Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଓଢଣି
ଓଢଣି
★★★★★

© Amiya Bej

Tragedy

5 Minutes   21.6K    15


Content Ranking

{୧}

ପଲ୍ଲ୍ୟୁସନ୍ ଅବା ସନବର୍ଣ୍ ! ଲୁଚାଛପା ପାର୍କସିନେମା ଅବା ଅସୁନ୍ଦରପଣ ! ଲୋଡାପଡେ ଓଢଣି । ମୁହଁ ଘୋଡିଦେଲେ ବାପା-ଭାଇ-ସ୍ୱାମୀ ଛାଡ , ମା'କୁ ବି ଅଡୁଆ ହୋଇପଡେ ! ଇୟେ ତା' ଜନ୍ମକଲା ତ ?

ସୁନିଲ୍ ଦଲାଲ ସେ ଥାଇଲ୍ୟାଣ୍ଡ ଝିଅଟାକୁ ବାରମ୍ବାର ଟ୍ରେନିଂ ଦେଇଥିଲା , ଧରାପଡିଗଲେ କ୍ୟାମେରା ଆଗରେ ମୁହଁ ଢାଙ୍କିବାକୁ । ବିଦେଶୀ ଜାଣିଲେ ଅଡୁଆ ବଢିବ । ଭାରି ପ୍ରଶ୍ନ ପ୍ରଶ୍ନ ହୋଇ ଅବୁଝା ଆଖିରେ ଠାରିଲା ବିଚାରୀ -

- "ହ୍ୱାଇ ?"

- "ଏ ଦେଶ ଏମିତି । ଇଜ୍ଜତ ବିକାଳିକୁ ବି ଇଜ୍ଜତ ମିଳେ । ବେଶ୍ୟାବୃତ୍ତିକୁ ସଂକ୍ରାମକ ମନେକରାଯାଏ । ସାର୍ବଜନୀନ କରାଯାଏନି ଏସବୁ । ବ୍ୟାପିଯିବା ଭୟରେ । ତେବେ , ଏ ମୁହଁଲୁଚା ନିୟମ କେବଳ ନାରୀଙ୍କ ପାଇଁ । ରେସପେକ୍ଟ୍ ବୋଲି ମନେକର ।"

କେବଳ ରେସ୍ପେକ୍ଟ ଶବ୍ଦଟାକୁ ବୁଝିନେଲା ସେ ବିଦେଶିନୀ । ତେବେ , ତା'ର ଏ ଅଣ୍ଟୁନଥିବା ପୋଷାକରୁ ମୁହଁ ଲୁଚାଇବାକୁ କନାଖଣ୍ଡେ କୁଆଡୁ ଆଣିବ ଯେ ?

- "ହାଓ ?"

ସୁନିଲ୍ ପକେଟରୁ ଧଳା ଫରଫର ରୁମାଲଟିଏ କାଢି ତା' ହାତରେ ଗୁଞ୍ଜି ଦେବାରୁ , ଖୁବ୍ ଜୋରରେ ହସିଲା ଝିଅଟି । ଥାଇ' ଭାଷା ଆଉ ଇଂରାଜୀ ମିଶାଇ କହିଲା -

- "ମୁହଁ ଢାଙ୍କିଦେଲେ , ସାରା ପୃଥିବୀ ଏକାକାର ! ହା ହା ହା ବାଷ୍ଟାର୍ଡ଼ ।"

{୨}

ସୁନିଲ୍ ବାଷ୍ଟାର୍ଡ଼ ନଥିଲା । ତା'ର ଗୋଟେ ଭରପୁର ସଂସାର ଥିଲା । ସଂସାର ଚଳାଇବାକୁ ବୃତ୍ତିଟିଏ ଲୋଡା । ଏମବିଏ ପଢିଲାବେଳେ ସେ ଥିଲା ଭାରି ଉଚ୍ଚମନା । ପଢା ସରିଗଲା ପରେ ସାମ୍ନା କଲା ବାସ୍ତବତାକୁ । ସହଜରେ ସୁଖ ମିଳେନି । ତା'ର କଷ୍ଟକରିବା ପସନ୍ଦ ନଥିଲା । ଘଟଣାଚକ୍ରରେ ଏ

ଲାଇନରେ ପାଦ ଦେଲାପରେ ଜାଣିଗଲା ଅସଲି ମ୍ୟାନେଜମେଣ୍ଟ୍ ପାଠ ଏଇଠି । ଘର ପରିବାରକୁ ଟେର୍ ନଥିଲା , ତା' କାର୍ଯ୍ୟକଳାପ । ସେମାନେ ଥିଲେ କେବଳ ସୁଖଭୋଗି ।

