଗୋଟେ ପରିବାରକୁ ଦୁଃଖର ସାଗରରେ ଭସାଇ ଦେଇ ଚାଲିଗଲେ, ସେ କ'ଣ ଶାନ୍ତିରେ ରହିପାରୁଥିବେ ? ? ?

ପରିଣୀତା ମଇନା ଚିରଦିନ ପାଇଁ ଅଭିଶପ୍ତ ହୋଇରହିଗଲା...।

ଲଳିତ ମୋହନ ମିଶ୍ର

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ଚନ୍ଦ୍ରଗିରି, ଗଜପତି


Rate this content
Originality
Flow
Language
Cover Design