{୩}

ସେ ମ୍ୟାନେଜ୍ କରେ । ଯେଉଁ ପ୍ରତିଷ୍ଠିତ ମାନେ ଦିନେ ତାକୁ ଚାକିରିଟିଏ ପାଇଁ ପଦାକୁ ତଡୁଥିଲେ , ସେଇମାନେ ଆଜି ଡାହାଳ କୁକୁର ପରି ଲାଳ ଗଡାନ୍ତି , ତା'ଆଗରେ ।

- "ପ୍ଲିଜ୍ ! ଆଜିପାଇଁ କିଛି ବ୍ୟବସ୍ଥା କର ସୁନିଲ ।"

- "ସରି ସାର୍ । ସବୁ ବୁକ୍ଡ୍ !"

ଏତକ କହିସାରି ନିଜକୁ ସମ୍ରାଟ୍ ବୋଧ କରେ ସେ । ବଡଲୋକିଆଙ୍କ ଭୋକ ଅସରନ୍ତି । ଦୟା ଆସେ ଏଗୁଡାଙ୍କୁ। ଅଇଁଠା ବାଢିଦିଏ ବଛାବଛା ମାନଙ୍କୁ । ରାତି ଅନ୍ଧାରରେ ମାଳ ବି ମାଳବିକା ! ମେହନ୍ତରାଣୀକୁ ନର୍ଦ୍ଦମାରୁ ଆଣି , ରାଜ ପଲଙ୍କରେ ଶୁଆଇଦେବାର କ୍ଷମତା ରଖିଛି ସୁନିଲ । ଆଲୁଅରେ ସାମାଜିକ ବୋଲାଉଥିବା ଲୋକଗୁଡା , ଅନ୍ଧାରରେ ପଙ୍କକୁ ବି ଅମୃତ ଭାବି ଚାଟି ପକାନ୍ତି । ଦିନସାରା ଯୋଜନା ବନାଉଥିବା ମଣିଷଟେ'କୁ , ଯୋଜନାବଦ୍ଧ ଭାବେ ରାତିରେ ଶୁଆଇଦେବାର ଦାୟିତ୍ୱ ସୁନିଲର । ଅସାମାଜିକତାର ମୂଳମଞ୍ଜି ଗୁଡା କୁକୁର ନୁହଁ ତ ଆଉ କଣ ??

{୪}

ଦୁନିଆକୁ ବେଶ୍ ପଢିନେଇଥିଲା ସେ । ବ୍ୟବସାୟ ପାଇଁ ଆବଶ୍ୟକ ନ ଥିଲା , ଟେବୁଲ୍ ଚେୟାର୍ ସୋଫା ଏସି ବାଲା ଅଫିସ୍ ଟିଏ । ଖାଲି ଗୋଟେ ପକେଟ୍ ଡାଏରୀ ! ସେଇଥିରେ ଖାଦ୍ୟ ଖାଦକର ଠିକଣା , ଟେଲିଫୋନ୍ ନମ୍ବର । ଲେଣଦେଣର ହିସାବ କିତାବ । 

ସେ ଶିକାରୀ । ଜଙ୍ଗଲ ଯିବାକୁ ପଡେନି ତାକୁ । ଏଇ ସହର ମାନଙ୍କରେ , କଲେଜ୍ ହଷ୍ଟେଲ୍ ମେସ୍ ମାନଙ୍କ ଭିଡ ଭିତରେ ଛପି ରହିଥାଏ ବ୍ୟବସାୟ ! ସେମାନଙ୍କୁ ଖୋଜି ପାଇବା ବି ଗୋଟେ ଦକ୍ଷତା । 

ଆଦୌ କ୍ଷତିକାରକ ନୁହେଁ ଏ ଦେହମୋହ । ମଣିଷର ଥାଏ ବିଭିନ୍ନ ଆବଶ୍ୟକତା । ସେସବୁ ସହଜରେ ପୂରଣ ହୁଏନା । ଭାରି ସହଜ କିନ୍ତୁ ଏ ଗଳାବାଟ । ସମୟର ଚକ୍ରରେ ବାରଭୋଗ୍ୟା ବି କେଉ ପ୍ରତିଷ୍ଠିତ ଘର ବୋହୁହୋଇ , ମହାରାଣୀ ସାଜିପାରେ ଅକ୍ଳେଶରେ ।

ଏ ଦେହଧନ୍ଦା ବି ଗୋଟେ ଶିଳ୍ପ । ଆବଶ୍ୟକ ପଡେ ଭିନ୍ନ ସ୍ୱାଦ । ସେଇଥିରୁ ବ୍ୟବସାୟର ଚେର ଲମ୍ବେ । ରପ୍ତାନୀ ଆମଦାନୀ ପାଇଁ ଯୋଗାଯୋଗ କରିବାକୁ ପଡ଼େ ବାହାର ସହର , ରାଜ୍ୟ ମାନଙ୍କୁ । ସବୁକିଛି ଯାନ୍ତ୍ରିକ । ଅନଲାଇନରେ ହୁଏ ବହୁକିଛି । ଖାଲି ଯୋଗସୁତ୍ର ରଖିବା କଥା। ରିମୋର୍ଟରେ ରହି ନିୟନ୍ତ୍ରଣ । ଠିକଣା ଲୋକକୁ ଠିକଣା ଦେଇଦେଲେ ମିଳିଯାଏ ପରସେଣ୍ଟେଜ୍ । ସଂଦେହର ଆଢୁଆଳ ପାଇଁ , ଦାମିକା ଲୋକଙ୍କ ଘରକୁ ଦାମ୍ ଦେଇ ଭଡ଼ା ନିଆଯାଏ । ଅବାଧରେ ଚାଲେ ବ୍ୟବସାୟ । ନେତା ପୋଲିସଙ୍କ ଆଖି ବୁଜିବା ପାଇଁ , ଦିଆଯାଏ ପିସି । ସେମାନେ ତ ଦେବତା । ପହିଲି ଭୋଗରେ ଭାଗ ଆଗ

ତାଙ୍କର ! ବଢିଚାଲେ ସୁନିଲର ସାମ୍ରାଜ୍ୟ । କଳାଟଙ୍କାକୁ ସାଇତି ହୁଏନି । ଏଠାରୁ ବହୁ ଦୂରରେ ଥିବା ଗାଁରେ ଗଢିଥିବା ଦ୍ୱିତଳ ପ୍ରାସାଦରେ , ଲାଗିଥିବା ପ୍ରତ୍ୟେକ ଇଟାଖଣ୍ଡ , କେଉଁ ଏକ ଅସହାୟ ଅବା ଉଦ୍ଧତ ଝିଅର କାହାଣୀ କୁହେ ।

{୫}

ରାଜଧାନୀରେ ଟ୍ୟୁସନ୍ କରି , ସଂଘର୍ଷ କରୁଥିବାବେଳେ , ତା' ଠିକଣା ଖୋଜିଖୋଜି , ଗାଁରୁ ଲେଖାଯୋଖା ଭଉଣୀ 'ରୂପା' ଆସି ପହଞ୍ଚିଲା , ଚାକିରି ଆଶାରେ । ଜିଦ୍ କରି କହିଲା

- "ଭାଇ ବହୁତ୍ ଭୋକ । କେଉଁଠିବି , କିଛି ବି କରିନେବି ପଛେ ଗାଁକୁ ଫେରିବିନି ଆଉ ।"

ସୁନିଲ ନିଜେ ଥିଲା ବେକାର । ତା' ବଖୁରିଆ ଭଡାଘରେ , ରୂପାର " କିଛିବି କରିନେବି " କଥାରେ ଆଶାଟିଏ ନେଇ , ଏପଟସେପଟ ହେଲା କିଛିଦିନ । ସବୁଠି ନାହିଁ ନାହିଁ ।

ଦିନେ ସେ ଦଶମହଲା କୋଠାରୁ ମନମାରି ଶିଢି ଓହ୍ଲାଉ ଓହ୍ଲାଉ , ଚପରାଶିଟିଏ ଆସି ବତାଇଲା

ବୁଦ୍ଧିଟିଏ । ସୁନିଲ ଦୋପାଞ୍ଚ ହେଉଥିଲା ବେଳେ , ରୂପା ଆଖିରେ ଖେଳିଗଲା ଚମକ ।

- "ଭାଇ ! ଏ ଦେହଟାକୁ କାମରେ ଲଗାଇଲେ ସିନା , ଦେହ ରହିବ । ନହେଲେ ଆଉ ଦିନ କେଇଟାରେ ଦେହ ବୋଲି କିଛି ନଥିବ ଯେ' ? ମୁଁ ସବୁକଥାରେ ରାଜି !"

ସତରେ ସୁନିଲ ଠୋପାଏ କାନ୍ଦି ପକାଇଥିଲା ସେଦିନ ।

ବଡବାବୁ ଜଣକ , ପରଦିନ ରୂପାକୁ ତା'ପାଖରେ ଆଣି ଛାଡିବା ବେଳେ ହଜାରେଟଙ୍କିଟେ ବଢାଇ କହିଲା -

- "କଥାକଥାକେ ଶୋଇପଡୁଥିବା ସବୁଯାକ ଝିଅଙ୍କୁ , ଦେହ ବଦଳରେ ଚାକିରି ମୁହାଁ କରାଗଲେ ସରକାର ରହିବଟି ? ବୁଝାଅ ତାକୁ ।"

ସୁନିଲ ବୁଝି ବୁଝାଇଲା । 

- "ସରକାରୀ ଚାକିରିରେ ଗରିବୀ ହଟେନି ରୂପା । ସାରାଜୀବନ ଖଟିଖାଟି କେତେବା ଠୁଳାଇବୁ ? ଏଇଟା ସହଜ । ଚିନ୍ତା କର ।"

ଚିନ୍ତା କଣ କରିବ ସେ ? କାଚକେନ୍ଦୁ ପରି ଦିଶୁଥିବା ପଦ୍ମଗଡିଆ ତଳେ ଯେ' ଅକାତକାତ ପଙ୍କ !!!

ସେଇଦିନୁ ଆରମ୍ଭ ହେଲା ପାର୍ଟନରସିପ୍ ।

ରୂପା ରାଣୀମହୁମାଛିକୁ ସୁନିଲ୍ ଦଲାଲ !!

ବଖୁରିଆ ଘରୁ ଆରମ୍ଭ ହୋଇଥିବା ବେପାର , ଏ ଦଶବର୍ଷରେ , ନିଜ ସାମ୍ରାଜ୍ୟ ବିସ୍ତାର କରି ଆନ୍ତର୍ଜାତିକ ହୋଇସାରିଲାଣି । ରୂପା , ରୂପାଲି ସାଜି , ଜଣେ ସରକାରୀ ବାବୁ ସହ ସୁଖସଂସାରରେ ବାନ୍ଧି ହୋଇସାରିଲାଣି ! ଏବେ ସୁନିଲ ଦଲାଲ ଏକଛତ୍ରବାଦୀ ।

{୬}

ସେ 'ଥାଇ' ଝିଅଟା , ଧରା ପଡିଲା ପରେ , କ୍ୟାମେରା ଆଗରେ ମୁହଁ ଲୁଚାଇ ନଥିଲା । ତାଙ୍କ ସଂସ୍କୃତି ରେ ଲାଜ ବୋଲି କିଛି ନଥିଲା । ମିଡ଼ିଆ ବାଲାଏ ହାଲ୍ଲା କରିବାକୁ ଲାଗିଲେ । 

ଏ ବ୍ୟବସାୟ ଅନ୍ତରାଷ୍ଟ୍ରୀୟ । ବିଦେଶରୁ ହେଉଛି ଆମଦାନୀ ରପ୍ତାନୀ । କଳୁଷିତ ହୋଇଗଲାଣି ସହର । କିଙ୍ଗପିନ୍ କିଏ ? ବିରୋଧୀ ରାସ୍ତାକୁ ଓହ୍ଲାଇଲେ । ମନ୍ତ୍ରୀ ଅମଲା ହଲଚଲ୍ ହେଲେ ।

- "ସୁନିଲ୍ !"

- "ସାର୍ ?"

- "ଉପାୟ ନାହିଁ । ଜେଲ୍ ଯିବାକୁ ହେବ ।"

- "କେତେଦିନ ସାର୍ ?"

- "ପରେ ଜଣାପଡିବ । ସରେଣ୍ଡର୍ କର ।"

{୭}

ସୁନିଲର ପକେଟ ଡାଏରୀ ରହସ୍ୟ ଖୋଲୁଥିଲା । କେଶ୍ ଧିରେଧିରେ ମୋଟା ହେଉଥିଲା । ଦୁର୍ଗର ପତନ ଘଟୁଥିଲା ।

ମିଥିଳା ଖବର ପାଇ , ଜେଲକୁ ଛୁଟି ଆସିଥିଲା ଗାଁରୁ । ସାଙ୍ଗରେ ଝିଅକୁ ବି ଆଣିଥିଲା । ଅପରାଧବୋଧରୁ , ନିଜ ପିଲାମାନଙ୍କୁ ସାମ୍ନା କରିପାରୁନଥିଲା ସୁନିଲ ।

କେଜାଣି କାହିଁକି ଯେ' ନିଜ ମୁହଁରେ ଓଢଣିଟାକୁ ଟାଣି ଦେଇ ମିଥିଳା କହିଲା -

- "ଆମପାଇଁ ଚିନ୍ତା କରନି ଜମା। ଖାଲି, ଦେଖି କୁହଥରେ , କେତେ ରେଟ୍ ହେବ ମୋ'ର ?"

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿

ଇଜ୍ଜତ ଓଢଣି ରହସ୍ୟ

Rate the content


Originality
Flow
Language
Cover design

Comments

Post

Some text some message..